ମଦନପୁର ଗ୍ରାମନିବାସୀ ମୋତିରାମ ଖୁବ୍ ସୌଖୀନ ସ୍ୱଭାବର ଲୋକ, ଖୁବ୍ ଭଦ୍ର ଭାବରେ ସେ କଥାବାର୍ତ୍ତା କରନ୍ତି ଓ ସମସ୍ତିଙ୍କୁ ସାହାଯ୍ୟ ସହାନୁଭୂତି ମଧ୍ୟ କରନ୍ତି । କିନ୍ତୁ ବିବାହ ପରେ ତାଙ୍କର ଏସବୁ ବ୍ୟବହାର ପ୍ରାୟ ବନ୍ଦ ହୋଇଗଲା । ପତ୍ନୀ ଈଶ୍ୱରୀ, କାହା ସହିତ ମିଳିମିଶି ଚଳିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ପ୍ରତ୍ୟେକ କଥାରେ ସେ ଖାଲି ଭୟ, ସନ୍ଦେହ ଓ ଓଲଟା ବୁଝନ୍ତି । ସବୁ ଦୁର୍ଗୁଣ ସହିତ ସେ ବଡ କଞ୍ଜୁସ୍ ଥିଲା । ତଥାପି ମୋତିରାମ ନିଜ ସ୍ତ୍ରୀର ସ୍ୱଭାବ ପରିବର୍ତ୍ତନ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଥା’ନ୍ତି ।
ସୀତାରାମ ଓ ମୋତିରାମ ପିଲାବେଳରୁ ସାଙ୍ଗ । ଦିନେ ସେ ମୋତିରାମଙ୍କ ଘରକୁ ଆସି କହିଲେ, “କଥା କ’ଣ କି ମୋର ପାଖ ଗ୍ରାମରେ କିଛି କାମ ଅଛି । ଭାବିଲି ପିଲାଦିନର ସାଙ୍ଗକୁ ଟିକିଏ ଯାଇ ଦେଖିଆସେ । ତୋ ସହିତ ସପ୍ତାହେ ଖଣ୍ଡେ ରହି ପୁରୁଣା ସ୍ମୃତିସବୁ ମନେପକାଇବା । ବହୁତ ମଜା ହେବ ।” ଦୁହେଁ ଖୁବ୍ ସାଙ୍ଗଥିଲେ ମୋତିରାମଙ୍କର ମଜା କଥା ଶୁଣିବାକୁ ଏବେ ମଧ୍ୟ ସୀତାରାମ ଭାରି ଭଲ ପାଏ । ସୀତାରାମ ଧନୀକର ପୁଅ ଥିଲେ; ତେଣୁ ମୋତିରାମଙ୍କର ଦରକାର ପଡିଲେ ସେ ତାଙ୍କୁ ବହୁତ ପ୍ରକାରେ ସହୟତା କରୁଥିଲେ । ସେ ବଡ ହୋଇଯିବା ପରେ ସହରରେ ବ୍ୟବସାୟ କରି ଏବେ କୋଟିପତି ହେଲେଣି ।
ସୀତାରାମଙ୍କର ଘରେ ରହିବା କଥା ଶୁଣି ଈଶ୍ୱରୀକୁ ମୋଟେ ଭଲ ଲାଗିଲା ନାହିଁ । ସେ ତା’ ସ୍ୱାମୀଙ୍କୁ କହିଲା, “ତା’ର ଯଦି ବହୁତ ପଇସା ଅଛି, ତେବେ ସେ ଭଲ ସ୍ଥାନରେ ନରହି ଆମଘରେ ରହିବ କାହିଁକି? ସେ ଏଠାରେ ରହିବାର କାରଣ କଞ୍ଜୁସ୍ ପଣିଆରୁ ନା ମିତ୍ରତା ଯୋଗୁଁ? ମୋତେ ଲାଗୁଛି ଏସବୁ ଗୋଟେଗୋଟେ ବାହାନା, ଦିନେ ଦିଦିନେ ରହିବ ତ ଭଲ, ପୁଣି ସପ୍ତାହେ ପର୍ଯ୍ୟନ୍ତ କାହିଁକି । ଯିଏ ସିଏ ଆସିଲେ ମୁଁ ବସି ତା’ପାଇଁ ଖାଦ୍ୟ ତିଆରି କରି ତାକୁ ଖୁଆଇବି ନା କ’ଣ?” ତା’ର ଭୟ ଥିଲା ଭଲ ଖାଦ୍ୟ ଖୁଆଇଲେ ସେ ପୁଣି ବେଶିଦିନ ରହିଯିବ । ତେଣୁ ସେ ଅଳ୍ପ କିଛି ଖାଦ୍ୟ ବନାଇ ଦେଉଥିଲା । କାରଣ ସେ ଚାହୁଁଥିଲା ଏପରି କଲେ ସେ ଅତିଥି ଶୀଘ୍ର ଏହି ସ୍ଥାନ ଛାଡି ପଳାଇବ । ସୀତାରାମ ଏକଥାକୁ ମୋଟେ ଖାତିର୍ କଲେ ନାହିଁ, ଯାହା ଖାଇବାକୁ ଦେଲେ ମଧ୍ୟ ସେ ତା’କୁ ଅତି ଆନନ୍ଦରେ ଖା’ନ୍ତି । ତା’ପରେ ସେ ଦୁଇବନ୍ଧୁ ଅଧରାତି ପର୍ଯ୍ୟନ୍ତ ଗଳ୍ପ କରନ୍ତି । କଥା କହୁ କହୁ ସୀତାରାମ ହାହା ହୋଇ ଅଟ୍ଟହାସ କରନ୍ତି ଓ ହଠାତ୍ ଚିତ୍କାର କରି କଥା କହନ୍ତି । ସେସବୁ କଥା ଈଶ୍ୱରୀକୁ ଆଦୌ ଭଲ ଲାଗୁ ନଥାଏ ।
ଯେଉଁଦିନ ସୀତାରାମ ସେଠାରୁ ଗଲେ, ସେଦିନ ସେ ଈଶ୍ୱରୀକୁ ଡାକି କହିଲେ, “ମୁଁ ମୋର ସାଙ୍ଗ ପାଖକୁ ଦେଖାକରିବାକୁ ଆସିଥିଲି । ମୋର ଏଠାରେ ରହିବା ସମୟତକ ତୁମକୁ ବଡ ହଇରାଣ ହେବାକୁ ପଡିଥିବ । ତମେ ମୋତେ ଯେତେ ସବୁ ଜିନିଷ ଖାଇବାକୁ ଦେଲ, ତାହା ତ ମୁଁ ମୋର ଏଜନ୍ମରେ କେବେବି ଭୁଲି ପାରିବି ନାହିଁ । ତୁମର ଆତିଥ୍ୟ ମୋର ବନ୍ଧୁର ବନ୍ଧୁତା ଅପେକ୍ଷା ମଧ୍ୟ ଆହୁରି ଅଧିକ ଉତ୍ତମ । ଆସିବାବେଳେ ମୁଁ ମୋର ସାଙ୍ଗ ପାଇଁ କିଛି ଆଣିଥିଲି । କିନ୍ତୁ ଏହା ଉପରେ ତୁମର ବେଶି ଅଧିକାର ।” ଏତିକି କହି ସେ ହୀରାର ମୁଦିଟିଏ ତାଙ୍କୁ ଦେଲେ ।
ସୀତାରାମ ଈଶ୍ୱରୀକୁ କହିଲେ, “ଆମର ସହରରେ ଦେଖିବା ପାଇଁ ଅନେକ ବିଚିତ୍ର କଥା ସବୁ ଅଛି । ତମେ ଦୁହେଁ ଆମ ସହରକୁ ଥରେ ଆସ ବୋଲି ମୋର ଖୁବ୍ ଇଚ୍ଛା । ଥରେ ସେଠାରେ ଆମଘରେ କିଛିଦିନ ରହିଲେ ମୁଁ ମୋ ନିଜକୁ ଭାଗ୍ୟବାନ ଭାବନ୍ତି । ସାଙ୍ଗ ଚାଲିଯିବା ପରେ ମୋତିରାମ ତାଙ୍କ ସ୍ତ୍ରୀକୁ କହିଲେ, “ଏବେ ତା’ର ମିତ୍ରତା ଦେଖିଲ ତ? ଏବେ ଅନ୍ତତଃ ତମେ ଆମ ବନ୍ଧୁତ୍ୱ ବିଷୟରେ ନିଶ୍ଚୟ ଜାଣି ପାରୁଥିବ ।”
ଈଶ୍ୱରୀ ତିରସ୍କାର ଭରା ସ୍ୱରରେ କହିଲା, “ତମ ବନ୍ଧୁ ଜଣେ ସାଧାରଣ ବ୍ୟବସାୟୀ, ଆହୁରି ପୁଣି ସେ ମଧ୍ୟ କଞ୍ଜୁସ୍ । ପାଖ ଗ୍ରାମରେ ରହିବା ପାଇଁ ଧନୀ ମାନଙ୍କ ସକାଶେ ଇନ୍ଦ୍ରଭବନ ପରି ଘର ରହିଛି । ତୁମ ସାଙ୍ଗ ସେଠାରେ ରହିଲେ ବହୁତ ଖର୍ଚ୍ଚ ହୋଇଯିବ ଭାବି ଏଠାରେ ସେ ରହିଲେ । ହୀରା ମୁଦିଟା ଦେଇଦେଲେ ହୋଇଯିବ । ଏହାର ଅର୍ଥ ଏଠାରେ ସେ ରହିଲେ, ଖାଇଲେ ଓ ଶେଷକୁ ପଇସା ଦେଇ ପଳାଇଲେ ।”
ଏ ଘଟଣାର କିଛିଦିନ ପରେ ଈଶ୍ୱରୀର ଦେହ ହଠାତ୍ ଖରାପ୍ ହେଲା । ବୈଦ୍ୟ ଚିକିତ୍ସା କରିବାବେଳେ ପ୍ରସ୍ତାବ ଦେଲେ, “ଏହି ରୋଗର ପ୍ରକୋପ ତ ଆସ୍ତେ ଆସ୍ତେ କମି ଗଲାଣି, କିନ୍ତୁ ଯେକୌଣସି ସମୟରେ ପୁଣିଥରେ ଏହି ରୋଗରେ ପଡିବାର ଯଥେଷ୍ଟ ସମ୍ଭାବନା ଅଛି । ସହରରେ ଉମା ନନ୍ଦ ନାମକ ଜଣେ ଭଲ ବୈଦ୍ୟ ଅଛନ୍ତି । ଆପଣମାନେ ଯଦି ସେଠାକୁ ଯାଆନ୍ତେ ତ ଭାରି ଭଲ ହୁଅନ୍ତା ।”
ମୋତିରାମ ବଡ ଉତ୍ସାହରେ କହିଲେ “ଆଚ୍ଛା, ଭଲ ହେଲା । କିଛିଦିନ ସହରକୁ ଯାଇ ସୀତାରାମ ଘରେ ରହିବା ।”
ଈଶ୍ୱରୀ ଗମ୍ଭୀର ହୋଇ କହିଲା “ସେ କଥା ଭୂଲିଯାଅ । । ଆମେ ଅନ୍ୟ କୌଣସି ସ୍ଥାନରେ ରହି ନିଜର କାମ ଶେଷ କରି ସେଠାରୁ ଚାଲିଆସିବା ।”
ମୋତିରାମ ଏଥିରେ ବହୁତ ଦୁଃଖିତ ହୋଇ କହିଲେ, “ତୁମେ କ’ଣ ଭୁଲିଗଲ କି? ସେ ପରା ଆମକୁ ଡାକି ଯାଇଛି?”
“ତୁମେ ଜାଣ ସେ କାହିଁକି ଆମକୁ ଡାକି ଯାଇଛନ୍ତି? ଆମକୁ ହୀରାର ମୁଦି ଦେଇଛନ୍ତି ତ ତେଣୁ ସେତକ ମୂଲ୍ୟ କୌଣସି ନା କୌଣସି ଭାବରେ ସେ ଆମଠାରୁ ଉଠାଇ ନେବେ । ଆମେ ପୁଣି ତାଙ୍କ ଘରେ ରହିଲେ ତାଙ୍କୁ ମଧ୍ୟ ଆମକୁ କୌଣସି ଦାମିକା ଜିନିଷ ଉପହାର ଦେବାକୁ ପଡିବ । ତେଣୁ ଆମେ ସେଠାରେ ନରହି ଆମପାଇଁ ଯୋଗ୍ୟ ଘରଟିଏ ଠିକ୍ କରି ରହିବା ।”
ମୋତିରାମଙ୍କୁ ସ୍ତ୍ରୀର ଏଭଳି କଥା ଆଦୌ ଭଲ ନ ଲାଗିବାରୁ ସେ ଚୁପ୍ ରହିଗଲେ ପରେ ସେ ସହରକୁ ଗଲେ । ଗୋଟିଏ ଛୋଟ ଜାଗାରେ ଘର ଭଡା ନେଇ ସେ ସେଠାରେ ରହିଲେ ଓ ଈଶ୍ୱରୀର ଚିକିତ୍ସା ଆରମ୍ଭ ହେଲା । ଚିକିତ୍ସା ଶେଷ ହେବା ପରେ ସେମାନେ ତାଙ୍କ ଗ୍ରାମକୁ ଫେରି ଆସିଲେ । ମୋତିରାମ ସ୍ତ୍ରୀକୁ କହିଲେ, “ଦେଖ ସହରରେ ଆମର ଦୁଇଶହ ମୁଦ୍ରା ଖର୍ଚ୍ଚ ହୋଇଗଲା । ଆମେ ମୋ ସାଙ୍ଗ ଘରେ ରହି ତାଙ୍କୁ ସେଇଟଙ୍କାରେ ଗୋଟିଏ କିଛି ଉପହାର ଦେଇପାରି ଥା’ନ୍ତେ । ତୁମରି ଏହି ମୁର୍ଖତା ଯୋଗୁଁ ମୁଁ ଆଜି ମୋ ମିତ୍ରଠାରୁ ଦୂରରେ ରହିଲି । ଏପରି ବ୍ୟବହାର କରିବା ଅର୍ଥ ତାକୁ ଅପମାନ ଦେବା । ମୁଁ ତ ଶୁଣିଥିଲି ସୀତାରାମ ଉମାନନ୍ଦଙ୍କର ଘନିଷ୍ଠ ବନ୍ଧୁ । ସେ ଯଦି ବୈଦ୍ୟ ପାଖକୁ ନେଇ ଯାଇଥା’ନ୍ତା ତ ଆହୁରି ଭଲ ହୋଇଥା’ନ୍ତା । ତୁମର ଚିକିତ୍ସା ସେ ଅଧିକ ଉତ୍ତମ ରୂପେ କରିଥା’ନ୍ତେ । ମୋର ମନେହୁଏ ଉମାନନ୍ଦଙ୍କ ଦ୍ୱାରା ଆମ ଖବର ସେ ଜାଣି ସାରିବଣି, ବହୁତ ଦୁଃଖିତ ହେବ ।”
ଏକଥା ଶୁଣି ଈଶ୍ୱରୀ କହିଲା, “ସେପରି ନୁହେଁ; ଘରକୁ ଅତିଥିମାନେ ଆସିଲେ ଲୋକ କେବେବି ଖୁସି ହୁଏ ନାହିଁ । ଆମେ ତାଙ୍କ ଘରକୁ ଯାଇଥିଲେ ସେ ପୁଣି ଆମଘରକୁ ଆସିଥା’ନ୍ତେ । ଆଜି ଦାମୀ ଜିନିଷ ଉପହାର ଦେଉଛି ପୁଣି ଥରେ ଆସିଲେ ଅଳ୍ପଦାମର ସାଧାରଣ ଜିନିଷ ନେଇ ଆସିବ ।
ମୋତିରାମ କହିଲେ “ଦେଖ, ସୀତାରାମକୁ ମୁଁ ମୋ ପିଲାଟି କାଳୁ ଜାଣେ, ସେ ଯାହା ଘରେ ରହେ ତାକୁ ସେ କିଛିନା କିଛି ଉପହାର ଜରୁର୍ ଦିଏ । ସେଇଟା ତା’ର ଏକ ଅଭ୍ୟାସ । ଏସବୁ ତୁମକୁ ବୁଝାଇବା ମୋର ଶକ୍ତିର ଅତୀତ ।” ଏହାର କିଛିଦିନ ପରେ ସୀତାରାମ ଗ୍ରାମରେ ଥିବା ଅତିଥି ନିବାସରେ ଯାଇ ରହିଲେ । ଏକଥା ଶୁଣି ମୋତିରାମ ତାଙ୍କ ସାଙ୍ଗ ସହିତ ଦେଖା କରିବାକୁ ଗଲେ । କିନ୍ତୁ ଈଶ୍ୱରୀ ତାଙ୍କୁ କହିଲା, “ଦେଖିଲ ତ ମୁଁ ଯାହା କହିଥିଲି ଶେଷରେ ତାହାହିଁ ହେଲା । ତୁମେ ଏଥର ଚୁପ୍ଚାପ୍ ରହିଯାଅ । ତାଙ୍କଠାରୁ ଦୂରେଇ ଯାଅ ।”
କିନ୍ତୁ ଠିକ୍ ଦୁଇଚାରିଦିନ ପରେ ସୀତାରାମ ଆସି ସେଠାରେ ପହଁଚିବାର ଦେଖି ଈଶ୍ୱରୀ ଭୀଷଣ ମାତ୍ରାରେ ଆଶ୍ଚର୍ଯ୍ୟ ହେଲା । ସୀତାରାମ ମିତ୍ର ଉପରେ ଦୋଷାରୋପ କରି କହିଲେ, “ତମେ ସବୁ ସହରକୁ ଆସିଲ ଅଥଚ ମୋ ଘରକୁ ଆସିଲ ନାହିଁ, ଏଣୁ ମୋ ମନ ବଡ ଦୁଃଖ ହେଲା ।” ତା’ପରେ ଈଶ୍ୱରୀକୁ ସେ କହିଲେ, “ମୋ ସାଙ୍ଗ ତ ନିହାତି ଗଧ, ମୂର୍ଖ । ତମେ ତ ଅନ୍ତତଃ ତାକୁ ଟିକିଏ ବୁଝାଇ ପାରିଥାନ୍ତ? ସେ ଯାହାହେଉ ପଛେ ଏପରି ବ୍ୟବହାର ମୋତେ ବିଲ୍କୁଲ୍ ଭଲ ଲାଗିଲା ନାହିଁ । ସେଥିପାଇଁ ମୁଁ ଆଉ ଏଥର ତୁମ ଘରେ ରହିବା ପାଇଁ ଆସିଲି ନାହିଁ ।”
ଈଶ୍ୱରୀ କହିଲା “ସାଧାରଣ ଅବସ୍ଥାରେ ଥିଲେ ଆମେ ଆପଣଙ୍କ ଘରକୁ ନିଶ୍ଚୟ ଯାଇଥା’ନ୍ତୁ । ମୋର ଅସୁସ୍ଥତା ଯୋଗୁଁ ଯିବାକୁ ସଙ୍କୋଚ କଲୁ ।”
ସୀତାରାମ କହିଲେ “କାରଣ ଦର୍ଶାଇବା କିଛିବି ଦରକାର ନାହିଁ । ଏଥର ତୁମେମାନେ ନିଶ୍ଚୟ ସହରକୁ ଆସିବ ଓ ମୋ ଘରେ ଦଶଦିନ ରହିବ । ତେବେ ଯାଇ ମୁଁ ତୁମମାନଙ୍କୁ କ୍ଷମା କରିବି ।” ମୋତିରାମ ଓ ଈଶ୍ୱରୀ ସ୍ୱୀକୃତ ହେଲେ । ସୀତାରାମ ହସିହସି କହିଲେ, “ଭାବିଛ କି ମୁଁ ତୁମମାନଙ୍କ ସହ ଝଗଡା କରିବାକୁ ଏଠାକୁ ଆସିଛି? ନା, କଦାପି ନୁହେଁ । କାମ ଥିଲା ବୋଲି ପାଖ ଗ୍ରାମକୁ ମୁଁ ଟିକେ ଆସିଥିଲି, ମୋ ସାଙ୍ଗ ପାଇଁ ଛୋଟ ଉପହାର ଟିଏ ଆଣିଛି ।” ଏତିକି କହି ସେ ପୁଣି ଗୋଟିଏ ହୀରା ମୁଦି ଦେଇ ସେଠାରୁ ଚାଲିଗଲା ।
ଈଶ୍ୱରୀଙ୍କ ମୁହଁ ଏବେ ଫିକା ପଡିଗଲା । ସୀତାରାମଙ୍କ ଘରକୁ ଗଲେ ଉପହାର ଦେବାକୁ ପଡିବ ବୋଲି ସେ ଗଲାନାହିଁ । ମାତ୍ର ଏଥରକ ସୀତାରାମ ସେଠାରେ ନରହି ମଧ୍ୟ ଉପହାର ଦେଇ ଚାଲିଗଲେ । ସୀତାରାମଙ୍କ ଉପହାର ପ୍ରେମ ଓ ମିତ୍ରତାର ପ୍ରତୀକ ଏଣିକି ଈଶ୍ୱରୀ ବୁଝିପାରିଲା ଯେ ସୀତାରାମ କେତେ ଭଲ ମଣିଷ ।