• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»‘ବାଘ ଫାଗ କୁଆଡେ଼ ଗଲେଣି’
ଗଳ୍ପ

‘ବାଘ ଫାଗ କୁଆଡେ଼ ଗଲେଣି’

ସୌମ୍ୟ ରଞ୍ଜନ ପଟ୍ଟନାୟକBy ସୌମ୍ୟ ରଞ୍ଜନ ପଟ୍ଟନାୟକFebruary 23, 2020No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ପିଲାଦିନେ ମିଞ୍ଜି ମିଞ୍ଜି ଲଣ୍ଠନ ଆଲୁଅରେ ମୁଁ ମାମା କୋଳରେ ଶୋଇପଡେ଼ । ମାମା ରଙ୍ଗବତୀ କନ୍ୟା କଥା, ରଜାପୁଅ କଥା, କଲରେଇ ବେଣ୍ଟ କଥା, ଜ୍ଞାନଦା ମାଲୁଣୀ କାକେତେ କାହାଣୀ କହେ ।

ଅଧ ରାତିରେ ମହାବଳ ବାଘ ଗର୍ଜନ ଶୁଣାଯାଏ ବେରେଣା ନଟାରୁ । କେବେକେବେ ଶୁଣାଯାଏ ଖୋରଧା ସହର ଉତ୍ତରପଟ, ବରୁଣେଇ ପାହାଡ଼ ଆଡ଼ୁ । ମାମା କହେ, ବାଘ ସେପଟ ଜଙ୍ଗଲରୁ ଏପଟ ଜଙ୍ଗଲକୁ ଆସୁଛି । ବାଘ ହେଣ୍ଟାଳ ଶୁଣାଯିବା ପରେ ମାଙ୍କଡ଼ମାନେ ଗଛ ଉପରେ ଖେଁ ଖେଁ କରି ଖେଙ୍କାରି ଉଠନ୍ତି; ବିଲୁଆମାନେ ବି ବିକଟାଳ ରଡ଼ି ଛାଡ଼ନ୍ତି । ଭୟରେ ମୋ ଦିହ ହେମାଳ ହୋଇଯାଏ । ମାମା ମତେ କୁଣ୍ଢାଇ ଶୁଆଇପକାଏ । ଆଜିକାଲି ଆଉ ଆମ ଗାଁ ଜଙ୍ଗଲରେ କି ଆଖପାଖ ଜଙ୍ଗଲରେ ବାଘରଡ଼ି ଶୁଣାଯାଏ ନାହିଁ । ବାଘ ଫାଗ କୁଆଡେ଼ ଗଲେଣି । ମୋ ପିଲାଦିନେ ଜଙ୍ଗଲ ଭରି ଜନ୍ତୁ ଥିଲେ । ବାଘ, ହେଟା, ବାର୍‍ହା, ମିରିଗ, ଠେକୁଆ, ଗଧିଆ ଜଙ୍ଗଲରେ ରହିିଥିଲେ । ମହାବଳ ବାଘ କେବେ କେବେ ଅନ୍ୟ କେଉଁ ଘଞ୍ଚ ଜଙ୍ଗଲରୁ ଆସି ଗର୍ଜନ ଛାଡ଼ୁଥିଲା; ଗୋଟାଏ ଦି’ଟା ଗୋରୁ ଛେଳି ମଧ୍ୟ ଖାଇଛି; ମଣିଷ ଖାଇିବାର ଶୁଣାନାହିଁ । ବାଘ ଏପଟ ଜଙ୍ଗଲରୁ ସେପଟକୁ ଗଲାବେଳେ କିମ୍ୱା ସେପଟୁ ଏପଟ ଜଙ୍ଗଲ ପାର ହେଲାବେଳେ ଯେତେବେଳେ ଗର୍ଜନ କରେ, ମନେହୁଏ, ଯେମିତି ଆମ ବାଡ଼ିପଟ ତୋଟା ଭିତରେ ଗର୍ଜୁଛି । ସେ ଗର୍ଜନ ଶୁଣିଲେ ଗର୍ଭିିଣୀ ନାରୀ ପେଟରୁ ପିଲା ଖସି ପଡ଼ିବ । ବିଲପଦା, ନିଶୂନ ଟାଙ୍ଗଣା ଭୂଇଁ ସବୁ ଯିମିତି ଭୟରେ ଜଡ଼ସଡ଼ ହୋଇଉଠେ । ମୁଁ ମାମା କୋଳରେ ଶୋଇ ଶୀତେଇ ଉଠେ । କେବେ କେବେ ମାମା କହେ, ମହାବଳ ବାଘ ଜୋରର ମାଙ୍କଡ଼ଖିଆ ବନ୍ଧରୁ ପାଣି ପିଇବାକୁ ଆସିଛି । ମାଙ୍କଡ଼ଖିଆ ବନ୍ଧଟା ଖୋରଧା ଟାଉନ୍‍ ପଶ୍ଚିମପଟ ଓ ଆମ ଗାଁ ମଝିରେ । କେବେ କେବେ ଝଡ଼ ବର୍ଷା ରାତିରେ ମହାବଳ ବାଘ ରାତିସାରା ଗର୍ଜୁଥାଏ । ବଡ଼ି ପାହାନ୍ତାରେ ଯାଇ ବନ୍ଦ ହୁଏ ତା’ର ହେଣ୍ଟାଳ ଶବ୍ଦ ।

ରାତିରେ ପେଚା, ବଣକୁକୁଡ଼ା ଆଉ ବିଲୁଆ ବୋବାନ୍ତି । ମାମା କହେ କ’ଣ ଅମଙ୍ଗଳ ଘଟିବ । ଆମ କୁଟୁମ୍ୱରେ କିଏ ବୁଢ଼ା ବୁଢ଼ୀ ବାଧକା ପଡ଼ିିଥିଲେ ତା’ ସମ୍ୱନ୍ଧରେ ମନକୁ ମନ ପାପ ଛୁଏଁ । ପେଚା ଓ ହୁଁ ହାଁ ବୋବାଳି ଅଂଧାର ରାତିରେ ବଡ଼ ବିକଟାଳ ଶୁଣାଯାଏ । କେଉଁ ଗିଲଗଛ ନଟିରେ କି କେଉଁ କଣ୍ଟେଇ କୋଳି ଗଛବୁଦା ଉପରେ ସେମାନେ ବୋବେଇ ଉଠନ୍ତି । ଶୀତଦିନେ ଅଣ୍ଡିରା ବିଲୁଆ ଖୁବ୍‍ ଜୋର୍‍ରେ ଡାକଛାଡେ଼ । ସେ ରଡ଼ି କୁଆଡେ଼ ଭାରି ଅମଙ୍ଗଳିଆ ।

ଗାଆଁରେ ଦଣ୍ଡ ଯାତ୍ରା ହୁଏ, ଖୋରଧାର ଚଇତି ଘୋଡ଼ା ନାଚ ଆସେ । ଖୋରଧା ପାଖରେ କେତେ ଗାଆଁରେ ଝାମୁଯାତ୍ରା ହୁଏ । ପଣାସଂକ୍ରାନ୍ତିରେ ଡହଡହ ରଡ଼ ନିଆଁ ଉପରେ କାଳିଶି ବେତ ହଲାଇ ଚାଲେ, ନାଚେ, କୁଦେ । ତା’ର ଗୋଡ଼ କିଛି ହୁଏ ନାହିଁ । ବାଙ୍କି ଝାମୁଯାତ ଖୁବ୍‍ ପ୍ରସିଦ୍ଧ । ଚର୍ଚ୍ଚିକା ଠାକୁରାଣୀଙ୍କ ଝାମୁଯାତ ଦେଖିବାକୁ ବହୁ ଦୂରରୁ ଲୋକମାନେ ଶଗଡ଼ ଗାଡ଼ିରେ ଆସନ୍ତି । ସବୁଠି କାଳିଶିମାନେ ସ୍ତ୍ରୀଲୋକ ପରି (ମାତ୍ର କଛାମାରି) ବେଶ ପିନ୍ଧି ଜଳନ୍ତା ଅଙ୍ଗାର ଉପରେ ଚାଲନ୍ତି । ଟ୍ରେଂଚ ଭଳି ଲମ୍ୱା ଲମ୍ୱା ଗୋହି ଖୋଳା ଯାଇଥାଏ । ସେଥିରେ ବଡ଼ବଡ଼ କାଠ ଖଞ୍ଜି ନିଆଁ ଲଗାଇ ଦିଅନ୍ତି । କାଠ ଜଳିଯାଇ ରଡ଼ ହୋଇଗଲେ କାଳିଶି ତା’ ଉପରେ ଚାଲେ । କାଳିଶି କାଛେଣି ଓ କାଂଚଲା ପିନ୍ଧିଥାଏ । ମୁଣ୍ଡରେ ଜୁଡ଼ା ପାରି ଏକ ରୁମାଲ୍‍ ଭଳି କପଡ଼ା ବାନ୍ଧିଥାଏ ।

ପିଲାଦିନେ ଚତୁର୍ମାସ୍ୟା ଦିନ ମେଘ ଦେଖିଲେ ମୁଁ ଅବାକ୍‍ ହୋଇ ଯାଉଥିଲି । ସାରା ଦେହରେ ରୋମାଞ୍ଚ ଅନୁଭବ କରୁଥିଲି । ତାଳ ତମାଳ ଗଛ ମାନ ଉପରେ କଳା ବଉଦ ଭେଳା ଭେଳା ହୋଇ ଭାସି ଆସେ । ବରୁଣେଇ ପାହାଡ଼ ବଣ ଉପରେ ହାତୀ ପରି ଗର୍ଜନ ଛାଡ଼ି ଧାଡ଼ିମାଳ ଧାନକ୍ଷେତ ଉପରେ କଳାହାଣ୍ଡିଆ ମେଘ ଘୋଟି ଆସିଲେ ତା ତଳେ ଦୁଇ ତିନିଟି ଧଳା ଧଳା ହଂସ ଧାଡ଼ି ପ୍ରାୟ ଚେତା ବୁଡ଼ାଇ ଦିଏ । ପରେ ପଢ଼ିଲି, ରାମକୃଷ୍ଣ ପରମହଂସ ତାଙ୍କ ବାଲ୍ୟାବସ୍ଥାରେ କୁଆଡେ଼ ଧାନ ବିଲ ଭିତରେ ଯାଉ ଯାଉ ଥରେ କଳାବଉଦ ତଳେ ହଂସ-ଧାଡ଼ି ଦେଖି ବେହୋସ ହୋଇଯାଇଥିଲେ । ତାଙ୍କର ସମାଧିଯୋଗ ହୋଇଥିଲା । କାଳିଦାସଙ୍କର ‘ଆଷାଢ଼ସ୍ୟ ପ୍ରଥମ ଦିବସେ’ କିମ୍ୱା ଜୟଦେବ କବିଙ୍କର ମେଘ ମେଦୁର ଆକାଶ ତଳେ ଶ୍ୟାମଳ ବନଭୂମି କଥା କେଉଁ ଭାରତୀୟ ଭୁଲିପାରେ ?

ଏଇ ମେଘ ମୋତେ ବାରମ୍ୱାର ବିହ୍ୱଳ ରେମାଞ୍ଚିତ କରିଛି, ଶ୍ୟାମଳ ଶୈଶବରୁ ଆଜିଯାଏଁ । ମୁଁ ବିଭୋର ହୋଇ ଯାଇଛି । ଭାରତୀୟ ମୌସୁମୀର ସ୍ନିଗ୍ଧ ସଜଳ ସ୍ପର୍ଶ ମୁଁ ଅନ୍ୟ କେଉଁଠି ପାଇନାହିଁ । ତାହା କେବଳ ଓଡ଼ିଶା ଓ ବଙ୍ଗଳା ଛଡ଼ା । ଆନ୍ଧ୍ରର ବର୍ଷା ମୋତେ ବିହ୍ୱଳ କରିଛି, କିନ୍ତୁ ଅଭିଭୂତ କରିପାରି ନାହିଁ । ସେଠାରେ ତାଳ, ତମାଳ, ନାରିକେଳ ତୋଟା ଉପରେ ବର୍ଷାର ନୂପୁର ଝମକ ସତରେ ବଡ଼ ଉଲ୍ଲାସକର, କିନ୍ତୁ ଓଡ଼ିଶା ପରି ପ୍ରାଣମତାଣିଆ ନୁହେଁ । ନୁଆଁଣିଆ ଚାଳ ଉପରୁ ପ୍ରଥମ ଟୋପା ଟୋପା ବର୍ଷା ପାଣି ସତରେ ଭଲ ଲାଗେ । ମାଟିର ବାସ୍ନାରେ ପ୍ରାଣମନ ପୁଲକି ଉଠେ ।

ଆମ ଗାଁରେ ଛୋଟ ଜଙ୍ଗଲଟି ଉପରେ ଯେତେବେଳେ କଳାଘୁମ ମେଘ ଘୋଟିଆସେ, ବଡ଼ ବଡ଼ ଗଛ ବୃକ୍ଷ ପବନରେ ଦୋହଲି ଉଠନ୍ତି, ମୁଁ ତ୍ରସ୍ତ ଚଞ୍ଚଳ ହୋଇଉଠେ । ବଡ଼ ବର୍ଷାରେ ଦାଣ୍ଡରେ ଆଣ୍ଠୁଏ ପାଣି ଚାଲେ । ଆମେ କାଗଜରେ ଡଙ୍ଗା ତିଆରି କରି ଭସାଇ ଦେଉ । କଦଳୀପଟୁକା ମଧ୍ୟ ଛାଡ଼ି ଦେଉ ପାଣିରେ । ବହୁ କୀଟ ପତଙ୍ଗ, ଜନ୍ଦା ପିମ୍ପୁଡ଼ିଙ୍କୁ ଗାମୁଛାରେ କାନିଖିଆ ଦେଇ ପାଣିରୁ ଉଦ୍ଧାର କରି ଶୁଖିଲାରେ ଛାଡ଼ୁ । ବହୁ ଝିଣ୍ଟିକାଙ୍କୁ ମୁଁ ଛତା ପତେଇ ଛାଣି ଉପରେ ଛାଡ଼ିଛି । ଇଏ ଥିଲା ଗୋଟେ ଆନନ୍ଦ; ଖେଳ ନୁହେଁ । ବର୍ଷା ପରି ପ୍ରାଣ ଉଚ୍ଚାଣିଆ ଜିନିଷ ଏ ପୃଥିବୀରେ କିଛି ନାହିଁ ।

ଏବେ ତ ଗତ କେତେ ବର୍ଷ ହେଲା ଓଡ଼ିଶାରେ ବେଶୀଭାଗ ସମୟ ରହୁଛି; ତେବେ ପ୍ରତି ବର୍ଷ ବା ପ୍ରତି ଦୁଇ ବର୍ଷରେ ଲଣ୍ଡନ ବା ଅନ୍ୟ କେଉଁ ବିଦେଶ ଯିବାକୁ ହୁଏ, କୌଣସି ନା କୌଣସି କାମରେ । ଯୁଆଡେ଼ ଗଲେ ବି ଫେରିଲା ବେଳେ ପ୍ରାୟ ଲଣ୍ଡନ ଦେଇ ଫେରେ । ଲଣ୍ଡନରେ ତ ପ୍ରାୟ ସବୁବେଳେ ବର୍ଷା ଲାଗି ରହିଛି । ମାତ୍ର ଜଣେ କିପରି ଅବସନ୍ନ ଓ ଉଦାସିଆ ବୋଧକରେ । ଗୋଟାଏ କିମିତି ଏକଘରକିଆ ଭାବ ମନକୁ ଆଚ୍ଛନ୍ନ କରେ । ଫୂର୍ତ୍ତି ନାହିଁ । ମନ ପ୍ରାଣ ନିସ୍ତେଜ । ସବୁ କିଛି ବିମର୍ଷ ମନେହୁଏ ।

କିନ୍ତୁ ଓଡ଼ିଶାର ବର୍ଷା ସୃଷ୍ଟି କରେ ଅପୂର୍ବ ମାଦକତା । ତା’ର ମୃଦୁ ଦୁଷ୍ଟାମି ଖୁବ୍‍ ଭଲଲାଗେ । କେତେବେଳେ ସେ ଚିନିଚମ୍ପାର ଗାଲ ଚିପିଦିଏ, କେତେବେଳେ ରାଧାତମାଳର ଓଠ ଚୁଷିଦିଏ ଏବଂ ମଧୁମାଳତୀକୁ କରେ ଅସ୍ତବ୍ୟସ୍ତ । ଏଠାରେ ବର୍ଷାର ମନରେ ଆଣେ ଏକ ଘରବାହୁଡ଼ା ଭାବ(ନଷ୍ଟାଲଜିଆ); କହିଯାଏ, ‘ହେଇ ଶୁଣ, ସିଏ ଡାକୁଛି’- କିନ୍ତୁ କିଏ ଡାକୁଛି, କିଛି ଜଣାପଡେ଼ ନାହିଁ ।

ବୁଦୁବୁଦିଆ ଟାଙ୍ଗିଟାଙ୍ଗଣ ଉପରେ ବର୍ଷାର ଘୁଙ୍ଗୁର ବାଜିଉଠେ ରୁମଝୁମ ହୋଇ । ବଣ ଜଙ୍ଗଲ ଓ ପାହାଡ଼ ଥରାଇ ସୃଷ୍ଟି ହୁଏ ଏକ ନୂତନ ଶଙ୍କରାଭରଣ । ଓଡ଼ିଶାର ବୃଷ୍ଟି ମୋ ମନରେ ଗଭୀର ରେଖା କାଟିଛି ।

‘ଅକାଳ ମେଘର ଶ୍ୟାମଳ ଅତ୍ୟାଚାର /ମନ ଉପରେ ରଖିଗଲା ମୋର ନରମ ଚିହ୍ନ ତାର / ଚାରିଆଡ଼ ମେଘର ଘନଘଟା / କ୍ଷେତେ କ୍ଷେତେ ଧାନର ବିଜୁଳିଛଟା ।

ଆଜି ସକାଳେ ଦେଖାହୋଇଗଲା ଗ୍ରାମର ପଥପ୍ରାନ୍ତେ/ ଉ:ପ୍ରା: ସ୍କୁଲ୍‍ର ଛାତ୍ରୀ ବିନୋଦିନୀ ଷଡ଼ଙ୍ଗୀର ସୋ/ଗତ ସାଲେ ଦେଖିଥିଲି ଥିଲା ନିହାତି ସାନ/ ହସି କହିଲା ପଢ଼ୁଛି ସିଏ ‘ସାହିତ୍ୟ ସୋପାନ’ । ତା’ର ଲଘୁ ହାତରେ ସରଳ ହସ୍ତାକ୍ଷର/ଆଣିଲା ଡାକି ବର୍ଷା ଅବା ଅଦିନ ମେଘର ।’

(‘ଅଦିନ ମେଘ’- ପାଣ୍ତଲିପି)

ମାମା ରାତିରେ କୋଳରେ ଶୁଆଇ ରଙ୍ଗବତୀ କଥା କହେ- ସେ ଭାରି ସୁନ୍ଦରୀ ତ; ଗୋରା ତକତକ ତନୁପାତଳୀ ଝିଅ । ବଡ଼ହେଲେ ମୋ’ ବୋହୂ ରଙ୍ଗବତୀ କନ୍ୟା ପରି ହେବ । ମୁଁ କିରିକିରି ହେଇ ହସିଉଠେ । ଏ ସବୁ କଥା ମୁଁ ବଡ଼ ହେଲା ପରେ ମାମା ଓ ଖୁଡ଼ୀମାନଙ୍କ ମୁହଁରୁ ଶୁଣିଛି । ଛୁଆ ବେଳେ ମୁଁ କ’ଣ କରୁଥିଲି, ସେସବୁ କଥା ସେମାନେ ବେଳେ ବେଳେ କହି ବସନ୍ତି । ମୁଁ କଳ୍ପନା କରେ ରଙ୍ଗବତୀକୁ, ସେ କିପରି ହୋଇଥିବ !

ମାମା ମୋତେ ରଙ୍ଗବତୀ କଥା କହି ବାସ୍ତବତାଠାରୁ ଦୂରକୁ ନେଇଯିବାକୁ ଚେଷ୍ଟା କରୁଥିଲା । ମୁଁ ସ୍ୱପ୍ନ ଦେଖୁଥିଲି ଏକ ଗୋରୀ ସୁନ୍ଦରୀ ଝିଅର, ଯିଏ ତା’ର ସାପ ପରି ଲମ୍ୱ ବେଣୀକୁ ହଲାଇ କେବଳ ମୋତେ ହିଁ ଡାକୁଥିବ ଏବଂ ମୋପାଇଁ ଅପେକ୍ଷା କରି ବସିଥିବ । ବେଳେବେଳେ ପୁଣି ବିରୋଧାଭାସ ସୃଷ୍ଟି କରି ମାମା କହିବ, ରଙ୍ଗବତୀ ଏଇ ହାଣ୍ଡିଶାଳ ଘର ରୁଅ ପରି, ଯାହାର ଅର୍ଥ ତ୍ରିପଣ୍ଡ କାଳୀ । ପ୍ରତିବାଦ କରି ମୁଁ କହେ- ‘ନା, ନା ।’ ନୂଆଖୁଡ଼ୀ ଆସି ମୋ ପଟ ନେଇ କହିବେ- ‘ନାଇଁମ ବୁଢ଼ା ବୋହୂ ଶଙ୍ଖ ମଲମଲ ପ୍ରତିମା ପରି ତକତକ ଗୋରା ।’ ମୁଁ କିରିକିରି କରି ହସି ଉଠେ । ଏଇ ଦ୍ୱନ୍ଦ୍ୱ ଭିତରେ- ଏଇ କ’ଣ ହେବ, କ’ଣ ନାହିଁ ଭିତରେ କଟିଯାଏ ପିଲାଦିନ । ପିଲାଟା କ’ଣ ହୋଇପାରେ ଅପେକ୍ଷା ପିଲାଟା କ’ଣ ନହୋଇପାରେ, ଏଇ ପ୍ରଶ୍ନ ହିଁ ରହିବା ଉଚିତ୍‍ ସମସ୍ତଙ୍କ ତୁଣ୍ଡରେ । ତା’ର ଅଦୃଷ୍ଟର ତାଲିକା କିଏ ଅଟକଳ କରିପାରିବ ? କାଲି ସେ ଚନ୍ଦ୍ରଲୋକକୁ ଯାଇପାରେ ଏବଂ ସେଠାରେ ପୃଥିବୀର ଉଦୟ ଦେଖିପାରେ, କିମ୍ୱା ରସାତଳରେ ପଡ଼ିପାରେ । ତା’ର ଅଦୃଷ୍ଟର ରେଖାଗୁଡ଼ାକ ବଙ୍କାଟଙ୍କା ରେଳଲାଇନ୍‍ ପରି କୁଆଡ଼କୁ ଲମ୍ୱିଯାଇଛି । ସେ କେଉଁଆଡେ଼ ଯିବ, କେଉଁଠି ରହିବ, କିଏ କହିବ ? ତା’ର ସମ୍ଭାବନା ଯେପରି ବ୍ୟାପକ, ତା’ର ବିଡ଼ମ୍ୱନା ଓ ବଂଚନା ମଧ୍ୟ ସେତିକି ପ୍ରଖର ।’

ଜ୍ଞାନପୀଠ ବିଜେତା କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଆତ୍ମଜୀବନୀ ‘ଉତ୍ତର କକ୍ଷରୁ’ ଉଦ୍ଧୃତ ।

Odia Story Soumya Ranjan Patnaik Books Soumya Ranjan Patnaik Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଆଉରି ବରକୋଳି ନିଅ
Next Article ‘ଶୀତଦିନେ ହେଁସ ଘୋଡ଼ିହେଉ’
ସୌମ୍ୟ ରଞ୍ଜନ ପଟ୍ଟନାୟକ

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.