ଜଣେ ବଡ଼ ସାଧୁ ଥିଲେ । ଲୋକେ ତାଙ୍କୁ ଅବଧୂତ ବୋଲି ଡାକୁଥିଲେ । ଅବଧୂତଙ୍କର ବହୁତ ଗୁରୁ ଥିଲେ ଓ ଗୁରୁମାନଙ୍କ ପାଖରୁ ତାଙ୍କ ଶିକ୍ଷାଲାଭ କରିବାର ନିୟମ ଥିଲା ଅଦ୍ଭୁତ ।
ଦିନେ ବାଟରେ ଯିବାବେଳେ ଅବଧୂତ ଦେଖି ପାରିଲେ, ଢୋଲ ଢମାଲ ବଜାଇ ଖୁବ୍ ଜାକଜମକରେ ପଟୁଆର କରି ବର ଆସୁଚି । ଅନ୍ୟ ଆଡେ଼ ହାତରେ ଧନୁଶର ଧରି ଜଣେ ଶିକାରୀ ଗୋଟିଏ ପକ୍ଷୀ ଆଡ଼କୁ ଲକ୍ଷ୍ୟ କରୁଚି । ପକ୍ଷୀଟି ଗଛ ଉପରେ ବସିଥିଲା । ଏପରି ଢୋଲ ଢମାଲ ବଜାଇ ବର ଯାଉଚି, କିନ୍ତୁ ଶିକାରୀ ସେ ଆଡ଼କୁ ଚାହୁଁ ନାହିଁ ।
ଅବଧତୂ ସେଇ ବ୍ୟାଧକୁ ନମସ୍କାର କରି କହିଲେ, ତୁମେ ମୋ‘ର ଗୁରୁ । ଯେତେବେଳେ ଭଗବାନଙ୍କୁ ଧ୍ୟାନ କରବି, ସେତେବେଳେ ତାଙ୍କ ପ୍ରତି ମୋ‘ର ଏହିପରି ଲକ୍ଷ୍ୟ ରହିବ ।
ଆଉ ଦିନେ ଅବଧୂତ ଦେଖିଲେ, ଜଣେ ଲୋକ ପୋଖରୀରେ ବନିଶୀ ପକାଇ ମାଛ ଧରୁଚି । ଏହି ସମୟରେ ଜଣେ ବାଟୋଇ ଆସି ତାକୁ ପଚାରିଲେ, ଭାଇ! ରାମଗଞ୍ଜ ହାଟକୁ ଯିବାକୁ କେଉଁ ବାଟ ?
ଲୋକଟି ବାଟୋଇ କଥାର କୌଣସି ଉତ୍ତର ନ ଦେଇ ବନିଶୀ କଣ୍ଟାକୁ ଅନାଇ ରହିଲା । ମାଛ ପଡ଼ିବାରୁ ବନିଶୀକୁ ଉଠାଇ ଆଣି ପଛକୁ ଚାହିଁ ପଚାରିଲା, ହଁ ଆପଣ କ‘ଣ ପଚାରୁଥିଲେ ? ତା‘ପରେ ବାଟୋଇ ସଙ୍ଗେ ତା‘ର ଗପ ଜମିଗଲା । ତା‘ ଦେଖି ଅବଧୂତ ତାକୁ ପ୍ରଣାମ କରି କହିଲେ, ଆପଣ ମୋ‘ର ଗୁରୁ । ମୁଁ ଯେତେବେଳେ ଭଗବାନଙ୍କୁ ଧ୍ୟାନ କରିବାକୁ ବସିବି, ସେତେବେଳେ ସେ କାମ ଶେଷ ନ କରି ଅନ୍ୟ କୌଣସି ଦିଗରେ ମନ ଦେବି ନାହିଁ ।
ଥରେ ଗୋଟାଏ ଚିଲ ଖଣ୍ଡେ ମାଛ ଧରି ଉଡ଼ି ଯାଉଥିଲା । ତା‘ ଦେଖି ଶହ ଶହ କାଉ ଓ ଚିଲ ତା‘ ପଛ ଧରି ଗୋଡ଼ାଇଲେ । ତାକୁ ସେମାନେ ଥଣ୍ଟରେ କାମୁଡ଼ି ଅସ୍ତ ବ୍ୟସ୍ତ କରିଦେଇ ମାଛ ଖଣ୍ଡକ କାଢ଼ି ନେବାର ଚେଷ୍ଟା କଲେ । ସେ ଯୁଆଡେ଼ ଗଲା, କାଉ ଓ ଚିଲଯାକ ତା‘ ପଛେ ପଛେ ଚେଁ ଚେଁ ହୋଇ ଉଡ଼ିବାକୁ ଲାଗିଲେ । ଶେଷକୁ ବିରକ୍ତ ହୋଇଯାଇ ଚିଲଟା ମାଛ ଖଣ୍ଡକ ପକାଇ ଦେଲା । ସଂଗେ ସଂଗେ ଆଉ ଗୋଟିଏ ଚିଲ ଥିଲା, ମାଛ ଖଣ୍ଡକ ଧରି ଚମ୍ପଟ । କିନ୍ତୁ ସେ ଚିଲଟା ମଧ୍ୟ ଯାଏ କୁଆଡେ଼? ସବୁ କାଉ ଓ ଚିଲ ତା‘ର ପିଛା ଧରିଲେ । ପ୍ରଥମ ଚିଲଟା ଗୋଟାଏ ଗଛ ଡାଳରେ ଚୁପ୍ ଚାପ ବସି ରହିଲା ।
ଅବଧୂତ ଚିଲକୁ ନମସ୍କାର କରି କହିଲେ, ତୁମେ ମୋ‘ର ଗୁରୁ । ତୁମଠାରୁ ଶିଖିଲି ଏ ସଂସାରରେ ପଦ ବା ଉପାଧି ବଡ଼ ଭୟଙ୍କର ଜିନିଷ । ତାକୁ ଫିଙ୍ଗି ଦେଇ ପାରିଲେ ଶାନ୍ତି, ତା‘ ନ ହେଲେ ମହା ବିପଦ ।
ଦିନେ ଅବଧୂତ ଦେଖିଲେ, ଗୋଟାଏ ବଗ ଏକ ପୋଖରୀ କୂଳରେ ଚୁପ୍ ହୋଇ ଗୋଟାଏ ମାଛ ଆଡ଼କୁ ଚାହିଁ ଠିଆ ହୋଇଚି । ମାଛଟା ପାଖକୁ ଆସିଲେ ଖପ୍ କରି ଧରିନେବ । ଇଆଡେ଼ ଗୋଟାଏ ବ୍ୟାଧ ବଗକୁ ଲକ୍ଷ୍ୟକରି ରହିଚି । ବଗ ମାଛ ଆଡ଼କୁ ଏପରି ଭାବରେ ଏକ ଲୟରେ ଚାହିଁ ରହିଚି, ସେ ବ୍ୟାଧକୁ ଆଦୌ ଦେଖିପାରୁ ନାହିଁ ।
ଅବଧୂତ ବଗକୁ ନମସ୍କାର କରି କହିଲେ, ବାବା, ତୁମେ ମୋର ଗୁରୁ । ମୁଁ ଯେତେବେଳେ ଧ୍ୟାନରେ ବସିବି, ତୁମପରି ଯେପରି ଏକମନରେ ଧ୍ୟାନ କରିପାରେ !
ଅବଧୂତଙ୍କର ଆଉ ଜଣେ ଗୁରୁ ଥିଲା ମହୁମାଛି । ମହୁମାଛି ବହୁଦିନ ଧରି ବହୁ କଷ୍ଟରେ ମହୁ ସଞ୍ଚୟ କରେ । କୁଆଡ଼ୁ କେହି ଜଣେ ଆସି ମହୁଫେଣା ଭାଙ୍ଗି ମହୁ ନେଇ ଚାଲିଯାଏ । ଅନେକ କଷ୍ଟରେ ସଞ୍ଚିତ ଧନ ମହୁମାଛି ଭୋଗ କରିପାରେ ନାହିଁ ।
ତାକୁ ଦେଖି ଅବଧୂତ କହିଲେ, ମହୁମାଛି ମୋ‘ର ଗୁରୁ । ସଞ୍ଚୟ କଲେ ପରିଣାମ ଯେ କ‘ଣ ହୁଏ, ମହୁମାଛି ଠାରୁ ତା‘ ମୁଁ ଶିକ୍ଷାକଲି ।