ଏଇ ଘରେ ମୁଁ ଦିନେ ଭୂମିଷ୍ଠ ହୋଇଥିଲି । ମୋର ଜେଜୀ ମା’ ଅର୍ଥାତ୍ ଗୋପୀନାଥ ମହାନ୍ତିଙ୍କ ସ୍ତ୍ରୀଙ୍କଠାରୁ ଶୁଣିଛି ମୁଁ ଭୂମିଷ୍ଠ ହେବା ପରେ କେତେ ଘଡ଼ି କୁଆଡେ଼ କାନ୍ଦିଲି ନାହିଁ । ପରିସ୍ରା ବି ହେଲା ନାହିଁ । କାନ୍ଦବୋବାଳି ପଡ଼ିଗଲା । ଜେଜୀମା’ ମୋ କାନ ଢେର୍ ସମୟ ଧରି ଫୁଙ୍କିଲେ । ପାଟି ଆଁ କରି ଫୁଙ୍କୁଛନ୍ତି, ମୁଁ କୁଆଡେ଼ ହଠାତ୍ ଚର୍ଚର୍ କରି ତାଙ୍କ ପାଟି ଭିତରକୁ ମୂତିଦେଲି । କାନ୍ଦବୋବାଳି ଭୁଲି ଅନ୍ତୁଡ଼ି ଘରେ ଯେଉଁ ମାଇପେ ଥିଲେ, ସମସ୍ତେ ଖିଲି ଖିଲି ହସିଉଠି ବୁଢ଼ୀଙ୍କୁ ଚିଡେ଼ଇଲେ । ଆମ ଆଟୁ ଘରଟି କିନ୍ତୁ କ୍ୱଚିତ୍ ଫିଟାଯାଏ । ଆମ ଘରର ସବୁ ଦାମୀ ଜିନିଷପତ୍ର ସେଇ ଘରେ ବନ୍ଦ ହୋଇ ପଡ଼ିଥାଏ । ମୋ ଜେଜେବାପା ଆର୍ତ୍ତତ୍ରାଣ ମହାନ୍ତିଙ୍କ ମୃତ୍ୟୁ ପରଠାରୁ ସେ ଘରକୁ ଆଉ କେହି ବ୍ୟବହାର କରୁ ନଥିଲେ…
Author: ସୌମ୍ୟ ରଞ୍ଜନ ପଟ୍ଟନାୟକ
ଆମ ଘର ଅଳକା ନଈ କୂଳରେ । ଅଳକା ନଈ କାଠଯୋଡ଼ିର ଗୋଟିଏ ଆଡ଼ି ନଈ । ଦେବୀ ନଈ ଆମ ଘର ଦାଢ଼ରେ ଯାଇଛି । ଖରାଦିନେ ଅଳକା ନଈର ପାଣି ଲୁଣି ହୁଏ ଓ ବର୍ଷା ଦିନେ ପ୍ରବଳ ବଢ଼ି ଆସେ । ମୋର ଆଈମାନେ ଥଟ୍ଟା କରି ମୋତେ କହୁଥିଲେ ଯେ, ମୁଁ କୁଆଡେ ବଢ଼ି ବେଳେ ଗୋଟିଏ ମାଟି ହାଣ୍ଡି ଭିତରେ ଅଳକା ନଈରେ ଭାସି ଆସିିଥିଲି । ମୋ ବୋଉ ସେ ହାଣ୍ଡିଟିକୁ ଆଣି ଖୋଲି ଦେବାରୁ ମୋତେ ପାଇଗଲା । ଏକ ପକ୍ଷେ ଦେବୀ ନଈ, ଅନ୍ୟ ପକ୍ଷେ ଅଳକା ନଈ ପିଲା ଦିନେ ମୋତେ କେବଳ ବଢ଼ି ସହିତ ପରିଚୟ କରାଇ ନଥିଲା; ବନ୍ୟାପ୍ଳାବନ, ଘାଈଭଙ୍ଗା କ୍ଷତି ଓ ନଈ ପହଁରା ସହିତ ଚିହ୍ନା ପରିଚୟ କରାଇ ଦେଇଥିଲା । ପିଲାଦିନେ କୌତୂହଳ ସହିତ ମୁଁ ଗାଁ ପିଲାଙ୍କ ସାଙ୍ଗରେ ନଈରେ…
ଆମ ବଂଶରେ ଏକୋଇଶିଆ ହୁଏ ନାହିଁ । ତେଣୁ ନାମକରଣ ଓ ଅନ୍ନପ୍ରାଶନ ଏକା ସାଙ୍ଗରେ ହୁଏ । ମୋର ନାଆଁଟି ମୋର ଜେଜେବାପା ଓ ଜେଜେମାଆ ବାଛିଥିବେ ବୋଲି ଅନୁମାନ କରେ । ମୋର ବଡ଼ବାପାମାନଙ୍କର ପୁଅମାନଙ୍କ ନାମ ଆଗରୁ ପ୍ରଭାକର, ନିରାକାର, ବଂଶୀଧର ହୋଇଥିଲା । ଶ୍ରଦ୍ଧାକର ନାମଟି ଖାଣ୍ଟି ସମ୍ୱଲପୁରିଆ ନାମ । ଯେପରି ଦିବ୍ୟସିଂହ ନାମଟି ଖାଣ୍ଟି ପୁରିଆ ନାଆଁ, ଦଣ୍ଡପାଣି ଖାଣ୍ଟି ଗଞ୍ଜାମୀ ଓ ଲଡ଼ୁକେଶ୍ୱର ନାମ ନୟାଗଡ଼ ନିବାସୀର; ସେହିପରି ସମ୍ୱଲପୁରିଆ ନାମଟି ଶ୍ରଦ୍ଧାକର ବୋଲି ଚିହ୍ନେଇ ଦିଏ । ଏପରି ନାମ ସମ୍ୱଲପୁର ଜିଲ୍ଲା ବାହାରେ ପ୍ରାୟ ଚଳେ ନାହିଁ । ପୂର୍ବକାଳରେ ନାମକରଣ, ଅନ୍ନପ୍ରାଶନ ଆଦି ସଂସ୍କାରମାନଙ୍କରେ ଯେଉଁ ମର୍ଯ୍ୟାଦା ବା ମୂଲ୍ୟ ଥିଲା, ଆଜିକାଲି ଆଉ ତାହା ନାହିଁ । ଶୁଭଲଗ୍ନ ଦେଖି ପିଲାଙ୍କୁ ନବବସ୍ତ୍ର ପିନ୍ଧାଇ ପୁରୋହିତଙ୍କର ମନ୍ତ୍ରପାଠ ସହ ବନ୍ଧୁବାନ୍ଧବମାନଙ୍କ ଉପସ୍ଥିତିରେ ଭାତ ଖୁଆ ଓ…
ବେଳେବେଳେ ଲାଗେ, ମୋର ଆଦ୍ୟ ମୁଁ ଦେଖିପାରେ । ଟିକିଏ ଲମ୍ୱା, ସରୁ, ନାଲି ହୋଇ ଗୋଟିଏ ଉତିଆଣି ପିଲା, ହେଁସ ଉପରେ ପକା ହୋଇଥିବା କନା କତରା ଉପରେ ପଡ଼ି ପାଟି କରୁଛି ସେହି ଅବୋଧ୍ୟ ସେ ପୁରର ଭାଷାରେ, ସେ କି କାନ୍ଦଣା, କି ଉଲ୍ଲାସ, ଉଦ୍ଦେଶ୍ୟହୀନ କି ଉଦ୍ଦେଶ୍ୟପୂର୍ଣ୍ଣ ତା କିଏ ଜାଣେ! ମୋ ବୋଉର ମୁହଁ ମନେ ପଡ଼ୁଛି । ଗୋଲ ଆଉ ବଡ଼ ପୂରିଲ ପୂରିଲା; ଭୁବନେଶ୍ୱରର ଭୁବନେଶ୍ୱରୀ ଦେବୀ ମୂର୍ତ୍ତିି ପରି ଗଢ଼ଣ, ସେମିତି ବଳିଲା ବଳିଲା ଦେହ । ମନେପଡ଼ୁଛି, ତା’ ନାକ, ଓଠ, ଆଖି, କପାଳ, ତା ନୋଥ, ତା’ ଦଣ୍ଡୀ, ତା ନାଁ ବି ଦୁର୍ଗା-ଦୁର୍ଗାବତୀ । ବାପାଙ୍କ ମୁହଁର କେତେବେଳେ କେଉଁ ଠାର ମନେପଡ଼ିଲା ପରି ବିଶ୍ୱାସ ହୁଏ । ମୋତେ ବାରବର୍ଷ ହୋଇଥିଲା, ସେ ଗଲେ । ତାଙ୍କ ନାଁ ସୂର୍ଯ୍ୟମଣି । ମନେପଡ଼େ ବହୁତ…
ପିଲାଦିନେ ମିଞ୍ଜି ମିଞ୍ଜି ଲଣ୍ଠନ ଆଲୁଅରେ ମୁଁ ମାମା କୋଳରେ ଶୋଇପଡେ଼ । ମାମା ରଙ୍ଗବତୀ କନ୍ୟା କଥା, ରଜାପୁଅ କଥା, କଲରେଇ ବେଣ୍ଟ କଥା, ଜ୍ଞାନଦା ମାଲୁଣୀ କାକେତେ କାହାଣୀ କହେ । ଅଧ ରାତିରେ ମହାବଳ ବାଘ ଗର୍ଜନ ଶୁଣାଯାଏ ବେରେଣା ନଟାରୁ । କେବେକେବେ ଶୁଣାଯାଏ ଖୋରଧା ସହର ଉତ୍ତରପଟ, ବରୁଣେଇ ପାହାଡ଼ ଆଡ଼ୁ । ମାମା କହେ, ବାଘ ସେପଟ ଜଙ୍ଗଲରୁ ଏପଟ ଜଙ୍ଗଲକୁ ଆସୁଛି । ବାଘ ହେଣ୍ଟାଳ ଶୁଣାଯିବା ପରେ ମାଙ୍କଡ଼ମାନେ ଗଛ ଉପରେ ଖେଁ ଖେଁ କରି ଖେଙ୍କାରି ଉଠନ୍ତି; ବିଲୁଆମାନେ ବି ବିକଟାଳ ରଡ଼ି ଛାଡ଼ନ୍ତି । ଭୟରେ ମୋ ଦିହ ହେମାଳ ହୋଇଯାଏ । ମାମା ମତେ କୁଣ୍ଢାଇ ଶୁଆଇପକାଏ । ଆଜିକାଲି ଆଉ ଆମ ଗାଁ ଜଙ୍ଗଲରେ କି ଆଖପାଖ ଜଙ୍ଗଲରେ ବାଘରଡ଼ି ଶୁଣାଯାଏ ନାହିଁ । ବାଘ ଫାଗ କୁଆଡେ଼ ଗଲେଣି । ମୋ ପିଲାଦିନେ…
ମାମୁଙ୍କ ଘରର ଡାହାଣ ପଟ ପୋଖରୀ ସେପଟେ ଦୁଇଟି ବା ତିନିଟି କଣ୍ଡରା ଘର । କଣ୍ଡରା ସାହିକୁ ଆମ ପିଲାମାନଙ୍କର ଯିବାର ଗୋଟିଏ ବଡ଼ ଆକର୍ଷଣ ହେଲା ବରକୋଳି ଗଛ । ସେହି ଗଛଟି ପାଲୁଣୀ ମା’ ଘର ସାମନାରେ । କୋଳିଟାମାନ ଯେମିତି ବଡ଼ ବଡ଼, ସେଇ ତୁଳନାରେ ମିଠା । ପାଚିଲେ ଅତି ସୁଆଦିଆ ଲାଗେ । ଆମେ ଯାଉ ଖରାବେଳେ । ସେ ସମୟରେ ଛୁଆଁ ଅଛୁଆଁ ଭାବ ଅତି ଉତ୍କଟ ଥିବାରୁ ଗୋଟିଏ ଅସୁବିଧା ଆମପାଇଁ ଥାଏ । କୋଳିଟା ତଳେ ପଡ଼ିଗଲେ ଗୋଟାଇ ଖାଇବେ ନାହିଁ । କାରଣ କଣ୍ଡରା ଛୁଆଁ ପାଣି ହୁଏତ ସେଠି ପଡ଼ିିଥିବ କେତେବେଳେ । ଅଛୁଁଆ କଣ୍ଡରାଙ୍କ ଗୋଡ଼ ଧୂଳି ତ ନିଶ୍ଚୟ ପଡ଼ିିବ । ଗଛରେ ଚଢ଼ି ଯେତିକି କୋଳି ପାରିବ ସେତିକି ହିଁ ଖାଇବାର କଥା । ଗଛରେ ଚଢ଼ିବା ବୟସ ଅନ୍ନଦା, ବରଦା,…
ଠିକ୍ ପାଞ୍ଚ ବର୍ଷ ବୟସରେ ମୋର ବିଦ୍ୟାରମ୍ଭ ହୋଇଥିଲା । ସେତେବେଳେ ମୋର ଜେଜେବାପାଙ୍କର ଆଦେଶକ୍ରମେ ବୈଦିକ ରୀତି ଅନୁସାରେ କର୍ଣ୍ଣବେଧ ମଧ୍ୟ ହୋଇଥିଲା । ନରସିଂହ ମିଶ୍ର ନାମକ ଜଣେ ଶିକ୍ଷକ ମୋତେ ବର୍ଣ୍ଣବୋଧ ପଢ଼ାଇବାକୁ ଲାଗିଲେ । ଆମ ଗୃହର ଅଳ୍ପ ଦୂରରେ ଗୋଟିଏ ଉଚ୍ଚ ପ୍ରାଥମିକ ସ୍କୁଲ୍ (ଆଧୁନିକ ଶ୍ୟାମସୁନ୍ଦର ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)ରେ ମୋର ନାମ ଲେଖାହେଲା । ଶ୍ରୀ ନରସିଂହ ମିଶ୍ର ସେଇ ସ୍କୁଲ୍ର ଜଣେ ଶିକ୍ଷକ ଏବଂ ପ୍ରତ୍ୟହ ରାତି ଠିକ୍ ୭ଟା ବେଳେ ଆମ ଘରକୁ ଆସି ସେ ମୋତେ ଓ ମୋର ଜଣେ ଗରିବ ସାଙ୍ଗକୁ ପଢ଼ାଉଥାଆନ୍ତି । ଏଠାରେ ଗୋଟିଏ ଅତି କୌତୂହଳ ବିଷୟ ଉଲ୍ଲେଖ ନକରି ରହିପାରୁନାହିଁ । ଯେଉଁ ଗରିବ ଛାତ୍ରଟି ମୋ ସଙ୍ଗେ ପଢ଼ିବାକୁ ଆସନ୍ତି, ତାଙ୍କୁ ମାସିକ କିଛି କିଛି ପାରିଶ୍ରମିକ ଦିଆଯାଉଥିଲା । କେବଳ ସେତିକି ନୁହେଁ, ମୋର ଜେଜେ…
ବାପା ତ ସରକାରୀ ଚାକିରି କରୁଥିଲେ । ସେତେବେଳେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇ ନଥିଲା । ବଙ୍ଗଳା ଓ ବିହାର ସାଙ୍ଗରେ ରହୁଥିଲା । ବାପା ଯେଉଁଠି ଥିଲେ ବି ସେ ବେମାର ହେବା ଖବର ପାଇଲେ ବଡ଼ବାପା ତାଙ୍କୁ ପାଖକୁ ନେଇ ଆସନ୍ତି- ଚିକିତ୍ସା କରାଇ ଭଲ ହେଲେ ଛାଡ଼ନ୍ତି । ବାପାଙ୍କ ସାଙ୍ଗରେ ଆମେ ମଧ୍ୟ ଆସି ବଡ଼ବାପାଙ୍କ ଘରେ ରହୁ । ବର୍ତ୍ତମାନ ଯେ ଶୈଳବାଳା ମହିଳା କଲେଜ ହୋଇଛି, ସେଇଟା ବଡ଼ବାପାଙ୍କର ବାସଗୃହ ଥିଲା । ବାପା, ମା ଓ ଆମେ ଦୁଇ ଭଉଣୀ ସେଇଠି ରହୁ । ବଡ଼ବାପାଙ୍କ ଘରେ ମିସ୍ ଦାସ୍, ମିସ୍ ହାଜରା ଓ ଚନ୍ଦ୍ର ପ୍ରଭୃତି ଥାଆନ୍ତି । ବଡ଼ବାପାଙ୍କ ଘରେ ରହିଲାବେଳେ ମିସ୍ ଦାସ୍ ଆମ ଉପରେ ମୁରବିପଣିଆ କରନ୍ତି । ବାଥ୍ରୁମ୍ କିପରି ବ୍ୟବହାର କରିବାକୁ ହୁଏ, ଟେବୁଲ୍ରେ ଖାଇବା କାଇଦା ସବୁ ଶିଖାନ୍ତି ।…
ମୋର ଗୋସେଇଁ ବାପାଙ୍କର ଭାଇ ରଘୁନାଥ ପରିଜାଙ୍କ କଥା କହୁଚି । ତାଙ୍କର ସାନ ପୁଅ ସେପରି ଚତୁର ନଥିଲେ । ସେଥିପାଇଁ ସେ ଜଣେ ମାଟିବଂଶ ଅବଧାନଙ୍କୁ ଗ୍ରାମ୍ୟ ଶିକ୍ଷକ ରୂପେ ନିଯୁକ୍ତ କରି ଆମ ଘରେ ଗୋଟିଏ ପାଠଶାଳା ଖୋଲିଥିଲେ । ମୋର ଦାଦା, ମୁଁ ଓ ଗ୍ରାମର ବହୁ ପିଲା ଏହି ପାଠଶାଳାରେ ଯୋଗ ଦେଇଥିଲୁ । ଆମର କୌଣସି ସିଲଟ, କଲମ ନଥିଲା । ବାରଣ୍ଡା ଉପରେ ମୁଣ୍ଡା ଖଡ଼ିରେ ଲେଖି ଆମେ ଅକ୍ଷର ଶିକ୍ଷା କରୁଥିଲୁ । ଖଡ଼ିରେ ଗୋଟିଏ ଅକ୍ଷର ଲେଖି ତା’ ଉପରେ ଥରକୁ ଥର ଖଡ଼ି ବୁଲେଇବା ଫଳରେ ଅକ୍ଷର ଆପେ ମନେ ରହିଯାଉଥିଲା । ପ୍ରତ୍ୟେକ ଛାତ୍ର ଭାଗରେ ଗୋଟିଏ ବର୍ଗ ଗଜ ଜାଗା ପଡ଼ୁଥିଲା । ତା’ର ନାମ ପାହି । ଜଣେ ନିଜ ପାହି ଛାଡ଼ି ଅନ୍ୟ ପାହିରେ ପ୍ରବେଶ କରିବା ମନା । ଯେତେବେଳେ…
ପଣ୍ଡିତ ଗୋଦାବରୀଶ ମିଶ୍ର (୧୮୮୬-୧୯୫୬) ଆମ ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ୱିତୀୟ ଶିକ୍ଷକ ମାଧବ ମିଶ୍ର ରେ ମତେ କହିଲେ, ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିଗଲେ ମଣିଷରେ ଗଣା ହୁଅନ୍ତୁ । ମାତ୍ର ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ । କ’ଣ ପଢ଼଼ିଛୁ ? ବହିପତ୍ର କିଣିବୁ, ଖୋରାକ ଧରିବୁ, ପ୍ରବାସରେ ଯାଇ ରହିବୁ- ଏସବୁ କରିପାରିଲେ ସିନା ହବ । ଏ ତ ‘ଷାଠିଏ ପଉଟି ଘିଅ ହବ ନା ରାଧା ନାଚିବ’ । ବର୍ତ୍ତମାନ ମାଟ୍ରିକୁଲେସନ ପରୀକ୍ଷାର ନାମ ସେ ସମୟରେ ଏଣ୍ଟ୍ରାନ୍ସ ଥିଲା । ମୋ ପୂର୍ବରୁ ବାଣପୁରର ଷାଠିଏ ହଜାର ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍ସ ପାସ୍ କରିିଥିଲେ । ଏଣ୍ଟ୍ରାନ୍ସ ପାସ୍ କଲେ ଯେ ମନୁଷ୍ୟରେ ଗଣା ହୁଅନ୍ତି, ତାଙ୍କୁ ଦେଖିଲେ ଜଣାଯାଉଥିଲା । ତାଙ୍କ ଦ୍ୱାରେ ଶହ ଶହ ଲୋକ ରୁଣ୍ଡ ହୁଅନ୍ତି । ଦଶ…