ଏହି ଅଳି ଶ୍ରୀଛାମୁରେ ହେ ଦୀନବନ୍ଧୁ! ଏହି ଅଳି ଶ୍ରୀଛାମୁରେ । ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ ରହିଥାଉ ନିରନ୍ତରେ ।। ଦାନା କନା ପଛେ ମନା ହେଉ ମତେ ନୀଳଚକ୍ର ବାନା ଚାହିଁ । ସୁଖୀ ହେଉଥିବି ଅଖିଳ ପତି ହେ ନିର୍ଦ୍ଦୟ ହୋଇବ ନାହିଁ ।୧। ବାରମାସେ ତେର ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ । ସାଧୁ ସନ୍ଥଙ୍କର ବୋଲାଇ କିଙ୍କର ମାଗୁଥିବି ମାଧୁକରୀ ।୨। ଆନନ୍ଦ ବଜାରେ ବୁଲିଣ ମଜାରେ ଗାଉଥିବି ତୋର ନାମ । ତୋ ପ୍ରେମ ସାଗରେ ବୁଡ଼ି ଯାଉଥିବି ବୋଲି ହରେକୃଷ୍ଣ ନାମ ।୩। ଏଥିପାଇଁ କୁଳ ମୂଳ ହରାଇଛି ସାଥି କରି ତୋତେ ଏକା । ଦାସ ବନମାଳୀ ଦୋଷ ନ ଧରିବୁ ଗୋବର୍ଦ୍ଧନ ଗିରି ଟେକା ।୪।
Author: ବନମାଳୀ ଦାସ
ଆହେ ପ୍ରଭୁ କଳା ଶ୍ରୀମୁଖ । କାଳେ କାଳେ ମୋର ନଗଲା ଦୁଃଖ । କି ଅବା ଛାମୁରେ ଜଣାଇବି ମୁହିଁ ସାକ୍ଷାତେ ମୋ ଦୀନ ଅବସ୍ଥା ଦେଖ । ତେଣୁ ଶ୍ରୀଛାମୁକୁ ଯାଇ ନ ପାରଇ ଖଣ୍ଡିଏ ତ ମୋର ନ ଥାଇ ଭେକ । ୧। ସାଉଙ୍କ ଜଞ୍ଜାଳ କୁଟୁମ୍ବଙ୍କ ଗୋଳ ଅନ୍ତର ବେଦନା ସବୁ ଅଧିକ । କା ଆଗେ କହିବି କେ କଷ୍ଟ ଫେଡ଼ିବ ସଂସାରେ ମୋ ସରି ନାହିଁ ନିରେଖ ।୨। ମନ ମଧ୍ୟେ ମୋର ହରଷ ନ ଥାଇ ହୃଦୟ ମଧ୍ୟରେ ସଦା ବିମୁଖ । ଚଉବର୍ଗ ଦାନୀ ଆଶ୍ରେ କରି ମୁଁ ଯେ କାହିଁକି ଆଉ ନ ପାଇଲି ସୁଖ ।୩। ବାତ ଚକ୍ର ପ୍ରାୟେ ମନ ଭ୍ରମୁଥାଇ ଦଣ୍ଡେ ନ ରହଇ ତୁମ୍ଭର ପାଖ । କହେ ବନମାଳୀ ଶଙ୍ଖରେ ପୂରାଇ ଚକ୍ର ଉହାଡ଼ିଣ ଘୋଡ଼ାଇ ରଖ ।୪।
କୃଷ୍ଣ କେଶବ ହରି ମାଧବ ଦଇତାରି କଞ୍ଜନୟନ ପ୍ରଭୁ କୁଞ୍ଜବିହାରି ॥ଘୋଷା॥ ଗୋବିନ୍ଦ ନନ୍ଦବାଳ ବାସୁଦେବ ଦୁଲାଳ ବରଜସୁତମେଳ ବକାଅଇରି ଯଦୁକୁମୁଦଚନ୍ଦ୍ର ଜଗନ୍ନାଥ ଉପେନ୍ଦ୍ର ସାରଙ୍ଗଧାର ରସରାଜ ମୁରାରି ॥୧॥ ବାଳିଭ୍ରାତ-ମଇତ୍ର ମାଳୀ-ସୁଦାମା-ମୁକ୍ତ ଦରନାଶନ ଦାବାନଳଆହାରୀ ବିଷ୍ଣୁ ପରମାନନ୍ଦ ଆଦିକନ୍ଦ ସୁରେନ୍ଦ୍ର ବ୍ରହ୍ମାଣ୍ଡନାଥ ବଳିଦ୍ୱାର-ଭିକାରୀ ॥୨॥ ରୁଞ୍ଜଗୁଞ୍ଜମାଳିଆ ଆମ୍ବଜାମୁଡାଳିଆ କାଳିଦଳିଆ କୁଜସୁନ୍ଦରକାରୀ କେଳିପୁଚ୍ଛଚୂଳିଆ ଧେନୁବୃନ୍ଦଚାଳିଆ ନୀପମୂଳିଆ ବାଙ୍କ ମୁରଲୀଧାରୀ ॥୩॥ ସତ୍ୟସୁଖଦାୟକ ନିତ୍ୟସ୍ଥଳନାୟକ ଘେନିମା ଚିତ୍ତେ ମୋର ଏହି ଗୁହାରି ଭାବଇ ବନମାଳୀ ଏ ନାମ କଣ୍ଠେ ମାଳୀ କରି ମୋ ଜୀବ ଯିବ ସତେ ବାହାରି ॥୪॥
ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ । ବେଳକୁ ବେଳତ ପ୍ରବଳ ହେଉଛି ବିଜୁଳି ଯେସନେ ଘନେ । । ଅନାଥର ନାଥ ନୀଳଗିରି ନାଥ ଜଗନ୍ନାଥ ଲକ୍ଷ୍ମୀ ସାଇଁ । ଅରକ୍ଷିତକୁ ତ ରଖି ଦେଉନାହଁ ଭବଜଳରେ ଭସାଇ ।। ଆହେ ହରି ମୁହିଁ ସହି ନ ପାରଇ ଅନ୍ତର ବେଦନା ମାନ । ଯେଣୁ କହି ତୁମ୍ଭେ ଦୟା ନ କଲ ପ୍ରଭୁ ଆତଙ୍କନାଶନ ।। ଏଡେ ନିଷ୍ଠୁରତା ହେଲ ମୋହ ଭଳି ଦୁଃଖୀଜନ ହୀନଠାରେ । ହୀନଜନମାନେ ଗୁହାରି କରନ୍ତି ନ ଶୁଣ କି ତୁମ୍ଭେ ବାରେ ।। ପୋଡୁ ମୋ ଅଦୃଷ୍ଟ ଅନ୍ନ ବସ୍ତ୍ର କଷ୍ଟ ଏଡେ ବଡ ପ୍ରଭୁ ଥାଉଁ । ବନମାଳୀ ବୋଲେ ଚଞ୍ଚଳ ମୋ ମନ ପଦ୍ମପାଦେ ତୁମ୍ଭ ରହୁ ।।
ମଣିମା ହେ ଏତିକି ମାଗୁଣି ମୋର । ମରଣ କାଳରେ ଦରଶନ ଦେବ କଳାମୁଖ କଳାକାର ।। ମଥାରେ ଥିବ ମୋ ତୁମ୍ଭ ଛଡାମାଳ, ମୁଖରେ ଥିବ ତୁଳସି । ମନେ ମନେ ଭାଳି ସୁଖି ହେଉଥିବି ନିଳାଦ୍ରୀଶିଖର ବାସୀ ।। ମହାବାହୁ ଟେକା ଶ୍ୱେତ ପଦ୍ମ ଚକା ନୟନକୁ ନିତି ଚାହିଁ । ମଜ୍ଜାରେ ପୁଲକ ପୂରୁଥାଉ ରଙ୍କନିଧି ଦୁଃଖିଜନ ସାଇଁ ।। ମଙ୍ଗଳ ଆଳତି ଅବକାଶ କାଳେ ଗରୁଡ ପଛରେ ଥାଇ । ମୋହି ହେଉଥିବି ପ୍ରତି ନିଶାନ୍ତରେ ତୁମ୍ଭ ଗୁଣ ଗାଥା ଗାଇ ।। ମଞ୍ଜୁଳ ବଡସିଂହାର ବେଶ ଦେଖି ମାରୁଥିବି କକ୍ଷତାଳି । ମରୁଆ ଦୟଣା ମାଳିଆଙ୍କୁ ଏତେ ଅଳି କରେ ବନମାଳୀ ।।
ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି । ହେଲ କି ନିଷ୍ଠୁର ଚିତ୍ତ ନୀଳାଚଳେ ବିଜେ କରି ।। ଲକ୍ଷେ ଯୋଜନରେ ଗଜ ଡାକିଲା ହେ ଦେବରାଜ । ତା ଡାକକୁ ଚତୁର୍ଭୁଜ ଶୁଣିଛ ଶ୍ରବଣ ଡେରି ।। କୁରୁପତି ସଭାସ୍ଥଳେ ଦ୍ରୌପଦୀ ଆତଙ୍ଗ କାଳେ । କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜାରୁ କରିଛ ପାରି ।। ବଳବନ୍ତ ପ୍ରଭୁ ବୋଲି ବେଳେ ମୁଁ ଯେ ଆଶ୍ରା କଲି । ଦେଖୁ ଦେଖୁ ଭାସିଗଲି କେ ଏଥୁ କରିବ ପାରି ।। ରଖ ବା ନ ରଖ ମୋତେ ଶରଣ ତୋ ପାଦଗତେ । କହେ ବନମାଳୀ ଗୀତେ ବସିଅଛି ଧ୍ୟାନ କରି ।।
ଜୟ ଜଗନ୍ନାଥ ହେ ଯଶୋଦା କୁମର । ଶ୍ରୀମତି ଚିତ୍ତ-ଚାତକ ନୂତନ ଜଳଧର ।। ଶିରେ ଶିଖିପୁଚ୍ଛ ଚୂଡା ଗୁଚ୍ଛ କିଆପତ୍ର ବେଢା ସତୀଙ୍କ ବରତ ଛଡା ମୂରଲୀ ନଟବର । ନିତ୍ୟ ସତ୍ୟ ପୂର୍ଣ୍ଣାନନ୍ଦ ଗୋକୁଳ ରକ୍ଷଗୋବିନ୍ଦ ପାଦ ଅରବିନ୍ଦେ ଭକ୍ତ ଭ୍ରମର ନିକର । ଶେଷ ଯା ମହିମା ଲେଶ ନ କରି ପାରନ୍ତି ଶେଷ ଯା ନାମ ଜପି ମହେଶ ମୃତ୍ୟୁକୁ କଲେ ଦୂର । ଲବଣ ଜଳଧି ତଟ ନୀଳାଦ୍ରୀ ନାମ ପ୍ରକଟ କଳପ ବଟ ମୂଳେ କି ଲାଗିବ ନାବ ମୋର । କହେ ବନମାଲୀ ଦାସ ଶ୍ରୀଗୁରୁ ଚରଣେ ଆଶ ସତେ କ୍ଷେତ୍ରବୋସେ ଶେଷ ଜୀବନ ଯିବ ମୋର ।
ଜଗନ୍ନାଥ ହୋ କିଛି ମାଗୁନାହିଁ ମୁଁ ତୋତେ ଧନ ମାଗୁନାହିଁ ଜନ ମାଗୁନାହିଁ ମାଗୁଛି ଶରଧା ବାଲିରୁ ହାତେ ॥ଘୋଷା॥ ଆନ ଦରଶନ ନ ଲୋଡେ ନୟନ ଏକା ତୋହ ଦେଖା ବିନା ଶୁଣିବାକୁ କାନ ନ ଇଚ୍ଛଇ ଆନ ତୋହ ଚରିତେ କାମନା ॥୧॥ ରସନା ନ ବାଞ୍ଛେ ଗ୍ରାମ୍ୟଗୀତ ଗାଇ- ବାକୁ ରଜନୀ ଦିବସ ତୋହ ନାମାବଳୀ କେବଳ ଶଙ୍ଖାଳି ହୋଇଥାଉ ପୀତବାସ ॥୨॥ ନାସା ମୋର ତୃପ୍ତି ନ ଲଭଇ ଆନ ସୁବାସ ଦ୍ରବ୍ୟ ଆଘ୍ରାଣେ ତୋହ ଛଡ଼ା ମାଳ ତୁଳସୀ କୁସୁମ ଚନ୍ଦନ କର୍ପୂର ଧ୍ୟାନେ ॥୩॥ ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ ହରେକୃଷ୍ଣ ଜପୁଥାଉ ବୋଲେ ବନମାଳୀ ମୋ ବେନି ଚରଣ ତୋ ତୀର୍ଥ ଭ୍ରମଣେ ଯାଉ ॥୪॥
ମଣି ବିମାନେ ଗୋବିନ୍ଦ । ଚଉପାଶେ ଘେରିଛନ୍ତି ସହଚରୀ ବୃନ୍ଦ ।। ନିର୍ମଳ ଚନ୍ଦ୍ର ବଦନ ଆହା କି ପସନ୍ଦ । ତେରଛ ଚାହାଁଣି ତୁଲେ ହାସ ମନ୍ଦ ମନ୍ଦ ।୧। ସଙ୍ଗରେ ପଞ୍ଚପାଣ୍ଡବ ଲଭନ୍ତି ଆନନ୍ଦ । ପଟୁଆରୀ ନିଯୋଗେ ଗାଆନ୍ତି ଗୀତ ଛନ୍ଦ ।୨। ମନ୍ତ୍ରୀପଦେ ଲୋକନାଥ ଦେବ ସଦାନନ୍ଦ । କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ ।୩। ବଡ଼ଦାଣ୍ଡ ଉଛୁଳଇ ଗହଗହ ନାଦ । ଶଙ୍ଖଭେରୀ ତୂରୀ ଘଣ୍ଟା କାହାଳି ଶବଦ ।୪। ବୋଲେ ବନମାଳୀ ଧ୍ୟାୟୀ ଚରଣାରବିନ୍ଦ । ଚାପକୁ ବିଜୟେ ଆହା ଗୋପୀ-ହୃଦ-ଚାନ୍ଦ ।୫।
ସଙ୍ଗିନୀରେ ଚାହାଁ ବେଣୁପାଣିକି ଚିତ୍ତ ବିତ୍ତ ଚୋରା ଚିନ୍ତାମଣିକି ।ପଦ। ବକୁଳ ସେବତୀ ମଲ୍ଲୀ ନିଆଳୀ ଗଭା ନାନା କୁସୁମେ ମଣ୍ଡିତ ବାଙ୍କ ଟାହିଆ ତହିଁ ଖଞ୍ଜିଅଛି ରଙ୍ଗ ଜାମୁଡାଳି ସଙ୍ଗରେ ମୟୂର ଚନ୍ଦ୍ରିକା ପକ୍ଷୀ ।୧। ଭଲା ତାର ଯେଉଁ ନୟନ ଠାର ସେ କି ମାର ବୀର କାମ କୁଠାର ଭୂରୁ ବାଙ୍କ ଛୁରୀ ଚାଲିବା ଚାତୁରୀ ଚଉଦପୁରେ କେ ନ ଥିବେ ଦେଖି ।୨। ଧନ୍ୟ ତାର ଯେଉଁ ମୁରୁକି ହସା ସତେ କି ସେ ସୁଧା ନୀର ବରଷା ଚାହିଁଦେଲେ ଥରେ ଥରି ମନ୍ମଥରେ ଧଇର୍ଯ୍ୟ ଗୁମାନ କେ ପାରେ ରଖି ।୩। ଦାସ ବନମାଳୀ ବୋଲେ ଗୋ ଶୁଣ ଗୋପ ନନ୍ଦସୁତ ମୋହନ ଗୁଣ କୁଳବତୀ ବ୍ରତ କରିବାକୁ ହତ ନୂଆ ମଦନ ସେ ବରଜେଟିକି ।୪।