• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତି ଜାଗୃତି ଓ ପ୍ରଗତି»ଆଉ କେତେଦିନ ଭୋକିଲା ରହିବା
ଜାତି ଜାଗୃତି ଓ ପ୍ରଗତି

ଆଉ କେତେଦିନ ଭୋକିଲା ରହିବା

Subrat Kumar PrustyBy Subrat Kumar PrustyFebruary 13, 2020No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ସମଗ୍ର ବିଶ୍ୱରେ ଓଡ଼ିଶା ଆଜି ଦୁଇଟି ଘଟଣାକୁ ନେଇ ଚର୍ଚ୍ଚିତ । ଗୋଟିଏ ଭୋକ, ଅନ୍ୟଟି ଦଙ୍ଗା । ଭୋକ ଏ ମାଟିକୁ ଆସିଛି ଦେଢ଼ଶହ ବର୍ଷ ତଳୁ, ୧୮୬୬ ନଅଙ୍କ ଦୂର୍ଭିକ୍ଷଦ୍ୱାରା । ଆଉ ଦଙ୍ଗା ଆସିଛି ମାତ୍ର ପଚିଶ ବର୍ଷ ତଳୁ, ସ୍ୱାର୍ଥପର ବ୍ୟବସାୟୀ ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କ୍ୱାରା । ତେବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଓ ଭାରତ ସ୍ୱାଧୀନତାପ୍ରାପ୍ତି ପରେ ଏହି ଭୋକର ସୀମା ସଂକୁଚିତ ହୋଇ ବର୍ତ୍ତର୍ମାନ ଘନ ଜଙ୍ଗଲ ଘେରା ଅବିଭକ୍ତ କୋରାପୁଟ, ବଲାଙ୍ଗୀର ଓ କଳାହାଣ୍ଡି ବା କେବିକେ ଜିଲ୍ଲା ମଧ୍ୟରେ ସୀମିତ ହୋଇଥିବା ବେଳେ, ଦୂର୍ଭାଗ୍ୟବଶତଃ ଦଙ୍ଗା ଘଟଣା ମଧ୍ୟ ସେହି ଅଞ୍ଚଳରୁ ସୃଷ୍ଟି ହୋଇଛି । ଆଉ ଏହି ଦଙ୍ଗା ମଧ୍ୟ ଭୋକକୁ ନେଇ । ଅର୍ଥାତ୍ ‘ବୁଭୁକ୍ଷୁଂ କିମ୍ ନ କରୋତି ପାପଂ’-ନ୍ୟାୟରେ ଏହି ତିନୋଟି ଜିଲ୍ଲାର ସରଳ, ନିରୀହ ଅଥଚ ଏକବାଗିଆ ଅଧିବାସୀଗଣଙ୍କୁ ଶାଗୁଣା ପରି ଝୁଣି ଖାଇବାରେ ବ୍ୟସ୍ତ ଥିବା ତେଲୁଗୁ କୁମୁଟି, ମାରୱାଡି ଓ ଉପକୂଳ ଓଡ଼ିଶାରୁ ଯାଇଥିବା କେତେକ ଗୋତ୍ରମାରୁ ଓଡ଼ିଆଙ୍କ କୁଚକ୍ରାନ୍ତ ଯୋଗୁଁ ନିଜର ତଥା ନିଜ ପରିବାରର ପେଟଜ୍ୱାଳାକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ସେମାନଙ୍କ କଥାରେ ପରିଚାଳିତ ହୋଇ ଏମାନେ ନିଜନିଜ ଭିତରେ ହଣାକଟା ହେଉଛନ୍ତି । ଯାହାକୁ ସାଧାରଣ ଲୋକଙ୍କ ଦୃଷ୍ଟିରେ କନ୍ଧ-ପାଣ ଲଢ଼େଇ, ଧାର୍ମିକ ଠିକାଦାରଙ୍କ ଦୃଷ୍ଟିରେ ହିନ୍ଦୁ-ଖ୍ରୀଷ୍ଟିୟାନ ଦଙ୍ଗା, ସୁଯୋଗ ଉଣ୍ଡୁଥିବା ସାମ୍ୟବାଦୀଙ୍କ ଦୃଷ୍ଟିରେ ଧନୀ-ଗରୀବର ଦ୍ୱନ୍ଦ ବୋଲି କୁହାଯାଉଛି । ଏପରିକି ଏହି ଭୋକ ଦାଉରୁ ହାତଗଣତି କେତେକ ଲୋକଙ୍କୁ ପେଟପୁରା ମୁଠେ ଖାଇବାର ବନ୍ଦବୋସ୍ତ ନ କରି ଆମ ପ୍ରଧାନମନ୍ତ୍ରୀ ଏହାକୁ ଜାତୀୟ ଲଜ୍ଜା ବୋଲି ଘୋଷଣା କରିବାକୁ ପଛେଇଲେ ନାହିଁ । ଯଦି ମୁମ୍ବାଇ ବୋମା ବିସ୍ଫୋରଣ ଘଟି ନ ଥା’ନ୍ତା, ତେବେ ଆନ୍ତର୍ଜାତୀୟ ପ୍ରେକ୍ଷାପଟରୁ କନ୍ଧମାଳରେ ନିଆଁ ଲିଭି ନ ଥା’ନ୍ତା ।

ଏଠାରେ କହିବାର କଥା ହେଲା, କନ୍ଧମାଳର ଜାତିଗତ ଦଙ୍ଗାକୁ ନେଇ ଯେତେ ଚର୍ଚ୍ଚା ଦୀର୍ଘଦିନ ଧରି ଚାଲିଥିଲା ତଥା ଏବେ ମଧ୍ୟ ଚାଲିଛି, କନ୍ଧମାଳର ଅଧିବାସୀଙ୍କ ଭୋକକୁ ନେଇ ଯାହା ଗତ ଅକ୍ଟୋବର ମାସ ଶେଷ ସପ୍ତାହରେ ଜାତିସଂଘ ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମ ଓ ନୂଆଦିଲ୍ଲୀସ୍ଥିତ ମାନବ ବିକାଶ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ସେ ସଂପର୍କରେ କେହି ଜଣେ ହେଲେ ପଦେ ପାଟି ଫିଟାଇନାହାନ୍ତି । ଅର୍ଥାତ୍ ଜାତିକୁ ନେଇ ସମସ୍ତେ ଚିନ୍ତିତ ଅଥଚ ଭୋକରେ ଡହଳବିକଳ ହେଉଥିବା ମଣିଷପାଇଁ କେହି ପଦେ ଆହା କହିବାକୁ ଆଗ୍ରହୀ ନୁହନ୍ତି ।

ଜାତିସଂଘର ସଦ୍ୟ ପ୍ରସ୍ତୁତ ରିପୋର୍ଟ ଅନୁସାରେ ବିଶ୍ୱର ଖାଦ୍ୟାଭାବ ଅଞ୍ଚଳ ବା ଭୋକର ଭୂଗୋଳ ଭାବରେ ଓଡ଼ିଶାର ୪ଟି ଜିଲ୍ଲା- ମାଲକାନଗିରି, ଗଜପତି, ରାୟଗଡ଼ା ଓ କନ୍ଧମାଳକୁ ଚିହ୍ନିତ କରାଯାଇଛି । ଖାଦ୍ୟ ଉପଲବ୍ଧି ଦୃଷ୍ଟିରୁ କନ୍ଧମାଳ ଜିଲ୍ଲା ସବୁଠାରୁ ପଛରେ । ଏଠାରେ ଶସ୍ୟକ୍ଷେତ୍ର କମ୍ ଥିବାବେଳେ ମାତ୍ର ୧୩.୫% କୃଷି ଜମି ଜଳସେଚିତ । ଏହି ଜିଲ୍ଲାର ମୁଣ୍ଡପିଛା ବାର୍ଷିକ ଶସ୍ୟ ଉତ୍ପାଦନ ୯୦୦ଟଙ୍କାରୁ କମ୍ । ଓଡ଼ିଶାରେ ୫ବର୍ଷରୁ କମ୍ ଶିଶୁମୃତ୍ୟୁ ପ୍ରତି ୧୦୦ରେ ୯ ଜଣ ବା ପ୍ରତି ୧୧ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରୁଥିବା ବେଳେ ଏହି ୪ଟି ଜିଲ୍ଲାରେ ଶିଶୁମୃତ୍ୟୁହାର ୧୦୦ରୁ ୧୬ ଜଣ ଅର୍ଥାତ୍ ପ୍ରତି ୬ ଜଣରେ ଜଣେ ଶିଶୁ ମରୁଛନ୍ତି । ଯେଉଁ ଶିଶୁଗଣ ବର୍ତ୍ତି ଯାଉଛନ୍ତି ସେମାନେ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଉ ନ ଥିବାରୁ ଏମାନେ ଅଳ୍ପ ଓଜନ ବିଶିଷ୍ଟ ଓ ଭୟଙ୍କର ରୋଗରେ ପୀଡ଼ିତ । ଏହିସବୁ ଜିଲ୍ଲାମାନଙ୍କରେ ମୁଣ୍ଡପିଛା ମାସିକ ଖର୍ଚ୍ଚ ୨୫୦ ଟଙ୍କାରୁ କମ୍ । ଶ୍ରମିକମାନେ ଏଠାରେ ୩୦ ଟଙ୍କାରୁ ମଧ୍ୟ କମ୍ ମଜୁରି ପାଇଥାନ୍ତି । ତଥାପି ଏମାନେ ଦାଦନ ଖଟିବାକୁ ବାଧ୍ୟ ହୁଅନ୍ତି । ଏହି ଜିଲ୍ଲାଗୁଡ଼ିକରେ ୨୦% ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିଥାଏ । ପରେ ଉତ୍କଟ ଖାଦ୍ୟାଭାବ ସହିତ ପାନୀୟ ଜଳର ବ୍ୟାପକ ଅଭାବ ଏବଂ ଚିକିତ୍ସାର ଅଭାବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି ପାଉଥିବା ବେଳେ ପୂର୍ବରୁ ଅତିକ୍ଷୁଧା ଅଞ୍ଚଳ ଭାବରେ ଚିହ୍ନିତ କୋରାପୁଟ-ବଲାଙ୍ଗୀର-କଳାହାଣ୍ଡି ସହିତ ଏଥର ଦୁଇଟି ନୂଆଜିଲ୍ଲା- ଗଜପତି ଓ କନ୍ଧମାଳକୁ ଯୋଗ କରାଯାଇଛି । ଅର୍ଥାତ୍ ଓଡ଼ିଶାର ପ୍ରଗତି ହୋଇଛି ବୋଲି ବାହାରକୁ ଜଣାପଡୁଥିବା ବେଳେ ଏହାର ସୁଫଳ ଯେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚି ପାରୁନାହିଁ, ତାହା ‘ଭୋକର ଭୁଗୋଳ’ ପରିସୀମା ବୃଦ୍ଧିରୁ ଜଣାପଡ଼େ । ଏହି ୪ଟି ଜିଲ୍ଲା ସହିତ ଅନ୍ୟ ୧୪ଟି ଜିଲ୍ଲା-ନୂଆପଡ଼ା, କୋରାପୁଟ, କଳାହାଣ୍ଡି, ବୌଦ୍ଧ, ନବରଙ୍ଗପୁର, ଗଞ୍ଜାମ, ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ସୋନପୁର, ବରଗଡ଼, ସମ୍ବଲପୁର, ବଲାଙ୍ଗୀରର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିବାରୁ ଏଠାରେ ଅଗ୍ରାଧିକାର ଭିତ୍ତିରେ ଯଦି ପ୍ରଶାସନିକ ହସ୍ତକ୍ଷେପ କରା ନ ଯାଏ, ପରବର୍ତ୍ତୀକାଳରେ ଓଡ଼ିଶାରେ କ୍ଷୁଧିତଙ୍କ ସଂଖ୍ୟା ଓ ଅଞ୍ଚଳର ପରିସୀମା ନିଶ୍ଚିତ ଭାବରେ ବୃଦ୍ଧି ପାଇବ ବୋଲି ଉକ୍ତ ସଂସ୍ଥା ପକ୍ଷରୁ ସତର୍କ କରିଦିଆଯାଇଛି ।

କେବଳ ସେତିକି ନୁହେଁ, ଏହି ସମସ୍ୟା ସମଗ୍ର ଭାରତବର୍ଷରେ ବ୍ୟାପକ ରୂପ ଧାରଣ କରିସାରିଲାଣି । ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (ଆଇ.ଏଫ୍.ପି.ଆର.ଆଇ) ଦ୍ୱାରା ବିଶ୍ୱ ଖାଦ୍ୟ ଦିବସ (ଅକ୍ଟୋବର ୧୬) ଅବସରରେ ପ୍ରକାଶିତ କ୍ଷୁଧା ତାଲିକା ଅନୁସାରେ ବିଶ୍ୱର ୮୮ଟି କ୍ଷୁଧିତ ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ହେଉଛି ୬୬ । ବିଶ୍ୱର ଅନେକ ଅନାମଧ୍ୟେୟ ଓ ଦରିଦ୍ର ଦେଶ ଏ କ୍ଷେତ୍ରରେ ଭାରତଠାରୁ ବହୁ ଉପରେ ରହିଛନ୍ତି । କୃଷି ଉତ୍ପାଦନରେ ଭାରତର ଏକ ନମ୍ବର ରାଜ୍ୟ ପଞ୍ଜାବର କ୍ଷୁଧାସ୍ତର ଭିଏତନାମ ଓ ହଣ୍ଡୁରାସ ଭଳି ଅନଗ୍ରସର ରାଷ୍ଟ୍ରଠାରୁ ତଳେ ରହିଛି । ଭାରତୀୟ ରାଜ୍ୟ ସମୂହଙ୍କର କ୍ଷୁଧା ତାଲିକାରେ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ଗୁଜୁରାଟ ଓ ମହାରାଷ୍ଟ୍ର ପ୍ରଥମରୁ କ୍ରମାନ୍ୱୟରେ ସ୍ଥାନ ପାଇଥିବାବେଳେ, ଓଡ଼ିଶା ସପ୍ତମରେ ରହିଛି । ମଧ୍ୟପ୍ରଦେଶର କ୍ଷୁଧାସ୍ତର ୩୦ ଥିବାବେଳେ ଓଡ଼ିଶାରେ ଏହା ୨୩.୭ । ସେହିଭଳି କମ୍ କ୍ଷୁଧିତ ତାଲିକାରେ ପଞ୍ଜାବ (୧୩.୬) ପ୍ରଥମ ସ୍ଥାନରେ ଥିବାବେଳେ କେରଳ, ହରିୟାଣା, ଆସାମ, ଆନ୍ଧ୍ର, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ କ୍ରମାନ୍ୱୟରେ ଅଛନ୍ତି । ଖାଦ୍ୟ ଉତ୍ପାଦନ ଓ ଭୋଜନ ସୂଚୀ (ଜାତୀୟ) ଅନୁସାରେ ଭାରତର ପ୍ରଦର୍ଶନ ଭିନ୍ନ । ବିଭିନ୍ନ ରାଜ୍ୟରେ ଖାଦ୍ୟ ଉତ୍ପାଦନ ହାର ସମାନ ନ ଥିଲେ ମଧ୍ୟ ଅଧିକାଂଶ ପ୍ରଦେଶ ଖାଦ୍ୟଶସ୍ୟରେ ଆତ୍ମନିର୍ଭରଶୀଳ । ଦେଶ ମଧ୍ୟ ଗତବର୍ଷ ପର୍ଯ୍ୟନ୍ତ ଏ କ୍ଷେତ୍ରରେ ଏକପ୍ରକାର ଆତ୍ମନିର୍ଭରଶୀଳ ଥିଲା । ତେବେ ବଜାରରେ ଖାଦ୍ୟଶସ୍ୟ ମିଳିଲେ ଯେ ସବୁଲୋକଙ୍କ ପେଟ ପୂରିବ, ଏହାର କୌଣସି ନିଶ୍ଚିନ୍ତତା ନାହିଁ । ଲୋକଙ୍କର କ୍ରୟଶକ୍ତି ଉପରେ ସବୁକିଛି ନିର୍ଭର କରୁଛି । ତେଣୁ ଯାହାର ରୋଜଗାର ନାହିଁ ସେ ଭୋକରେ ରହିବ । ଅବଶ୍ୟ ଓଡ଼ିଶା ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଦୁଇଟଙ୍କିଆ ଚାଉଳ ଯୋଗାଇ ଦେଉଛନ୍ତି । ଏହା ସତ୍ତ୍ୱେ କ୍ଷୁଧା ବୃଦ୍ଧି ଏହି ରାଜ୍ୟର ପ୍ରକୃତ ସ୍ଥିତିକୁ ସୂଚାଇ ଦେଇଛି ।

ଆଇ.ଏଫ୍.ପି.ଆର୍.ଆଇ ପକ୍ଷରୁ ଶିଶୁଙ୍କ ଓଜନ, ଶିଶୁ ମୃତ୍ୟୁହାର ଓ ସେମାନଙ୍କ ଖାଦ୍ୟ କ୍ୟାଲୋରୀ ଗ୍ରହଣକୁ ନେଇ ପ୍ରସ୍ତୁତ ହୋଇଛି । ଯେଉଁ ରାଜ୍ୟରେ ଶିଶୁ ମୃତ୍ୟୁହାର ଅଧିକ, ଯେଉଁଠି ଶିଶୁମାନେ ସ୍ୱାଭାବିକ ଓଜନଠାରୁ କମ୍ ଏବଂ ଯେଉଁ ପରିମାଣର କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା କଥା, ତା’ଠାରୁ କମ୍ ଖାଉଛନ୍ତି ସେଠାକାର କ୍ଷୁଧା ତାଲିକା ସେତେ ଖରାପ । ତେବେ କ୍ଷୁଧା ତାଲିକାରେ ଦରିଦ୍ର ଓ ଅନଗ୍ରସର ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଭଳି କେତେକ ରାଜ୍ୟ ଉପରେ ରହିଥିଲେ କାହାରି ସନ୍ଦେହ ହୋଇ ନ ଥାନ୍ତା । ବିଡ଼ମ୍ବନା ହେଉଛି ସମୃଦ୍ଧ ଗୁଜରାଟ ଓ ମହାରାଷ୍ଟ୍ରଠାରୁ ଏସବୁ ରାଜ୍ୟ ଉପରେ ଅଛନ୍ତି । କ୍ଷୁଧାଭାବର ଯେଉଁ ବର୍ଗୀକରଣ ହୋଇଛି, ସେଥିରେ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶ ଆଦି ୧୨ଟି ରାଜ୍ୟ ବିପଜ୍ଜନକ ବର୍ଗରେ ରହିଥିବା ବେଳେ ପଞ୍ଜାବ, କେରଳ, ହରିୟାଣା ଓ ଆସାମ ଗୁରୁତର ବର୍ଗରେ ଅଛନ୍ତି । କେବଳ ମଧ୍ୟପ୍ରଦେଶକୁ ଅତି ଉଦ‌ବେଗଜନକ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଦେଖିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଦ୍ୱାରା ଦୀର୍ଘକାଳ ଧରି ଚାଲୁଥିବା ମହିଳା ଓ ଶିଶୁକଲ୍ୟାଣ ତଥା ଅନ୍ୟାନ୍ୟ ମଙ୍ଗଳକାରୀ କାର୍ଯ୍ୟକ୍ରମର ସଫଳତା ଘେନି ସଂଶୟ ସୃଷ୍ଟି ହେଲାଣି । ଏହି ରିପୋର୍ଟ ଅନୁସାରେ ଭାରତରେ କ୍ଷୁଧା, ଶିଶୁ ମୃତ୍ୟୁହାର ଓ ଅପୁଷ୍ଟି ଆଫ୍ରିକାର ସାହାରା ମରୁଭୂମି ସଂଲଗ୍ନ ଅନଗ୍ରସର ରାଷ୍ଟ୍ରଙ୍କଠାରୁ ଅଧିକ । ଏହା ଆମ ସମୃଦ୍ଧ ଭାରତର ଛବିକୁ ଉପହାସ କରି ଆମ ଦେଶର ଯୋଜନାକାର ଓ ନୀତି ନିର୍ଦ୍ଧାରକଙ୍କପାଇଁ ଏହା ଉପରେ ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି ।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶାରେ ଯେଉଁ ଭୋକିଲାଙ୍କ ସଂଖ୍ୟା ବୃଦ୍ଧି ପାଉଛି, ତାହା କେତେକ ଶୋଷକ ବର୍ଗଙ୍କ ଚକ୍ରାନ୍ତ ଯୋଗୁଁ । କୃତ୍ରିମ କର୍ମନିଯୁକ୍ତିର ଅଭାବ ସୃଷ୍ଟି କିମ୍ବା ସରଳ ଅଥଚ ଗରିବ ଗ୍ରାମୀଣ ଆଦିବାସୀ ଓ ଦଳିତବର୍ଗଙ୍କୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ପ୍ରଥା, ପରମ୍ପରା ଓ ଅନ୍ଧବିଶ୍ୱାସ ମଧ୍ୟରେ ଛନ୍ଦି ଦେଇ, ଆର୍ଥିକ ଶୋଷଣର ବାଟ ମୁକୁଳା କରି ସେମାନଙ୍କୁ ସର୍ବସ୍ୱାନ୍ତ କରିଦେଇଛନ୍ତି । ପରେ ଜାତିର ଦ୍ୱାହିଦେଇ ସେହି ଗରିବ-ଗରିବ ମଧ୍ୟରେ ଲଢ଼େଇ କରି ସମୁଳେ ଧ୍ୱଂସ କରିବା ପରେ ସେମାନଙ୍କ ଜମିବାଡିକୁ ସହଜରେ ଦଖଲ କରିବାର କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ଶିକ୍ଷାଠାରୁ ଦୂରରେ ଥିବା ଏହି ସାଧାରଣବର୍ଗ ପେଟପାଇଁ ଖାଦ୍ୟ ଯୋଗାଡ଼ରେ ବ୍ୟସ୍ତ ଥିବାବେଳେ, ଏସବୁ ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସମସ୍ତ ଅନୁକୂଳ ସୁବିଧା ଥିଲେ ମଧ୍ୟ ଦାରିଦ୍ର୍ୟ ଆଉ କ୍ଷୁଧା ବୃଦ୍ଧି ପାଉଛି ।

ତେଣୁ ଏବେଠାରୁ ଯଦି ଆମେ ସଚେତନ ନ ରହିବା, କନ୍ଧମାଳପରି ଦଙ୍ଗା ଯେ ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ, ତାହା କିଏ କହିବ!

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଭାଷା ପ୍ରତିଷ୍ଠାନର ଗତି କୁଆଡ଼େ?
Next Article ଫକୀରମୋହନ, ମଧୁସୂନ ଓ ବିଜୁବାବୁ ଆଉଥରେ ଜନ୍ମ ହୁଅନ୍ତେ କି?
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.