ଆସାମର ଭୌଗଳିକ ଅବସ୍ଥିତି, ଏହାର ଭାଷା, ଧର୍ମ, ଆଚାର, ବିଚାର, ଖାଦ୍ୟ, ପୋଷାକ ଆଦିକୁ ପ୍ରଭାବିତ କରିଛି । ପୂର୍ବରୁ ପାହାଡ଼ ମଧ୍ୟରେ ଥିବା ଗିରିପଥ ଦେଇ ବର୍ମା, ତିବ୍ବତ, ଭୁଟାନ ଓ ଚୀନ ସହିତ ଯୋଗାଯୋଗ ରହି ଆସିଥିଲା । ବ୍ରହ୍ମପୁତ୍ରନଦୀ ଆସାମ ମଧ୍ୟରେ ପ୍ରବାହିତ ହୋଇ ଇଜିପ୍ଟର ନୀଳନଦୀ ପରି ବହୁ ପ୍ରକାରେ ସାହାଯ୍ୟ କରି ଆସିଛି । ବଙ୍ଗ ବ୍ୟତୀତ ଭାରତର ଅନ୍ୟାନ୍ୟ ଅଞ୍ଛଳ ସହିତ ସମ୍ପର୍କ ସ୍ଥାପନରେ ଏହା ସହାୟକ ହୋଇଛି । ଆସାମର ଇତିହାସ ଓ ସଂସ୍କୃତିକୁ ଏହି ନଦୀ ସବୁପ୍ରକାର ପ୍ରଭାବିତ କରିଛି । ଏହି ଆସାମର ପୂର୍ବ ଭାଗରେ ଥିବା ଭୂମିକୁ ଶସ୍ୟଶ୍ୟାମଳା କରିଛି । ଏହାର ପ୍ରକୃତିକ ସମୃଦ୍ଧି ଓ ପ୍ରାଚୁର୍ଯ୍ୟ ବହୁ ଜାତି, ବହୁ ସମ୍ପ୍ରଦାୟକୁ ଆକର୍ଷଣ କରିଛି । କଳା, ସାହିତ୍ୟ, ଗୀତ, ନୃତ୍ୟ ବହୁ ପ୍ରକାରେ ଉନ୍ନତ ହୋଇପାରିଛି ।
ଆସାମର ଭାଷା ସଂସ୍କୃତ ଭାଷାରୁ ୭ମ ଶତାବ୍ଦୀରେ ଜନ୍ମ ନେଇଥିଲା । ‘ମାଗଧି‘ ଉପଭାଷା ସହିତ ଏହାର ସମ୍ପର୍କ ଘନିଷ୍ଠ । ଭାଷାବିଦ୍ ସାହେବ ଗ୍ରିୟରସନ୍ଙ୍କ ମତରେ ମାଗଧି ଏକ ପ୍ରଧାନ ଉପଭାଷା ଏବଂ ପୂର୍ବାଞ୍ଚଳରେ ପ୍ରାକୃତ ଭାଷା ପରି ବ୍ୟବହୃତ ହେଉଥିଲା । ଏଥିରୁ ମଧ୍ୟ ବଙ୍ଗଳା ଓ ଓଡ଼ିଆ ଭାଷାର ଜନ୍ମ । ୭ମ ଶତାଭୀର ପ୍ରଥମ ଭାଗରେ ଆସାମର ରାଜା ଭାସ୍କର ବର୍ମନଙ୍କ ନିମନ୍ତ୍ରଣ ପାଇ ପ୍ରସିଦ୍ଧ ଚୀନ୍ ପରିବ୍ରାଜକ ହୁଏନ୍ସାଂ ଆସିଥିଲେ । ତାଙ୍କ ବିବରଣୀରୁ ଆସାମ ସମ୍ପର୍କରେ ବହୁ କଥା ଜଣାପଡ଼ିଥାଏ । ତାଙ୍କ ମତରେ କାମରୂପରେ ମଧ୍ୟ ଏକ ସ୍ୱତନ୍ତ୍ର ଭାଷା ପ୍ରଚଳିତ ଥିଲା । ସେତେବେଳକୁ ଆର୍ଯ୍ୟ ସଂସ୍କୃତିର ପ୍ରଭାବ ଆସାମ ଉପରେ ପଡ଼ି ସାରିଥିଲା । ୭ମରୁ ୧୨ ଶ ଶତାବ୍ଦୀ ମଧ୍ୟରେ ବୌଦ୍ଧ ସନ୍ୟାସୀ ସିଦ୍ଧାଚାର୍ଯ୍ୟଙ୍କ ରଚିତ ବହୁ କବିତା ଚର୍ଯ୍ୟା ଓ ଦୋହା ନାମରେ ବିଖ୍ୟାତ ହୋଇଛି । ତାହା ଆସାମ ଭାଷାର ଆଦିରୂପ ବୋଲି ପଣ୍ଡିତମାନେ କହନ୍ତି । ବହୁ ଭାଷା ଓ ଉପଭାଷାର ପ୍ରଭାବରେ ପ୍ରଭାବିତ ହୋଇ ଆଜି ତାହା ଏହି ଅବସ୍ଥାରେ ପହଞ୍ଚିଛି ।