ଶ୍ରୀକୃଷ୍ଣଙ୍କର ପ୍ରିୟ ସଖା ଅର୍ଜୁନଙ୍କ ହୃଦୟରେ ଥରେ ଗର୍ବ ପ୍ରବେଶ କଲା । ଅର୍ଜୁନ ଭାବିଲେ, ତାଙ୍କର ପ୍ରଭୁ ଓ ସଖାଙ୍କ ପ୍ରତି ଭକ୍ତି ଓ ପ୍ରେମରେ ତାଙ୍କ ସହିତ କେହି ସମାନ ହୋଇ ପାରିବେ ନାହିଁ । ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ସଖାଙ୍କ ହୃଦୟର ଭାବ ଜାଣି ତାଙ୍କୁ ଭ୍ରମଣ ଉଦ୍ଦେଶ୍ୟରେ ସଙ୍ଗରେ ଡାକି ନେଲେ । ସେମାନେ ବେଶୀ ଦୂର ଯାଇ ନାହାନ୍ତି, ଅର୍ଜୁନ ଦେଖିଲେ ଜଣେ ଅଚିହ୍ନା ବ୍ରାହ୍ମଣ ଶୁଖିଲା ଘାସ ଖାଇବାରେ ଲାଗିଛନ୍ତି; କିନ୍ତୁ ତାଙ୍କର ଅଣ୍ଟାରେ ଗୋଟିଏ ଖଣ୍ଡା ଝୁଲୁଛି । ଅର୍ଜୁନ ସଙ୍ଗେ ସଙ୍ଗେ ବୁଝିପାରିଲେ, ସେ ବ୍ରାହ୍ମଣ ହେଉଛନ୍ତି ଜଣେ ପବିତ୍ର ଧର୍ମପ୍ରାଣ ବ୍ୟକ୍ତି ଓ ବିଷ୍ଣୁଙ୍କର ଭକ୍ତ । କୌଣସି ଜୀବକୁ ଆଘାତ ନ ଦେବା ତାଙ୍କର ଶ୍ରେଷ୍ଠ ଧାର୍ମିକ କର୍ତ୍ତବ୍ୟ । ଯେଣୁ ଘାସର ମଧ୍ୟ ଜୀବନ ଅଛି, ସେ ଜିଅନ୍ତା ଘାସକୁ ଛାଡ଼ି ଶୁଖିଲା ଘାସ ଖାଇ ଜୀବନ ଧାରଣ କରୁଛନ୍ତି । ତଥାପି ତାଙ୍କ ପାଖରେ ଖଣ୍ଡାଟିଏ ରହିଚି । ଅର୍ଜୁନ ଏହି ଅସଙ୍ଗତ ଘଟଣା ଦେଖି ଶ୍ରୀକୃଷ୍ଣଙ୍କ ଆଡ଼କୁ ଚାହିଁ କହିଲେ, “ଏହାର ଅର୍ଥ କ‘ଣ ? ଏ ଲୋକଟି ଘାସଠାରୁ ଆରମ୍ଭ କରି କୌଣସି ଜୀବର କ୍ଷତି କରିବା ଚିନ୍ତା ତ୍ୟାଗ କରି ଦେଇଚି, ତଥାପି ମୃତ୍ୟୁ ଓ ଘୃଣାର ଚିହ୍ନ ଏକ ତରବାରି ପାଖରେ ରଖିଚି!”
ଭଗବାନ ଉତ୍ତର ଦେଲେ “ତୁମେ ନିଜେ ବରଂ ଯାଇ ସେ ଲୋକକୁ ଏହା ପଚାରିବା ଉଚିତ ହେବ ।“
ତା‘ପରେ ବ୍ରାହ୍ମଣଙ୍କ ପାଖରେ ଅର୍ଜୁନ ପହଞ୍ଚି ତାଙ୍କୁ ପଚାରିଲେ, “ମହାଶୟ, ଆପଣ କୌଣସି ଜୀବକୁ ଆଘାତ ଦେଉ ନାହାନ୍ତି ଏବଂ ଶୁଖିଲା ଘାସ ଖାଇ ଜୀବନ ଧାରଣ କରୁଛନ୍ତି । ତେବେ ପାଖରେ ଖଣ୍ଡାଟି ରଖିବା ଦରକାର କ‘ଣ ?”
ବ୍ରାହ୍ମଣ କହିଲେ, “ଏହାର ଉଦ୍ଦେଶ୍ୟ ହେଉଛି, ଯଦି ମୁଁ କେବେ ସାକ୍ଷାତ୍ର ସୁଯୋଗ ପାଏ, ଚାରି ଜଣ ବ୍ୟକ୍ତିଙ୍କୁ ଉପଯୁକ୍ତ ଶାସ୍ତି ଦେବି ।“
ଅର୍ଜୁନ କୌତୂହଳୀ ହୋଇ ପଚାରିଲେ, “ସେମାନେ କିଏ ?”
“ପ୍ରଥମ ଜଣକ ହେଉଚି ହତଭାଗା ନାରଦ, ବ୍ରାହ୍ମଣ କହିଲେ ।
“କାହିଁକି ? ସେ କି ଦୋଷ କରିଛନ୍ତି ?” ଅର୍ଜୁନ ପଚାରିଲେ ।
ବ୍ରାହ୍ମଣ ଉତ୍ତର ଦେଲେ, “କାହିଁକି ? ତା‘ର ଆସ୍ଫର୍ଦ୍ଧା ଦେଖ, ସବୁବେଳେ ଗୀତବାଦ୍ୟ ଦ୍ୱାରା ମୋର ପ୍ରଭୁଙ୍କୁ ଅନିଦ୍ରା ରଖୁଚି । ଯାହାହେଲେ ବି ପ୍ରଭୁଙ୍କର ଆରାମ, ବିଶ୍ରାମ କ‘ଣ ସେ ମୋଟେ ବିଚାର କରୁନି । ଦିନରେ ରାତିରେ, ସବୁ ସମୟରେ ସେ ପ୍ରାର୍ଥନା ଓ ମହିମା କୀର୍ତ୍ତନ କରି ପ୍ରଭୁଙ୍କୁ ଟିକେ ଶାନ୍ତିରେ ରଖେଇ ଦେଉନି ।“
ଅର୍ଜୁନ ଖୁବ୍ ଆଗ୍ରହୀ ହୋଇ ଉଠିଲେ ଓ ପଚାରିଲେ, “ତେବେ ଦ୍ୱିତୀୟ ବ୍ୟକ୍ତିଟି କିଏ ?”
ବ୍ରାହ୍ମଣ କହିଲେ, “ଦ୍ରୌପଦୀ । ସେ ସ୍ତ୍ରୀ ଲୋକଟାର ଅବିଚାର, ଔଦ୍ଧତ୍ୟ ଦେଖ । ସେ ଏପରି ଅବିବେକୀ ଯେ, ମୋର ପ୍ରଭୁ ମଣୋହିକୁ ଯାଉଥିବା ସମୟରେ ଡାକ ଛାଡ଼ିଲା । ସେ ଆଉ ଭୋଜନ କଲେ ନାର୍ହି । ପାଣ୍ଡବମାନଙ୍କୁ ଦୁର୍ବାସାଙ୍କର ଅଭିଶାପରୁ ରକ୍ଷା କରିବା ପାଇଁ କାମ୍ୟକ ବନକୁ ଧାଇଁଗଲେ । ପୁଣି ତା‘ର ସାହସ ଏପରି ବଢ଼ିଗଲା ଯେ, ସେ ପ୍ରଭୁଙ୍କୁ ତା‘ର ଅଇଁଠା ଖୁଆଇଲା ।“
ଅର୍ଜୁନ କହିଲେ, “ତୃତୀୟ ଜଣକ କିଏ ?”
“ସେ ହେଉଛି ନିଷ୍ଠୁର ପ୍ରହ୍ଲାଦ । ତା‘ର ହୃଦୟ ଏପରି କଠିନ ଯେ, ସେ ପ୍ରଭୁଙ୍କ ଫୁଟନ୍ତା ତେଲ କଡ଼େଇରେ ପଶିବାପାଇଁ, ହାତୀର ପାଦତଳେ ଚକଟି ହେବାପାଇଁ ଏବଂ ଏକ କଠିନ ଖମ୍ବରୁ ବାହାରିବାପାଇଁ କହିବାକୁ କୁଣ୍ଠାବୋଧ କଲା ନାହିଁ“, ବ୍ରାହ୍ମଣ କହିଲେ ।
“ଚତୁର୍ଥରେ କାହାର ପାଳି” ଅର୍ଜୁନ ପଚାରିଲେ ।
ବ୍ରାହ୍ମଣ କହିଲେ, “ଶେଷ ପାଳି ହେଉଚି ହତଭାଗା ଅର୍ଜୁନର ।“
ଅର୍ଜୁନ ପଚାରିଲେ, “କାହିଁକି ? ସେ କ‘ଣ ଦୋଷ କରିଛି କି ?”
ବ୍ରାହ୍ମଣ କହିଲେ, “ତା‘ର ସାହସକୁ ଦେଖ, ସେ ଦୁର୍ବୃତ୍ତ ମୋର ପ୍ରଭୁଙ୍କୁ କୁରୁକ୍ଷେତ୍ର ଯୁଦ୍ଧରେ ତା‘ର ସାମାନ୍ୟ ସାରଥି ରୂପେ ବ୍ୟବହାର କଲା ! ସେଥିରେ ପୁଣି ସେ ଭାବୁଚି, ପ୍ରଭୁଙ୍କର ସେ ଶ୍ରେଷ୍ଠ ଭକ୍ତ ।“
ଦରିଦ୍ର ବ୍ରାହ୍ମଣର ଭକ୍ତି ଓ ପ୍ରେମର ଗଭୀରତା ଦେଖି ଅର୍ଜୁନ ବିସ୍ମିତ ଓ ଲଜ୍ଜିତ ହେଲେ । ସେହି ମୁହୂର୍ତ୍ତରୁ ତାଙ୍କର ଗର୍ବ ଉଭେଇଗଲା । ନିଜକୁ ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଭକ୍ତ ବୋଲି ଭାବିବାପାଇଁ ସେ ଲଜ୍ଜା ବୋଧ କଲେ ।