• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଆପଣ ଭାତ ଖାଆନ୍ତି ନା ସୁନା ?
ଗଳ୍ପ

ଆପଣ ଭାତ ଖାଆନ୍ତି ନା ସୁନା ?

ସୌମ୍ୟ ରଞ୍ଜନ ପଟ୍ଟନାୟକBy ସୌମ୍ୟ ରଞ୍ଜନ ପଟ୍ଟନାୟକFebruary 23, 2020No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଆମ ଘର ଅଳକା ନଈ କୂଳରେ । ଅଳକା ନଈ କାଠଯୋଡ଼ିର ଗୋଟିଏ ଆଡ଼ି ନଈ । ଦେବୀ ନଈ ଆମ ଘର ଦାଢ଼ରେ ଯାଇଛି । ଖରାଦିନେ ଅଳକା ନଈର ପାଣି ଲୁଣି ହୁଏ ଓ ବର୍ଷା ଦିନେ ପ୍ରବଳ ବଢ଼ି ଆସେ । ମୋର ଆଈମାନେ ଥଟ୍ଟା କରି ମୋତେ କହୁଥିଲେ ଯେ, ମୁଁ କୁଆଡେ ବଢ଼ି ବେଳେ ଗୋଟିଏ ମାଟି ହାଣ୍ଡି ଭିତରେ ଅଳକା ନଈରେ ଭାସି ଆସିିଥିଲି । ମୋ ବୋଉ ସେ ହାଣ୍ଡିଟିକୁ ଆଣି ଖୋଲି ଦେବାରୁ ମୋତେ ପାଇଗଲା । ଏକ ପକ୍ଷେ ଦେବୀ ନଈ, ଅନ୍ୟ ପକ୍ଷେ ଅଳକା ନଈ ପିଲା ଦିନେ ମୋତେ କେବଳ ବଢ଼ି ସହିତ ପରିଚୟ କରାଇ ନଥିଲା; ବନ୍ୟାପ୍ଳାବନ, ଘାଈଭଙ୍ଗା କ୍ଷତି ଓ ନଈ ପହଁରା ସହିତ ଚିହ୍ନା ପରିଚୟ କରାଇ ଦେଇଥିଲା । ପିଲାଦିନେ କୌତୂହଳ ସହିତ ମୁଁ ଗାଁ ପିଲାଙ୍କ ସାଙ୍ଗରେ ନଈରେ ମୁଗୁରା ବସାଇବାକୁ ଯାଉଥିଲି । ଓଡ଼ିଶା ଗୋଟିଏ ନଦୀମାତୃକା ରାଜ୍ୟ । ସେହିପରି ଆମ ଗାଁଟି ମଧ୍ୟ ନଦୀମାତୃକା ।

ଆମକୁ ରାୟଗୁରୁ ବଂଶ କୁହାଯାଏ । ଆମ ଗାଁର ରାଜସ୍ୱ ନାମ ସୁକିନ୍ଦା ହେଲେ ହେଁ ଆମ ବ୍ରାହ୍ମଣ ଶାସନଟିର ନାମ ଥିଲା ବୀରନରସିଂହପୁର । ଏହି ନାମରେ ପୁରୀ ଜିଲ୍ଲାରେ ବି ଗୋଟିଏ ଗାଁ ଅଛି । ଆମ ଗାଁର ନାମକରଣ କାହିଁକି ଏପରି ହୋଇଛି ସେ ଇତିହାସ କେହି କହିପାରୁ ନାହାନ୍ତି । ତ‌ଥାପି ଏତିକି ଶୁଣାଯାଏ ଯେ, ମୋର ପୂର୍ବପୁରୁଷମାନେ ହରିଶପୁର ରାଜାଙ୍କଦ୍ୱାରା ନିମନ୍ତ୍ରିତ ହୋଇ ସେ ଗାଁକୁ ଆସିିଥିଲେ । ହରିଶପୁର ରାଜାଙ୍କର ଏବେ ଏରସମା ଥାନାର ବଙ୍ଗୋପସାଗର କୂଳରେ ଅବସ୍ଥିତ ସରମନ୍ତଠାରେ ଜଗନ୍ନାଥଙ୍କ ମନ୍ଦିର ଅଛି । ପୁରୀ ପରି ସେଠାରେ ତ୍ରିମୂର୍ତ୍ତିି ବିରାଜମାନ । ହରିଶପୁର ରାଜାଙ୍କ ପୁରାତନ ଗଡ଼ରେ ଚଣ୍ଡୀ ମନ୍ଦିର ଅଛି । ତାହା ମଧ୍ୟ ସମୁଦ୍ର କୂଳରେ ଅବସ୍ଥିତ । ଇଂରେଜମାନେ ତାଙ୍କ ବିରୋଧୀ କନିକା, କୁଜଙ୍ଗ, ହରିଶପୁର, ମରିଚପୁର ରାଜାଙ୍କୁ ପଦଚ୍ୟୁତ କରି ଜମିଦାରୀରେ ପରିଣତ କରିିଥିଲେ । ହରିଶପୁର ରାଜଗାଦି ଉଠିଗଲା । ଏହା ଗୋଟିଏ ଜମିଦାରୀ ହୋଇଯିବାରୁ ଲର୍ଡ କର୍ଣ୍ଣଓ୍ୱାଲିସ୍‍ଙ୍କ ସୂର୍ଯ୍ୟାସ୍ତ ଆଇନ ଅନୁସାରେ ବାକି ରାଜସ୍ୱପାଇଁ ଜମିଦାରୀଟି କଲିକତା ହାଇକୋର୍ଟରେ ନିଲାମ ହେଲା । କଲିକତାର ଦୁଇ ନମ୍ୱର କର୍ଣ୍ଣଓ୍ୱାଲିସ୍‍ ଷ୍ଟ୍ରୀଟ୍‍ରେ ଥିବା ଗୋକୁଳ ଚନ୍ଦ୍ର ଲାହା ଏହାକୁ କିଣି ନେଇଥିଲେ । ମୋ ଜନ୍ମ ବେଳକୁ ଗୋକୁଳ ଚନ୍ଦ୍ର ଲାହା ଓ ତାଙ୍କ ଭାଇ ବୃନ୍ଦାବନ ଚନ୍ଦ୍ର ଲାହା ଆମ ଜମିଦାର ଥିଲେ ।

ମୁଁ ଜନ୍ମ ହୋଇଥିଲି ୧୯୧୮ ମସିହା ନଭେମ୍ୱର ମାସ ୧୭ ତାରିଖ ରବିବାର କାର୍ତ୍ତିିକ ପୂର୍ଣ୍ଣିିମା ଦିନ ପ୍ରାତଃ ସାଢେ଼ ଚାରିଟା ବେଳେ । ମୁଁ ବଡ଼ବଡ଼ିଆଙ୍କଠାରୁ ଶୁଣିଛି, ଗାଁ ମାଇପେ ସେଦିନ ସକାଳୁ ଉଠି କଦଳୀ ପାଟୁଙ୍ଗା ଡଙ୍ଗା ଭସାଇବା ଲାଗି ଡକାଡକି ହୋଇ ଅଳକା ନଦୀକୁ ବାହାରିଲେ । ସେମାନେ ବୋଉକୁ ଡାକିଲେ । ବୋଉ ଡଙ୍ଗା ଧରି ବାହାରିଛି, ଏଇ ସମୟରେ ତା’ ପେଟ କାଟିଲା ପରି ଜଣାପଡ଼ିଲା ଓ ମୁଁ ଜନ୍ମ ହୋଇପଡିଲି । ଆମ ଘରେ ବୋଉ ଛଡ଼ା ଆଉ କୌଣସି ସ୍ତ୍ରୀଲୋକ ନଥିଲେ ।

ମୁଁ ୧୯୨୭ରେ ବୃତ୍ତି ପରୀକ୍ଷା ଦେବାପାଇଁ ତିର୍ତ୍ତୋଲ୍‍ର ମଣିଜଂଗା ଯାଇଥିଲି । ବିଲବାଟରେ ତାହା ଆମ ଗାଁଠାରୁ ପ୍ରାୟ ୬୦ କିଲୋମିଟର ଦୂର । ମୋତେ ସେତେବେଳକୁ ନଅ ବର୍ଷ ପୂରି ଦଶବର୍ଷ ଚାଲିଛି । ମୁଁ ଏତେ ବାଟ ଚାଲିକରି ଯାଆନ୍ତି ବା କିପରି ? ପରୀକ୍ଷା ଡିସେମ୍ୱର ମାସ ଆରମ୍ଭରେ ହେଲା । ନନା ଓ ମାଷ୍ଟ୍ରେମାନେ ଅଧିକାଂଶ ବାଟ କାନ୍ଧରେ ବସାଇ ନେଇଯାଇଥିଲେ । ପରୀକ୍ଷା ଆରମ୍ଭ ହେବାର ଦୁଇଦିନ ଆଗରୁ ମୁଁ ଆମ ଗାଁ ଛାଡ଼ିିଥିଲି । ଓଚିନ୍ଦା ଦାଶଙ୍କ ବନ୍ଧୁ ଚଇନୀ ଘର ନରୁଆରେ ଥିଲା । ଆମେ ପ୍ରଥମ ଦିନ ରାତିରେ ତାଙ୍କ ଘରେ ରହିଲୁ । ଦ୍ୱିତୀୟ ଦିନ ମଣିଜଙ୍ଗାରେ ପହଞ୍ଚିଲୁ । ଲକ୍‍ପୋଲ ପାଖରେ ବସାଘର କରିିଥିଲୁ । ପାଣି ଘୁ ଘୁ ହୋଇ ପଡ଼ୁଥିବାରୁ ରାତିରେ ନିଦ ହେଲାନାହିଁ । ତା’ ପରଦିନ ପରୀକ୍ଷା । ଗୋଟିଏ ଦିନ ମାତ୍ର ପରୀକ୍ଷା ହେଲା । ଅଙ୍କରେ ମୋର ସବୁ ଉତ୍ତର ଠିକ୍‍ ହୋଇଛି ବୋଲି ମାଷ୍ଟ୍ରେ ଜାଣିପାରି କହିଲେ, ‘ମୁଁ ନିଶ୍ଚୟ ବୃତ୍ତି ପାଇବି । ଆମେ ଫେରିବା ବେଳେ ଝଙ୍କଡ଼ ବାଟେ ଶାରଳା ଠାକୁରାଣୀଙ୍କୁ ଦର୍ଶନ କରି ଗୁହାରି ଜଣାଇ ଆସିଲୁ । ସେଥର ମୁଁ ବୃତ୍ତି ପାଇଥିବାଯୋଗୁଁ ନନା ମୋର ସବୁ ପରୀକ୍ଷା ବେଳେ ଶାରଳା ଠାକୁରାଣୀଙ୍କୁ ଗୁହାରି କରୁଥିଲେ । ନୀଳକଣ୍ଠେଶ୍ୱରଙ୍କଠାରେ ମଧ୍ୟ ଜଳଛାୟା ହେଉଥିଲା ।

ପରୀକ୍ଷା ଦେବା ଥିଲା ମୋ କାମ । ମୁଁ ସେତକ ସାରି ଦେଇ ଆସିଥିଲି । ଫଳ ବାହାରିବା କଥା ମୋତେ ଜଣା ନଥିଲା । ମାଷ୍ଟ୍ରେ ନନା ଓ ପୋଷ୍ଟମାଷ୍ଟର ଦୟାନିଧି ନନ୍ଦ (ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଲୋକନାଥ ନନ୍ଦଙ୍କ ପିତା) ପରୀକ୍ଷା ଫଳ ବିଷୟରେ ଜାଣିିଥିଲେ । ଡିସେମ୍ୱର ମାସ ଶେଷ ସପ୍ତାହରେ ମୁଁ ଗାଁ ବ୍ରାହ୍ମଣମାନଙ୍କ ସହିତ ଗୋଟିଏ ଅବ୍ରାହ୍ମଣର ଶୁଦ୍ଧିକ୍ରିୟାରେ ଚୁଡାଦହି ଖାଇବାକୁ ଯାଇଥିଲି । ରାତି ୮ଟା ବେଳକୁ ଫେରିଲୁ । ନୀଳକଣ୍ଠେଶ୍ୱର ମନ୍ଦିର ପାଖରେ ଜଣେ ନନାଙ୍କୁ କହିଲା ଯେ, ମୋ ନାଁରେ ଗୋଟିଏ ଲମ୍ୱ ଚିଠି ଆସିଛି ବୋଲି ପୋଷ୍ଟମାଷ୍ଟର ନିଧିଆ ପିଇସା କହୁଥିଲା । ମୋତେ କୁଆଡେ଼ ସରକାର ଟଙ୍କା ଦେବେ ବୋଲି ସେଥିରେ ଲେଖାଥିଲା ବୋଲି ସେ କହିଲା । ମୁଁ ଗାଁକୁ ଆସିଲି । ନନା ମାଷ୍ଟ୍ରଙ୍କ ପାଖକୁ ଯାଇ ବୁଝିଲେ ଯେ, ମୁଁ ମାସିକ ତିନି ଟଙ୍କା ହିସାବରେ ବୃତ୍ତି ପାଇଛି । ବାଲିକୁଦା ମଧ୍ୟ ଇଂରାଜୀ ମାଇନର ସ୍କୁଲ୍‍ରେ ନାମ ନ ଲେଖାଇଲେ ସେ ଟଙ୍କା ମିଳିବ ନାହିଁ । ତେଣୁ ମୋତେ ଚାରି ବର୍ଷ ବାଲିକୁଦାରେ ରହିବାକୁ ପଡ଼ିବ । ନନା ଏକା ବୋଉକୁ କହୁଥିବା ବେଳେ ମୁଁ ଶୁଣିପାରି ଭୋ କରି କାନ୍ଦି ଉଠିଲି । ମୁଁ ବୋଉକୁ କହିଲି, ତାକୁ ଛାଡ଼ି ମୁଁ ଚାରିବର୍ଷ କାଳ ବାଲିକୁଦାରେ ରହିପାରବି ନାହିଁ । ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ପଢ଼ିବାବେଳେ ଦିନେ ଦିନେ ବୋଉ ପାଖରୁ ଯିବି ନାହିଁ ବୋଲି ଜିଦ୍‍ କରି ସକାଳ ହେବା ମାତ୍ରେ ଭାତହାଣ୍ଡିକୁ ଧରି ଠିଆ ହେଉଥିଲି । ବ୍ରାହ୍ମଣ ଘରେ କେହି ଅଗାଧୁଆ ଭାତହାଣ୍ଡିକୁ ଛୁଅଁନ୍ତି ନାହିଁ । ତେଣୁ ନନା କି ବୋଉ କେହି ମୋତେ ଭାତହାଣ୍ଡି ପାଖରୁ ଅଗାଧୁଆ ଟାଣି ନେଇ ପାରିଲେ ନାହିଁ । ତେଣୁ ଭାତହାଣ୍ଡି ଥିଲା ସ୍କୁଲ୍‍କୁ ନଯିବା ଲାଗି ସର୍ବଶ୍ରେଷ୍ଠ ଆଶ୍ରୟସ୍ଥଳ । ଥରେ ନନା ବିରକ୍ତ ହୋଇ ଗାଧୋଇ ଆସି ଭାତହାଣ୍ଡିରୁ ଛଡ଼ାଇ ନେଇ ଫୋପାଡି ଦେଲେ ଯେ ମୁଣ୍ଡ ମାଟିରେ ବାଜି ଫୁଲିଗଲା । ବୋଉ ବହେ କାନ୍ଦିଲା ଓ କହିଲା, ପୁଅ ପାଠ ପଢ଼ିବ ନାହିଁ କି ଏ କଂସ କଚଡ଼ା ଖାଇବ ନାହିଁ । ମୁଁ ଏ କଥାକୁ ସତ ମଣି ଭାରି ଖୁସି ହେଲି । ସେଦିନ ସ୍କୁଲ୍‍କୁ ନ ଯାଇ ମନଇଚ୍ଛା ଖେଳିଲି । ତା’ ପରଦିନ ନନା ମୋ’ ଆଗରୁ ଉଠି ଜଗି ବସିଲେ ଓ ମୁଁ ଉଠିବା ମାତ୍ରେ ମୋ ହାତ ଧରି ସ୍କୁଲ୍‍କୁ ନେଇଗଲେ । ମାଷ୍ଟ୍ରେ ଏ କଥା ଶୁଣି ମୋତେ ବହେ ଛିଗୁଲେଇ ଚିଡେଇଲେ । ତା’ପରେ କ୍ରମେ ମୋର ସ୍କୁଲ୍‍କୁ ଯିବା ଅନିଚ୍ଛା ଅପସରି ଗଲା । କଥା ମନେ ପକାଇ ନନା ଡରିଲେ- ମୁଁ ଯେପରି ଏକଜିଦିଆ ପିଲା, ବାଲିକୁଦା ଯିବାକୁ ନ ମଙ୍ଗିଲେ ସେ କ’ଣ କରିବେ ? ଏହିପରି ଚିନ୍ତାରେ ମାତ୍ର ଦୁଇଦିନ ପରେ ୧୯୨୮ର ଜାନୁଆରି ପହିଲା ହେଲା । ଦୁଇ ତାରିଖ ଦିନ ନନା ମୋତେ କାନ୍ଧେଇ ବାଲିକୁଦା ଚାଲିଲେ । ସେଠାରେ ଚତୁର୍ଥ ଶ୍ରେଣୀରେ ନାମ ଲେଖାଇଲି ।

୧୯୨୮ ଜାନୁଆରିରୁ ୧୯୩୧ ଡିସେମ୍ୱର ପର୍ଯ୍ୟନ୍ତ ମୁଁ ବାଲିକୁଦା ମାଇନର ସ୍କୁଲ୍‍ର ଛାତ୍ର ଥିଲି । ସେତେବେଳେ ଆଇନଅମାନ୍ୟ ଆନ୍ଦୋଳନ ଚାଲିଥାଏ । ସ୍କୁଲ୍‌ର ଅନତିଦୂରରେ ଥିବା ନରିଲୋ ଗ୍ରାମରେ ନିତ୍ୟାନନ୍ଦ କାନୁନ୍‍ଗୋ ଓ ତାଙ୍କ ଭଉଣୀ ସରଳାଦେବୀଙ୍କ ଘର । କଂଗ୍ରେସ ରାଜନୀତିରେ ସେ ଦୁହିଁଙ୍କ ଖ୍ୟାତି ଓ ସ୍ଥାନ ସମସ୍ତଙ୍କୁ ଜଣା । କାନୁନ୍‍ଗୋ, ଗୋବିନ୍ଦଚନ୍ଦ୍ର ଦାସ, ହରେକୃଷ୍ଣ ବିଶ୍ୱାଳ ଓ କଣିଆଁର ନିତ୍ୟାନନ୍ଦ ମହାନ୍ତି ଓ ବୈକୁଣ୍ଠନା ମହାନ୍ତି ସ୍କୁଲ୍‍ର ପୁରାତନ ଛାତ୍ର ହିସାବରେ ଆଇନଅମାନ୍ୟ ଆନ୍ଦୋଳନର କର୍ମୀ ଭାବରେ ଛାତ୍ରମାନଙ୍କ ଉପରେ ଗୁରୁତର ପ୍ରଭାବ ପକାଇଥିଲେ । ପ୍ରଧାନଶିକ୍ଷକ ରାଜକିଶୋର କାନୁନ୍‍ଗୋ ନିଜେ ଜଣେ କଂଗ୍ରେସପ୍ରେମୀ ଥିଲେ । ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଖଦଡ଼ ପିନ୍ଧୁଥିଲେ ଓ ନିୟମିତ ସୂତା କାଟୁଥିଲେ । ତାଙ୍କ ନିର୍ଦ୍ଦେଶରେ ବହୁ ଛାତ୍ରଙ୍କୁ ପିତଳ ତାକୁଡ଼ି ଓ ତୁଳା ଯୋଗାଇ ଦିଆଯାଇଥିଲା । ଆମେ ମଧ୍ୟ ସୂତା କାଟି ଶିଖିଲୁ । ସ୍କୁଲ୍‍ ନିକଟରେ ଗୋଟିଏ ଗଞ୍ଜେଇ ଅଫିମ ଦୋକାନ ଥିଲା । କଂଗ୍ରେସ କର୍ମୀମାନେ ସେ ଦୋକାନ ଆଗରେ ଶୋଇ ପିକେଟିଂ କରିବାବେଳେ କୌତୂହଳବଶତଃ ବହୁଛାତ୍ର ମଧ୍ୟ ଏହି ପିକେଟିଂରେ ଯୋଗ ଦେଉଥିଲେ । ବାଲିକୁଦା ଥାନା ବି ସ୍କୁଲ୍‍ ନିକଟରେ ଥିଲା । ଥାନାବାବୁ ଏହି ଫୁଲମାଳ ପିନ୍ଧା ପିକେଟିଂ କରୁଥିବା ସ୍କୁଲ୍‍ ଛାତ୍ରମାନଙ୍କୁ ଧରିନେଇ ଥାନାରେ ବସାଇ ଦେଉଥିଲେ । କାହାକୁ ମାରଧର କରୁ ନଥିଲେ । କେବଳ ବୟସ୍କ କର୍ମୀମାନେ ଗିରଫ ହେଉଥିଲେ । ମୁଁ ସେତିକି ବେଳେ ସରଳା ଦେବୀଙ୍କୁ ପ୍ରଥମେ ଦେଖିଲି ।

ମୋ ଛାତ୍ରାବସ୍ଥାରେ ଦୁଇଜଣ ବିଶିଷ୍ଟ ଲୋକ ସ୍କୁଲ୍‍କୁ ଆସିିଥିବାର ଦେଖିଛି । ଜଣେ ହେଲେ ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ପରିଜା । ସେ ଆମ ବିଦ୍ୟାଳୟର ପୁରାତନ ଛାତ୍ର । ସେ ଆମ ହେଡ଼୍‍ ପଣ୍ଡିତ୍‍ ସେନଗୁପ୍ତଙ୍କର ଛାତ୍ର ଥିଲେ । ପଣ୍ଡିତ ଆମକୁ ପରିଜା ସାହେବଙ୍କ କଥା କହିବା ବେଳେ ପାଣୁ ବୋଲି ତାଙ୍କୁ ଉଲ୍ଲେଖ କରୁଥିଲେ । ସେ ୧୯୩୦ ଗ୍ରୀଷ୍ମ ଛୁଟିରେ ପେଣ୍ଟ୍‍, କୋଟ୍‍ ଓ ଟାଇ ପିନ୍ଧି ବୁଲି ଆସିିଥିଲେ । ସେ ହେଡ଼୍‍ ପଣ୍ଡିତଙ୍କୁ ସାକ୍ଷାତ୍‍ କରିବାକୁ ଆସିିଥିବା କଥା କହିଲେ ଏବଂ ପଣ୍ଡିତ ମହାଶୟ ଆସିବା କ୍ଷଣି ସେ ତାଙ୍କ ପଦସ୍ପର୍ଶ କରି ପ୍ରଣାମ କଲେ । ଆମେ ତାଙ୍କୁ ଚିହ୍ନି ପାରି ନଥିଲୁ । ଚିହ୍ନିବା ମାତ୍ରେ ଚୌକିରେ ନ ବସି ଡେସ୍କ ଉପରେ ଭରା ଦେଇ ଠିଆ ହୋଇ କଥାବାର୍ତ୍ତା କଲୁ । ସେତେବେଳେ ସେ ରେଭେନସା କଲେଜ୍‌ରେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ଥିଲେ । ସେ ଭାରତୀୟ ଶିକ୍ଷା ସେବାର (ଆଇ.ଇ.ଏସ୍‍.) ସଦସ୍ୟ ଥିଲେ ବୋଲି ମାସିକ ୧୨୫୦ଟଙ୍କା ଦରମା ପାଉଥିଲେ । ମୁଁ ତ ଟିକିଏ ଆଗଚଲା । ଅନ୍ୟମାନଙ୍କ ମନ୍ତ୍ରଣାରେ ମାଡ଼ିଯାଏ । ଆମେ ମାସକୁ ଦଶଅଣା ମେସ୍‍ ଖର୍ଚ୍ଚ ଦେଇ ଦୁଇ ଓଳି ଖାଉଥିଲୁ । ତେଣୁ ଆମେ ବିଚାର କଲୁ, ସେ ଏତେ ଟଙ୍କା ରୋଜଗାର କରୁଥିବାରୁ ସୁନା ଖାଉଥିବେ । ତାଙ୍କୁ ଏ କଥା ପଚାରିବା ଦାୟିତ୍ୱ ମୋତେ ଦିଆଗଲା । ତେଣୁ ମୁଁ ଆଗକୁ ଯାଇ ନମସ୍କାର କଲି ଓ ପଚାରିଲି- ‘ସାର୍‍ ! ଆପଣ କୁଆଡେ଼ ମାସିକ ୧୨୫୦ଟଙ୍କା ଦରମା ପାଆନ୍ତି ?’ ସେ ହଁ ଭରିବାରୁ ମୋର ଆର ପ୍ରଶ୍ନଟି ହେଲା, ‘ଆପଣ ଆମ ପରି ଭାତ ଖାଆନ୍ତି ନା ସୁନା ଖାଆନ୍ତି ?’ ପ୍ରବଳ ହାସ୍ୟରୋଳ ଭିତରେ ସେ ବୁଝାଇଦେଲେ, “ଜଣେ ମଣିଷ ଯେତେ ରୋଜଗାର କଲେ ବି ସେ ଭାତ ନ ଖାଇ ବଞ୍ଚି ପାରିବ ନାହିଁ ।” ଜୀବନରେ ଏହା ଗୋଟିଏ ମହାନ ଶିକ୍ଷା । ଦ୍ୱିତୀୟ ଆଗନ୍ତୁକ ଜଣକ ଥିଲେ ବାଲୁଗାଁର ଡାକ୍ତର ରାଧାଚରଣ ପଣ୍ଡା । ସେ ‘ପାରିକୁଦ’ ନାମକ ଗୋଟିଏ ବହି ଲେଖି ବୁଲିବୁଲି ପ୍ରଚାର କରୁଥିଲେ । ସେ ମଧ୍ୟ ମାଇନର୍‍ ସ୍କୁଲ୍‍ ପିଲାଙ୍କପାଇଁ ‘ସ୍ୱାସ୍ଥ୍ୟଶିକ୍ଷା’ ନାମକ ଆଉ ଗୋଟିଏ ବହିି ଲେଖିଥିଲେ । ସେ ‘ପାରିକୁଦ’ ଉପରେ ଗୋଟିଏ ବକ୍ତୃତା ଦେଇ ଚିଲିକା ହ୍ରଦ ବିଷୟରେ ବର୍ଣ୍ଣନା କଲେ । ଛାତ୍ରମାନେ କେତେଖଣ୍ଡ ‘ସ୍ୱାସ୍ଥ୍ୟଶିକ୍ଷା’ ବହି ମଧ୍ୟ କିଣିଲେ । ତାଙ୍କ ସହିତ ଏହି ପ୍ରଥମ ପରିଚୟ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ଥିଲା । ତାଙ୍କ ମୃତୁ୍ୟ ପରେ ତାଙ୍କ ପରିବାର ସହିତ ସେହି ସୌହାର୍ଦ୍ଦ୍ୟ ଏ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି । ମୋର ଧାରଣା ଥିଲା, ଯେଉଁମାନଙ୍କ ନାମ ବହିରେ ଛପା ଯାଇଥାଏ, ସେମାନେ ମରିଯାଇଥାନ୍ତି ବୋଲି । ତାଙ୍କ ବହିରେ ତାଙ୍କ ନାଁ ଦେଖି ଓ ତାଙ୍କ ସହିତ କାବାର୍ତ୍ତା କରି ସେ ଧାରଣା ବଦଳିଗଲା ।

ବିଶିଷ୍ଟ ଶିକ୍ଷ।ବିତ୍ ତା ଅଧ୍ୟାପକ ଡକ୍ଟର ଶ୍ରୀ ର।ମଚନ୍ଦ୍ର ଦାଶଙ୍କ ଆତ୍ମଜୀବନୀ ‘ମୋ ଅକୁହ। କାହାଣୀ’ରୁ ଉଦ୍ଧୃତ ।

Odia Story Soumya Ranjan Patnaik Books Soumya Ranjan Patnaik Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Article‘ବୁଲି ବୁଲି ଖଦଡ଼ଲୁଗା ବିକୁ’
Next Article ‘ପିଲାଦିନେ ପାଠଚୋର ଥିଲି’
ସୌମ୍ୟ ରଞ୍ଜନ ପଟ୍ଟନାୟକ

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.