ଈଶ୍ୱରଙ୍କୁ ଯେ ଆନ୍ତରିକ ଭାବରେ ଲୋଡ଼ିବ, ଈଶ୍ୱର ତା’ର ହେବେ । ଈଶ୍ୱରଙ୍କ ପାଇଁ ଯେ ବ୍ୟାକୁଳ, ଈଶ୍ୱର ତା’ର ହେବେ । ଅରୁଣୋଦୟ ହେଲେ ପୂର୍ବଦିଗ ଲାଲ ହୁଏ; ସେଥିରୁ ଜଣାଯାଏ ଯେ ସୂର୍ଯ୍ୟୋଦୟ ହେବାରେ ଆଉ ଡେରି ନାହିଁ । ସେହିପରି ଯଦି କାହାର ପ୍ରାଣ ଈଶ୍ୱରଙ୍କପାଇଁ ବ୍ୟାକୁଳ ହେବାର ଦେଖାଯାଏ, ତା’ହେଲେ ବୁଝିବାକୁ ହେବ ଯେ ଏହି ବ୍ୟକ୍ତିର ଆଉ ଈଶ୍ୱର ଲାଭରେ ଡେରି ହେବନାହିଁ ।
ଜଣେ ଶିଷ୍ୟ ଗୁରୁଙ୍କୁ ପଚାରିଲା, “ମହାଶୟ, ଈଶ୍ୱରଙ୍କୁ କିପରି ଲାଭ କରିବାକୁ ହେବ ମୋତେ ବତାଇ ଦିଅନ୍ତୁ ।” ଗୁରୁ ଶିଷ୍ୟକୁ ସାଙ୍ଗରେ ଧରି ଗୋଟିଏ ପୋଖରୀକୁ ଗଲେ । ଉଭୟେ ପାଣି ଭିତରକୁ ଗଲେ । ତା’ପରେ ଗୁରୁ ହଠାତ୍ ଶିଷ୍ୟକୁ ବୁଡ଼ାଇ ଦେଇ ତାର ମୁଣ୍ଡକୁ ମାଡ଼ି ଧରିଲେ । ଶିଷ୍ୟ ବିଚାରା ଆବୁରୁ କାବୁରୁ ହୋଇଗଲା । ତା’ପରେ ସେ ଛାଡ଼ିଦେଲେ । ମୁଣ୍ଡ ଟେକିବା ପରେ ପଚାରିଲେ, “କେମିତି ଲାଗିଲା ।” ଶିଷ୍ୟ କହିଲା, “ଜୀବନ ଯିବ ଯିବ, ଏହିପରି ଲାଗିଲା ।” ଗୁରୁ କହିଲେ, “ଈଶ୍ୱରଙ୍କପାଇଁ ପ୍ରାଣ ଯେବେ ଆଉଟୁ ପାଉଟୁ ହେବ, ତା’ହେଲେ ଜାଣିବ ଯେ ତାଙ୍କୁ ପାଇବାରେ ଆଉ ଡେରି ନାହିଁ ।” ମାନିଲେ ଦିଅଁ, ନ ମାନିଲେ ପଥର ।
ଜଣେ ବ୍ରାହ୍ମଣଙ୍କ ଘରେ ଦିଅଁଙ୍କର ସେବା ଥିଲା । ଦିନେ ବ୍ରାହ୍ମଣ କୌଣସି କାମରେ ଘର ଛାଡ଼ି ଅନ୍ୟତ୍ର ଗଲେ । ଗଲାବେଳେ ଛୋଟ ପୁଅଟିକୁ କହିଗଲେ, “ତୁ ଆଜି ଠାକୁରଙ୍କୁ ଭୋଗ ଦେବୁ । ଠାକୁରଙ୍କୁ ନିଜ ହାତରେ ଖୁଆଇବୁ ।” ପିଲାଟି ଠାକୁରଙ୍କୁ ଭୋଗ ଦେଲା । ଦେଖିଲା, ଠାକୁର ଚୁପ୍ ହୋଇ ବସିଛନ୍ତି । କିଛି କହୁ ନାହାନ୍ତି କି ଖାଉ ନାହାନ୍ତି । ପିଲାଟି ବହୁ ସମୟ ଜଗି ବସି ରହିଲା । ଠାକୁର ଉଠୁ ନାହାନ୍ତି । ତା’ପରେ ପାଟି କରି କହିଲା, “ଠାକୁର, ଆସ ଖାଇବ । ବହୁତ ଡେରି ହେଲାଣି । ଆଉ କେତେ ସମୟ ଜଗି ବସିବି? ବସି ପାରିବି ନାହିଁ ।” ଠାକୁର କିଛି କହିଲେ ନାହିଁ । ପିଲାଟି କାନ୍ଦିବା ଆରମ୍ଭ କରିଦେଲା । କହିବାକୁ ଲାଗିଲା, “ଠାକୁର, ବାପା ତୁମକୁ ଖୁଆଇବା ପାଇଁ ମୋତେ କହିଯାଇଛନ୍ତି । ତୁମେ କାହିଁକି ଆସିବ ନାହିଁ, କାହିଁକି ମୋ’ ହାତରୁ ଖାଇବ ନାହିଁ, କହ ।” ବ୍ୟାକୁଳ ହୋଇ ବାଳକଟି କିଛି ସମୟ କାନ୍ଦିଚି, ଠାକୁର ହସି ହସି ଆସି ଖାଇବାକୁ ଲାଗିଲେ । ଠାକୁରଙ୍କୁ ଖାଇବାକୁ ଦେଇ ପିଲାଟି ଯିବାରୁ ଘରଲୋକ ପଚାରିଲେ, “ଭୋଗ ସରିଗଲା ତ ଉଠାଇ ନେଇ ଆସିଲୁ ନାହିଁ କାହିଁକି?” ପିଲାଟି ଉତ୍ତର ଦେଲା, “”ଠାକୁର ସବୁ ଖାଇଦେଇଛନ୍ତି ।” ସମସ୍ତେ ଠାକୁର ଘରକୁ ଯାଇ ଅବାକ୍ ହୋଇଗଲେ ।
ଖୁବ୍ ବ୍ୟାକୁଳ ହୋଇ କାନ୍ଦିଲେ ସେ ଦେଖା ଦିଅନ୍ତି । ଆତ୍ମୀୟ ସ୍ୱଜନଙ୍କପାଇଁ ଲୋକ କାନ୍ଦୁଛି । ଟଙ୍କା ପଇସାପାଇଁ ଲୋକ କାନ୍ଦୁଛି । ଈଶ୍ୱରଙ୍କ ପାଇଁ କିଏ କାନ୍ଦୁଛି ? ତିନି ଟାଣ ହେଲେ ଈଶ୍ୱର ଦେଖା ଦିଅନ୍ତି । ଏ ତିନି ଟାଣ କ’ଣ ?
ବିଷୟୀର ବିଷୟ ଉପରେ ଟାଣ । ମା’ର ସନ୍ତାନ ଉପରେ ଟାଣ । ସତୀର ପତି ଉପରେ ଟାଣ । ଏଇ ତିନି ଟାଣ ଯାହାର ଏକାଠି ହେବ, ଈଶ୍ୱରଙ୍କୁ ସେ ପାଇବ । ଅର୍ଥାତ୍ ଈଶ୍ୱରଙ୍କୁ ଖୁବ୍ ଭଲ ପାଇବା ଦରକାର ସମସ୍ତ ହୃଦୟର ସହିତ । ବିଷୟୀ ଯେପରି ତା’ର ବିଷୟକୁ ଭଲପାଏ, ମା’ ତା’ର ସନ୍ତାନକୁ, ସତୀ ତା’ର ପତିକୁ । ଏଇ ତିନିଟି ପ୍ରେମ ଏକତ୍ର ହେଲେ ଯାହା ହେବ, ଈଶ୍ୱରଙ୍କପାଇଁ ସେତିକି ପ୍ରେମ ଦରକାର ।
ବାଳକ ଯେପରି ମା’କୁ ନ ଦେଖିଲେ ଦିଗହରା ହୁଏ, ସନ୍ଦେସ୍, ମିଠାଇ ହାତରେ ଦେଲେ ମଧ୍ୟ କିଛି ଶୁଣେ ନାହିଁ, କୌଣସି କଥାରେ ଭୁଲେ ନାହିଁ, ଖାଲି କାନ୍ଦେ ଆଉ କହେ, ମା’ ପାଖକୁ ଯିବି-ଈଶ୍ୱରଙ୍କପାଇଁ ଠିକ୍ ସେହିପରି ଆକୁଳତା ଦରକାର । ସଂସାରର ସମସ୍ତ ପ୍ରଲୋଭନ, ଭୋଗ, ସୁଖ ସେତେବେଳେ ତାକୁ ଭୁଲାଇ ପାରେ ନାହିଁ, ଖାଲି ମା’ କଥା ମନେ ପଡେ଼, ମା’ ସବୁ ଛାଡ଼ି ଦଉଡ଼ି ଆସେ ପୁଅକୁ କୋଳକୁ ନେବାପାଇଁ । ଯେଉଁ ବାଟରେ ଯାଅ- ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ, ଶାକ୍ତ, ବ୍ରହ୍ମଜ୍ଞାନୀ-ଈଶ୍ୱର ଲାଭପାଇଁ ଆବଶ୍ୟକ ଅନ୍ତରର ଗଭୀର ବ୍ୟାକୁଳତା ।
ସନ୍ତାନର ଯେପରି ପିତା ମାତାଙ୍କ ଉପରେ ଦାବି, ସେହିପରି ଆମର ଈଶ୍ୱରଙ୍କ ଉପରେ ଦାବି । ସେ ଆମକୁ ଜନ୍ମ ଦେଇଛନ୍ତି । ସେ ଆମର ବାପ । ଆମର ମା । ଯେଉଁଦିନୁ ସେ ଆମକୁ ଜନ୍ମ ଦେଇଛନ୍ତି, ସେହିଦିନୁ ତାଙ୍କ ପାଖରେ, ତାଙ୍କ ଘରେ ଆମର ଦାବି ଆସିଗଲା । କେତେବେଳେ ଆମେ ଡାକୁ -“ମା’ କଣ ଶୁଣିବୁ ନାହିଁ !” କିମ୍ବା “ହେ ଦୀନନାଥ, ଜଗନ୍ନାଥ–ତୁମ ଛଡ଼ା ତ ମୋର ସଂସାରରେ କେହି ନାହାନ୍ତି; ମୁଁ ଜ୍ଞାନହୀନ, ସାଧନହୀନ, ଭକ୍ତିହୀନ । କିଛି ଜାଣେ ନାହିଁ, ଦୟାକରି ଦେଖାଦିଅ !” ମା’ ବୋଲି ଡାକିଲେ ଟିକିଏ ଦାବି ବଢ଼ିଯାଏ । କାରଣ ବାପ ଅପେକ୍ଷା ମା’ ଉପରେ ଟାଣଟା ବେଶି ଖାଟେ ।
ପିଲାଟି ଗୁଡ଼ି କିଣିବାପାଇଁ ମା’ର କାନି ଟାଣୁଚି । ମା’ ଅନ୍ୟ ସ୍ତ୍ରୀ ଲୋକଙ୍କ ସାଙ୍ଗରେ ବସି କଥା ଭାଷା ହେଉଚି ଓ ରାଗରେ କହୁଚି, “ନା ପଇସା ଦେବିନାହିଁ । ଆଉ ବେଶି ଜିଦ୍ କଲେ ଦେଖିବୁ ।” ପିଲା ଶେଷକୁ କିଛି ନ ପାଇ କାନ୍ଦିବା ଆରମ୍ଭ କରି ଦେଉଚି । ଆଉ କି ମା ଥୟ ଧରେ ? “ବସ ଟିକିଏ–ଏ ପିଲାଟିକୁ ଟିକିଏ ଶାନ୍ତକରି ଆସୁଚି ।” ଏକଥା କହି ପିଲାଟିକୁ ନେଇ ବାକ୍ସରୁ ପଇସା ବାହାର କରି ଦେଉଚି । ସେହିପରି ଈଶ୍ୱର । ସେ ତ ମା’ ପରି ଆପଣାର । ତାଙ୍କ ଉପରେ ଆମର ଜୋର୍ ଖାଟେ । ଈଶ୍ୱରଙ୍କ ଶରଣାଗତ ହୋଇ ତାଙ୍କୁ ବ୍ୟାକୁଳ ହୋଇ ଡାକିଲେ, କାନ୍ଦିଲେ ସେ ନିଶ୍ଚୟ ଶୁଣିବେ । ତାଙ୍କର କୃପା ମିଳିଯିବ ଏବଂ ଥରେ ତାଙ୍କର କୃପା ମିଳିଲେ ତୁମ ପକ୍ଷରେ ସବୁ ସହଜ ହୋଇଯିବ ।