• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»‘ଅନେକ ଦିନ ଉପାସ ରହିଛି’
ଗଳ୍ପ

‘ଅନେକ ଦିନ ଉପାସ ରହିଛି’

ସୌମ୍ୟ ରଞ୍ଜନ ପଟ୍ଟନାୟକBy ସୌମ୍ୟ ରଞ୍ଜନ ପଟ୍ଟନାୟକFebruary 23, 2020No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ପଣ୍ଡିତ ଗୋଦାବରୀଶ ମିଶ୍ର (୧୮୮୬–୧୯୫୬)

ଆମ ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ୱିତୀୟ ଶିକ୍ଷକ ମାଧବ ମିଶ୍ର ରେ ମତେ କହିଲେ, ଏଣ୍ଟ୍ରାନ୍‍ସ ଖଣ୍ଡକ ପାସ୍‍ କରିଗଲେ ମଣିଷରେ ଗଣା ହୁଅନ୍ତୁ । ମାତ୍ର ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ । କ’ଣ ପଢ଼଼ିଛୁ ? ବହିପତ୍ର କିଣିବୁ, ଖୋରାକ ଧରିବୁ, ପ୍ରବାସରେ ଯାଇ ରହିବୁ- ଏସବୁ କରିପାରିଲେ ସିନା ହବ । ଏ ତ ‘ଷାଠିଏ ପଉଟି ଘିଅ ହବ ନା ରାଧା ନାଚିବ’ ।

ବର୍ତ୍ତମାନ ମାଟ୍ରିକୁଲେସନ ପରୀକ୍ଷାର ନାମ ସେ ସମୟରେ ଏଣ୍ଟ୍ରାନ୍‍ସ ଥିଲା । ମୋ ପୂର୍ବରୁ ବାଣପୁରର ଷାଠିଏ ହଜାର ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍‍ସ ପାସ୍‍ କରିିଥିଲେ । ଏଣ୍ଟ୍ରାନ୍‍ସ ପାସ୍‍ କଲେ ଯେ ମନୁଷ୍ୟରେ ଗଣା ହୁଅନ୍ତି, ତାଙ୍କୁ ଦେଖିଲେ ଜଣାଯାଉଥିଲା । ତାଙ୍କ ଦ୍ୱାରେ ଶହ ଶହ ଲୋକ ରୁଣ୍ଡ ହୁଅନ୍ତି । ଦଶ ପଚାଶ ସରବରାକାର ତାଙ୍କ ପାଖେ ଯାଇ ଜୁଟନ୍ତି; ତାଙ୍କ ମୁହଁରୁ ପଦେ କଥା ଶୁଣିବାକୁ ଲୋକ ଚାହିଁ ରହିଥାଆନ୍ତି । ସେ ଖୋରଧା କଚେରିରେ କିରାଣି କାମରେ ରହିଥିଲେ । ତାଙ୍କ ପଛକୁ ମୁଁ ମଧ୍ୟ ଆଉ ଜଣେ ହେଇ ବାହାରିବି ବୋଲି ମୋର ପୁରୀରେ ପଢ଼ିବାବେଳୁ ଅନେକେ ଧରିନେଇଥିଲେ । ସେଥିପାଇଁ ମୁଁ ଛୁଟିରେ ଘରକୁ ଗଲେ ବରାବର ଶୁଣେ, ‘ଟିକିଏ ଦୟା ରଖିବଟି !’

କିନ୍ତୁ ଦୟା ରଖିବା ଅବସ୍ଥାକୁ ଯିବା ପୂର୍ବରୁ ମୋତେ ପ୍ରଥମେ ଚନ୍ଦ୍ରକୁ ହାତ ବଢ଼ାଇବାକୁ ପଡ଼ିଲା; ଅଥଚ ମୁଁ ଦେଖିଲି ଯେ ମୋ ହାତ ପାଉନାହିଁ । ସୁତରାଂ ମାସ ମାସ ଧରି ନୈରାଶ୍ୟ ଭାବରେ ଦିନେ ଆକାଶ କୟାଁ ଓ ଚିଲିକା ମାଛର ସଂଯୋଗ ଘଟିଲା । ମୁଁ ପୁରୀରେ ନାମ ଲେଖାଇବାକୁ ଗଲି । ମୁଁ ନିତି ଅସ୍ଥାୟୀ ମାଇନର ସ୍କୁଲ୍‌ରେ ଯାଇ ବସେ । ଦିନେ ଖୋରଧାର ତହସିଲଦାର ସ୍କୁଲ୍‍ ପରିଦର୍ଶନରେ ଗଲେ । ମୁଁ ଉଚ୍ଚ ବିଦ୍ୟାଳୟକୁ ପଢ଼ିବାକୁ ନଯାଇ ସେଠାରେ କାହିଁକି ଘୁଷୁରୁଛି, ସେ ପଚାରିଲେ । ଶିକ୍ଷକଙ୍କଠାରୁ ଉତ୍ତର ପାଇବା ପରେ ସେ ଟିକିଏ ଭାବି କହିଲେ, ‘ଆଚ୍ଛା, ମୁଁ ତାର ବ୍ୟବସ୍ଥା କରିବି ।’ ଯା ସମୟରେ ସେ ଗୋଟିଏ ବ୍ୟବସ୍ଥା କଲେ ମଧ୍ୟ । ରାମକୃଷ୍ଣ ବୋଷଙ୍କ ନିକଟକୁ ପୁରୀକୁ ମୋ ହାତରେ ଖଣ୍ଡିଏ ଚିଠି ଦେଲେ । ରାମକୃଷ୍ଣ ବୋଷ କଟକର ସେ ଯୁଗର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା । ସେ ‘ଶଶିନିକେତନ’ରେ ରହୁଥିଲେ ।

ରାମକୃଷ୍ଣ ବୋଷ ଚିଠି ପଢ଼ି ମୋ ହାତରେ ପାଞ୍ଚଟି ଟଙ୍କା ଦେଇ କହିଲେ, ‘ଏତିକି ନିଅ, ଆଉ ଆସିବ ନାହିଁ ।’ ସେ ଜଣେ ଧର୍ମଭୀରୁ ଲୋକ । ବି.ଏ. ପାସ୍‍ କରି ଅର୍ଥ ଉପାର୍ଜନ ପନ୍ଥା ଛାଡ଼ି ଜଗନ୍ନାଥ ଧାମ ଆଶ୍ରୟ କରିଥାନ୍ତି ।

ମୁଁ ପୁରୀ ଜିଲ୍ଲା ସ୍କୁଲ୍‍ରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଲି । ସେହି ଶ୍ରେଣୀର ନାମ ଆଜିକାଲି ‘ସପ୍ତମ’ ହୋଇଛି । ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ସବୁ ନିଶୁଣିରେ ଚଢ଼ିବା କ୍ରମରେ ତଳୁ ଉପରକୁ ଗଣାଯାଉଛି; ସେ ସମୟରେ ଉପରୁ ତଳ ଆଡ଼କୁ ଗଣା ଯାଉଥିଲା । ମୁଁ ବିଦ୍ୟାଳୟରେ ପ୍ରବେଶ କଲି ଦୁର୍ଗାପୂଜା ଛୁଟିର କିଛିଦିନ ପୂର୍ବରୁ । ସେ ବର୍ଷର ବାକି କେତେ ମାସ ଓ ଚତୁର୍ଥ ଶ୍ରେଣୀର ପୂରା ବର୍ଷକ ପିତାଙ୍କୁ ଜମି ବିକି ମୋ ପଢ଼ା ଖର୍ଚ୍ଚ ଚଳାଇବାକୁ ପଡ଼ିଲା । ରାମକୃଷ୍ଣ ବୋଷଙ୍କ ପାଖକୁ ଆଉ ଥରେ ଯିବାର ସାହସ ତ ମୋର ନଥିଲା, ଇଚ୍ଛା ମଧ୍ୟ ହେଲା ନାହିଁ । ମୁଁ ପ୍ରଥମେ ତାଙ୍କ ପାଖକୁ ଯେଉଁ ଦିନ ଯାଇଥିଲି, ତାଙ୍କ ଘରୁ ଜଣେ ବାବୁ ବାହାରି ମୋତେ କହିଲେ, ‘କ’ଣ ରୋଷେଇବାସ କର ? ଆମର ପୂଜାରୀ ଅଛି ।’ ଯେତେ ଦରିଦ୍ର ହେଲେ ସୁଦ୍ଧା, ମୁଁ ବାପା-ମାଆଙ୍କର ଗେହ୍ଲା ପୁଅ; ସେତେବେଳେ ‘ପୂଜାରୀ’ ଆଖ୍ୟା ପାଇବାକୁ ପ୍ରସ୍ତୁତ ନଥିଲି । କିନ୍ତୁ ପରେ ବାପା-ମାଆଙ୍କ ମୃତ୍ୟୁ ଉତ୍ତାରେ, କଲେଜରେ ପଢ଼ିବା ବେଳେ ମୋତେ ଅନେକ କାଳ ପ୍ରାୟ ପୂଜାରୀ ଭାବରେ ପଢ଼ାଖର୍ଚ୍ଚ ଉଠାଇବାକୁ ହେଲା ।

ପିତାଙ୍କ ପୈତୃକ ଜମି ବିକ୍ରି ଉପରେ ନିର୍ଭର କରି ମୁଁ ପଢ଼ିଲି; କିନ୍ତୁ ତାଙ୍କର ଜମି ବେଶି ନଥିଲା । ଏକରକ ଉପରେ ବିକ୍ରି ସରିଲା ପରେ ଆଉ ବାକି ରହିଲା ପ୍ରାୟ ଦେଢ଼ ଏକର । ଏବେ ସବୁ ଜିନିଷ ପରି ଜମିବାଡ଼ି ଦାମ୍‍ ବଢ଼ିଛି । ସେତେବେଳେ ଏକରରୁ ବେଶି ଜମି ବିକ୍ରିରୁ ମିଳିଲା ମାତ୍ର ୬୦ଟଙ୍କା । ସୁତରାଂ ମୋତେ ଖର୍ଚ୍ଚ କମାଇ ଚଳିବାକୁ ପଡ଼ିଲା । ସେତେବେଳେ ମୁଁ ଅନେକ ଦିନ ପଇସା ଅଭାବରେ ଉପବାସ ରହିଛି । ଛାତ୍ରାବାସର ରୋଷେଇ ପାଣ୍ଠିକୁ ଟଙ୍କା ନିର୍ଦ୍ଦିଷ୍ଟ ଦିନ ନଦେଲେ ଚାଉଳ ପଡ଼ିବା ବନ୍ଦ ହୋଇଯାଏ । ମୋପାଇଁ ଚାଉଳ ପଡ଼ିବା ବନ୍ଦ ହେବା ଆଦେଶ ହେବା ପୂର୍ବରୁ ମୁଁ ଅବସ୍ଥା ବୁଝି ଅନ୍ୟତ୍ର ଖାଇବି ବୋଲି ବୁଝି ଚାଲିଯାଏ ।

ସେପରି ଘଟଣାରେ ଯେଉଁଠାରେ ଖାଏ, ତାହା ସମୁଦ୍ରକୂଳ; ଯାହା ଖାଏ, ତାହା ପବନ । ଥରେ ଏହି ପରି ପବନ ଖାଇ ଦୁଇ ଦିନ ରହିଗଲି । ମାସିକ ଚାରି ଟଙ୍କାରେ ମୋର ଯାବତୀୟ ଖର୍ଚ୍ଚ ଚଳୁଥିଲା । କେବଳ ଖାଇବା ଖର୍ଚ୍ଚ ମାସକୁ ହାରାହାରି ତିନିଟଙ୍କା ଚାରିଅଣା ପଡ଼ୁଥିଲା । ମୋତେ ସ୍କୁଲ୍‍ରେ ବେତନ ଦେବାକୁ ପଡ଼ୁ ନଥିଲା । ଚାଉଳ ଟଙ୍କାରେ ମିଳୁଥିଲା କଟକୀ ୧୬/୧୭ ସେର ।

ସେ ବର୍ଷ ମୋର ଏକାଦଶ ଶ୍ରେଣୀ । ପରୀକ୍ଷା ନିମନ୍ତେ ପଢ଼ାପଢ଼ି କରିବା କଥା । ଶଶିଦାଙ୍କ ପରାମର୍ଶରେ ମୁଁ ଗ୍ରୀଷ୍ମ ଛୁଟିରେ ଘରକୁ ନଯାଇ ଛାତ୍ରାବାସରେ ରହିଲି ।

‘ନନା ତ ଗଲେ, ମୋ ବୋଉ ଚାଲି ନଗଲେ ରକ୍ଷା ।’ ମୁଁ ଗ୍ରାମରେ ପହଞ୍ଚି ଦେଖିଲି, ବୋଉ ଠିକ୍‍ ଚାଲିଯିବା ଉପରେ । ସେ ଥରେ ଆଖି ଫିଟାଇ, ମୋତେ ଚାହିଁ ଦେଇ ପୁଣି ଯେ ଆଖି ବୁଜିଦେଲା, ସେ ଆଖି ଆଉ ଫିଟିଲା ନାହିଁ । ମୋର ଆଠ ବର୍ଷ ବୟସର ଭଉଣୀଟି ସୁଦ୍ଧା ହଇଜାରେ ଆକ୍ରାନ୍ତ ହୋଇ ପଡ଼ିିଥିଲା । ସବୁ ବରଦାସ୍ତ କରିବାନିମନ୍ତେ ସେ ଦୁର୍ଦ୍ଦିନରେ ଏକମାତ୍ର ଭରସା ମୋ ଅନ୍ଧୁଣୀ ବୁଢ଼ୀମା’ ।

ଦରିଦ୍ର କୁଟୀରରେ ଜନ୍ମ ହୋଇଥିଲେ ସୁଦ୍ଧା ମୁଁ ନିତାନ୍ତ ଅଲିଅଳ ଥିଲି । ଦୁର୍ବଳ ମୁଣ୍ଡରେ ନିର୍ମଳ ଆକାଶରୁ ହଠାତ୍‍ ବଜ୍ର ପଡ଼ିଗଲା । ସେ ବଜ୍ର ମୋତେ ଅସମ୍ଭାଳ ହେବା ବେଳକୁ, ମୁଣ୍ଡ ଦେଖାଇବାପାଇଁ ଆମ ଘରେ ମୋର ସତୁରୀ ବର୍ଷ ବୟସର ବୁଢ଼ୀ ମା’ । ମଫସଲି ପରଳକଢ଼ାଳି ହାତେ ପରଳ କଢ଼ାଇବା ଫଳରେ ତାଙ୍କର ଦିଓଟିଯାକ ଆଖି ଫୁଟିଯାଇଥିଲା । ତାଙ୍କ ପରଳ କଢ଼ାଇବା ଦୃଶ୍ୟ ମୁଁ ପିଲାଦିନେ ଆଖିରେ ଦେଖିଥିଲି । କିନ୍ତୁ ତା’ଠାରୁ ଆହୁରି କରୁଣ ଦୃଶ୍ୟଟିଏ ମନେ ପଡ଼ିଲେ, ଏବେ ପ୍ରାୟ ଛପନ ବର୍ଷ ପରେ ମଧ୍ୟ ମୋ ପଥର ଦେହ ଶୀତେଇ ଯାଏ । ସେ ଦୃଶ୍ୟଟି ହେଉଛି, ପିତା ଘରକୁ ଯେଉଁ ଦିନ ପାଚିଲା କଦଳୀ ଆଣନ୍ତି, ଯୋଡ଼ିକରୁ କମ୍‍ ଆଣନ୍ତି ନାହିଁ । ଗୋଟିଏ ମୋପାଇଁ, ଗୋଟିଏ ବୁଢ଼ୀମା’ପାଇଁ । ମୋ ବୁଢ଼ୀମା’ ତାଙ୍କର ପୋଷିଆଁ ବୋଉ । ସେ ବୁଢ଼ୀମା’ଙ୍କର ପୋଷ୍ୟ ପୁତ୍ର । ବୁଢ଼ୀମା’ କଦଳୀ ଦିଓଟି ମୋ ପାଟିରେ ଦେଇ ନିଜେ ଖାଆନ୍ତି କେବଳ ଚୋପାତକ । ସେ କଦଳୀ ଚୋପା ଗୋରୁ ପାକୁଳି କଲା ପରି ପାକୁଆ ପାଟିରେ ଚୋବେଇ ଲାଗନ୍ତି ।

ଚନ୍ଦ୍ରମୋହନବାବୁ ତିନିମାସ ଛୁଟିରେ ଗଲେ । ଅସ୍ଥାୟୀ ପ୍ରଧାନ ଶିକ୍ଷକ ହେଲେ ଦ୍ୱିତୀୟ ଶିକ୍ଷକ ମାଖନଲାଲ୍‍ ଗାଙ୍ଗୁଲି । ମାଖନବାବୁ ଦିନେ ମୋତେ ହଠାତ୍‍ କହିଲେ, ‘ଗୋଦାବରୀଶ, ମୁଁ ଆଜି ତୋ ଶୋଇବା ସ୍ଥାନ ଦେଖିବାକୁ ଯିବି ।’ ମୁଁ ତାଟକା ହୋଇଗଲି । କେତେ ସମୟ ପରେ ମୁଁ ନିଜେ ଯାଇ ତାଙ୍କୁ ଡାକି ଆଣିଲି । ସେ ଆସି କହିଲେ, ‘ମୁଁ ଭୁଲ ଖବର ପାଇଥିଲି । ଶୁଣିଲି ତୁ ଖାଲି ପଟା ଖଟରେ ଇଟାରେ ମୁଣ୍ଡ ଦେଇ ଶୋଉଛୁ । ତୋ ଅଭାବ କଥା ମୁଁ ଜାଣେ, ମାତ୍ର ଏମିତି ଚଳିବା କ’ଣ ସହଜ ? ଲୋକେ ତିଳକୁ ତାଳ କରି କହନ୍ତି ।’ ତାଙ୍କର ଏ କଥା କହିବା ଯଥାର୍ଥ । ସେ ମୋ ଖଟରେ ସତରଞ୍ଜି ଉପରେ ଚାଦର ଓ ମାଣ୍ଡି ଦେଖିବାକୁ ପାଇଲେ ।

ମୁଁ ମନେକଲି, ସେ କଥା ସେତିକିରେ ସରିଲା । କିନ୍ତୁ ଦୁଇ ଚାରିଦିନ ପରେ ସେ ମୋତେ ଡାକି କହିଲେ, ଗୋଦାବରୀଶ, ତୁ ମୋ ଛାତିରେ ଗୋଟିଏ ଶର ବିନ୍ଧିଦେଲୁ । ଶଶିଦାଙ୍କର ଏତେ ପରିଶ୍ରମ ତୋପାଇଁ ପଣ୍ଡ ହୋଇଗଲା । ମୁଁ ତାଙ୍କୁ ଚିଠି ଲେଖି ଜଣାଇବି ।’

ସେତେବେଳକୁ ବିଚାରାଳୟରେ ମକଦ୍ଦମାର ଆସାମୀ ପରି ମୁଁ ନଇଁ ପଡ଼ିଲିଣି । ତ‌ଥାପି ମୁଁ ମୁହଁ ଟେକି ଉତ୍ତର ଦେଲି, ‘ଆଜ୍ଞା, ମୁଁ ଆପଣଙ୍କୁ ଠକିବା ମତଲବରେ ବା ବଡ଼ଲୋକି ଦେଖାଇବାକୁ ସେପରି କରି ନଥିଲି । ମୁଁ ବୁଝିିଥିଲି ଯେ ଆପଣ ପ୍ରକୃତ ଅବସ୍ଥା ଆଖିରେ ଦେଖିଥିଲେ, ନିଜର ଖଣ୍ଡିଏ ଶେଯ ପଠାଇ ଦିଅନ୍ତେ । ତେଣୁ ମୁଁ ସାଥୀ ପିଲାଙ୍କଠାରୁ ସେସବୁ ମାଗିଆଣି ଆପଣଙ୍କୁ ଦେଖାଇଲି । ମୋର ତ ଚଳିଯାଉଛି, ମୋ ଲାଗି ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’

**********

ବିଶିଷ୍ଟ ଲେଖକ, କବି ଓ ସଂପାଦକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆତ୍ମଜୀବନୀ

‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ରୁ ଉଦ୍ଧୃତ ।

Odia Story Soumya Ranjan Patnaik Books
Share. Facebook Twitter Pinterest LinkedIn Tumblr Reddit Email
Previous Articleଚାରି ରକମର ମାଛ
Next Article ‘ଆମର ସିଲଟ କଲମ ନଥିଲା’
ସୌମ୍ୟ ରଞ୍ଜନ ପଟ୍ଟନାୟକ

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.