“ହେ ଶିକ୍ଷକ! ତୁମେ କବିତା ପଢ଼ାଇବାର ଭାର ଗ୍ରହଣ କରିଅଛ । ଛାତ୍ରମାନେ ତୁମ୍ଭ ନିକଟରେ ମ୍ରିୟମ୍ରାଣ ଭାବରେ ବସିଅଛନ୍ତି। ତୁମ୍ଭେ ନିଜେ ମ୍ରିୟମାଣ ଭାବରେ ଶବ୍ଦର ଅର୍ଥ କହିଦେଉଅଛ। କବିତାର ସୌନ୍ଦର୍ଯ୍ୟ, କବିତାର ଭାବ ପ୍ରତି ତୁମ୍ଭର କିଛିମାତ୍ର ଦୃଷ୍ଟି ନାହିଁ। ତୁମ୍ଭେ କିପରି ସୁକୁମାରମତି ବାଳକମାନଙ୍କୁ କବିତାର ସୌନ୍ଦର୍ଯ୍ୟ ଷିଖାଇପାରିବ ? ତୁମ୍ଭେ କିପରି ଛାତ୍ରମାନଙ୍କର ହୃଦୟ କୁସୁମର ଶ୍ରୀବର୍ଦ୍ଧନ କରିପାରିବ ? ତୁମେ କିପରି ସୁନୀଳ ଅନନ୍ତ ଗଗନ ପଟରେ ଯେଉଁ ରବିଚନ୍ଦ୍ରମୟୀ ମହାକବିତା ଲିଖିତ ହୋଇଅଛି, ସେଥିର ମହିମା ଛାତ୍ରମାନଙ୍କୁ ବୁଝାଇ ସେମାନଙ୍କର ପ୍ରାଣକୁ ଉଦାର କରିପାରିବ ? ତୁମ୍ଭେ କିପରି ସମୁଦ୍ରର ଗମ୍ଭୀର ଧ୍ୱନି ମଧ୍ୟରେ ଛାତ୍ରମାନଙ୍କୁ ବ୍ରହ୍ମାଣ୍ଡପତିଙ୍କର ମହାସ୍ତବ ଶୁଣାଇ ପାରିବ ? ତୁମେ କିପରି ପର୍ବତକାନନ ଜଳସ୍ଥଳ ସର୍ବତ୍ର ଶିକ୍ଷାର ଦ୍ୱାର ଉଦ୍ଘାଟନ କରିପାରିବ? ତୁମ୍ଭେ କିପରି ନରନାରୀ ହୃଦୟର ନିଗୁଢ଼ ସୌନ୍ଦର୍ଯ୍ୟ ନିଜେ ନିଜେ ନଦେଖି ଅନ୍ୟକୁ ଦେଖାଇପାରିବ?
“ହେ ଶିକ୍ଷକ, ତୁମ୍ଭେ ନିଜ ହୃଦୟକୁ ସୌନ୍ଦର୍ଯ୍ୟ ରସରେ ସରସ କରି କବିତାର ସ୍ନିଗ୍ଧ ସମୀରଣ ସେବନ କର । ନୀରସ ସଂସାର ମରୁ ପରିତ୍ୟାଗ କରି କାବ୍ୟର ନନ୍ଦନକାନନ ମଧ୍ୟରେ ବାଲ୍ମୀକି, ବ୍ୟାସ, କାଳିଦାସ, ଭବଭୂତି, ସେକ୍ସପିୟର, ମିଲଟନ୍ ପ୍ରଭୃତି କବି-କୋବିଦମାନଙ୍କର ଅମୃତମୟ ସଂଗୀତ ଶ୍ରବଣକରି କଳ୍ପନା ପକ୍ଷରେ ସ୍ୱର୍ଗମର୍ତ୍ତ୍ୟ ବିଚରଣ କରି ସୌନ୍ଦର୍ଯ୍ୟ ସଂପାଦନ କରିବା ନିମିତ୍ତ ମାନବ ମନକୁ ଦେବ ଭାବରେ ପୂର୍ଣ କରିବା ନିମିତ୍ତ, ଛାତ୍ରମାନଙ୍କର ବୁଦ୍ଧି, କଳ୍ପନା, ସ୍ମୃତି, ହୃଦୟ, ବିବେକ ଓ ଆତ୍ମାର ପୂର୍ଣ କଲ୍ୟାଣ ସଂପାଦନ କରିବା ନିମିତ୍ତ ପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରୁଅଛନ୍ତି । ଜାଗ୍ରତ ହୁଅ, ତୁମ୍ଭ ଜୀବନର ମହାବ୍ରତ ସାଧନ ନିମିତ୍ତ ପ୍ରାଣପଣରେ ଯତ୍ନ କର”। (ଓଡିଆ ସାହିତ୍ୟ ଇତିହାସ, ଡକ୍ଟର ନଟବର ସାମନ୍ତରାୟଙ୍କ ଉଦ୍ଧୃତ ଶିକ୍ଷାବନ୍ଧୁ ୧୮୮୬ ମସିହା ୨/୧୬)
ଉପରୋକ୍ତ ଉକ୍ତି ଜଣେ କବିପ୍ରାଣ ଶିକ୍ଷକଙ୍କ ଠାରୁ ହିଁ ଆଶା କରାଯାଇପାରେ। ୧୯୮୬ ମସିହା ଜାନୁଆରୀ ମାସରେ ପ୍ରକାଶିତ ଏକ ପ୍ରବନ୍ଧରେ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଏହା କୁହାଯାଇଛି । କବିତାକୁ କିପରି ସରସ ଓ ସାର୍ଥକ ଭାବରେ ପିଲାମାନଙ୍କୁ ପଢ଼ାଇ ତା’ର ସ୍ୱାଦ ଓ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରେ ସାହାଯ୍ୟ କରିବା ସାହିତ୍ୟ ଶିକ୍ଷକଙ୍କର ପରମ କର୍ତ୍ତବ୍ୟ । ମାତ୍ର ବାସ୍ତବ କ୍ଷେତ୍ରରେ କବିତା ଶିକ୍ଷାଦାନ ନୀରସ ଓ ନିରର୍ଥକ ହେଉଛି, ତାହା ପ୍ରବନ୍ଧ ଲେଖକ ଚେତାଇ ଦେଇଛନ୍ତି।
ଏହି ପ୍ରବନ୍ଧର ଲେଖକ ଆଉ କେହି ନୁହେଁ, ସ୍ୱୟଂ ଭକ୍ତକବି ମଧୁସୂଦନ ରାଓ । ସ୍ୱନାମଧନ୍ୟ ସାହିତ୍ୟିକ ଡଃ ନଟବର ସାମନ୍ତରାୟ ଯଥାର୍ଥରେ ଲେଖିଛନ୍ତି, “ଜାତିକୁ ନୂତନ ରସବୋଧରେ ଅନୁପ୍ରାଣିତ କରିବାର ପରମ ଦାୟିତ୍ୱ ଥିଲା ତାଙ୍କ (ଶିକ୍ଷକଙ୍କ) ହସ୍ତରେ ଯାହା ଆଧୁନିକ ଶିକ୍ଷାୟତନରେ ଆଧୁନିକ ରୁଚିବୋଧ ଜନ୍ମାଇ ପାରିଥିଲା । ସେଥିରୁ ସମୟରେ ଆବିର୍ଭାବ ଲାଭ କରିଥିଲା ଆଧୁନିକ ସାହିତ୍ୟ” (ଏଜନ,ପୃ୧୪୬)। ସାହିତ୍ୟ ଶିକ୍ଷାଦାନ ପଦ୍ଧତିର ମନ୍ତ୍ରଦାତା ହୋଇଛନ୍ତି ଭକ୍ତକବି ମଧୁସୂଦନ । ସେ ମଧ୍ୟ ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ନିର୍ମାତା।
ମଧୁସୂଦନ ଜନ୍ମଗ୍ରହଣ କରିଥିଲେ ପୁରୀ ପଥୁରିଆ ସାହିରେ ୧୮୫୩ ମସିହାର ବସନ୍ତ ପଞ୍ଚମୀ ଦିନ । ସେତେବେଳେ ମଧୁମାସର ପ୍ରାରମ୍ଭ । ସେଥିପାଇଁ ବୋଧହୁଏ ମଧୁମୟ ସଂଗୀତମାନ ରଚନା କରି ସେ ଧନ୍ୟ ହୋଇଥିଲେ। ତାଙ୍କର ଆଚରଣ ଓ ଆଳାପ ଥିଲା ମଧୁମୟ । ବାଣୀଦେବୀଙ୍କର ଆଶୀର୍ବାଦ ଲାଭ କରି ସେ ଗାଇଥିଲେ, ମଧୁମୟ ସୃଟି,ସୁଧାମୟ ସୃଷ୍ଟି ଅମୃତମୟ ହେ । ମଧୁସୂଦନ ଥିଲେ ଯଥାର୍ଥରେ କବିପ୍ରାଣ ଶିକ୍ଷକ ଓ ଶିକ୍ଷକପ୍ରାଣ କବି । ତାଙ୍କର ପିତା ଥିଲେ ଭାଗୀରଥୀ ରାଓ ଓ ମାତା ଅମ୍ୱିକାବାଲୀ । ଦେହମନରେ ସେ ଥିଲେ ସୁସ୍ଥ, ସଚ୍ଚରିତ୍ର, ସନ୍ତୁଷ୍ଟ ଓ ସଦାଚାରୀ । ତାଙ୍କ ଶିକ୍ଷକ ଜୀବନ ଆରମ୍ଭ ହୋଇଥିଲା ଯାଜପୁର ମଧ୍ଯ ଇଁରାଜୀ ବିଦ୍ୟାଳୟରେ । ପ୍ରଧାନ ଶିକ୍ଷକ ଭାବରେ ମାତ୍ର ୧୮ ବର୍ଷ ବୟସରେ ଏଫ୍ ଏ ପାସ୍ କଲା ପରେ ୧୮୭୧ ମସିହାରେ ସେ ଏଠାରେ ଯୋଗଦେଇ ଥିଲେ । ସେଠାରୁ ସେ ୧୮୭୩ ଖ୍ରୀଷ୍ଟାବ୍ଦ ଅକ୍ଟୋବର ୨୯ ତାରିଖରେ ବାଲେଶ୍ୱର ଜିଲ୍ଲା ସ୍କୁଲର ୨ୟ ଶିକ୍ଷକ ପଦରେ ଯୋଗଦେଇ ସର୍ବପ୍ରଥମ ସରକାରୀ କର୍ମକ୍ଷେତ୍ରରେ ପ୍ରବେଶ କଲେ । ସେଠାରେ ଅବସ୍ଥାନ କାଳରେ ସେ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କ ସାନ୍ନିଧ୍ଯ ଲାଭ କରି ଥିଲେ । ଏହା ଥିଲା ଓଡ଼ିଆ ସାହିତ୍ୟ-ସ୍ରୋତସ୍ୱିନୀର ତ୍ରିବେଣୀ ସଂଗମ ଅବଂ ଅପୂ୍ର୍ବ ମଣିକାଞ୍ଚନ ସଂଯୋଗ ।
୧୮୭୬ରୁ ୩ ବର୍ଷ ସେ ଥିଲେ ରେଭେନସା କଲେଜିଏଟ୍ ସ୍କୁଲର ସରକାରୀ ଶିକ୍ଷକ, କଟକ ଜିଲ୍ଲା ସ୍କୁଲ୍ ସମୂହର ଡେପୁଟି ଇନ୍ସ୍ ପେକ୍ଟର୍ ଏବଂ ୧୯୦୭ରେ ରାଇ ବାହାଦୂର ଉପାଧିପ୍ରାପତ୍ ୧୯୦୮ ମସିହାରେ ସେ ସର୍ବଭାରତୀୟ ଶିକ୍ଷା ସେବା (ଆଇ ଇ ଏସ୍)ରେ ସ୍ଥାନ ପାଇ ମାସିକ ଏକ ଶହ ଟଙ୍କା ଅଧିକା ବେତନ ପାଇଥିଲେ ସେହି ସମୟରେ ଅତିରିକ୍ତ ଇନ୍ସ ପେକ୍ଟର୍ ପଦରେ ଅବସ୍ଥାପିତ ମଧୁସୂଦନ ୧୯୦୯ରେ ସରକାରୀ ବୃତ୍ତିରୁ ଅବସର ଗ୍ରହଣ କଲେ ବାଲେଶ୍ୱରରେ ଫକୀରମୋହନ ସେତେବେଳେ ପ୍ରତିଷ୍ଠା କରିଥିଲେ ଏକ ନୂତନ ମୁଦ୍ରଣ ଯନ୍ତ୍ର(ପ୍ରେସ୍) ରାଧାନାଥ ଓ ମଧୁସୂଦନଙ୍କ ସହଯୋଗରେ ସେ ପ୍ରକାଶ କରିଥିଲେ ପତ୍ରିକା ବାଲେଶ୍ୱର ସମ୍ବାଦବାହିକା ଓ ବୋଧଦାୟିନୀ ଏହି ପତ୍ରିକା ମାଧ୍ୟମରେ ସମ୍ବାଦ ଓ ସାହିତ୍ୟର ପ୍ରସାର ଘଟିଥିଲା ଓଡିଆ ସାହିତ୍ୟରେ ଏହା ଦ୍ୱାରା ନୂତନ ଅଧ୍ୟାୟ ଉନ୍ମୋଚିତ ହୋଇ ଥିଲା ସେତେବେଳେ ବାଲେଶ୍ୱରର ରାଜକୁମାର ବୈକୁଣ୍ଠନାଥ ଦେ ମଧ୍ୟ ଗୋଟିଏ ପ୍ରେସ୍ ପ୍ରତିଷ୍ଠା କରି ସେମାନଙ୍କ ସାହାଯ୍ୟରେ ଉତ୍କଳ ଦର୍ପଣପତ୍ରିକା ପ୍ରକାଶ କଲେ ମଧୁସୂଦନଙ୍କର ଅନେକ ଉପାୟ କବିତା ଓ ପ୍ରବନ୍ଧ ଏହି ପତ୍ରିକାରେ ମଧ୍ୟ ଆତ୍ମ ପ୍ରକାଶ କରିଥିଲା ପରବର୍ତ୍ତୀ କାଳରେ ସେଗୁଡିକ ସଂକଳିତ ହୋଇ ପ୍ରକାଶିତ ହୋଇଥିଲା ଯଥାକ୍ରମେ କବିତାବନୀ ଓ ପ୍ରବନ୍ଧମାଳୀ ରୂପରେ ସେଗୁଡିକ ତ୍କଟ ପାଠ୍ୟପୁସ୍ତକ ରୂପେ ବହୁଦିନ ଧରି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା । ସେ ଓ ରାଧାନାଥ ପାଠ୍ୟପୁସ୍ତକର ବିକଟ ଅଭାବ ଅନୁଭବ କରି ବହୁ ଶ୍ରମ ସ୍ୱୀକାର ପୂର୍ବକ ଏହିପରି ପାଠ୍ୟପୁସ୍ତକମାନ ରଚନା କରିଥିଲେ । ମାତ୍ର ସେମାନେ ଓଡ଼ିଶାର ଶିକ୍ଷା ବିଭାଗର ଉଚ୍ଚ ପଦାଧିକାରୀ ହୋଇଥିବାରୁ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଓ ପ୍ରତିପତ୍ତି ବିସ୍ତାର କରିଛନ୍ତି ବୋଲି ସମାଲୋଚିତ ହୋଇଥିଲେ । ମାତ୍ର ଏହା ନିତାନ୍ତ ଅମୂଳକ ଓ ଅସୂୟା-ପ୍ରଣୋଦିତ ବୋଲି ପ୍ରମାଣିତ ହୋଇଛି ।
୧୮୯୫ ମସିହାରେ ପ୍ରକାଶିତ ମଧୁସୂଦନଙ୍କ “ବର୍ଣ୍ଣବୋଧ” ଶତାବ୍ଦୀବ୍ୟାପୀ ଓଡିଆ ଭାଷା ଶିକ୍ଷାର ଶ୍ରେଷ୍ଠ ମାଧ୍ୟମ ଭାବରେ ଆଦୃଅତ ହୋଇଆସିଛି ।ଜଣେ ସଫଳ ଓ ସୁଦକ୍ଷ ଶିକ୍ଷକ ଭାବରେ ସେ ଏହି ପୁସ୍ତକଟିର ଅକ୍ଷର ଶିକ୍ଷା ଠାରୁ ଆରମ୍ଭ କରି ଭାଷା ଓ ସାହିତ୍ୟ ଏବଂ ଛାତ୍ରଛାତ୍ରୀଙ୍କର ଚରିତ୍ର ଗଠନ କ୍ଷେତ୍ରରେ ସାର୍ଥକ ଉଦ୍ୟମ କରିଛନ୍ତି ଗୋଟିଏ ଉଦାହରଣ ଥିଲା-
“ପାହିଲା ଅନ୍ଧାର ରଜନୀ, ଉଠ ଉଠ ବାଳକେ
ନବୀନପ୍ରଭାତ ସମୟ, ଏବେ ଗାଅ ପୁଲକେ ”
ସେହିପରି ଆଉ ଗୋଟିଏ ପଦ ହେଲା,
“ମଧୁର ବିନୟ ବଚନ,
କହି ତୋଷିବ ଜନମନ” ।
ସରଳ ଓ ସୁବୋଧ୍ୟ ଭାଷାରେ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି ଶିକ୍ଷକପ୍ରାଣ ମଧୁସୂଦନ
ମଧୁସୂଦନ ବିଦ୍ୟାଳୟ ପରିଦର୍ଶକ ଭାବରେ ଶିକ୍ଷକମାନଙ୍କର ସାହିତ୍ୟ ଶିକ୍ଷାଦାନରେ ଅସନ୍ତୁଷ୍ଟ ହୋଇ ଏ ଦିଗରେ ଉନ୍ନତି ଆଣିବାକୁ ଉଦ୍ୟମ କରିଥିଲେ ବହୁ ଭାବରେ ଆଦର୍ଶ ଶିକ୍ଷାଦାନ ଓ ପ୍ରବନ୍ଧପ୍ରକାଶନ ମାଧ୍ୟମରେ ସେ ଏଥିପାଇଁ ସଫଳ ଉଦ୍ୟମ କରିଥିଲେ ଶ୍ରେଣୀ ପରିଦର୍ଶନ ସମୟରେ ଶିକ୍ଷାଦାନଗତ ତ୍ରୁଟି ଦେଖିଲେ ମଧୁସୂଦନ ସଂପୃକ୍ତ ଶିକ୍ଷକଙ୍କୁ ସମାଲୋଚନା ନକରି ତାଙ୍କୁ ବସାଇ ନିଜେ ଆଦର୍ଶ ଶିକ୍ଷାଦାନ କରୁଥିଲେ ଏହାଫଳରେ ଛାତ୍ରଛାତ୍ରୀଗଣ ଓଡିଆ ସାହିତ୍ୟ ପ୍ରତି ଆଗ୍ରହୀ ହେବା ସଂଗେ ସଂଗେ ଶିକ୍ଷକଗଣ ଉକ୍ତ ଶିକ୍ଷାଦାନ ଦ୍ୱାରା ବିଶେଷ ଉପକୃତ ହୋଇଥିଲେ ସେ ଥିଲେ ବାସ୍ତବରେ ଆଜନ୍ମ ଶିକ୍ଷକ
କଟକରେ ବିଦ୍ୟାଳୟ ସୁବିଧା ପର୍ଯ୍ୟାପ୍ତ ହୋଇ ନଥିବାରୁ ଆଧୁନିକ ଶିକ୍ଷାର ପ୍ରସାର ନିମିତ୍ତ ମଧୁସୂଦନ ୧୮୮୧ ମସିହାରେ କଟକ ଟାଉନ୍ ସ୍କୁଲ (ଆଜିର ଉକ୍ତ ମଧୁ ବିଦ୍ୟାପୀଠ) ପ୍ରତିଷ୍ଠା କରିଥିଲେ । ପ୍ରାରମ୍ଭିକ ଅବସ୍ଥାରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ବିଶିଷ୍ଠ ଶିକ୍ଷାବିଦ୍ ଓ ସାହିତ୍ୟିକ ସର୍ବଶ୍ରୀ ବିଜୟଚନ୍ଦ୍ର ମଜୁମଦାର, ବିଶ୍ୱନାଥ କର, ନନ୍ଦକିଶୋର ବଳ ପ୍ରମୁଖ କାର୍ଯ୍ୟ କରିଥିଲେ । ୧୮୮୯ ମସିହାରେ ଏହା ହାଇସ୍କୁଲ ସ୍ତରକୁ ଉନ୍ନୀତ ହୋଇଥିଲେ ହେଁ ତାଙ୍କ ପକ୍ଷରେ ଆବଶ୍ୟକ ଅର୍ଥ ଯୋଗାଇବା କଷ୍ଟକର ହୋଇଥିଲା । ଅବଶ୍ୟ ପରେ ତାହା ପୁନର୍ବାର ଉନ୍ନୀତ ହୋଇ ଅନ୍ୟତମ ହାଇସ୍କୁଲ ଭାବରେ ପ୍ରତିଷ୍ଠା ଅର୍ଜନ କରିଥିଲା । ମଧୁସୂଦନ ଦୀର୍ଘ ୧୧ ବର୍ଷ କାଳ କଟକ ଜିଲ୍ଲାର ଡେପୁଟି ଇନ୍ସ୍ପେକ୍ଟର ଭାବରେ କର୍ତ୍ତବ୍ୟ ସମ୍ପାଦନ କରିବା ସହିତ ଉକ୍ତ ଶିକ୍ଷାନୁଷ୍ଠାନର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମଧୁସୂଦନ ୧୮୯୧ ମସିହା ଜୁଲାଇ ମାସରେ ରେଭେନ୍ସା କଲେଜିଏଟ୍ ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ଏହି ପଦବୀ ଲାଭ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଏହା ପରେ ୧୮୯୩ ମସିହାରେ ଅକ୍ଟୋବର ୨୬ ତାରିଖରେ କଟକ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ସେ ନିଯୁକ୍ତ ହୋଇଥିଲେ ଏବଂ ସେଦିନ ଠାରୁ ଆରମ୍ଭ ହୋଇଥିଲା ପଣ୍ତିତ ମୃତ୍ୟୁଞ୍ଜୟ ରଥଙ୍କ ଭାଷାରେ “ମଧୁସୂଦନ ଯୁଗ” । ମଧୁବାବୁ ପରିଦର୍ଶନ ଭାବରେ ବହୁଦିନ ଧରି ଶିକ୍ଷକମାନଙ୍କ ଶିକ୍ଷାଦାନରେ ଯେଉଁସବୁ ଦୋଷତ୍ରୁଟି ଲକ୍ଷ୍ୟ କରିଥିଲେ ସେଗୁଡ଼ିକର ଦୂରୀକରଣ ପାଇଁ ଏହା ଥିଲା ସୁବର୍ଣ୍ଣ ସୁଯୋଗ । ସେତେବେଳେ ବିଦ୍ୟାଳୟପରିଚାଳନା ଓ ଶିକ୍ଷାଦାନ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏଥିରେ ନେତୃତ୍ୱ ନେଇଥିଲେ ବାଗ୍ମୀ ବିଶ୍ୱନାଥ କର ଏବଂ ସେ ଥରେ କହିଥିଲେ, “ଟ୍ରେନିଂ ସ୍କୁଲ ପ୍ରତି ସରକାର ସଜାଗ ଦୃଷ୍ଟି ଦିଅନ୍ତୁ । ଏଥିରେ ଉପଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ ଏବଂ ଉପଯୁକ୍ତ ପାଠ୍ୟପୁସ୍ତକ ନିର୍ବାଚନ କରାଯାଉ । ମଧୁସୂଦନ ଏହି ଆନ୍ଦୋଳନର ଲକ୍ଷ୍ୟଗୁଡ଼ିକୁ ସାଧନ କରିବାରେ ସଫଳ ହୋଇଥିଲେ । ମଧୁସୂଦନ ଶିକ୍ଷକ ପ୍ରସ୍ତୁତି ଦାୟିତ୍ୱ ଗ୍ରହଣ କରିବାଠାରୁ ଗୁରୁଛାତ୍ରମାନଙ୍କର ବୌଦ୍ଧିକ ଓ ବୃତ୍ତିଗତ ଦକ୍ଷତା ବୃଦ୍ଧି ଲାଗି ବହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ । ଏହି କ୍ଷେତ୍ରରେ ସ୍ୱର୍ଗତ ଚନ୍ଦ୍ରମୋହନ ମହାରଣା ଓ ମଧୁସୂଦନ ଦାଶ ସମର୍ଥ ସହକର୍ମୀ ଭାବରେ ତାଙ୍କର ବିଶେଷ ସହାୟକ ହୋଇଥିଲେ । ଗୁରୁଛାତ୍ରମାନଙ୍କ ଜ୍ଞାନର ବିକାଶ ନିମନ୍ତେ ପୁସ୍ତକ ଅଧ୍ୟୟନ ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ସେ ଉପଯୁକ୍ତ ପାଠ୍ୟପୁସ୍ତକ ପ୍ରଣୟନ ଓ ନିର୍ବାଚନରେ ଯତ୍ନବାନ୍ ହୋଇଥିଲେ । ମଧୁସୂଦନ ପ୍ରଶିକ୍ଷଣବିଦ୍ୟାଳୟରେ ପ୍ରଚଳିତ ପାଠ୍ୟକ୍ରମକୁ ଆହୁରି ବ୍ୟାପକ ଓ ସମୃଦ୍ଧ କରିଥିଲେ । ଯେଉଁ ବିଷୟରେ ମୌଳିକ ପୁସ୍ତକର ଅଭାବ ଥିଲା, ତାକୁ ପୂରଣ କରିବାକୁ ସେ ବଙ୍ଗଳା ଓ ଇଂରେଜ ପୁସ୍ତକର ଅନୁବାଦ କରୁଥିଲେ । ମଧୁସୂଦନ ନିଜେ ଶ୍ରେଣୀଅଧ୍ୟାପନାରେ ନେତୃତ୍ୱ ନେଇ ଉପଯୁକ୍ତ ଶିକ୍ଷାଦାନ କୌଶଳ ଓ ମାର୍ଗଦର୍ଶନ ପ୍ରଦାନ କରୁଥିଲେ । ଏଥିରେ ତାଙ୍କର ଗଭୀର ନିଷ୍ଠା ଓ ଆଗ୍ରହ ଥିଲା । ପ୍ରଧାନ ଶିକ୍ଷକ ଭାବରେ ପ୍ରାଶାସନିକ ଦାୟିତ୍ୱ ସଂପାଦନ କରିବା ସଙ୍ଗେ ସଙ୍ଗେ ମଧୁସୂଦନ ସାହିତ୍ୟ, ସଂସ୍କୃତ, ଗଣିତ, ଏମିତିକି ଶାରୀରିକ ଶିକ୍ଷାଦାନରେ ଅଂଶଗ୍ରହଣ କରୁଥିଲେ । ସଂପୃକ୍ତ ଶିକ୍ଷକ ଅନୁପସ୍ଥିତ ରହିଲେ ସେ ନିଜେ ଉକ୍ତ ଶ୍ରେଣୀରେ ଶିକ୍ଷାଦାନ କରୁଥିଲେ । ଭକ୍ତକବି ମଧୁସୂଦନ ଥିଲେ ଉତ୍କଳ ସାହିତ୍ୟ ସମାଜର ଜନକ । ଏହି କଟକ ଟ୍ରେନିଂ ସ୍କୁଲ ଥିଲା ଉତ୍କଳ ସାହିତ୍ୟ ସମାଜର ଏନ୍ତୁଡ଼ିଶାଳ । ଗୁରୁଛାତ୍ର ଓ ଶିକ୍ଷକମାନଙ୍କ ମନରେ ସାହିତ୍ୟ ପ୍ରତି ଅନୁରାଗ ଜାତ କରାଇ ସେମାନଙ୍କ ମଧ୍ୟରେ ସେ ପ୍ରେରଣା ଭରି ଦେଇଥିଲେ । ପ୍ରଧାନ ଶିକ୍ଷକ ଥିଲାବେଳେ ସେ ଏଠାରେ ଗୋଟିଏ “ଆଲୋଚନା ସଭା” ଗଠନ କରି ସାହିତ୍ୟିକ ବିଚାରବିମର୍ଶ କରାଉଥିଲେ । ଏହାର ପ୍ରତିଷ୍ଠା ହୋଇଥିଲା ୧୮୯୪ ମସିହାରୁ ଏବଂ ପ୍ରତି ଶନିବାର ଦିନ ଏହାର ବୈଠକ ବସୁଥିଲା । ଏହାର ପ୍ରଥମ ସଂପାଦକ ଥିଲେ ଚନ୍ଦ୍ରମୋହନ ମହାରଣା ଏବଂ ବାହାରୁ ଯୋଗଦାନ କରୁଥିବା ସାହିତ୍ୟ ସ୍ରଷ୍ଟାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ବିଶ୍ୱନାଥ କର, ନନ୍ଦ କିଶୋର ବଳ, ରାଜମୋହନ ବସୁ, କୃଷ୍ଣପ୍ରସାଦ ଚୌଧୁରୀ । ମଧୁସୂଦନ ପ୍ରତିଷ୍ଠାତା ସଭାପତି ଭାବରେ ଦୀର୍ଘ ନଅ ବର୍ଷ କାଳ ଦାୟିତ୍ୱ ସଂପାଦନ କରି ଛାତ୍ର ଓ ଶିକ୍ଷକବୃନ୍ଦଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ପ୍ରତି ସେବା ଓ ସାଧନା ମନୋବୃତ୍ତି ସୃଷ୍ଟି କରି ପାରିଥିଲେ । ଟ୍ରେନିଂ ସ୍କୁଲର ଏହି ଆଲୋଚନା ସଭା ୧୯୦୩ ମସିହା ମଇ ମାସ ୭ ତାରିଖରେ “ଉତ୍କଳ ସାହିତ୍ୟ ସମାଜ” ନାମରେ ପ୍ରତିଷ୍ଠିତ ହୋଇଥିଲା । ମଧୁସୂଦନ ଭଗ୍ନ ସ୍ୱାସ୍ଥ୍ୟରେ ମଧ୍ୟ ଆଲୋଚନା ସଭା ବୈଠକଗୁଡ଼ିକରେ ଯୋଗଦାନ କରିବାଠାରୁ ଉତ୍କଳ ସାହିତ୍ୟ ସମାଜର ନାମକରଣ ଓ ସଂଗଠନ ସଂପର୍କୀୟ ନିୟମାବଳୀ ପ୍ରଣୟନ ପର୍ଯ୍ୟନ୍ତ ସବୁଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୮୯୭ ମସିହାରେ “ଆଲୋଚନା ସଭା” ର ତୃତୀୟ ବାର୍ଷିକ ସମ୍ମିଳନୀରେ ବିଶ୍ୱନାଥ କର ଯଥାର୍ଥରେ କହିଥିଲେ, “ଏହି ଆଲୋଚନା ସଭା ଉପଯୁକ୍ତ କ୍ଷେତ୍ରରେ ସଂସ୍ଥାପିତ ହୋଇଅଛି । ନର୍ମାଲ୍ ସ୍କୁଲ୍ (ତତ୍କାଳୀନ ଟ୍ରେନିଂ ସ୍କୁଲ୍) ଓଡ଼ିଆ ଭାଷାର ସର୍ବୋଚ୍ଚ ବିଦ୍ୟାଳୟ । ଏହାର ଛାତ୍ରମାନେ ଉତ୍କଳ ଭୂମିର ନାନା ସ୍ଥାନରେ କାର୍ଯ୍ୟ କରିବାକୁ ଯିବେ । ସେମାନେ ଯେବେ ସାହିତ୍ୟ ସେବାର ଉନ୍ନତ ଭାବ ଓ ଆକଂକ୍ଷା ପ୍ରାଣରେ ପୋଷଣ କରି କର୍ତ୍ତବ୍ୟ ସାଧନରେ ତତ୍ପର ହୁଅନ୍ତି, ତାହାହେଲେ ସେମାନଙ୍କ ଦ୍ୱାରା ଦେଶର ଅଶେଷ କଲ୍ୟାଣ ସାଧିତ ହୋଇପାରିବ । ସେମାନେ ନିଜେ ସାହିତ୍ୟ ସେବା କରି ଜୀବନ କୃତାର୍ଥ କରିପାରିବେ ଏବଂ ଅନ୍ୟ ଶତ ଶତ ପ୍ରାଣରେ ସାହିତ୍ୟ ସେବାର ଭାବ ଜାଗ୍ରତ କରିବାକୁ ସମର୍ଥ ହେବେ ।” ବାସ୍ତବ କ୍ଷେତ୍ରରେ ତତ୍କାଳୀନ ଛାତ୍ର ଶିକ୍ଷକଗଣ ହିଁ ପରବର୍ତ୍ତୀ କାଳରେ ବିଶିଷ୍ଟ ସାହିତ୍ୟିକ ହୋଇପାରିଥିଲେ ।
ମଧୁସୂଦନ ୧୯୦୯ ମସିହା ଜୁଲାଇ ୨୮ ତାରିଖରେ ଓଡ଼ିଶାର ସ୍କୁଲ୍ ଇନ୍ସ୍ପେକ୍ଟର ଭାବରେ ଅବସର ଗ୍ରହଣ କରିଥିଲେ ଏବଂ ପୂର୍ବରୁ ପ୍ରତିଷ୍ଠିତ ଟାଉନ୍ ଭିକ୍ଟୋରିଆ ହାଇସ୍କୁଲର ସ୍ଥାୟୀ ଗୃହ ନିର୍ମାଣ ଓ ଏହାର ବହୁବିଧ ଉନ୍ନତିକର କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିଲେ । ନିଜର ସଂଚିତ ଅର୍ଥ ଏହି ବିଦ୍ୟାଳୟର ପ୍ରତିଷ୍ଠା ଓ ବିକାଶ ପାଇଁ ପଯ୍ୟାପ୍ତ ହୋଇନଥିଲା । ତେଣୁ ଜରାଜୀର୍ଣ୍ଣ ସ୍ୱାସ୍ଥ୍ୟରେ ସେ ବିଭିନ୍ନ ସ୍ଥାନକୁ ଯାତ୍ରା କରି ଏହି ଅନୁଷ୍ଠାନ ପାଇଁ ଅର୍ଥ ସଂଗ୍ରହ କରିଥିଲେ । ରାଜ୍ୟର ବହୁ ଶିକ୍ଷାପ୍ରେମୀ ବଦାନ୍ୟ ବ୍ୟକ୍ତି ଏହି ମହତ୍ କାର୍ଯ୍ୟରେ ଋଷିପ୍ରାଣ ମଧୁସୂଦନଙ୍କୁ ସାହାଯ୍ୟ କରିଥିଲେ । ୧୯୧୨ ଡ଼ିସେମ୍ବର ୨୮ ତାରିଖରେ ସେ ଶେଷଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଏହାର କାର୍ଯ୍ୟନିର୍ବାହୀ ସମିତିର ସଭାପତି ଥିଲେ ଏବଂ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ସଭ୍ୟ ଓ କର୍ମକର୍ତ୍ତା ରହି ସବୁ କାର୍ଯ୍ୟରେ ସହଯୋଗ କରିଥିଲେ । ଭକ୍ତ କବିଙ୍କ ମୃତ୍ୟୁ ପରେ ରାୟ ବାହାଦୁର ଜାନକୀ ନାଥ ବୋଷ (ନେତାଜୀଙ୍କ ପିତା) ଏହି ସମିତିର ସଭାପତି ହୋଇଥିଲେ । କୁଳବୃଦ୍ଧ ମଧୁସୂଦନ, ଗୋପାଳଚନ୍ଦ୍ର ପ୍ରହରାଜ, ବିଶ୍ୱନାଥ କର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ (ବିଜୁ ପଟ୍ଟନାୟକଙ୍କ ପିତା) ପ୍ରମୁଖ ଏହାର ସଦସ୍ୟ ହୋଇଥିଲେ । ପ୍ରତିଷ୍ଠାତାଙ୍କ ମୃତ୍ୟୁ ପରେ ଉକ୍ତ ହାଇସ୍କୁଲର ନାମ ଭକ୍ତମଧୁ ବିଦ୍ୟାପୀଠ ହୋଇଥିଲା । ଶିକ୍ଷାକ୍ଷେତ୍ରରେ ଏହା ମଧ୍ୟସୂଦନଙ୍କର ଏକ ଅକ୍ଷୟ କୀର୍ତ୍ତିସ୍ତମ୍ଭ ।
ଆଧୁନିକ ଓଡ଼ିଆ ଶିଶୁ ସାହିତ୍ୟ ତଥା ପାଠ୍ୟପୁସ୍ତକର ଜନକ ଭାବରେ ଭକ୍ତକବି ଚିରସ୍ମରଣୀୟ । ତାଙ୍କର “ବର୍ଣ୍ଣବୋଧ” ଦୀର୍ଘକାଳ ଧରି ପିଲାମାନଙ୍କର ଅକ୍ଷର ଶିକ୍ଷା ସହିତ ସାହିତ୍ୟ ଶିକ୍ଷାରେ ସହାୟକ ହୋଇ ଆସିଛି । ତାଙ୍କର ଶିଶୁସାହିତ୍ୟ ରଚନା ଖୁବ୍ ଉପଭୋଗ୍ୟ ଓ ସାର୍ଥକ । କେତୋଟି କବିତାଂଶ ଏଠାରେ ଉଦ୍ଧାର କରିବାର ଲୋଭ ସମ୍ବରଣ କରି ହେଉନାହିଁ । ଏହା ଶିଶୁ ଶିକ୍ଷା, ସାହିତ୍ୟ ଓ ଭକ୍ତିଭାବ ତଥା ସଦ୍ ସ୍ୱଭାବ ଗଠନରେ ବିଶେଷ ପ୍ରେରଣା ଦେଇ ପାରିଥିଲା ସେଗୁଡ଼ିକର କେତୋଟି ଦୃଷ୍ଟାନ୍ତ ହେଲା – “ବାଳକେ ମୋର ବୋଲ କର, ସତ୍ୟ ପାଳିବ ନିରନ୍ତର” । “ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜ୍ଜନ” । ଭକ୍ତକବିଙ୍କର ପ୍ରାର୍ଥନା କବିତାଗୁଡ଼ିକ କିପରି ମର୍ମସ୍ପର୍ଶୀ ଦେଖନ୍ତୁ । “ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର, ଜାଣୁଛନ୍ତି ପ୍ରତିକ୍ଷଣେ,” “ମୋ ପାଶେ ଅଛନ୍ତି ଦିବସ ରଜନୀ, ମହାପ୍ରଭୁ ପରାତ୍ପର ଏ କତା ସୁମରି ହୃଦୟେ ତାହାଙ୍କୁ, ପୂଜିବି ମୁଁ ନିରନ୍ତର ।” ଊତୁ ବର୍ଣ୍ଣନା, ଜଗତ ଓ ଜୀବନ ସଂପର୍କୀୟ ଭକ୍ତକବିଙ୍କର କବିତା ଅନନ୍ୟ । ଏମିତିକି ତାଙ୍କର କେତେକ ଇଂରେଜୀ କବିତାର ଅନୁବାଦ ଏକାନ୍ତ ମୌଳିକ ଓ ସାର୍ଥକ । ତାଙ୍କର “ଜୀବନ ଚିନ୍ତା” “ଋଷି ପ୍ରାଣେ ଦେବାବତରଣ”, “ଏ ସୃଷ୍ଟି ଅମୃତମୟ ହେ”, “ପଦ୍ମ”, ଓ “ନିର୍ବାସିତର ବିଳାପ” ଆଦି କବିତାମାନ ଅନୁପମ ଓ ସଦା ସ୍ମରଣୀୟ । ଭକ୍ତକବି ମଧୁସୂଦନଙ୍କ ବ୍ୟକ୍ତିତ୍ୱ ବହୁମୁଖୀ । ସେ ଥିଲେ, ଏକଧାରରେ ଜ୍ଞାନ, ଭକ୍ତି, କର୍ମ ଓ ପ୍ରେମର ଅଫୁରନ୍ତ ଉତ୍ସ, ଆଧୁନିକ ଯୁଗର ଏହି ଭକ୍ତକବି, ଶିଶୁସାହିତ୍ୟର ଜଙ୍କ, ଉତ୍କଳ ସାହିତ୍ୟ ସମାଜର ସ୍ରଷ୍ଟା, ଭକ୍ତମଧୁ ବିଦ୍ୟାପୀଠର ପ୍ରତିଷ୍ଠାତା, ସୁଦକ୍ଷ ଶିକ୍ଷକ, ନୀତିବାଦୀ ସାହିତ୍ୟିକ, ବ୍ରହ୍ମବାଦୀ ଓ ଜାତୀୟ ନବଜାଗୃତିର ଅନ୍ୟତମ ପଥପ୍ରଦର୍ଶକ ଭାବରେ ହୋଇଛନ୍ତି ସୁନାମଧନ୍ୟ । ମାତ୍ର ସର୍ବୋପରି ଜଣେ ଅନନ୍ୟ ଓ ଅଗ୍ରଗଣ୍ୟ ଶିକ୍ଷକ ଓ ଶିକ୍ଷାବିଦ୍ ଭାବରେ ତାଙ୍କର ପ୍ରତିଭା ଓ ପ୍ରତିଷ୍ଠା ଥିଲା ଅସାଧାରଣ । ସେ ଥିଲେ ପ୍ରଥମେ ଶିକ୍ଷକ ଓ ପରେ ଅନ୍ୟକିଛି । ଶିକ୍ଷାକୁ ଜ୍ଞାନାର୍ଜନ, ଚରିତ୍ରଗଠନ,ସାହିତ୍ୟ ସର୍ଜନା ଓ ଆଧ୍ୟାତ୍ମିକ ଜୀବନଚର୍ଯ୍ୟାର ଶ୍ରେଷ୍ଠ ମାଧ୍ୟମ ତଥା ଆୟୁଧ ଭାବରେ ବ୍ୟବହାର କରିବାରେ ସେ ଥିଲେ ସିଦ୍ଧହସ୍ତ ଓ ପ୍ରକୃଷ୍ଟ ପ୍ରବକ୍ତା । ଏହା ଏକ ଉଲ୍ଲେଖଯୋଗ୍ୟ ଘଟଣା ଯେ, ଭକ୍ତକବି ଇହଧାମ ତ୍ୟାଗ କରିବା ବର୍ଷ (୧୯୧୨) ଉତ୍କଳମଣି ଗୋପବନ୍ଧୁଙ୍କ ସନିର୍ବନ୍ଧ ଅନୁରୋଧକ୍ରମେ ସତ୍ୟବାଦୀରେ ଅନୁଷ୍ଠିତ ଶିକ୍ଷାସମ୍ମିଳନୀରେ ଅଧ୍ୟକ୍ଷତା କରି ଏହିପରି ଶିକ୍ଷା ପ୍ରସାର ପାଇଁ ଉଦ୍ୟମ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବ୍ୟାସକବି ଫକୀରମୋହନ ଯଥାର୍ଥରେ ଗାଇଛନ୍ତି –
“ଆଦର୍ଶ ମନୁଷ୍ୟ ଯେବେ ଦେଖିବାକୁ ଚାହିଁ,
ଧାଇଁ ଆସି ଥରେ ଦେଖି ଯାଅ ମଧୁରାଓ”
“ମଧୁରାଓ” ଥିଲେ ପ୍ରକୃତରେ ଆଦର୍ଶ ମାନବ ଏବଂ ତାଙ୍କର ଋଷିପ୍ରାଣରେ ଦେବାବତରଣ ସମ୍ଭବ ହୋଇଥିଲା । ତାଙ୍କ ପାଇଁ ଶିକ୍ଷକତା ଥିଲା “ଅମୃତର ସୋପାନ,” ଓ ସମଗ୍ର ସୃଷ୍ଟିକୁ ଅମୃତମୟ କରିବାର ଦୂରନ୍ତ ସ୍ୱପ୍ନ ।