• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତି ଜାଗୃତି ଓ ପ୍ରଗତି»ଆମେ ଓଡ଼ିଆ ମାତ୍ର ଚିନ୍ତା ଦେଢ଼ିଆ
ଜାତି ଜାଗୃତି ଓ ପ୍ରଗତି

ଆମେ ଓଡ଼ିଆ ମାତ୍ର ଚିନ୍ତା ଦେଢ଼ିଆ

Subrat Kumar PrustyBy Subrat Kumar PrustyFebruary 13, 2020No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ନିକଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ହିନ୍ଦୁ କଲେଜର “ହିନ୍ଦୀ ଭାଷା ଓ ସାହିତ୍ୟ ବିଭାଗ” ସ୍ନାତକ-ସମ୍ମାନ ଶ୍ରେଣୀରେ ନାମଲେଖା ଉଦ୍ଦେଶ୍ୟରେ ୨୦ଟି ସ୍ଥାନପାଇଁ ୭ ହଜାର ଆବେନପତ୍ର ଦାଖଲ ଖବର ରାଜଧାନୀ ଦିଲ୍ଲୀରୁ ପ୍ରକାଶିତ ସମସ୍ତ ହିନ୍ଦୀ ଓ ଇଂରେଜୀ ଖବରକାଗଜର ମୁଖ୍ୟ ପୃଷ୍ଠା ମଣ୍ଡନ କରିଥିଲା । ଇଂରେଜୀ ମାଧ୍ୟମର ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ହିନ୍ଦୀ ଭାଷା ସାହିତ୍ୟ ପ୍ରତି ଏଭଳି ପରିବର୍ତ୍ତନୀୟ ମନୋଭାବକୁ ଲକ୍ଷ୍ୟ କରି ଦିଲ୍ଲୀ ବିଶ୍ୱଦ୍ୟାଳୟର ହିନ୍ଦୀ ବିଭାଗ ମୁଖ୍ୟ ପ୍ରଫେସର ରମେଶ ଗୌତମଙ୍କ ମନ୍ତବ୍ୟ ଥିଲା- ଏଥିରେ ନିଯୁକ୍ତି ସୁଯୋଗ ଥିବାରୁ ବିଶେଷ କରି କେନ୍ଦ୍ରୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍, ଆଇ.ପି.ଏସ୍) ଏବଂ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ସର୍ବାଧିକ ଥିବାରୁ ହିନ୍ଦୀ ଭାଷା ଓ ସାହିତ୍ୟ ଆଜି କଳା, ବିଜ୍ଞାନ, ବାଣିଜ୍ୟ ଛାତ୍ରଙ୍କୁ ଆକର୍ଷିତ କରିପାରିଛି ।

ଏଭଳି ଏକ ପରିସ୍ଥିତିରେ ମନେ ପଡିଯାଏ ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା କଥା । ୨୦୦୪ରେ ଓଡ଼ଶା ସରକାରଙ୍କ ଏକ ତ୍ରୁଟିପୁଣ୍ଣ ନିଷ୍ପତ୍ତିରେ ବ୍ୟଥିତ ହୋଇ କିଛି ଭାଷାପ୍ରେମୀ ଓଜନ‌ଦାର ମନ୍ତବ୍ୟ ଦେବାର ପ୍ରତିଯୋଗିତା ମଧ୍ୟରେ ବ୍ୟସ୍ତ ରହି, ଏହି ଭାଷାର ସ୍ଥାୟିତ୍ୱପାଇଁ ଉଚ୍ଚଶିକ୍ଷା ସ୍ତରରେ କିଭଳି ପକ୍ଷେପ ନେବାର ଆବଶ୍ୟକତା ରହିଛି, ତାହା ପରାମର୍ଶ ଦେବାକୁ ଭୁଲିଗଲେ । ଫଳରେ ବୈଶାଖର ପ୍ରଚଣ୍ଡ ‘ଜନତା’- ଝଞ୍ଜାକୁ ଶୀତଳତାର ପ୍ରଲେପ ଦେବା ଉଦ୍ଦେଶ୍ୟରେ ସରକାର ବହୁ ଦିନରୁ ଶୀତଳ ଭଣ୍ଡାରରେ ପଡିଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନ ଗଠନ ଫାଇଲକୁ ଜୀବନ୍ୟାସ କରି ଏହାର ସମୃଦ୍ଧପାଇଁ ତ‌ତ୍ତ୍ୱାବଧାରକ ଭାବରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ନିଯୁକ୍ତ କଲେ । ଗରିବ ଓଡ଼ିଆଙ୍କ ଅର୍ଥକୁ ଭଜନ-ଭୋଜନରେ ଖର୍ଚ୍ଚ କରି ସାରିବା ପରେ, ଏହି ଅନୁଷ୍ଠାନ ବଳକା ଅର୍ଥକୁ କିଛି ପ୍ରାଚୀନ ପୁସ୍ତକ ମୁଦ୍ରଣ କରିବା ବଦଳରେ ଇଣ୍ଟରନେଟ୍‌ରେ ଛାଡ଼ି ଓଡ଼ିଆ ଭାଷାକୁ ହାଇପ୍ରୋଫାଇଲ୍ ମାନ୍ୟତା ଦେବାରେ ଏବଂ କିଛି ଅନାମଧ୍ୟେୟ ଲେଖକଙ୍କ ବହି କିଣି, ବିଦ୍ୟାଳୟକୁ ପଠାଇବା କାର୍ଯ୍ୟରେ ବ୍ୟୟ କରିବାରେ ବ୍ୟସ୍ତ ଅଛନ୍ତି । ଅଥଚ ଏଣେ ନୂଆପଡ଼ା ଜିଲ୍ଲାର ସରକାରୀ ଭାଷା ଛତିଶଗଡ଼ି ପାଲଟିଗଲାଣି ତଥା ଓଡ଼ିଆ ଭାଷା ଓ ସାହିତ୍ୟକୁ ପାଠ୍ୟକ୍ରମ ଭାବେ ଗ୍ରହଣ କରିଥିବା ବିଦ୍ୟାର୍ଥୀଙ୍କ ସ୍ଥିତି କିଭଳି ସ୍ତରରେ ପହଞ୍ଚିଗଲାଣି, ସେକଥା ଚିନ୍ତା କରିବାକୁ କାହା ପାଖରେ ସମୟ ନାହିଁ । ଶିକ୍ଷତି ବେକାରୀଙ୍କୁ ନିଯୁକ୍ତି ସହିତ ସ୍ୱଚ୍ଛ ପ୍ରଶାସନ ପ୍ରଦାନ କରିବାକୁ ଘୋଷଣା କରୁଥିବା ଆମ ସରକାର ମଧ୍ୟ ଏତିକି ବୁଝିପାରୁନାହାନ୍ତି ଯେ, ମାତୃଭାଷା ହିଁ ଏହିସବୁ କାର୍ଯ୍ୟ ସାଧନର ସରଳ ଓ ସର୍ବୋତ୍ତମ ମାଧ୍ୟମ ବୋଲି ।

ସରକାରୀ ନିଯୁକ୍ତି କ୍ଷେତ୍ରରେ ମାତୃଭାଷାର କିପରି ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହା ଦୈନିକ ଇଂରେଜୀ ଖବରକାଗଜ ‘ଦି ଟାଇମ୍ସ ଅଫ୍ ଇଣ୍ଡିଆର ୨୧ମଇ, ୨୦୦୭’ ସଂସ୍କରଣର ମୁଖ୍ୟ ପୃଷ୍ଠାରେ ସ୍ଥାନୀତ ଏକ ସର୍ଭେ ପାଠ କଲେ ଜଣାପଡ଼େ । କେନ୍ଦ୍ରୀୟ ଲୋକସଭା ଆୟୋଗ ଓ କେନ୍ଦ୍ରୀୟ କର୍ମଚାରୀ ଚୟନ ଆୟୋଗ୍ୱାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଆଞ୍ଚଳିକ ଭାଷା ମାଧ୍ୟମରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସଫଳତା ହାର ସର୍ବାଧିକ ବୋଲି ବିଗତ ୧୦ବର୍ଷର ଆକଳନକୁ ଆଧାର କରି ଟାଇମ୍ସ ଅଫ୍ ଇଣ୍ଡିଆ ମତବ୍ୟକ୍ତ କରିଛି । କେବଳ ଓଡ଼ିଶା ଓ ଆସାମ ରାଜ୍ୟର ପ୍ରତିଯୋଗୀ ଏହି ସୁଯୋଗରୁ ବଞ୍ଚିତ ଅଛନ୍ତି । କାରଣ ଏହି ଦୁଇ ରାଜ୍ୟର ଛାତ୍ରମାନେ ମାତୃଭାଷାକୁ ଗୁରୁତ୍ୱ ନ ଦେଇ ଇଂରେଜୀ ଭାଷା ଉପରେ ଅଧିକ ନିର୍ଭରଶୀଳ ହୋଇଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରୀୟ ଲୋକସଭା ଆୟୋଗ ପରିଚାଳିତ ଆଇଏଏସ୍ ମୁଖ୍ୟ ପରୀକ୍ଷା ନିର୍ଦ୍ଦେଶାବଳୀ ୨୬(୧) ଓ ସେହି ମୁଖ୍ୟ ପରୀକ୍ଷା ଫର୍ମର ୧୦(ବ) ଅନୁସାରେ ପ୍ରାର୍ଥୀ ଭାରତ ସମ୍ବିଧାନ ସ୍ୱୀକୃତି ଲାଭ କରିଥିବା ଯେ କୌଣସି ଭାଷାରେ ମୁଖ୍ୟ ପରୀକ୍ଷା ପ୍ରଶ୍ନର ଉତ୍ତର ଲେଖିପାରିବେ ଓ ନିର୍ଦ୍ଦେଶାବଳୀ ୨୭ ତଥା ମୁଖ୍ୟ ପରୀକ୍ଷା ଫର୍ମର ୧୦(କ) ଅନୁସାରେ ମୁଖ୍ୟ ପରୀକ୍ଷାରେ ଲିଖିତ ଭାଷା ଅନୁସାରେ ସାକ୍ଷାତକାର ଦେଇପାରିବେ । ଅର୍ଥାତ୍ ଜଣେ ଛାତ୍ର ଓଡ଼ିଆ ଭାଷାରେ ମୁଖ୍ୟ ପରୀକ୍ଷା ସମସ୍ତ ପ୍ରଶ୍ନପତ୍ରର ଉତ୍ତର ଲେଖିବା ସହିତ ସାକ୍ଷାତକାର ମଧ୍ୟ ଓଡ଼ଆ ଭାଷା ମାଧ୍ୟମରେ ଦେଇପାରିବ । ଏହି ନିର୍ଦ୍ଦେଶାବଳୀ ମଧ୍ୟ କେନ୍ଦ୍ର କର୍ମଚାରୀ ଚୟନ ଆୟୋଗ ଲାଗୁ କରିଛି । ଫଳରେ କେନ୍ଦ୍ର ପରିଚାଳିତ ପରୀକ୍ଷାରେ ନିଜ ବିଦ୍ୟାର୍ଥୀଙ୍କ ପ୍ରାକ୍ ପ୍ରସ୍ତୁତିପାଇଁ ତଥା ନିଜ ଭାଷାର ଗୌରବ ବୃଦ୍ଧିପାଇଁ ଓଡ଼ିଶା, ଆସାମ ବ୍ୟତୀତ ଭାରତର ସମସ୍ତ ରାଜ୍ୟ ଏହି ନିର୍ଦ୍ଦେଶାବଳୀକୁ ନିଜ ରାଜ୍ୟରେ ଲାଗୁ କରିଛନ୍ତି । ଏପରିକି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟ ଲୋକସେବା ଆୟୋଗ ବାଧ୍ୟତାମୂଳକ ଇଂରେଜୀ ପତ୍ରକୁ ଉଠାଇ ଦେଇ ମୁଖ୍ୟ ପରୀକ୍ଷାର ସମସ୍ତପତ୍ରକୁ ହିନ୍ଦୀ ମାଧ୍ୟମରେ ଲେଖିବାର ସୁଯୋଗ ନିଜ ନିଜ ପରୀକ୍ଷାର୍ଥୀକୁ ଦେଇଛନ୍ତି । ଫଳରେ ଇଂରେଜୀ ଭାଷାଜ୍ଞାନ ନ ଥିବା ଜଣେ ହିନ୍ଦୀଭାଷୀ ବିଦ୍ୟାର୍ଥୀ ଖୁବ୍ ସହଜରେ ଆଇଏଏସ୍ ଭଳି କଷ୍ଟକର ପରୀକ୍ଷାକୁ ଅତିକ୍ରମ କରିଯାଉଛି ।

କେବଳ ହିନ୍ଦୀ ନୁହେଁ, ଏବେ ମରାଠୀ, ତେଲୁଗୁ, ତାମିଲ, ବଙ୍ଗଳା, ମାଲାୟାଲମ ଭଳି ଅନ୍ୟ ଭାରତୀୟ ଭାଷାଗୁଡ଼ିକ ହିନ୍ଦୀଭାଷାଭାଷୀ ରାଜ୍ୟ ପନ୍ଥା ଅନୁସରଣ କରି ନିଜ ରାଜ୍ୟର ମାତୃଭାଷାରେ ପରୀକ୍ଷା ଦେବାପାଇଁ ବିଦ୍ୟାର୍ଥୀମାନଙ୍କୁ ସୁଯୋଗ ଦେଉଛନ୍ତି । ଅଥଚ ଓଡ଼ିଶା ଲୋକସେବା ଆୟୋଗ ବହୁଦିନ ପରେ କେନ୍ଦ୍ରୀୟ ଲୋକସେବା ଆୟୋଗର ପଦାଙ୍କ ଅନୁସରଣ କରିଥିଲେ ମଧ୍ୟ ମାତୃଭାଷାରେ ମୁଖ୍ୟ ପରୀକ୍ଷାର ସମସ୍ତପତ୍ର ଉତ୍ତର ଲେଖିବା ଅଧିକାରରୁ ବଞ୍ଚିତ କରି ଇଂରେଜୀ ଭାଷାରେ ସାଧାରଣ ଜ୍ଞାନ ଥିବା ଅନେକ ଦକ୍ଷ ଓଡ଼ିଆ ପ୍ରତିଯୋଗୀଙ୍କୁ ପ୍ରଶାସକ ପଦବୀଠାରୁ ଦୂରେଇ ରଖୁଛନ୍ତି । ଫଳରେ ନିଜ ମାତୃଭାଷାରେ ପରୀକ୍ଷା ଦେବାର ଉପଯୁକ୍ତ ଦିଗଦର୍ଶନ ଅଭାବରୁ ଆମ ରାଜ୍ୟ ଆଇ.ଏ.ଏସ୍ ଭଳି ସର୍ବଭାରତୀୟ ପରୀକ୍ଷାରେ ଅନ୍ୟ ରାଜ୍ୟଠାରୁ ବହୁ ପଛରେ ପଡ଼ିଯାଇଛି ।

ପୁନଶ୍ଚ ଇଚ୍ଛାଧୀନ ପତ୍ର ଭାବରେ ମାତୃଭାଷା ଅଧିକ ଅଙ୍କ ପ୍ରଦାନ କରୁଥିବାରୁ ପ୍ରତ୍ୟେକ ରାଜ୍ୟର ପରୀକ୍ଷାର୍ଥୀ ମାତୃଭାଷାକୁ ବିକଳ୍ପ ଭାବେ ଚୟନ କରିଥାନ୍ତି । ଫଳରେ ମାତୃଭାଷାରେ ସାଧାରଣ ଜ୍ଞାନ ଥାଇ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଅଙ୍କ ଆଣି ପରୀକ୍ଷାରେ କୃତକାର୍ଯ୍ୟ ହେଉଛନ୍ତି । ମାତ୍ର ଏ କ୍ଷେତ୍ରରେ ମଧ୍ୟ ଓଡ଼ିଆ ପ୍ରତିଯୋଗୀଙ୍କୁ ନିରାଶ ହେବାକୁ ପଡ଼ିଥାଏ । ଓଡ଼ିଆ ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି, ଅର୍ଥହୀନ ବାକ୍ୟ ଓ କଠିନ ଶବ୍ଦ, ପ୍ରଶ୍ନ ପ୍ରସ୍ତୁତକର୍ତ୍ତାଙ୍କ ପାଣ୍ଡିତ୍ୟ ପ୍ରଦର୍ଶନ ସହ ନିରୀକ୍ଷକଙ୍କ ଆତ୍ମ ଅଭିମାନରେ ବଳି ପଡିଥାଏ ବିଚରା ଓଡ଼ିଆ ପରୀକ୍ଷାର୍ଥୀ । ତେଣୁ ଆଇ.ଏ.ଏସ୍ ପରୀକ୍ଷାରେ ଭାରତର ୨୨ଟି ଭାଷା ମଧ୍ୟରୁ ଓଡ଼ିଆ ଭାଷା ହିଁ ଏକମାତ୍ର ବିଭାଗ, ଯାହାର ଛାତ୍ର ସଂଖ୍ୟାରେ ହ୍ରାସ ପାଉଛି । ହୁଏତ ଦିନ ଆସିବ ଆଇ.ଏ.ଏସ୍ ମୁଖ୍ୟ ପରୀକ୍ଷାରେ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଶ୍ନପତ୍ର ମୁଦ୍ରଣ ହେବା ବନ୍ଦ ହୋଇଯିବ । ଏପରି ସ୍ଥଳେ ଅନ୍ୟ ରାଜ୍ୟ ପରି ଓଡ଼ିଶା ସରକାର ରାଜ୍ୟ ଲୋକସେବା ଆୟୋଗଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ଇଂରେଜୀ ସହ ଓଡ଼ିଆ ଭାଷା ମାଧ୍ୟମରେ ଦେବାର ସୁଯୋଗ ପ୍ରଦାନ କରିବା ଆବଶ୍ୟକ ହୋଇପଡିଛି । ଓଡ଼ିଆ ଭାଷା ଓ ସାହିତ୍ୟର ନିରୀକ୍ଷକ ମଧ୍ୟ ଅନ୍ୟଭାଷୀ ନିରୀକ୍ଷକଙ୍କ କାର୍ଯ୍ୟ ପଦ୍ଧତିକୁ ଅନୁଧ୍ୟାନ କରି ନିଜକୁ ସମୀକ୍ଷା କରିବା ଆବଶ୍ୟକ । ଫଳରେ ଓଡ଼ିଆ ଭାଷା ସର୍ବଭାରତୀୟ ପରୀକ୍ଷାରେ ଅନ୍ୟ ଭାଷା ସହ ସମକକ୍ଷ ହୋଇ ଓଡ଼ିଶାର ଯୋଗ୍ୟ ଶିକ୍ଷିତବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ସକ୍ଷମ ହେବ । ଏଥିସହିତ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ପ୍ରତ୍ୟେକ ବିଦ୍ୟାର୍ଥୀ ଉଚ୍ଚଶିକ୍ଷିତ ସାଧାରଣ ଜନତାଙ୍କ ଶ୍ରଦ୍ଧା ଜାଗ୍ରତ ହେବା ସହିତ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିପାଇଁ ଇଂରେଜୀ ଭାଷାରେ ଥିବା ଉତ୍କୃଷ୍ଟ ପୁସ୍ତକ ଓଡ଼ିଆ ଭାଷାରେ ଅନୁବାଦିତ ହୋଇ ମୁଦ୍ରିତ ହେବା କାର୍ଯ୍ୟ ଆରମ୍ଭ ହେବ । ଯଦ୍ୱାରା ଓଡ଼ିଆ ଭାଷାରେ ଥିବା ଭଲ ପୁସ୍ତକର ଅଭାବ ପୂରଣ ହୋଇ ଆମର ସଙ୍କୁଚିତ ଜ୍ଞାନ ପ୍ରସାରିତ ହେବାରେ ସାହାଯ୍ୟ କରିବ ।

ଏଠାରେ ଗୋଟିଏ କଥା ସ୍ମରଣୀୟ ଯେ, ଆମ ଭାଷା ଓ ସାହିତ୍ୟର ଉନ୍ନତି ନିମନ୍ତେ ଆମେ ଚିନ୍ତା କରିବା, କାର୍ଯ୍ୟ କରିବା । ଏଥିପାଇଁ ଆଉ କେହି ଆଗେଇ ଆସିବେ ନାହିଁ । ହୀନମନ୍ୟତା ଆମ ମେରୁଦଣ୍ଡ ଭାଙ୍ଗି ଦେଇଥିବାରୁ ଆଜି ଆମେ ବିଶ୍ୱ ଦୃଷ୍ଟିରେ ଦରିଦ୍ର, ନିର୍ବଳ, ଅନ୍ୟର ଦୟାର ପାତ୍ର । କର ରୂପରେ ସର୍ବାଧିକ ଅର୍ଥ କେନ୍ଦ୍ରକୁ ଦେଉଥିଲେ ମଧ୍ୟ ବନ୍ୟା, ବାତ୍ୟାରେ ଆମକୁ ଛିଣ୍ଡା କପଡ଼ା, ପୁରୁଣା ପଲିଥିନ, ଗମରା ଗହମ, ଗୋଡ଼ିମିଶା ଚାଉଳ ବ୍ୟତୀତ ଆଉ କିଛି ମିଳେନାହିଁ । ଆମ ରାଜ୍ୟରେ ନୂତନ କେନ୍ଦ୍ରୀୟ ସଂସ୍ଥା ନିର୍ମାଣ ହେବା ବଳରେ ପୂର୍ବରୁ ସ୍ଥାପିତ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଅନ୍ୟ ରାଜ୍ୟକୁ ଉଠାଇ ନେବାପାଇଁ କେନ୍ଦ୍ରର ଘୋଷଣା ମହାଭାରତୀୟ କ୍ଷେତ୍ରରେ ଆମର ବାସ୍ତବ ସ୍ଥିତିକୁ ସୂଚିତ କରିସାରିଲାଣି ।

ତେଣୁ ଆମ ସ୍ଥିତିକୁ ସୁଦୃଢ଼ କରିବାର ଏକମାତ୍ର ମାଧ୍ୟମ ହେଉଛି ଓଡ଼ିଆ ଜାତୀୟତା ଭାବର ସୃଷ୍ଟି କରିବା । ଯାହାର ପ୍ରାରମ୍ଭିକ ପ୍ରୟାସ ହେଉଛି ଓଡ଼ିଆ ଭାଷାର ବିକାଶ ଘଟାଇବା । ଆମ ମୁଖର ଭାଷା ହିଁ ଅନ୍ତ ଭିତରେ ଲୁଚି ରହିଥିବା ଅସନ୍ତୋଷକୁ ଫୁଟାଇବାରେ ମୁଖ୍ୟ ଭୂମିକା ନେବ । ଏହି ଭାଷା କେବଳ ଓଡ଼ିଆର ଗରିବୀକୁ ଦୂର କରିବ ନାହିଁ, ବରଂ ଦୁର୍ବଳତାକୁ ଲୋପ କରି ବିଶ୍ୱସ୍ତରରେ ଥିବା ପ୍ରାଚୀନ ପରିଚୟକୁ ପୁନଃସ୍ଥାପିତ କରିପାରିବ । ତାମିଲ ଭାଷା ଆଜି କ୍ଲାସିକ ଭାଷାର ମାନ୍ୟତା ପାଇ ଏହାର ବିକାଶ ନିମନ୍ତେ ପ୍ରତିବର୍ଷ ୨କୋଟିରୁ ଊଦ୍ଧ୍ୱ ଟଙ୍କା କେନ୍ଦ୍ରରୁ ଅନୁଦାନ ପାଉଥିବା ବେଳେ ଏବେ ତେଲୁଗୁ ଓ କନ୍ନଡ଼ ଭାଷାକୁ ସମମର୍ଯ୍ୟାଦା ଦିଆଯାଇ ଏହି ଭାଷାର ଉତ୍ତରୋତ୍ତର ଉନ୍ନତି କରାଯାଉଛି । ଉକ୍ତ ତିନୋଟି ଭାଷାର ସମକାଳୀନ ଓଡ଼ଆ ଭାଷା କାହିଁକି ଏ ଅଧିକାରରୁ ବଞ୍ଚିତ ହେବ? ଏ ପ୍ରଶ୍ନ ବର୍ତ୍ତମାନ ପ୍ରତ୍ୟେକ ଓଡ଼ିଆ ପଚାରିବାର ସମୟ ଉପସ୍ଥିତ । ଦଳମତ ନିର୍ବିଶେଷରେ ଓଡ଼ିଶାର ପ୍ରଗତିପାଇଁ ଏହାର ଭାଷା ବିକାଶ ଦିଗରେ ଆପ୍ରାଣ ଉଦ୍ୟମ କରିବା ଆବଶ୍ୟକ । ଓଡ଼ିଆ ଭାଷା ସୁରକ୍ଷା ଦାୟିତ୍ୱ ସରକାରଙ୍କର ବୋଲି କହି ନିଜକୁ ନିଜ କର୍ତ୍ତବ୍ୟରୁ ଦୂରେଇ ଜାତି, ଜାଗୃତି ଓ ପ୍ରଗତି / ୮୧
ରଖିବା ଭାବନା ହିଁ ଆଜିର ଏହି ସଙ୍କଟ ସୃଷ୍ଟି କରିଛି । ତେଣୁ ନିଜ ଦାୟିତ୍ୱ ପ୍ରତି ସଚେତନ ହେବା ସହ ସାମୂହିକ ଭାବରେ ଭାଷାର ବିକାଶପାଇଁ ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ବର୍ତ୍ତମାନ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରଥମ ଓ ପ୍ରଧାନ କାର୍ଯ୍ୟ ହେବା ଆବଶ୍ୟକ ।

ଆମ ରାଜ୍ୟରେ ଏଭଳି ଗୋଟିଏ ପରିବାର ନାହିଁ, ଯେଉଁଠି ଶିକ୍ଷିତ ବେକାର ଯୁବକ ନ ଥିବ ତଥା ସେହି ଯୁବକଠାରେ କାର୍ଯ୍ୟ କରିବାର ଦକ୍ଷତା ନ ଥିବ । ମାତ୍ର ନିଜ ଦକ୍ଷତାର ପ୍ରତିପାନପାଇଁ କୌଣସି ସୁଯୋଗ ନ ଥିବାରୁ ତଥା ଉକ୍ରୃଷ୍ଟ ଇଂରେଜୀ ଭାଷା ଶିଖିବାର ଆବଶ୍ୟକତା ଥିବାରୁ ଏଥିରେ ବିଫଳ ହେବାଦ୍ୱାରା ଓଡ଼ିଶାର ଅର୍ଥନୀତି ନିମ୍ନଗାମୀ ହେବା ସହ ଶିକ୍ଷିତ ବେକାରଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ତେଣୁ ପ୍ରତ୍ୟେକ ଓଡ଼ିଆ ପରିବାରର ମଧ୍ୟ ଦାୟିତ୍ୱ ରହିଛି ଯେ, ଏହି ସୁଦକ୍ଷ, ସୁଶିକ୍ଷିତ ବେକାର ଯୁବକ ଗୋଷ୍ଠୀଙ୍କୁ ନୈତିକ ସମର୍ଥନ ଯୋଗାଇ ଦେବା । ସରକାର, ବୁଦ୍ଧିଜୀବୀଗଣ ମଧ୍ୟ ଅନ୍ୟ ପ୍ରଦେଶର ସ୍ଥିତିକୁ ଆକଳନ କରି ଏ ଦିଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ । ମାତୃଭାଷାରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାପାଇଁ ନିଜ ସନ୍ତାନ ତଥା ଅନ୍ୟ ଶିକ୍ଷିତଙ୍କୁ ଉତ୍ସାହିତ କରିବା ଆବଶ୍ୟକ । ମାତୃଭାଷାରେ ରାଜ୍ୟସ୍ତରୀୟ ନିଯୁକ୍ତି ପରୀକ୍ଷା ସୁଯୋଗ ଦେବାଦ୍ୱାରା ଓଡ଼ିଶାରେ ମେଧା ମାରଣ ନୁହଁ, ବରଂ ମେଧା ଅନ୍ୱେଷଣ ପ୍ରବୃତ୍ତିକୁ ଉତ୍ସାହିତ କରିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୂଚନା ଅଧିକାରଦ୍ୱାରା ଯେଉଁ କାର୍ଯ୍ୟ ସାଧନ ନ ହୋଇପାରୁଛି, ସେହିକାର୍ଯ୍ୟ ମାତୃଭାଷା ମାଧ୍ୟମରେ ନିଯୁକ୍ତ ଅଧିକାରୀଙ୍କଦ୍ୱାରା ସାଧିତ ହୋଇ ସ୍ୱଚ୍ଛ ପ୍ରଶାସନକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇପାରିବ । ସେଥିପାଇଁ ପ୍ରତ୍ୟେକ ଉନ୍ନତ ରାଷ୍ଟ୍ର ନିଜ ମାତୃଭାଷାକୁ ଗୁରୁତ୍ୱ ଦେଇଥା’ନ୍ତି । ଅନୁକରଣ ପ୍ରିୟ ଓଡ଼ିଆ ଜାତି ଅନ୍ତତଃ ଏତକ ଅନୁକରଣ କରି ନିଜ ଅଞ୍ଚଳର ବିକାଶରେ ଅଗ୍ରଣୀ ଭୂମିକା ନେବାର ସମୟ ଆସି ପହଞ୍ଚିଛି ।

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଓଡ଼ିଶାରେ ରାଜନେତା ଓ ରାଜନୀତି
Next Article ରାଜ୍ୟର ପରିବେଶ ପ୍ରତି ବିପଦ ବଢୁଛି
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.