ମହାତ୍ମା ଗାନ୍ଧିଙ୍କୁ ଯେମିତି ସାରାଦେଶରେ ବାପୁଜୀ ବୋଲି କହନ୍ତି, ସୁଭାଷଚନ୍ଦ୍ର ବୋଷଙ୍କୁ ସେମିତି ସମସ୍ତେ ”ନେତାଜୀ ” ବୋଲି ଜାଣନ୍ତି । ତୁଳସି ଦୁଇ ପତ୍ରରୁ ବାସେ । ପିଲାଟି ଦିନୁ ସୁଭାଷଙ୍କର ନେତାଗୁଣ ଜଣା ପଡ଼ିଥିଲା । ପାଠପଢ଼ା, କାମଦାମ, କଥାବାର୍ତ୍ତା, ଚାଲିଚଳନ ସବୁଥିରେ ତାଙ୍କର ନେତାପଣିଆ ପ୍ରକାଶ ପାଇଥିଲା । ତାଙ୍କର ମନ ବଳ ଖୁବ୍ ଉଚ୍ଚରେ ଥିଲା । ଯେଉଁଥିରେ ତାଙ୍କର ମନ ଲାଗୁଥିଲା, ସେ ସେଥିରୁ ପଛାଉ ନଥିଲେ । ଥରେ ଯାହା ପଢ଼ୁଥିଲେ କି ଶୁଣୁଥିଲେ ତାଙ୍କ ମନରେ ରହିଯାଉଥିଲା। ସେଥିପାଇଁ ସେ ସବୁ ପରୀକ୍ଷାରେ ପ୍ରଥମ ଆଉ ସବୁ କାମରେ ଆଗୁଆ ହେଉଥିଲେ ।
ନେତାପଣିଆ ଯୋଗୁଁ ସାଙ୍ଗସାଥୀମାନଙ୍କ ମେଳରେ ତାଙ୍କର ଭାରି ଆଦର ଓ ଖାତିର ଥିଲା । କିନ୍ତୁ କେହି ଭୁଲ କାମ କଲେ ସେ ଛାଡ଼ୁ ନଥିଲେ । ସଙ୍ଗେ ସଙ୍ଗେ ସେ ଦୋଷୀକୁ ଦଣ୍ଡ ଦେଉଥିଲେ । ଦିନେ କେତେକ ପିଲା ଜଣେ ଅନ୍ଧବୁଢ଼ା ହାତରୁ ବାଡ଼ିଟି ଛଡ଼ାଇ ଦୁରକୁ ଫିଙ୍ଗିଦେଲେ । ଅନ୍ଧଟି ବିଚରା ବ୍ୟସ୍ତ ହୋଇ ସେମାନଙ୍କୁ ବାଡ଼ି ମାଗିଲା । କିନ୍ତୁ ବାଡ଼ି ଦେବାତ ଦୁରର କଥା, ପିଲାମାନେ ତାଳିମାରି ଠୋ ଠୋ ହସିବାରେ ଲାଗିଲେ । ସେତିକିବେଳେ ସୁଭାଷ ବୋଷ ସେଠାରେ ଫହଞ୍ଚି ପିଲାମାନଙ୍କୁ ମାରି ଗୋଡ଼ାଇଲେ । ବାଡ଼ିଟି ଆଣି ବୁଢ଼ାକୁ ଦେଲେ ଆଉ ତାକୁ ବାଟ କଢ଼ାଇନେଲେ । କୁଡ଼ିଆରେ ଅନ୍ଧକୁ ଛାଡ଼ି ବିଦ୍ୟାଳୟକୁ ଗଲେ । ବିଳମ୍ବର କାରଣ ଶିକ୍ଷକ ପଚାରିଲେ ଆଉ ସୁଭାଷଙ୍କଠାରୁ ସବୁକଥା ଶୁଣି ଖୁସି ହୋଇଗଲେ ।
ଥରେ ସେମିତି କଟକ ସହରରେ ବସନ୍ତ ଲାଗିଲା । ସେଥିରେ ଲୋକେ ପୋକମାଛି ପରି ମଲେ । ଚାରିଆଡ଼େ ହାହାକାର ପଡ଼ିଗଲା । ରୋଗୀଙ୍କର ସେବା କରିବା ତ ଦୁରର କଥା, ଶବ ଉଠାଇବା ପାଇଁ ମଧ୍ୟ ଲୋକ ମିଳିଲେ ନାହିଁ । ସୁବାଷ ଧନୀ ଘରର ପିଲା ହୋଇଥିଲେ ବି ଏ ଅବସ୍ଥାରେ ଅଥୟ ହୋଇ ପଡ଼ିଲେ । ସେ ସାଙ୍ଗ ସାଥୀମାନଙ୍କୁ ଧରି ରୋଗୀ – ମାନଙ୍କର ସେବା କଲେ । ତାଙ୍କର ବାପା ମାପ ପୁଅକୁ ଏଥିରେ ବାରଣ କରିଥିଲେ । ସେ କିନ୍ତୁ ସେମାନଙ୍କର କଥା ଶୁଣି ନଥିଲେ ।
ସୁଭାଷ କଟକ ସହରର ଓଡ଼ିଆ ବଜାରରେ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ଜନ୍ମ ହୋଇଥିଲେ । ତାଙ୍କର ବାପାଙ୍କ ନାମ ଜାନକୀନାଥ ବୋଷ ଓ ମାଆଙ୍କ ନାମ ପ୍ରଭାବତୀ । ଜାନକୀନାଥ ଖୁବ ନାମଜାଦା ଓକିଲ ଥିଲେ । ସେ ଓକିଲାତି କରି ବହୁଧନ ରୋଜଗାର କରୁଥିଲେ । ସାହେବୀ ଢ଼ଙ୍ଗରେ ଚଳୁଥିଲେ । ସୁଭାଷ କିନ୍ତୁ ଏମିତି ଆଡ଼ମ୍ବର ଭିତରେ ଚଳିବାକୁ ଭଲ ପାଉ ନଥିଲେ । ସେ ସାଙ୍ଗମାନଙ୍କ ଭଳି ସାଦାସିଧା ପୋଷାକ ପିନ୍ଧି କଟକର ଗଳିକନ୍ଦିରେ ଖେଳୁଥିଲେ । ଲୋକମାନଙ୍କର ସୁଖ ଦୁଃଖରେ ଭାଗୀହେବାକୁ ଭଲ ପାଉଥିଲେ ।
ବାପା ତାଙ୍କୁ ଗୋଟିଏ ସାହେବ ସ୍କୁଲରେ ପଢ଼ାଇବାକୁ ପସନ୍ଦ କରି ନଥିଲେ । ଫଳରେ ବାପା ତାଙ୍କର ନାମ ଲେଖାଇ ଦେଲେ ରେଭେନ୍ସା କଲିଜିଏଟ୍ ସ୍କୁଲରେ । ବାପା ତାଙ୍କୁ କୋଟପ୍ୟାଣ୍ଟ ପିନ୍ଧିବାକୁ କହୁଥିଲେ ସୁଦ୍ଧା ସେ ସାଙ୍ଗମାନଙ୍କ ପରି ଲୁଗା ପିନ୍ଧି ଦେହରେ ଛାଦର ପକାଇ ସ୍କୁଲକୁ ଯାଉଥିଲେ ।
ଷୋଳବର୍ଷ ବୟସରେ ସୁଭାଷ ମାଟ୍ରିକ୍ ପାସ୍ କରିଥିଲେ । ତାପରେ ପ୍ରଥମ ଶ୍ରେଣୀରେ ଏଫ୍.ଏ.(ଆଇ,ଏ) ପାସ୍ କରି ସେ କଲିକତାର ପ୍ରେସିଡେନ୍ସି କଲେଜରେ ବି.ଏ. ପଢ଼ିଲେ । ସେତେବେଳେ ଭଟନ ନାମକ ଜଣେ ଗୋରା ସାହେବ ସେଠାରେ ଅଧ୍ୟାପକ ଥିଲେ । ସେ ସମୟରେ ଇଂରେଜମାନଙ୍କ ରାଜୁତି ଥିବାରୁ ଭାରି ଗର୍ବ । ସେ ସେଇ କଲେଜରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ରମାନଙ୍କୁ ହେୟ ମନେକରୁଥିଲେ, ଅପମାନ ଦେଉଥିଲେ ।ଅନ୍ୟମାନେ ସିନା ସବୁ ସହି ଯାଉଥିଲେ, ସୁଭାଷ ସମ୍ଭାଳୁଛନ୍ତି କେତେକେ; ସେ ଯେସାକୁ ତେସା ନୀତି ଧରିବାକୁ ଠିକ୍ କଲେ ।
ଦିନେ ଦଳେ ଛାତ୍ରଙ୍କୁ ଧରି ସୁଭାଷ ବାଟରେ ଲୁଚି ରହିଲେ । କଲେଜ ଛୁଟି ପରେ ଇଂରେଜ ଅଧ୍ୟାପକ ତାଙ୍କୁ ବସାକୁ ଫେରୁଥିଲେ । ଏତିକିବେଳେ ସୁଭାଷ ତାଙ୍କ ସାଥିମାନଙ୍କ ସହିତ ଅଧ୍ୟାପକଙ୍କ ଉପରେ ଚଡ଼ୋଉ କଲେ । ତାଙ୍କୁ ଆଖିବୁଜା ପିଟିଗଲେ । ସେଜାଣି ପାରିଲେ କାହିଁକି ତାଙ୍କୁ ଏଦଣ୍ଡ ମିଳିଲା । ହେଲେ ଅଧକ୍ଷଙ୍କୁ ସେ ଜଣାଇବାରୁ ଦୁଇବର୍ଷ ପାଇଁ ସୁଭାଷଙ୍କୁ କଲେଜରୁ ବାହାର କରି ଦିଆଗଲା । ପରେ ସେ ପୁଣି କଲେଜରେ ଭର୍ତ୍ତି ହୋଇଥିଲେ, ଆଉ ପ୍ରଥମ ଶ୍ରେଣୀରେ ଅନର୍ସ ସହିତ ବି٠ଏ٠ ପାସ୍ କରିଥିଲେ ।
ଜାନକୀନାଥ ବୋଷ ତ ସେତେବେଳେ ଖୁବ୍ ବଡ଼ ଓକିଲ । ଅକଳନ୍ତା ତାଙ୍କର ରୋଜଗାର । ଟଙ୍କା ପଇସାର ବା କି ଅଭାବ ? ପୁଅକୁ ବିଲାତକୁ ପଠାଇବାକୁ ମନ କଲେ । ସେଠାରେ ହେଉଥିବା ଆଇ٠ସି٠ଏସ୍٠ ପରୀକ୍ଷା ଦେଇ ବଡ଼ ହାକିମ କରାଇବାକୁ ତାଙ୍କର ଭାରି ଇଚ୍ଛା । କିନ୍ତୁ ସୁଭାଷ ବିଲାତ ଯିବାକୁ ଅମଙ୍ଗ । ଜାନକୀନାଥ ଏଥିରେ ଭାରି ରାଗିଗଲେ। ହେଲେ ପୁଅର ଗୁଣ ଜାଣିଛନ୍ତି । କାଊଁରିଆ କାଠି। ଭାଙ୍ଗିଯିବ ସିନା ନଇବ ନାହିଁ। ତାର ମନ ମନାଇ ସିନା ଯାହା କରିହେବ, ଧମକ ଚମକରେ କିଛି ଲାଭ ହେବ ନାହିଁ । ବରଂ ଫଳ ଓଲଟା ହେବ ।
ଜାନକୀନାଥ ତେଣୁ ସୁଭାଷଙ୍କୁ ଶୁଣାଇ ଶୁଣାଇ ତାଙ୍କ ମା’ଙ୍କୁ କହିଲେ– ଜାଣିଲ, ବିଲାତ ତ ସାହେବ ଦେଶ । ଆମ ଭାରତ ପରି ନୁହେଁ । ସବୁଠି ବିଲାତି କାଇଦା । ସେଠି ଚଳିବା ସହଜ କଥା ନୁହେଁ । ପୁଣି ଆଇ٠ସି٠ଏସ୍٠ ପରୀକ୍ଷା ଖୁବ୍ କଡ଼ା । ସେଥିପାଇଁ ସୁଭାଷ ଡରୁଛି !
ସୁଭାଷ ଏକଥା ଶୁଣି ଅସମ୍ଭଳ । ବାପାଙ୍କ ପାଖକୁ ସିଧା ଆସି ରୋକଠୋକ କହିଦେଲେ- ମୁଁ ବିଲାତ ଯିବାକୁ କି ଆଇ٠ସି٠ଏସ୍٠ ପରୀକ୍ଷା ଦେବାକୁ ଭୟ କରୁନି । ମୁଁ ବିଲାତରେ ସାହେବମାନଙ୍କ ସାଥିରେ ଚଳିପାରିବି ଆଉ ଆଇ٠ସି٠ଏସ୍٠ ପରୀକ୍ଷାରେ ପାସ୍ ବି କରିବି । ମାତ୍ର୍ ମନ ହେଲେ ଚାକିରୀ କରିବି ନହେଲେ ନାହିଁ ।
ଜାନକୀନାଥ ଭାବିଲେ ବିଲାତରେ ଚଳି, ଆଇ٠ସି٠ଏସ୍٠ପରୀକ୍ଷାରେ ପାସ୍ କଲେ ପୁଅର ମନ ବଦଳିଯିବ । ଆଗ ସେ ବିଲାତକୁ ଯାଉ । ସେତିକି ଆଗ ହେଉ !
ସୁଭାଷ ବିଲାତରେ ଆଇ٠ସି٠ଏସ୍٠ପରୀକ୍ଷା ଦେଲେ । ଚତୁର୍ଥ ସ୍ଥାନ ଅଧିକାର କରି ପାସ୍ ବି କଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ବି٠ଏ٠ପରୀକ୍ଷା ଦେଇ ଭଲ ଭାବରେ ପାସ୍ କଲେ ।
ସୁଭାଷ ଘରକୁ ଫେରିଲେ । ବାପା ମାଆ, ସାଇପଡ଼ିଶା ସମସ୍ତଙ୍କ ମନରେ ଅପୁର୍ବ ଆନନ୍ଦ । ଆଇ.ସି.ଏସ୍. ପାସ୍ କରି ବଡ଼ ହାକିମ ହେବା ତ ସେତେବେଳେ କମ କଥା ନୁହେଁ ! କ୍ଷମତା ଆଉ ମାନ ସମ୍ମାନର ସୀମା ନାହିଁ । ସତକୁ ସତ ବିଲାତରୁ ଫେରିବା ମାତ୍ରେ ତାଙ୍କୁ କଟକ ଜିଲାର କଲେକ୍ଟର କରି ଦିଆଗଲା । ତାଙ୍କୁ ପୁଣି ସରକାର ଅଧିକ ତାଲିମ ପାଇବାକୁ ପଠାଇଲେ ।
ସୁଭାଷ ବୋଷ ବିଲାତରେ ତାଲିମ ପାଇଲା ବେଳେ ତାଙ୍କୁ ଅନେକ ବହି ପଢ଼ିବାକୁ ଦିଆଗଲା । ସେଥିରୁ ଗୋଟିଏ ବହିରେ ଭାରତୀୟ ସିପାହୀ ଅସାଧୁ ବୋଲି ଲେଖଥିଲା । ତାକୁ ପଢ଼ି ତାଙ୍କର ରାଗ ପଞ୍ଚମକୁ ଉଠିଲା । ସେ ସଙ୍ଗେ ସଙ୍ଗେ ତାଲିମ କେନ୍ଦ୍ରର ଅଧ୍ୟକ୍ଷଙ୍କୁ ସେଇ ବାକ୍ୟଟି ଦେଖାଇ ତାର ପ୍ରତିବାଦ କଲେ ।
ମାତ୍ର ଅଧ୍ୟକ୍ଷ କହିଲେ- ଆଗରୁ ତ ଅନେକ ଭାରତୀୟ ଏଇ ବହି ପଢ଼ି ତାଲିମ ପାଇ ଫେରିଗଲେ, କେହି ଆପତ୍ତି କଲେ ନାହିଁ । ତୁମେ ଏତେ ହଲ୍ଲା କରୁଛ କାହିଁକି ।
ସୁଭାଷ ଉତ୍ତର ଦେଲେ-କିଏ ଆଗରୁ କହିଛନ୍ତି କି ନାହିଁ, ମୁଁ ଜାଣିନି । ହେଲେ ଏହି କଥା ମୋର ଦେଶ ପ୍ରତି ଅପମାନ । ତେଣୁ ଏହି ବହିରୁ ବାକ୍ୟଟିକୁ ଉଠାଇ ଦିଆଯାଉ ।
ଅଧ୍ୟକ୍ଷ କହିଲେ- ଏବେ ତ କହିଲା ମାତ୍ରେ ବହିରୁ ଉଠିଯାଇ ପାରିବ ନାହିଁ । ଆର ଥର ଛପା ହେଲାବେଳକୁ ଉଠାଇ ଦିଆଯିବ ।
ସୁଭାଷ କିନ୍ତୁ ଜିଦ୍ ଧରି ବସିଲେ । ବହିରୁ ବାକ୍ୟଟି ଉଠିଲେ ସେ ତାଲିମ ପାଇବେ । ନହେଲ ନାହିଁ ।
ଅଧ୍ୟକ୍ଷ ଦୃଢ଼ ସ୍ୱରରେ କହିଲେ-ଇଂରେଜ ସରକାରଙ୍କ ଅଧୀନରେ ଚାକିରୀ କରିଛ । ତାଲିମ ନେବାକୁ ହେବ । ନଚେତ୍ ହାକିମ ଚାକିରୀଟି ଯିବ ।
ସୁଭାଷ ସେମିତି ଟାଣ ସ୍ୱରରେ କହିଲେ-ଆଇସିଏସ ଚାକିରୀ ଯାଉ ପଛେ ମୁଁ ମୋ ଦେଶର ଅପମାନ ସହି ପାରିବି ନାହିଁ ।
ଏତିକି କହି ସେ ଚାକିରିରୁ ଇସ୍ତଫା ଦେଲେ । ବିଲାତରୁ ଚାଲି ଆସିଲେ । ତାଙ୍କର ଏ କାମକୁ ଜାନକୀନାଥ ସମର୍ଥନ କରିଥିଲେ । ସେ ଆନନ୍ଦରେ ତେଣୁ ବାପାଙ୍କ ପାଦ ଛୁଇଁ ତଳେ ପଡ଼ିଯାଇଥିଲେ । ଏହାପରେ ସୁବାଷ ବୋଷଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା । ସେତେବେଳେ ମାହାମ୍ନା ଗାନ୍ଧି ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ । ସେଥିରେ ଯୋଗଦେବାକୁ ସେ ଗାନ୍ଧିଜିଙ୍କୁ ଦେଖା କରି କହିଲେ । ଗାନ୍ଧିଜି ତ ଆଗରୁ ତାଙ୍କର ସବୁ କାଣ୍ଡ ଜାଣିଥିଲେ । ସେ ତାଙ୍କୁ ଆଶିର୍ବାଦ କଲେ ଆଉ ବଙ୍ଗଳାର ନେତା ଚିତ୍ତରଞ୍ଜନ ଦାଶଙ୍କ ପାଖକୁ ଯିବାକୁ ଉପଦେଶ ଦେଲେ ।
ସେତେବେଳେ ଇଂରେଜ ବ୍ୟବସାୟୀମାନେ ଅତି ଶସ୍ତାରେ କଞ୍ଚାମାଲ ତକ ନେଇ ତାଙ୍କ ଦେଶରୁ ତିଆରି ଜିନିଷମାନ ଆଣି ଅଧିକ ଦାମରେ ବିକୁଥିଲେ । ତେଣୁ ବିଦେଶୀ ଜିନିଷ ନ କିଣିବା ପାଇଁ ଆମଦେଶର ଲୋକମାନଙ୍କୁ କୁହାଗଲା । ସୁଭାଷ ତାଙ୍କ ସାଥୀମାନଙ୍କୁ ଧରି କଲିକତା ସାରା ବୁଲି ବିଦେଶୀ ଜିନିଷ ବିକାକିଣା ବନ୍ଦ କରିବାକୁ ସମସ୍ତଙ୍କୁ ମତାଇଲେ । ଫଳରେ କଲିକତାରେ ବିଲାତି ଜିନିଷ ବିକ୍ରି ବନ୍ଦ ହୋଇଗଲା । ଇଂରେଜ ସରକାର ଦେଖିଲେ ସୁଭାଷ ଏସବୁ ନାଟର ଗୋବର୍ଦ୍ଧନ । ତେଣୁ ତାଙ୍କୁ ମାମୁଁ ଘରକୁ ପଠାଇଦେଲେ ସବୁ ଠିକ ହୋଇଯିବ । ଇଂରେଜ ସରକାର ବସାଇଥିବା ସୁଲ କଲେଜରେ ପାଠପଢ଼ିବାକୁ ଭାରତୀୟ ଯୁବକମାନଙ୍କୁ ମନା କରାଗଲା । ଏମିତିକି ଯେଉଁମାନେ ପାଠ ପଢୁଥିଲେ,ସେମାନଙ୍କୁ ପାଠପଢ଼ା ଛାଡ଼ିଦେଇ ସ୍ୱାଧୀନତା ଆନ୍ଦୋଳନରେ ମିଶିବାକୁ ଡାକରା ଦିଆଗଲା । ସୁଭାଷ କଲିକତାରେ ଗୋଟିଏ ଜାତୀୟ କଲେଜ ବସାଇ ତାର ଅଧ୍ୟକ୍ଷ ହେଲେ । ଛାତ୍ରମାନଙ୍କୁ ମତାଇ ଇଂରେଜ ସରକାରଙ୍କ ବିରୁଦ୍ଧରେ କାର୍ଯ୍ୟକଲେ ।
ଥରେ ବିଲାତ ଯୁବରାଜ କଲିକତାକୁ ଆସିଥିଲେ । ଇଂରେଜ ସରକାର ତାଙ୍କୁ ଖୁବ୍ ଆଡ଼ମ୍ବରପୂର୍ଣ୍ଣ ଅଭ୍ୟର୍ଥନା ଜଣାଇବାକୁ ସଜବାଜ ହେଲେ । ବାଣରୋଷଣୀ ନାନା ରଙ୍ଗର ଆଲୁଅ, ବାଜାଗୀତ ଆଉ ଫାଟକ ମଣ୍ଡପ ସାଜସଜ୍ଜାରେ ଅପର୍ଯ୍ୟପ୍ତ ଟଙ୍କା ଖର୍ଚ୍ଚ କଲେ । ରାସ୍ତା ଘାଟରେ ବିଲାତ ପତାକାମାନ ଦେଖାଇ ସ୍ୱାଗତ ଜଣାବାକୁ ସରକାରଙ୍କ ତରଫରୁ ଆୟୋଜନ ଚାଲିଲା ।
କିନ୍ତୁ ଯୁବକମାନେ ଯୁବରାଜଙ୍କୁ ସବୁଆଡ଼େ ଖାଲି କଳା ପତାକା ଦେଖାଇଲେ । ଏହା ତାଙ୍କ ପକ୍ଷେ ବଡ଼ ଅପମାନ ହେଲେ । ଇଂରେଜ ସରକାରଙ୍କ ପାରିବାର ପଣିଆ ନଥିବାରୁ ଏତେ କଥା ହେଲା ବୋଲି ସମାଲୋଚନା ଚାଲିଲା । ତେଣୁ ଏସବୁ ମୂଳରେ କିଏ, ବାହାର କରିବା ପାଇଁ ସରକାରଙ୍କ ତରଫରୁ ଘମାଘୋଟ ତଦନ୍ତ ହେଲା । ଶେଷରେ ସୁଭାଷଙ୍କୁ ଏଥିପାଇଁ ଦାୟୀ କରାଯାଇ ଗିରଫ କରାଗଲା, ମାଲିମୋକଦ୍ଦମା ଚାଲିଲା ଆଉ ତାଙ୍କୁ ଜେଲ ଦଣ୍ଡ ଦିଆଗଲା ।
ଏସବୁ କାମରେ ସୁଭାଷ ଭାରି ଲୋକପ୍ରିୟ ହୋଇଗଲେ । ଜେଲରୁ ଖଲାସ ହେଲା ପରେ ସେ କଲିକତା କର୍ପୋରେସନର ମୁଖ୍ୟ ହାକିମ ହେଲେ । ମାସକୁ ତିନି ହଜାର ଟଙ୍କା ଦରମା । ମାତ୍ର ସେ ଅଧେ ଦରମା ନେଉଥିଲେ । ସେ କଲିକତାରେ ବହୁ ସଂଖ୍ୟାରେ ପ୍ରାଥମିକ ସ୍କୁଲ ଓ ଡାକ୍ତରଖାନା ବସାଇଥିଲେ । ପଞ୍ଚମ ଶ୍ରେଣୀ ଯାଏ ସେ ପିଲାମାନଙ୍କର ଦରମା ଛାଡ଼ କରି ଦେଇଥଲେ । ଏସବୁ ଲୋକହିତକର କାମ କରି ସୁଭାଷଙ୍କ ସୁନାମ ବଢ଼ିଗଲା ।
ଇଂରେଜ ସରକାର ତେଣୁ ତାଙ୍କୁ ଜେଲରେ ଭର୍ତ୍ତି କରିବାର ଉପାୟ ପାଞ୍ଚିଲେ । ଗୋଟିଏ ନୂଆ ଆଇନ କରି ସରକାର ଯେତେବେଳେ ଯାହାକୁ ଚାହିଁବେ, ଜେଲରେ ଅଟକ ରଖିପାରିବେ ବୋଲି ବ୍ୟବସ୍ଥା କଲେ । ସେଇ ଆଇନ ବଳରେ ସୁଭାଷଙ୍କୁ ଜେଲରେ ରଖିଲେ ସୁଦ୍ଧା ସେ କର୍ପୋରେସନର କାମସବୁ ଆଗଭଳି ସେଠାରେ କଲେ । ମାତ୍ର ଜେଲ୍ ଭିତରେ ତାଙ୍କର ଦେହ ଖରାପ ହେଲା । ସେ ଅତି ଦୁର୍ବଳ ହୋଇ ପଡ଼ିଲେ । ଠିଆ ହେବାକୁ ବି ବଳ ପାଇଲା ନାହିଁ । ଏକଥା ଶୁଣି ଜନସାଧାରଣ ତାଙ୍କୁ ଜେଲରୁ ଖଲାସ କରି ଦେବାକୁ ଦାବି କଲେ । ସଭାସମିତି କରି ତାଙ୍କୁ ଅଟକ ରଖିବାର ପ୍ରତିବାଦ କଲେ ।
ଇଂରେଜ ସରକାର ଦେଖିଲେ ଲୋକମାନେ ଯେମିତି ହେଲେଣି, ସୁଭାଷଙ୍କୁ ଖଲାସ ନ କଲେ ରକ୍ଷା ନାହିଁ । ତେଣୁ ବାଧ୍ୟ ହୋଇ ସରକାର ତାଙ୍କୁ ଛାଡ଼ିଦେଲେ । ଖଲାସ ହେବା ପରେ ସେ କଲିକତା କର୍ପୋରେସନରେ ସର୍ବୋଚ୍ଚକର୍ତ୍ତା ବା ମେୟର ହେଲେ । ଗୋଟିଏ ବଡ଼ ପଟୁଆର ବାହାରି ସହର ପରିକ୍ରମା କରିବାର ଯୋଗାଡ଼ ହେଲା । ସରକାର ଏହା ହୋଇପାରିବ ନାହିଁ ବୋଲି ଆଦେଶ ଦେଲେ ।
ସୁଭାଷ କିନ୍ତୁ ନଛୋଡ଼ବନ୍ଧା । ପଟୁଆର ନିଶ୍ଚୟ ବାହାରିବ । ହଜାର ହଜାର ଲୋକ ଧାଡି ବାନ୍ଧି ଚାଲିଲେ । ସୁଭାଷ ସବୁରି ଆଗରେ । ଶହ ଶହ ପୋଲିସ ମଧ୍ୟ ଲାଠି ଆଉ ପିସ୍ତଲ ଧରି ରାସ୍ତା ଦୁଇପଟେ ଠିଆ ହୋଇଥିଲେ । ଶୋଭାଯାତ୍ରା ବେଖାତିର ଭାବରେ ଆଗେଇ ଚାଲିଲା । ସୁଭାଷ ବୋଷକୀ ଜୟ, ଜୟହିନ୍ଦ, କହି ଚଉଦିଗ କମ୍ପାଇ ଦେଲେ ।
ଶେଷରେ ପୋଲିସମାନେ ଆଉ ସମ୍ଭାଳି ନପାରି ହଠାତ୍ ଲୋକଙ୍କ ଉପରେ ଲାଠିମାଡ଼ ଆରମ୍ଭ କରିଦେଲେ । ଭୀଷଣ ମାଡ଼ରେ ସୁଭାଷଙ୍କ ଦେହସାରା ଫାଟି ରକ୍ତ ବାହାରି ପଡ଼ିଲା । ତାଙ୍କୁ ପୁଣି ଗିରଫ କରି ଜେଲ୍ରେ ଭତ୍ତି କରାଗଲା । ଜେଲ୍ରେ ତାଙ୍କ ଦେହ ବେଶୀ ଖରାପ ହେଲା । ଡାକ୍ତରମାନେ ଯେତେ ଚେଷ୍ଟା କଲେ କିଛି ଫଳ ହେଲା ନାହିଁ । ଶେଷରେ ତାଙ୍କର ଚିକିତ୍ସା ପାଇଁ ସରକାର ଭିଏନା ସହରକୁ ପଠାଇଲେ ।
ଭିଏନାରେ ଥିଲାବେଳେ ସୁଭାଷ ଖବର ପାଇଲେ ଯେ ତାଙ୍କ ବାପାଙ୍କର ଅବସ୍ଥା ସାଂଘାତିକ । ମରିବେ କି ବଞ୍ଚିବେ ଠିକ ନାହିଁ । ସେ ତେଣୁ ବସିଲାଠାରୁ ଉଠି ଚାଲି ଆସିଲେ ବାପାଙ୍କୁ ଟିକିଏ ଦେଖିବା ପାଇଁ । ସୁଭାଷ ତାଙ୍କୁ ଦେଖିବାର ଅଳ୍ପ ସମୟପରେ ଜାନକୀନାଥ ଶେଷ ନିଃଶ୍ୱାସ ଛାଡ଼ିଦେଲେ । ସୁଭାଷ ଗଭୀର ଶୋକରେ ବୁଡ଼ିଗଲେ ।
ସେ ପୁଣି ଭିଏନା ଗଲେ । ମୂଳ ଲକ୍ଷ ହେଲା ଭାରତମାତାଙ୍କୁ ସ୍ୱାଧୀନ କରିବା ପାଇଁ ବିଦେଶୀ ସରକାରମାନଙ୍କର ସାହାଯ୍ୟ ଲୋଡ଼ିବା । ତେଣୁ ସେ ଇଟାଲୀ, ଆଫଗାନୀସ୍ଥାନ, ଆୟରଲ୍ୟାଣ୍ଡ, ଫ୍ରାନ୍ସ ପ୍ରଭୃତି ଦେଶଗୁଡ଼ିକର ମୁଖ୍ୟମାନଙ୍କୁ ଭେଟି ସେମାନଙ୍କ ସାହାଯ୍ୟ କାମନା କଲେ ।
ତାପରେ ଯେତେବେଳେ ସେ ଭାରତକୁ ଫେରିଲେ , ହଜାର ହଜାର ଲୋକ ତାଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିଲେ । ମାତ୍ର ସେ କାହା
ସାଥୀରେ ପଦେ କଥା ହେବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିନେଲେ । ପୁଣି ତାଙ୍କୁ ଦେହ ଖରାପ ହେବାରୁ ସରକାର ଜେଲରୁ ତାଙ୍କୁ ଖଲାସ କରିଦେଲେ ।
୧୯୩୮ ମସିହା । ଲକ୍ଷ୍ନୌ ସହରରେ କଂଗ୍ରେସର ବାର୍ଷିକ ଅଧିବେଶନ ବସିଲା । ସୁଭାଷଙ୍କୁ ସମସ୍ତେ ଗୋଟିଏ ସ୍ୱରରେ କଂଗ୍ରେସର ସଭାପତି ବାଛିଲେ । ଗାନ୍ଧିଜୀ ଶାନ୍ତି ଅହିଂସା ଉପାୟରେ ଦେଶରେ ସ୍ୱାଧୀନତା ପାଇଁ ଲଢ଼େଇ କରିବାକୁ ଚାହୁଁଥିଲେ । ଅଥଚ ନେତାଜୀ କଳେ, ବଳେ ଆଉ କୌଶଳେ ଇଂରେଜ ଶାସନ ହଟାଇବାକୁ କହୁଥିଲେ । ଉଭୟଙ୍କ ଉପାୟ ଅଲଗା ଅଲଗା ଥିଲେହେଁ ଲକ୍ଷ୍ୟ ଏକ ଥିଲା । ଫଳରେ ଉଭୟଙ୍କ ମତ ପାର୍ଥକ୍ୟ ସତ୍ତ୍ୱେ ପରସ୍ପର ପ୍ରତି ସ୍ନେହ ଓ ସମ୍ମାନ ଅତୁଟ ରହିଥିଲା ।
ତା ପରବର୍ଷ ଗାନ୍ଧିଜୀ ତାଙ୍କୁ ସଭାପତି କରିବାକୁ ନ ଚାହିଁଲେ ସୁଦ୍ଧା ତ୍ରିପୁରା ଅଧିବେଶନରେ ତାଙ୍କୁ ପୁଣି ଥରେ କଂଗ୍ରେସର ସଭାପତି ବଛାଗଲା । ମାତ୍ର ବଡ଼ ବଡ଼ ନେତାଙ୍କ ସମାଲୋଚନା ଶୁଣି ତାଙ୍କୁ ଭାରି ଖରାପ ଲାଗିଲା । ସେ ବିରକ୍ତ ହୋଇ ଉଭୟ କଂଗ୍ରେସର ସଭାପତି ଓ ସଭ୍ୟପଦରୁ ଇସ୍ତଫା ଦେଲେ । ଫରୱାଡ଼ ବ୍ଲକ୍ ନାମରେ ସେ ଏକ ନୂଆଦଳ ଗଢ଼ିଲେ । ପୂର୍ବପରି ଇଂରେଜ ସରକାରଙ୍କ ବିରୁଦ୍ଧରେ କାର୍ଯ୍ୟ କଲେ ଆଉ ସଭାସମିତି କରି ସ୍ୱାଧୀନତା ପାଇଁ ଲଢ଼େଇ କଲେ ।
ସରକାର ଦେଖିଲେ ସୁଭାଷଙ୍କୁ ଜେଲ୍ରେ ରଖିଲେ ହଇରାଣ ବାହାରେ ରଖିଲେ ବିପତ୍ତି । ତେଣୁ ସରକାର ତାଙ୍କୁ ନିଜ ଘରେ ନଜରବନ୍ଦୀ କରି ରଖିଲେ । ତାଙ୍କ ଘର ଚାରି ପାଖରେ ଦିନରାତି ପୋଲିସ ଜଗି ରହିଲେ । ସେ ବାହାରକୁ ଯାଇ ପାରିଲେ ନାହିଁ କିମ୍ୱା କେହି ବାହାରୁ ଆସି ତାଙ୍କ ସହିତ ସହଜରେ କଥାବାର୍ତ୍ତା ହୋଇପାରିଲେ ନାହିଁ । ସବୁଥିରେ ପୋଲିସଙ୍କ କଟକଣା ରହିଲା ।
ସୁଭାଷ ନିଶଦାଢ଼ି ଛାଡ଼ିଦେଲେ । ବାବାଜୀ ହୋଇଯିବେ ବୋଲି ସମସ୍ତଙ୍କୁ ଜଣାଇଦେଲେ । ବେଶୀ କେହି ଭିତରକୁ ଆସିଲେ ନାହିଁ କିମ୍ୱା ସେ ବାହାରକୁ ବେଶୀ ଯିବାକୁ ଚାହିଁଲେ ନାହିଁ । ଦିନେ ଦୁଇଜଣ ଦାଢ଼ିବାଲା ବାବାଜୀ ସୁଭାଷଙ୍କୁ ଦେଖାକରିବାକୁ ଆସିଲେ । ପୋଲିସମାନେ ସେମାନଙ୍କୁ ଭଲ ଭାବରେ ଯାଞ୍ଚ କରି ଭିତରକୁ ଛାଡ଼ିଲେ । ସେମାନେ ଫେରିଲା ବେଳେ ପୁଣି ସେମାନଙ୍କୁ ଯାଞ୍ଚ କରି ବାହାରକୁ ଛାଡ଼ିଲେ । ଏମିତି ସେମାନେ କେତେ ଦିନ ଧରି ଯିବା ଆସିବା କଲେ । ପୋଲିସମାନେ ଆଉ ସେମାନଙ୍କୁ ଯାଞ୍ଚ କଲେ ନାହିଁ ।
ଶେଷରେ ସୁଭାଷ, ଗୋଟିଏ ଅଜଣା ବାଟ ବାଛିନେଲେ । ଯେଉଁ ଦେଶମାଟିକୁ ସ୍ୱାଧୀନ କରିବାକୁ ସେ ଚାହିଁଥିଲେ, ନିଜ ଜୀବନକୁ ତିଳ ତିଳ କରି ଜାଳିଥିଲେ, ସେଇ ମାଟିମାଆ କୋଳକୁ ସେ ଆଉ ଫେରି ନଥିଲେ । ୧୯୪୧ ମସିହା ଜାନୁୟାରୀ ମାସ ୧୫ ତାରିଖ । ସେଇ ବାବାଜୀ ଦୁହେଁ ସେମିତି ସୁଭାଷଙ୍କ ପାଖକୁ ଆସିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଜର ନକଲି ନିଶଦାଢ଼ି ଆଉ ବାବାଜୀ ପୋଷାକ ବଦଳାଇଦେଲେ । ସୁଭାଷ ସେସବୁ ପିନ୍ଧି ପକାଇଲେ । ଅନ୍ୟ ଜଣଙ୍କ ସାଥରେ ବାହାରକୁ ଚାଲିଗଲେ । ପୋଲିସମାନେ ଆଉ ଯାଞ୍ଚ କରି ନଥିଲେ ।
ଫାଟକ ପାଖରୁ ଗୋଟିଏ ମଟରରେ ବସି ସୁଭାଷ କଲିକତାରୁ ୬୦ କଲେମିର ଦୂର ବର୍ଦ୍ଧମାନ ରେଳଷ୍ଟେସନକୁ ଗଲେ । ସେଠାରୁ ସେ ଗୋଟିଏ ମୌଲବୀ ବେଶ ଧରି ଟ୍ରେନରେ ବସିଲେ । ମୁହଁରେ ଲମ୍ବା ଦାଢ଼ି, ମୁଣ୍ଡରେ ଲମ୍ବା ଟୋପି, ଦେହରେ ଢିଲା ପାଇଜାମା ଆଉ ଅଚ୍କନ ! ତା ଆରଦିନ ରାତି ୯ଟାରେ ସେ ପେଶୱାଠାରେ ପହଞ୍ଚିଲେ । ସେଠାରୁ ଓହ୍ଲାଇଲା ମାତ୍ରେ ତାଙ୍କର ମନରେ ଦମ୍ଭ ଆସିଲା ।
ଗୋଟିଏ ମଟରରେ ବସି ସେ ପେଶୱାର ସହର ଭିତରେ ଥିବା ଜଣେ ମୁସଲମାନଙ୍କ ଘରକୁ ଗଲେ । ସେଇ ମୁସଲମାନ ଆଗରୁ ଏସବୁ କଥା ଜାଣିଥିବାରୁ ସେ ସୁଭାଷକୁ ଖୁବ୍ ଯତ୍ନରେ ତାଙ୍କ ଘରେ ରଖିଲେ । ତାଙ୍କ ପରାମର୍ଶ ଅନୁସାରେ ସେ ମୌଲବୀ ବେଶ ବଦଳାଇ ସେଠାରୁ ପଠାଣ ବେଶ ଧରିଲେ । ନିଜର ନାଁ ରଖିଲେ “ଜିଆଉଦ୍ଦିନ” | ମାତ୍ର ପଠାଣ ଭାଷା ଜାଣି ନଥିବାରୁ ସେ ଗୋଟିଏ ଖନାର ଅଭିନୟ କରିଥିଲେ । ତାଙ୍କ ସାଥିରେ ରହେମତ୍ ଖାଁ ନାମକ ଜଣେ ପଠାଣ ଥଲେ । ସେମାନେ ସାଥିହୋଇ ତମରୁଦ୍ ଗଲେ । ସେଠାରେ ଗୋଟିଏ ଗାଁରେ ରାତି କଟାଇଲେ । ଗାଁ ଲୋକମାନେ ସେମାନଙ୍କୁ ଫଳ, ଦୁଧ ଓ କଫି ଦେଇ ଚର୍ଚ୍ଚା କଲେ । ଖୁବ୍ ଶୀତ ପଡ଼ିଥିବାରୁ ଘୋଡ଼ି ହେବା ପାଇଁ ତାଙ୍କୁ କମ୍ବଳ ଦେଲେ ।
ତା ଆରଦିନ ସକାଳୁ ସୁଭାଷ ତାଙ୍କର ବିଶ୍ୱାସୀ ବନ୍ଧୁ କେତେ ଜଣଙ୍କୁ ସଙ୍ଗରେ ନେଇ ଆଫଗାନିସ୍ତାନ ଆଡକୁ ଚାଲିଲେ |୧୫/୨୦ କିଲୋମିଟର ଦୂର ଯିବା ପରେ ଗୋଟିଏ ଗାଁରେ ପହଞ୍ଚିଲେ | ସେଠାରେ ରାତିଟି କଟାଇ ପରଦିନ ସକାଳୁ ସେମାନେ ପୁଣି ଆଗେଇଲେ | ସୁଭାଷଙ୍କର ତ ଏତେ ବାଟ ଚଲା ଅଭ୍ୟାସ ନଥିଲା | ତେଣୁ ସେ ଖୁବ ଅବଶ ହୋଇଡିଲେ | ରାତିଟି ସେଠାରେ କଟାଇ ସକାଳୁ କାବୁଲ ନଦୀ ପାର ହୋଇଗଲେ ।
ସୁଭାଷ ସିନା କାବୁଲ ମାଟିରେ ପାଦ ଦେଲେ, ମାତ୍ର କାବୁଲ ସହର ସେଠାରେ ବହୁଦୂର | ପକ୍କା ରାସ୍ତା ପଡିଲା | ବସ୍ ମଧ୍ୟ ଯା’ଆସ କରୁ ଥିଲା | କିନ୍ତୁ ସେ ବସ୍ ରେ ଭାରି ଭିଡ | ସେ ଓ ତାଙ୍କର ଜଣେ ସାଙ୍ଗ ରହେମତ୍ ବସ୍ ଛାତ ଉପରେ ବସି କାବୁଲରେ ପହଞ୍ଚିଲେ | ରାତିରେ ସେମାନେ ଯେଉଁ ସରେଇ ଘରେ ବିଶ୍ରାମ ନେଲେ ତାହା ଏତେ ଅପରିଷ୍କାର ଯେ ସୁଭାଷ ଭକ୍ କରି ବାନ୍ତି କରି ପକାଇଲେ | ପରେ ଜଣେ ଭାରତୀୟ ବ୍ୟବସାୟୀ ସାଥିରେ ରାତିଟି କଟାଇଲେ | ଏମିତି କାବୁଲ୍ ଓ କାନ୍ଦାହାରରେ ୪୩ ଦିନ କଟିଲା | ହାଡଭଙ୍ଗା ଶୀତ କାକର ଆଉ ବରଫ ବର୍ଷା ଭିତରେ ସେମାନେ ବୁଲୁଥିଲେ|
ଏଣେ ଇଂରେଜ ସରକାର ୧୧ ଦିନ ପରେ ଜାଣିବାକୁ ପାଇଲେ ଯେ ସୁଭାଷ ବୋଷ ଖସି ପଳାଇଛନ୍ତି | କିମିତି ଗଲେ, କୁଆଡେ ଗଲେ, କେତେବେଳେ ଗଲେ, ସରକାର ଠିକ୍ କରି ପାରିଲେ ନାହିଁ | ପୋଲିସମାନେ ଚଉଦିଗରେ ଖୋଜାଲୋଡା କଲେ | କିନ୍ତୁ ଆଉ ପତ୍ତା ପାଇବା ସମ୍ଭବ ହେଲା ନାହିଁ |
ତାପରେ ସୁଭାଷ ଆଫଗାନିସ୍ତାନ, ଇଟାଲୀ, ରୁଷିଆ, ଜର୍ମାନୀ ପ୍ରଭୃତି ବହୁଦେଶକୁ ଯାଇ ଭାରତର ମୁକ୍ତି ପାଇଁ ସେମାନଙ୍କର ସାହାଜ୍ୟ ଚାହିଁଲେ | ମାତ୍ର ସେତେବେଳକୁ ଦ୍ୱିତୀୟ ପୃଥୀବୀ ମହାଯୁଦ୍ଧ ଲାଗିଯାଇ ଥିବାରୁ ଜର୍ମାନୀ ଛଡା ଆଉ କେଉଁ ଠାରୁ ସେ ଇଂରେଜ ସରକାରଙ୍କ ବିରୁଦ୍ଧରେ ସହଯୋଗ ପାଇଲେ ନାହିଁ |
ଜର୍ମାନୀର ରାଜଧାନୀ ବର୍ଲିନରେ ପ ଞ୍ଚିଲେ | ଜର୍ମାନୀର ସବୁଠୁଁ ଟାଣୁଆ ନେତା ହିଟାଲର ତାଙ୍କୁ ଖୁବ୍ ଆଦର ଅଭ୍ଯର୍ଥନା କଲେ | ଭାରତର ଶ୍ରେଷ୍ଠନେତା ଭାବରେ ସୁଭାଷଙ୍କୁ ସେ ସମ୍ବୋଧନ କରିଥିଲେ ଏବଂ ଭାରତର ସାଧୀନତା ପାଇଁ ଯାହା ଦରକାର ସବୁ କରିବାକୁ ଜବାବ ଦେଇଥିଲେ । ଇଂରେଜ ସେନା ବାହିନୀ କାର୍ଯ୍ୟ କରୁଥିବା ବହୁ ଭାରତୀୟ ସୈନ୍ୟ ସେତେବେଳେ ବନ୍ଦୀ ଥିଲେ । ହିଟ୍ଲର ସେମାନଙ୍କୁ ମୁକାଳି ଦେଲେ । ସେମାନଙ୍କୁ ନେଇ ସୁଭାଷ ନୂଆ ସୈନ୍ୟବାହିନୀ ଗଢ଼ିଲେ । ତାର ନାଁ ଦେଲେ “ଆଜାଦ୍ ହିନ୍ଦ୍ ଫଉଜ” । ସେ ହେଲେ ତାର ସେନାପତି । ଯେଉଁମାନେ ଇଂରେଜ ସରକାର ପାଇଁ କାମ କରି ବନ୍ଦୀ ହୋଇଥିଲେ, ସେମାନେ ସେଇ ସରକାର ବିରୁଦ୍ଧରେ କାମ କରି ନିଜ ଦେଶକୁ ସ୍ୱାଧୀନ କରିବେ, ଏହାଠାରୁ ବଳି ସୌଭାଗ୍ୟର କଥା ଆଉ କ’ଣ ଅଛି ? ପୁଣି ସୁଭାଷଙ୍କ ନେତୃତ୍ୱରେ କାର୍ଯ୍ୟ କରିବାକୁ ସେମାନଙ୍କର ଆନନ୍ଦ ଓ ଗର୍ବ ବହୁଗୁଣ ବଢ଼ିଗଲା ।
ସୁଭାଷ ବୋଷ ଜର୍ମାନୀରୁ ଜାପାନ ଗଲେ । ସେତେବେଳେ ଏହି ଉଭୟ ଦେଶ ମିଳିମିଶି ଇଂରେଜଙ୍କ ବିରୁଦ୍ଧରେ ଲଢ଼େଇ କରୁଥାନ୍ତି । ଇଂରେଜ ସୈନ୍ୟମାନଙ୍କୁ ହଟାଇ ସେମାନେ ଶ୍ୟାମଦେଶ,ସିଙ୍ଗାପୁର, ମାଳୟ, ବ୍ରହ୍ମଦେଶ ପ୍ରଭୃତି କେତେ ଦେଶକୁ ଦଖଲ କରି ନେଇଥାନ୍ତି । ଏହିସବୁ ଦେଶରେ ଇଂରେଜ ସେନା ବାହିନୀରେ ଲଢ଼େଇ କରି ବହୁ ଭାରତୀୟ ସୈନ୍ୟ ବନ୍ଦୀ ହୋଇଥିଲେ । ସେମାନଙ୍କୁ ନେଇ ବିପ୍ଲବୀ ରାସବିହାରୀ ବୋଷ ଜାପାନରେ ଗୋତିଏ ସୈନ୍ୟଦଳ ଗଢ଼ିଥିଲେ । ସୁଭାଷଙ୍କୁ ସେ ଏହି ସୈନ୍ୟଦଳର ସେନାପତି କରିଦେଲେ । ଏହାକୁ ମଧ୍ୟ ଆଜାଦ୍ ହିନ୍ଦ୍ ଫଉଜ ସହିତ ସାମିଲ କରି ଦିଆଗଲା ।
ସୁଭାଷ ଆଜାଦ୍ ହିନ୍ଦ୍ ଫଉଜର ସେନାପତି ହେଲା ପରେ ହଜାର ହଜାର ଲୋକ ଏଥିରେ ଯୋଗଦେଲେ । ତାଙ୍କ କଥାରେ କି କୁହୁକ ଥିଲା କେଜାଣି କି ସ୍ତ୍ରୀ, କି ପୁରୁଷ , କି ହିନ୍ଦୁ, କି ମୁସଲମାନ, କି ପାର୍ସୀ, କି ଖ୍ରୀଷ୍ଟିୟାନ ଏହି ଫଉଜରେ ମିଶିଲେ । ଟଙ୍କା ପଇସାଠାରୁ ସୁନା ରୂପାର ଅଳଙ୍କାର ଯାଏ, ସବୁ ଯୁଦ୍ଧପାଣ୍ଠିକୁ ଦାନ କଲେ । ଫଳରେ ଆଜାଦ୍ ହିନ୍ଦ୍ ଫଉଜରେ ପ୍ରାୟ ପଚାଶ ହଜାର ସୈନ୍ୟ ଓ ଦେଢ ହଜାର ଅଫିସର ରହିଲେ । ଏହାଛଡା ପ୍ରାୟ ଦେଢଲକ୍ଷ ଲୋକ ଏହାର ସଭ୍ୟ ହୋଇଥିଲେ । ଲକ୍ଷ ଲକ୍ଷ ଟଙ୍କା ଫଉଜ ପାଇଁ ମିଳିଲା ଆଉ ଲକ୍ଷ ଲକ୍ଷ ଲୋକ ଫଉଜ ପାଇଁ କାର୍ଯ୍ୟ କରିବାକୁ ବାହାରି ପଡ଼ିଲେ । ନିଜ ରକ୍ତରେ ସେମାନେ ଦସ୍ତଖତ୍ କରି ଦେଶମାତାକୁ ସ୍ୱାଧୀନ କରିବାକୁ ଜୀବନ ଦେବେ ବୋଲି ଶପଥ ନେଲେ ।
୧୯୪୪ ମସିହା ଫେବୃୟାରୀ ୪ ତାରିଖରେ ଭାରତ ଓ ବ୍ରହ୍ମଦେଶର ସୀମାରେ ଆଜାଦ ହିନ୍ଦ୍ ଫଉଜ ପହଞ୍ଚିଥିଲା । ଏହାର ସୈନ୍ୟମାନଙ୍କ ମନରେ ପ୍ରବଳ ଉତ୍ସାହ ଓ ଉନ୍ମାଦନା ଖେଳିଯାଇଥିଲା । ଏହାର ପ୍ରଧାନ ସେନାପତି ଭାବରେ ନେତାଜୀ ସୁଭାଷ ସେମାନଙ୍କୁ ଚେତାଇ ଦେଇ କହିଥିଲେ-ଦେଖ, ଆଗକୁ ଚାହଁ । ଆଗରେ ତୁମ ଦେଶର ନଦୀ ପାହାଡ,ବଣଜଙ୍ଗଲ ଠିଆ ହୋଇଛି । ଆର ପଟେ ଆମର ମାଟି ମାଆ । ଅମେ ତାର କୋଳକୁ ଫେରୁଛୁଁ । କାନଡେରି ଶୁଣ ଏଇ ମାଆ ଅମକୁ ଡାକୁଛି । ଏହାର ରାଜଧାନୀ ଦିଲ୍ଲୀ ହାତ ଠାରୁଛି । ଭାରତର ତିରିଶ କୋଟି ଭାଇ-ଭଉଣୀ ଆମକୁ ବିକଳ ସ୍ୱରରେ ଡାକ ଛାଡୁଛନ୍ତି । ହେ ବୀର ସୈନ୍ୟଗଣ, ଉଠ, ଅସ୍ତ୍ରଧର । କାମ କର ବା ଦେହ ଛାଡ, ଏଇ ମନ୍ତ୍ର ଉଚ୍ଚାରଣ କର । ଏଇ ଦୁଇଟିରୁ ଯେକୌଣସି ଗୋଟିକରେ ଆମର ଜୀବନ ଧନ୍ୟ ହେବ । ଦିଲ୍ଲୀର ପଥ, ସ୍ୱାଧୀନତାର ପଥ । ଏବେ ଚାଲ, ଦିଲ୍ଲୀ ଚାଲ ।
ଆଜାଦ୍ ହିନ୍ଦ୍ ଫଉଜର ସୈନ୍ୟ ଓ ସେନାପତିଙ୍କ ମଧ୍ୟରେ ଅପୂର୍ବ ଉନ୍ମାଦନା ଓ ଉତ୍ତେଜନା ଖେଳିଗଲା । ଦେଶମାତାକୁ ବିଦେଶୀ ଶାସନର ବେଢ଼ିବନ୍ଧନରୁ ମୁକୁଳାଇବା ପାଇଁ ପ୍ରାଣ -ଉଚ୍ଛୁଳା ଆଶା ଆଉ ଆନନ୍ଦ ! ଫଉଜ ଆଗେଇ ଚାଲିଲା । ଇଂରେଜ ସୈନ୍ୟମାନଙ୍କୁ ହଟାଇ ସେମାନେ ଅଳ୍ପ ସମୟ ମଧ୍ୟରେ ହଜାର ହଜାର କିଲୋମିଟର ଭୂଇଁ ଦଖଲ କରିଗଲେ । ଯେଉଁଠିକୁ ଗଲେ ସେଠି ଉଡିଲା ଭାରତର ତ୍ରିରଙ୍ଗ ପତାକା । ସେସବୁ ଅଞ୍ଚଳ ଆଜାଦ୍ ହିନ୍ଦ୍ ଫଉଜର ଅଧୀନକୁ ନିଆଗଲା । ସେ ହେଲା ସ୍ୱାଧୀନ ।
ଆଜାଦ୍ ହିନ୍ଦ୍ ଫଉଜର ଅପୂର୍ବ ବୀରତ୍ୱ ଓ ସଫଳତାରେ ଇଂରେଜ ସରକାର ଭୟଭୀତ ହୋଇ ପଡିଲେ । ଭାରତର ପୂର୍ବ ଅଞ୍ଚଳରେ ଇଂରେଜ ସୈନ୍ୟମାନଙ୍କ ଛାଉଣିରେ କୋକୁଆଭୟ ଖେଳିଗଲା । କୋହିମା, ଆରାକାନ୍ ଓ ମଣିପୁର ଅଞ୍ଚଳରେ ଫଉଜର ଅଧିକାର ସାବ୍ୟସ୍ତ ହୋଇଗଲା । ମଣିପୁର ରାଜଧାନୀ ଇମ୍ଫାଲକୁ ମଧ୍ୟ ଫଉଜର ସୈନ୍ୟମାନେ ଘେରାଉ କରିନେଲେ । ଇଂରେଜ ସେନାଛାଉଣିରୁ ବହୁ ଅସ୍ତ୍ରଶସ୍ତ୍ର ଓ ଖାଦ୍ୟପଦାର୍ଥ ମିଳିଗଲା ।
ସେମାଙ୍କ ପାଖରେ ପ୍ରଥମରୁ ଦେଶୀ କିୱହି ତୋପ-କମାଣ ଓ ଗୁଳିଗୁଳା ନଥିଲା। କିନ୍ତୁ ଏବେ ସେସବୁର ଅଭାବ ରହିଲା ନାହିଁ।
ହେଲା ଠିକ ସେତିକିବେଳେ ଜର୍ମାନୀ ଓ ଜାପାନ ଯୁଦ୍ଧରେ ହତି ଗଲେ। ଅଜାଦ୍ଦ ହିନ୍ଦ୍ ଫୁଜ ସେମାନ ଠାରୁ କିଛି ସାହାଯ୍ଯ ସ ହଯୋଗ ପାଇଲେ ନାହିଁ। ପୁଣି ଭାରତର ସେହି ଅଞ୍ଚଳ ପାହାଡ଼ଜଙ୍ଗଲ ପରିପୁର୍ଣ୍ଣ ଆଉ ସେଠାରେ ବର୍ଷାଋତୁ ଅଧୀକ କାଳସ୍ଥାଇ। ସେତେବେଳେ ବର୍ଷାଋତୁ ଆରମ୍ଭ ହୋଇ ପ୍ରବଳ ବର୍ଷା ଲାଗିରହିଲା। ନ୍ତ୍ରମେ ଖାଦ୍ଯ ଓ ହାଥତିହାରର ଅଭାବ ପଡ଼ିଲା। ପାଗ ଖରାଫ ହେଲା ବେଳକୁ ଇଁରେଜ ସୈନ୍ଯମାନଙ୍କର ପ୍ରତି ଆକ୍ରମଣ ଆରମ୍ଭ ହୋଇଗଲା।ଅନେକ ଆଜାହିନ୍ଦ୍ ସୈନ୍ଯମସଙ୍କ ହାତରେ ବନ୍ଦୀ ହେଲେ। ତେଣୁ ସୁବାଷ ବୋଷ ବାଧ୍ଯ ହୋଇ ଫୁଜର ସନ୍ଯମାନ ଙ୍କୁ ପଛକୁ ହଟି ଆସିବାକୁ ନିର୍ଦ୍ଦେଶ ଦେଲେ।
ଆଜଦ ହିନ୍ଦ୍ ଫୁଜ ସୁଯୋଗ ଅସିବା ଅପେକ୍ଷାରେ ଥା’ନ୍ତି। କିନ୍ତୁ ଦୁର୍ଯୋଗ ହିଁ ଆସିଲା। ଆମେରିକା ସୈନ୍ଯ ଓ ସୈନ୍ଯମାନେ ମିଳି ଏକାଠି ବ୍ରହ୍ମଦେଶ ଉପରେ ଅନ୍ତ୍ରମଣ କଲେ। ଜାପାନୀ ସୈନ୍ଯ ମାନେ ଏଥୀରେ ଛିନ୍ନକ୍ଛନ୍ତ୍ର ହୋଇଗଲେ। ତେଣୁ ଜାପାନି ମାନଙ୍କ ଠାରୁ ଯେଉଁ ସାହାଯ୍ଯ ଅଶା କରିଥିଲେ, ତାହା ମିଳିଲା ନାହିଁ। ସବୁ ଆଡ଼ୁ ପ୍ରତିକୂଳପରିପ୍ରତିର ସମ୍ମୁଖୀନ ହୋଇ ନେତାଜୀ ସୁବାଷ ଦିଲ୍ଲୀ ଚାଲ ଅଭିଯାନ ବନ୍ଦ କାରିବାକୁ ବଧ୍ଯ ହେଲେ। କିନ୍ତୁ ସେ ନିରାଶ ହୋଇ ପସିନଥିଲେ। ମନରେ ତାଙ୍କର ଉଚ୍ଛଳ ଆଶା ଓ ସ୍ୱାଧୀନତାର ନିଶା ସେମିତି ଭରି ରହିଥିଲା।
୧୯୪୫ ମସିହା ଅଗଷ୍ଟ ମାସ ୧୫ ତାରିଖ ।ଅଜାଦ ହିନ୍ଦ୍ ଫୁଜର ସୈନ୍ଯମାଙ୍କୁ ଉଦ୍ବଦୋନ ଶୁଣାଇ ଖିଥିଲେ- ଆମର ପ୍ରଥମ ଚେଷ୍ଟା ବିପଳ ହୋଇଥିଲେ ହେଁ ତାହା ଆମର ଶେଷ ଚେଷ୍ଟା ନୁହେଁ। ଆମଙ୍କୁ ପୁଣି ଥରେ ଚେଷ୍ଟା କରିବାକୁ ସଫଳ ହେବ। ଭାରତମାତା ସ୍ୱାଧିନ ହେବ। ସେଦିନ ଆଉ ବେଶୀଦୂର ନୁହେଁ, ଅତି ନିକଟ। ହେ ବୀର ସେନ୍ଯଗଣ, କଳ୍ପନାର ଆଖୀ ମେଲି ସେହି ପବିନ୍ତ୍ର ଦିନତିକୁ ଦେଖ। ଦିଲ୍ଲୀର ଜାତିୟ ଭବନରେ ସେଦିନ ଭାରତର ସ୍ୱାଧିନ ନ୍ତ୍ରି ରଙ୍ଗ- ପତାକା ଫର ଫର ହୋଇ ଉଡ଼ିବ। ଐତିହାସିକ ପ୍ରାଚୀନ ଲାଲକିଲାରେ ସ୍ୱାଧୀନତାର ବିଜୟ ଉତ୍ସବ ପାଳିତ ହେବ । ଭାରତବାସୀମାନେ ପ୍ରାଣପୂର୍ଣ୍ଣ ଆନନ୍ଦରେ ମାତି ଉଠିବେ ।
ତାର ଦୁଇଦିନ ପରେ ନେତାଜୀ ସୁଭାଷ ଊଡାଜାହାଜରେ ଜାପାନର ରାଜଧାନୀ ଟୋକିଓକୁ ଯାଊଥିଲେ । ହୁଏତ ଶେଷ ଚେଷ୍ଟା କରିବାକୁ…। ବାଟରେ ସେହି ଉଡାଜାହାଜରେ ନିଆଁ ଲାଗିଗଲା । ତାହା ଜଳି ଜଳି ତଳକୁ ଖସି ପଡିଲା । ସେଇ ଜଳନ୍ତା ଜାହାଜରୁ ସୁଭାଷଙ୍କୁ ଉଦ୍ଧାର କରି ଗୋଟିଏ ଡାକ୍ତରଖାନାକୁ ନିଆଯାଇଥିଲା । ସେଇଠି ସେ ସବୁଦିନ ପାଇଁ ଆଖି ବୁଜି ଦେଲେ । କେତେକେ ଏହି କଥା ବିଶ୍ୱାସ କରନ୍ତି ନାହିଁ । ଏବେ ବି ସେ ବଞ୍ଚିଛନ୍ତି ବୋଲି ସେମାନେ କହନ୍ତି ।
ତେବେ ଯାହାହେଉ ପଛେ ଦେଶମାତାକୁ ସ୍ୱାଧୀନ କରିବା ପାଇଁ ତାଙ୍କ ମନର ଆକୁଳତା ଓ ଛାତିର ବଳବହପ ଯୁଗଯୁଗକୁ ଅଭୁଲା ହୋଇ ରହିବ । ସେ ମରିଥିଲେ ମଧ୍ୟ ଅମର ହୋଇ ରହିବେ । ତାଙ୍କର କଥା ଆଜି ସତ ହୋଇଛି । ଆମରି ଦେଶ ଆଜି ସ୍ୱାଧୀନ । ଫିରିଙ୍ଗ ଫଉଜ ହଟି ଯାଇଛନ୍ତି । ବିଦେଶୀ ଶାସନ କଳା ଅନ୍ଧାର ଅପସରି ଯାଇଛି । ତାଙ୍କର ସେଇ ଆଶା ଓ ଆଶ୍ୱାସନାର ବାଣୀ ସବୁଦିନକୁ ସ୍ମରଣୀୟ ହୋଇ ରହିବ ।
ତାଙ୍କରି ଉଦ୍ଦେଶ୍ୟରେ ଆମେ ଆଜି ଗାଇବା:-
ନେତାଜୀ ଆମରି ଦେଶର ଆଗୁଆ ସନ୍ତାନ;
ମାଟି ମାଆ ପାଇଁ ସହିଲା ସେ ଶତ କଷଣ ।
ସାରା ଭାରତକୁ ତତାଇଲା ସିଏ ମତାଇଲା ।
ଜୀବନ ସଳିତା ତିଳ ତିଳ କରି ଜଳାଇଲା ।
ଠେଲିଦେଲା ପାଦେ ସବୁ ସୁଖଶାନ୍ତି ହାକିମାତି;
ବରିନେଲା ଯେତେ ଦୁଃଖଜଞ୍ଜାଳ ମେହନତି ।
ସାଧୀନତାର ସଂଗ୍ରାମ ତାର ସ୍ମରଣୀୟ ।
ଆମରି ମାଟିର ଅମର ଶହୀଦ ବନ୍ଦନୀୟ ।