• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»‘ଆମର ସିଲଟ କଲମ ନଥିଲା’
ଗଳ୍ପ

‘ଆମର ସିଲଟ କଲମ ନଥିଲା’

ସୌମ୍ୟ ରଞ୍ଜନ ପଟ୍ଟନାୟକBy ସୌମ୍ୟ ରଞ୍ଜନ ପଟ୍ଟନାୟକFebruary 23, 2020No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ମୋର ଗୋସେଇଁ ବାପାଙ୍କର ଭାଇ ରଘୁନାଥ ପରିଜାଙ୍କ କଥା କହୁଚି । ତାଙ୍କର ସାନ ପୁଅ ସେପରି ଚତୁର ନଥିଲେ । ସେଥିପାଇଁ ସେ ଜଣେ ମାଟିବଂଶ ଅବଧାନଙ୍କୁ ଗ୍ରାମ୍ୟ ଶିକ୍ଷକ ରୂପେ ନିଯୁକ୍ତ କରି ଆମ ଘରେ ଗୋଟିଏ ପାଠଶାଳା ଖୋଲିଥିଲେ । ମୋର ଦାଦା, ମୁଁ ଓ ଗ୍ରାମର ବହୁ ପିଲା ଏହି ପାଠଶାଳାରେ ଯୋଗ ଦେଇଥିଲୁ । ଆମର କୌଣସି ସିଲଟ, କଲମ ନଥିଲା । ବାରଣ୍ଡା ଉପରେ ମୁଣ୍ଡା ଖଡ଼ିରେ ଲେଖି ଆମେ ଅକ୍ଷର ଶିକ୍ଷା କରୁଥିଲୁ । ଖଡ଼ିରେ ଗୋଟିଏ ଅକ୍ଷର ଲେଖି ତା‘ ଉପରେ ଥରକୁ ଥର ଖଡ଼ି ବୁଲେଇବା ଫଳରେ ଅକ୍ଷର ଆପେ ମନେ ରହିଯାଉଥିଲା । ପ୍ରତ୍ୟେକ ଛାତ୍ର ଭାଗରେ ଗୋଟିଏ ବର୍ଗ ଗଜ ଜାଗା ପଡ଼ୁଥିଲା । ତା‘ର ନାମ ପାହି । ଜଣେ ନିଜ ପାହି ଛାଡ଼ି ଅନ୍ୟ ପାହିରେ ପ୍ରବେଶ କରିବା ମନା । ଯେତେବେଳେ ଲେଖିଲେଖି ଭୂଇଁରୁ ମାଟି ଉଠିଯାଉଥିଲା, ସେତେବେଳେ ପିଲାମାନେ ପାଳିକରି ମାଟି ଗୋବରରେ ତାକୁ ଲିପି ଦେଉଥିଲେ ।

ସାଧାରଣ ଅକ୍ଷର ଶିକ୍ଷା ପରେ ପିଲାମାନେ ଯୁକ୍ତାକ୍ଷର ଶିକ୍ଷା କରୁଥିଲେ । ଏହା ପରେ ପଣକିଆ ବା ଗୁଣନ ଶିକ୍ଷା । ଏହା ସାହାଯ୍ୟରେ ପଣ ଓ ଗଣ୍ଡା ଶିକ୍ଷା କରାଯାଉଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସେତେବେଳେ ପଇସା, ଅଧଲା, ପାହୁଲା ସାଙ୍ଗକୁ କଉଡ଼ି ମୁଦ୍ରା ଆକାରରେ ଚଳୁଥିଲା । ପଣେ ବା ପଚିଶଟି କଉଡ଼ି ମିଶିଲେ ଅଣାଏ ହେଉଥିଲା । ଷୋଳ ଅଣାରେ ଗୋଟିଏ ଟଙ୍କା । ଏଥିପାଇଁ ଏହାର ନାମ ଥିଲା ପଣକିଆ ।

ପଣକିଆ ଶିକ୍ଷା ପରେ ଗୁଣନ, ଫେଡ଼ାଣ ଓ ଓଡ଼ାଙ୍କ ଶିକ୍ଷା ଦିଆଯାଉଥିଲା । ସକାଳେ ମାଟି ଚଟାଣ ଉପରେ ମୁଣ୍ଡା ଖଡ଼ିରେ ଲେଖି ପିଲାଏ ଏହା ଶିକ୍ଷା କରୁଥିଲେ । ଉପରବେଳା ଓଡ଼ିଆରେ ପଦ୍ୟ ମୁଖସ୍ଥ କରୁଥିଲେ ଓ ଟିକିଏ ଅଧିକ ପଢ଼ିଗଲେ ସଂସ୍କୃତ ଶ୍ଳୋକ ଘୋଷୁଥିଲେ । ପାଠୁଆ ପିଲା ଏ ଲେଖନ ସାହାଯ୍ୟରେ ତାଳପତ୍ରରେ ଲେଖୁଥିଲେ । ଲେଖନ ହେଉଚି ଏକ ପ୍ରକାର ଲୁହାର କଲମ ଏବଂ ଏହାର ମୁଣ୍ଡ ପାଖ ଏପରି ଦାଢ଼ୁଆ ଯେ ଏଥିରେ ତାଳପତ୍ରକୁ କଟାଯାଇ ଲେଖିବା ଆକାରକୁ ଅଣାଯାଇପାରିବ । ଯେତେବେଳେ ଲେଖିବା ଦୋରସ୍ତ ହୋଇଯାଉଥିଲା ପିଲାମାନେ କାଗଜାତ୍‍ ଓ ହିସାବ ରଖିବା ଶିକ୍ଷା କରୁଥିଲେ । ପିଲାଙ୍କ ଭିତରେ ଯେଉଁମାନେ ଆଗୁଆ ଥିଲେ ସେମାନେ ‘ଅମରକୋଷ‘ ଘୋଷୁଥିଲେ ।

ସଂଧ୍ୟାବେଳେ ଘଣ୍ଟାଏ କାଳ ପଣକିଆ, ଓଡ଼ିଆ ପଦ, ସଂସ୍କୃତ ଶ୍ଳୋକ ଏପରିକି ‘ଅମରକୋଷ‘ ଆବୃତ୍ତି କରାଯାଉଥିଲା । ପିଲାମାନେ ଯାହା ମୁଖସ୍ଥ କରୁଥିଲେ ସେଥିରୁ ଖୁବ୍‍ କମ୍‍ ବୁଝୁଥିଲେ ଏବଂ ଏ ପ୍ରଣାଳୀରେ ସେମାନଙ୍କର ସ୍ମୃତିଶକ୍ତି ବଢ଼ୁଥିଲା, ଏହା ନିଃସନ୍ଦେହରେ କୁହାଯାଇପାରେ ।

ବିଦ୍ୟାରମ୍ଭ

ଆମ ଜାତିରେ ବିଦ୍ୟାରମ୍ଭ ନାମକ ଏକ ଉତ୍ସବ ପାଳନ କରାଯାଉଥିଲା । ଏହି ଦିନଠାରୁ ପିଲା ଶିକ୍ଷା ଆରମ୍ଭ କରିବାର କଥା । ନିଜ ପରିବାରର ନାୟକ ଏହି ଉତ୍ସବରେ ପୁରୋଧା କାର୍ଯ୍ୟ କରୁଥିଲେ । ଏହି ନାୟକମାନେ ଥିଲେ ମାଟିବଂଶ ବା କ୍ଷିତିବଂଶ ଅବଧାନକୁଳର । ଏମାନଙ୍କର ପୁରଷାନୁକ୍ରମିକ ବୃତ୍ତି ଥିଲା ଅବଧାନି କରିବା । ଏହି ଉତ୍ସବ ଦିନରେ ବିଦ୍ୟାରମ୍ଭ କରୁଥିବା ବାଳକ ନୂଆ ଲୁଗା ପିନ୍ଧୁଥିଲା । ସରସ୍ୱତୀଙ୍କୁ ଆବାହନ କରାଯାଉଥିଲା ଓ ୬ରୁ ୨୧ଟି ପର୍ଯ୍ୟନ୍ତ ନଡ଼ିଆ ଭୋଗ ହେଉଥିଲା । ପରିବାରର ନାୟକ ବାଳକର ପ୍ରକୃତ ଶିକ୍ଷକ ହେବେ, ଏପରି କିଛି ନିୟମ ନଥିଲା । ମୋ କ୍ଷେତ୍ରରେ ଏ ଉତ୍ସବ ବିଳମ୍ୱ ହୋଇଯାଇଥିଲା । ମୁଁ ପାଠଶାଳାରେ କିଛିଦିନ ଯୋଗଦେବା ପରେ ମୋର ବିଦ୍ୟାରମ୍ଭ ଉତ୍ସବ ହୋଇଥିଲା ।

ବେତମାଡ଼ରେ ଉପସ୍ଥାନ

ଏସବୁ ପାଠଶାଳାରେ ଯୋଗ ଦେବାର ପ୍ରଣାଳୀ ମଧ୍ୟ ବିଚିତ୍ର ପ୍ରକାର ଥିଲା । କୌଣସି ଉପସ୍ଥାନ ପଡ଼ୁନଥିଲା । କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଯୋଗଦେବାପାଇଁ ଖୁବ୍‍ ଜୋର୍‍ ଦିଆଯାଉଥିଲା । ଯେଉଁ ପିଲା ଠିକ୍‍ ସମୟରେ ଆସୁଥିଲା ଓ ପ୍ରଥମେ ପାଠଶାଳାରେ ଆସି ପହଞ୍ଚୁଥିଲା, ତା‘ ପାପୁଲିରେ ଶୂୂନ ବା ବେତ ଛୁଆଁଇ ଦିଆଯାଉଥିଲା । ଯେ ତା‘ ପଛରେ ଆସୁଥିଲା, ତା‘ ହାତରେ ଆସ୍ତେ ଦୁଇ ପାହାର ଓ ତୃତୀୟ ବାଳକକୁ ଜୋର୍‍ ତିନି ପାହାର ଓ ଏହିପରି ବେତ ବସୁଥିଲା । ସବା ପଛରେ ଯେ ଆସୁଥିଲା ସେ ସବୁଠାରୁ ବେଶି ଜୋର୍‍ରେ ମାଡ଼ ଖାଉଥିଲା । ଏହା ଫଳରେ ଶୀଘ୍ର ପାଠଶାଳାକୁ ଆସିବାପାଇଁ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗୁଥିଲା ।

ବେତମାଡ଼କୁ ଡରି ଶିକ୍ଷକ ପଳାଇଲେ

ଜଣକ ପରେ ଜଣେ ହୋଇ ମୋର ଦୁଇ ତିନି ଜଣ ଶିକ୍ଷକ ଥିଲେ । ସେମାନଙ୍କ ମଧ୍ୟରୁ କେତେକ ଅତି ନିଷ୍ଠୁର ଥିଲେ ଏବଂ ସାମାନ୍ୟ ଭୁଲ ଓ ଦୁଷ୍ଟାମିପାଇଁ କଠିନ ଦଣ୍ଡ ଦେଉଥିଲେ । ଜଣେ ଶିକ୍ଷକ ମୋତେ ଯେଉଁ ଦଣ୍ଡ ଦେଇଥିଲେ, ଏଠାରେ ମୁଁ ତା‘ର ଉଲ୍ଲେଖ କରିପାରେ । ମୁଁ କ‘ଣ ଦୁଷ୍ଟାମି କରିିଥିଲି । ଶିକ୍ଷକ କଦଳୀ ପଟୁକାରେ ମୋର ଗୋଡ଼ ବୁଢ଼ା ଆଙ୍ଗୁଠି ଦୁଇଟିକୁ ବାନ୍ଧିଦେଇ ବେକରେ ଫାଶକୁ ଗଳାଇଦେଲେ । ଫାଶ ଦଉଡ଼ି ଛୋଟ ଥିବାଯୋଗୁଁ ଅତି କଷ୍ଟରେ ମୁଣ୍ଡ ନୁଆଁଇ ମୋତେ ବସିବାକୁ ପଡ଼ିଲା । ମୁଣ୍ଡ ଯାଇ ପ୍ରାୟ ଗୋଡ଼ରେ ଲାଗୁଥିଲା । ମୁଁ ମୁଣ୍ଡ ଏପାଖ ସେପାଖ କରି ପଟୁକାକୁ ଖସାଇବାକୁ ଚେଷ୍ଟା କଲି । ହଠାତ୍‍ ଦଉଡ଼ିଟି ଛିଡ଼ିଯିବାରୁ ମୁଁ ଅପ୍ରତ୍ୟାଶିତ ଭାବରେ ମୁକ୍ତି ପାଇଗଲି । ଦେଖିଲି ପାଖରେ ବେତଟା ପଡ଼ିଛି । ବେତଟାକୁ ଧରିପକେଇ ଶିକ୍ଷକଙ୍କୁ ବାଡେଇବାପାଇଁ ତାଙ୍କ ପଛେ ପଛେ ଦୌଡିଲି । ଶିକ୍ଷକଙ୍କୁ କାଛୁ କୁଣ୍ଡିଆ ହୋଇଥାଏ । ସେ ମୋତେ ଧରିବାକୁ ଚେଷ୍ଟା ନକରି ଦୌଡ଼ି ପଳାଇବାକୁ ଲାଗିଲେ । ଏତିକିବେଳେ ମୋର ଜେଜେ (ଦାଦାଙ୍କର ଦାଦା) ରଘୁନାଥ ପରିଜା ଆସି ମୋତେ ଧରିପକେଇଲେ । ଏ ଦୃଶ୍ୟ ତାଙ୍କ ପକ୍ଷରେ ଖୁବ୍‍ ଆମୋଦଦାୟକ ହୋଇଥିଲା; କିନ୍ତୁ ମୋର ବିଶୃଙ୍ଖଳାପାଇଁ ସେ ମୋତେ ମାଡ଼ ନ ଦେଇ ଛାଡ଼ି ନଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ହେଉଚି, ପିଲାମାନଙ୍କୁ ନିର୍ବିଚାରରେ କଠୋର ଦଣ୍ଡ ଦେଲେ ସେମାନଙ୍କ ମନରେ ପ୍ରତିରୋଧ ଶକ୍ତି ଜାତ ହୁଏ, ଯାହାକି ମୋ କ୍ଷେତ୍ରରେ ଏପରି ବିଶୃଙ୍ଖଳା ଆକାରରେ ଦେଖାଦେଲା ।

ମୁଁ ମଧ୍ୟମ ଇଂରାଜୀ ସ୍କୁଲ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମାସକୁ ଚାରିଟଙ୍କା ବୃତ୍ତି ପାଇଲି । ଏହା ଫଳରେ ମୁଁ ଯେଉଁ ହାଇସ୍କୁଲ୍‍ରେ ଏଣ୍ଟ୍ରାନ୍‍ସ ପରୀକ୍ଷାପାଇଁ ପଢ଼ିବି, ସେଥିରେ ମଧ୍ୟ ଫ୍ରିସିପ୍‍ ମିଳିବା ନିଶ୍ଚିତ ହୋଇଗଲା । ମୋର ଜେଜେ (ବାପାଙ୍କର ଦାଦା) ମୋତେ ପଢ଼ିବାକୁ କଟକ ପଠାଇଲେ ଓ ୧୯୦୪ ମସିହାରେ ମୁଁ ରେଭେନ୍‍ସା କଲିଜିଏଟ୍‍ ସ୍କୁଲ୍‍ରେ ଯୋଗଦେଲି ।

ସେତେବେଳେ ବସ୍‍ ନଥିଲା । କଟକକୁ ଯିବାକୁ ହେଲେ ଚାଲିକରି ବା ବଳଦ ଗାଡ଼ିରେ ଯିବାକୁ ହେଉଥିଲା । ଧନୀଘର ପିଲାଏ ପାଲିଙ୍କି କିମ୍ୱା ସବାରିରେ ବସି ଯାଉଥିଲେ । ମୋ ପକ୍ଷରେ ଚାଲିକରି ଯିବା ଥିଲା ପ୍ରଥମ ପନ୍ଥା । ତା‘ ନହେଲେ କେହି ଯଦି ଧାନଶଗଡ଼ ନେଇ କଟକ ଯାଉଥିଲା, ମୁଁ ତା‘ ସାଙ୍ଗ ଧରି ଶଗଡ଼ରେ ବସି ଚାଲି ଯାଉଥିଲି । ସାଧାରଣତଃ ମୁଁ ଅନ୍ୟ ଛାତ୍ରମାନଙ୍କ ସାଙ୍ଗରେ କିମ୍ୱା କଚେରିରେ କାମଥିବା ଗାଁ ଲୋକଙ୍କ ସାଙ୍ଗରେ କଟକ ଚାଲିଯାଉଥିଲି । ଆମ ଗାଁରୁ କଟକର ଦୂରତା ଥିଲା ୩୬ ମାଇଲ୍‍ । ବେଳେ ବେଳେ ଦିନକ ଭିତରେ ଆମେ କଟକରେ ପହଞ୍ଚି ଯାଉଥିଲୁ । ସାଧାରଣତଃ ୧୯ମାଇଲ ଚାଲିଯାଇ ରାତିକ ପାଇଁ ବିଶ୍ରାମ ନେଉଥିଲୁ ଓ ତା‘ ଆରଦିନ ପୁଣି ଚାଲୁଥିଲୁ । ପ୍ରଥମ ଦିନ ଆମେ କେତେ ବାଟ ଚାଲିବୁ, ତାହା ନିର୍ଭର କରୁଥିଲା ରାତ୍ରି ବିଶ୍ରାମାଗାର ବା ଚଟିଘରମାନଙ୍କ ଉପରେ ।

ଚଟିଘରଗୁଡ଼ିକ ଚାଳ ଛପର ଘର ଥିଲା । ଜଣଙ୍କପାଇଁ ରାତିକ ରହିବାର ଭଡ଼ା ଥିଲା ୬ ପଇସା । ଚଟିଘରର ମାଲିକ ରୋଷେଇ କରିବାପାଇଁ ବିନା ପଇସାରେ ଗୋଟିଏ ହାଣ୍ଡି ଦେଉଥିଲା ଏବଂ ତା‘ଠାରୁ କାଠ, ଚାଉଳ, ଡାଲି ପରିବା ଆଦି କିଣିବାକୁ ହେଉଥିଲା । ଆମ ସମୟରେ କଟକ ଓ ବାଲିକୁଦା ମଧ୍ୟରେ ଏହିପରି ୬ଟି ଚଟିଘର ପ୍ରାୟ ୫/୬ମାଇଲ୍‍ ବ୍ୟବଧାନରେ ଥିଲା ।

ଏହି ଚଟିଘରଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ଥିଲା ଓ ଖୁବ ଯତ୍ନରେ ରଖାଯାଉଥିଲା । ସକାଳେ ଯାତ୍ରୀମାନେ ଚାଲିଯିବା ପରେ ଘରଟିକୁ ମାଟି ଓ ଗୋବରରେ ଭଲ ଭାବରେ ଲିପି ଦିଆଯାଇ ପରବର୍ତ୍ତୀ ଦିନର ପଥିକମାନଙ୍କପାଇଁ ପ୍ରସ୍ତୁତ କରି ରଖାଯାଉଥିଲା । ଏହିସବୁ ଚଟିଘରମାନଙ୍କ ପରିଷ୍କାର ପରିଚ୍ଛନ୍ନତା ବୈଦେଶିକ ଭ୍ରମଣକାରୀମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା । ମୋର ମନେଅଛି, ୧୯୧୧ ମସିହା ପରେ ଥରେ କଲିକତା ବିଶ୍ୱବିଦ୍ୟାଳୟର ଉଭ୍ଭିଦ ବିଜ୍ଞାନ ପ୍ରଫେସର ବ୍ରୁଲ୍‍ଙ୍କ ସହିତ ମୋର ସାକ୍ଷାତ୍‍ ହେଲା । ସେ ମୋତେ ଓଡ଼ିଶାର ଏହି ଚଟିଘରମାନଙ୍କ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ପ୍ରଶଂସା କରି କହିଥିଲେ । ସେ ଜଣେ ଜର୍ମାନ୍‍ ଥିଲେ । ଯୁବକ ଅବସ୍ଥାରେ ଯେତେବେଳେ ଶିବପୁର ଇଞ୍ଜିନିୟରିଂ କଲେଜ୍‍ର ଅଧ୍ୟାପକ ଥିଲେ, ସେ ଓଡ଼ିଶା ଭ୍ରମଣରେ ଆସିଥିବା ବେଳେ ଏହିପରି କେତେକ ଚଟିଘରେ ରହି ସେ ସଂପର୍କରେ ଏହି ଧାରଣା ପୋଷଣ କରିିଥିଲେ ।

ତୁମର ଭବିଷ୍ୟତ ଉଜ୍ଜ୍ୱଳ

ଏବେ ମୁଁ ଆମ ସ୍କୁଲ୍‍ ସଂପର୍କରେ କିଛି କହିରଖେ । ଯେତେବେଳେ ମୁଁ ରେଭେନ୍‍ସା କଲିଜିଏଟ୍‍ ସ୍କୁଲ୍‍ରେ ନାମ ଲେଖାଇଲି ସେତେବେଳେ ଶ୍ରୀ ମୋହିନୀମୋହନ ଚୌଧୁରୀ, ଏମ୍‍.ଏ. ହେଡ୍‍ମାଷ୍ଟର ଏବଂ ଶ୍ରୀ ବିଶ୍ୱନାଥ ଶତପଥୀ ସଂସ୍କୃତ ଶିକ୍ଷକ ଥିଲେ । ସେ ପୁରୁଣାକାଳିଆ ସଂସ୍କୃତ ପଣ୍ଡିତ ଥିଲେ । ମୋର ମନେଅଛି, ନାମଲେଖା ପରେ ମୁଁ ଯେତେବେଳେ ତାଙ୍କ କ୍ଲାସ୍‍କୁ ଗଲି, କ୍ଲାସ୍‍ର ଅନ୍ୟ ପିଲାମାନଙ୍କଠାରୁ ମୋର ବୟସ ଅଧିକ ଥିଲା । ଡେଙ୍ଗା ହୋଇ ତନ୍ତବୁଣା ଖଦି ଖଣ୍ଡେ ପିନ୍ଧି ଓ ବେକରେ ଚାଦର ପକାଇ କୌଣସି ଜୋତା ବା ସାର୍ଟ ନପିନ୍ଧି ମୁଁ ଯେତେବେଳେ ତାଙ୍କ କ୍ଲାସ୍‍କୁ ପଶିଗଲି, ମୁଁ ଯେପରି ସେଠାରେ ଗୋଟିଏ ବ୍ୟତିକ୍ରମ, ସେହି ଦୃଷ୍ଟିରୁ ସବୁପିଲା ମୋତେ ଚାହିଁ ରହିଲେ । ପଣ୍ଡିତ୍‍ଜୀ ସେତେବେଳେ ଶତକ ବୋଲୁଥିଲେ । ତାହା ଛାଡ଼ି ସେ ମଧ୍ୟ ମୋ ଆଡ଼କୁ ଅନାଇଲେ । ତା‘ପରେ ମୋ‘ ନାମ ପଚାରି କହିଲେ, “ଆସ, ବସ ! ମୋତେ ଜଣାଯାଉଛି, ତୁମର ଭବିଷ୍ୟତ ଖୁବ୍‍ ଉଜ୍ଜ୍ୱଳ ହେବ ।“”

ବିଶିଷ୍ଟ ଶିକ୍ଷାବିତ୍‍ ଓ ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ଆତ୍ମଜୀବନୀ

‘ମୋ ଛାତ୍ର ଜୀବନର ଅନୁଭୂତି‘ରୁ ଉଦ୍ଧୃତ ।

Odia Story Soumya Ranjan Patnaik Books
Share. Facebook Twitter Pinterest LinkedIn Tumblr Reddit Email
Previous Article‘ଅନେକ ଦିନ ଉପାସ ରହିଛି’
Next Article ଭୁଲ୍ ପାଇଁ କ୍ଷମା ମାଗିବ
ସୌମ୍ୟ ରଞ୍ଜନ ପଟ୍ଟନାୟକ

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.