• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଆମ ଦେଶରେ କୃତ୍ରିମ ଉପଗ୍ରହର୍ ଜୟଯାତ୍ରା
ଅନ୍ୟାନ୍ୟ

ଆମ ଦେଶରେ କୃତ୍ରିମ ଉପଗ୍ରହର୍ ଜୟଯାତ୍ରା

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 18, 2020No Comments16 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ସମସ୍ତେ ଆଜି ସଜାଗ

୧୯୭୫ ମସିହା ଏପ୍ରିଲ୍‌ ୧୯ ତାରିଖର ଏକ ଶାନ୍ତଶୀତଳ ସକାଳ । ସୋଭିଏତ୍‌ ଋଷ୍‌ର ଗୋଟିଏ ମହାକାଶ ପରୀକ୍ଷା କେନ୍ଦ୍ର ଆଜି ସଜାଗ ହୋଇ ଉଠିଛି । ବୈଜ୍ଞାନିକଙ୍କଠାରୁ ଇଞ୍ଜିନିୟରଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି କାର୍ଯ୍ୟବ୍ୟସ୍ତ । ଏହି କେନ୍ଦ୍ରରୁ ଗୋଟିଏ କୃତ୍ରିମ ଉପଗ୍ରହ ମହାକାଶକୁ ଛଡ଼ାଯିବ । ଭାରତୀୟ ବୈଜ୍ଞାନିକମାନେ ଏହି ଉପଗ୍ରହଟିକୁ ଗଢ଼ିଛନ୍ତି । ଋଷ୍‌ ବୈଜ୍ଞାନିକମାନଙ୍କ ସାହାଯ୍ୟରେ ଏଠାରୁ ତାହା ମହାଶୂନ୍ୟକୁ ପଠାଯିବ । ଏହା ଏକ ଐତିହାସିକ ଘଟଣା । ବିଜ୍ଞାନ କ୍ଷେତ୍ରରେ ଭାରତର ଏକ ବିଶେଷ ପଦକ୍ଷେପ ।

ସେହି ସ୍ଥାନଠାରୁ ୮ କି.ମି. ଦୂରରେ ଭାରତୀୟ ବୈଜ୍ଞାନିକଗଣ ଅପେକ୍ଷା କରି ରହିଛନ୍ତି । ଭାରତୀୟ ମହାକାଶ ଆୟୋଗର ସଭାପତି ଅଧ୍ୟାପକ ସତୀଶ୍‌ ଧାବନ୍‌ ନିଜେ ସେଠାରେ ଉପସ୍ଥିତ । ଭାରତର ପ୍ରଥମ କୃତ୍ରିମ ଉପଗ୍ରହ ଛଡ଼ାଯିବ । ସେଠାରେ ରକେଟ୍‌ମାନ ଖଞ୍ଜାଯାଇଛି । ଏତେ ଦୂରରୁ ସେସବୁ ସ୍ପଷ୍ଟ ଦେଖାଯାଉଛି ।

ତେବେ ପୁଣି ସଂଶୟ

ଋଷ୍‌ ଓ ଭାରତର ବୈଜ୍ଞାନିକମାନେ ସବୁ ଯନ୍ତ୍ରପାତି ତନ୍ନ ତନ୍ନ କରି ପରୀକ୍ଷା କରି ଦେଇଛନ୍ତି । ସବୁ ‘ଠିକ୍‌’ ଅଛି ବୋଲି ସମସ୍ତଙ୍କର ସନ୍ତୋଷ ହୋଇଛି । ଏହି ପ୍ରଥମ ଭାରତୀୟ ପ୍ରକଳ୍ପର ନିର୍ମାଣ ଓ ତତ୍ତ୍ୱାବଧାନ କରିଥିଲେ ଅଧ୍ୟାପକ ୟୁ.ଆର୍‌.ରାଓ । କୃତ୍ରିମ ଉପଗ୍ରହ ମହାକାଶକୁ ଛଡ଼ାଯିବ । ସବୁ ଠିକ୍‌ ଅଛି ବୋଲି ସେ ନିଜର ମତ ଜଣାଇଦେଲେ । ସବୁରି ମନରେ ଗଭୀର ଉତ୍କଣ୍ଠା ଆଉ ସଂଶୟ । ଏତେ ବଡ଼ ଆଶା ନେଇ ଗଢ଼ା ଏହି ଉପଗ୍ରହ ଠିକ୍‌ ଭାବରେ ଯିବ ତ ! ସବୁ ତାର ଯନ୍ତ୍ରପାତି ଠିକ୍‌ କାର୍ଯ୍ୟ କରିବ ତ !!

ଆକାଶକୁ ଛୁଟିଲା

ଠିକ୍‌ ସମୟ ହୋଇଗଲା । ଭାରତୀୟ ସମୟ ଗୋଟାଏ ବାଜିଗଲା । ପାଞ୍ଚ – ଚାରି – ତିନି – ଦୁଇ – ଏକ ! ହଠାତ୍‌ ଅଗ୍ନିସ୍ରୋତର ଉଜ୍ଜଳତା ଦେଖାଗଲା । ବଜ୍ରର ଗର୍ଜନ ଶୁଣାଗଲା । ଆଲୋକ ଓ ଧୂମର ଧାର କ୍ଷିପ୍ରଗତିରେ ରକେଟ୍‌ରୁ ନିର୍ଗତ ହେବାରେ ଲାଗିଲା । ତାପରେ ରକେଟ୍‌ ଆକାଶକୁ ଲମ୍ଫ ପ୍ରଦାନ କଲା । କ୍ରମେ ଗତିର ପ୍ରଖରତା ବଢ଼ିଲା । କେତୋଟି ମିନିଟ୍‌ରେ ଏହା ମହାଶୂନ୍ୟରେ ପହଞ୍ଚିଗଲା ।

ପ୍ରାୟ ୨୦ କି.ମି ଉଚ୍ଚରେ ରକେଟ୍‌ର ପ୍ରଥମ ଭାଗ ଖସି ପଡ଼ିଲା । ଦ୍ୱିତୀୟ ଭାଗ ସକ୍ରିୟ ହୋଇ ଉଠିଲା । ସେ କୃତ୍ରିମ ଉପଗ୍ରହକୁ କେତେ ସେକେଣ୍ଡରେ ମହାକାଶକୁ ଟାଣିନେଲା । ରକେଟ୍‌ ପଛରେ ଛୁଟୁଥିଲା ସୁନ୍ଦର ସଫେଦ୍‌ ଧୂମର ପ୍ରବଳ ସ୍ରୋତ । ଏସିଆର ଦକ୍ଷିଣ-ପୂର୍ବ ଦିଗକୁ ଏହି ରକେଟ୍‌ ଛୁଟିବାରେ ଲାଗିଲା।

ମହାଶୂନ୍ୟରେ ଉପଗ୍ରହ

ପ୍ରତି ଦୁଇ ମିନିଟ୍‌ରେ ଥରେ କ୍ଷେପଣ ଦାୟିତ୍ୱରେ ଥିବା ବିଜ୍ଞାନୀମାନେ ପ୍ରକୃତ ଅବସ୍ଥା ସମ୍ପର୍କରେ ସୂଚନା ଦେଉଥାନ୍ତି । ଶେଷରେ ସେମାନେ ଜଣାଇଲେ ଯେ କୃତ୍ରିମ ଉପଗ୍ରହକୁ ଘେନି ରକେଟ୍‌ ମହାଶୂନ୍ୟରେ ପହଞ୍ଛିଛି । ଏହା ପରେ ରକେଟ୍‌ ବିଚ୍ଛିନ୍ନ ହେବ । କୃତ୍ରିମ ଉପଗ୍ରହ ଦେହରୁ ଉତ୍ତାପ ରକ୍ଷାକାରୀ ଧାତବ ଘୋଡ଼ଣୀ ଅଲଗା ହୋଇଯିବ । ଏବେ ଉପଗ୍ରହଟି ମହାଶୂନ୍ୟର କଠୋର କର୍କଶ ପରିବେଶରେ ନିଜକୁ ସମ୍ମୁଖୀନ କରାଇବ ।

ସବୁ କାର୍ଯ୍ୟ ଯଥାକ୍ରମେ ହେଲା ଏବଂ ଉପଗ୍ରହ ଉତ୍‌କ୍ଷେପଣର ୩୦ ମିନିଟ୍‌ ମଧ୍ୟରେ ତାର କକ୍ଷପଥରେ ଅବସ୍ଥାପିତ ହେଲା । ସମସ୍ତଙ୍କ ମନରେ ଆନନ୍ଦର ଆଲୋକ ଖେଳିଗଲା । ଉତ୍‌କ୍ଷେପଣ ଦାୟିତ୍ୱରେ ଥିବା ବିଜ୍ଞାନୀମାନେ ଆଶ୍ୱସ୍ତ ହେଲେ । କାରଣ ଏଥି ମଧ୍ୟରେ ବହୁ ବିପଦର ଆଶଙ୍କା ଥିଲା । ଯାହା ହେଉ, ସେସବୁ ବର୍ତ୍ତମାନ ଦୂରୀଭୂତ ହୋଇଛି ।

ସଂକେତ ପାଇଁ ସନ୍ଦେହ

ଏବେ ବିଜ୍ଞାନୀଗଣ ପୁଣି ଏକ ସଂଶୟରେ ପଡ଼ିଲେ । କୃତ୍ରିମ ଉପଗ୍ରହ ମହାକାଶରୁ ସଙ୍କେତମାନ ପଠାଉଛି କି ନାହିଁ । ଏହା ଉପରେ ନିର୍ଭର କରେ ଏହି ମୂଲ୍ୟବାନ ପ୍ରକଳ୍ପର ସଫଳତା !

କୃତ୍ରିମ ଉପଗ୍ରହ ଠିକ୍‌ ଭାବରେ ତାର କକ୍ଷ ପଥରେ ଘୂରିବା ଓ ସଂକେତ ପଠାଇବା ହେଉଛି ଏହି ପ୍ରକଳ୍ପର ପ୍ରଧାନ କାର୍ଯ୍ୟ । ସେଥିପାଇଁ ସମସ୍ତେ ଚିନ୍ତିତ । କାରଣ ତାହା ହଠାତ୍‌ ଜାଣିବା ସମ୍ଭବ ହେଲା ନାହିଁ । ଶେଷ ରକେଟ୍‌ରୁ ବିଚ୍ଛିନ୍ନ ହେଲା ପରେ କୃତ୍ରିମ ଉପଗ୍ରହ ସହିତ ଯୋଗାଯୋଗ ପ୍ରତିଷ୍ଠା କରିବାରେ ଅସୁବିଧା ହେଲା । ପୃଥିବୀ ଆଢୁଆଳରେ ଉପଗ୍ରହଟି ୧ ଘଣ୍ଟା ୧୦ ମିନିଟ୍‌ ରହି ଯାଇଥିଲା ।

ଠିକ୍‌ ଠିକ୍‌ ସବୁ କାର୍ଯ୍ୟ ଚାଲିଲା

ଉପଗ୍ରହଟି ତାପରେ ସୋଭିଏତ୍‌ ଋଷ୍‌ର ବିଅର୍ସଲେକ୍‌ ନିକଟବର୍ତ୍ତୀ ମହାକାଶ କେନ୍ଦ୍ର ଉପରେ ପରିଲକ୍ଷିତ ହେଲା । ତାର ସଙ୍କେତ ଖୁବ୍‌ ସ୍ପଷ୍ଟ ଓ ଶ୍ରୁତିଗୋଚର ହେଲା । ତାର ୧୦ ମିନିଟ୍‌ ମଧ୍ୟରେ ଭାରତର ଶ୍ରୀହରିକୋଟା ମହାକାଶ କେନ୍ଦ୍ର ଉପରେ ତାହା ଦୃଷ୍ଟିଗୋଚର ହେଲା “ଗଗନ ମଣ୍ଡଳରେ ଏକ ହୀରାଖଣ୍ଡ” ପରି । ଏହି ତଥ୍ୟ ଉଭୟ କେନ୍ଦ୍ର ପରସ୍ପରକୁ ଜଣାଇଦେଲେ । କୃତ୍ରିମ ଉପଗ୍ରହର କାର୍ଯ୍ୟକାରିତା ସନ୍ତୋଷଜନକ ବୋଲି ଜଣା ପଡ଼ିଲା । ଭାରତୀୟ ବୈଜ୍ଞାନିକଗଣ ଆନନ୍ଦରେ ଅଭିଭୂତ ହୋଇଗଲେ । ସେମାନଙ୍କର ଏକ ସ୍ୱପ୍ନ ସାକାର ହେଲା ।

ନାଁ ରହିଲା ଆର୍ଯ୍ୟଭଟ୍ଟ

ଏହି ସମ୍ବାଦ ସାରା ଦେଶରେ ବିଜୁଳି ପରି ଖେଳିଗଲା । ଏହି କୃତ୍ରିମ ଉପଗ୍ରହର ନାମ ରଖାଗଲା ଆର୍ଯ୍ୟଭଟ୍ଟ । ଦେଢ଼ ହଜାର ବର୍ଷ ପୂର୍ବେ ଏହି ବିଖ୍ୟାତ ଗଣିତଜ୍ଞ ଗ୍ରହ ଉପଗ୍ରହ ସମ୍ପର୍କରେ ବହୁ ନୂତନ ତଥ୍ୟ ପରିବେଷଣ କରିଥିଲେ । ସେ ପ୍ରଥମ ଭାରତୀୟ ଯେ କି ପୃଥିବୀ ନିଜ କକ୍ଷରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଛି ବୋଲି କହୁଥିଲେ । ସେ ଲେଖିଥିଲେ, “ଯେମିତି ଜଣେ ମଣିଷ ଏକ ନୌକରେ ଆଗକୁ ଭାସିଗଲେ, ସ୍ଥିର ବସ୍ତୁ ପଛକୁ ଚାଲିଯିବାର ଦେଖେ, ସେମିତି ଲଙ୍କା (ଏକ କାଳ୍ପନିକ ସ୍ଥାନ)ରେ ସ୍ଥାୟୀ ତାରକା ଗୁଡ଼ିକ ପଶ୍ଚିମ ଦିଗକୁ ଚାଲି ଯାଉଥିବାର ଜଣାପଡ଼େ ।” ଗୁପ୍ତ ସମ୍ରାଟମାନଙ୍କର ସୁବର୍ଣ୍ଣଯୁଗରେ ଆର୍ଯ୍ୟଭଟ୍ଟ କେବଳ ନିଜର ନୁହନ୍ତି, ଭାରତୀୟ ଜନସାଧାରଣଙ୍କ ଉଜ୍ଜଳ ପ୍ରତିଭାର ଅପୂର୍ବ ପରିଚୟ ପ୍ରଦାନ କରିଥିଲେ । ଭାରତର ବିଜ୍ଞାନୀମାନେ କୃତ୍ରିମ ଉପଗ୍ରହ ନିର୍ମାଣ କରିବାକୁ ସମର୍ଥ, ଏଥିରେ ବିଦେଶରେ ବହୁ ସନ୍ଦେହ । କିନ୍ତୁ ଆମ ଦେଶର କେତେ ବୈଜ୍ଞାନିକ ନିଜର ନିଷ୍ଠା, ପ୍ରତିଭା ଓ ପରିଶ୍ରମ ଫଳରେ ଏହି ସନ୍ଦେହକୁ ଦୂର କରି ପାରିଛନ୍ତି ।

୧୯୬୧ ମସିହାର କଥା । ଡକ୍ଟର ବିକ୍ରମ ସରାଭାଇ ତ୍ରିଭେନ୍ଦ୍ରମ୍‌ଠାରେ ଏକ ଉପଗ୍ରହ ନିର୍ମାଣ ବିଭାଗ ପ୍ରତିଷ୍ଠା କଲେ । ପଫେସର ୟୁ.ଆର୍‌. ରାଓ ଏହି ବିଭାଗର ଅଧ୍ୟକ୍ଷ ରୂପେ ନିଯୂକ୍ତ ହେଲେ । ସେଥିପାଇଁ ଆମ ଦେଶରେ ସମ୍ବଳର ଯେମିତି ଅଭାବ, ଏଥିପାଇଁ ଆବଶ୍ୟକ ଭିତ୍ତି ଭୂମିର ସେମିତି ଅଭାବ । ମହାକାଶ ଗବେଷଣା କ୍ଷେତ୍ରରେ ଆଧୁନିକ ଜ୍ଞାନ ଓ ଯନ୍ତ୍ରପାତି ମଧ୍ୟ ଭାରତରେ ନିତ୍ୟାନ୍ତ ଦୁର୍ଲ୍ଲଭ ।

ଶ୍ରୀହରିକୋଟା

ବାଙ୍ଗାଲୋର ନିକଟରେ ପୀନ୍ୟା ଶିଳ୍ପାଞ୍ଚଳ। ଗାଁ’ଟିଏ କେତେ ସରଳ ଓ ଶାନ୍ତ । ସେଇ ଗାଁ ଭିତରେ କେତୋଟି ଘର ନେଇ ପ୍ରଥମେ କେତେକ ବିଜ୍ଞନୀ ମହାକାଶ ବିଜ୍ଞାନ କ୍ଷେତ୍ରରେ ଗବେଷଣା ଆରମ୍ଭ କରିଦେଲେ । କୃତ୍ରିମ ଉପଗ୍ରହ ତିଆରି କରିବାରେ ଘରୋଇ ଓ ସରକାରୀ କଳକାରଖାନା ସମ୍ପୃକ୍ତ ହେଲେ । ପ୍ରଫେସର ୟୁ.ଆର୍‌.ରାଓଙ୍କ୍ ନେତୃତ୍ୱରେ ୨୦୦ ବିଜ୍ଞାନୀ ସ୍ତ୍ରୀ, ପୁରୁଷ, ବୃଦ୍ଧ, ଯୁବକ ଏହି କାର୍ଯ୍ୟରେ ଲାଗିପଡ଼ିଲେ । କୃତ୍ରିମ ଉପଗ୍ରହ ପାଇଁ ନକ୍‌ସା କରିବାରେ ତାର ଯାତ୍ରା ପାଇଁ ଗଣନା, କଳନା ଆଦି କରିବାରେ ସେମାନେ ଭୋକଶୋଷ ଭୁଲିଗଲେ ।

ଉପଗ୍ରହର ଜନ୍ମ

ପ୍ରଥମେ କୃତ୍ରିମ ଉପଗ୍ରହର ଏକ ମଡେଲ ତିଆରି ହେଲା । ସୋଭିଏତ୍‌ ଋଷ୍‌କୁ ନିଆଯାଇ ସେଠାରେ ତାର ପରୀକ୍ଷାନିରୀକ୍ଷା କରାଗଲା । ରକେଟ୍‌ଯାନ ସାଥିରେ ତାର ଯୋଗାଯୋଗ ଠିକ୍‌ ରହିବ କି ନାହିଁ ଦେଖାଗଲା । ତାପରେ ତାର ବିଦ୍ୟୁତ୍‌ ଚାଳିତ ପ୍ରତିରୂପ ପ୍ରସ୍ତୁତ କରାଗଲା । ଶ୍ରୀହରିକୋଟା ଠାରେ ଗୋଟିଏ ହେଲିକେପ୍ଟର ଉପରେ ତାକୁ ପରୀକ୍ଷା କରି ସୁବିଧାରେ ତା ଠାରୁ ସଂକେତ ପଠାଇବା ସହଜସାଧ୍ୟ ହେଉଛି କି ନାହିଁ ଦେଖାଗଲା । ତାପରେ ଦୁଇଟି ଉଡ୍ଡୀୟମାନ ପ୍ରତିରୂପ ପ୍ରସ୍ତୁତ କରାଯାଇ ସୋଭିଏତ୍‌ ରାଷ୍ଟ୍ରରେ ପୁଣି ଥରେ ପରୀକ୍ଷା କରାଗଲା । ପ୍ରତ୍ୟେକ ଯନ୍ତ୍ରପାତି ଦୁଇଟି ହୋଇ ତିଆରି କରାଗଲା। କାରଣ ଗୋଟିକରେ କିଛି ତ୍ରୁଟି ପରିଲକ୍ଷିତ ହେଲେ ଦ୍ୱିତୀୟଟିରେ ତାର ପରିମାର୍ଜନା କରି ପରୀକ୍ଷା କରିବା ସହଜସାଧ୍ୟ ହେବ । ଭାରତୀୟ ଇଞ୍ଜିନିୟର ଓ କାରିଗରମାନେ ଏହି ପ୍ରତିରୂପ ଗୁଡ଼ିକୁ ଅଙ୍କନଠାରୁ ଢଳେଇ କରିବା ଯାଏ, ସବୁ କରିଥିଲେ।

ପରୀକ୍ଷାନିରୀକ୍ଷା ଦୃଢ଼ତା ଓ ଦକ୍ଷତା ପାଇଁ

୧୯୭୨ ମସିହାରେ ଭାରତ ଓ ଋଷ୍‌ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା । ଭାରତ ତାର କୃତ୍ରିମ ଉପଗ୍ରହ ପ୍ରସ୍ତୁତ କରିବ ଓ ଋଷ୍‌ ତାକୁ ମହାଶୂନ୍ୟକୁ ପଠାଇବ । ଏହା ଥିଲା ଚୁକ୍ତିପତ୍ରର ସାରକଥା । ଆନ୍ଧ୍ର ପ୍ରଦେଶର ସମୁଦ୍ର ତଟବର୍ତ୍ତୀ ଶ୍ରୀହରିକୋଟାଠାରେ ରକେଟ୍‌ ପ୍ରେରଣ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଗଲା । ଆର୍ଯ୍ୟଭଟ୍ଟକୁ ତିଆରି କରିବାକୁ ୨୫୦ ଜଣ ବୈଜ୍ଞାନିକ ଓ ଇଞ୍ଜିନିୟର ଦୀର୍ଘ ଦୁଇ ବର୍ଷରୁ ଅଧିକ କାଳ ଲାଗିଥିଲେ । ଏଥିରେ ମୋଟ ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାର ଓଜନ ଥିଲା ୩୬୦ କେ.ଜି. । ପୃଥିବୀର କୌଣସି ଦେଶ ଆରମ୍ଭରୁ ଏତେ ଓଜନର କୃତ୍ରିମ ଉପଗ୍ରହ ପ୍ରସ୍ତୁତ କରି ନ ଥିଲା । ଏଥିରେ ଆଧୁନିକ ଯନ୍ତ୍ରପାତିମାନ ଖଞ୍ଜାଯାଇ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇଥିଲା ।

କୃତ୍ରିମ ଉପଗ୍ରହ ଭିତର ସର୍ବଦା ଉତ୍ତାପକୁ ୨୦ ଡିଗ୍ରୀ ସେଣ୍ଟିଗ୍ରେଡ଼୍‌ ମଧ୍ୟରେ ରଖିବାକୁ ଉଦ୍ୟମ ହୋଇଥିଲା । ତା ଉପରେ ବିଶେଷ ରାସାୟନିକ ପଦାର୍ଥ ଲେପନ କରାଯାଇଥିଲ । ବିଭିନ୍ନ ଉପାୟରେ ଉତ୍ତାପ ପ୍ରତିରୋଧକ ବ୍ୟବସ୍ଥାକୁ ସଫଳ କରାଯାଉଥିଲା । ଏମିତିକି କମ୍ପ୍ୟୁଟର ସାହାଯ୍ୟରେ ଗଣନା କରାଯାଇ କୃତ୍ରିମ ଉପଗ୍ରହ ଦେହରେ ଜେବ୍ରା ପରି କିପରି କଳାଧଳା ଦାଗର ଲେପନ ହେବ, ତାର ବ୍ୟବସ୍ଥା କରାଗଲା ।

ଆର୍ଯ୍ୟଭଟ୍ଟ ଉପଗ୍ରହଟିର ବ୍ୟାସ ୧୪ ସେଣ୍ଟିମିଟର ଓ ଉଚ୍ଚତା ୧୧୪ ସେଣ୍ଟିମିଟର । ଏଥିରେ ୨୬ଟି ମୁହଁ ଥିଲା ଏବଂ ଏହା ନୀଳ ଓ ବାଇଗଣି ରଙ୍ଗରେ ରଞ୍ଜିତ ହୋଇଥିଲା । ଉପଗ୍ରହ ମଧ୍ୟରେ ଥିବା ଯନ୍ତ୍ରପାତି ତଥା ଟ୍ରାନ୍ସମିଟରକୁ ସକ୍ରିୟ କରିବା ପାଇଁ ନିରନ୍ତର ବିଦ୍ୟୁତ୍‌ ଶକ୍ତି ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଥିଲା । ଏଥିପାଇଁ ୧୭ ହଜାର ସୌର ସେଲ୍‌ ଥିବା ପ୍ୟାନେଲ୍‌ ଉପଗ୍ରହରେ ଖଞ୍ଜା ଯାଇଥିଲା ଏବଂ ଏହା ସୂର୍ଯ୍ୟ ଆଡ଼କୁ ମୁହଁ କରିଥିଲା ବେଳେ ୪୬ ୱାଟ୍‌ ବିଦ୍ୟୁତ୍‌ ଶକ୍ତି ତିଆରି କରୁଥିଲା । ପୃଥିବୀ ଆଢୁଆଳରେ ରହିଗଲେ ସୌରଶକ୍ତି ପାଇ ପାରେ ନାହିଁ । ତେଣୁ ସେହି ସମୟରେ ବ୍ୟାଟେରୀ ଚାଳିତ ପ୍ରଣାଳୀରେ ବିଦ୍ୟୁତ୍‌ଶକ୍ତି ସୃଷ୍ଟି କରାଯାଇ କୃତ୍ରିମ ଉପଗ୍ରହକୁ କାର୍ଯ୍ୟକ୍ଷମ ରଖାଯାଇଥାଏ ।

ପୃଥିବୀ ପରିକ୍ରମା

ଏହି କୃତ୍ରିମ ଉପଗ୍ରହ ପୃଥିବୀଠାରୁ ପ୍ରାୟ ୬୦୦ କି.ମି. ଉପରେ ରହି ବିଶ୍ୱକୁ ପରିକ୍ରମା କରୁଥିଲା । ପୃଥିବୀ ଚାରିପାଖରେ ଥରେ ବୁଲି ଆସିବା ପାଇଁ ଏହାକୁ ୯୬.୪୧ ମିନିଟ୍‌ ସମୟ ଲାଗୁଥିଲା । ଏହା ଛଅ ମାସ କାଳ ସକ୍ରିୟ ରହି ବିଭିନ୍ନ ତଥ୍ୟ ଯୋଗାଇବାର ଥିଲା । ସୌର ମଣ୍ଡଳର ବିକିରଣ, ପାଣିପାଗ, ବୃକ୍ଷଲତା, ଭୂଗର୍ଭରେ ଥିବା ସମ୍ପଦ ସମ୍ପର୍କରେ ତଥ୍ୟମାନ ଯୋଗାଇ ପାରିବ ବୋଲି ବ୍ୟବସ୍ଥା ରହିଥିଲା । ମାତ୍ର ୫୦ ଥର ପରିକ୍ରମା କଲା ପରେ ଉପଗ୍ରହର ବିଦ୍ୟୁତ୍‌ ସରବରାହରେ ଗଣ୍ଡଗୋଳ ଦେଖା ଦେଇଥିଲା । ଯାହା ଫଳରେ ଏହାର ତିନୋଟି ବୈଜ୍ଞାନିକ ପରୀକ୍ଷାକୁ ବନ୍ଦ କରାଯାଇଥିଲା ।

ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ – ଭାରତୀୟ ବୈଜ୍ଞାନିକମାନେ ଯଦି ଏତେ ଜଟିଳ ଉପଗ୍ରହଟିଏ ଗଢ଼ି ପାରିଲେ, ଏହାକୁ ମହାକାଶକୁ ପଠାଇବା ପାଇଁ ଋଷ୍‌ ଉପରେ ନିର୍ଭର କଲେ କାହିଁକି ? ଆର୍ଯ୍ୟଭଟ୍ଟକୁ ମହାଶୂନ୍ୟକୁ ପ୍ରେରଣ କରିବା ନିମନ୍ତେ ଶକ୍ତିଶାଳୀ ରକେଟ୍‌ ଦରକାର । ଭାରତରେ ଏପରି ରକେଟ୍‌ କେନ୍ଦ୍ର ନ ଥିଲା । ଉତ୍‌କ୍ଷେପଣ ସମୟରେ ଉପଗ୍ରହର ଗତି ଘଣ୍ଟାକୁ ୨୯ ହଜାର କି.ମି. ହେବା ଆବଶ୍ୟକ । ନଚେତ୍‌ ଏହା ମାଧ୍ୟାକର୍ଷଣ ଶକ୍ତିକୁ ଅତିକ୍ରମ କରି ନ ପାରି ଭୂପୃଷ୍ଠରେ ଖସି ପଡ଼ିବ । ସେଥିପାଇଁ ଶକ୍ତିଶାଳୀ ରକେଟ୍‌ ଓ ଉତ୍‌କ୍ଷେପଣ ଘାଟୀ ନିତାନ୍ତ ଦରକାର।

ସଂକେତରୁ ସୂଚନା

ଆର୍ଯ୍ୟଭଟ୍ଟରୁ ଆସୁଥିବା ସଂକେତ ଗୁଡ଼ିକରୁ କମ୍ପ୍ୟୁଟର ସାହାଯ୍ୟରେ ବହୁ ମୂଲ୍ୟବାନ ତଥ୍ୟ ଓ ସୂଚନା ସଂଗୃତୀତ ହୋଇଥାଏ । ଏହା ଏକ କଠିନ କାର୍ଯ୍ୟ ଏବଂ ଏ ଦିଗରେ ଆନ୍ଧ୍ରର ଶ୍ରୀହରିକୋଟାରୁ ଆରମ୍ଭ କରି ଋଷ୍‌ର ବିଅର୍ସ ଲେକ୍‌ ପର୍ଯ୍ୟନ୍ତ କେତେକ ମହାକାଶ ଗବେଷଣା କେନ୍ଦ୍ର ସମ୍ପୃକ୍ତ ହୋଇଥିଲା । ଏଥିପାଇଁ ଶହ ଶହ ବୈଜ୍ଞାନିକ ଓ ଇଞ୍ଜିନିୟର ନିଯୁକ୍ତ ହୋଇଥିଲେ ଏବଂ ବହୁ ଆଧୁନିକ ଯନ୍ତ୍ରପାତିକୁ ବିନିଯୋଗ କରାଯାଇଥିଲା । ସେଥିରୁ ଯେଉଁ ଉପାଦେୟ ତଥ୍ୟମାନ ମିଳିଥିଲା, ତାହା ଭବିଷ୍ୟତରେ ଭାରତକୁ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଏକ ଆଗୁଆ ରାଷ୍ଟ୍ର ଭାବରେ ଗଢ଼ିବାରେ ଖୁବ୍‌ ସହାୟକ ହେଲା ।

ସଫଳତାର କାହାଣୀ

ଆର୍ଯ୍ୟଭଟ୍ଟର ସଫଳତାର କାହାଣୀ ଭାରତୀୟ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ଦକ୍ଷତା ଓ ନିଷ୍ଠାର ପରିଚୟ ଦେଇଥାଏ । ଉଭୟ ସରକାରୀ ଓ ବେସରକାରୀ ଶିଳ୍ପ କାରଖାନାମାନ ଏହି ଉପଗ୍ରହ ନିର୍ମାଣରେ ସହଯୋଗ କରି ଜାତୀୟ ବିକାଶରେ ସମସ୍ତଙ୍କର ଆଗ୍ରହ ପ୍ରଦର୍ଶନ କରିଥିଲେ । ଡାକ, ତାର ବିଭାଗ, ବିଦ୍ୟୁତ୍‌ ବିଭାଗ ଆଦି କେନ୍ଦ୍ର ସରକାରୀ ସଂସ୍ଥା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ପ୍ରଭୃତି ପ୍ରାଦେଶିକ ସରକାର ଆବଶ୍ୟକ ଭୌତିକ ସୁବିଧାମାନ ଯୋଗାଇ ଦେଇ ପ୍ରକଳ୍ପର କାର୍ଯ୍ୟକାରିତାରେ ସମସ୍ତ ସହଯୋଗ କରିଥିଲେ । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଜାତିର ଗୌରବରେ ସମସ୍ତ ବ୍ୟକ୍ତି ଓ ଅନୁଷ୍ଠାନ ଗର୍ବିତ ଏବଂ ଏଥିପାଇଁ ନିଜ ନିଜ ସ୍ତରରେ ସମସ୍ତେ ସକ୍ରିୟ ।

ଭାସ୍କର

ଆର୍ଯ୍ୟଭଟ୍ଟର ଅଭିଜ୍ଞତାରୁ ଭାରତର ବୈଜ୍ଞାନିକମାନେ ଅନେକ ଶିକ୍ଷାଲାଭ କଲେ ଏବଂ ନୂତନ ଉପଗ୍ରହମାନ ନିର୍ମାଣ ଓ ଉତ୍‌କ୍ଷେପଣ ଦିଗରେ ଆଗ୍ରହୀ ହେଲେ । ଭାସ୍କର ହେଲା ଭାରତର ଦ୍ୱିତୀୟ କୃତ୍ରିମ ଉପଗ୍ରହ । ଭାରତୀୟ ଇଞ୍ଜିନିୟର ବୈଜ୍ଞାନିକଗଣ ପରସ୍ପର ସହଯୋଗରେ ଏହାକୁ ନିର୍ମାଣ କରିଥିଲେ ।

୧୯୭୯ ମସିହା ଜୁନ୍‌ ୪ ତାରିଖରେ ଉତ୍ତପ୍ତ ମଧ୍ୟାହ୍ନ । ଋଷ୍‌ର ମହାକାଶ ପ୍ରେରଣ କେନ୍ଦ୍ରରୁ ଉପଗ୍ରହ ଭାସ୍କରକୁ ଅନ୍ତରୀକ୍ଷକୁ ପଠାଇବା ପାଇଁ ପ୍ରସ୍ତୁତ କରାଗଲା । ଭାରତ ଓ ଋଷ୍‌ର ବିଜ୍ଞାନୀମାନେ ଏହାକୁ ତନ୍ନ ତନ୍ନ କରି ପରୀକ୍ଷାନିରୀକ୍ଷା କଲେ । ଏହି ପରୀକ୍ଷା ରିପୋର୍ଟକୁ ଭିତ୍ତି କରି ଏହାକୁ ମହାକାଶକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଗଲା ।

ଇସ୍ପାତ ନିର୍ମିତ ଲଞ୍ଚଟାୱାର (Launch Tower) ବା ପ୍ରକ୍ଷେପଣ ମିନାର ପାଖକୁ ରକେଟ୍‌ ସହିତ ଉପଗ୍ରହକୁ ନିଆଗଲା । ଜୁନ୍‌ ୬ ତାରିଖ ସକାଳେ ଏହି ରକେଟ୍‌କୁ ପ୍ରକ୍ଷେପଣ ମିନାରକୁ ଭରାଦେଇ ସିଧା ଠିଆ କରାଗଲା । କେତେ ଜଣ ଭାରତୀୟ ଇଞ୍ଜିନିୟର ପୁଣି ଥରେ ସେଠାକୁ ଯାଇ ରକେଟ୍‌ ଓ ଉପଗ୍ରହକୁ ପରୀକ୍ଷା କଲେ । ସବୁ ଠିକ୍‌ ଥିବା ଜାଣି ସେମାନେ ନିଶ୍ଚିନ୍ତ ହେଲେ । ସେହି ୬ ତାରିଖରେ ମେଘାଚ୍ଛନ୍ନ ମଧ୍ୟାହ୍ନରେ ରକେଟ୍‌ରେ ଇନ୍ଧନ ଭର୍ତ୍ତି କରାଗଲା । ଏହାପରେ ଦିଗସୂଚକ ଯନ୍ତ୍ର ଆଦିକୁ ପରୀକ୍ଷା କରାଗଲା ।

ଭାରତୀୟ ବିଜ୍ଞାନୀମାନଙ୍କର ମୁଖ୍ୟ ପ୍ରଫେସର ସତୀଶ ଧାବନ ଓ ଋଷୀୟ ବିଜ୍ଞାନୀଗଣଙ୍କର ନେତା ଶିୟାନ୍‌ ପ୍ରକ୍ଷେପଣ ମିନାର ପାଖକୁ ଗଲେ। ସବୁ ବିଷୟ ସୁଚାରୁରୂପେ ଦେଖିସାରି ସେମାନେ ଆଲୋଚନା କଲେ। ସବୁ ଯନ୍ତ୍ରପାତି ଠିକ୍‌ ଅଛି କି ନାହିଁ ଦେଖାଗଲା। ସବୁ ଠିକ୍‌ ଥିବାରୁ ସମସ୍ତେ ଆଶ୍ୱସ୍ତ ହେଲେ । ୧୯୭୯ ମସିହା ଜୁନ୍‌ ୭ ତାରିଖ ସନ୍ଧ୍ୟାରେ ଭାସ୍କରକୁ ଅନ୍ତରୀକ୍ଷ ଅଭିମୁଖେ ପ୍ରେରଣ କରିବା ପାଇଁ ସ୍ଥିର କରାଗଲା ।

୧୯୭୯ ମସିହା ଜୁନ୍‌ ୭ ତାରିଖ । ସକାଳ ସାଢ଼େ ଏଗାରଟା । ଭାରତୀୟ ଓ ଋଷୀୟ ବୈଜ୍ଞାନିକଗଣ ଦୁଇଟି ବସ୍‌ରେ ମହାକାଶ କେନ୍ଦ୍ରରେ ପହଞ୍ଚିଲେ । ଇସ୍ପାତ ନିର୍ମିତ ଉତ୍‌କ୍ଷେପଣ ମିନାରଠାରୁ ପ୍ରାୟ ୫ କି.ମି ଦୂରରେ ସେମାନେ ରହିଲେ । ସେଠାରୁ ଉତ୍‌କ୍ଷେପଣ ଦର୍ଶନ କରିବା ସୁବିଧାଜନକ ଥିଲା । ଆକାଶ ମେଘାଚ୍ଛନ୍ନ । ସାମାନ୍ୟ ବୃଷ୍ଟିପାତ ମଧ୍ୟ ହେଉଥାଏ ।

ଅପରାହ୍ନ ଗୋଟାଏ ବେଳେ ପ୍ରବଳ ବର୍ଷା ହେଲା । ପ୍ରାୟ ୨୦ ମିନିଟ୍‌ ପରେ ବର୍ଷା ଛାଡ଼ିଗଲା । ସଙ୍ଗେ ସଙ୍ଗେ ଉତ୍‌କ୍ଷେପଣର ଆୟୋଜନ ଚାଲିଲା । ଶୁଣାଗଲା – ଦଶ – ନଅ – ଆଠ – ସାତ – ଛଅ – ପାଞ୍ଚ – ଚାରି – ତିନି – ଦୁଇ – ଏକ । ତାପରେ ଆଖିପିଛୁଳାକେ ସିଂହ ଗର୍ଜନ କରି ଲମ୍ଫ ପ୍ରଦାନ କଲା ରକେଟ୍‌ ଆକାଶମାର୍ଗକୁ । ଧଳା, ନାରଙ୍ଗୀ ଆଦି ରଙ୍ଗର ଅଗ୍ନିଶିଖା, ଶେଷରେ ନୀଳ ଘନ ଧୂମଧାର ।

‌ମହାଶୂନ୍ୟକୁ ଛୁଟିଲା

ରକେଟ୍‌ ଭାସ୍କରକୁ ଧରି ମହାକାଶକୁ ଛୁଟିଲା । ଚାରିଟା ଦଶ ମିନିଟ୍‌ରେ ରକେଟ୍‌ର ପ୍ରଥମ ଖଣ୍ଡ ଜଳିପୋଡ଼ି ଆକାଶରେ ଲୀନ ହୋଇଗଲା । ଭାସ୍କର ଅନ୍ତରୀକ୍ଷ ଅଭିମୁଖେ ଗତି କଲା । ତାର ତାପରକ୍ଷାକାରୀ କବଚ ସଦୃଶ ଖୋଳଟି ଫାଟି ଜଳିଗଲା । ସେଥିରୁ ବାହାରି ଭାସ୍କର ମହାଶୂନ୍ୟରେ ଛୁଟିବାରେ ଲାଗିଲା । ସେତେବେଳକୁ ଭାରତରେ ସନ୍ଧ୍ୟା ସମୟ ।

ଏହାର ଓଜନ ଥିଲା ୪୪୦ କିଲୋଗ୍ରାମ । ଏହାକୁ ନିର୍ମାଣ କରିବାରେ ୬ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା । ବାଙ୍ଗାଲୋର ଉପଗ୍ରହ କେନ୍ଦ୍ରରେ ଭାରତୀୟ ବିଜ୍ଞାନୀ ଓ ଇଞ୍ଜିନିୟରମାନେ ଏହାକୁ ନିର୍ମାଣ କରିଥିଲେ । ଏହି ଉପଗ୍ରହରେ ଶକ୍ତିଶାଳୀ କ୍ୟାମେରା, ଦୂରଗ୍ରାହୀ ଯନ୍ତ୍ର (Remote Sensor), ମାଇକ୍ରୋୱେଭ୍‌ ରେଡ଼ିଓ ମିଟର ପ୍ରଭୃତି ଖଞ୍ଜା ଯାଇଥିଲା । ଏହି ଉପଗ୍ରହ ନିର୍ମାଣରେ ୧୪ଟି ଭାରତୀୟ ସଂସ୍ଥା ଓ ୨୮ଟି ଋଷୀୟ ସଙ୍ଗଠନ ସହଯୋଗ କରିଥିଲେ।

ଦୁଇଜଣ ପଣ୍ଡିତ

ଭାସ୍କରଙ୍କ ନାମରେ ଭାରତରେ ଥିଲେ ଦୁଇଜଣ ପଣ୍ଡିତ । ସେମାନେ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ । ଜଣେ ୬ଷ୍ଠ ଶତାବ୍ଦୀରେ ଆନ୍ଧ୍ର କିମ୍ବା କେରଳ ପ୍ରଦେଶରେ ବାସ କରୁଥିଲେ । ସେ କଲଭୀ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ ଏବଂ ମହାଭାସ୍କରୀୟ, ଲଘୁଭାସ୍କରୀୟ ଓ ଆର୍ଯଭଟ୍ଟୀୟ ଭାଷ୍ୟ ନାମରେ ତିନୋଟି ଅମୂଲ୍ୟ ଗ୍ରନ୍ଥ ରଚନା କରିଥିଲେ । ଆଉ ଜଣେ ଭାସ୍କର ଦ୍ୱାଦଶ ଶତାବ୍ଦୀରେ କର୍ଣ୍ଣାଟକ ରାଜ୍ୟର ବିଜାପୁର ନଗରୀରେ ବାସ କରୁଥିଲେ । ସେ ଛଅଟି ବିଶିଷ୍ଟ ପୁସ୍ତକ ଲେଖିଥିଲେ ।

କାର୍ଯ୍ୟ ଆରମ୍ଭ କଲା

ଭାସ୍କର ଦ୍ୱାରା ବିଭିନ୍ନ କାର୍ଯ କରିବାର ପରିକଳ୍ପନା ହୋଇଥିଲା । ହିମାଳୟରେ କିପରି ବରଫ କମ୍‌ ବେଶୀ ହୁଏ, ଗଙ୍ଗା, ଯମୁନା ଓ ବ୍ରହ୍ମପୁତ୍ର ନଦୀରେ ଜଳବୃଦ୍ଧି ଘଟେ, ବନ୍ୟା ଆସେ, ସ୍ରୋତର ହ୍ରାସ ଓ ଆଧିକ୍ୟ ଘଟେ, ସେ ସମ୍ପର୍କରେ ବିଭିନ୍ନ ସୂଚନା ମିଳିବାର ଯୋଜନା ହୋଇଥିଲା । ଥର୍‌ ମରୁଭୂମିର ବୃଦ୍ଧି ଓ କ୍ଷୟ ପାଉଥିବା ଅଞ୍ଚଳ ଆଦିର କାରଣ ବିଷୟରେ ଗବେଷଣା କରିବା ପାଇଁ ଏହା ତଥ୍ୟ ଯୋଗାଇବା କଥା । ଜମିର ପ୍ରକୃତି, ପରିମାଣ, ଫସଲ ଆଦି ସମ୍ପର୍କୀୟ ସୂଚନା ଦେବା ସଙ୍ଗେ ସଙ୍ଗେ ଦେଶରେ ବଣ ଜଙ୍ଗଲର କ୍ଷୟ ଓ କାରଣ ସମ୍ପର୍କରେ ଅନୁଧ୍ୟାନ କରିବାରେ ଏହା ସହାୟକ ହେଲା । ଜଳବାୟୁ ଓ ପାଣିପାଗ ବିଷୟରେ ଏହା ବିଶେଷ ଓ ଆଗାମୀ ସୂଚନାମାନ ଯୋଗାଇଥିଲା ।

ମାତ୍ର ଭାସ୍କର ତାର କକ୍ଷପଥରେ ସ୍ଥାପିତ ହେଲା ପରେ ତା ସହିତ ପଠାଯାଇଥିବା ଟେଲିଭିଜନ କ୍ୟାମେରା ଅଚଳ ହୋଇପଡ଼ିଲା । ଫଳରେ ସେ କୌଣସି ଚିତ୍ର ଉଠାଇ ପାରିଲା ନାହିଁ । ବୈଜ୍ଞାନିକମାନେ ବହୁ ଚେଷ୍ଟା କରି ଉକ୍ତ କ୍ୟାମେରାକୁ ସକ୍ରିୟ କରିପାରିଥିଲେ । ଏହା ପରେ ତାହା ଭୂପୃଷ୍ଠକୁ ଚିତ୍ରମାନ ପଠାଇ ପାରିଥିଲା । ଭୂପୃଷ୍ଠରେ ରହି କୃତ୍ରିମ ଉପଗ୍ରହକୁ ମରାମତି କରିବା ଭାରତୀୟ ବୈଜ୍ଞାନିକମାନଙ୍କର ଏକ ଉଲ୍ଲେଖଯୋଗ୍ୟ ସଫଳତା ।

ରୋହିଣୀ

ଆମ ଦେଶ କୃତ୍ରିମ ଉପଗ୍ରହର ନିର୍ମାଣ ଓ ଉତ୍‌କ୍ଷେପଣରେ ଆଗେଇ ଚାଲିଛି । ଆର୍ଯ୍ୟଭଟ୍ଟ ଓ ଭାସ୍କର ପରେ ଉପଗ୍ରହ ରୋହିଣୀ ମହାଶୂନ୍ୟକୁ ଯାଇଥିଲା । ପୃଥିବୀ ପରିକ୍ରମା କରି ବହୁ ତଥ୍ୟ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା । ୧୯୭୯ ମସିହା ମଇ ୩୧ ତାରିଖ । ଶ୍ରୀହରିକୋଟା ଲୋକାରଣ୍ୟ । ୩୬ କେ.ଜି. ଓଜନର ଉପଗ୍ରହ ରୋହିଣୀ-୨ ମହାକାଶକୁ ପ୍ରେରିତ ହେଲା । ସେହି ବର୍ଷ ଜୁନ୍‌ ୮ ତାରିଖରେ ତାହା ଜଳିପୋଡ଼ି ପାଉଁଶ ହୋଇଥିଲା ।

ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରୁ ରୋହିଣୀ ଉପଗ୍ରହକୁ ଉତ୍‌କ୍ଷେପଣ କରାଯାଇଥିଲା । ଏହା ହେଲା ଭାରତର ଏକ ବିଶିଷ୍ଟ କୃତ୍ରିମ ଉପଗ୍ରହ ଏବଂ ଏହାକୁ ୧୯୮୦ ମସିହା ଜୁଲାଇ ୧୮ ତାରିଖରେ ଉଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରାଯାଇଥିଲା । ଏହାର ଉତ୍‌କ୍ଷେପଣ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର ନ କରି ଭାରତୀୟ ବୈଜ୍ଞାନିକଗଣ ନିଜର ଉତ୍‌କ୍ଷେପଣ ଯାନ ଏସ୍‌.ଏଲ୍‌.ଭି-୩ (SLV-3) ସାହାଯ୍ୟରେ ଏହା କରିବାରେ ସଫଳ ହୋଇଥିଲେ । ପୃଥିବୀର ଷଷ୍ଠ ଦେଶ ଭାବରେ ଭାରତ ଏହି ଗୌରବର ଅଧିକାରୀ ହୋଇପାରିଛି । ଏହା ପୂର୍ବରୁ ଋଷ୍‌, ଆମେରିକା, ଫ୍ରାନ୍ସ, ଜାପାନ ଓ ଚୀନ୍‌ ଏ ଦିଗରେ କୃତକାର୍ଯ୍ୟ ହୋଇଥିଲେ ।

ରୋହିଣୀ ଉପଗ୍ରହ ମହାଶୂନ୍ୟରେ ନିଜର କକ୍ଷ ପଥରେ ପୃଥିବୀକୁ ପ୍ରଦକ୍ଷିଣ କରୁଥିଲା । ତା ମଧ୍ୟରେ ବହୁ ପରୀକ୍ଷାନିରୀକ୍ଷା ପାଇଁ ଯନ୍ତ୍ରପାତି ଖଞ୍ଜା ଯାଇଥିଲା । ସେହି ସବୁ ଯନ୍ତ୍ର ସାହାଯ୍ୟରେ ବହୁ ମୂଲ୍ୟବାନ ତଥ୍ୟ ସଂଗ୍ରହ କରି ସେ ନାନା ସଂକେତ ଆକାରରେ ପୃଥିବୀର ମହାକାଶ ଗବେଷଣା କେନ୍ଦ୍ରକୁ ପଠାଇଥିଲା । ଏଠାରେ କମ୍ପ୍ୟୁଟର ଆଦି ଆଧୁନିକ ବୈଜ୍ଞାନିକ ଯନ୍ତ୍ରବଳରେ ସେଗୁଡ଼ିକର ବିଶ୍ଳେଷଣ କରାଯାଇଥାଏ । ଏହି ବିଶ୍ଳେଷଣଲବ୍ଧ ତଥ୍ୟ ଦେଶବାସୀଙ୍କର ପ୍ରଭୂତ ଉପକାରରେ ଲାଗିଥାଏ ।

‘ଆପଲ୍‌‘

ରୋହିଣୀର ସଫଳ ପରିକ୍ରମା ଆମଦେଶର ମହାକାଶ ଗବେଷଣା କ୍ଷେତ୍ରରେ ଏକ ବିରାଟ ସଫଳତା । ଏହା ନିୟମିତ ଭାବରେ ସଂକେତ ପଠାଇବାରେ ସମର୍ଥ ହୋଇପାରିଥିଲା । ୧୯୮୧ ମସିହା ଜୁନ୍‌ ୧୯ ତାରିଖରେ ଭାରତର ଆଉ ଏକ କୃତ୍ରିମ ଉପଗ୍ରହ ଆପଲ୍‌ ମହାକାଶରେ ସ୍ଥାପିତ ହୋଇପାରିଥିଲା । ଏହାର ଓଜନ ୬୭୩ କିଲୋଗ୍ରାମ । ଦକ୍ଷିଣ ଆମେରିକା ମହାଦେଶର ଉତ୍ତରରେ ଅବସ୍ଥିତ ଫ୍ରେଞ୍ଚଗୁଏନା ଦେଶର କ୍ୟୁରୋ ମହାକାଶ କେନ୍ଦ୍ରରୁ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା । ଏହା ପ୍ରଥମେ ଭୂପୃଷ୍ଠରୁ ୨୦୦ କି.ମି. ରୁ ୩୫,୮୦୦ କି.ମି. ପର୍ଯ୍ୟନ୍ତ ଦୂରତା ମଧ୍ୟରେ ପୃଥିବୀକୁ ପରିକ୍ରମା କରୁଥିଲା । ପ୍ରତି ସାଢ଼େ ୧୦ ଘଣ୍ଟାରେ ଥରେ ଏହା ପୃଥିବୀକୁ ପ୍ରଦକ୍ଷିଣ କରୁଥିଲା ।

କ୍ରମେ ବିଭିନ୍ନ ଯାନ୍ତ୍ରିକ ଓ ରାସାୟନିକ ପଦକ୍ଷେପ ଗ୍ରହଣ କରାଯାଇ ଏହି ଉପଗ୍ରହର କକ୍ଷପଥକୁ ଅଧିକ ଗୋଲାକାର କରାଗଲା । ଶେଷରେ ନିଜର କକ୍ଷପଥରେ ଘୂରିବାକୁ ପୃଥିବୀକୁ ଯେତିକି ସମୟ ଲାଗେ, ଏହା ସେତିକି (୨୪ ଘଣ୍ଟା) ସମୟ ନେଲା । ତେଣୁ ଏହି ଉପଗ୍ରହ ଆପଲ୍‌ ଗୋଟିଏ ସ୍ଥାନରେ ଥିବା ଭଳି କାର୍ଯ୍ୟ କଲା । ତେଣୁ ଏହାର ଭୂସ୍ଥିର ଅବସ୍ଥା (Geostationary Position) ଯୋଗୁଁ ଯୋଗାଯୋଗ କାର୍ଯ୍ୟକ୍ରମ ସୁବିଧାଜନକ ହୋଇପାରିଲା।

ୟୁରୋପର ୧୧ଟି ଦେଶ ମିଶି ୟୁରୋପୀୟ ମହାକାଶ ସଂସ୍ଥା (European Space Agency) ଗଠନ କରିଛନ୍ତି । ଏହି ସଂସ୍ଥା ଆରିୟାନ୍‌ ରକେଟ୍‌ ତିଆରି କରିବାରେ ସଫଳ ହୋଇପାରିଛି । ଏହା ତ୍ରିସ୍ତରୀୟ ଓ ତରଳ ଇନ୍ଧନ ଦ୍ୱାରା ପରିଚାଳିତ । ଏହାର ଉଚ୍ଚତା ୪୭ ମିଟର ଓ ବ୍ୟାସ ୩.୮ ମିଟର । ଉତ୍‌କ୍ଷେପଣ ସମୟରେ ଏହାର ଓଜନ ୨୧୭ ଟନ୍‌ । ମାତ୍ର ଏହାର ଶତକଡ଼ା ୯୦ ଭାଗ କେବଳ ଇନ୍ଧନର ଓଜନ ।

ଏହି ରକେଟ୍‌ ସାହାଯ୍ୟରେ ଉପଗ୍ରହଟି ମହାକାଶକୁ ପ୍ରେରଣ କରାଯାଇଥିବାରୁ ନାମକରଣ ହେଲା ଆପଲ ବା APPLE (Ariana Passengers Payload Experiment) ।

ଆପଲ୍‌ ଉପଗ୍ରହର ସାଫଲ୍ୟ ଆମର ଜାତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଖୁବ୍‌ ଉଲ୍ଲେଖଯୋଗ୍ୟ । ଏହି ଉପଗ୍ରହ ପରୀକ୍ଷା ଯୋଗୁଁ ଭାରତୀୟ ବୈଜ୍ଞାନିକଗଣ ଭୂସ୍ଥିର ଉପଗ୍ରହ ମହାଶୂନ୍ୟକୁ ପଠାଇ ତାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିଛନ୍ତି । ଏହାଛଡ଼ା ରାଷ୍ଟ୍ରୀୟ ଯୋଗାଯୋଗ କ୍ଷେତ୍ରରେ ରେଡ଼ିଓ ଓ ଟେଲିଭିଜନ ସେବାର ପ୍ରସାର ଘଟାଇ ପାରିଛନ୍ତି । ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସୀୟ ଭାଷଣ ୧୯୮୧ ମସିହା ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀ ଲାଲ୍‌କିଲ୍ଲାରୁ ଦେଶର ସର୍ବତ୍ର ପ୍ରଚାରିତ ହୋଇଥିଲା।

୧୯୬୭ ମସିହାରେ ତ୍ରିଭେନ୍ଦ୍ରମ୍‌ ନିକଟସ୍ଥ ଥୁମ୍ବାଠାରେ ଏକ ମହାକାଶ ଗବେଷଣା କେନ୍ଦ୍ର ପ୍ରତିଷ୍ଠିତ ହୋଇଥିଲା । ଏଠାରେ ରକେଟ୍‌ ଉତ୍‌କ୍ଷେପଣ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ହୋଇଛି । ଏଠାରୁ ପରିକ୍ଷାମୂଳକ ଭାବରେ କେତୋଟି ରକେଟ୍‌ ଉତ୍‌କ୍ଷେପଣ କରାଯାଇଛି । ଏଠାରେ ବିଭିନ୍ନ ପ୍ରକାର ରକେଟ୍‌ ନିର୍ମାଣ କରାଯାଉଛି । ରକେଟ୍‌ ଗୋଟିଏ ଏକକ ଯନ୍ତ୍ର ନୁହେଁ । ଏଥିରେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଖଞ୍ଜାଯାଇଥାଏ । ଥୁମ୍ବାର ଇଞ୍ଜିନିୟର ଓ ବୈଜ୍ଞାନିକମାନେ ଏହି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ନିରନ୍ତର ନାନା ଗବେଷଣାରେ ନିଯୁକ୍ତ ରହିଛନ୍ତି ।

ଇନ୍‌ସାଟ୍‌

କୃତ୍ରିମ ଉପଗ୍ରହ ଗବେଷଣା କେନ୍ଦ୍ରରେ ପ୍ରଭୂତ ସଫଳତା ଅର୍ଜନ କଲାପରେ ଭାରତ ନିଜସ୍ୱ ବହୁମୁଖୀ ଓ ଭୂସ୍ଥିର କୃତ୍ରିମ ଉପଗ୍ରହ ନିର୍ମାଣ କରିବାରେ ସଚେଷ୍ଟ ହେଲା । ଭାରତୀୟ ବିଜ୍ଞାନୀମାନଙ୍କର ନକ୍ସା ଅନୁସାରେ ଆମେରିକାରେ ଏହି ବିରାଟ ଉପଗ୍ରହଟି ନିର୍ମିତ ହୋଇଥିଲା । ତେଣୁ ଏହା ଭାରତୀୟ ଜାତୀୟ କୃତ୍ରିମ ଉପଗ୍ରହ (Indian National Satellite) ନାମରେ ବିଖ୍ୟାତ । ଏହା ସର୍ବଦା ଭାରତବର୍ଷକୁ ମୁହଁ କରି ମହାଶୂନ୍ୟରେ ଅବସ୍ଥାନ କରିଥାଏ । ଏହା ଭ୍ରମଣଶୀଳ ହେଲେ ହେଁ, ପୃଥିବୀର ଗତି ସହିତ ସମତା ରକ୍ଷା କରି ପରିକ୍ରମା କରୁଥିବାରୁ ତାକୁ ଭୂସ୍ଥିର ବୋଲି କୁହାଯାଏ । ସୁତରାଂ ଯୋଗାଯୋଗ କ୍ଷେତ୍ରରେ ଏହା ଖୁବ୍‌ ସୁବିଧାଜନକ ହୋଇଥାଏ ।

ପ୍ରଥମ ଇନ୍‌ସାଟ (INSAT-IA) ଉପଗ୍ରହଟି ୧୯୮୨ ମସିହା ଅପ୍ରେଲ ମାସ ୩୦ ତାରିଖରେ ମହାଶୂନ୍ୟକୁ ପଠାଯାଇ ନିଜ କକ୍ଷପଥରେ ଅବସ୍ଥାପିତ ହୋଇଥିଲା । ମାତ୍ର କେତେକ ଯାନ୍ତ୍ରିକ ତୃଟି ଯୋଗୁଁ ଏହା ଅଚଳ ହୋଇ ପଡ଼ିଥିଲା । ତାପରେ ଦ୍ୱିତୀୟ ଇନ୍‌ସାଟ ୧୯୮୩ ମସିହା ଅଗଷ୍ଟ ୩୦ ତାରିଖରେ ସଫଳତାର ସହିତ ମହାକାଶକୁ ପଠାଯାଇଥିଲା । ତାପରେ ତୃତୀୟ ଇନ୍‌ସାଟ୍‌ ମହାକାଶକୁ ପ୍ରେରଣ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ନିଯୁକ୍ତ ହୋଇ ଆସିଛି । ଏଗୁଡ଼ିକ ପୃଥିବୀଠାରୁ ୩୫,୭୮୪ କି.ମି. ଦୂରରେ ରହିଛି ଏବଂ ପ୍ରାୟ ସାତବର୍ଷ ପାଇଁ କାର୍ଯ୍ୟ କରିବାକୁ ଉପଯୁକ୍ତ କରାଯାଇଥିଲା । ମାତ୍ର ଏସବୁର ନିର୍ମାଣଠାରୁ ପ୍ରେରଣ ଯାଏ, ନିର୍ଦ୍ଦିଷ୍ଟ କକ୍ଷ ପଥରେ ଅବସ୍ଥାପିତ ହେବାଠାରୁ ଉଦ୍ଦିଷ୍ଟ କାର୍ଯ୍ୟମାନ କରିବା ଯାଏ ନାନା ପ୍ରତିବନ୍ଧକର ସମ୍ମୁଖୀନ ହୋଇଥାଏ । ଏହି ଇନ୍‌ସାଟ୍‌ ଉପଗ୍ରହମାନ ଯୁକ୍ତରାଷ୍ଟ୍ର ଆମେରିକା ସହି ଚୁକ୍ତିପତ୍ର କରିବା ଅନୁସାରେ ସେଠାରେ ଉତ୍‌କ୍ଷେପଣଘାଟୀରୁ ମହାକାଶକୁ ପଠାଯାଇଥିଲା ।

ଇନ୍‌ସାଟ ଉପଗ୍ରହର କାର୍ଯ୍ୟ ବହୁମୁଖୀ । ଏହା ପାଣିପାଗ ଓ ଜଳବାୟୁ ସମ୍ପର୍କରେ ଭବିଷ୍ୟତବାଣୀ ଶୁଣାଇଥାଏ । ତାର ଯୋଗାଯୋଗ ପାଇଁ ଏହା ଖୁବ୍‌ ସହାୟକ ହୋଇଥାଏ । ସୁଦୂର ପୁରପଲ୍ଲୀରେ ଏହା ଦୂରଦର୍ଶନ ସେବା କାର୍ଯ୍ୟକ୍ରମର ପ୍ରସାର ଘଟଇଥାଏ । ବିଶେଷ ଭାବରେ ଶିକ୍ଷା କ୍ଷେତ୍ରରେ ରେଡ଼ିଓ ଓ ଟେଲିଭିଜନ କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ଇନ୍‌ସାଟ୍‌ ଏକ ଉଜ୍ଜ୍ୱଳ ଅଧ୍ୟାୟ ଖୋଲିଦେଇଛି । ସକାଳ ବେଳା ପ୍ରାଥମିକ ବିଦ୍ୟାଳୟ ପାଇଁ ଏବଂ ସନ୍ଧ୍ୟା ସମୟରେ ସମାଜର ସବୁ ଗୋଷ୍ଠୀର ଜନସାଧାରଣଙ୍କ ପାଇଁ ଦୂରଦର୍ଶନ କାର୍ଯ୍ୟକ୍ରମମାନ ସମ୍ପ୍ରସାରିତ ହୋଇଥାଏ ।

ଇନ୍‌ସାଟ ଉପଗ୍ରହ ସମ୍ପ୍ରତି ମହାକାଶ ଗବେଷଣା କ୍ଷେତ୍ରରେ ଏକ ସ୍ୱର୍ଣ୍ଣ ଯୁଗର ସନ୍ଧାନ ଦେଇଛି । ଭାରତ ପରି ବିରାଟ ଭୂଖଣ୍ଡରେ ଯୋଗାଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଏବଂ ଏହି ସମସ୍ୟାର ସମାଧାନରେ ଇନ୍‌ସାଟ୍‌ ବିଶେଷ ସହାୟକ ହୋଇଛି । ସମଗ୍ର ଦେଶରେ କୃଷି, ଶିକ୍ଷା, ଶିଳ୍ପ, ସ୍ୱାସ୍ଥ୍ୟ, କ୍ରୀଡ଼ା, ଜାତୀୟ ସଂହତି, ପରିବେଶ ଉନ୍ନୟନ ଆଦି ଜାତୀୟ ବିକାଶର ବିଭିନ୍ନ ବିଭାଗରେ ଏହାର ଅଭୂତପୂର୍ବ ପ୍ରଭାବ ପଡ଼ିଛି ।

ଆଇ.ଆର୍‌.ଏସ୍‌.-୧

ଆଜିକାଲି ମହାକାଶରେ ଅସଂଖ୍ୟ କୃତ୍ରିମ ଉପଗ୍ରହ ଲୀଳାଖେଳା କରୁଛନ୍ତି । ରାତ୍ରିର ଗଭୀର ଅନ୍ଧକାର ମଧ୍ୟରେ ଆକାଶକୁ ଚାହିଁଲେ ଆମେ ଅନେକ ନକ୍ଷତ୍ରର ଅସ୍ତିତ୍ୱ ଉପଲବ୍ଧ କରୁଁ । ସେଥିମଧ୍ୟରୁ କେତେକ “ନକ୍ଷତ୍ର” ପରି ଆକାଶରେ ଦକ୍ଷିଣରୁ ଉତ୍ତରକୁ ଯାଉଥିବାର ଦେଖାଯାଏ । କିନ୍ତୁ ପ୍ରକୃତରେ ସେଗୁଡ଼ିକ ନକ୍ଷତ୍ର ବା ତାରା ନୁହଁନ୍ତି । ସେଗୁଡ଼ିକ ହେଉଛି କୃତ୍ରିମ ଉପଗ୍ରହ । ସେଥିରୁ ଗୋଟିଏ ହେଉଛି ଆଇ.ଆର୍‌.ଏସ୍‌.-୧ (Indian Remote Sensing Satellite) ବା ସୁଦୂର ସମ୍ବେଦନଶୀଳ ଉପଗ୍ରହ ।

ଏହି ଆଇ.ଆର୍‌.ଏସ୍‌ ଉପଗ୍ରହଟି ୧୯୮୮ ମସିହା ମାର୍ଚ୍ଚମାସ ୧୭ ତାରିଖରେ ସୋଭିଏତ୍‌ ଋଷ୍‌ର ଏକ ଶକ୍ତିଶାଳୀ ରକେଟ୍‌ “ଭୋସ୍ତକ” ସାହାଯ୍ୟରେ ମହାକାଶକୁ ଛଡ଼ା ଯାଇଥିଲା । ଭାରତୀୟ ବିଜ୍ଞାନୀଗଣ ଏହାକୁ ନିର୍ମାଣ କରିଥିଲେ । ଏହା ଅନ୍ତରୀକ୍ଷରୁ ପୃଥିବୀର ଫଟୋଚିତ୍ର ଉତ୍ତୋଳନ କରୁଛି । ବିଶେଷ ଭାବରେ ଏହା ଆମ ଦେଶର ଖଣିଜ ପଦାର୍ଥ, ପର୍ଯ୍ୟାବରଣ ଆଦି ଉପଯୋଗୀ ବହୁ ସୂଚନା ଯୋଗାଇ ପାରୁଛି ।

ଏହି ଉପଗ୍ରହ ଭୂପୃଷ୍ଠରୁ ୯୦୪ କିଲୋମିଟର ଉପରେ ରହିଛି । ଏହା ପୃଥିବୀକୁ ଏକ ଉପବୃତ୍ତାକାର ମାର୍ଗରେ ୧୦୬ ମିନିଟ୍‌ରେ ଥରେ ପରିକ୍ରମା କରୁଛି । ୨୪ ଘଣ୍ଟା ମଧ୍ୟରେ ଏହି ଉପଗ୍ରହ ୧୪ ଥର ପୃଥିବୀକୁ ପ୍ରଦକ୍ଷିଣ କରୁଛି । ପ୍ରତିଦିନ ସକାଳ ଠିକ୍‌ ଘ୧୦.୧୫ ମିନିଟ୍‌ରେ ଏହା ବିଷୁବ ବୃତ୍ତର ଠିକ୍‌ ଉପର ଦେଇ ଗତି କରୁଛି । ଏହି ଉପଗ୍ରହ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ରହିବ । ଏ ପର୍ଯ୍ୟନ୍ତ ଏହା ପ୍ରାୟ ଭାରତର ସବୁ ଅଞ୍ଚଳର ଫଟୋଚିତ୍ର ଉତ୍ତୋଳନ କରିପାରିଛି । ଏଥିରୁ ବୈଜ୍ଞାନିକଗଣ ଗବେଷଣା କରି ବହୁ ମୂଲ୍ୟବାନ ତଥ୍ୟ ସଂଗ୍ରହ କରିପାରୁଛନ୍ତି ।

ଆଇ.ଆର୍‌.ଏସ୍‌-୧ ଉପଗ୍ରହର ଦୁଇପଟେ ଦୁଇଟି ସୌର ପ୍ୟାନେଲ୍ ଖଞ୍ଜାଯାଇଛି‌‌‌ । ତାହା ସାହାଯ୍ୟରେ ସୌରଶକ୍ତି ସଂଗ୍ରହ କରି ଏହି ଉପଗ୍ରହ ଓ ଏହାର ଯନ୍ତ୍ରପାତି କାର୍ଯ୍ୟକାରୀ ହୋଇଥାଏ । ଏହି ଉପଗ୍ରହରେ ରଖାଯାଇଥିବା ଖୁବ୍‌ ଶକ୍ତିଶାଳୀ ଦୁଇଟି କ୍ୟାମେରା ଦିନରାତି ଫଟୋ ଉଠାଇ ବୈଦ୍ୟୁତିକ ସଂକେତ ମାଧ୍ୟମରେ ପୃଥିବୀକୁ ଫଟୋଚିତ୍ରମାନ ପଠାଉଛି । ସେହି ସଂକେତ ଗୁଡ଼ିକ ହାଇଦ୍ରାବାଦ ନିକଟବର୍ତ୍ତୀ ଶାଦନଗର ଓ ଡେରାଡୁନରେ ସ୍ଥାପିତ ମହାକାଶ ଗବେଷଣା ସଂସ୍ଥାରେ ସଂଗୃହୀତ ହୋଇଅଛି । ବୈଜ୍ଞାନିକଗଣ ସେଗୁଡ଼ିକର କମ୍ପ୍ୟୁଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟରେ ବିଶ୍ଳେଷଣ କରି ସେଥିରୁ ବହୁ ଉପାଦେୟ ତଥ୍ୟ ପ୍ରକାଶ କରୁଛନ୍ତି ।

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleକୃତ୍ରିମ ଉପଗ୍ରହର ବିପୁଳ ଶୋଭାଯାତ୍ରା
Next Article କୃତ୍ରିମ ଉପଗ୍ରହ; ସୁବିଧା ଓ ସମ୍ଭାବନା
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.