ଆହେ ନୀଳାଚଳ ନାୟକ
ଦୀନ ଅକିଞ୍ଚନ ସୁଖଦାୟକ ।।
ଚନ୍ଦ୍ରକାନ୍ତି ଜିଣି କମନୀୟ ଠାଣି
କଳା କଳେବର କି ଜକଜକ
ଆର୍ତ୍ତୀ ଜନଙ୍କର ଆର୍ତ୍ତ ବିଧ୍ୱଂସନେ
ମହାବାହୁ ପ୍ରସାରିଛ କାଳକ ।୧।
ଧବଳା କମଳ ନୟନ ଯୁଗଳ
ଚାହାଣି ଭଙ୍ଗିମା ତ ଅତିରେକ ।
ଦଶନ ବସନ ରଙ୍ଗିମା ଅତୁଳ
ପ୍ରସନ୍ନମୟ ଶ୍ରୀକଳା ଶ୍ରୀମୁଖ ।୨।
କପାଳରେ ସୁନା ଚିତା ସୁଶୋଭିତା
ତହିଁକି ପୁଣି କସ୍ତୁରୀ ତିଳକ ।
ଚନ୍ଦନର ବିନ୍ଦୁ କି ସେ ବାଳଇନ୍ଦୁ
ଅତ୍ୟନ୍ତ ଘଟଣ ସେ ତ୍ରିପୁଣ୍ଡକ ।୩ ।
ଶ୍ରବଣ ଯୁଗଳେ ମକର କୁଣ୍ଡଳ
ଖେଳଇ ସେ ଗଣ୍ଡମଣ୍ଡଳ ପାଖ ।
କରରେ କଚଟି କଙ୍କଣ ବାହୁଟି
ହୃଦୟରେ ବ୍ୟାଘ୍ରନଖୀ ପଦକ ।୪।
କଣ୍ଠେ ବିଲମ୍ବିତ ମଣିମୟ ହାର
କଉସ୍ତୁଭ ଦୀପ୍ତିମନ୍ତ ଝଲକ ।
କଳିତ ଲଳିତବାସ ବନମାଳ
ବୈଜୟନ୍ତିମାଳା ଆଜାନୁତକ ।୫।
କଷ୍ଟ ଦୁଷ୍ଟ ବିନାଶକ ଶ୍ରୀଆୟୁଧ
ଶଙ୍ଖ କମଳ ସୁଦର୍ଶନ ଚକ୍ର ।
କଟି କି ଶୋଭଇ କନକ କିଙ୍କିଣୀ
ତହିଁ ରାଜେ ପୀତପଟ ଝଟକ ।୬।
କିବା ଦେବା ଲକ୍ଷ୍ୟ କରୁଣା କଟାକ୍ଷ
କୋଟି ମଦନରୁ ଧନୁଶାୟକ ।
ମୋହନ ବେଶକୁ ଭକ୍ତେ ଦେଖୁ ଦେଖୁ
ସର୍ବାଙ୍ଗରେ ଜାତ ହୁଏ ପୁଲକ ।୭।
ଭଣେ ଦୀନକୃଷ୍ଣ ହୋଇଣ ସତୃଷ୍ଣ
ଅରୁଣ-ପଙ୍କଜ ଚରଣ ରଙ୍କ ।
ବଳୀୟାର ଭୁଜ ଛାୟା ତଳେ ପ୍ରଭୁ
ଆହ୍ଲାଦ ହୃଦୟେ ଦାସକୁ ରଖ ।୮।