ଚନ୍ଦ୍ରଗିରି ରାଜ୍ୟ ମର୍ତ୍ୟପୁରୀରେ ସ୍ୱର୍ଗ ଭଳି ଥିଲା । ରାଜା ରୁଦ୍ରସେନ ପ୍ରଜା ବତ୍ସଳ ଥିଲେ; ରାଣୀ ଦୟାଳୁ ଥିଲେ, ପ୍ରଜାମାନେ ଖୁସିବାସିଆ ଥିଲେ ।
ଚନ୍ଦ୍ରଗିରିର ପୂର୍ବକୁ ମିତ୍ରପୁରୀ ରାଜ୍ୟ ଥିଲା । ଆୟତ୍ତନରେ ଓ ସୈନ୍ୟବଳରେ ସେ ରାଜ୍ୟ ଚନ୍ଦ୍ରଗିରିଠୁଁ ବଡ । କିନ୍ତୁ ସେ ରାଜ୍ୟର ରାଜକନ୍ୟାଦିଁ ରାଜା ରୁଦ୍ରସେନଙ୍କୁ ବିଭା ହୋଇଥିଲେ । ଫଳରେ ଚନ୍ଦ୍ରଗିରିର ବିପଦ ଆପଦବେଳେ ମିତ୍ରପୁରୀର ସାହାଯ୍ୟ ମିଳିବା ଏକପ୍ରକାର ନିଶ୍ଚିତ ଥିଲା । ତେଣୁ ରାଜା ରୁଦ୍ରସେନ ନିଶ୍ଚିନ୍ତରେ କାଳ କାଟୁଥାନ୍ତି ।
ରାଜା ରୁଦ୍ରସେନଙ୍କର ଦୁଇ ସନ୍ତାନ ଥିଲେ । ବଡଟି କନ୍ୟା । ନାମ ସୁବର୍ଣ୍ଣା । ସାନଟି ପୁତ୍ର । ନାମ ତା’ର ବିଜୟ । ଏ ଦୁହିଁଙ୍କୁ ଲୋକେ ବହୁତ ଶ୍ରଦ୍ଧା କରୁଥିଲେ ।
ଚନ୍ଦ୍ରଗିରିର ଦକ୍ଷୀଣକୁ ସମୁଦ୍ର । ସମୁଦ୍ର ଓ ଲୋକାଳୟ ମଝିରେ ଅରଣ୍ୟ ଓ ପର୍ବତମାଳା ।
ସେହି ଅରଣ୍ୟ ଭିତରେ ଗୋଟିଏ ଉପତ୍ୟକାରେ ଭୈରବ ଶର୍ମା ନାମକ ଜଣେ ତାନ୍ତ୍ରିକ ରହୁଥିଲା । ସେ କୁଆଡେ ମଣିଷମାନଙ୍କୁ ଗଛ, ଗଛମାନଙ୍କୁ ପଶୁ ଓ ପଶୁମାନଙ୍କୁ ପକ୍ଷୀରେ ପରିଣତ କରିପାରୁଥିଲା । ସେ ଉପତ୍ୟକା ଭିତରକୁ ପଶିବାକୁ ଲୋକେ ଭୟ କରୁଥିଲେ ।
ତାନ୍ତ୍ରିକ ଭୈରବ ଶର୍ମାର ମୃତ୍ୟୁ ପରେ ତା’ର ପଟ୍ଟ ଶିଷ୍ୟ ବିକଟ ଶର୍ମା ମଧ୍ୟେ ମଧ୍ୟେ ଲୋକାଳୟକୁ, ଏପରିକି ରାଜନଅରକୁ ମଧ୍ୟ ଆସୁଥାଏ । ରାଜା ରୁଦ୍ରସେନ ତାକୁ ମୋଟାମୋଟି ଭାବେ ସମ୍ମାନ ଦେଖାଉଥାନ୍ତି । କିଏ ଜାଣେ, ହୁଏତ ଲୋକଟାର କୌଣସି ଯାଦୁ ଶକ୍ତି ଥିବ!
ସେ ବର୍ଷ ଗୋଟିଏ ଉତ୍ସବ ଉପଲକ୍ଷେ ରାଜକନ୍ୟା ସୁବର୍ଣ୍ଣା ଓ ରାଜପୁତ୍ର ବିଜୟ ମାମୁଁ ଘର ଆଡେ ଚାଲିଲେ । ଘୋଡା ଚଢି ସେମାନେ ଖୁବ୍ ଅଳ୍ପ ସମୟ ଭିତରେ ନିଜ ଦେହରକ୍ଷୀମାନଙ୍କୁ ଟପିଗଲେ । ଦୁଇ ରାଜ୍ୟ ଭିତରେ ରାସ୍ତା ନିର୍ଜନ କିନ୍ତୁ ନିରାପଦ । ତେଣୁ ଭାଇ ଭଉଣୀ ଦୁହେଁ ହଠାତ୍ ଯାଇ ଅଜା ଆଈଙ୍କ ଆଗରେ ପହଁଚିବାରେ ଯେଉଁ ଆନନ୍ଦ ପାଇବେ, ସେଥିରେ ଦେହରକ୍ଷୀମାନେ ବା କାହିଁକି ବାଧା ଦିଅନ୍ତେ?
ଦୁହେଁ ପରସ୍ପର ପ୍ରତିଯୋଗିତା କରି ଘୋଡା ଝପଟାଉଥାନ୍ତି । ସେମାନେ ଅରଣ୍ୟମୟ ଅଂଚଳରେ ଯାଇ ପହଁଚିଲେ । ସେଯାଏଁ ଗଛଲତା ଶୀର୍ଷରୁ କୁହୁଡି ଅପସରିଯାଇ ନଥାଏ ।
“କ୍ଷଣେ ରୋକିଯାଅ!” ଏ ଅନୁରୋଧ ଶୁଣି ସୁବର୍ଣ୍ଣା ଓ ବିଜୟ ଘୋଡାର ଲଗାମ୍ ଟାଣି ଧରିଲେ । ସେମାନେ ଦେଖିଲେ ତାନ୍ତ୍ରିକ ବିକଟ ଶର୍ମା କୁହୁଡି ଭିତରୁ ବାହାରୁଛି ।
ତାନ୍ତ୍ରିକ କହିଲା “ଏ ପ୍ରସାଦ ଗ୍ରହଣ କର ।”
ରାଜକନ୍ୟା ରାଜପୁତ୍ର ଘୋଡାରୁ ଓହ୍ଲାଇ ପଡିଲେ । ବିକଟ ଶର୍ମା ଗୋଟାଏ ଲାଲ୍ ପାତ୍ରରୁ ପାଣି ଢାଳିବାକୁ ଉଦ୍ୟତ ହୋଇ କହିଲା, “ପ୍ରଥମେ ହାତ ମୁହଁ ଧୋଇ ପକାଅ ।”
ସୁବର୍ଣ୍ଣା ଓ ବିଜୟ ହାତ ମୁହଁ ଧୋଇଲେ ଓ ପ୍ରସାଦ ସେବନ କଲେ । “ବେଶ୍ । ଏଥର ଯାଅ । ଆମେ ପରେ ଭେଟିବା ।” ବିକଟ ଶର୍ମା ଏହା କହି ସେଠାରୁ ଚାଲିଗଲା । ସୁବର୍ଣ୍ଣା ଓ ବିଜୟ ଘୋଡା ଉପରକୁ ଡେଇଁ ପଡିଲେ ।
ସେହି ସ୍ଥାନରୁ ରାସ୍ତା ଦୁଇଭାଗ ହୋଇ ଗୋଟିଏ ଶାଖା ମିତ୍ରପୁରୀ ଆଡକୁ ଯାଇଥିଲା; ଆଉ ଅନ୍ୟଟି ଗହନ ଅରଣ୍ୟ ଭିତରେ ଥିବା ଉପତ୍ୟକା ଆଡେ ଯାଇଥିଲା । କହିବା ବାହୁଲ୍ୟ ଯେ, ରାଜପୁତ୍ର ରାଜକନ୍ୟା ମିତ୍ରପୁରୀ ରାସ୍ତା ଧରିଲେ ।
କିଛି ସମୟ ପରେ ବିଜୟ ହଠାତ୍ ନିଜ ଘୋଡାର ଲଗାମ୍ ଟାଣି ଧରି ସୁବର୍ଣ୍ଣାଙ୍କୁ ପଚାରିଲେ, “ଅପା! ଆମେ କ’ଣ ଭୁଲ୍ ବାଟରେ ଆସିଲୁ?”
ସୁବର୍ଣ୍ଣା କହିଲା “ମୁଁ ବି ତୋତେ ସେଇ କଥା ପଚାରିବାକୁ ଯାଉଥିଲି । କିନ୍ତୁ କେମିତି ଭୁଲ୍ ହେବ? ସେ ଛକଠାରୁ ଆମେ ତ ବାଆଁକୁ ଆସିଲୁ!”
ସେମାନେ କିନ୍ତୁ ଯେଉଁ ମୁଲକରେ ଆସି ପହଁଚିଥିଲେ, ସେ ସ୍ଥାନ ସେମାନଙ୍କୁ ସମ୍ପୂର୍ଣ୍ଣ ଅପରିଚିତ ମନେ ହେଉଥିଲା । ସେମାନେ ଧିରେ ଧିରେ ଅଗ୍ରସର ହୋଇ ଗୋଟିଏ ବେଶ୍ ବଡ ଧରଣର ଘର ଦେଖିଲେ । ଘୋଡା ଦୁଇଟି ଗଛରେ ବାନ୍ଧିଦେଇ ସେ ଦୁହେଁ ସେହି ଘର ଭିତରକୁ ପଶିଗଲେ । କାହାକୁ ହେଲେ ବାଟ ପଚାରିବା ସେମାନଙ୍କ ମୁଖ୍ୟ ଉଦ୍ଧେଶ୍ୟ ଥିଲା ।
ସେମାନେ ପଶିଯିବା ମାତ୍ରେ ଦ୍ୱାର ବନ୍ଦ ହୋଇଗଲା । କିନ୍ତୁ ସେମାନଙ୍କ ବିସ୍ମୟ ଆହୁରି ବଢିଗଲା ଯେତେବେଳେ କି ବିପରୀତ ଦ୍ୱାର ଦେଇ ତାନ୍ତ୍ରିକ ବିକଟ ଶର୍ମା ପଶି ଆସିଲା ।
ସୁବର୍ଣ୍ଣା କହିଲେ “ଆରେ, ଆପଣ ଏତେ ଶୀଘ୍ର ଏଠି ପହଁଚିଗଲେ! ଆମେ ବାଟ ଭୁଲ୍ କଲୁ ବୋଲି ମନେ ହୁଏ ।”
ବିକଟ ଶର୍ମା ଉଜ୍ଜ୍ୱଳ ହସ ଖେଳାଇ କହିଲା “ନା ରାଜକନ୍ୟା । ତମେ ଯେଉଁ ବାଟରେ ଆସିଛ, ତାହା ତମକୁ ଚନ୍ଦ୍ରଗିରିର ରାଣୀ ଆସନରେ ପହଁଚାଇଦେବ ।”
ରାଜକନ୍ୟାଙ୍କୁ ତା’ କଥା ଖୁବ୍ ଅସ୍ୱସ୍ତିକର ଲାଗିଲା । ସେ କହିଲେ, “ଆପଣ ଭୁଲ୍ କରୁଛନ୍ତି । ମୋର ଏଇ ସାନଭାଇଟିର ସ୍ତ୍ରୀହିଁ ଚନ୍ଦ୍ରଗିରିର ରାଣୀ ହେବ । ହେଲେ ମୁଁ ନୁହେଁ ।”
“ହାଃ ହାଃ, ତମ ଭାଇଠୁଁ ଅଧିକ ଯୋଗ୍ୟ କେହି ରାଜା ହେବ ଓ ସେ ତମକୁ ରାଣୀ ବନାଇବ ।” ଏତିକି କହିବା ବେଳେ ସେ ତାନ୍ତ୍ରିକର କଣ୍ଠସ୍ୱର ଅତ୍ୟନ୍ତ ବିଷାକ୍ତ ଶୁଭିଲା ।
ରାଜକନ୍ୟା ପଚାରିଲେ “ରାଣୀ ବନିବା ପାଇଁ ମୋର ତ ପୁଣି ସମ୍ମତି ଆବଶ୍ୟକ!”
“ତମ ଆଗରେ ହୁଏତ ଆଉ ଅନ୍ୟ କୌଣସି ପନ୍ଥା ନଥିବ!” ଏହାପରେ ତାନ୍ତ୍ରିକ ଦ୍ୱାର ଆଡେ ମୁହାଁଇଲା ।
ବିଜୟ କହିଲେ “ରୁହ । ଆମେ ଏଠୁ ବାହାରିଯିବାକୁ ଚାହୁଁ ।”
“ନା!” ଏହା କହି ତାନ୍ତ୍ରିକ ଚାଲିଗଲା । କବାଟ ଖୋଲିଯାଇ ପୁଣି ବନ୍ଦ ହେଲା ।
ରାଜକନ୍ୟାଓ ରାଜପୁତ୍ର ପରସ୍ପର ଅନାଇ ସ୍ତବ୍ଧ ହୋଇ ରହିଲେ ।
ବିଜୟ ଦୀର୍ଘ ନିଃଶ୍ୱାସ ଛାଡି କହିଲେ “ଆମେ ତେବେ ବନ୍ଦୀ!” ରାଜକନ୍ୟା ନିଜ ଓଠ କାମୁଡି ନୀରବରେ ଠିଆ ହୋଇ ରହିଲେ । ତା’ପରେ ସେ ବିପରୀତ ଦ୍ୱାର ଠେଲି ଖୋଲିଦେଲେ । ସେପଟେ ଏକ ଭୟାବହ ମୂର୍ତ୍ତି ଦେଖାଗଲା । ତାକୁ ଯେ ବିକଟ ଶର୍ମା ପୂଜା କରୁଥାଏ, ଏହା ବୁଝିହେଲା ।
ସୁବର୍ଣ୍ଣା ପୁଣି ପ୍ରଧାନ ଦ୍ୱାର ପାଖକୁ ଆସି କବାଟରେ ଧକ୍କା ଦେଲେ ଓ ଚିତ୍କାର କରି କହିଲେ, “ଦ୍ୱାର ଖୋଲ!”
ଆନୁନାସିକ କଣ୍ଠରେ କେହି କହିଲା “ଚୁପ୍, ଚୁପ୍! ତମ ଚିତ୍କାରରେ ମୋ ରକ୍ତ ହିମ ହୋଇଯାଉଛି!” ଝରକା ଦେଇ ବିଜୟ ଦେଖିଲେ, ଗୋଟିଏ ବାମନ ଦ୍ୱାର ଜଗିଛି ।
ବିଜୟ ସେହି ବାମନକୁ କହିଲେ, “ବନ୍ଧୁ! ଦ୍ୱାର ଖୋଲ । ତମକୁ ପୁରସ୍କାର ମିଳିବ ।”
ଆକର୍ଣ୍ଣ ହସି ଝରକା ପାଖକୁ ଆସି ବାମନ କହିଲା, “ତମେ ଯଦି ସେ ଦେବୀଙ୍କ ଘରେ ଥିବା ସୁରା ପାତ୍ରଟି ଆଣିଦେବ, ତେବେ ମୁଁ ଏ ଦ୍ୱାର ଖୋଲିଦେବି । ମୁଁ ଖାଲି ଢୋକେ ପିଇବି ।”
ବିଜୟ ତତ୍କ୍ଷଣାତ୍ ଯାଇ ପାତ୍ରଟି ଆଣି ଝରକା ଦେଇ ବାମନକୁ ବଢାଇ ଦେଲେ । ବାମନ ଢୋକେ ପିଇ ଉତ୍ଫୁଲ୍ଲ ହୋଇ କହିଲା, “ଆଃ, ଆଃ, କି ମଜାର ପାନୀୟ!”
“ଏଥର ତ ଦ୍ୱାର ଖୋଲ ।”
ବାମନ କହିଲା “ସେ କାମଟି ଯଦି ପାରନ୍ତି, ତେବେ କ’ଣ ମୁଁ ନିଜେ ଭିତରକୁ ଯାଇ ଏହା ପିଇ ନଥାନ୍ତି? ବାବୁ ଚାବି ତ ମୋ ପାଖରେ ନାହିଁ ।”
“ପ୍ରତାରକ!” ଏହା କହି ରାଜପୁତ୍ର କ୍ରୁଦ୍ଧ ହେଲେ ।
ନିଶାରେ ଢଳି ଢଳି ବାମନ କହିଲା “ଯେତେ ରାଗୁଛ ରାଗ, ମୁଁ କିନ୍ତୁ ରାଗିଲେ ଚଳିବ ନାହିଁ । ଧୀରସ୍ଥିର ଭାବରେ ମୋତେ ତମର ମୁଣ୍ଡକାଟ କରିବାକୁ ହେବ । ମୁଁ ଭଲ ମଣିଷ ବୋଲି ସବୁ କହିଦେଲି । ତମେ ତ ଆଉ ଏଠୁ ପେଇଯାଇ ପାରିବ ନାହିଁ!”
ରାଜକନ୍ୟା ନିଜ କ୍ରୋଧ ଚାପିରଖି ପଚାରିଲେ “କିନ୍ତୁ ମୋ ଭାଇର ମୁଣ୍ଡକାଟ କରିବାର କାରଣ?”
ବାମନ ଗପିଗଲା “ବୁଝୁନା? ରାଜପୁତ୍ର ଦେବୀଙ୍କ ଆଗରେ ବଳି ପଡିବେ । ଦେବୀ ଖୁସି ହେବେ । ତାଙ୍କ ବଳରେ ମୋ ଖାଉନ୍ଦ ବିକଟଶର୍ମା ରାଜା ହେବେ । ଆଉ ତମେ ତାଙ୍କ ରାଣୀ ହେବ । ମୁଁ ସେନାପତି ହେବି! ହଁ, ଖାଉନ୍ଦ ମୋତେ କଥା ଦେଇଛନ୍ତି ।”
ବିଜୟ ତାକୁ ତାରିଫ୍ କଲାଭଳି କଣ୍ଠରେ କହିଲା “ଓଃ, ତମେ ତେବେ ମୋ ମୁଣ୍ଡକାଟ କରିବ!”
“ଆଉ କିଏ କରନ୍ତା? ଖାଉନ୍ଦ ତ ସେତେବେଳେ ପୂଜାପାଠ କରୁଥିବେ । କାହିଁକି, ମୋ ପାରିଲାପଣରେ କ’ଣ ତମେ ପରତେ ଯାଉନ? ଶହେ କୋଡିଏଟା ଛେଳି କାଟି ମୋ ହାତକୁ ତାଲିମ୍ ଦେଇଛି! ହେଃ ହେଃ ।”
ବିଜୟ ତାକୁ ପଚାରିଲା “କେତେବେଳେ ମୋ ମୁଣ୍ଡକାଟ କରିବ?”
ବାମନର ପ୍ରତ୍ୟୁତ୍ତର ହେଲା “ଘଡିକ ଆଗରୁ ଯେଉଁ ପେଚା ଡାକ ଛାଡିଥିଲା, ସେ ଯେତେବେଳେ ଦ୍ୱିତୀୟ ଥର ଡାକିବ । ତାହାବି ଆଉ ବେଶି ଡେରି ନାହିଁମ! ନିଜକୁ ପ୍ରସ୍ତୁତ କରିବା ପାଇଁ ମୁଁ ଏତକ ସୁରା ପିଇଲି ।”
ରାଜକନ୍ୟା କହି ପକାଇଲେ “ହାୟ, ଆମେ କି ଭୁଲ୍ କଲୁ…”
ବାମନ କହିଲା “ତମେ ଭୁଲ୍ ନକରି କେମିତି ଠିକ୍ କରିଥାନ୍ତ ଯେ? ପ୍ରସାଦ ପାଇବା ପୂର୍ବରୁ ତମକୁ ମୋ ଖାଉନ୍ଦ ମୁହଁ ଧୋଇବାକୁ ଯେଉଁ ଯାଦୁପାଣି ଦେଲେ, ତାହା ଆଖିରେ ଲାଗିଲେ କେଇ ମିନିଟ୍ ପର୍ଯ୍ୟନ୍ତ ବାମ ଦିଗର ସବୁ ଜିନିଷ ଡାହାଣ ଦିଗରେ ଦେଖାଯିବ ଓ ଡାହାଣ ଦିଗର ସବୁ ଜିନିଷ ବାମରେ ଥିଲା ଭଳି ଦିଶିବ । ତମେ ଡାହାଣ ଦିଗକୁ ବାମ ଦିଗର ରାସ୍ତା ବୋଲି ଭୁଲ୍ ନକରି କ’ଣ କରିଥାନ୍ତ? ରାଜପୁତ୍ର! ଏ ସୁରାପାତ୍ରଟି ଯଥାସ୍ଥାନରେ ନେଇ ରଖିଦିଅ ଓ ମୋତେ ଟିକିଏ ପାଣି ଆଣି ଦିଅ । ସୁରା ପିଇଲେ ମୋତେ ଶୋଷ ଲାଗେ । ଦେବୀଙ୍କ ଘର ଭିତରେ ପଶିବାବେଳେ ଦେଖିବ ଗୋଟିଏ ପାତ୍ରରେ ପାଣି ଅଛି ।”
ରାଜପୁତ୍ର ବାମନକୁ ଖୁସି ରଖିବା ନିମନ୍ତେ ସୁରାପାତ୍ରଟି ନେଇ ରଖିଦେଲେ ଓ ପାଣି ପାତ୍ର ଆଣି ତାକୁ ଦେଲେ । ବାମନ ସେଥିରୁ ଅଳ୍ପ ପିଇ କହିଲା, “ଥାଉ । ତମକୁ ଆଣିବା ଆଗରୁ ମୋତେ ହାତ ମୁହଁ ଧୋଇବାକୁ ପଡିବ । ରଖିଦିଅ ।”
ଝରକା ଦେଇ ବାମନ ପାଣି ପାତ୍ରଟି ରାଜପୁତ୍ରଙ୍କୁ ଫେରାଇ ଦେଲା । ତାକୁ ନେଇ ରଖିବା ବେଳେ ହଠାତ୍ ତାଙ୍କ ଆଖି ପଡିଲା ସେ ଲାଲ୍ ପାତ୍ର ଉପରେ – ଯେଉଁଥିରେକି ଯାଦୁପାଣି ଥିଲା । ସେ ଦେଖିଲେ, ସେଯାଏଁ ସେଥିରେ କିଛି ପାଣି ଅଛି । ସେ ଅନ୍ୟ ପାତ୍ରରେ ଥିବା ସମୁଦାୟ ପାଣି ତଳେ ଢାଳି ଦେଇ ଯାଦୁପାଣି ତକ ସେଥିରେ ପୁରାଇ ଦେଲେ ।
ରାଜକନ୍ୟାଙ୍କ ଅବସ୍ଥା ଏପରି, ଯେ କୌଣସି ମୁହୂର୍ତ୍ତରେ ସେ ମୂର୍ଚ୍ଛା ଯିବେ । ବିଜୟ କହିଲେ, “ଅପା! ବର୍ତ୍ତମାନ ଧୈର୍ଯ୍ୟ ଓ ସାହସ ନ ରଖିଲେ କଥା ସରିଲା ।”
ସୁବର୍ଣ୍ଣା କହିଲେ “ବିଜୟ! ଭଗବାନଙ୍କ କୃପା ଛଡା ଆମକୁ ପୁଣି ଆଉ କିଏ ବା ରକ୍ଷା କରିବ?”
ସେତିକିବେଳେ କବାଟ ଖୋଲିଗଲା । ବିକଟଶର୍ମା ପଶି ଆସିଲା । ବିଜୟ ତା’ ଉପରକୁ ଲମ୍ଫ ଦେଇ ତାକୁ କାବୁ କରିନେବେ ବୋଲି ଭାବୁଥିଲେ । କିନ୍ତୁ ତାନ୍ତ୍ରିକ କାଣିଚାଏ ଧୂଳି ତାଙ୍କ ଉପରକୁ ଫୋପାଡି ଦେଲା । ତତ୍କ୍ଷଣାତ୍ ବିଜୟଙ୍କ ଦେହରୁ ସବୁ ବଳ ଓ ଉତ୍ସାହ କୁଆଡେ ଚାଲିଗଲା । ତାନ୍ତ୍ରିକ ବିଜୟଙ୍କୁ ଧରି ପକାଇ ସେ ମୂର୍ତ୍ତି ଆଡକୁ ଅଗ୍ରସର ହେଲା । ସେ ତାଙ୍କୁ ତା’ ବାମରେ ବସାଇ ପୂଜା ଆରମ୍ଭ କଲା । ବିଜୟ ଉଠି ପଡିବାକୁ ଚେଷ୍ଟା କଲେ, କିନ୍ତୁ ପାରିଲେ ନାହିଁ ।
ତାନ୍ତ୍ରିକ ଗମ୍ଭୀର ଭାବରେ କହିଲା “ରାଜପୁତ୍ର, ତମେ ଭାଗ୍ୟବାନ ଯେ ମୋ ଦେବୀ ତମକୁ ବଳି ରୂପେ ବାଛିଲେ ।”
ରାଜକନ୍ୟା ପାଟିକରି କହିଲେ “ଦୁଷ୍ଟ! ତୁ କ’ଣ ଭାବିଛୁ ତୋର ଏ ବିଗ୍ରହରେ କୌଣସି ଦେବୀ ଅଛନ୍ତି? କେତେ ପ୍ରକାର ପୈଶାଚିକ ଶକ୍ତି ଥା’ନ୍ତି । ତୁ ମଧ୍ୟ ଠିକ୍ ସେହିପରି ଗୋଟାଏ ଶକ୍ତି କବଳରେ ପଡିଛୁ – ଅଥବା ତୁ ସେ ଶକ୍ତିକୁ ନିଜ କବଳକୁ ଆଣିଛୁ!”
“ମୋ ଦେବୀର ଓ ମୋର ଅପମାନ କଲେ ଅନୁତାପ କରିବ!” ତାନ୍ତ୍ରିକ ଚିତ୍କାର କରି ଏତକ କହିସାରିଲା ବେଳକୁ ପେଚା ଡାକିଲା । ସେ ବାମନକୁ ନିର୍ଦ୍ଧେଶ ଦେଲା, “ବାସ୍!”
ବାମନ ସେଠି ଥିବା ପାତ୍ରରୁ ପାଣି ନେଇ ହାତ ମୁହଁ ଧୋଇଲା ଓ ବାକି ପାଣି ଖଡ୍ଗ ଉପରେ ଢାଳି ଦେଲା । ତା’ପରେ ସେ ବିଜୁଳି ବେଗରେ ଖଡ୍ଗ ବୁଲାଇ ଆଣିଲା । ଯଦ୍ୱାରା ତାନ୍ତ୍ରିକ ବିକଟ ଶର୍ମାର କଟାମୁଣ୍ଡ ଛିଟିକି ପଡିଲା!
ବାମନ ଗର୍ବରେ କହିଲା “ହେଃ ହେଃ, ଶହେ କୋଡିଏଟି ଛେଳି କାଟି ହାତ ପାକଳ କରିଥିଲିଟି!” ସେଯାଏଁ ସେ ବୁଝି ନଥିଲା ଯେ ଯାଦୁ ପାଣିରେ ଆଖି ଧୋଇ ସେ ଡାହାଣ ପାଖର ସବୁ ଜିନିଷକୁ ବାମରେ ଦେଖୁଥିଲା । ଯାହା ଫଳରେ କି ସେ ରାଜପୁତ୍ରଙ୍କ ବଦଳରେ ତାନ୍ତ୍ରିକର ମୁଣ୍ଡ କାଟ କରିଥିଲା ।
ସେହି ତାନ୍ତ୍ରିକର ମୃତ୍ୟୁ ସଙ୍ଗେ ସଙ୍ଗେ ରାଜପୁତ୍ର ନିଜର ଦୃତ ବଳ ଫେରି ପାଇଲେ । ସେ ଉଠି ପଡିଲେ । ତାଙ୍କର ଗୋଟାଏ ଧକ୍କାରେ ବାମନ ଚିତ୍ପଟାଙ୍ଗ୍ ମାରିଲା ।
ଏହାପରେ ସେ ରାଜପୁତ୍ର ରାଜକନ୍ୟା ସେ ଘରୁ ବାହାରି ଆସିଲେ । ଘୋଡା ଦୁଇଟି ଯଥା ସ୍ଥାନରେ ଥିଲେ । ସେମାନେ ଘୋଡା ଛୁଟାଇ ଯେତେବେଳେ ନିଜ ପ୍ରାସାଦକୁ ଫେରିଲେ, ସେତେବେଳକୁ ଶତାଧିକ ସୈନିକ ତାଙ୍କ ଅନ୍ୱେଷଣରେ ବାହାରୁଥିଲେ । କାରଣ ଦୁହେଁ ମିତ୍ରପୁରୀରେ ପହଁଚି ନାହାଁନ୍ତି ଶୁଣି ରାଜା ଓ ରାଣୀଙ୍କ ଉତ୍କଣ୍ଠାର ଅନ୍ତ ନଥିଲା ।
ରାଜା ରାଣୀ ପଚାରିଲେ “କଥା କ’ଣ? ଦୁହେଁ କୁଆଡେ ଥିଲ?” ରାଜକନ୍ୟା କହିଲେ “ସେ କାହାଣୀ ଶୁଣାଇବା । ଆଗେ ବିଜୟକୁ ଖାଇବାକୁ ପିଇବାକୁ ଦିଅ । ସେ ଆଜି ଖାଲି ସାକ୍ଷାତ୍ ପିଶାଚ କବଳରୁ ମୁକୁଳି ଆସିନାହିଁ, ତାକୁ ମଧ୍ୟ ସେ ଶେଷ କରି ଦେଇଛି ।”