ମାମୁଙ୍କ ଘରର ଡାହାଣ ପଟ ପୋଖରୀ ସେପଟେ ଦୁଇଟି ବା ତିନିଟି କଣ୍ଡରା ଘର । କଣ୍ଡରା ସାହିକୁ ଆମ ପିଲାମାନଙ୍କର ଯିବାର ଗୋଟିଏ ବଡ଼ ଆକର୍ଷଣ ହେଲା ବରକୋଳି ଗଛ । ସେହି ଗଛଟି ପାଲୁଣୀ ମା’ ଘର ସାମନାରେ । କୋଳିଟାମାନ ଯେମିତି ବଡ଼ ବଡ଼, ସେଇ ତୁଳନାରେ ମିଠା । ପାଚିଲେ ଅତି ସୁଆଦିଆ ଲାଗେ । ଆମେ ଯାଉ ଖରାବେଳେ । ସେ ସମୟରେ ଛୁଆଁ ଅଛୁଆଁ ଭାବ ଅତି ଉତ୍କଟ ଥିବାରୁ ଗୋଟିଏ ଅସୁବିଧା ଆମପାଇଁ ଥାଏ । କୋଳିଟା ତଳେ ପଡ଼ିଗଲେ ଗୋଟାଇ ଖାଇବେ ନାହିଁ । କାରଣ କଣ୍ଡରା ଛୁଆଁ ପାଣି ହୁଏତ ସେଠି ପଡ଼ିିଥିବ କେତେବେଳେ । ଅଛୁଁଆ କଣ୍ଡରାଙ୍କ ଗୋଡ଼ ଧୂଳି ତ ନିଶ୍ଚୟ ପଡ଼ିିବ । ଗଛରେ ଚଢ଼ି ଯେତିକି କୋଳି ପାରିବ ସେତିକି ହିଁ ଖାଇବାର କଥା । ଗଛରେ ଚଢ଼ିବା ବୟସ ଅନ୍ନଦା, ବରଦା, ନନ୍ଦମାମୁ ବା ମୋର ହୋଇ ନଥାଏ । ଆମେ ସବୁ ସାତ ଆଠ ବର୍ଷ ବା ତା’ଠୁ କମ୍ ବୟସର ପିଲା । ସାରଦା ଭାଇ, ଗୋବିନ୍ଦ ଭାଇ ଗଛ ଚଢ଼ି ପାରନ୍ତି । ସେମାନେ ଆଗେ ଖାଇବେ । ଆମ ଆଡ଼କୁ ଗୋଟିଏ ଗୋଟିଏ ପକାଇବେ । ଯିଏ ଉପରକୁ ପାଟି କରି ରହିବ ତା’ରି ପାଟିକୁ ଲକ୍ଷ୍ୟ କରି ଆମେ ପକାଇବୁ ବୋଲି ସେ ଦି’ ଜଣ କହି ଆମକୁ ଡହଳ ବିକଳ ଅବସ୍ଥାରେ ରଖି ଦିଅନ୍ତି । ବହୁତ କିଛି ଖୁସାମତ କଲେ ମେଲା କାନି ଭିତରକୁ ପକାନ୍ତି । ଏ କଥାଟିକୁ ଥରେ ଦି’ଥର ପରେ ପାଲୁଣୀ ମା’ ଲକ୍ଷ୍ୟ କଲା ।
ତା’ ଚେହେରାଟି ଏବେ ମଧ୍ୟ ମୋର ମନେଅଛି । ଆମକୁ ସବୁ ଦେଖିଲେ ତା’ର କି ଖୁସି ! ସେ ବେଶ୍ ମୋଟାମୋଟି । ହାତରେ ମଜବୁତିଆ ମୋଟା ଖଡ଼-ୁ ପିତ୍ତଳର ବୋଧହୁଏ, କଂସାର ବି ହୋଇଥିବ । ଯାହାକୁ କୁହନ୍ତି ନାହିଁ- ‘ସେ କହିଲା ଖଡ଼ୁମୁଷାଏ ଦେଲେ ତୋ ମୁଣ୍ଡ ଫାଟି ଦି’ଫାଳ ହୋଇଯିବ ।’ ସେହି କଥାର ଯଥାର୍ଥତା ପ୍ରମାଣ କରେ ପାଲୁଣୀ ମା’ ହାତର ଖଡ଼ୁ । ଆମ ଛୋଟ ପିଲାଙ୍କ ପ୍ରତି ତା’ର ଦୟା ହେଲା । ଆମର ସୁବିଧା ହେବ ବୋଲି ସେ ଗୋଟାଏ କଥା କହିବା ଆରମ୍ଭ କରିଦେଲା । ଗଛ ତଳେ ବଡ଼ ଅରାଏ ସ୍ଥାନ ଦିନ ଏଗାରଟା ବାରଟା ବେଳେ ସେ ଗୋବର ପକାଇ ଭଲକରି ଲିପି ଦେଇଥାଏ । ତା’ ପିଲାଙ୍କୁ ଓ ଅନ୍ୟ କଣ୍ଡରା ପିଲାଙ୍କୁ ତାଗିଦ୍ କରି ଦେଇ ଥାଏ, ଯେମିତି ଲିପା ଜାଗା କେହି ମାଡ଼ିବେ ନାହିଁ । ସେଇଠି କୋଳି ଝଡ଼ିଲେ ବା ପଡ଼ିଲେ ଆମେ ସବୁ ଆନନ୍ଦରେ ଗୋଟାଇ ନେଇ ଖାଉ । ସାରଦା ଭାଇ ଗଛ ଡାଳକୁ ଜୋର୍ରେ ହଲାଇ ଦେଲେ ପାକଲା ଦର ପାକଲା କୋଳି ଝଡ଼ିପଡେ଼ । ପାଛିଆଏ ଲେଖାଁ ଘରକୁ ନେଇ ଆସୁ । ସେ ଆପତ୍ତି ତ କରେ ନାହିଁ ଓଲଟି କହେ, ‘ଆଉରି ନିଅ ।’
ତା’ ବିଷୟରେ ଗୋଟିଏ କଥା ଆଜି ମଧ୍ୟ ମୋ’ ମନରେ ଲାଖି ରହିଛି । ସେ ଖୁବ୍ ଗରିବ । ଘରେ ବାସନ ବୋଲି କିଛି ନଥାଏ । ସେ ଯୁଗରେ ଆଲୁମିନିୟମ୍ ବାସନର ପ୍ରଚଳନ ନ ଥିଲା । କଂସା ବାସନ ଥିଲା ତା’ପାଇଁ ସ୍ୱପ୍ନ । ବରଗଛ ମୂଳେ ଟିକିଏ ଦୂରରେ ମାଟିରେ ଗୋଲାଳିଆ ଗାତଟିଏ ଖୋଳିଥାଏ । ତା’ ଭିତରଟିକୁ ଅତି ଚିକକ୍ଣ କରି ଲିପି ଦେଇଥାଏ । ତାଆରି ଭିତରେ ଖଣ୍ଡିଏ କଅଁଳିଆ କଦଳୀ ପତ୍ର ଖଞ୍ଜିଲା ଭଳି କରିଦିଏ । ସେଇଥିରେ ପଖାଳ ଭାତ ଅଜାଡ଼ି ଦିଏ । ଭାତ ଖାଇ ସାରିଲେ ମୁହଁକୁ ସେ ଗାତ ଉପରେ ତଳକୁ ଲଗାଇଲା ଭଳି କରି ତୋରାଣି ପିଏ । ଯେତେବେଳେ ମୁହଁଟି ଆଉ ଖାଲ ଭିତରେ ତୋରାଣିରେ ଲାଗେନାହିଁ ସେ ହାତରେ ଚଳ ଚଳ କରି ପିଏ । ଶେଷରେ ପତରଟିକୁ କାଢ଼ିଆଣି ଯେତକ ଭାତ ବଳିଥାଏ ଖାଇଦିଏ । ୧୯୪୩ରେ ବ୍ରହ୍ମପୁର କଲେଜରେ ଆମେ ସବୁ ଅଟକବନ୍ଦୀ ଥିଲାବେଳେ ଜାତୀୟ କବି ବୀରକିଶୋର ହରିଜନମାନଙ୍କ ଦୁଃଖ ବର୍ଣ୍ଣନା କରି ଯେଉଁ ଗୀତ ଲେଖିଥିଲେ, ସେଥିରେ ତାଙ୍କ ଗାଁର ଏହିଭଳି ଏକ ଦୃଶ୍ୟ ବର୍ଣ୍ଣନା କରିିଥିଲେ । ଅନେକେ କହିଲେ ଯେ, ସେ କଳ୍ପନାରୁ ଏହି ଅତିରଞ୍ଜିତ କଥା ଲେଖିଛନ୍ତି । ସେତେବେଳେ ମୁଁ ତାଙ୍କ ପକ୍ଷ ସମର୍ଥନ କରି ପାଲୁଣୀ ମା କଥା କହିଲାରୁ କେହି କେହି ଏକାବେଳକେ ବିସ୍ମିତ ହୋଇଗଲେ ।
ବିହାରୀଲାଲ୍ ପଣ୍ଡିତ ଟୀକା ସହିତ ଗୀତାର ଅନୁବାଦ ପ୍ରକାଶ କରିବେ ବୋଲି ସ୍ଥିର କଲେ । ତାଙ୍କ ଘରେ ଦୁଇ ଚାରି ଜଣ ପଣ୍ଡିତ ଏକତ୍ରିତ ହୁଅନ୍ତି ପ୍ରତି ସନ୍ଧ୍ୟାରେ । ଗୀତା ସାଙ୍ଗକୁ କର୍ମକାଣ୍ଡ ଉପରେ ପୁସ୍ତକ ରଚନାର କଳ୍ପନା ଥାଏ । ଏହି ଶତପଥୀଙ୍କ ଜେଜେ ସେହିମାନଙ୍କ ଭିତରୁ ଜଣେ । ରାତିରେ ଫେରିଲାବେଳେ ବିହାରୀଲାଲ୍ଙ୍କ ଘରୁ ଗୋଟିଏ ଥାଳିରେ ସିଦା ମିଳେ । ସେଥିରେ ଯେତେ ପରିମାଣରେ ଡାଲି, ଚାଉଳ ଓ ପରିବା ଥାଏ, ସେତକରେ ଶତପଥୀ ପରିବାରର ଗୋଟିଏ ଦିନ ଚଳିଯାଏ । ଏହା ସାଙ୍ଗକୁ ମାସକୁ ମାସ କିଛି ଟଙ୍କା ମଧ୍ୟ ମିଳେ । ସେଥିରେ ଅନ୍ୟ ସବୁ ଖର୍ଚ୍ଚ ଚଳିଯାଏ । ତାଙ୍କର ତ ଯଜମାନୀ ଆୟ ରହିଛି । ଦିନେ ଶତପଥୀଙ୍କ ସିଦା ସାଙ୍ଗରେ ଚାରିଟି ଗୋଲ ଆଳୁ ଦେଇଥିଲେ । ପଣ୍ଡିତ ଶତପଥୀ ସେଠି କିଛି କହି ନ ପାରି ଗାମୁଛାରେ ପୂରାଇ ନେଇଗଲେ । ଘରେ ଯାଇ ସେତକ ସବୁ ବାରିଆଡେ଼ ଫୋପାଡ଼ି ଦେଇ ଘରେ ଆସି ଗାଧୋଇଲେ । ପଇତା ବଦଳାଇଲେ । ପଣ୍ଡିତିଆଣୀ ଆସି ପଚାରିବାରୁ ଖାଲି ଏତିକି ଉତ୍ତର ଦେଲେ- ‘ମୋତେ ସେ କଥା ପଚାର ନାହିଁ । ତା’ ପର ଦିନ ଯେତେବେଳେ ଗଲେ ଜମିଦାର ବିହାରୀଲାଲ୍ ପଚାରିଲେ, ‘କାଲି ଯେଉଁ ନୂଆ ଚିଜ ଦେଇଥିଲି ତାକୁ କେମିତି ରାନ୍ଧିଲ ? କେମିତି ସୁଆଦ ଲାଗିଲା ? ଶତପଥୀ ଟିକିଏ ଶଙ୍କିଯାଇ କହିଲେ, ‘ଜୀବନରେ ମୁଁ କେବେହେଲେ ପକ୍ଷ୍ୟଣ୍ଡ(ପକ୍ଷୀର ଅଣ୍ଡା) ଛୁଇଁ ନାହିଁ । ତେଣୁ ତାକୁ ଫୋପାଡ଼ି ଦେଲି- ସିଦା ମାରା ହୋଇଯାଇଥିଲା ବୋଲି ତାକୁ ମଧ୍ୟ ଫୋପାଡ଼ି ଦେଲି ।’ ବିହାରୀଲାଲ୍ ଯେତିକି ହସିଲେ ସେତିକି ଦୁଃଖିତ ହେଲେ । ତାଙ୍କ ପରିବାରରେ ତ ରୋଷେଇ ହୋଇ ନଥିବ । ସେଥିପାଇଁ ଦୁଃଖ । ଆଳୁକୁ ଯେ ଅଣ୍ଡା ବୋଲି ଧରିନେଲେ ସେଥିପାଇଁ ହସ । ତାଙ୍କୁ ସବୁ କଥା ବୁଝେଇ ଦେଲେ । ସେଦିନ ଡବଲ ସିଦା ଦେଲେ । ଏତକ ଶୁଣି ଆମ ମେଳରେ ଥିବା ସମସ୍ତେ ହସିିଲେ । ଜଣେ କହିଲେ, ‘ଆଳୁ ସପକ୍ଷରେ ତୁମେମାନେ ଯିଏ ଯେତେ କୁହ ପଛକେ, ଆଜି ପର୍ଯ୍ୟନ୍ତ ସେ ପରିବା ତ ଜଗନ୍ନାଥ ମନ୍ଦିରରେ ପଶିନାହିଁ ।’
ଗାନ୍ଧିଜୀ ମଧ୍ୟ କହୁଥିଲେ- ଆମେ ବିଦେଶୀ ବସ୍ତ୍ରକୁ ସଂପୂର୍ଣ୍ଣ ବର୍ଜନ କରିବା । ପୁଣି ସେହି ଅରଟ ଚଳାଇବା, ଆମ ତନ୍ତୀ ଲୁଗା ବୁଣିବେ । ବ୍ରିଟିଶ୍ ଜାତିର ଗୋଟାଏ ବଡ଼ ବେପାର ଲୋପ ପାଇଗଲେ ସେମାନେ ଜାଣିବେ ଯେ ଭାରତରେ ଜନଜାଗରଣ ହେଲାଣି । ଲୋକଙ୍କ ମନରେ ଏହି କଥାଟିକୁ ଭଲ ଭାବରେ ଲଗାଇ ଦେବାପାଇଁ ସେ ବମ୍ୱେଠାରେ ବିଦେଶୀ ବସ୍ତ୍ର ପୋଡ଼ା ଆରମ୍ଭ କରିଦେଇଥିଲେ । କାଠଯୋଡ଼ି ବାଲି ସଭାରେ ବିଦେଶୀ ଲୁଗା ପୋଡ଼ାହୁଏ ସଭା ଶେଷରେ । ଦାସତ୍ୱର ଏହି ପ୍ରତୀକକୁ ପୋଡ଼ି ଭସ୍ମ କରିଦିଅ ବୋଲି ଜ୍ୱାଳାମୟୀ ଭାଷଣ ଦିଆଯାଏ । ବୀରବାବୁଙ୍କର ଲୁଗାପୋଡ଼ା ଗୀତ ଶୁଣି ଜନସାଧାରଣ ମାତି ଉଠନ୍ତି । ସେ ଗୀତକୁ ନିରଞ୍ଜନ ଘୋଷ ବୋଲିଲା ବେଳେ ସଭାର ସମସ୍ତେ ଖଣ୍ଡେ କାମିଜ, ଗେଞ୍ଜି ବା ଚଦର ନିଆଁକୁ ପକାଇ ଦିଅନ୍ତି । ‘ବିଦେଶୀ ବସ୍ତ୍ର ଦାହ ଯଜ୍ଞ’ ବୋଲି ଲୋକେ କହୁଥିଲେ । କେବଳ ଭାଷଣ ଯେତେ ଦୂର ପର୍ଯ୍ୟନ୍ତ ଉତ୍ତେଜନା ସୃଷ୍ଟି କରୁଥାଏ, ତା’ଠାରୁ ଅଧିକ ଦୂରକୁ ଲୋକଙ୍କୁ ନେଇଯାଉଥାଏ ଗୋଟିଏ ଗୀତ । ସେ ଗୀତଟିକୁ ୧୯୨୧ରେ ଅସହଯୋଗର ସ୍ୱାଧୀନତା ସୈନିକ ବୀରକିଶୋର ଦାସ ଲେଖିଥାଆନ୍ତି ଓ ବୋଲନ୍ତି ଉଦୀୟମାନ ଯୁବକ ନିରଞ୍ଜନ ଘୋଷ । ସେ ପଦେ ପଦେ ବୋଲି ପାଳି ଧରନ୍ତୁ ବୋଲି ଡାକ ଦିଅନ୍ତି । ବୁଢ଼ା ଟୋକା ସମସ୍ତେ ପାଳି ଧରନ୍ତି । ଅଷ୍ଟପ୍ରହରୀ ପରେ ନଗରକୀର୍ତ୍ତନ ହେଲାବେଳେ ଲୋକ ଯେମିତି ନାଚି ଯାଆନ୍ତି, ଜଳୁଥିବା ଲୁଗାଗଦା ଚାରିପଟେ ସେମିତି ଲୋକ ବୁଲନ୍ତି- ବିଶେଷକରି ଆମ ଭଳି ଅଳ୍ପ ବୟସର ଛାତ୍ରମାନେ । ଗୀତଟି ହେଲା-
ଫିଙ୍ଗରେ ଆଜି ପୁଲକ ପରାଣେ
ବିଦେଶୀ ବସନ ଭାଇ
ଅଙ୍ଗକୁ କର ପବିତ୍ର ତୁମର
ଜାତୀୟ ସଂଗୀତ ଗାଇଲ
ଦେଶବାସୀଙ୍କର ତଣ୍ଟି ଚିପା ଲୁଗା
ଏ ପାପ ରାଶିରେ ଆଜି ନିଆଁ ଲଗା
ଦେବତା ଉଠନ୍ତୁ ଚେଇଁ ।
ଏହି ଗୀତ ଗାଁ ଗଣ୍ଡାରେ ବୋଲା ହେଲା । ପଦେ ଲେଖାଁ ଗୀତ । ପାଞ୍ଚ ମିନିଟ୍ର ଭାଷଣ । ଏମିତିକା ଚାଲି ସରକାରଙ୍କ ବିରୁଦ୍ଧରେ ଗୋଟିଏ ସରଗରମ ବାତାବରଣ ସୃଷ୍ଟି କରିଦେଲା । ମୋର ବ୍ୟକ୍ତିଗତ ଅନୁଭୂତିରୁ ଏଭଳି ଲେଖୁଛି । ଦିନେ ସଭାକୁ ଯାଇଥିଲି ଖଣ୍ଡେ ଧୋତି, ଖଣ୍ଡେ କୁର୍ତ୍ତା ଓ ଗଞ୍ଜି ପିନ୍ଧି । ଲୁଗାପୋଡ଼ା କାମ ଆରମ୍ଭ ହୋଇଗଲା । ଚାଲିଲା ଗୀତ । କୁର୍ତ୍ତା ଖଣ୍ଡକ କାଢ଼ି ନିଆଁକୁ ଫୋପାଡ଼ି ଦେଲି । କିଛି ସମୟ ପରେ ଗେଞ୍ଜିଟି ଗଲା । ‘ଲୁଗା ଖଣ୍ଡକ ବି ପକାଇ ଦିଅନ୍ତି । କିଏ ଖଣ୍ଡେ ଗାମୁଛା ଦିଅନ୍ତା କି’ ବୋଲି ପାଟିରୁ ବାହାରିପଡ଼ିଲା । ଜଣେ କିଏ ଖଣ୍ଡେ ଖଦଡ଼ର ଚାଦର ମୋ କାନ୍ଧରେ ପକାଇଦେଲେ । ସେ ଖଣ୍ଡିକୁ ଲୁଙ୍ଗି ଭଳି ପିନ୍ଧିଦେଇ ମୋ ଧୋତି ଖଣ୍ଡିକ ପକାଇ ଦେଲି ହୁତ୍ହୁତ୍ ହୋଇ ଜଳୁିବା ନିଆଁ ଗଦାକୁ । ଟିକିଏ ପରେ ଖୋଜିଲି କିଏ ଚଦର ଦେଇଥିଲେ । ମାତ୍ର ତାଙ୍କୁ ପାଇଲି ନାହିଁ ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ‘ଜ୍ଞାନମଣ୍ଡଳ’ ପ୍ରଣେତା ପଦ୍ମଶ୍ରୀ ବିନୋଦ କାନୁନ୍ଗୋଙ୍କ ଆତ୍ମଜୀବନୀ ‘ଋଣ ପରିଶୋଧ’ରୁ ଉଦ୍ଧୃତ ।