ଗୁମ୍ଫା ଦ୍ୱାରରୁ ରକ୍ତଧାରା ନିର୍ଗତ ହେବାର ଦେଖି ସୁଗ୍ରୀବ ଭାବିଲେ କି ବାଳୀଙ୍କର ମୃତ୍ୟୁ ହୋଇଛି । ତେଣୁ ସେ ଭୀଷଣ ଦୁଃଖ ଓ ଭୟରେ ସେ ଗୁମ୍ଫାଦ୍ୱାର ବନ୍ଦ କରିଦେଇ କିସ୍କିନ୍ଧ୍ୟାକୁ ଲେଉଟି ଆସିଲେ । କିନ୍ତୁ ପ୍ରକୃତରେ ବାଳୀ ସେ ମାୟାବୀକୁ ମାରିଥିଲେ ଓ କିଛିଦିନ ପରେ କିସ୍କିନ୍ଧ୍ୟାକୁ ସେ ଫେରି ଆସିଲେ । ସୁଗ୍ରୀବ ବାଳୀଙ୍କୁ ଜୀବିତ ଅବସ୍ଥାରେ ଦେଖି ଆନନ୍ଦ ଓ ଚକିତ ହୋଇ ତାଙ୍କ ପାଦତଳେ ରାଜମୁକୁଟ ରଖି ତାଙ୍କୁ ସେ ସାଷ୍ଟାଙ୍ଗ ପ୍ରଣିପାତ କଲେ । କିନ୍ତୁ ବାଳୀଙ୍କର ସେଥିରେ କୌଣସି ପ୍ରତିକ୍ରିୟା ହେଲା ନାହିଁ । ସେ ଅତ୍ୟନ୍ତ କ୍ରୋଧିତ ହୋଇ ରହିଥିଲେ । ସୁଗ୍ରୀବ ଏକଥା ଜାଣିପାରି କହିଲେ, “ଭାଇ, ଶତ୍ରୁକୁ ବଧ କରି ଆପଣ ଯେ କୁଶଳରେ ଫେରି ଆସିଛନ୍ତି ତାହା ବଡ ସୌଭାଗ୍ୟର କଥା । ଗୁମ୍ଫା ଦ୍ୱାରରେ ବହୁତ ଦିନ ଧରି ଅପେକ୍ଷା କରି କରି ଶେଷରେ ଗୁମ୍ଫା ଭିତରୁ ରକ୍ତଧାର ବୋହି ଆସୁଥିବାର ଦେଖି ମୁଁ ଭାବିଲି ଏହା ଆପଣଙ୍କ ରକ୍ତ । ତେଣୁ ମୁଁ ଅତ୍ୟନ୍ତ ଦୁଃଖ ଓ ଭୟରେ ଗୁମ୍ଫା ଦ୍ୱାର ବନ୍ଦ କରି ଚାଲି ଆସିଲି । ମୁଁ ତ କେବେ ମଧ୍ୟ ରାଜା ହେବାକୁ ଚାହିଁ ନଥିଲି । ରାଜଗାଦି ଖାଲି ପଡିବାରୁ ମନ୍ତ୍ରୀମାନେ ମୋତେ ବାଧ୍ୟ କରି ବସାଇଥିଲେ । ଏବେ ଆପଣ ଆପଣଙ୍କ ସିଂହାସନ ଗ୍ରହଣ କରନ୍ତୁ । ମୁଁ ପୂର୍ବବତ୍ ଯୁବରାଜ ପଦରେ ରହି ଆପଣଙ୍କ ସେବା କରି ନିଜକୁ ଧନ୍ୟ ମନେ କରିବି ।”
କିନ୍ତୁ ସୁଗ୍ରୀବଙ୍କ କଥା ବୁଝିବାକୁ ବାଳୀ ଟିକିଏ ହେଲେବି ଚେଷ୍ଟା କଲେ ନାହିଁ । ସମସ୍ତିଙ୍କ ସମ୍ମୁଖରେ ସେ ସୁଗ୍ରୀବକୁ ନାନା କୁବାକ୍ୟ ପ୍ରୟୋଗ କରି ଭତ୍ସର୍ନା କଲେ । ସେ କହିଲେ, “ମାୟାବୀକୁ ତଡି ଦେବାକୁ ଆମେ ଦୁହେଁ ତା’ ପଛେ ପଛେ ଚାଲୁ । ମାୟାବୀ ଏକ ଭୟଙ୍କର ପାହାଡି ଗୁମ୍ଫା ଭିତରକୁ ପଶିଗଲା । ମୁଁ କହିଥିଲି ଯେ ମାୟାବୀକୁ ମାରିବା ପରେହିଁ ଫେରିବି । ତେଣୁ ମୁଁ ଏହି ସୁଗ୍ରୀବକୁ ଦ୍ୱାର ମୁହଁରେ ଅପେକ୍ଷା କରିବାକୁ କହି ଗୁମ୍ଫା ଭିତରକୁ ଗଲି । ଗୁମ୍ଫା ଭିତରେ ଚଳିବାର ଅଭ୍ୟାସ ତ ମୋର ନଥିଲା । ତେଣୁ ମାୟାବୀକୁ ଧରିବା ପାଇଁ ବହୁତ ସମୟ ଲାଗିଲା । ତା’ପରେ ଲଢେଇ ଚାଲିଲା । ତାହା ବହୁତ ଦିନ ଧରି ଚାଲିଲା । ଶେଷରେ ମୁଁ ଜିତିଲି । ତା’ପରେ ମୁଁ ଫେରି ଆସି ଦେଖିଲି ଗୁମ୍ଫା ଦ୍ୱାର ବନ୍ଦ । ମୁଁ ଚିତ୍କାର କରି ସୁଗ୍ରୀବକୁ ଡାକିଲି । କିନ୍ତୁ ଇଏ ତ ଏଠାକୁ ଆସି ରାଜା ସାଜି ବସିଛି । ଭାବିଥିଲା ଯେ ଗୁମ୍ଫା ଦ୍ୱାର ବନ୍ଦ କରିଦେଲେ ମୁଁ ସେଠାରୁ ଆସି ନପାରି ମରିବି ଓ ସେ ରାଜା ହେବ । ତା’ପରେ ବହୁ କଷ୍ଟରେ ଗୁମ୍ଫା ଦ୍ୱାରରେ ଥିବା ବିରାଟ ପଥରକୁ ବିଧା ମାରି ମାରି ମୁଁ ତାହା ଭାଙ୍ଗି ପକାଇ ବାହାରକୁ ଆସିଲି ।”
ସମସ୍ତିଙ୍କ ସମ୍ମୁଖରେ ଏସବୁ କଥା କହିବା ପରେ ବାଳୀ ସୁଗ୍ରୀବଙ୍କୁ ନାନା ଅସମ୍ମାନଜନକ କଥା କହି ତାକୁ ଭତ୍ସର୍ନା କଲେ ଓ ରାଜ୍ୟରୁ ବାହାର କରିଦେଲେ ଓ ତାଙ୍କ ପତ୍ନୀ ରୁମାଙ୍କୁ ନିଜର ପତ୍ନୀ କରି ରଖିଲେ । ସୁଗ୍ରୀବ ନିରାଶ୍ରୟ ଭାବରେ ବୁଲି ବୁଲି ବାଳୀ ଭୟରେ ଋଷ୍ୟମୁକ ପର୍ବତରେ ଯାଇ ଲୁଚି ରହିଲେ । ସୁଗ୍ରୀବଙ୍କ ସହ ହନୁମାନ, ଜାମ୍ବବାନ୍, ମୈନ୍ଦ ଓ ଦ୍ୱିବିନ୍ଦ ନାମକ ଚାରିଜଣ ମନ୍ତ୍ରୀ ଥିଲେ । ବଡ କଷ୍ଟରେ ସେମାନଙ୍କର ଦିନ ବିତୁଥାଏ । ହଠାତ୍ ଦିନେ ପାହାଡ ଉପରୁ ସୁଗ୍ରୀବ ଦେଖିଲେ ଯେ ଦୁଇଜଣ ବ୍ୟକ୍ତି ତାଙ୍କରି ପାହାଡ ଆଡକୁ ଆସୁଛନ୍ତି । ପମ୍ପା ସରୋବରର ନିକଟସ୍ଥ ବନରେ ମନୁଷ୍ୟ ଦୁଇଜଣ ବିଚରଣ କରୁଛନ୍ତି । ଏଣେ ସୁଗ୍ରୀବଙ୍କର ଭୟ ହେଲା ଯେ ବାଳୀ ନିଜେ ତ ଆଉ ଏ ପାହାଡକୁ ଆସିପାରିବେ ନାହିଁ ତେଣୁ ସୁଗ୍ରୀବଙ୍କୁ ମାରିବାକୁ ବୋଧହୁଏ କାହାକୁ ପଠାଇଛନ୍ତି । ତା’ଛଡା ବାଳୀ ଋଷ୍ୟମୁକ ପାହାଡକୁ ନ ଆସିବାର ଆଉ ଏକ କାରଣ ବି ଅଛି । ଥରେ ଦୁନ୍ଦୁଭି ନାମକ ଏକ ବିରାଟ ବଳଶାଳୀ ରାକ୍ଷସ ସମୁଦ୍ର ସହିତ ଯୁଦ୍ଧ କରିବାକୁ ଗଲା । ସମୁଦ୍ରଦେବ କହିଲେ ଯେ ହିମାଳୟ ପର୍ବତ ହେଉଛନ୍ତି ସବୁଠାରୁ ବଳବାନ୍, ତାଙ୍କରି ସହିତ ଲଢିଲେ ଯାଇ ଠିକ୍ ହେବ । ତେଣୁ ସେ ହିମାଳୟ ପର୍ବତ ପାଖରେ ପହଁଚି ତାଙ୍କୁ ଯୁଦ୍ଧ ନିମନ୍ତେ ଡାକିଲା । ହିମାଳୟ କହିଲେ, “ଦୁନ୍ଦୁଭି, ତୁମ ସହିତ ଲଢିବାକୁ ମୁଁ ବଳରେ ଓ ପରାକ୍ରମରେ ତୁମର ସମକକ୍ଷ । କିନ୍ତୁ ମୋ ଦେହରେ ଅସଂଖ୍ୟ ଯୋଗୀଋଷି ତପସ୍ୟାରତ । ସ୍ୱୟଂ ଭଗବାନ ଶିବ ବି ମୋ ଦେହରେ ରହିଛନ୍ତି ଓ ସେ ସର୍ବଦା ଧ୍ୟାନମଗ୍ନ ଅଛନ୍ତି । ସେମାନଙ୍କର ଯୋଗଧ୍ୟାନରେ ବିଘ୍ନ ଘଟାଇ ମୁଁ ଅଯଥାଟାରେ ଅଶାନ୍ତି ସୃଷ୍ଟି କରିବାକୁ ଚାହେଁନାହିଁ । ତେଣୁ ମୁଁ କହୁଛି ତୁମେ କିସ୍କିନ୍ଧ୍ୟାକୁ ଯାଇ ବାନରରାଜ ବାଳୀଙ୍କ ସହିତ ଯୁଦ୍ଧ କର । କେବଳ ସେହିଁ ତୁମର ସମକକ୍ଷ ଯୋଦ୍ଧା ।” ଏକଥା ଶୁଣି ଦୁନ୍ଦୁଭି କ୍ରୋଧରେ ଗର୍ଜ୍ଜନ କରି କିସ୍କିନ୍ଧ୍ୟାରେ ପହଁଚି ବାଳୀଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କଲା । ସେତେବେଳେ ତ ରାତ୍ରି ସମୟ । ବାଳୀ ତାଙ୍କ ଅନ୍ତଃପୁରରେ ବିଶ୍ରାମ କରୁଥିଲେ । ଯୁଦ୍ଧର ଆହ୍ୱାନ ଶୁଣି ସେ ତାଙ୍କ ନଅରରୁ ବାହାରି ଆସି ଦୁନ୍ଦୁଭିକୁ ଭେଟିଲେ । ଏହାପରେ ସେ ଦୁହିଁଙ୍କର ଘୋର ଯୁଦ୍ଧ ହେଲା । ଶେଷରେ ବାଳୀ ଦୁନ୍ଦୁଭିକୁ ଟେକି କଚାଡି ଦେଲା । ଏହିପରି ଭାବେ ସେ ଦୁନ୍ଦୁଭି ମରିଗଲା । ବାଳୀ ତା’ର ମୃତ ଶରୀରକୁ ଟେକି ଧରି ଦୂରକୁ ଫିଙ୍ଗିଦେଲା । ତାହା ଏହି ଋଷ୍ୟମୁକ ପର୍ବତ ଉପରେ ଆସି ପଡିଲା । ଋଷି ମାତଙ୍ଗ ସେତେବେଳେ ସେଠାରେ ତପସ୍ୟାରତ ଥିଲେ । ତାଙ୍କ ଉପରେ କେତେ ବିନ୍ଦୁ ରକ୍ତ ପଡିଲା । ସେ ରାଗିଯାଇ ଅଭିଶାପ ଦେଲେ ଯେ ବାଳୀ ସେହି ପର୍ବତକୁ ଗଲେ ଅଗ୍ନିଦ୍ୱାରା ସେ ଧ୍ୱଂସ ହୋଇଯିବ । ସେହିଦିନଠୁ ସୁଗ୍ରୀବ ତାଙ୍କର ସହଚରବର୍ଗଙ୍କ ସହ ଏଠାରେ ଆସି ବାସ କରନ୍ତି । କିନ୍ତୁ ଏବେ ଏ ନୂଆ ଦୁଇଜଣ ମାନବଙ୍କୁ ଦେଖି ସେମାନଙ୍କ ମନରେ ବହୁତ ପ୍ରକାର ଭୟ ଓ ସନ୍ଦେହ ଦେଖାଦେଲା । ସେ ହନୁମାନଙ୍କୁ ଡାକି ତାଙ୍କୁ ସବୁକଥା କହିଲେ । ହନୁମାନ କହିଲେ, “ଏଠାକୁ ବାଳୀ କେବେବି ଆସିବେ ନାହିଁ, ଇଏ ଯେଉଁ ଦୁଇଜଣ ମନୁଷ୍ୟ ତାଙ୍କୁ ବା କାହିଁକି ତୁମର ଏତେ ଡରଭୟ?”
ସୁଗ୍ରୀବ କହିଲେ “ସେକଥା ତ ମୁଁ ମଧ୍ୟ ଭଲଭାବେ ଜାଣେ । ତେବେ ଦେଖ ଏ ଦୁଇଜଣ ମନୁଷ୍ୟ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଏ ଆଡକୁ ଆସୁଛନ୍ତି । ରାଜାମାନେ ନାନା ପ୍ରକାର ଚେଷ୍ଟା କରି ତାଙ୍କର ଶତ୍ରୁ ବଧ କରନ୍ତି । ଆମେମାନେ ସାବଧାନ ହେବା ଉଚିତ୍ । ପୁଣି ବାଳୀ ତ ବହୁତ ବୁଦ୍ଧିମାନ । ତୁମେ ବରଂ ଛଦ୍ମବେଶରେ ଯାଇ ସେମାନଙ୍କର ପରିଚୟ ଓ ଏହି ବନକୁ ଆସିବାର କାରଣ ପଚାରି ଆସ ।”
ସୁଗ୍ରୀବଙ୍କ କଥା ଅନୁସାରେ ହନୁମାନ ଏକ ବ୍ରାହ୍ମଣର ବେଶ ଧରି ରାମଲକ୍ଷ୍ମଣଙ୍କ ପାଖକୁ ଗଲେ । ତା’ପରେ ସେ ସେଠାରେ ପହଁଚି କହିଲେ, “ମହାଶୟ, ଆପଣ ଦୁଇଜଣ ତ ରାଜର୍ଷି ପରି ଲାଗୁଛନ୍ତି, ପୁଣି ଦେବତାଙ୍କ ପରି ମଧ୍ୟ ମନେ ହେଉଛନ୍ତି । ଆପଣମାନେ କିଏ? ଏହି ପମ୍ପା ସରୋବରର ତଟକୁ କାହିଁକି ବା ଆସିଛନ୍ତି? କିନ୍ତୁ ଆପଣଙ୍କ ଶରୀର ଗଠନ ଦେଖିଲେ ମନେହୁଏ ଆପଣମାନେ କ୍ଷତ୍ରିୟ ।”
ଲକ୍ଷ୍ମଣ କହିଲେ “ହଁ ଆପଣଙ୍କ ଅନୁମାନ ଠିକ୍; ଆମେ ଦୁଇଭାଇ ଅଯୋଧ୍ୟାର ମହାରାଜ ପୂଣ୍ୟାତ୍ମା ଦଶରଥଙ୍କ ଦୁଇ ପୁତ୍ର । ଇଏ ମୋର ବଡଭାଇ ଶ୍ରୀରାମ, ଆଉ ମୁଁ ତାଙ୍କ ଅନୁଜ ଲକ୍ଷ୍ମଣ । ପଂଚବଟୀ ବଣରୁ ମୋର ବଡଭାଇ ଶ୍ରୀରାମଙ୍କ ପତ୍ନୀ ମାତା ସୀତାଙ୍କୁ କେହି ଜଣେ ଛଳନା କରି ହରଣ କରି ନେଇଛି । ଆସିବା ରାସ୍ତାରେ ମାତା ଶବରୀ କହିଲେ ଯେ ଏ ବିଷୟରେ କେବଳ ମହାରାଜା ସୁଗ୍ରୀବହିଁ ଆମର ସହାୟତା କରିପାରିବେ । ସେଥିପାଇଁ ଆମେ ମହାରାଜ ସୁଗ୍ରୀବଙ୍କ ସଂଧାନରେ ଏଠାରେ ବୁଲୁଛୁ । ଆପଣ ଯଦି ପାରିବେ ସୁଗ୍ରୀବଙ୍କ ଘର ଟିକେ ଦେଖାଇ ଦିଅନ୍ତୁ ନହେଲେ ଅନ୍ତତଃ ତାଙ୍କର ବିଜ୍ଞମନ୍ତ୍ରୀ ହନୁମାନଙ୍କ ସହିତ ଆମର ଦେଖା କରାଇ ଦିଅନ୍ତୁ ।”
ଛଦ୍ମବେଶୀ ହନୁମାନ ହଠାତ୍ ନୀରବ ରହିଗଲେ । ତାଙ୍କର ମୁଖମଣ୍ଡଳ ଦିବ୍ୟ ଭକ୍ତିଭାବରେ ଉଜ୍ଜ୍ୱଳ ହୋଇ ଉଠିଲା । ଚକ୍ଷୁରେ ଦିବ୍ୟ ଆନନ୍ଦର ଅଶ୍ରୁ ଢଳ ଢଳ ହେଲା । ସେ ସବୁ ଭୁଲିଯାଇ ଶ୍ରୀରାମଙ୍କ ପାଦପଦ୍ମରେ ସାଷ୍ଟାଙ୍ଗ ପ୍ରଣିପାତ କଲେ ।
ଶ୍ରୀରାମ ଆଶ୍ଚର୍ଯ୍ୟ ହୋଇ କହିଲେ, “ଏ କ’ଣ ବ୍ରାହ୍ମଣ ମହାଶୟ? ଆମେ କ୍ଷତ୍ରିୟ, ଆମ ପାଦତଳେ ଆପଣଙ୍କ ପରି ଜଣେ ବେଦନିଷ୍ଠ ବ୍ରାହ୍ମଣ ପ୍ରଣାମ କରିବା ଦ୍ୱାରା ତ ଆମକୁ ପାପ ଲାଗିବ ।”
ହନୁମାନ କହିଲେ “ପ୍ରଭୁ, ସୁଗ୍ରୀବଙ୍କର ସନ୍ଦେହ ଓ ଭୟ ଯୋଗୁଁ ମୁଁ ଛଦ୍ମବେଶରେ ଆପଣମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଆସିଥିଲି । ଆଜି ମୋର ଓ ରାଜା ସୁଗ୍ରୀବଙ୍କର ଅତି ଶୁଭଦିନ । ଏହି ଦିନଟି ପାଇଁ ମୁଁ ଯୁଗ ଯୁଗ ଧରି ପ୍ରତୀକ୍ଷା କରି ରହିଥିଲି । ଅହୋ ଭାଗ୍ୟ ପ୍ରଭୁ । ପ୍ରଭୁ ମୋର କେଉଁ ଅପରାଧ ଯୋଗୁଁ ମୋତେ ଆପଣ ଚିହ୍ନି ପାରିଲେ ନାହିଁ? ମୁଁ ଯେ ଆପଣଙ୍କର ଚିର ସେବକ ହନୁମାନ ।”
ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇ କହିଲେ “ହନୁମାନ?”
ହନୁମାନ କହିଲେ “ହଁ, ମୁହିଁ ସେହି ହନୁମାନ ଯିଏ କି ବ୍ରହ୍ମାଙ୍କ ଆଜ୍ଞାରେ ପ୍ରଭୁଙ୍କର ପ୍ରତୀକ୍ଷା କରି ରହିଥିଲି । ମୋର ଆଜି ଇଷ୍ଟ ଦର୍ଶନ ହେଲା । ପ୍ରଭୁ, ଏବେ ମୁଁ ସିଧା ଋଷ୍ୟମୁକ ପର୍ବତ ଉପରକୁ ଆପଣ ଦୁହିଁଙ୍କୁ କାନ୍ଧ ଉପରେ ବସାଇ ଆକାଶ ମାର୍ଗରେ ଉଡିଯିବି । କାରଣ ଆମର ଏ ପାହାଡର ରାସ୍ତା ବଡ ଦୁରୁହ । ପାଦରେ ଚାଲି ଚାଲି ସେଠାରେ ପହଁଚିବାକୁ ବହୁତ କଷ୍ଟ ହେବ ଓ ଅନେକ ସମୟ ମଧ୍ୟ ଲାଗିବ । ଏଣୁ ଆସନ୍ତୁ ମୋ କାନ୍ଧ ଉପରେ ବିରାଜମାନ କରନ୍ତୁ ।”
ଲକ୍ଷ୍ମଣ ଅଳ୍ପ ହସି ପଚାରିଲେ “କିନ୍ତୁ ଏହା କିପରି ସମ୍ଭବ?”
“ଆମେମାନେ ଯୋଗସାଧନା ବଳରେ ଅଣିମାଲଘିମା ଆଦି ସିଦ୍ଧ କରିଛୁ । ଇଚ୍ଛାମତ ଶରୀରକୁ ଲଘୁ ବା ବିରାଟ କରିଦେଇ ପାରୁ ।” ଏତିକି କହି ହନୁମାନ ତାଙ୍କ ଶରୀରକୁ ବୃଦ୍ଧି କରାଇବାରେ ଲାଗିଲେ । ଦେଖୁ ଦେଖୁ ତାହା ଏକ ଛୋଟ ପର୍ବତ ସମାନ ହୋଇଗଲା । ରାମ ଓ ଲକ୍ଷ୍ମଣ ବଡ ସନ୍ତୋଷ ଓ ଆନନ୍ଦର ସହିତ ହନୁମାନଙ୍କ ସ୍କନ୍ଧ ଉପରେ ବସିଲେ । ହନୁମାନ ମଧ୍ୟ “ଜୟ ଶ୍ରୀରାମ” କହି ଆକାଶକୁ ଉଠିଲେ ଓ ବାୟୁବେଗରେ ଶୁନ୍ୟରେ ଭାସି ଚାଲିଲେ । ଖୁବ୍ ଅଳ୍ପ ସମୟ ମଧ୍ୟରେ ସୁଗ୍ରୀବଙ୍କ ଗୁମ୍ଫା ପାଖରେ ସେମାନେ ଯାଇ ପହଁଚିଲେ । ଗୁମ୍ଫା ବାହାରେ ରାମଲକ୍ଷ୍ମଣଙ୍କୁ ଅପେକ୍ଷା କରିବାକୁ କହି ହନୁମାନ ଭିତରକୁ ଗଲେ । ସେଠାରେ ସୁଗ୍ରୀବ ଓ ତାଙ୍କର ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ରାମଙ୍କ ବିଷୟରେ ସେ କହିଲେ । ତା’ପରେ ହନୁମାନ ସୁଗ୍ରୀବଙ୍କୁ କହିଲେ, “ମହାରାଜ, ଏବେ ଆପଣଙ୍କ ସୌଭାଗ୍ୟର ଦିନ ଆସିଗଲା । ଶ୍ରୀରାମ ହେଉଛନ୍ତି ସ୍ୱୟଂ ବିଷ୍ଣୁଙ୍କର ଅବତାର । ମୋତେ ବ୍ରହ୍ମା ଏକଥା ବହୁ ପୂର୍ବରୁ କହିଥିଲେ । ଏବେ ଆପଣଙ୍କର ଓ ଶ୍ରୀରାମଙ୍କର ମିତ୍ରତା ଅର୍ଥ ଆପଣଙ୍କର ରାଜ୍ୟପ୍ରାପ୍ତି ଏବଂ ଶ୍ରୀରାମଙ୍କ କାର୍ଯ୍ୟରେ ଆମେ ସହାୟତା କରିବାର ସୁଯୋଗ ପ୍ରାପ୍ତି । ଚାଲନ୍ତୁ, ସେମାନେ ଗୁମ୍ଫା ବାହାରେ ଅପେକ୍ଷା କରିଛନ୍ତି । ଆପଣ ଆଦରର ସହିତ ସ୍ୱାଗତ କରି ସେମାନଙ୍କୁ ଭିତରକୁ ନେଇ ଆସନ୍ତୁ ।”
ସୁଗ୍ରୀବଙ୍କ ମନ ଆନନ୍ଦରେ ଭରି ଉଠିଲା । ସେ ନିଜର ମନ୍ତ୍ରୀମାନଙ୍କୁ ନେଇ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ସ୍ୱାଗତ କରିବାକୁ ଗଲେ । ସୁଗ୍ରୀବ ଶ୍ରୀରାମଙ୍କୁ ପ୍ରଣାମ କରି କହିଲେ, “ଆପଣଙ୍କ ଆଗମନ ମୋ ପାଇଁ ଶୁଭ ସମାଚାର ଆଣି ଦେଇଛି । ଆସନ୍ତୁ ଭିତରକୁ ଆସନ୍ତୁ । ଆପଣ ଯାହା କିଛିବି ଆଜ୍ଞା ଦେବେ ମୁଁ ଓ ମୋର ମନ୍ତ୍ରୀମାନେ ଅଚିରେ ତାହା ପାଳନ କରିବୁ । ମୁଁ ହନୁମାନଙ୍କଠାରୁ ସବୁ ଶୁଣିଛି ।”
ଶ୍ରୀରାମ କହିଲେ “ମହାରାଜ ସୁଗ୍ରୀବ, ମୁଁ ଆପଣଙ୍କ ସହିତ ମିତ୍ରତା ସ୍ଥାପନ କରିବା ପାଇଁ ଏଠାକୁ ଆସିଛି । ଏ ବିଷୟରେ ମୋତେ କଂବନ୍ଧ ନାମକ ରାକ୍ଷସ ତା’ ମୃତ୍ୟୁ ସମୟରେ କହିଲା । ପୁଣି ମାତା ଶବରୀ ମଧ୍ୟ ସେହି ଏକହିଁ ଉପଦେଶ ଦେଲେ । ଏତେଦିନ ଧରି ଘୋର ଜଙ୍ଗଲରେ ବୁଲିବା ପରେ ମନେ ହେଉଛି ମୁଁ ଆଜି ଯେପରି ମୋ ନିଜ ଲୋକଙ୍କ ପାଖରେ ଅଛି ।”
ଇତିମଧ୍ୟରେ ହନୁମାନ ନିୟମ ଅନୁସାରେ ମିତ୍ରତା ସ୍ଥାପନ ନିମନ୍ତେ ସମସ୍ତ ପୂଜା ସାମଗ୍ରୀ ନେଇ ଆସିଲେ ଓ ଅରଣି କାଠ ଦୁଇଟି ଘସି ଘସି ତହିଁରୁ ଅଗ୍ନି ବାହାର କଲେ । ଭଗବାନ ରାମ ଓ ବାନରରାଜ ସୁଗ୍ରୀବ ଦୁହେଁ ଦୁହିଁଙ୍କ ହାତ ଧରି ଅଗ୍ନିକୁ ସାକ୍ଷୀ ରଖି ମିତ୍ରତା ସ୍ଥାପନ କଲେ ।
ଶ୍ରୀରାମ କହିଲେ, “ଏବେ ଆପଣଙ୍କ ସହିତ ମୁଁ ମିତ୍ରତା ସ୍ଥାପନ କଲି । ଏଣିକି ଆପଣଙ୍କର ଦୁଃଖ ମୋର ଦୁଃଖ, ଆପଣଙ୍କର ସୁଖ ମୋର ସୁଖ ।”
ତା’ପରେ ସମସ୍ତେ ଆସନ ଗ୍ରହଣ କଲେ । ସୁଗ୍ରୀବ ରାମଙ୍କୁ ତାଙ୍କର ଦୁଃଖପୂର୍ଣ୍ଣ ଜୀବନ କାହାଣୀ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କଲେ । ତା’ପରେ ସେ କହିଲେ, “ମିତ୍ର, ମୋତେ ବାଳୀର ଅତ୍ୟାଚାରରୁ ଉଦ୍ଧାର କରନ୍ତୁ ।”
ରାମ ଅଳ୍ପ ହସି କହିଲେ, “ମିତ୍ର, ତୁମର ପତ୍ନୀଙ୍କୁ ଅପହରଣ କରିବା ଯୋଗୁଁ ବାଳୀ ତ ଅଚିରେ ଦଣ୍ଡ ପାଇବ । ଦିନକ ମଧ୍ୟରେହିଁ ଆପଣ କିସ୍କିନ୍ଧ୍ୟାର ସିଂହାସନ ଆରୋହଣ କରିବେ । ମୁଁ ଦଶରଥ ପୁତ୍ର ରାମ ଆପଣଙ୍କୁ ଏ ବଚନ ଦେଉଛି ।”
ତାଙ୍କ କଥାରେ ସୁଗ୍ରୀବ ଅତି ଆନନ୍ଦରେ ଗଦ୍ଗଦ୍ ହୋଇ କହିଲେ, “ମୁଁ ସୂର୍ଯ୍ୟପୁତ୍ର ସୁଗ୍ରୀବ ଆପଣଙ୍କୁ କଥା ଦେଉଛି ମାତା ସୀତା ଏ ତିନିଲୋକରେ ଯେଉଁଠି ଥିଲେବି ମୁଁ ତାଙ୍କୁ ଖୋଜି ଆଣିବି । ମୋର କାହିଁ ମନେହୁଏ ଯେ ମୁଁ ମାତା ସୀତାଙ୍କୁ ଦେଖିଛି । ଦିନେ ଆକାଶ ମାର୍ଗରେ ବିମାନରେ ଗେରୁଦ୍ୟମାନା ଜଣେ ଦିବ୍ୟନାରୀ ଆମମାନଙ୍କୁ ଦେଖି ଆପଣଙ୍କ ନାମ କହି କିଛି ଅଳଙ୍କାର ପକାଇ ଦେଇଥିଲେ । ଏବେ ସେଗୁଡିକ ଯତ୍ନର ସହିତ ରଖାଯାଇଛି । ହନୁମାନ ସେତକ ନେଇ ଆସିବେ; ଆପଣ ହୁଏତ ଚିହ୍ନଟ କରି ପାରିବେ ।”
ତା’ପରେ ହନୁମାନ ଅଳଙ୍କାର ପୁଟୁଳାଟି ଆଣି ଦେଲେ । ସେଗୁଡିକ ଚିହ୍ନଟ କରି ରାମ ଅତ୍ୟନ୍ତ ଦୁଃଖିତ ହେଲେ ଓ ଲକ୍ଷ୍ମଣଙ୍କୁ ପଚାରିଲେ, “କେତେ ଦୁଃଖରେ ଥାଇ ସୀତା ଏସବୁ ପକାଇ ଦେଇଥିବେ । ହାୟ ଏବେ ସିଏ ବଂଚିଛନ୍ତି ନା ନାହିଁ ସେକଥା କିଏ କହିବ?”
ଲକ୍ଷ୍ମଣ ଅଗ୍ରଜ ଶ୍ରୀରାମଙ୍କୁ ପ୍ରବୋଧନା ଦେଇ କହିଲେ, “ଭାଇ, ମୁଁ ତ ଏସବୁ କେୟୁର କଙ୍କଣ ଚିହ୍ନିପାରିବି ନାହିଁ । କିନ୍ତୁ ପ୍ରତିଦିନ ପ୍ରଭାତରେ ମାତା ସୀତାଙ୍କ ଚରଣପଦ୍ମରେ ପ୍ରଣାମ କରିବାବେଳେ ଏହି ପାଉଞ୍ଜି ଦୁଇଟିକୁ ମୁଁ ସବୁବେଳେ ଦେଖେ, ଏଣୁ ତାହା ମୁଁ ବେଶ୍ ଭଲ ଭାବରେ ଚିହ୍ନି ପାରୁଛି ।”
ଶ୍ରୀରାମ ନୀରବରେ ବହୁତ ଅଶ୍ରୁପାତ କଲେ ସମସ୍ତେ ଦୁଃଖରେ ନୀରବ ହୋଇ ବସି ରହିଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର