ଜେଜେବାପା ଗାଁରୁ ଆସି ପହଁଚିଲା ମାତ୍ରେ ତିନି ନାତୁଣୀଯାକ ତାଙ୍କୁ ଘେରି ଯିବେ । କିଏ ଆଗ ତାଙ୍କ ବ୍ୟାଗ୍ ଖୋଲିପକେଇବ ସେଥିରେ କ”ଣ ଅଛି ଦେଖିବାକୁ । କିଏ ଝାଳରେ ଓଦା ହୋଇ ଯାଇଥିବା ତାଙ୍କ ଖଦଡ ପଞ୍ଜାବିଟାକୁ ନେଇ ଦୁଆରେ ଖରାରେ ଶୁଖାଇ ଦେଇ ଆସିବ । କିଏ ପଚାରିବ – “ଜେଜେବାପା ! କେତେଦିନ ରହିବ?”
ଜେଜେବାପାଙ୍କର ହସ ହସ ଉତ୍ତର – “କିରେ ! ମୁଁ ଘରେ ନ ପଶୁଣୁ କ”ଣ ପଚାରିଲଣି – କେବେ ଯିବ? ମୁଁ କ”ଣ ତୁମକୁ ହଇରାଣ କରୁଚି କିରେ?” କିନ୍ତୁ ସେ ଠିକ୍ ଜାଣିଚନ୍ତି ଯେ, ଏ ପ୍ରଶ୍ନର ଉତ୍ତର କାହିଁକି ଖୋଜା ପଡିଚି । କାଳେ ସେ କହିଦେବେ – “ମୋର କାମ ଅଛି ତେଣେ, ମତେ କାଲି ଫେରି ଯିବାକୁ ହେବ ।”
ଏମିତି ଦିନେ ବହୁ ଅନୁରୋଧ ସତ୍ତ୍ୱେ ଯେତେବେଳେ କାଲି ସକାଳେ ବସ୍ରେ ନିଶ୍ଚେ ଫେରିବାକୁ ପଡିବ ବୋଲି ସେ କହିଲେ, ସାନନାତୁଣୀଟା ତାଙ୍କ ବ୍ୟାଗ୍ ଖଣ୍ଡ ଉଠାଇ ତାଙ୍କ ହାତକୁ ବଢାଇ ଦେଇ କାନ୍ଦି କାନ୍ଦି କହିଥିଲା – “ତୁମେ ଏଇଲେ ଯାଅ । ଆଉ କେବେ ବି ଏଠିକି ଆସିବ ନାହିଁ । ତୁମର ଯଦି ଏତେ କାମ ସେଠି, ଏଠି ଯଦି ରହିବାକୁ ଭଲ ଲାଗୁନି, ତେବେ ଆସୁଚ କାହିଁକି?” ସେଥର ଜେଜେବାପା ରହିଗଲେ ମାସେ ।
ସେ ତିନି ନାତୁଣୀଙ୍କର ଜେଜେବାପାଙ୍କ ସାଙ୍ଗେ ସଂପର୍କ ଭାରି ନିବିଡ । ସେ ଜେଜେବାପା ତାଙ୍କ ନାତୁଣୀମାନଙ୍କ ସହିତ ଗପନ୍ତି ଠିକ୍ ସାଙ୍ଗ ପରି । ହାଇସ୍କୁଲ୍ରେ ପଢୁଥିବା ନାତୁଣୀମାନଙ୍କୁ ପଚାରିବେ ତାଙ୍କ ସାଙ୍ଗମାନଙ୍କ କଥା । ଶିକ୍ଷକମାନଙ୍କର ପାଠ ପଢେଇବା କଥା । ସେମାନଙ୍କ ପାଠପଢା କଥା ତ ନିଶ୍ଚୟ କାରଣ ସେ ତ ଶିକ୍ଷକ ଲୋକ, ଅନେକ ଦିନୁ ଅବସର ନେଇ ସେ ଗାଁରେ ଅଛନ୍ତି । ତାଙ୍କ ସ୍ତ୍ରୀ ତ ଚାଲି ଯାଇଛନ୍ତି କୋଉ କାଳୁ ।
ତାଙ୍କ ବ୍ୟାଗ୍ରୁ ବାହାରିବ କେତେ କେତେ କଥା । ଆଗ ବାହାରିବ ତାଳପତ୍ର ଭୋଗେଇରେ ପ୍ୟାକ୍ ହୋଇଥିବା କନ୍ଦରପୁର ବଜାରର ନାଁ କରା ଛେନା ଗଜା, ତେଣିକି ବିଭିନ୍ନ ପ୍ରକାରର ପୁଡା ପୁଡା ହୋଇ ବହୁ ଯତ୍ନରେ ବନ୍ଧା ହୋଇଥିବା ଜାମୁରୋଳ ପୁଳାଏ, ପାଚିଲା ଫାର୍ଶା କୋଳିରୁ ପୁଳାଏ, ଜନ୍ଦା କୋଳିରୁ ପୁଳାଏ । ପାଚିଲା କୋଳି ସବୁ ଚାପି ହୋଇ ଟିକେ ଟିକେ ରଙ୍ଗ ଦିଶୁଥିବ ସେ ପୁଡା ଉପରକୁ । ସେତେବେଳେ ତ ଆଉ ପଲିଥିନ୍ର ବ୍ୟବହାର ନ ଥିଲା । ସବୁ କାଗଜରେ ଗୁଡିଆ ଯାଇଥିବା ପୁଡା ।
ସଙ୍ଗେ ସଙ୍ଗେ ଟ୍ରେ ଗୋଟେ ଆଣି ବଡ ନାତୁଣୀମାନେ ଫିଟେଇ ପକେଇବେ ତାକୁ । କାଳେ ଜେଜେବାପାଙ୍କ ମନ ଦୁଃଖ ହେବ ବୋଲି କେହି ବି ଅଭିଯୋଗ କରିବେ ନାହିଁ, କୋଳି ଚାପି ହୋଇ ଯାଇଛି ବୋଲି । ପ୍ରଥମେ ପ୍ରଥମେ ଏ ଅଭିଯୋଗ ଶୁଭୁଥିଲା । ଥରେ କେହି ଜଣେ ତାଙ୍କ ଭିତରୁ ଅନ୍ୟକୁ ତିଆରୁ ଥିଲା – “ଏଃ ! ସେମିତି କହନାରେ ଜେଜେବାପାଙ୍କ ମନ ଭାରି ଦୁଃଖ ହବ । କେତେ କଷ୍ଟକରି ସଜାଡିକରି ଆଣିଛନ୍ତି ସେ ।” ବାସ୍ – ତା”ପରଠାରୁ ସମସ୍ତେ ଏ ବିଷୟରେ ଖୁବ୍ ସଚେତନ ।
ସେତେବେଳକୁ ତ ସାନଟାକୁ ହୋଇଥାଏ ମୋଟେ ପାଂଚ ବର୍ଷ । ତେଣୁ ଏଇଟି ସହିତ ଜେଜେବାପାଙ୍କର ସଂପର୍କ ଖୁବ୍ ଘନିଷ୍ଠ । ତା” ପିଲାବେଳେ ଜେଜେବାପା ଅନେକ ଦିନ ରହିଥିଲେ ଏଠି । ସେ ଜାଣ ତାଙ୍କରି କୋଳରେ ହିଁ ବଢିଚି ।
ଅଳ୍ପ ସମୟ ଭିତରେ କୋଳି ସବୁ ଭାଗ ବଂଟାଯାଇ ସେ ପର୍ବ ସରିଲା । ସାନଟା ହାତରେ ଥାଏ ଆଉ ତିନୋଟି କୋଳି । ସେ ହଠାତ୍ ଜେଜେବାପାଙ୍କୁ ପଚାରିଲା – “ଜେଜେବାପା ! ନବ କି ଗୋଟେ?”
ଏପରି କଥା ଶୁଣି ଜେଜେବାପା ତା” ହାତରୁ ଗୋଟେ ନେଲେ । ବାକି ଦୁଇଟା ସେ ଚଟ୍କରି ପାଟିକି ପକେଇ ଦେଲା । ଶେଷ କୋଳିର ମଞ୍ଜିଟିରୁ ରସ ସରିବା ପର୍ଯ୍ୟନ୍ତ ଚୁଚୁମି ଲାଗିଥାଏ ସେ ସାନନାତୁଣୀ । ସେ କାମ ସରିଲା ପରେ ସେ ମଞ୍ଜିଟିକୁ ହାତକୁ କାଢି କିଛି ସମୟ ଦେଖିଲା ଓ ତା”ପରେ କ”ଣ ଭାବିଲା କେଜାଣି ଜେଜେବାପାଙ୍କୁ ପଚାରିଲା – “ଜେଜେବାପା! ନାନୀମାନେ ଆଜି କଥା ହେଉଥିଲେ ଦି”ଟା ବଣି ଦେଖିଲେ ଶୁଭ, ରାତିରେ ଆକାଶରେ ଉଲ୍କା ଖସିବା ଦେଖିଲେ ଶୁଭ, ପୁଣି ପୂରା ପାଣି ମାଠିଆ ଦେଖିଲେ ଶୁଭ, ଏମିତି କେତେ କଥା । ତେବେ ତୁମେ କହିଲ, ଏ ମଞ୍ଜିଟା କ”ଣ ଶୁଭ?”
ତା”କଥା ଶୁଣି ଜେଜେବାପା କହିଲେ – “ହଁ, ନିଶ୍ଚୟ ନିଶ୍ଚୟ । ଏ ମଞ୍ଜିଟା ବହୁତ ଶୁଭ ।” “ତେବେ ମୁଁ ତାକୁ ମୋ ବହି ବ୍ୟାଗ୍ର ଭିତର ପକେଟ୍ରେ ରଖିଦେବି?” – “ନାଇଁ ନାଇଁ, ତାକୁ ସେମିତି ଲୁଚେଇ କରି ରଖିଦେଲେ ସେ କ”ଣ ଶୁଭ ହବ? ତୁ ଯଦି ତାକୁ ତୋ କାମରେ ଲଗାଇବୁ, ତେବେ ଯାଇ ସେ ତୋ ପାଇଁ ନିଶ୍ଚୟ ଶୁଭ ହେବ ।”
ସାନନାତୁଣୀ-“ମୋ କାମରେ ଲଗାଇବି କେମିତି?”
ଜେଜେବାପା-“ତାକୁ ନେଇ ଯା” – ମାଟିରେ ପୋତିଦେ ।
ଗଛ ହେଲେ ତା”ର ଯତ୍ନ ନେବୁ । ସେ ବଡ ହେବ । ତେବେ ଯାଇଁ ତୋ ପାଇଁ ସେ ଶୁଭ ହେବ ।”
କୁନିଝିଅ ସଙ୍ଗେ ସଙ୍ଗେ ତାକୁ ନେଇ ବଗିଚାକୁ ଚାଲି ଗଲା ଓ ନରମା ଥିବା ଜାଗାରେ ଧୀରେ କରି ତାକୁ ମାଟି ଭିତରକୁ ଚାପି ଦେଲା । ଫଳରେ ସେ ମଞ୍ଜିଟି ଭିତରକୁ ଚାଲି ଗଲା । ଜେଜେବାପା ତ ସବୁବେଳେ କୁହନ୍ତି, ‘ଜନମ ପାଣି” ଦେବା କଥା । ସେହି କଥାକୁ ମନେ ରଖିଛି କୁନିଝିଅ । ଗଛମାନଙ୍କରେ ପାଣି ଦିଆଯିବା ପାଇଁ ଥିବା ପାଣି ଭର୍ତ୍ତି ଚୌବାଚାରୁ ତା” କୁନି ହାତରେ ଆଞ୍ଜୁଳା ପାଣି ଆଣି ଅଜାଡିଲା ତା” ଉପରେ । ବାସ୍, ଏଥର ଭୁଲିଗଲା ତାକୁ ।
ତାଙ୍କ ବଗିଚାରେ ବେଶ୍ ବଡ ଗଛ ସବୁ । ଚମ୍ପା, ଆମ୍ବ, ବେଲ, ନଡିଆ, ଦେବଦାରୁ, ଆର କଡରେ ଫୁଲଗଛ ପାଇଁ କିଆରି ।
ସହରଠାରୁ ଦୂରରେ ତାଙ୍କର ଛୋଟିଆ ଘର । ରାସ୍ତାଘାଟ, ଲୋକ ଗହଳି କି ଗାଡି ମଟର ବେଶୀ ନ ଥାଏ ସେ ପଟକୁ । ସାମ୍ନାରେ ବେଶ୍ ଦୂର ପର୍ଯ୍ୟନ୍ତ ଖୋଲା ଜାଗା । ଗୁଡାଏ ବାଉଁଶ ବୁଦା – ସବୁ ଶୂନଶାନ୍, ନିଛାଟିଆ । ସକାଳେ ବାଉଁଶ ବୁଦା ଉପରୁ ଭୁଷ୍ କରି ଉଠନ୍ତି ଚଢେଇମାନେ । ପୁଣି ସଂନ୍ଧ୍ୟାକୁ ବିଭିନ୍ନ ଚଢେଇଙ୍କ କାକଳିରେ ସେ ଜାଗା ଗହଳି ହୁଏ । ଧୀରେ ଧୀରେ ସଂନ୍ଧ୍ୟା ନଇଁ ଆସିଲେ ସବୁ ଚୁପ୍ ଚାପ୍ । ଅଧିକାଂଶ ଦିନ ଏ ଦୃଶ୍ୟ ସେ ଦେଖେ ତାଙ୍କ ଛାତ ଉପରେ ଠିଆ ହୋଇ । ତାଙ୍କ ଘର ଆଗରେ ମୋରମ ରାସ୍ତା କେତେ ଦୂର ପର୍ଯ୍ୟନ୍ତ ଲମ୍ବି ଯାଇଛି ମୂଳ ରାସ୍ତାରେ ମିଶିବା ପର୍ଯ୍ୟନ୍ତ । ସେଇ ପଟେ ଦୋକାନ ବଜାର । ସେ ଦିନ ପ୍ରଥମ ଥର ସେ ଯାଇଥିଲା ଜେଜେବାପାଙ୍କ ସହ ବଜାର ପର୍ଯ୍ୟନ୍ତ ଓ ସେଠାରୁ ଫେରିଲା ବେଳକୁ ତାକୁ ଭଣ୍ଡାରି ଦୋକାନରେ ଲଣ୍ଡା କରି କାନ୍ଧରେ ବସାଇ ଫେରିଥିଲେ ଜେଜେବାପା । ଦୂରରୁ ଯେମିତି ଦିଶୁଥାଏ ଧଳା ଠେକୁଆଟିଏ, ବସିଚି ଜଣଙ୍କ କାନ୍ଧରେ । ଲଣ୍ଡା ଧଳା ମୁଣ୍ଡ, ଧଳା ଦେହ, ଧଳା ଜାମା । ରାସ୍ତା ଘାଟରେ ତ ମଣିଷ, ଗାଡିମୋଟର କିଛ ବି ନାହିଁ । ତାଙ୍କ ଘରଯାକ ସମସ୍ତେ ଗେଟ୍ ପାଖରେ ଠିଆ ହୋଇ ଦେଖିଥିଲେ ସେ ଦୃଶ୍ୟ ସେମାନେ ଘରେ ପହଁଚିଲା ପର୍ଯ୍ୟନ୍ତ ।
ବର୍ଷା ଦିନ ଆସିଲା । ହଠାତ୍ ଦିନେ କୁନି ଝିଅଟି ଆବିଷ୍କାର କଲା ସେ ମଞ୍ଜିଟିକୁ ପୋତିଥିବା ଜାଗାରେ ଗୋଟେ ଈଷତ୍ ଲାଲ୍ ସୂତା ପରି ଲହକା କ”ଣ ଟାଏ ପବନରେ ଝୁଲୁଛି । ଧୀରେ ସନ୍ତର୍ପଣରେ ସେ ଯାଇ ଛୁଇଁଲା ତାକୁ । କ”ଣ ସତ? ତା”ର ଜୀବନ ଅଛି? ଜାଣିଲା ସେଦିନର ‘ଜନମ ପାଣି” ଦେଇଥିବା ସେ ମଞ୍ଜିରୁ କ”ଣଟାଏ ଉଠିଚି । ଧାଇଁ ଆସିଲା ଘରକୁ ଓ ଜେଜେବାପାଙ୍କ ହାତ ଧରି ନେଇ ଗଲା ସେଠିକି । ଜେଜେବାପା ଓ ନାତୁଣୀ ଦୁହେଁ ଖୁସି ହେଲେ । ତାଙ୍କ ମଞ୍ଜି ଗଛ ହୋଇଛି । ଆସ୍ତେ ଆସ୍ତେ ସେ ଲହକା ଡାଳରେ ପତ୍ର ଉଙ୍କି ମାରିଲା ଓ ତା”ପରେ ବାହାରିଲା ଆଉ ଗୋଟିଏ ଲହକା ଡାଳ ତା” ମୂଳରୁ । ସେଥିରେ ବି ପତ୍ର ଦିଶିଲା । ଏଥର ତାଙ୍କ ଛୋଟ ଖୁରୁପି ଖଣ୍ଡିକରେ ଝିଅଟି ତା” ଚାରିପଟେ ମନ୍ଦାଟିଏ କରି ପାଣି ଇଡିଲା । ଏହା ଭିତରେ ବର୍ଷେ ଚାଲି ଗଲାଣି । ଫାର୍ଶା କୋଳି ଗଛ ତା” ଗୁଣ ବିକଶିଲାଣି । ଆଖି ଦୃଶିଆ ହେଲାଣି । ଝିଅ ତା” ମୂଳରେ ପାଣି ଇଡୁଚି ଦୁଇବେଳା ।
ଦିନ ଦିନ ହୋଇ ଖରା ବର୍ଷା ଶୀତ କାକର ସହି ଫାର୍ଶା କୋଳି ଗଛକୁ ପୁଣି ହୋଇ ଗଲାଣି ବର୍ଷେ । ଆଃ, ସେଦିନ କିଏ ଖୋଲି ଦେଇ ଯାଇଥିଲା ଗେଟ୍ । ଛେଳି ପଶି ସାଫ୍ କରି ଦେଇଗଲେ ତା” ଡାଳପତ୍ର । କୁନିଝିଅ ସେଦିନ ସ୍କୁଲ୍ରୁ ଫେରି ଗଛର ଅବସ୍ଥା ଦେଖି କେତେ କାନ୍ଦିଲା । ତେଣୁ ସେ ଘରଯାକ ସମସ୍ତଙ୍କୁ ଦାୟୀ କଲା ।
ଜେଜେବାପା ବୁଝେଇଲେ – “ବ୍ୟସ୍ତ ହୁଅନା । ପୁଣି କଅଁଳିବ । ସେ ଭାରି ଚେମେଡା ଗଛ । ଭାରି ଟାଣୁଆ ତା” ଜୀବନ । ତୁ ଖାଲି ପାଣି ଦଉଥା ।” ସତ କଥା, ପୁଣି ତା” ଡାଳରେ ନୂଆ ପତ୍ର କଅଁଳିଲା । ଏଥର ଆହୁରି ଜୋର୍ ଜୋର୍ ବଢି ଉଠିଲାସେ । କେତେ ଚଂଚଳ ପତ୍ରମାନେ ରଙ୍ଗ ବଦଳାଇଲେ । ନାଲିରୁ ହେଲେ ସବୁଜ ଚେକା ଚେକା ବଡ ବଡ ଗୋଲିଆ ପତ୍ର ସବୁ ।
ସେତେବେଳକୁ କୁନିଝିଅକୁ ହେଲାଣି ଆଠବର୍ଷ । ଏ ତିନି ବର୍ଷ ଭିତରେ ଗଛ ହୋଇ ଗଲାଣି ତା”ଠାରୁ ତିନି ଗୁଣ ଉଚ୍ଚ । ଲହକା ସରୁ ଡାଳମାନେ ସବୁଜ ପତ୍ରଙ୍କୁ କାଖରେ ଧରି ଦୋଳି ଖେଳୁଥାନ୍ତି । ସେଦିନ କୁନିଝିଅ ଡାକ ପକେଇଲା-
କୁନିଝିଅ -“ଜେଜେବାପା! ଆସ ତ ଶୀଘ୍ର ବଗିଚାକୁ । ଦେଖ, ହଳଦିଆ ଫୁଲଟେ ଫୁଟିଛି ଡାଳ ଆଗରେ ।”
ଆଃ ତା” ଗଛରେ ଫୁଲ ଫୁଟିଚି । କି ଆନନ୍ଦ ତା”ର! ଏଥର ସେ ଗଛ ଚାରିପଟେ ବଡକରି ମନ୍ଦା ହେଲା । ବେଶୀ ବେଶୀ ପାଣି ଇଡିଲା କୁନିଝିଅ ତା” ମୂଳରେ । ଅଳ୍ପ କେତୋଟି ଫଳ ହେଲା । ଭାରି ଖଟା ସେ ଫଳ । ତାକୁ ଚାଖିଦେଇ ବିଚିକିଟିଆ ମୁହଁ କଲା କୁନିଝିଅ । ଜେଜେବାପା ବୁଝେଇଲେ, “ରହ ଦେଖିବୁ, ସେ ଧୀରେ ଧୀରେ ମିଠା ହବ ।”
ପୁଣି ଫୁଟିଲା ଫୁଲ । ଫଳ ଧରିଲା । ପ୍ରତି ଡାଳର ପତ୍ରର କନ୍ଦିରେ କନ୍ଦିରେ ଫୁଲମାନେ ଫଳ ହେଲେ । ପାଚିଲା ଟୁମ୍ଟୁମ୍, ଗୋଲ୍ ଗୋଲ୍, କଳାକଳା, ହୃଷ୍ଟ ପୁଷ୍ଟ କୋଳିଟିମାନ । ଏଣିକି ଭୋର ବେଳକୁ ସେଠାରେ କୋଳି ଖାଇବାକୁ ଶୁଆଙ୍କର ଗହଳି ।
ସେଦିନ ଗଛ ମୂଳରେ ବସିପଡିଥାଏ କୁନିଝିଅ ଓ ଘାସ ଉପରେ ପଡିଥିବା ପାଚିଲା କୋଳିମାନଙ୍କୁ ଗୋଟେଇବାରେ ଲାଗିଥାଏ ।
ଏହି ସମୟରେ ତା” ଜେଜେବାପା ବଗିଚାକୁ ଆସିଲେ । କୁନିଝିଅ ପଚାରିଲା, “ଜେଜେବାପା! ବଗିଚାରେ ଆମର ଏତେ ଗଛ । ଏଇ ଗଛଟି କାହିଁକି ମତେ ହାତ ଠାରି ଡାକୁଚି ତା” ପାଖକୁ? ମୁଁ କାହିଁକି ଏତେ ଭଲ ପାଉଛି ଏଇ ଗଛଟିକୁ? ତାରି ମୂଳରେ ବସିଲେ ପବନ ଏତେ ଥଣ୍ଡା ଲାଗୁଚି । ତା” ଛାଇ ମନେ ହେଉଛି ଆପଣାର । ତା” ଲହକା ଡାଳରେ, ପତ୍ରରେ ଏତେ ରଙ୍ଗ କୋଉଠୁ ଆସୁଚି ଯେ ତାକୁ ଚାହିଁ ଦେଲେ ମୋ ମନ ଏତେ ଖୁସି ହୋଇ ଯାଉଚି । ମନେ ହଉଚି ତା” ମୂଳରେ ପିଣ୍ଡିଟିଏ କରି ସଉପ ଖଣ୍ଡିଏ ପକେଇ ସେଠି ଶୁଅନ୍ତି । ତା”ପତ୍ର ଗହଳି ଫାଙ୍କରେ ଦେଖନ୍ତି ସଂନ୍ଧ୍ୟାର ଆକାଶକୁ । କାହିଁକି ଏମିତି ହେଉଛି ଜେଜେବାପା? ଆମ ବଗିଚାରେ ଏତେ ଗଛ, କୋଉ ଜାଗାରେ ତ କାହିଁ ଏମିତି ଲାଗୁନି ମତେ?”
ଏକଥା ଶୁଣି ହସିଲେ ଜେଜେବାପା । କହିଲେ – “ମନେ ପକେଇଲୁ ଇଏ କିଏ? ସେଦିନ ସେଇ କୁନି ମଞ୍ଜିଟିକୁ ତୋ ପାଇଁ ଶୁଭ ହେବ ବୋଲି ଏଠି ଲଗେଇ ତୁ ପରା ତାକୁ ଏତେ ବଡ କରିଚୁ । ତାକୁ ଦେଖିଲେ ତତେ ଖୁସି ଲାଗିବା କଥା ତ! ତୁ ଜାଣ ତାକୁ ତୁ ସୃଷ୍ଟି କରିଚୁ ।” ନୂଆ ଶବ୍ଦଟିଏ ବ୍ୟବହାର କଲେ ଜେଜେବାପା ।
ଜେଜେବାପାଙ୍କର ଏଇ ଶେଷ କଥା ପଦକରେ କ”ଣ ଥିଲା କେଜାଣି ଏଥେିରେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ସେ କୁନିଝିଅଟି । ତା”ପରେ କେତେବେଳେ ଯେ ତା”ହାତ ସେ ଗଛର ମୂଳରୁ ଡାଳଯାଏଁ ଜଣେ ଆପଣାର କାହାକୁ ଛୁଇଁଲା ପରି ଆଉଁଶି ଆଣିଚି ତାକୁ ଜଣାନାହିଁ । କିନ୍ତୁ ସେ ସ୍ପର୍ଶରେ ତା”ଭିତରେ କ”ଣ ଗୋଟାଏ ବୁଝାମଣା ହୋଇଗଲା ମୁହୂର୍ତ୍ତକରେ ।
ତା”ର ମନେପଡିଗଲା ଦିନେ ଗାଁରୁ ତାଙ୍କ ବିଲରେ କାମକରୁଥିବା କୋଠିଆ ଶିରିଆ ଆସିଥିଲା ଯେ ବାପାଙ୍କୁ କହୁଥାଏ – “ବାବୁ ! ଆପଣ ତ ଏଣେ ରହିଲେ । ସେଣେ ମଣ୍ଡପ ଚକ ବିଲରେ ସେ ନୂଆ ଧାନ ଫୁଲ ଉଡୁଚି ଯେ ତା ବାସ୍ନାରେ ଖଣ୍ଡ ମଣ୍ଡଳ ମହକୁଚି ।”
ଆଉ ଏ କଥା କହିଲା ବେଳେ କୁନିଝିଅ ଦେଖିଚି ଶିରିଆର ମୁହଁ କେମିତି ଉଜ୍ଜ୍ୱଳ ଦିଶୁଥାଏ । ସତେକି ଏଇଲେ ସେ ବାସ୍ନା ତା” ନାକରେ ବାଜୁଚି । ସେଦିନ ଏଇ କଥାରେ ଏତେ ଖୁସି ହବାର କ”ଣ ଅଛି ବୋଲି ବୁଝିପାରି ନ ଥିଲା କୁନିଝିଅ । ମାତ୍ର ସେ ଆଜି ଠିକ୍ ବୁଝିଗଲା । ତା”ଛାତି ପୂରି ଗଲାପରି ଲାଗିଲା । ତା” ମନ ଭିତରେ କିଏ ଯେମିତି ପଚାରିଲା – ଆଃ, ତତେ ଏଇ ଗୋଟିଏ ଗଛରେ ଏତେ ସୁଖ ଲାଗୁଚି, ତେବେ ଭାବିଲୁ କୋଠିଆ ଶିରିଆକୁ ସେ ଫୁଲ ଉଡା ଧାନକ୍ଷେତ ଦେଖିଲେ କେମିତି ଲାଗୁଥିବ!