• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ସୁବର୍ଣ୍ଣ ଫୁଲର ରହସ୍ୟ/Subarna Phulara Rahasya
ଗଳ୍ପ

ସୁବର୍ଣ୍ଣ ଫୁଲର ରହସ୍ୟ/Subarna Phulara Rahasya

suchitraBy suchitraNovember 24, 2021No Comments11 Mins Read
Facebook Twitter Pinterest Reddit LinkedIn Tumblr Email
Odia-Short-Story-Subarna-Phulara-Rahashya
Odia-Short-Story-Subarna-Phulara-Rahashya
Share
Facebook Twitter Pinterest Reddit Email

ଯେଉଁ ସମୟରେ ଆଠଗଡ ରାଜାଙ୍କର ଖୁବ୍ ପ୍ରତିପତି ତଥା ସୁନାମ ଥିଲା, ସେହି ସମୟରେ ଉପଦେଷ୍ଟାଙ୍କର କାଟେତି ଓ ସୁଖ୍ୟାତି କଥା କହିଲେ ନସରେ । ଚତୁର ବ୍ୟଙ୍ଗକାର ଥିଲେ ଜଣେ ଖୁବ୍ ନାମକରା କବିରାଜ ବା ବୈଦ୍ୟରାଜ । ଏହା ସହିତ ରାଜାଙ୍କ ଦରବାରରେ ସେ ଥିଲେ ଜଣେ ଶ୍ରେଷ୍ଠ ଉପଦେଷ୍ଟା । ଆଉ ଉପଦେଷ୍ଟା ଭାବରେ ସେ ଥିଲେ ଅସ୍ତବୁଦ୍ଧିଦତ୍ତ ନାମରେ ପରିଚିତ । ଏହା ଯେଉଁ ସମୟର କଥା, ସେ ସମୟରେ ଯାତାୟତ ନିମନ୍ତେ ସୁଖପ୍ରଦ ରାସ୍ତାଘାଟ ନଥିଲା, ନଥିଲା ଗାଡି ମୋଟର । ତେଣୁ ଯେଉଁ ସ୍ଥାନକୁ ଯିବାକୁ ପଡେ ସେ ସ୍ଥାନକୁ ଉଚ୍ଚ ସମ୍ମାନୀୟ ବ୍ୟକ୍ତି ମାନେ ଅଶ୍ୱ ସାହାଯ୍ୟରେ ଯା ଆସ କରୁ ଥିଲେ । ହେଲେ ଓଡିଶାର ଉପଦେଷ୍ଟା ମାନେ ସିନା ବିଦ୍ୟା ବୁଦ୍ଧିରେ ଉନ୍ନତ, ହେଲେ ଧନ କ୍ଷେତ୍ରରେ ସେମାନେ ସର୍ବଦା ଦରିଦ୍ରତା ମଧ୍ୟରେ ସମୟ ଅତିବାହିତ କରୁ ଥିଲେ ।

ସେଦିନ ଧନ ହୀନ ଚତୁର ବ୍ୟଙ୍ଗକାର ସାଥିରେ ଖୁବ୍ ବଳିଷ୍ଠ ଚେହେରାର ଜଣେ ଶକ୍ତିବାନ ସେବାକାରୀ ମକରାକୁ ସାଥିରେ ଧରି ତୀର୍ଥ ଭ୍ରମଣରେ ବାହାରି ପଡିଲେ । ମକରା ଯେପରି ଶକ୍ତିରେ ବଳୁଆ ସେପରି ମୂର୍ଖଟାଏ ମଧ୍ୟ । ନାଇଁ ମାମୁଁ ଠାରୁ କଣା ମାମୁଁ ଭଲ ସଦୃଶ ମକରାକୁ ଉପଦେଷ୍ଟା ସାଥିରେ ଧରି ତୀର୍ଥ ଯିବା ପରେ ବାଟରେ ପଡିଲା ଅନେକ ଅରଣ୍ୟ । ପାହାଡ, ପର୍ବତ, ନଦୀ, ନାଳ, ଝରଣା । ଚତୁର ବ୍ୟଙ୍ଗକାର ଓ ମକରା ସେସବୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ପଥ ଅତିକ୍ରମ କରୁ ଥାଆନ୍ତି । ଏମିତି ପଥ ଅତିକ୍ରମ କରିବା ମଧ୍ୟରେ ସମସ୍ତ ଅରଣ୍ୟାଦିକୁ ଅତିକ୍ରମ କରି ଗଲେ । ସେ ଥିଲା ବୃନ୍ଦାବନ ଯିବାର ରାସ୍ତା । ପାଦ ଚଲା ରାସ୍ତାରେ ଯିବାକୁ ହେଉଛି, କେତେ ଦିନ ଯେ ଲାଗିବ କିଛି କହି ହେବ ନାହିଁ । ସାଥିରେ ମଧ୍ୟ ସେଦିନ କେହି ବୃନ୍ଦାବନ ଯିବାର ଯାତ୍ରୀ ସାଥିରେ ମିଳି ନାହାଁନ୍ତି । ଚାଲି ଚାଲି ପାଦ ଥକି ପଡିବାରୁ ଚତୁର ବ୍ୟଙ୍ଗକାର କହିଲେ ବାବା ଅବୋଲକରା, ଏହି ଠାରେ ଏକ ଶିବ ମନ୍ଦିର ଅଛି । ତା’ପାଶ୍ୱର୍ରେ ପାନ୍ଥଶାଳା, ସୁନ୍ଦର ପୁଷ୍କରିଣୀ । ଏହି ଠାରେ ହିଁ ଆମେ ବିଶ୍ରାମ ନେବା ଉଚିତ୍ । ତେଣୁ ମୁଁ ତୁମକୁ ଯାହା କହୁଛି ତାହା ମନ ଦେଇ ଶୁଣ :-

ଥକ୍କା ଲାଗିଲା ପାଦ ଥକିଲା
ଗଣ୍ଠିଲି ରଖ ଏଇଠି ।
ପକ୍କା କମ୍ବଳ ପୋଅତ ଛତା
ଥକ୍କା ମେଂଟାଇବା ଏଠି ।
ଏ ଝରଣା ଜଳ ବଡ ସୁନ୍ଦର
ପୁଣି ପଦୁଅଁ ପୋଖରୀ ।
ରହିବାରେ ଏଠି ରେ ଅବୋଲକରା
ବିଶ୍ରାମ ହେବ ଏପରି ।
ହାଟ ଯାଇଣ ସଉଦା ଆଣ
ପାକ କରିବାଟି ଜାଣ ।
ଭଲରେ ନିଦ୍ରା କାଟିବା ବାବା
ବିଳମ୍ବରେ ନାହିଁ ମନ ।

ମୁଁ ଯାଉଛି, ମୋର ନିତ୍ୟ କର୍ମ ସାରିବି । ତୁମେ ଯେତେ ଶୀଘ୍ର ଯାଇ ପଡିଶା ହାଟରୁ କିଛି ତଣ୍ଡୁଳ, ମୁଗ ଜାଇ, ସାରୁ, ବାଇଗଣ, କଦଳୀ ଓ ମାଟି ଆଳୁ ଧରି ଆସ । ମନେ ରଖ ବିଳମ୍ବ କରିବ ନାହିଁ । ଉପଦେଷ୍ଟାଙ୍କ ମୁଖରୁ ଏକଥା ଶୁଣିବା ମାତ୍ରେ ଅବୋଲକରା ହାଟରୁ ସଉଦା ଆଣିବା ଉଦ୍ଧେଶ୍ୟରେ ହାଟକୁ ଚାଲି ଗଲା । ହାଟକୁ ଯିବା ରାସ୍ତାରେ ଅବୋଲକରା ଅନେକ ବାଟ ଚାଲି ଯାଇଛି, ଯିବା ପଥ ମଧ୍ୟରେ ସେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଛି । ଆଉ ତାହା ମଧ୍ୟରେ ଦେଖି ନେଇଛି ଏକ ଅପୂର୍ବ ସୌନ୍ଦର୍ଯ୍ୟର ରାଜବାଟୀ ।

ଘଡିଏ କାଳ ଅବୋଲକରା ସେହି ରାଜବାଟୀର ସୌନ୍ଦର୍ଯ୍ୟ ଦେଖିବା ମଧ୍ୟରେ ସେ ଦେଖିଛି ଯେ – ରାଜବାଟୀର ତୋରଣ ଉପରେ ଗୋଟିଏ ସୁବର୍ଣ୍ଣର ପଦ୍ମ ଫୁଲ ଖଂଜା ଯାଇଛି । ସେ ପଦ୍ମ ଫୁଲଟି ଏପରି ସୁନ୍ଦର ଯେ ଅବୋଲକରା ତାହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଉପଦେଷ୍ଟାଙ୍କର ସଉଦା ଆଣିବା ପରିବର୍ତେ ସେ ଶୂନ୍ୟ ହସ୍ତରେ ଫେରି ଆସିଛି ପୁଣି ଉପଦେଷ୍ଟାଙ୍କ ପାଖକୁ । ଚତୁର ବ୍ୟଙ୍ଗକାର ଅବୋଲକରାର ଏପରି ଧଇଁ ସଇଁ ଅବସ୍ଥା ଦେଖି ପଚାରି ଛନ୍ତି କିରେ ଅବୋଲକରା, ହାତରେ ତୋର ସଉଦା ନାହିଁ । ସଉଦା ନଆଣି ଫେରି ଆସିଲୁ କାହିଁକି?

ଉପଦେଷ୍ଟାଙ୍କ ପ୍ରଶ୍ନର ଉତ୍ତର ଦେଇ ଅବୋଲକରା କହିଛି –

ଶୁଣିମା ହେଉ ବ୍ୟଙ୍ଗକାର ମୋର ବଚନ
ସଜ୍ଜା ଖଂଜା ହୋଇ ଅଛି ଫୁଲଯେ ସୁବର୍ଣ୍ଣ
ଦିଶୁଛି ସୁନ୍ଦର କେତେ କି ମୋହିତ କଲା ମୋତେ
ଜଗିଛି ପ୍ରହରୀ
କି କାରଣେ ତାହା ସେଠାରେ ଅଛି ବୁଝାଇ କହିବେଟି ସତ୍ୟକୁ ଯେପରି ।

ଚତୁର ବ୍ୟଙ୍ଗକାର ଦେଖିଲେ ଏ ମକରାଟା ଏକଜିଦିଆ । ଥରେ ତା ମନକୁ ଯାହା ଆସିଛି, ତା’ର ସମାଧାନ ନ ପାଇବା ଯାଏଁ ସେ ନଛୋଡ ବନ୍ଧା । ସେ ଯାହା ବୁଝି ଥିବ ସେୟା, କେବଳ ଜଣିଏ ମାତ୍ର ଲୋକ ଚତୁର ବ୍ୟଙ୍ଗକାର । ସେ ଯାହା ବୁଝାଇ ଦେବେ ଅବୋଲକରା ସେହିଥିରେ ସନ୍ତୁଷ୍ଟ । ତାହା ନହେଲେ ଅବୋଲକରାକୁ କଥାରେ କିଏ ବାନ୍ଧି ରଖିବ । ଯିବା ମାନେ ସେ ଚାଲି ଯିବ । ଚତୁର ବ୍ୟଙ୍ଗକାର ଆଉ ରୋଷେଇ କରିବେ କ’ଣ, ବୋକାକୁ ଯେପରି ହେଉ ବୁଝାଇ ଦେବାକୁ ହେବ । ନ ହେଲେ ଏ ଜିଦ୍ଖୋର ଅବୋଲକରା ସେମିତି ନିଜ ଜିଦ୍ରେ ଅଟକି ଯିବ । ୟା ପାଇଁ ଅଧା ରାସ୍ତାରୁ ରାଣ୍ଡ ହେବା ବିନା ଆଉ କିଛି ନାହିଁ । ତହୁଁ ଚତୁର ବ୍ୟଙ୍ଗକାର ଅବୋଲକରାକୁ କହିଲେ – ହେଲା ବାବା, ତୋତେ ତୋ ପ୍ରଶ୍ନର ଉତ୍ତର ମିଳି ଯିବ । ହେଲେ ସଂନ୍ଧ୍ୟା କାର୍ଯ୍ୟଟି ମୁଁ ପ୍ରଥମେ ସାରି ଦିଏ, ମୋର ଏହି ସଂନ୍ଧ୍ୟା କରିବା ମଧ୍ୟରେ ତୁ ଯାଇ ଚୁଲାଟିଏ ଖୋଳି ଦେଇଥା ।

ଏହା ପରେ ଅବୋଲକରା ଆନନ୍ଦ ହୋଇଯାଇ ସଙ୍ଗେ ସଙ୍ଗେ ଯାଇ ଚୁଲା ଖୋଳିବା କାର୍ଯ୍ୟରେ ଲାଗି ଗଲା । ଚତୁର ବ୍ୟଙ୍ଗକାର ସଂନ୍ଧ୍ୟା କାର୍ଯ୍ୟ ଶେଷ କରି ଦୀପ ଟିଏ ଲଗେଇ ଦେଇ ମୁଣାରେ ଥିବା ଆଳୁ, ଜାଇ, ତଣ୍ଡୁଳ ଯାହା ସବୁ ଥିଲା ତାହାକୁ ବାହାର କରି କହିଲେ ଯାହା ଅଛି ଆଜି ସେହିଥିରେ ଚଳାଇ ଦେବା । ଏବେ ଗୋଡ ହାତ ଧୋଇ ମୋ ପାଖରେ ଆସି ବସ । ରୋଷାଇ କରିବା ମଧ୍ୟରେ ମୁଁ ତୋତେ ସେହି ରାଜବାଟୀର ତୋରଣ ଉପରେ ଥିବା ସୁବର୍ଣ୍ଣ ପଦ୍ମ ଫୁଲ ବିଷୟରେ ବୁଝାଇ ଦେବି । ଉପଦେଷ୍ଟାଙ୍କ ମୁଖରୁ ଏ କଥା ଶୁଣି ଅବୋଲକରା ସଙ୍ଗେ ସଙ୍ଗେ ଆନନ୍ଦ ହୋଇ ଯାଇଛି, ସେ ଆଉ କାଳ ବିଳମ୍ବ ନକରି ଚୁଲା ଖୋଳା କାର୍ଯ୍ୟ ସମାପ୍ତ କରି ଗୋଡ ହାତ ଧୋଇ ଉପଦେଷ୍ଟାଙ୍କ ପାଦ ତଳେ ପ୍ରଣାମ କରି ଉପଦେଷ୍ଟାଙ୍କ ଲାଗି ଆସନ ସଜାଡି ଦେଇ ଅନ୍ୟ ଏକ ଆସନରେ ସେ ନିଜେ ଯାଇ ବସି ପଡିଲା । ଚତୁର ବ୍ୟଙ୍ଗକାର ସଂନ୍ଧ୍ୟା ସାରି ଆସି ଅବୋଲକରା ପକାଇଥିବା ଆସନରେ ବସି ପଡି କହିଲେ, ତାହା ହେଲେ ଶୁଣ, ତୁ ମୋତେ ଯେଉଁ ସୁବର୍ଣ୍ଣ ଫୁଲ ବିଷୟରେ ପ୍ରଶ୍ନ କରି ଥିଲୁ ସେହି ଫୁଲର ମହାତ୍ମ୍ୟ କଥା ଏବେ ତୋତେ କହୁଛି ।

ପ୍ରାଚୀନ କାଳର କଥା, ଏଠାରେ ଜଣେ ଦୟାଳୁ ତଥା ଧାର୍ମିକ ରାଜା ରାଜତ୍ୱ କରୁ ଥିଲେ । ବୀର ପଣରେ ତାଙ୍କର ସମସାମୟିକ ବୀର ମଧ୍ୟ ଏଠାରେ କେହି ନଥିଲେ । ରାଜା ଗୋଟିଏ ଗୋଟିଏ ପାଟରାଣୀଙ୍କ ସହିତ ଛଅ ଗୋଟି ରାଣୀଙ୍କୁ ବିବାହ କଲେ । ହେଲେ ରାଜାଙ୍କର ମନୋବାଂଛା ପୂରଣ ହେଲା ନାହିଁ । କାହାରି କୋଳକୁ ସନ୍ତାନ ଗୋଟିଏ ଆସିଲା ନାହିଁ । ସେଥି ଲାଗି ରାଜା ବହୁ ଭାବରେ ନାନା ପ୍ରକାର ଯଜ୍ଞାନୁଷ୍ଠାନ କରାଇଲେ । ଏଥିରେ କୌଣସି ସୁଫଳ ମିଳିଲା ନାହିଁ । ଶେଷରେ ରାଜା କୌଣସି ଜଣେ ଉପଦେଷ୍ଟାଙ୍କ ଠାରୁ ଆଦେଶ ପାଇ ଜଗତର କଲ୍ୟାଣ କାରିଣୀ ଦଶଭୁଜାଙ୍କର ପୂଜାନୁଷ୍ଠାନ ଆରମ୍ଭ କଲେ ।

ରାଜା ନିଜ ରାଜ୍ୟର ବହୁ ବିଦ୍ୱାନ ଉପଦେଷ୍ଟା ମାନଙ୍କୁ ଆଣି ରାଜବାଟୀରେ ମାତାଙ୍କର ମୂର୍ତ୍ତି ସ୍ଥାପନା କଲେ । ଷୋଡଶୋପଚାର ପୂଜା କରାଇ ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବାରୁ ଦୁର୍ଗା ତାଙ୍କୁ ସ୍ୱପ୍ନରେ ଜଣାଇଲେ ଯେ – ତୁମର ପଡୋଶୀ ରାଜ୍ୟ ମାନଙ୍କ ମଧ୍ୟରୁ କନକ ପୁର ନାମକ ଏକ ରାଜ୍ୟ ଅଛି, ସେହି ସ୍ଥାନରେ ପଦ୍ମାବତୀ ନାମ୍ନୀ କନ୍ୟାକୁ ଆଣି ବିବାହ କର । ସେ କନ୍ୟା ମଧ୍ୟ ତୁମ୍ଭଙ୍କୁ ବିବାହ କରିବା ନିମନ୍ତେ ଅପେକ୍ଷା କରି ଅଛି । ଆଉ ମଧ୍ୟ ମନେ ରଖିବ ଯେ ଏଥୁ ଅନ୍ତେ ତୁମ୍ଭର ପୁର୍ବ ଛଅରାଣୀଙ୍କର କୌଣସି ସନ୍ତାନ ହେବେ ନାହିଁ ।

ରାଜା ଜାଣି ପାରିଲେ ସେହି ପଦ୍ମାବତୀ ଆଉ କେହି ନୁହଁନ୍ତି । ସେ ଜଗତ ଜନନୀ ଦୁର୍ଗାଙ୍କର ମାନସୀ କନ୍ୟା । ତାଙ୍କୁ ବିବାହ କଲେ ନିଶ୍ଚୟ ମୋ କୋଳକୁ ସନ୍ତାନଟିଏ ଆସିବ । କିନ୍ତୁ ମାଆ ମଧ୍ୟ ସୂଚାଇ ଦେଇଛନ୍ତି ତୁମ୍ଭଙ୍କୁ ସନ୍ତାନଟିଏ ଦେବା ପରେ ପରେ ପଦ୍ମାବତୀଙ୍କର ମୃତ୍ୟୁ ହୋଇ ଯିବ । ରାଜା କିନ୍ତୁ ସେ ସମୟରେ ସନ୍ତାନ ଗୋଟିଏ ପାଇବା ନିମନ୍ତେ ବ୍ୟାକୁଳ ପ୍ରାୟ । ଶୁଣି ଥିଲେ ଅପୂର୍ବ ସୁନ୍ଦରୀ ପଦ୍ମାବତୀ । ସୈନ୍ୟ ମାନଙ୍କ ଠାରୁ ସନ୍ଧାନ ପାଇବା ପରେ ନିଜ ରାଜ୍ୟର ସୈନ୍ୟ ସାମନ୍ତ ମାନଙ୍କୁ ଧରି ରାଜା କନକ ପୁରକୁ ଯାତ୍ରା କଲେ । ଆଉ ମଧ୍ୟ ଜଣେ ରାଜ ସେବିକାଙ୍କ ଦ୍ୱାରା ମା’ ଜଗତ ଜନନୀ ଦୁର୍ଗାଙ୍କ ସେହି ମାନସୀ କନ୍ୟା ପଦ୍ମାବତୀଙ୍କ ପାଖକୁ ଏକ ଆଦେଶ ପଠାଇଲେ । ରାଜାଙ୍କର ସମ୍ବାଦ ପାଇବା ବେଳକୁ ପଦ୍ମାବତୀ ନିଜର ବ୍ରତ ଉପାସନାରେ ଥିଲେ । ସେହି ଦିନ ହିଁ ସେ ନିଜର ବ୍ରତ ଉଦ୍ୟାପନ କଲେ । ଏହା ପରେ ନିଜର ପିତାଙ୍କୁ ଜଣାଇ ଦେଲେ ଯେ ମୋର ଆଜି ବ୍ରତ ଉଦ୍ୟାପନ ହେଲା ।

କନ୍ୟାର ବ୍ରତ ସମାପ୍ତ ହେବା ଜାଣି ପଦ୍ମାବତୀଙ୍କର ପିତା ଖୁବ୍ ଆନନ୍ଦ ହେଲେ । ଏବେ ଯୋଗ ଆସିଛି ଯେତେ ବେଳେ ତାହାକୁ ହାତ ଛଡା ନକରି ବହୁ ସମ୍ମାନର ସହିତ ନିଜର କନ୍ୟା ପଦ୍ମାବତୀଙ୍କୁ ବିପୁଳ ଧନ ରତ୍ନ ଦେଇ ରାଜାଙ୍କ ସହିତ ମହା ଆଡମ୍ବରରେ ବିଭା କରି ଦେଲେ । ଖୁବ୍ ଜାକଜମକ ଆଡମ୍ବରରେ ପଦ୍ମାବତୀଙ୍କୁ ବିବାହ କରି ରାଜା ନିଜ ରାଜବାଟୀକୁ ଫେରି ଆସିଲେ । ରାଜବାଟୀକୁ ପଦ୍ମାବତୀ ଆସିବାର କିଛି ଦିନ ପରେ ରାଜବାଟୀରେ ନାନା ପ୍ରକାର ବିଚିତ୍ର ଘଟଣା ସବୁ ଘଟିବାକୁ ଲାଗିଲା । ରାଜ୍ୟ ସାରା ଖୋଜି ଆସିଲେ ରାଜ୍ୟରେ ଗୋଟିଏ କେହି ଦରିଦ୍ର ପ୍ରଜା ମିଳିଲେ ନାହିଁ । ଏଣେ ରାଜାଙ୍କର ଯେତେ ଯୁଆଡେ ପଡୋଶୀ ଶତ୍ରୁ ଥିଲେ ସମସ୍ତେ ପଦ୍ମାବତୀଙ୍କର ତନ୍ତ୍ର ବଳରେ ପରାସ୍ତ ହୋଇ ରାଜାଙ୍କର ଶରଣ ପଶିଲେ । ଏହା ପରେ ରାଣୀ ପଦ୍ମାବତୀ ଆନନ୍ଦର ସହିତ ନିଜର ରାଣୀ ଉଦ୍ୟାନରେ ଭ୍ରମଣ କରିବାକୁ ଲାଗିଲେ । ଏହି ପରି କିଛି ଦିନ ଅତିବାହିତ ହୋଇ ଯାଆନ୍ତେ ରାଣୀ ପଦ୍ମାବତୀ ଗର୍ଭବାସରେ ରହିଲେ । ତାହା ଜାଣିବା ପରେ ରାଜାଙ୍କ ମନରେ ଆନନ୍ଦର ସୀମା ରହିଲା ନାହିଁ । ରାଣୀଙ୍କର ଗର୍ଭବାସ କଥା ଜାଣିବା ଦିନ ଠାରୁ ରାଜ୍ୟରେ ନାନା ପ୍ରକାର ଉତ୍ସବ ମାନ କରାଇଲେ । ଏହା ପରେ ପଦ୍ମାବତୀଙ୍କ କୋଳକୁ ସୁନ୍ଦର ସନ୍ତାନ ଗୋଟିଏ ଆସିଲା ।

ପଦ୍ମାବତୀଙ୍କ କୋଳକୁ ସନ୍ତାନ ଗୋଟିଏ ଆସିବା କାରଣରୁ ପଦ୍ମାବତୀ ରାଜାଙ୍କ ନିମନ୍ତେ ଖୁବ୍ ପ୍ରିୟ ହୋଇ ପଡିଲେ । ତାହା ଦେଖି ଅନ୍ୟ ଛଅ ରାଣୀ ଯାକ ପଦ୍ମାବତୀଙ୍କୁ ସହ୍ୟ କରି ପାରିଲେ ନାହିଁ ବରଂ ଈର୍ଷାରେ ଜଳିବାକୁ ଲାଗିଲେ । କିପରି ରାଣୀ ପଦ୍ମାବତୀଙ୍କର ମୃତ୍ୟୁ ହେବ ସେହି ଚିନ୍ତାରେ ରାଣୀ ମାନେ ମିଶି ଉପାୟ ଚିନ୍ତା କଲେ । ଏଣେ ରାଣୀ ପଦ୍ମାବତୀ ତ ତନ୍ତ୍ର ମନ୍ତ୍ର ବିଦ୍ୟାରେ ପୋଖତ, ତାକୁ ସହଜରେ ମାରିବା ବହୁତ କଷ୍ଟକର । ରାଣୀ ମାନଙ୍କର ଏପରି ଚିନ୍ତା କରୁଥିବା ବେଳକୁ ରାଜା ହଠାତ୍ ଅନ୍ୟ ରାଜ୍ୟକୁ ପର୍ଯ୍ୟଟନରେ ବାହାରି ଗଲେ । ରାଣୀ ମାନଙ୍କ ମନରେ କିପରି ପଦ୍ମାବତୀର ମୃତ୍ୟୁ ହେବ ସେଥି ଲାଗି ଗୋପନେ ଗୋପନେ ତାକୁ ମାରି ଦେବା ନିମନ୍ତେ ପଦ୍ମାବତୀର ଆପଣାର ହେବାକୁ ଆପଣାର ଭାବ ଦେଖାଇ ମିଶିବାକୁ ଆରମ୍ଭ କଲେ । ଯିଏ ଯେତେବେଳେ ସମୟ ପାଇଲା ପଦ୍ମାବତୀଙ୍କୁ ଆଦରରେ ପ୍ରଶଂସା କଲେ । ଏହାରି ମଧ୍ୟରେ ପଦ୍ମାବତୀଙ୍କର ସବୁ ଗୋପନର କଥାକୁ ସେମାନେ ଜାଣିବାକୁ ଚେଷ୍ଟା କଲେ ।

ଦିନେ କହିଲେ – କିଲୋ ପଦ୍ମାବତୀ, ତୋରି ପାଇଁ ଆମ୍ଭ ମାନଙ୍କର ଦୁଃଖ ଗଲା । ଆମେତ ସନ୍ତାନ ବତୀ ହୋଇ ପାରିଲୁ ନାହିଁ କିମ୍ବା ସେ କଥା ଆମର ଭାଗ୍ୟରେ ନଥିଲା, ହେଲେ ରାଜାଙ୍କ ମନରେ ଏ ଯେଉଁ ସନ୍ତାନ ପାଇବାର ସନ୍ତାପକୁ ଆମ ଦ୍ୱାରା ଦୂରେଇବା ଅସମ୍ଭବ ହେଲା, ସବୁ ଦିନ ରାଜା ଦାରୁଣ ଦୁଃଖରେ କଷ୍ଟ ପାଆନ୍ତି, ହେଲେ ଆମେମାନେତ ହତଭାଗିନୀ, ନିଜର ସ୍ୱାମୀଙ୍କୁ ପୁତ୍ର ଓ କନ୍ୟା ଦୁଃଖକୁ କନ୍ଦାଇବାକୁ ଜନ୍ମ ପାଇ ଥିଲୁ । ଆମ ମାନଙ୍କର ଏତେ ଚିନ୍ତା ଓ ଏତେ ଦୁଃଖକୁ ତୁ ତ ଦୂର କରି ଦେଲୁ ପଦ୍ମାବତୀ । ତୁ ଆମ ଲାଗି ଧନ୍ୟାଲୋ ପଦ୍ମାବତୀ, ତୁ ଆମ ଲାଗି ଧନ୍ୟା । ହେଲେ ପଦ୍ମାବତୀ ତୁ ତ ଆମ ମାନଙ୍କର ସାନ ଭଉଣୀ ପରି । ତୋତେ କିନ୍ତୁ ବହୁ ବିଦ୍ୟା ଜଣା । ଆମ ମାନଙ୍କ ମଧ୍ୟରେ ତୁ ହିଁ ବିଦ୍ୟାମତୀ । ତନ୍ତ୍ର ମନ୍ତ୍ର ଯନ୍ତ୍ର ଏ ସମସ୍ତ ବିଦ୍ୟାରେ ତୋର ପାରଙ୍ଗମତା ଦେଖି ଆମେ ଗର୍ବରେ ଭାଙ୍ଗି ପଡୁଛୁ । ତୁ ହେଉଛୁ ଆମ ସାତ ରାଣୀଙ୍କ ମଧ୍ୟରେ ହୀରା ଗୋଟିଏ । ତୁ ଆମ ମାନଙ୍କ ଠାରୁ ସାନ ହେଲେ ମଧ୍ୟ ତୁ ତୋ ନିଜ ବିଦ୍ୟା ଦ୍ୱାରା ଶ୍ରେଷ୍ଠ ସ୍ଥାନ ଅଧିକାର କରି ଥିବାରୁ ଆମେ ଆନନ୍ଦ ହେଉଛୁ । ଆଚ୍ଛା ପଦ୍ମାବତୀ, ଆମେତ ତୋର କେହି ପର ନୋହୁଁ । ଆମେ ସମସ୍ତେ ଗୋଟିଏ ରାଜାଙ୍କର ରାଣୀ । ଆମ ରାଜା ଯଦି ଗୋଟିଏ ଆତ୍ମା ତାହେଲେ ଆମେ ସମସ୍ତେ ମିଶି ମଧ୍ୟ ସେହି ଗୋଟିଏ ଆତ୍ମା । ତୁମେ ଗୁଣୀ, ଗୁଣବତୀ । ତୁମେ ଇଚ୍ଛା କଲେ ସ୍ଥଳ ପଦ୍ମ ବୃକ୍ଷ ହୋଇ ଝଡି ପାର । ତାହାର ସତ୍ୟତା ଜାଣିବା ଲାଗି ଆମେ ଇଚ୍ଛୁକ । ତୁମେ ଇଚ୍ଛା କଲେ ତାହା ସବୁ ଆମକୁ ଦେଖାଇ ପାରିବ ।

ଛଅ ରାଣୀଙ୍କ ଠାରୁ ଏପରି କଥା ଶୁଣି ସାନ ରାଣୀ ପଦ୍ମାବତୀ ଆଶ୍ଚର୍ଯ୍ୟ ହୋଇ ଯାଇ ପଚାରିଲେ – ଏତେ ସବୁ କଥା ତୁମେ କିପରି ଜାଣିଲ । ମୁଁ ଜାଣି ପାରୁଛି ଯେ ଏହି କଥା ତୁମେ ନିଶ୍ଚୟ ମୋ ଦାସୀ ଠାରୁ ହିଁ ଶୁଣିଛ । ହଉ ହେଲା, ତୁମେ ମାନେ ଯେତେ ଯାହା ହେଲେ ମୋର ବଡ ଭଉଣୀ ମାନେ । ତୁମର ଇଚ୍ଛା ମୁଁ ନିଶ୍ଚୟ ଆଜି ହିଁ ପୂରଣ କରିବି । ସେଥି ଲାଗି ତୁମ୍ଭେ ମାନେ ମୋର ଏତିକି କଥା ମନେ ରଖି ତୁମ ମାନଙ୍କୁ ପାଳନ କରିବାକୁ ହେବ । ଛଅ ରାଣୀ ଯାକ କହିଲେ କି ଅଭିଲା କଥା ଲୋ ୟେ । ଆମେ ଛଅ ରାଣୀ ଯାକ ବାଞ୍ଝ ଥିଲୁ । ସେଥି ଲାଗି ଆମ ରାଜାଙ୍କ ମନରେ ଯେଉଁ ଦାରୁଣ ଦୁଃଖ ଥିଲା ତୁ ଆସିଲାରୁ ତାହା ଦୂର ହେଲା । ଜାଣ ରାଜାଙ୍କର କୁଳ ତୁ ବଂଚେଇ ରଖିଲୁ । ତୋର ଏପରି ଉପକାରକୁ ସାତ ଥର ଜନ୍ମ ହେଲେ ମଧ୍ୟ ଆମେ ମାନେ କେହି ଶୁଝି ଦେଇ ପାରିବୁ ନାହିଁ । ଏଥିରେ ତୋ ପାଇଁ ଆମେ ଅପକାର ଚିନ୍ତା କରିବୁ କିପରି । କହ ଆମକୁ ଯାହା କରିବାକୁ ହେବ ତାହା କହ ।

ସାନ ରାଣୀ ପଦ୍ମାବତୀ କହିଲା – ମୁଁ ତୁମକୁ ଯେଉଁ ମନ୍ତୁରା ପାଣି ଦେବି ତାକୁ ତୁମେ ମୋ ଉପରେ ଛିଂଚି ଦେଲେ ମୁଁ ଫୁଲ ଗଛ ହୋଇ ଯିବି ଆଉ ଫୁଲ ଫୁଟିବି । ପୁଣି ସେହି ମନ୍ତୁରା ପାଣିକୁ ଫୁଲ ଗଛ ମୂଳରେ ଢାଳି ଦେଲେ ମୁଁ ପୁଣି ମଣିଷ ହୋଇ ଯିବି । ତାହା ନକରି ଯେବେ ତୁମେ ଏହି ମନ୍ତୁରା ପାଣିକୁ ନେଇ ଅନ୍ୟ ଆଡେ ଢାଳି ଦେବ ତାହା ହେଲେ ମୋ ଜୀବନ ଶେଷ ହୋଇ ଗଲା ବୋଲି ଜାଣିବ । ତା’ପରେ ତୁମେ ମାନେ ମଧ୍ୟ ଏପରି ଅପକାର କରି ଥିବା କାରଣରୁ ପଥର ପାଲଟି ଯିବ । ଏହି ହେଉଛି ମୋ ଲାଗି ସ୍ଥାନୀୟ ଦେବତାଙ୍କର ଅଭିଶାପ । ଦେଖ – ଆଗରୁ ତ ଛଅ ରାଣୀ ଯାକ ହିଂସାରେ ଅନ୍ଧ ହୋଇ ଯାଇ ଥିଲେ, ସେମାନେ ସେଦିନ ସାନ ରାଣୀ ପଦ୍ମାବତୀଙ୍କ ଆଗରେ ମାୟାରେ ଖୁବ୍ ଆପଣାର ପରି କଥା କହିଲେ – ପଦ୍ମାବତୀଙ୍କ ସେମାନଙ୍କ ଉପରେ ବିଶ୍ୱାସ ହେବାରୁ ବଡ ରାଣୀ ମାନଙ୍କୁ ମନ୍ତୁରା ପାଣି ଦେବାରୁ ପାଣି ଛିଂଚି ଛଅ ରାଣୀ ଯାକ ପଦ୍ମାବତୀଙ୍କୁ ଫୁଲ ଗଛ କରି ଦେଲେ । ପଦ୍ମାବତୀ ଗଛ ହୋଇ ଗଛରେ ଅସୁମାରୀ ଫୁଲ ଫୁଟାଇଲେ । ଆଉ ମଧ୍ୟ ସେହି ଫୁଲ ଗୁଡିକ ଗୋଟିକ ପରେ ଗୋଟିଏ ତଳେ ପଡିଲେ ।

ଏହା ପରେ ତଳେ ପଡିଥିବା ଫୁଲ ଗୁଡିକୁ ଦେଖି ବଡ ରାଣୀ ସ୍ୱାର୍ଥରେ ଅନ୍ଧ ହୋଇ ଯାଇ ବଳକା ମନ୍ତୁରା ପାଣିକୁ ନେଇ ବାହାରେ ଫିଙ୍ଗି ଦେବାରୁ ଫୁଲ ଗଛଟି ସଙ୍ଗେ ସଙ୍ଗେ ମରି ଗଲା । ବଡ ରାଣୀ ଯେଉଁ ଠାରେ ଠିଆ ହୋଇଥିଲେ ସେହି ଠାରେ ପଥର ହୋଇ ଗଲା । ସେହି ପରି ଅନ୍ୟ ରାଣୀ ମାନେ ମଧ୍ୟ ଆପେ ଆପେ ପଥର ପାଲଟି ଗଲେ । ତାପରେ ମରି ଯାଇ ଥିବା ପଦ୍ମବୃକ୍ଷରୁ ସୁବର୍ଣ୍ଣର ପଦ୍ମ ଫୁଲ ଗୁଡିକ ଗୋଟି ଗୋଟି ହୋଇ ତଳେ ଝଡି ପଡିଲା । ମରି ଯାଇ ଥିବା ବୃକ୍ଷ ଖୁବ୍ କାନ୍ଦିଲା । ଦୁଇ ମାସର ମାତ୍ର କଅଁଳ ପୁଅ କୃଷ୍ଣ କୁମାରକୁ ବିଳପି ହେଲା । ଏଣେ ରାଣୀ ଉଦ୍ୟାନରେ ଏତେ ସବୁ ଘଟି ଯିବା ପରେ ପ୍ରଥମେ ସେହି ରାଜ ନଅରର ପ୍ରଧାନ ଦାସୀଙ୍କ କାନରେ ଯାଇ ଏହି ସମ୍ବାଦ ପହଁଚିଲା । ଦାସୀ ଯାଇ ସଙ୍ଗେ ସଙ୍ଗେ ରାଜାଙ୍କୁ ଜଣାଇ ଦେବାରୁ ରାଜା ତହୁଁ ମନ୍ତ୍ରୀ, ସେନାପତି, କଟୁଆଳ, ସେନା, ସେବକ ମାନଙ୍କୁ ଧରି ରାଣୀ ଉଦ୍ୟାନରେ ପ୍ରବେଶ ହୋଇ ଏ ସବୁ ଘଟଣା ଦେଖି ଧୈର୍ଯ୍ୟ ହରା ହୋଇ ପଡିଲେ । ଏହି ସବୁ ଦୁଃଖକୁ ସହ୍ୟ କରି ନପାରି ନିଜର ଶାଣିତ ତରବାରୀ ଦ୍ୱାରା ନିଜେହିଁ ନିଜର ଶିରକୁ ଛେଦନ କଲେ ।

ଏପରି କାରଣରୁ ସେହି ରାଜ ବଂଶର ସମାପ୍ତ ହୋଇ ଗଲା । ସେହି ରାଜ ବଂଶର ଉତ୍ତରାଧିକାରୀ ଭାବରେ ରହିଲେ କୃଷ୍ଣ କୁମାର । ସେ ରାଜ୍ୟର ମନ୍ତ୍ରୀ ଥିଲେ ଖୁବ୍ ଉଦାର, ବିଚାର ବନ୍ତ ରାଜ କର୍ମଚାରୀ । ତହୁଁ ସେ ରାଜ କୁମାର କୃଷ୍ଣ କୁମାରଙ୍କୁ ସାଙ୍ଗରେ ନେଇ ରାଜ ନଅରକୁ ଫେରି ଗଲେ । ରାଜ କୁମାରଙ୍କୁ ପାଖରେ ରଖି ତାଙ୍କର ଲାଳନ ପାଳନ କଲେ । କୁମାରଙ୍କୁ ସେ ସେହି ରାଜ୍ୟର ରାଜା ମନେ କରି ମନ୍ତ୍ରୀ ରାଜ୍ୟର ହାନି ଲାଭ ଦାୟିତ୍ୱ ତୁଲାଇଲେ । ଏଥୁ ଅନ୍ତେ ରାଜ ପୁତ୍ର କୃଷ୍ଣ କୁମାର ବଡ ହୋଇ ଗଲେ । ନିଜର ଜନ୍ମ ଓ ମାତାଙ୍କର ମୃତ୍ୟୁ ସମ୍ବାଦ ଦାସୀ ମାନଙ୍କ ଠାରୁ ଶୁଣିବା ପରେ ଯାଇ ସେ ନିଜେ ରାଜଗାଦିରେ ବସିଲେ । ଏହା ପରେ ପରେ ସେ ମନ୍ତ୍ରୀଙ୍କୁ ଡକାଇ ଆଦେଶ ଦେଲେ ଯେ ମୃତ୍ୟୁ ହୋଇ ଯାଇ ଥିବା ରାଣୀ ମାନଙ୍କୁ ସଜାଇ ରାଜବାଟୀର ଏକ ବିରାଟ ସିଂହ ଦ୍ୱାର ନିର୍ମାଣ କରା ଯାଉ ଓ ମୋ ମାଆଙ୍କର ସୁବର୍ଣ୍ଣ ପଦ୍ମ ଗୁଡିକ ସେହି ସିଂହ ଦ୍ୱାର ଉପରେ ସୁରକ୍ଷିତ ଭାବରେ ସଜାଇ ରଖା ଯାଉ ଓ ସୁବର୍ଣ୍ଣର ପଦ୍ମ ଉପରେ ଜଗତ ଜନନୀ ମା’ ଦୁର୍ଗାଙ୍କର ମୂର୍ତ୍ତି ସ୍ଥାପନ କରି ପ୍ରତିଦିନ ପୂଜା କରିବା ନିମନ୍ତେ ଜଣେ ବ୍ରାହ୍ମଣଙ୍କୁ ରଖା ଯାଉ ।

ଯୁବରାଜ କୃଷ୍ଣ କୁମାରଙ୍କର ଆଦେଶ ପାଇବା ପରେ ରାଜ୍ୟର ମହାମାନ୍ୟ ମନ୍ତ୍ରୀ ମହାଶୟ ଯଥାବିଧି ରାଜ ନଅରର ପ୍ରବେଶ ଦ୍ୱାରରେ ବିରାଟକାୟ ସିଂହ ଦ୍ୱାର ନିର୍ମାଣ କରି ସୁବର୍ଣ୍ଣ ପଦ୍ମ ଉପରେ ଦୁର୍ଗାଙ୍କର ପୂଜା ବିଧିର ବ୍ୟବସ୍ଥା କରି ଦେଲେ । ଆଉ ମଧ୍ୟ ସେହି ଦିନ ଠାରୁ ଶତାଧିକ ପ୍ରହରୀ ସିଂହ ଦ୍ୱାରକୁ ଜଗୁ ଅଛନ୍ତି ।

Odia Galpa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleକାହାଣୀରେ ଅବୋଲକରା/ Kahanire Abolakara
Next Article ନାରୀ ମାୟା ଦେବେ ଅଗୋଚର/Nari Maya Debe Agochara
suchitra

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.