ରାମହରି ପଟ୍ଟନାୟକେ ଥିଲେ ପୋଲିସର ଦାରୋଗା । ସାଲେପୁର ପ୍ରଗନା ଗୋପୀନାଥପୁର ଗାଁରେ ସେ ଜଣେ ଖୁବ୍ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକେ ପରାମର୍ଶ ଲୋଡିବାକୁ ତାଙ୍କ ପାଖକୁ ଧାଇଁଆସନ୍ତି । ପଂଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରିବାବୁ ଆସିବେ, ତେବେ ଯାଇ କଥା ପଡିବ । ବାବୁ ପେନ୍ସନ୍ ପାଇ ପାଂଚବର୍ଷ ଯାଏଁ ଘରେ ବସିଥିଲେ । ତାଙ୍କ ବିୟୋଗ ବେଳକୁ ତାଙ୍କ ପୁତ୍ର ଶିବସୁନ୍ଦରର ବୟସ ମାତ୍ର ଦଶ । କନ୍ୟା ଚମ୍ପାଦେଈକୁ ପାଂଚବର୍ଷ ପଶିଥିଲା । ବିଧବା ବିମଳାଦେଈ ତ ବଡ ଦୟାବତୀ, ବଡ ହେଙ୍ଗ୍ଲୀ, ବଡ ସରଳା ଥିଲେ । ଏବେ ବଡ ଦୁଃଖରେ ପଡି ସେ ବଡ ଘରଣୀ ହୋଇପଡିଲେଣି । ପିଲା ଦିଓଟି ଆଉ ଘରକରଣା ସମ୍ଭାଳି ସୁମ୍ଭଳି ସେ ରଖିଥିଲେ । ରାମହରିବାବୁଙ୍କର ଦରମା ଉପୁରି ସୁପୁରି ମିଶାଇ ବେଶ୍ ଦଶଟଙ୍କା ରୋଜଗାର ଥିଲା । ହେଲେ କ’ଣ ହେବ, କିନ୍ତୁ ସେ ମଣିଷଟା ଥିଲେ ବଡ ସାହାଖର୍ଚ୍ଚା । ତୁଚ୍ଛା ହାତରେ ସେ ମରିଛନ୍ତି । ବିମଳାଦେଈ ଲୁଚାଛପା କରି ହାତରେ ଯେ ଦଶଟଙ୍କା ରଖିଥିଲେ, ଆଉ ତାଙ୍କ ଦେହର ଗହଣାଗାଣ୍ଠି ଦି’ଖଣ୍ଡ ବିକାବିକି କରି ଆଜିଯାଏଁ ସେ ଘର ଚଳାଇନେଲେ । ଆଉ ଆଉ ଖରଚ ଟାଣଟୁଣ କରି ପୁଅଟିର ପାଠପଢାରେ ସେ ସବୁ ସାରିଛନ୍ତି । ସବୁବେଳେ ସେ ବୋଲୁଥାନ୍ତି, “ଶିବୁ ଦି’ଅକ୍ଷର ପଢୁ, ଦେହରେ ଗୁଣ ଥିଲେ କାଲି ସକାଳେ ଘରକରଣା ସେ କରି ବସିବ ।”
ଝିଅ ଚମ୍ପାଟି ଦେଖିବାକୁ ବେଶ୍ ଡୌଲ । ନାକଟି ଖଣ୍ଡାଧାର ପରି ତାର ସିଧା; କଳା କଳା ବଡ ବଡ ଆଖି ଯୋଡିକ ତାର ଢଳଢଳ ହୋଇ ଦିଶୁଥାଏ । ତା’ମୁଣ୍ଡର ଅଳକା ଆଉ ଦାନ୍ତଗୁଡିକ ସୁନ୍ଦର ମୁହଁଟିକୁ ସୁନ୍ଦର ମାନେ । କୁଙ୍କୁମ ବୋଳି ଦେଲାପରି ସେ ଚମ୍ପା ଦେହଟିର ରଙ୍ଗ – ଯିମିତି ରୂପ, ସିମିତି ଗୁଣ । ମା’ ପାଖରୁ ବେଶ୍ ରନ୍ଧାବଢା ଶିଖିଛି ସେ । ଆଉ ଆଉ ଗୁଣରେ ତାକୁ କେହି ବି ବାରିପାରିବେ ନାହିଁ । ଶିବୁଭାଇ ଶ୍ରଦ୍ଧା କରି ତାକୁ କିଛି ପାଠ ପଢାଇ ଦେଇଛନ୍ତି । ହାତରେ କାମ ପାଇଟି ନ ଥିଲେ ସଞ୍ଜବେଳେ ମା’ ପାଖରେ ସେ ବସି ‘କୃପାସିନ୍ଧୁ ବଦନ’ ଆଉ ଛାନ୍ଦମାଳାରୁ କେତେ ଗୀତ ବୋଲେ । ଶିବୁବାବୁ ସଦର କଚେରିରେ କିରାଣିଗିରି କାମ କରନ୍ତି । ଚାକିରିଖଣ୍ଡିକ ପାଇଲା ଦିନରୁ ତାଙ୍କର ଭାରି ଇଚ୍ଛା – ଅଳ୍ପଅଳ୍ପ ଦରମା ଦେଇ ପିଲାଭଳିଆ ଗୋଟିଏ ରୋଷେୟା ରଖିଲେ ମା’ ଟିକିଏ ଆରାମରେ ରହିବେ । ମାତ୍ର ବିମଳାଦେଈ ଏକଥା ଶୁଣି ନିହାତି ନାରାଜ । ଚାଉଳ ଅଧସେର ଫୁଟାଇଦେଲେ ତ ପାଇଟି ଛିଡିଲା । ପିଲାଟା କେତେ ଦରମା ପାଏ ଯେ ଖର୍ଚ୍ଚଟା ବଢାଇ ବସିବ?
ଦିନ ପାଣିପରି ବହିଯାଉଛି । ଆସନ୍ତା ବିଛା ଛ’ଦିନକୁ ଚମ୍ପାକୁ ବାର ପୂରି ତେର ବର୍ଷ ପଶିବ । ତେଣିକି ଚଉଦ । ଯୋଡା ବୟସ ପଶିଲେ ବାହା ମନା । ଏହି ବର୍ଷ ବିଭା ନ ହେଲେ ନ ଚଳେ । କରଣଘର ବୋଲି ଝିଅଟାକୁ ଥୁବୁଡୀ କରି ଘରେ ରଖିବା ନିହାତି ନିଲଠାପଣ କଥା । ଘର ଭଲ, କନ୍ୟାଟି ସୁଲକ୍ଷଣୀ, ତେଣୁ ଭଲ ଭଲ ଜବାବ୍ ଆସିଲାଣି । ବିମଳାଦେଈଙ୍କର ତୁରନ୍ତ ଜବାବ, ନା । ଯେ ଯେତେ ବୁଝାଉ, ତାଙ୍କର ଏକା ରା – ନା ।
ଦିନେ ସଞ୍ଜବେଳେ ବିମଳାଦେଈ, ଆନୀପିଉସୀ ଆଉ ଶିବୁବାବୁଙ୍କୁ ପାଖରେ ବସାଇ ଆପଣା ମନ କଥା ଫିଟାଇ କହିଲେ, ‘ଦେଖ ପିଉସୀ, ଝୁଅକୁ ଜୁଆଇଁ ନେଲେ ଗଲା, ଯମ ନେଲେ ମଲା ।’ ବଡଲୋକ ଦେଖି ଦୂରଦୂରାନ୍ତରକୁ ଝିଅଟାକୁ ପେଲିଦେବି, ଆଉ ତ ଆଖି ସୁଲଭ ଦେଖିପାରିବି ନାହିଁ । କରଣକୁଳ ଯେ ଗଲା, ଏକମୁହାଁ ସେହି ଗଲା । ମୋର ଦିଓଟି ଆଖି, ଗୋଟିଏ ଗଲେ କଣା ହୋଇ ମୁଁ ମରିଯିବି ଯେ! ଇମିତି ଆଖପାଖରେ ତାକୁ ଦେବି ଯେ ଯିମିତି ଡାକିଦେଲେ ସେ ‘ଓ’ କରୁଥିବ । ଏ ତ ଗଲା ଗୋଟାଏ ବାଡ । ଅସଲ କଥା, ମୁଁ ସତ୍ୟ ଲଙ୍ଘିବି ନାହିଁ । ବାବୁମାନେ ଆଉ ବଉଳ ଚାଲିଯାଇ ସ୍ୱର୍ଗରେ ଅଛନ୍ତି, ମୁଁ ନରକରେ ଯାହା ଖାଲି ଘାଂଟି ହେଉଛି! ସତ୍ୟ ଲଙ୍ଘିଲେ ମୋତେ ନରକରେ ବି ଠାବ ହେବ ନାହିଁ ।
ରାମହରିବାବୁ ଚାରିଘର ଛଡା ପଡୋଶୀ ନବଘନ ଦାସେ ପୋଲିସର ଜମାଦାର ଥିଲେ । ଗୋଟିଏ ଥାନାରେ ଏକ ସାଙ୍ଗରେ ଚାକିରିରେ ଢେର୍ ଦିନ ସେମାନଙ୍କର ବିତିଯାଇଥିଲା । ନବଘନବାବୁଙ୍କ କୁଟୁମ୍ବ ମଧ୍ୟରେ ତାଙ୍କ ଭାର୍ଯ୍ୟା କମଳା ଦେଈ, ଆଉ ଗୋଟିଏ ପୁଅ ଦିବାକର । ସେ ଦୁଇ ବାବୁଙ୍କ ମଧ୍ୟରେ ଯିମିତି ମନ ମିଳେଇ ଖୁବ୍ ଭାବ । ଏଣେ ଘରଆଡେ ବିମଳାଦେଈ ଆଉ କମଳାଦେଈଙ୍କ ମଧ୍ୟ ସିମିତି ମିଳାପ, ସିମିତି ଏକ ମନ । ସେ ଦୁଇଜଣ ଯେତେବେଳେ ଭୁଆସୁଣୀ ଥିଲେ, ରୋଜ ସକାଳେ ବାଡିଆଡେ ପୋଖରୀ ତୁଠରେ ଘଡିଏ ଯାଏଁ ବସି ସେମାନେ ଦାନ୍ତ ଘଷନ୍ତି, ଆଉ ଦୁଃଖସୁଖ କଥା, ହସଖୁସି କଥା, ରନ୍ଧାବଢା କଥା, ଘରକରଣା କଥା ହୁଅନ୍ତି । ଦୋଳପୂର୍ଣ୍ଣିମା ଦିନ ସେ ଦୁଇଜଣ ଆମ୍ବ ବଉଳ ବସିଥିଲେ । ଚମ୍ପା ଯେତେବେଳେ ପେଟରେ ଥାଏ ସେତେବେଳେ କମଳାଦେଈ କହିଲେ, “ବଉଳ, ତମର ଯେବେ ଗୋଟିଏ ଝିଅ ହେବ, ମୋ ଦିବକୁ ତାକୁ ଦେବ ।” ଏହା ଶୁଣି ବିମଳାଦେଈ କହିଲେ, “ହଁ, ବଉଳ ଦେବି ।” କମଳାଦେଈ, ‘ସତ୍ୟ’?’ ବିମଳା, ‘ସତ୍ୟ ।’ କମଳା ‘ସତ୍ୟ?’ ବିମଳା, ‘ସତ୍ୟ ।’ କମଳା, ‘ସତ୍ୟ?’ ବିମଳା, ‘ସତ୍ୟ’ । ତିନି ସତ୍ୟ ଉତ୍ତାରେ ଆଉ କଣ କିଛି କଥା ଥାଏ? ନବଘନବାବୁ, କମଳା ଦେଈ ଚାଲିଯାଇଛନ୍ତି । ବର୍ତ୍ତମାନ ତାଙ୍କ ପୁଅ ଦିବାକର ଘରକୁ ଏକୁଟିଆ । ପିଲାଟା ଯୋଗା ଇଂରାଜୀ ବି ଦି’ଅକ୍ଷର ଜାଣେ । ଯୁବା ବୟସ । ଦେଖିବାକୁ ସେ ଭାରି ସୁନ୍ଦର । କାକଟପୁର ଜମିଦାର ସିରସ୍ତାର ନାଏବ ସେ । ବିମଳାଦେଈ ସେ ସତ୍ୟକୁ ହୃଦୟରେ ଲେଖି ରଖିଛନ୍ତି । କହିଲେ, ‘ମୁଁ ସତ୍ୟ ଲଙ୍ଘିବି ନାହିଁ, ଛେଉଣ୍ଡ ପିଲାଟିକି ଥାଏ କରିବି ।’ ବିଭା ହୋଇଗଲା । ଦିବାକର-ଚମ୍ପା ମାଣିକଯୋଡା ପରି ପରମ ସୁଖରେ ଘରେ ଥା’ନ୍ତି । ସେ ଦୁଇଜଣଙ୍କ ଏକ ମନ, ଏକ କଥା, ଏକ ଇଚ୍ଛା । ପୃଥିବୀରେ ସ୍ୱର୍ଗୀୟ ସୁଖ ଯେବେ କିଛି ଥାଏ ସେଇଟା ହେଲା ଦାମ୍ପତ୍ୟ-ପ୍ରେମ ।
ମା’ ବିମଳା ଦେଈ ଏଣିକି ଅଡି ବସିଲେଣି, ଘରକୁ ବୋହୂଟିଏ ଆଣିବାକୁ ହେବ । ଦିନେ ରବିବାର, କଚେରି ବନ୍ଦ, ପୁଅ ଘରେ ଅଛି । ଶିବୁବାବୁ ବସି ଖଣ୍ଡିଏ ପୋଥି ପଢୁଥିଲେ । ବୁଢୀ ଧୀରେ ଧୀରେ ଯାଇ ତା ପାଖରେ ବସିଲେ । କଅଁଳେଇ କଅଁଳେଇ ତାକୁ କହିଲେ, “ଆରେ ବାପା ଶିବୁ! ଆଜିକି ପାଂଚ ବରଷ ହେଲା ତୋ ସାଙ୍ଗରେ ମୁଁ ଲାଗିଛି; କେତେଥର କହିଲି, ହେଲେ ତୁ ତ କିଛି ବି ଶୁଣିଲୁ ନାହିଁ । ପହିଲୁ ପହିଲୁ ତୁ କହିଲୁ, ପାଠ ପଢିସାରିଲେ ବାହା ହେବୁ । ପଢା ସରିଲା । ଫେର୍ ଧରିଲୁ, ଚାକିରି କଲେ ବାହାଘର ହେବୁ । ଚାକିରି ବି ହେଲା । କାହିଁ, ବାହାଘର ନାଁ-ଚର୍ଚ୍ଚା ବି ନାହିଁ । ମୋର କ’ଣ ଆଉ ବଳ-ବୟସ ଆସୁଛିକିରେ? ମୁଁ କ’ଣ ଆଉ କାମପାଇଟିକି ପାରିବିରେ? ବିଦା ମା’ ସିନା ବାହାର ଘରକାମ ପାଇଟି କରିଦେଇଗଲା; ହେଲେ ଭିତର ପାଇଟି ରନ୍ଧାବଢା କରୁଛି କିଏ? ଏଣିକି ସଞ୍ଜ ହେଲା ତ ମୋ ଆଖିକି କିଛି ବି ଦିଶିବ ନାହିଁ । ପାଖ ଜାଗା ହାବୁଡି ପଡିବି, କାମ ପାଇଟି ହାତକୁ ଲାଗିବ ନାହିଁ । ଦିନେ ଦିନେ ଦିହପା’କୁ ଲାଗିଲେ ଚମ୍ପା ଆସି ଦି’ଟା ସିଝାସିଝି କରିଦେଇଯାଏ । ସେ କ’ଣ ଏମିତି ସବୁଦିନେ ଆସୁଥିବ? ଯେତେ ହେଲେ ବି ସେ ହେଲା ପରଘରୀ, ତାର ଫେର୍ ଘରକରଣା ଅଛି ନା? ପୁଣି ସେ ତା ଘରକୁ ଏକୁଟିଆ । ଶାଶୁ ନଣନ୍ଦ କେହି ନାହିଁ ବୋଲି ସିନା ଯେତେବେଳେ ପାରେ ସେ ଧାଇଁଆସେ, ନୋହିଲେ କଣ ସେ କେବେବି ଆସିପାରନ୍ତା? ଆଉ ଦେଖ, ତିନି ପ୍ରସ୍ତ ଘର । ମୁଁ ଗୋଟାଏ କଣରେ କେଉଁଠି ପଡି ରହିଥାଏଁ, ତୁ କଚେରିକୁ ବାହାରିଗଲେ ଏ ଘରଗୁଡାକ ମତେ କିମିତିକା ଖାଁ ଖାଁ ଗୋଡାଏ । ଏହି ଘର ଦିନେ କ’ଣ ଥିଲା, ଆଉ ଆଜି କଣ ହେଲା! ହାଇରେ – ହା! ମୁଁ ଆଉ କେତେ କାଳ ବଂଚି ରହିବି ରେ! ମତେ ଟିକିଏ ଅନାରେ ଭଲା! ସେ ନାହାଁନ୍ତି ବୋଲି ସିନା, ନହେଲେ ତୁ କଣ ଆଜିଯାଏଁ ଆଉ ଅଭିଆଡା ହୋଇ ବସିଥାନ୍ତୁ?” ବୁଢୀ ଆଉ କିଛି ବି କହିପାରିଲେ ନାହିଁ । ଧକେଇ ଧକେଇ କାନ୍ଦି ବସିଲେ, ସଁ ସଁ କରି ନାକ ପୋଛି ପକାଉଥାନ୍ତି ।
ମା’ଙ୍କ ଏଭଳି ଦୁଃଖ ଦେଖି ଶିବୁବାବୁଙ୍କ ମନରେ ଭାରି ଦୁଃଖ ହେଲା । ପୋଥିଖଣ୍ଡିକ ମେଜ ଉପରେ ଥୋଇଦେଇ ସେ ଆନୀଆଈ ଦୁଆରକୁ ଚାଲିଗଲେ । ଆନୀ ଆଈ ଲେଖାଯୋଖାରେ ବିମଳା ଦେଈଙ୍କର ପିଉସୀ । ଶିବୁ ଆଉ ଚମ୍ପାକୁ କୋଳରେ କାଖରେ କରି ବଢାଇଛି ସେ । ବିମଳା ଦେଈ ତାକୁ ମା ପରି ମାନନ୍ତି, ଆନୀ ବି ବିମଳା ଦେଈଙ୍କୁ ଝିଅପରି ମଣେ, ତାକୁ ଖୁବ୍ ଭଲପାଏ । ସବୁକଥାରେ ସାହା ହୁଏ । ଆନୀ ଘର ଆଉ ବିମଳାଦେଈ ଘର ପାଚିରି ଲଗାଲଗି, ଯାହା ଖାଲି ଦୁଆର ଭିନ୍ନ । ଆନୀ ଆଈ ବଂଶଲତା ଆମ୍ଭେମାନେ ପାଇ ନାହୁଁ । ଏଥିକୁ ଉପର ପୁରୁଷର କାହାରି ପରିଚୟ ଦେବାକୁ ଅକ୍ଷମ । ବିଭା-ପ୍ରସଙ୍ଗରେ ଆଈ ନାତି ମଧ୍ୟରେ ଢେର୍ କଥାଭାଷା ହେଲା । ଆଈ କହିଲେ, “ଆଚ୍ଛା ଶିବୁ, ତତେ ଗୋଟିଏ ଭଲ ସୁନ୍ଦରୀ ବୋହୂ ଆଣିଦେବି, ମାଣିଆବନ୍ଦି ଲୁଗାଟିଏ ତାକୁ ପିନ୍ଧାଇବୁ ଏକା!”
ବୟସ ଥିବାବେଳେ ସେ ଆନୀଆଈ ବଡ କଳିହୁଡୀ ଥିଲା । ପର ଉପକାର କରିବାକୁ, ଭାବ କରିବାକୁ ବି ସେ ଆଗ । ବୁଦ୍ଧିମତୀ, ଦରକାର ପଡିଲେ ଗୋଟିଏ ଠକବୁଦ୍ଧି ଫାନ୍ଦିଦେବାକୁ ବି ଖୁବ୍ ପାରେ ସେ । ରାଣ୍ଡ ମାଇକିନିଆଟିଏ ହେଲେ କଣ ହେଲା, ଭୁଲଭଟକାରେ ଗାଁଲୋକେ ତାକୁ ପରାମର୍ଶ ପଚାରନ୍ତି । ଉଛୁଣି ସେ ଆଈ ତ ବଡ ବୁଢୀ ହୋଇଗଲାଣି । ବାଡି ଖଣ୍ଡିଏ ଧରି ଠୁକୁରୁ ଠୁକୁରୁ କରି ସେ ବାହାରିଲା । ଦାଣ୍ଡ ଦୁଆରୁ “ରେ ବିମଳା! ରେ ମା ବିମଳା!” ଡାକି ଡାକି ଯାଇ ସେ ତା’ ଝିଆରୀ ପାଖରେ ବସିଲା । ଏ କଥା ସେ କଥା, ଦୁଇଟା କଥା ବାଦେ ସେ କହିଲା, “ଆରେ ମା! ଶିବୁ କହୁଛି, ସେ ବାହା ହେବ । ହଁ, ସେ ଭଲଲୋକ ଘର ଝିଅଟିଏ ହୋଇଥିବ, ଦି’ଅକ୍ଷର ପାଠ ବି ସେ ପଢିଥିବ, ଇମିତିକା କନ୍ୟାଟିଏ ପାଇଲେ ଯାଇ ସେ ବାହା ହେବ ।” ଶିବୁବାବୁଙ୍କର ଆଉ ଗୋଟିଏ କଥା କନ୍ୟାଟି ସୁନ୍ଦରୀ ହୋଇଥିବ, ଆଈ କିନ୍ତୁ ଏ କଥାଟା ଝିଆରୀକୁ କହିଲେ ନାହିଁ । ଏକା ଶିବୁବାବୁ କିଆଁ, ସୁନ୍ଦରୀ କନ୍ୟା ବିଭା ହେବାକୁ କାହାର ବା ଇଚ୍ଛା ନ ବଳେ? ପାଠକପାଠିକା ବୋଲନ୍ତୁ ଭଲା, ଏ କଥାଟା କଣ ମିଛ? ଏତକ କଥା ଶୁଣି ସେ ବିମଳା ଦେଈ ମହାଆନନ୍ଦରେ ପିଉସୀକୁ କୁଣ୍ଢାଇ ପକାଇ କହିଲେ, “ପିଉସୀ, ତୁ ଟିକିଏ ଲାଗି ଯା, ତୋଛଡା ମୋର ବା ଆଉ କିଏ ଅଛି ଦେଖି କହିଲୁ? ବାପଛେଉଣ୍ଡଟି ଲାଗି କିଏ ଧାଇଁବ? ଯାହା କରିବେ ଜୁଆଇଁବାବୁ । ମୁଁ ତ କହିବି ନାହିଁ, ତୁ ଯା ତାଙ୍କୁ କହିବୁ, ସେ ଖୋଜାଲୋଡା କରି ଘଟଣା କରିଦିଅନ୍ତୁ । ଚମ୍ପାକୁ କହିବି, ସେ ବି ଜୁଆଇଁବାବୁଙ୍କୁ ଏକଥା କହିବ । ଯେତେହେଲେ ବି ସେଇଟା ହେଲା ପିଲାଲୋକ । କହିଜାଣିବ ନାହିଁ । ତେଣୁ ତୁ ଯା ତାଙ୍କୁ ବୁଝେଇ ବାଝେଇ କହିବୁ ।”
ଦିବୁବାବୁ ବର୍ତ୍ତମାନ ମହା ହଇରାଣରେ ପଡିଲେଣି । ଉଠୁଣୁ ବସୁଣୁ ଚମ୍ପା ଖାଲି ତାଙ୍କ ସାଙ୍ଗରେ ଲାଗିଛି । “ମୋ ଭାଇ ପାଇଁ ଗୋଟିଏ କନ୍ୟା ଠିକଣା କରିଦିଅ ।” ଦିବୁବାବୁ ବାହାରୁ କୁଆଡୁ ବୁଲିଆସି ଘରେ ଗୋଡ ଦେଇଥିବେ କି ନାହିଁ, ଚମ୍ପା ହଠାତ୍ ଧାଇଁଆସି ତାଙ୍କୁ ପଚାରିବ, “କଣ, କନ୍ୟା ଠିକଣା ହେଲା?” ମଲା ଯା! ଏ କନ୍ୟାଟାଏ କଣ ପଡିଆରେ ପଡିଛି ଯେ ଧାଇଁଯାଇ ତାକୁ ଗୋଟାଇ ଆଣିଲେ ହେଲା? ଏହିପରି ଭାବେ ସେ ଚମ୍ପାଟା ଖାଲି ଜୋକ ପରି ଲାଗି ରହିଛି ।
ଦିବୁବାବୁ ଜମିଦାର ନାଏବ । ମଫସଲର ତ ସବୁ ଖବର ତାଙ୍କୁ ଜଣା । ପାଂଚ ଜାଗାକୁ ଖବର ପଠାଇଲେ । ଦୁଇ ପକ୍ଷରୁ ବି ଲୋକ ଯା-ଆସ କଲେ । ହେଲେ କଥା ପଟିଲା ନାହିଁ, ଭାଙ୍ଗିଗଲା । ଶେଷରେ ପ୍ରସଙ୍ଗ ଚଳିଲା ଦୁମ୍ଦୁମ୍ପୁରରେ କନ୍ୟାଟିଏ ଘରଯୋଗ୍ୟା ହେଲାଣି । ବୟସ ତା’ର ସତର ବରଷ ଚାଲିଛି । ବିଧବାର ଝିଅ ସେ । ତା’ର ବଡଭାଇ ବଳରାମ ଦାସେ ସେ ଗାଁର ଅବଧାନ ।
ସବୁ ପ୍ରସଙ୍ଗ ଶୁଣି ଶିବୁବାବୁ ଟିକିଏ ମୋଡମୋଡ ଦେଉଥିଲେ । କନ୍ୟାଟି ବଡଲୋକର ଝିଅ ଆଉ ସୁନ୍ଦରୀ ହୋଇଥିବ, ଏଇଟା କିଏ ବା ନ ଲୋଡେ? ହେଲେ ସେଇଟା କଣ ସମସ୍ତଙ୍କ କପାଳକୁ ଘଟିଥାଏ? ବିଭା କଥାଟା ଜାଣ ପ୍ରଜାପତି ଘଟସୂତ୍ର କଥା । ତାଙ୍କ ନିର୍ବନ୍ଧକୁ କିଏ ବା ମେଂଟିବ? କଥାରେ ପରା ଅଛି, କନ୍ୟା ଯା ଈଶାଣରେ ଚାଉଳ ଦେଇଛି ଧରିବାନ୍ଧି ସେ ସେଇଠିକି ହିଁ ଯିବ । ଶିବୁବାବୁ ଆଖି ଫେରାଇ ଦେଖିଲେ, ଆଉ କେଉଁଠି ବି ଠିକଣା ନାହିଁ । ଏଣେ ମା’ ତ ହେଲେଣି ଅଥୟ । କଣ କରିବେ ସେ? ଶେଷରେ ରାଜି ହୋଇଗଲେ ସେ । ଏଥର ସେ ବିମଳାଦେଈଙ୍କ ଆନନ୍ଦ ଆଉ ଦେଖେ କିଏ? ଭୋକିଲା ଲୋକକୁ ପେଜମନ୍ଦାକ କି ଅମୃତ! ବୋହୂ ବୋହୂ ଭଜି ହେଉଥିଲେ! ବୋହୂ ଠିକଣା ହେଲା, ଆଉ କ’ଣ? ଚମ୍ପା ମନରେ କଲା, ‘ପାରିଲା ବୋହୂ ଆସିବ, ତେଣୁ ଏକାବେଳେ ସେ ଯାଇ ହାଣ୍ଡିଶାଳରେ ପଶିଯିବ, ମା’ ଖଲାସ ପାଇଲେ, ଭଲ ହେଲା ।’
ଦିବୁବାବୁ ଖବର ଆଣିଲେ, କନ୍ୟା ଦେହ ବର୍ଣ୍ଣ ଟିକିଏ କଳା, ତା ନାମ – ନିମା । ନାମଟା ବିଚିକିଟିଆ କିଆଁ? ସେଥିରେ ମଧ୍ୟ ଖବର ଆସିଲା । କନ୍ୟାର ଉପର ଦୁଇ ଭାଇ ଲାଗ ଲାଗ ବାହୁଡିବା ବାଦେ ଏହି କନ୍ୟାଟି ଜନ୍ମ ହେଲା । ମା’ ଦେଖିଲେ, କନ୍ୟାଟି ବଡ ସୁନ୍ଦର । ଚମକି ପଡିଲେ । ଉପର ଦିଓଟି ସୁନ୍ଦର ପୁଅଙ୍କୁ ତ ଯମ ନେଇଯାଇଛି, କାଳେ ଏ କନ୍ୟାଟିକୁ ବି ସେ ଘେନିଯିବ, ତେଣୁ ତାର ନାମ ଦେଲେ ନିମା; ଅର୍ଥାତ୍ ନିମ ପରି ପିତା, ଯାହାକି ଯମକୁ ଆଦୌ ରୁଚିବ ନାହିଁ ।
ସେ ସବୁ କଥା ଯାଉ । ନିମା ସାଙ୍ଗରେ ଶିବୁର ବିଭା ହୋଇଗଲା! ବଡ ପ୍ରେମରେ, ବଡ ଆନନ୍ଦରେ ଶାଶୁ ତାଙ୍କ ବୋହୂଟିକୁ ଘରକୁ ନେଲେ ।
ନୂଆବୋହୂଟି ଘରେ ପଶିଛି, ତାକୁ ହଠାତ୍ କିମିତି କିଏ କହିବ ତୁ ଏ କାମ କର, ସେ କାମ କର । ବୋହୂଟି ଢାଙ୍କିଢୁଙ୍କି ହୋଇ ସେମିତି ସେ ଘରେ ପଶିଥାଏ । ଚମ୍ପା ଆପଣା ଘର ବାସିପାଇଟି ସାରି ଆସି ବୋହୂକୁ ଉଠାଏ । ସାଙ୍ଗରେ ଘେନିଯାଇ ଚମ୍ପା ତା ଭାଉଜକୁ ଗାଧୁଆପାଧୁଆ କରି ଆଣେ । ବିମଳାଦେଈ ରନ୍ଧାବଢା କରି ଭାତ ପରଷି ଦିଅନ୍ତି, ବୋହୂ ଖାଇ ହାତ ଧୋଇ ଶୋଇପଡେ । ବିଦାମା’ ଆସି ଖଣ୍ଡ ସଙ୍ଖୁଡି ବାସନ ଧୋଇପକାଏ।
ପନ୍ଦର ଦିନ ଗଲା, ମାସେ ଗଲା, ଦି’ ମାସ ବି ଗଲା । କାହିଁ ଏ ବୋହୂ ତ ଗମ୍ଭୀରିରୁ ମୋଟେ ବାହାରୁ ନାହିଁ? କାମପାଇଟି ସେ ତ କିଛି ବି କରୁ ନାହିଁ? ଚମ୍ପା ଦି’ ଥର, ଚାରିଥର କହିଲାଣି, “ବୋହୂ ଉଠ, କାମପାଇଟିରେ ଲାଗ, ରନ୍ଧାବଢା କର । ତୁଚ୍ଛାଟାକୁ ବିଛଣାରେ ପଡିଛ କିଆଁ?” ସବୁ ଶୁଣି ବୋହୂ ଘାଲେଇ ଦିଏ, ନ ଶୁଣିଲା ଭଳି କିଛି ବି କଥା ସେ କହେ ନାହିଁ । ମନରେ କଲା, “କଣ! ମା କହିଛି – ମୋ ଗେରସ୍ତ ରୋଜଗାରିଆ, ମୁଁ ଏ ଘରେ ସାଆନ୍ତାଣୀ । ଏଗୁଡାକ ମୋ ଘରେ ଖାଇବେ, କାମ ପାଇଟି କରିବେ ସିନା! ମୁଁ କିଆଁ ଗତର ଖଟାଇବି?” ମା ଯେତିକି ଉପଦେଶ ଦେଇଥିଲା, ବୋହୂ ଭଲକରି ମନରେ ସେସବୁ ରଖିଛି । ମା କହିଛି, ଶାଶୁକୁ ଅନାଇ କେବେବି କିଛି କଥା କହିବୁ ନାହିଁ, ଠାରି ଠାରି ଦେବୁ । ବୋହୂ ଖାଇ ବସିଥାଏ । ଭାତ କି ତିଅଣ ଲୋଡା ହେଲେ କଂସା କି ଗିନାଟା ମାଟିରେ ଠୁକ୍ ଠୁକ୍ ମାରି ସେ ଠାରିଦିଏ । ବୋହୂଟି ଟିକିଏ ଭୋକକାଉଳି, ଭାତରନ୍ଧାରେ ଶାଶୁ ଟିକିଏ ଡେରି କଲେ ବୋହୂ ରୋଷେଇଘରକୁ ଯାଇ ହୁଁ ହୁଁ କରି ପେଟରେ ହାତ ବୁଲାଇ ଠାରିଦିଏ । ଏଥିରୁ ସେ ବିମଳାଦେଈ ବି ବୁଝିପାରନ୍ତି ଯେ, ବୋହୂଟିକୁ ଭୋକ ଲାଗିଲାଣି ।
ଚମ୍ପା ଆଉ ସହିପାରିଲା ନାହିଁ! ବୋହୂକୁ ସେ ବକାବକି କଲାଣି । ସେ ବୋହୂ ବି କେତେ ସହିବ? କିଆଁ ବି ସହିବ? ସେ ଯେ ଘରର ସାଆନ୍ତାଣୀ! ପହିଲୁ ପହିଲୁ ରାଗରେ ସେ ଖାଲି ଗୁଇଁଗାଇଁ ହେଉଥିଲା, ଏଣିକି ତ ସେ ସାଫ୍ ଜବାବ୍ ବି ଦେଲାଣି । ଦିନେ ଚମ୍ପା ଭାରି ରାଗିଯାଇ ବୋହୂକୁ ଗାଳିଦେଲା । ବୋହୂ ବି ତା ଗାଳି ଆରମ୍ଭ କଲା । ପାଟିତୁଣ୍ଡ ଶୁଣି ବିମଳାଦେଈ ସେଠାକୁ ଧାଇଁଆସି କହିଲେ, “ନା ରେ ମା ଚମ୍ପା! ଛୁଆଟା ତା ମା’କୁ ଛାଡିଆସି ମନଦୁଃଖରେ ଅଛି, ସବୁ କାମପାଇଟି ପଛେ କରିବ ଯେ! ଢୋଲ କାନ୍ଧରେ ପଡିଲେ ଆପେ ସେ ବଜାଇବ ।” ମା’ କଥା ଶୁଣି ଚମ୍ପା କହିଲା, “ନାହିଁ ମା! ଏ ବୋହୂ ଦେଖୁଛି ଢୋଲ ତ ଢୋଲ, ଢେଙ୍କି କାନ୍ଧରେ ପଡିଲେ ବି ସେ ଯମା ବି ହଲଚଲ ହେବାର ନୁହେଁ ।”
ଦିନେ ଆନୀଆଈ ନାତୁଣୀ ତଥା ଚମ୍ପାକୁ ପଚାରିଲା, “କିଲୋ ଚମ୍ପା, ତୁ ତ ବୋହୂକୁ ଏତେ ବୁଝାଉଛୁ, ଏଣିକି ସେ ଉଠି ତା’ କାମ-ପାଇଟି କଲାଣି ନା?”
ତହୁଁ ସେ ଚମ୍ପା କହିଲା, “ନାହିଁ ଲୋ ଆଈ, ତୁ ଯେତେ ମାଠିବୁ ମାଠ – ସେ ତ ସେଇ ଦରପୋଡା କାଠ!”
ରନ୍ଧାବଢାରେ ଟିକିଏ ଉଛୁର ହେଲେ ବା ଆଉ କିଛି କଥାରେ ବୋହୂଟା ଶାଶୁ ସାଙ୍ଗରେ ଭଟ୍ ଭଟ୍ ଲଗାଇଲାଣି । ହେଲେ, ବୋହୂ ତା ମା’ କଥା ମୋଟେ ବି ଭୁଲି ନାହିଁ । ଶାଶୁ ମୁହଁକୁ ଚାହିଁ ସେ କେବେବି ଗାଳି ଦିଏ ନାହିଁ; ଓଢଣା ପଡିଥାଏ, ପଛ କରି ବରବର କରି ସେ ବକିଯାଏ ।
ବୋହୂର ଯେ ଏତେ ଗୁଣ, ଶିବୁବାବୁ ସବୁ ଜାଣନ୍ତି ନାହିଁ । ମା’ତ କିଛି କହିବେ ନାହିଁ, ଚମ୍ପା ବି କିଛି କହେ ନାହିଁ । ହେଲେ ଘରକଥା ବାବୁ କିଛି ବୁଝିପାରିବେ ନାହିଁ? ସବୁ ନ ଶୁଣନ୍ତୁ, କେତେ କେତେ କଥା ସେ ଏବେ ଠିକ୍ ଠିକ୍ ବୁଝିଲେଣି । ଏଣିକି ଚମ୍ପାକୁ ବଳେଇଲାଣି । ଭାଇଙ୍କୁ ସବୁ କଥା ନ କହିଲେ ନଚଳେ । ଘରେ ଯେବେ ସେ କିଛି କହେ, ମା ଧାଇଁଆସି ତା ପାଟି ବନ୍ଦ କରାଇବ, ସବୁ କଥା ମା କେବେବି କୁହାଇ ଦେବ ନାହିଁ ।
ଦିନେ ସଞ୍ଜବେଳେ ଆନୀଆଈ ଦୁଆରେ ନାତି ନାତୁଣୀ ଆଈ ତିନିହେଁ ବସି ଢେର୍ ବେଳଯାଏଁ କ’ଣ ପରାମର୍ଶ କଲେ; ଅର୍ଥାତ୍ ସାଧୁଭାଷାରେ ଲେଖାଯିବ, କମିଟି ବସିଲା । ସେମାନେ ଏତେ ତୁନି ତୁନି କଥା ହେଲେ ଯେ, କେହି କିଛି ବି ଜାଣିପାରିଲେ ନାହିଁ । ଶେଷରେ ଶିବୁବାବୁ କହିଲେ, ଅର୍ଥାତ୍ ରିଜଲ୍ୟୁସନ୍ ପାସ୍ ହେଲା – “ଦେଖ ଚମ୍ପା! ଆସନ୍ତା ଶୁକ୍ରବାର କତିରୁ ସେମାବାର ଯାଏଁ ଗୁଡଫ୍ରାଇଡେ, ତେଣୁ ଚାରି ଦିନ ମୋର କଚେରି ବନ୍ଦ ହେବ, ଠିକ୍ ସେହି ସମୟରେ ହିଁ ସବୁ କଥା ଠିକ୍ ଠିକଣା କରିବା ।”
ଆଜି ଶୁକ୍ରବାର! ଜୁଆଁଇ ଦିବୁବାବୁ ସକାଳୁ ଉଠି କାକଟପୁର ଜମିଦାର ଘରକୁ ଗଲେ, ଯିବା ଆଗରୁ ସେ କହିଦେଇ ଗଲେ ଯେ, ଦୁଇ ଦିନ ଯାଏଁ ସେ ଆଉ ଆସିବେ ନାହିଁ । ଚମ୍ପା ଦୁଆରେ କଂଚି ଲଗାଇ ଦେଇ ମା’ ଘରକୁ ଆଇଲା । ଭାଇ ସେତେବେଳେ ପିଣ୍ଡାରେ ବସିଥିଲେ । ଚମ୍ପାକୁ ଦେଖି ସେ ଟିକିଏ ହସିଦେଇ ଦାଣ୍ଡପଟକୁ ଚାଲିଗଲେ । ଚମ୍ପା ଏକାବେଳକେ ବୋହୂ ବିଛଣା ପାଖକୁ ଚାଲିଗଲା । ବୋହୂର ନିଦ ଭାଙ୍ଗିଲାଣି । ତୁଚ୍ଛାଟାରେ ବିଛଣାରେ ପଡି ସେ ଖାଲି ଏକଡ ସେକଡ ଗଡେଇ ପଡେଇ ହେଉଛି । ଏସବୁ ଦେଖି ସେ ଚମ୍ପା ଭାରି ଖପା ହେଲା ପରି ଗର୍ଜନ କରି କହିଲା, “କିଲୋ ବୋହୂ! କିମ୍ଭୀରଟା ପରି ପେଟେ ଖାଇ ବିଛଣାରେ ଗଡେଇ ହେଉଛୁ, ଘରେ ପାଇଟି କରିବ କିଏ ଲୋ? ତୁ କଣ ତୋ ସାଙ୍ଗରେ ଗୋଟାଏ ପୋଇଲୀ ଆଣିଛୁ କିଲୋ?” ଆଉ କଣ ସମ୍ଭଳାଯାଏ? ସେ ବୋହୂଟା ତ ସହଜରେ ଟିକେ ରାଗୀ ଥିଲା; ପୁଣି ତାର ବିଶ୍ୱାସ, ସେ ହେଲା ଘରେ ସାଆନ୍ତାଣୀ, ବାକି ଏମାନେ କେହି କିଛି ବି ନୁହଁନ୍ତି । ଏଇଟା ପୁଣି ଆସି ମତେ ଗାଳି ଦେବ? ତେଣୁ କୋପରେ ଧଡପଡ ହୋଇ ସେ ଉଠିଲା । ଲୁଗାଖଣ୍ଡ ସଜାଡି ପିନ୍ଧିବାକୁ ବି ତା’ପାଖେ ବେଳ ନାହିଁ । ମୁଣ୍ଡ ମୁକୁଳା । ଗର୍ଜନ କରି ଏକାବେଳକେ ସେ ଆରମ୍ଭ କରିଦେଲା, “ପୋଇଲୀ! ନିଆଁଲାଗୀ, ଦୂର ହୋ । ମୁଁ ତ ସାଆନ୍ତାଣୀ, ତୁ କିଏ ଲୋ?” ଗାଳି ଦେଉଛି ତ ଦେଉଛି, ସେଇ କଥା ସେଇ କଥା ବାରବାର ସେ କହୁଛି । ଏଣେ ଚମ୍ପା ହସି ହସି ଯାଇ ତା ମା’ ହାତରୁ ଛାଂଚୁଣୀଟା ଛଡାଇ ନେଇ ଘର ପହଁରିବସିଲା ।
ବିମଳାଦେଈଙ୍କୁ ତ ଏସବୁ କିଛି ବି ଜଣା ନାହିଁ । ତେଣୁ କଳି ଶୁଣି ସେ ଅତ୍ୟନ୍ତ ଅଥୟ ହେଲେ । କାହିଁକିନା କଳିକୁ ସେ ଭାରି ଡରନ୍ତି, ତେଣୁ କଳି ଜାଗାରୁ ତୁରନ୍ତ ସେ ଅନ୍ୟତ୍ର ପଳାନ୍ତି । ଦାଣ୍ଡରେ କେହି କଳି କଲେ ସେ ତାଙ୍କ କବାଟ କିଳିପକାନ୍ତି । ବୋହୂକୁ ତୁନି କରାଇବାକୁ ଶାଶୁମା ଆସୁଥିଲେ ମଧ୍ୟ ସେତେବେଳେ ଚମ୍ପା ତାଙ୍କ ହାତ ଧରି ତାଙ୍କୁ ଭିଡି ଘେନିଗଲା ।
ବୋହୂଟା ଗର୍ଜି ଗର୍ଜି ଥକିଯାଇ ଶେଷରେ ଦୁଲକରି ବିଛଣାରେ ପଡିଗଲା । ସେତେବେଳେ ଚମ୍ପା ପାଇଟି ଛାଡି ହସି ହସି ଆସି ଖୁବ୍ ଗୋଟାଏ କ୍ରୋଧ କଲା ପରି ସେ କହିଲା, “କାହିଁ ଗଲା ସେ ପୋଇଲୀ ନିଆଁଲାଗୀ? ଛାଂଚୁଣୀରେ ତା ମୁଣ୍ଡରେ ଦଶ ପାହାର ପିଟିବି । ଅଳପାଇଷିଆ ନିଆଁଲଗା ତା ଭାଇକୁ ଧରିଆଣି ଗୋଟି ଗୋଟି ଗଣି ଗଣି ତା ମୁଣ୍ଡରେ ବି ବୋଡିଏ ଛାଂଚୁଣୀ ପିଟିବି ।” ଏକଥା ଶୁଣି ସେ ବୋହୂ ପୁଣି ରାଗରେ ଉଠିଲା । ଚମ୍ପାକୁ ଗାଳି ଦେବାକୁ ଲାଗିଲା । ବିମଳା ଦେଈ ଧାଇଁ ଆସି କହିଲେ, “ନାହିଁ ରେ ମା’ ନାହିଁ ରେ, ତାକୁ ଗାଳି ଦେ ନା ରେ ମା, ତା ମା କତିରେ ନାହିଁ ରେ, ଶୁଣିଲେ ସେ କାନ୍ଦିବ ରେ ।” ଏହା ଶୁଣି ଚମ୍ପା କହିଲା, “ତା ମା କାନ୍ଦୁ, ଏ ନିଆଁ ଝିଅକୁ ସେ କିଆଁ ମାରି ନ ପକାଇ ଏଠିକି ପଠାଇଛି? ଏଇ ଛାଂଚୁଣୀରେ ମୁଁ ଆଜି ଏ ପୋଇଲୀକୁ ମାରି ପକାଇବି । ଗୋଟିଏ ବଡ ସୁନ୍ଦର ବୋହୂ ଠିକ୍ ହେଲାଣି, ଆଜି ବାହାଘର ସବୁ ଠିକ୍ ହୋଇଯିବ ।”
ସେତେବେଳେ ଶିବୁବାବୁ ତ ଦାଣ୍ଡପଟରେ ଥିଲେ । ସବୁ ଶୁଣି ସେ ଧାଇଁଆସି ଚମ୍ପା ହାତଧରି ତାକୁ ଭିଡି ଭିଡି ନେଇ ଚାଲିଲେ, “ଆ ଚମ୍ପା ଆ, ମା ପଛେ ତାଙ୍କ ସୁନାବୋହୂକୁ ନେଇ ଏ ଘରେ ଥା’ନ୍ତୁ, ଆମେ ଦୁଇଜଣ ଏ ଘରୁ ବାହାରିଯିବା ।” ତା’ପରେ ସେ ଦୁଇଜଣ ମୁହଁରେ ଲୁଗା ଦେଇ ଟିକିଏ ହସି ହସି ଦାଣ୍ଡକୁ ଚାଲିଆସିଲେ । ବୁଢୀ ସେମାନଙ୍କ ପଛରେ ନସରପସର ହୋଇ ଧାଇଁଛନ୍ତି ଓ ଡକା ବି ପକାଉଛନ୍ତି, “ଆରେ ତୁମ୍ଭେମାନେ ଯା’ ନାହିଁ ରେ । ଆରେ ଶିବୁ, ଢେର୍ ବେଳ ହେଲାଣିରେ, ଚମ୍ପା ଭାତ ବସାଇଛି ଦିଟା ଖାଇ ଯା’ ରେ ।”
ଶିବୁ – ଆଚ୍ଛା, ତୁ ଏଇ ଝିଅ ରାଣ ପକା, କିଛି ବି ତୁ କହିବୁ ନାହିଁ । ନୋହିଲେ ଆମେ ଖାଇବୁନି କି ପିଇବୁନି, ଏ ଘରୁ ବାହାରିଯିବୁ ।
ବିମଳାଦେଈ – ମୋ ମା ରାଣ ପକାଉଛି, ଆଖି ଛୁଉଁଛି, କିଛି ବି କହିବି ନାହିଁ ।
ଏଣିକି ପୁଅଝିଅ ଡରରେ ସେ ବିମଳାଦେଈ କିଛି ବି କହିପାରୁ ନାହାଁନ୍ତି, ଖାଲି ବାଡି ଘର ହେଉଛନ୍ତି । ପୁଅ ଝିଅ ନ ଥିଲାବେଳେ ମା ଟିକିଏ ତାଙ୍କ ବୋହୂ ଦୁଆରକୁ ଚାହିଁ ଦେଉଛନ୍ତି ।
ଚମ୍ପା ଭାତ ଗାଳିପକାଇ ଫେର୍ ସେ ବୋହୂର ଦୁଆରକୁ ଗଲା । ପୁଣି ସେ ତା’ ଗାଳି ଆରମ୍ଭ କଲା । ଦେଖିଲା, ବୋହୂର ଆଉ ଉଠିବାର ଶକ୍ତି ନାହିଁ । ବାଛୁରୀକୁ ତତଲା ଲୁହାଦାଗ ଦେବାବେଳେ ସେ ଯିମିତି ଗଁ ଗଁ ଗର୍ଜେ ଏ ବୋହୂଟା ବି ଠିକ୍ ସେହିପରି ଗର୍ଜୁଛି ।
ବୋହୂ ବିଛଣାରେ ପଡି ପଡି ମନରେ କଲାଣି, “ମୁଁ ଆଉ କଣ ସାଆନ୍ତାଣୀ? ନଣନ୍ଦଟା ଏତେ ଗାଳି ଦେଉଛି, ହେଲେ ମୋ ଲାଗି କେହି ପଦେ ବି କିଛି କହୁ ନାହିଁ । ତାଉପରେ ପୁଣି ସେ ଭାଇଭଉଣୀ ମିଳିଗଲେଣି । କଣ, ସେ ପୁଣି ଆଉ ଗୋଟାଏ ବିଭା ହେବେ? ତାହେଲେ ମୋ ଦଶା କଣ ହେବ? ଶାଶୁ ତ ମୋ ପାଖ ପାରବାରେ ପଶୁ ନାହାଁନ୍ତି । ମୁଁ ଏବେ କଣ କରିବି?” ଏହି କଥା ଭାବି ସେ ବୋହୂଟି ତୁନି ହୋଇ ବିଛଣାରେ ସେମିତି ପଡିଥାଏ । ବାହାରେ କଣ ସବୁ କଥା ହେଉଛି, କାନ ଡେରି ସେ ଶୁଣୁଥାଏ ।
ସେତିକିବେଳେ ଚମ୍ପା ଭୋଁ, ଭୋଁ କରି ଶଙ୍ଖଟାଏ ବଜାଇ ଦେଲା । ତା’ପରେ ସେ କହିଲା, “ଆଲୋ ବାରିକାଣି! ଯା, ଦୂବ ବରକୋଳିପତ୍ର, ଚନ୍ଦନ, ସିନ୍ଦୂର, ଆଉ ଚିଜ ସବୁ ସଜିଲ କରି ରଖି ଦେ । ଏ ବାରିକପୁଅ, ବଡ ଘର ଝାଡିଝୁଡି ଆସନ ପକାଇ ରଖ, ପାଣିପଣା ସବୁ ଠିକ୍ କର, କଣ ଆଉ ବେଳ ଆସୁଛି? ସେତେବେଳକୁ ସାଆନ୍ତମାନେ ଆସିଗଲେ କଣ କରିବୁ? ତହୁଁ ଭୋଁ, ଭୋଁ, ଭୋଁ ଶଙ୍ଖ ବାଜିଲା “ଆରେ ଶାମା! ମିଠାଇ ଥାଳିଟା ଭିତରେ ରଖି ଦେ । କଣ କହିଲୁ ରାଧିକା? ଦହି ସର ବିଲେଇ ଖାଇଗଲା? ମଲା ଯା । ଏବେ ସାଆନ୍ତମାନେ ଜଳଖିଆ କରିବେ କଣ?”
ଚମ୍ପା ରନ୍ଧାବଢା କରି ଭାଇଙ୍କୁ ମା’ଙ୍କୁ ଖୁଆଇଲା । ମା ତାଙ୍କ ବୋହୂକୁ ଠାରରେ କହିଲେ, “ତୁ ଦିଟା ଖା ।” ଠିକ୍ ଏହି ସମୟରେ ପୁଅ ଉପରେ ତାଙ୍କର ନଜର ପଡିଗଲା – ତେଣୁ ସେ ହଠାତ୍ ଡରିଯାଇ କହିଲେ, “ନାହିଁ, ନାହିଁ ମୁଁ କହୁଛି; ଚମ୍ପା ଏକା ଖାଇବ ।” ଶିବୁବାବୁ ସବୁ ଜାଣି କହିଲେ, “ହଁ ଖବରଦାର, ବୋହୂ ନାମ ଧର ନା ।” ଏକଥା ଶୁଣି ମା ବାଡି ଦୁଆରକୁ ପଳାଇଲେ ।
ବେଳ ଆସି ବୁଡ ବୁଡ ହେଲାଣି । ଆନୀଆଈ ବାଡି ଖଣ୍ଡିଏ ଧରି ଅଇଲେ । ବୋହୂକୁ ଶୁଣାଇ ଶୁଣାଇ ସେ କହିଲେ, “କିଲୋ ଚମ୍ପୀ । ଏସବୁ କଣ ହେଉଛି? ଏ ଫୁଲମାଳ ଚନ୍ଦନ ସିନ୍ଦୂର ସବୁ କଣ ହେବ?”
ଚମ୍ପା – ଏଇ ଦେଖୁ ନାହଁ, ଭାଇସାଆନ୍ତ ଆଉ ଗୋଟିଏ ବିଭା ହେବେ ପରା । ଆଜି ମହାପ୍ରସାଦ ଉଠା ପରା । ତୁ ଯା, ସେ ଘରେ ମିଠାଇ ଦହି ଅଛି! ସେସବୁ ଆଣ, ଖା ଯା । ତତେ ବାଢିକି ଦେବାକୁ ମୋର ଆଉ ବେଳ ନାହିଁ ।
ଭୋଁ-ଭୋଁ – ଶଙ୍ଖ ବାଜିଲା! ତା ସାଙ୍ଗେ ସାଙ୍ଗେ ହୁଳହୁଳି ମଧ୍ୟ ।
ଆଈ – ଆଚ୍ଛା, ତାହେଲେ ନୂଆବୋହୂ ଆସିବ, ପୁଣି ଏ ବୋହୂ କ’ଣ କରିବ?
ଚମ୍ପା – ମଲା ଯା । ଏଇଟା କି ବୋହୂମ! ଘର ଦୂଆର ପାଇଟି କରିବ, ରନ୍ଧାବଢା କରିବ, ଏଇଥିଲାଗି ସିନା ଭାଇ ଏଟାକୁ ଆଣିଥିଲେ – ହେଲେ ଏଟା ତ ସେସବୁ କିଛି କଲା ନାହିଁ, ଆଉ ବୋହୂ କ’ଣ ମ?
ଆଈ – ଆଚ୍ଛା ଏ ବୋହୂଟା ତାହେଲେ ଖାଇବ କ’ଣ?
ଚମ୍ପା – କଣ ଖାଇବ? ସେ ବୋହୂ ଖାଇଲେ ଯାହା କିଛି ବି ସେ ଛାଡିଯିବ, ଏଟା ତା ଅଇଁଠା ଖାଇ ବାସନ ମାଜି ପକାଇବ ।
ଆଈ – ଆଚ୍ଛା, ମୁଁ ତାହେଲେ ଟିକିଏ ଏ ବୋହୂଟାକୁ ଦେଖିଆସେଁ ।
ଚମ୍ପା – ନା ଲୋ ଆଈ, ନା – ନା, ତା ପାଖକୁ ତୁ ମୋଟେ ଯା’ନା । ସେଟା ସିମିତି ପଡି ପଡି ଉପାସ ଭୋକରେ ମରିଯାଉ ।
ତା’ପରେ ସେ ଚମ୍ପା ମୁରୁକି ମୁରୁକି ହସି କଣ ଠାରିଦେଲା । ‘ଆଚ୍ଛା ଆଚ୍ଛା ଥରେ ଦେଖେଁ, କହି ଆନୀଆଇ ଯିମିତି ସେ ବୋହୂ ପାଖକୁ ଯାଇଛି, ବୋହୂ ସେହିକ୍ଷଣି ଉଠିପଡି ସେ ବୁଢୀର ଦୁଇଗୋଡ ଜାବୁଡି ଧରିଲା । କଥା କହିପାରୁ ନାହିଁ, ତେଣୁ ସେ ଏ ଆନୀଆଈର ଗୋଡ ଯୋଡାକ ଧରି ଖାଲି ଧକେଇ ହେଉଛି । କେତେବେଳକୁ ବହୁତ କଷ୍ଟରେ ସେ ବୋହୂ କହିଲା, “ଆଈ – ତା – ଙ୍କୁ – କ – ଅ – ବା – ଏ – ବେ – ନା – ଇଁ ।”
ଆନୀଆଈ – ମୋ କଥା ସେ ଆଉ କଣ ଶୁଣିବ? ତୁ ତ ଘରେ କିଛି କାମ ପାଇଟି କରିବୁ ନାହିଁ, ଭାତ ରାନ୍ଧିବୁ ନାହିଁ, ଓଲଟି ସବୁ କଥାରେ ତୁ ଖାଲି କଳି କରିବୁ, କେବଳ ସେଇଥିଲାଗି ଆଉ ଗୋଟିଏ ବୋହୂ ଆସୁଛି ।
ବୋହୂ – ମୁଁ – ସ – ବୁ – କ – ରି – ବି ।
ଆନୀଆଈ – ଆଚ୍ଛା, ତୁ ତାହେଲେ ଶିବୁକୁ ଏକଥା କହ! ଆରେ ଶିବୁ, ଏଠିକି ଆ’ ତ, ବୋହୂ କଣ କହୁଛି ଶୁଣ ।
ଶିବୁ – ନା ନା, ମୁଁ ମୋଟେ ଯାଇପାରିବି ନାହିଁ ।
ଏଣେ ଏ ବୋହୂର ଯେତେ ବଳ, ସବୁ ଲଗେଇ ସେ ଆନୀଆଈର ଗୋଡ ଜାବୁଡି ଧରିଛି । କେଜାଣି ଗୋଡ ଯୋଡାକ ସତେ ଭାଙ୍ଗି ପକାଇବ । ସେହି ଆଈ ପଦ୍ମପାଦ ଛଡା ଯେ ବର୍ତ୍ତମାନ ନିମାଦେଈର ସଂସାରରେ ଆଉ କେହିବି ଭରସା ନାହିଁ । ଆନୀଆଈ ପାଟି କରି ପୁଣି କହିଲେ, “ଆରେ ଶିବୁ, ଆ, ମୋ ଗୋଡକୁ ପରା ବଡ କାଟିଲାଣି ରେ ।”
ଶିବୁବାବୁ ଯିମିତି ପାଖକୁ ଆସିଛନ୍ତି, ଆନୀଆଈ ତ ତାଙ୍କ ଗୋଡ ଯୋଡିକ ବୋହୂ ଜିମାକରି ଦେଇ ସେଠାରୁ ଅଲଗା ହୋଇଗଲେ । ବୋହୂ ଭଲକରି ସ୍ୱାମୀର ଗୋଡ ଜାବୁଡି ଧଇଲା । ଗୋଡ ଛାଡିଲେ ସିନା ସେ କୁଆଡେ ଯିବେ? ସଂସାରଯାକ ସବୁ ଅନ୍ଧାର – ‘ପଦ୍ମପାଦ ଯୋଡିକ ଶେଷ ଭରସା ।’ ଆନୀଆଈ ବୋହୂ ଲାଗି ସୁପାରିସ୍ କରି କହିଲା, “ଆରେ ଶିବୁ! ବୋହୂ ଏଣିକି ଘରକାମ ପାଇଟି ସବୁ କରିବ, ତେଣୁ ତୁ ଆଉ ବାହା ହ ନା ।” ତହୁଁ ସେ ଶିବୁବାବୁ କହିଲେ, “କାହିଁ ସେ ତ ଆପେ କିଛି ବି କହୁ ନାହିଁ?” ଏହି କଥା ପଦକ ଶୁଣି ସେ ବୋହୂର ବଡ ଭରସା ହୋଇଗଲାଣି । ତେଣୁ ସେ ଚଂଚଳ କହି ପକାଇଲା “ହୁଁ – ହୁଁ – ଉଁ – ଉଁ ।”
ସବୁ ଶୁଣି ଶିବୁବାବୁ କହିଲେ, “ମୁଁ ସେ ହୁଁ – ଉଁ – ଉଁ – ର ମାନେ କିଛି ବି ବୁଝେ ନାହିଁ ।” ସେ ସାଫ କରି ଗୋଟି ଗୋଟି କଥା କହୁ । ଶିବୁବାବୁ ଯେମିତି ଏତକ କହିଲେ, ବୋହୂ ଠିକ୍ ସିମିତି ଗୋଟି ଗୋଟି କରି ସବୁ କଥା ଜବାବ୍ କଲା ।
ତାହା ବାଦେ ସେ ଶିବୁବାବୁ କହିଲେ, “ଆଚ୍ଛା ଆଈ, ସେ କିଆଁ ଚମ୍ପୀ ସାଙ୍ଗରେ କଳି ଲଗାଇଲା? ତେଣୁ ସେ ତା ନାକ ଭୂଇଁରେ ଘଷୁ ।” କିଛି ଓଜର ନାହିଁ – ବୋହୂ ଭୂଇଁରେ ନାକ ଘଷିଲା । ଚମ୍ପା ଠିଆ ହୋଇ ହସୁଥିଲା । ବୋହୂର ନାକଘଷା ବେଳେ ସେ ସେଠାରୁ ପଳାଇଲା । ତା’ପରେ ସେ ବୋହୂ ଆଈ ପାଖରେ ବି ନାକ ଘଷିଲା । ଶିବୁ କହିଲେ, “ଆଚ୍ଛା ଆଈ, ମାଙ୍କ ପାଖରେ ସେ ଏପରି କହୁ ।” ଏଥୁଅନ୍ତେ ସମସ୍ତେ ଗଲେ ମା’ଙ୍କ ପାଖକୁ । ବୋହୂ ଗୋଟି ଗୋଟି କରି ସବୁ କଥା ମା’ଙ୍କୁ କହିଲା । ବୋହୂ ମାଟିରେ ନାକ ଘଷିବାବେଳେ ମା ଟିକିଏ ଦୁଃଖ କରି କହିଲେ, “ହଁ ରେ, ହେଲାଣି ରେ, ବୋହୂ ଆମର ଏଥର ସବୁ କରିବ ରେ ।” ଏକଥା ଶୁଣି ସେ ଶିବୁବାବୁ କଟମଟ କରି ମାଙ୍କୁ ଚାହିଁବାରୁ ସେ କହିଲେ – ‘ନାରେ – ନା ରେ’ କହି ବିମଳାଦେଈ ସେହିକ୍ଷଣି ବାଡିଆଡକୁ ପଳାଇଲେ ।
ଶିବୁବାବୁ କହିଲେ, “ଆଚ୍ଛା ସେ ଏଥର ଚମ୍ପା ଗୋଡ ଧରୁ ।” ଏପରି କଥା ଶୁଣି ଚମ୍ପା ଧାଇଁଆସି ବୋହୂକୁ କୁଣ୍ଢେଇ ପକାଇଲା । ଆଉ କହିଲା “ନା ନା, ଯେତେ ଯାହା ହେଲେବି ସେ ତ ମୋର ବଡଭାଉଜ, କଥାରେ କହନ୍ତି ନାଇଁ ବଡଭାଉଜ ପରା ମା ସମାନ । ମୁଁ ସିନା ତାଙ୍କ ଗୋଡତଳେ ପଡିବି ।” ଏକଥା କହି ଚମ୍ପା ସେ ବୋହୂକୁ ଜୁହାରଟିଏ କରି ତାକୁ କୁଣ୍ଢେଇ ପକେଇଲା । ନଣନ୍ଦ ଭାଉଜ ଦୁହେଁ ଟିକିଏ କନ୍ଦାକନ୍ଦି ହେଲେ । ଚମ୍ପା କିଆଁ କାନ୍ଦିଲା? ମାତ୍ର ସେ କାନ୍ଦିଛି । ଚମ୍ପା ବୋହୂକୁ ବାଡିଆଡକୁ ଭିଡି ନେଇଗଲା । ଅଧଗିନାଏ ମାଲପା ଲଗାଇ ଦେଇ ଚମ୍ପା ତା ଭାଉଜଙ୍କୁ ଗାଧୋଇ ଆଣିଲା । ଚମ୍ପା ରନ୍ଧାବଢା କରି ତା ମା’ ଭାଇଙ୍କୁ ଖୁଆଇଲା । ବୋହୂଟା ଉପାସ ଅଛି, ନିଜେ ସେ କିମିତି ଖାଆନ୍ତା? ନଣନ୍ଦ-ଭାଉଜ ଏକ ସଙ୍ଗରେ ବସି ଖାଇଲେ । ବୋହୂ ଟୁକୁଣାଏ ପାଣି ପିଇ ଲଠକରି ଭୂଇଁରେ ପଡିଗଲା ।
ତହିଁ ଆରଦିନ କାଉ କା’ କରିବାବେଳକୁ ବୋହୂ ବାସିପାଇଟି ସାରି ବସିଛି । ଟିକିଏ ଖରା ଉଠିଲାବେଳକୁ ଚମ୍ପା ଆସି ଦେଖିଲା, ସବୁ ବାସିପାଇଟି ସରିଲାଣି । ଏହା ଦେଖି ସେ ଚମ୍ପା ମନେ ମନେ ଟିକିଏ ଖୁସି ହେଲା । ତା’ପରେ ସେ ନଣନ୍ଦ-ଭାଉଜ ଦୁହେଁ ସାଙ୍ଗସୁଙ୍ଗା ହୋଇ ଗାଧୋଇ ଗଲେ । ପ୍ରଥମ ପ୍ରଥମ ସେ ବୋହୂ ଆଦୌ ରାନ୍ଧି ଜାଣୁ ନ ଥିଲା, ଚମ୍ପା ଶିଖାଇ ଦେବାରୁ ସେ ଏବେ ବେଶ୍ ରାନ୍ଧେ । ଶାଶୁ କିଛି ପାଇଟି କରିବାକୁ ଗଲେ ବୋହୂ ତାଙ୍କ ହାତରୁ ସେ ପାଇଟି ଛଡାଇନିଏ । ନିଜ ପୁଅ ଝିଅ ଡରରେ ସେ ବୁଢୀ ବି ଆଉ କୋଉ ପାଇଟିରେ ମୋଟେ ହାତ ଦିଅନ୍ତି ନାହିଁ । କେବଳ ଏକ ଜାଗାରେ ବସି ସେ ତାଙ୍କ ବୋହୂକୁ କହି ଦେଉଥାନ୍ତି ।
ବିମଳାଦେଈ ଏକ ଜାଗାରେ ବସି ଦିନରାତି ମାଳାଟିଏ ଗଡାଉଥାନ୍ତି । କେହି ଲୋକ ଗାଁରୁ ଆସିଲେ ବିମଳାଦେଈ ତା ପାଖରେ ଖାଲି ନିଜ ବୋହୂର ପ୍ରଶଂସା କରନ୍ତି । ଦିନକୁ ଅତି କମ୍ରେ କୋଡିଏ ଥର ସେ ବିମଳାଦେଈ ୟା ତା ପାଖରେ କହନ୍ତି, “ମୋର ତ ଏ ସୁନାବୋହୂ ।”
ଗାଳ୍ପିକ – ଫକୀରମୋହନ ସେନାପତି