• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ସାଆନ୍ତାଣି :
ଉପନ୍ୟାସ

ସାଆନ୍ତାଣି :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments10 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

“ସର୍ବେ ଚଳିବେ କାଳବେଳ, କଥା ରହିବ ମହୀକତଳେ ।”

ଶ୍ରାବଣ ମାସ ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡ଼ି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି; ମାତ୍ର ଖୁବ୍ ଦରକାର ନଥିଲେ ବର୍ଷା ଆଉ ଶୀତ ଋତୁର ପାହାନ୍ତି ବିଛଣାଟା ଲୋକମାନଙ୍କୁ ଟିକିଏ ଟାଣି ଧରେ । ମଙ୍ଗରାଜଙ୍କର ପୋଇଲୀ ମରୁଆ ଢାଳଟିଏ ଡେବିରି ହାତରେ ଧରି ଖାଇବା ହାତରେ କବାଟ ଫିଟାଇ ଘରୁ ବାହାରି ପଡ଼ିଲା । ହଠାତ୍ ତାହାର ଦୃଷ୍ଟି ଚଉରା ଉପରେ ପଡ଼ିଗଲା, ସେ ଥକାହୋଇ ଠିଆ ହୋଇଗଲା । ଧଳାଟାଏ କଣ ? ତୁଳସୀ ଚଉରାଟା ମଙ୍ଗରାଜଙ୍କ ମଝିଅଗଣା ମଧ୍ୟରେ । ସାଆନ୍ତାଣିଙ୍କ ନିଜସ୍ୱ ମଧ୍ୟରେ ଚଉରାଟା । ବୃନ୍ଦାବତୀ ପୂଜା ତାହାଙ୍କ ଜୀବନର ବ୍ରତ । ତୋଟା ମଧ୍ୟରେ ପୁଆଟିଏ ଆଣି ନିଜେ ରୋଇଛନ୍ତି । ସକାଳୁ ଉଠି ଚଉରା ଚାରିପାଖ ଖରକିବା, ଗୋବର ପାଣିରେ ଛୂଞ୍ଚଦେବା, ଗାଧୋଇ ଆସି ମୂଳରେ ପାଣି ଦେବା, ଅରୁଆ ଚାଉଳ ପୁଞ୍ଜାଏ ଭୋଗ ଦେବା, ସଞ୍ଜ ଦେବା, ଏହିସବୁ କାର୍ଯ୍ୟ କରୁ କରୁ ଦିନ ଅଣ୍ଟେ ନାହିଁ । ସଞ୍ଜ ଦେଇସାରି ବେକରେ ପଣନ୍ତ କାନି ପକାଇ ପୂରା ଅଧ ଘଡ଼ିଏ ଜୁହାର ହୁଅନ୍ତି ତୁନି ତୁନି କଣ କହନ୍ତି ବୃନ୍ଦାବତୀଙ୍କୁ ଜଣା ।

ମରୁଆ ଧୀରେ ଧୀରେ ଚଉରା ପାଖକୁ ଯାଇ ଭଲ କରି ଅନାଇଲା ଏଁ, ଏ କଣ ? ସାଆନ୍ତାଣିକଏଁ – ସାଆନ୍ତାଣିଏଁ – ସାଆନ୍ତାଣିଏଁ – ଉତ୍ତର ନାହିଁ । ମରୁଆ ଢାଳଟି ତଳେ ଥୋଇଦେଇ ଦେହରେ ହାତ ଦେଇ ହଲାଇଲା । ରାତିରେ ଅସ୍ରାଏ ପାଣି ବର୍ଷିଯାଇଛି । ଲୁଗାପଟା ଓଦା, କାଦୁଅ ଲଟପଟ, ଦେହଟା କାଠ ପରି ହୋଇଯାଇଛି, କୁଆପଥର ପରି ଶୀତଳ । ମରୁଆ ଗୋଟାଏ ଭୟଙ୍କର ରଡ଼ି ଛାଡ଼ି ବାହୁନି ବସିଲା –“ମୋ ସାଆନ୍ତଣି ଗୋ; ମୋ ସାଆନ୍ତାଣି ! କାହିଁ ହୁଡ଼ିଗଲ, ମୋ ସାଆନ୍ତାଣି, ପିମ୍ପୁଡ଼ି ପେଟବଥା କଥା କିଏ ଜାଣିବ, ମୋ ସାଆନ୍ତାଣୀ ଗୋ ! ମୋତେ ଜର ହେଲେ କିଏ ପଥି ରାନ୍ଧି ଖୁଆଇବ, ମୋ ସାଆନ୍ତାଣି ଗୋ ! ମରୁଆ ପାଟି ଶୁଣି ଉଆସର ସମସ୍ତେ ଧାଇଁ ଆସିଲେ, ଅଗଣା ପୂରିଗଲା । ସମସ୍ତେ ବାହୁନି ବସିଲେ, ବୋହୂମାନଙ୍କ ମୁଣ୍ତରେ ଲୁଗା ନାହିଁ, କାନ୍ଦି ଲୋଟି ଯାଉଛନ୍ତି । ସମସ୍ତଙ୍କଠାରୁ ବେଶି ବାହୁନିଲା ଚମ୍ପା । ସେ ବାଡ଼ି ଦୁଆରଠାରୁ ଦାଣ୍ତ ଦୁଆର ପର୍ଯ୍ୟନ୍ତ ଧାଁଦଉଡ଼ କରି ଡାକ ଛାଡ଼ିଥାଏ । ସମସ୍ତେ କାନ୍ଦି ବସିଛନ୍ତି; କିଏ କାହାକୁ ତୁନି କରାଉଛି ? ମୁହୂର୍ତ୍ତ ମଧ୍ୟରେ ଗାଁ ଏ ମୁଣ୍ତ ସେମୁଣ୍ତ ବିଦ୍ୟୁତ୍ ଗତିରେ ଖବର ହୋଇଗଲା । ସ୍ତ୍ରୀ ଲୋକମାନେ ବାସିପାଇଟି ଛାଡ଼ି, ପୁରୁଷମାନେ ଦୁଃଖ ଧନ୍ଦାଛାଡ଼ି ସାଆନ୍ତାଣିଙ୍କ ଗୁଣ ଗାଇ ବସିଲେ । ନିତାନ୍ତ ନିଃସମ୍ପର୍କୀୟା ସ୍ତ୍ରୀମାନେ ମଧ୍ୟ କାନ୍ଦିପକାଇଲେ । କେହି କହିଲା–ଆଜି ମହାଷ୍ଟମୀ, ପୁଣ୍ୟଦିନରେ ଗାଁରୁ ଲକ୍ଷ୍ମୀ ଚାଲିଗଲେ । କେହି କହିଲା ମଙ୍ଗରାଜଙ୍କ ଘର ବଢ଼ନ୍ତି ଏତିକି, ଆଜିଠାରୁ ଶିରୀ ଛାଡ଼ିଲା । ଗାଁ ସ୍ତ୍ରୀମାନଙ୍କ ମଧ୍ୟରେ ସ୍ୱାମୀସେବା କଥା ପଡ଼ିଲେ, ସାଆନ୍ତାଣୀଙ୍କୁ ପଟାନ୍ତର ଦେଉଥିଲେ । ତାହାଙ୍କ ଚରିତ୍ର ଯେମନ୍ତ ନିର୍ମଳ, ଧର୍ମରେ ସେହିପରି ମତି । ସ୍ତ୍ରୀମାନଙ୍କ ସର୍ବସ୍ୱ ଧନ ‘ପତିସୋହାଗ’ ବିଧାତା ତାହାଙ୍କ କପାଳରୁ ପୋଛି ଦେଇଥିଲା; ମାତ୍ର ସେଥିକି ତାଙ୍କର ଶୋଚନା ନ ଥାଏ । ସେ ମନରେ ଭଲକରି ବୁଝିଥିଲେ, ପତି ସେବା ସ୍ତ୍ରୀମାନଙ୍କର ଧର୍ମ, ପତି ସେବାରେ ସ୍ତ୍ରୀମାନଙ୍କର ସୁଖ । କେବଳ ପତିସେବା ନୁହେଁ, ମନୁଷ୍ୟ ସେବାକୁ ମଧ୍ୟ ସେ ମଧ୍ୟ ସେ ମହାସୁଖକର ଜ୍ଞାନ କରୁଥିଲେ । ମୁଣ୍ତକୁ ହାତ ପାଇଲା ଦିନୁ ପୁଅମାନେ ପାଖ ପଶନ୍ତି ନାହିଁ । ବୋହୂମାନେ ଯେ ଅମାନ୍ୟ କରନ୍ତି ତାହା ନୁହେଁ, ମାତ୍ର ମୁରବୀ ମାନ୍ୟଟା ଥିଲା ନାହିଁ । ଶାଶୁ ବାଧିକି ପଡ଼ିଛନ୍ତି ବୋଲି ଯେ ବୋହୁମାନେ ତେଲ ହାତଟା ଗୋଡ଼ରେ ହାତରେ ବୁଲାଇ ଦେଇଛନ୍ତି, ଏ କଥାଟା କେବେ ଦେଖିବାରେ ଆସି ନାହିଁ । ଏଇଟା କିନ୍ତୁ ସାଆନ୍ତାଣିଙ୍କ ନିଜ କୃତ ଦୋଷର ଫଳ । ଘରଣୀପଣିଆ ଜଣାଇବା, ପୁଅ ବୋହୂ, ଚାକର, ପୋଇଲୀମାନଙ୍କୁ ଶାସନରେ ରଖିବାର କ୍ଷମତା ତାଙ୍କର ନଥିଲା । ସେ କଥାଟାକୁ ସେ ମଧ୍ୟ ସୁଖ ପାଉ ନ ଥିଲେ । ତାଙ୍କଠାରେ ଧୁଆ ମୂଳା ଅଧୁଆ ମୂଳା ସମାନ । ତାଙ୍କୁ ଯେ ମାନିଲା ଭଲ, ଯେ ନ ମାନିଲା ସେ ମଧ୍ୟ ଭଲ । କେହି ଦଶ ପଦ ଗାଳି ଦେଉ ଜାଡ଼ି ହାଉଡ଼ି ପରି ଥାଆନ୍ତି । ଶାଳଗ୍ରାମର ଶୋଇବା ବସିବା ପରି ତାଙ୍କ ହସ କାନ୍ଦ କେହି ଜାଣିପାରିବେ ନାହିଁ । କାହାରି ସଙ୍ଗରେ କଳି କିମ୍ବା କାହାରି ସଙ୍ଗରେ ଭାବ ନାହିଁ । କାହାରି ପାଖରେ ବସି ଦୁଃଖ ସୁଖ ଦୁଇଟା କଥା କହିବାର କେହି ଦେଖିନାହିଁ । କେବଳ ଉଆସ ମଧ୍ୟରେ କାହାରି ବେମାର ହେଲେ ଦିନ ନାହିଁ ରାତି ନାହିଁ, ଜଗି ବସି ସେବା କରନ୍ତି । ବେମାରି ସମୟରେ ପୋଇଲି ହେଉ ବା ବୋହୂ ହେଉ, ନାହିଁ କରୁ କରୁ ଗୋଡ଼ରେ, ହାତରେ ହାତ ବୁଲାଇଦେବେ । ବାହାରେ ହେଉ, ଘରେ ହେଉ, କେହି ଉପାସ ଥିଲେ ତାକୁ ନ ଖୁଆଇ ଜଳ ଛୁଅନ୍ତି ନାହିଁ । ଗାଁର ଦରିଦ୍ର ବୁଢ଼ୀ ବା ଅନାଥା ବିଧବାଙ୍କର ସର୍ବଦା ଖବର ନିଅନ୍ତି । କାହାରି ଘରେ ଖାଇବାକୁ ନ ଥିବାର ଶୁଣିଲେ ସାଆନ୍ତକୁ ଲୁଚାଇ, ପୁଅବୋହୂଙ୍କୁ ଲୁଚାଇ, ଚାଉଳ ମାଣେ, ବିରିଜାଇ ମୁଠାଏ, ଲୁଣ ବକଟେ, ତେଲ ଟିକିଏ, କଖାରୁ ଖଣ୍ତେ, ଭେଣ୍ତି ଜହ୍ନି ପୁଞ୍ଜାଏ, ଯାହାର ଯାହା ଦରକାର ପଠାଇ ଦିଅନ୍ତି । ଗାଁର କାହାରି ବୋହୂଝିଅ ଦେହକୁ ଲାଗିଲେ ପୋଇଲି ପଠାଇ ତନଖି କରନ୍ତି । ଦେଉନ୍ତୁ ନ ଦେଉନ୍ତୁ, ଗରିବ ଦୁଃଖୀମାନଙ୍କର ତାଙ୍କଠାରେ ଗୋଟାଏ ବଡ଼ ଆଶା ଭରସା ଥାଏ । ଅନେକ ପରଜାଏ ଖାତକ, ଅନେକ ଦରିଦ୍ର ପ୍ରଜା ସାଆନ୍ତାଣୀଙ୍କ ଯତ୍ନରେ ମଙ୍ଗରାଜଙ୍କ ଦାଢ଼ରୁ ମୁକ୍ତି ପାଇଥିବାର ଶୁଣାଯାଏ । ମଙ୍ଗରାଜେ କାହାରି ଉପରେ ଜୁଲମ କଲେ ସେ ଯଦି ବୋହୂ ଝିଅ ପଠାଇ ସାଆନ୍ତାଣୀଙ୍କ କାନରେ ଦୁଃଖ କଥାଟା ବଜାଇପାରିଲା, ତେବେତ ବାସ୍ । ସେଥିସକାଶେ ମଙ୍ଗରାଜଙ୍କଠାରୁ ଢେର୍ ଗାଳି ଗଞ୍ଜଣା ଶୁଣିବାକୁ ହୁଏ । ଚମ୍ପା ଟାହୁଲି ମାହୁଲି କେତେ କଥା କହେ; ମାତ୍ର ସାଆନ୍ତାଣୀ ତେତେବେଳେ କାଲୁଣୀ । କାହାରି ଉପକାର କରିପାରିଲେ କୋଟିନିଧି ପାଆନ୍ତି । ଶିବୁ ପଣ୍ତିତେ ସାଧୁ ଭାଷାରେ କହନ୍ତି, ‘ସାଆନ୍ତାଣୀ ଦୟା, ସ୍ନେହ, ଭକ୍ତି ପ୍ରଭୃତି ସ୍ୱର୍ଗୀୟ ଗୁଣାବଳୀର ମୁର୍ତ୍ତିମତୀ ଦେବୀ ।’ ସାଆନ୍ତାଣୀଙ୍କର କିନ୍ତୁ ଗୋଟିଏ ବିଚିତ୍ର ସ୍ୱଭାବ ଥିଲା, ସେଇଟି ଦୋଷ କି ଗୁଣ, ଆମ୍ଭେମାନେ ସ୍ଥିର କରିପାରୁ ନାହୁଁ, ଆପଣମାନେ ବୁଝନ୍ତୁ । ପାଞ୍ଚଟା କଥା ଯୋଡ଼ି ରଙ୍ଗଭଙ୍ଗ କରି କହିବାର ଶକ୍ତି ନ ଥିଲା, ପୁଣି କଥାଗୁଡ଼ାକ ଏତେ ଧୀର ଯେ, ଦାଣ୍ତ ଦୁଆର ଲୋକେ କେଭେ ତାଙ୍କର ତୁଣ୍ତ ଶୁଣି ନାହାନ୍ତି; ମାତ୍ର ସାଆନ୍ତେ ଉଆସ ମଧ୍ୟରେ କୌଣସି ପୋଇଲୀ ବା ଚାକର ଉପରେ ରାଗି ଚଳିହେଲେ ବା ମାରିବାକୁ ବସିଲେ, ସାଆନ୍ତାଣୀ କିଛି ନ ଶୁଝି ମଝିରେ ପଶିଯାନ୍ତି ଏବଂ ବିବିଧ ଯୁକ୍ତି ପ୍ରୟୋଗପୂର୍ବକ ତାହାର ନିର୍ଦ୍ଦୋଷତା ପ୍ରମାଣ କରାଇବାକୁ ବିବିଧ ପ୍ରକାର ଚେଷ୍ଟା କରନ୍ତି । ତେତେବେଳେ ତାଙ୍କର ସତ୍ୟ ମିଥ୍ୟା ଜ୍ଞାନ ଥାଏ ନାହିଁ; ସୁତରା ସାଆନ୍ତଙ୍କ ରାଗଟା ତାଙ୍କରି ମୁଣ୍ତ ଉପର ଦେଇ ଚାଲିଯାଏ । ପର ପାଇଁ ବିଶେଷରେ ଦୋଷୀକୁ ରକ୍ଷା କରିବା ପାଇଁ ମିଥ୍ୟା କଥା କହିବା ଏବଂ ଅନ୍ୟର ଅପରାଧ ସକାଶେ ଆପେ ଲାଞ୍ଛିତ ହେବା ଅବଶ୍ୟ ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ, ମାତ୍ର ଆଜିଯାଏ ତାଙ୍କର ସ୍ୱଭାବ ବଦଳି ନଥିଲା ।’ସ୍ୱଭାବୋ ନୈବ ମୁଚ୍ୟତେ ।’ ଦୋଷୀ ହେଉ ବା ନିର୍ଦ୍ଦୋଷ ହେଉ, କାହାରି ଦୁଃଖ ଦେଖିଲେ ସେ କାନ୍ଦି ପକାଉଥିଲେ । ଆଉ ଗୋଟିଏ କଥା, ଉଆସ ମଧ୍ୟରେ ଦୁଇଟା ପୋଇଲୀ ମଧ୍ୟରେ ବା ବୋହୂ ବୋହୂ ମଧ୍ୟରେ କଳି ହେଲେ ସେ ପ୍ରାୟ ଦୁର୍ବଳ ପଟ ଧରି ଚାଲିବାର ଦେଖାଯାଏ । ଏଇଟା ଅବଶ୍ୟ ପକ୍ଷ ପାତିତାର ଅଭାବ ଥିଲା । ସାଆନ୍ତାଣୀଙ୍କର ଗୋଟିଏ ମହତ୍ ଦୋଷ ଥିଲା – ଅବଶ୍ୟ ମହତ୍ ଦୋଷ ବୋଲିବାକୁ ହେବ, ସାଆନ୍ତେ ସେଥିସକାଶେ ଚିରକାଳ ବିରକ୍ତ । ତାଙ୍କର ଘରକରଣା ବୁଦ୍ଧି ଜଡ଼ସଦ ନ ଥିଲା । ଟଙ୍କା ପଇସା ଯେ କି ମହାମୂଲ୍ୟ ପଦାର୍ଥ, ସେ ତାହା ଜାଣୁ ନ ଥିଲେ । ସେ ଖୋଜନ୍ତି ନାହିଁ, ସୁତରାଂ ହାତ ପୈଠ ହୁଏ ନାହିଁ । ଯଦି ଦୌବାତ୍ ଦୁଇ ଅଣା ଚାରି ଅଣା ପଇସା, ଟଙ୍କାଟିଏ, ସୁକିଟିଏ ହାତରେ ପଡ଼ିଯାଏ, ଧାନ ଉଷୁଆଁ ହାଣ୍ଠିତଳେ, ନୋହିଲେ କୁଣ୍ତାହାଣ୍ତି ତଳେ ଉଗାଡ଼ି ପକାନ୍ତି, ନୋହିଲେ ଚାଳବାଡ଼ରେ ଖୋସିଦିଅନ୍ତି । ଗାଁର କାହାରି ଝିଅ ଶାଶୁଘରୁକୁ ଯିବାବେଳେ ଶାଢ଼ୀ ଖଣ୍ତେ କିମ୍ବା ଥୋପ ଯୋଡ଼ାଏ କିମ୍ବା ଭୁଜା ଉଖୁଡ଼ା ଦୁଇମାଣ ମୁକୁନ୍ଦ ହାତରେ କିଣେଇଦିଅନ୍ତି କିମ୍ବା କାହାରି ଘରେ ଖାଇବାର ନ ଥିଲେ ତାହା ଭାଗ୍ୟରେ ପଡ଼େ । ଏପରି ଦେବାର ଶୁଣାଯାଏ, କିନ୍ତୁ କେହି କେବେ ଦେଖି ନାହିଁ । ଯାହାହେଉ, ସାଆନ୍ତାଣୀଙ୍କର ଦୋଷ ଥାଉ ବା ଗୁଣ ଥାଉ, ଘରଠାରୁ ବାହାର ପର୍ଯ୍ୟନ୍ତ ସମସ୍ତେ ହାୟ ହାୟ କରୁଛନ୍ତି । କେବଳ କାନ୍ଦୁ ନାହିଁ ଜଣେ । ମୁକୁନ୍ଦା ହଳିଆ ପାକୁଆ ପାଟିଟାକୁ ଆଁ କରି, ଆଖିବୁଜି, ମାଂସଶୂନ୍ୟ ଡେଙ୍ଗା ହାଡୁଆ ଗୋଡ଼ ଦୁଇଟା ଲମ୍ବାଇଦେଇ ବାଡ଼କୁ ଆଉଜି ବସି ପଡ଼ିଅଛି । ମୁକୁନ୍ଦାର ତିନିକୂଳରେ କେହିଥିବାର ଜଣା ନାହିଁ । ତାହାର ବୟସ, ଜାତି, କୁଳ, ଗୁଣ ଗ୍ରାମର କଥା ଶୁଣିବେ? ହଳିଆ ବାପୁଡ଼ା କଥା କିଏ ପଚାରେ ? ସେ ନିଜେ କହେ ସାଆନ୍ତାଣୀଙ୍କ ଜନ୍ମସମୟରେ ଧାଈକୁ ଡାକିଦେବାକୁ ଯାଇଥିଲା । ତାହା କୋଳରେ ସାଆନ୍ତାଣୀ ଏଡ଼େଟିଏ, ବାପଘରୁ ସାଙ୍ଗେ ସାଙ୍ଗେ ଆସିଅଛି । ହାଉଡ଼ା କଥା ହାଉଡ଼ା ମା ଜାଣେ । କେବଳ ମୁକୁନ୍ଦା ସାଆନ୍ତାଣୀ ମନ କଥା ବୁଝୁଥିଲା । କୌଣସି କଥାରେ ସାଆନ୍ତାଣୀ ମନ ଦୁଃଖ କଲେ ମୁକୁନ୍ଦା ଆସି ଜଳ ଜଳ କରି ତାଙ୍କ ମୁହଁକୁ ଚାହିଁରହେ । ସାଆନ୍ତାଣୀ ତା ମୁହଁକୁ ଚାହିଁ ମୁଣ୍ତ ତଳକୁ ପୋତିଦିଅନ୍ତି । ସେ ଚାହାଣୀ ଅର୍ଥାତ୍ ନୀରବ ବକ୍ତୃତାରେ ସବୁ କଥା ଛିଡ଼େ । ସାଆନ୍ତାଣୀ ସାନ୍ତ୍ୱନାପାଇ ତୁନି ହୁଅନ୍ତି । ସାଆନ୍ତାଣୀ କିଛି ମାତ୍ର ମନ ଦୁଃଖ କଲେ ତାହା ଆଖିରୁ ଝରଝର ହୋଇ ପାଣି ବୋହି ପଡୁଥିଲା; ଆଜି ମରି ପଡ଼ିଛନ୍ତି, ସେ କାନ୍ଦୁନାହିଁ । ଯାହାର ଜଗତର ସମସ୍ତ ସୁଖ, ସମସ୍ତ ଶାନ୍ତି, ସମସ୍ତ ଭରସା, ସମସ୍ତ ଆଜ୍ଞା, ସମସ୍ତ ସାନ୍ତ୍ୱନା, ସମସ୍ତ ସ୍ନେହ ଏକ ସଙ୍ଗରେ ଶେଷ ହୋଇଯାଏ, ସେ କାନ୍ଦେ ନାହିଁ । କେବଳ ସେ ବେଳେବେଳେ ଫଁ ଫଁ ନିଃଶ୍ୱାସ ପକାଉଅଛି । ବୋଧହୁଏ ସେଥିସକାଶେ ତାହାର ଶୁଷ୍କ ହୃଦୟ ଫାଟିଯାଉ ନାହିଁ ।

ମଙ୍ଗରାଜେ ମୁଣ୍ତ ପାଖରେ ବସି ଏକଧ୍ୟନରେ ସାଆନ୍ତାଣୀଙ୍କ ମୁହଁକୁ ଅନାଇ ଅଛନ୍ତି । ନିଶ୍ଚଳ, ସ୍ତବ୍ଧଧ ଦୁଇ ଆଖିରୁ ଲୋତକ ବହିଯାଉଅଛି । ମଙ୍ଗରାଜଙ୍କ ଆଖିରେ କେହିତ କେବେ ଲୋତକ ଦେଖିନାହିଁ, ଆଜି ନୂତନ ଦେଖାଗଲା । ଲୋକେ କହନ୍ତି ସ୍ନେହ, ମାୟା, ମମତା, ଚକ୍ଷୁଲଜ୍ଜା, ଧର୍ମକର୍ମ ମଙ୍ଗରାଜଙ୍କ ମନକୁ ଛୁଇଁନାହିଁ । ସେ ଭଲକରି ବୁଝିଥିଲେ “ଟଙ୍କା ଏବଂ ମନୁଷ୍ୟାଣାଂ ଚତୁବର୍ଗଫଳପ୍ରଦା । “ଦିବା-ରାତ୍ର ତାଙ୍କର ଟଙ୍କା ଥିଲା ଧ୍ୟାନ – ଟଙ୍କା ଥିଲା ଜ୍ଞାନ । ସେ ତୁନି ହୋଇ ବସି ଭାବିବାର ଅନେକଥର ଦେଖାଯାଇଛି; କିନ୍ତୁ ସେ ସମୟରେ ଏକ ପ୍ରକାର ଜ୍ୟୋତି ତାଙ୍କ ଆଖିରୁ ବାହାରୁଥାଏ । ସମୁଦ୍ର ଗର୍ଭଜାତ ଉତ୍ତାଳ ତରଙ୍ଗମାଳା ବେଳାଭୂମିରେ ପଡ଼ି ଲୀନ ହୋଇଗଲା ପରି ହୃଦୟଜାତ ନାନା ଆଶା, ନାନା ଚିନ୍ତାର ତରଙ୍ଗ ଆସି ଭ୍ରୂଲତାର ଉପରିଭାଗରେ ରେଖାକାର ଧରି ଲୀନ ହେଉଥାଏ । ଆଜି ଭାବନା କିନ୍ତୁ ଅନ୍ୟ ରୂପ । ନେତ୍ର ଅର୍ଦ୍ଧ ନିମୀଳିତ, ସ୍ପନ୍ଦନ ଶୂନ୍ୟ, ଅଶ୍ରୁସିକ୍ତ । ମଙ୍ଗରାଜ କି ସାଆନ୍ତାଣୀଙ୍କ ସକାଶେ କାନ୍ଦୁଛନ୍ତି ? ପ୍ରିୟ ବସ୍ତୁର ବିୟୋଗ ମନୁଷ୍ୟ ପକ୍ଷରେ ଅସହ୍ୟ । ମଙ୍ଗରାଜ କି ପବିତ୍ର ଦାମ୍ପତ୍ୟ ପ୍ରେମର ସ୍ୱର୍ଗୀୟମାଧୁରୀ ଅନୁଭବ କରୁଥିଲେ ? କାହିଁ ? ସେ ସାଆନ୍ତାଣୀଙ୍କୁ ପ୍ରେମରେ ଦୁଇଟା କଥା କହିବାର ତ କେହି କେବେ ଶୁଣି ନାହିଁ । ତେବେ ଆଜି ଏତେ ବ୍ୟାକୁଳ କି ପାଇଁ ? ଯାହାହେଉ ସାଆନ୍ତଣୀଙ୍କ ବିଚ୍ଛେଦ ଯନ୍ତ୍ରଣା ଯେ ସେ ଅନୁଭବ କରିଅଛନ୍ତି,ସହଜ ବିଶ୍ୱାସରେ ଆମ୍ଭମାନେ ଏହା ବୋଧ କରୁଅଛୁ । ଯାହାକୁ ଆଠକଳସ ମାଡ଼ି ବେଦି ଉପରେ ବିବାହ କରି ଅର୍ଦ୍ଧାଙ୍ଗ ରୁପେ ଗ୍ରହଣ କରି ଅଛି, ସେ ଭଲ ହେଉ ବା ମନ୍ଦ ହେଉ ତା’ପ୍ରତି ଗୋଟାଏ ମାୟା ଥାଏ । ଏହି ନୈସର୍ଗିକ ମାନବ ଧର୍ମ ଅତିକ୍ରମ କରିବା ସହଜସାଧ୍ୟ ନୁହେଁ ଯେ ସ୍ତ୍ରୀ ଧର୍ମକାର୍ଯ୍ୟର ସହଧର୍ମିଣୀ – ପ୍ରାଣାଧିକ ସନ୍ତାନ ସନ୍ତତିଙ୍କ ଜନନୀ, ଯେ ସ୍ତ୍ରୀ ସୁଖ ବା ଦୁଃଖରେ ଏକମାତ୍ର ସମଭାଗିନୀ, ଯେ ସ୍ତ୍ରୀ ରୋଗରେ ଶୁଶ୍ରୁଷାକାରିଣୀ, ବିପଦରେ ମନ୍ତ୍ରୀ, ଶରୀରରକ୍ଷାରେ ଧାତ୍ରୀ ତୁମ୍ଭେ ଯଦି ନିତାନ୍ତ ପାଷାଣ୍ତ ହୁଅ, ତାହାର ଗୁଣ ଗାରିମା ଅନୁଭବ କରିବାର ଶକ୍ତି ଯଦି ନିତାନ୍ତ ତୁମ୍ଭର ନଥାଏ -ଜୀବନ କାଳରେ ତାହାକୁ ପ୍ରେମ କର ଅବା ନ କର; କିନ୍ତୁ ତାହାର ବିଚ୍ଛେଦ ଯନ୍ତ୍ରଣା ଅବଶ୍ୟ ଭୋଗ କରିବାକୁ ହେବ । ଆଉ ସାଧ୍ୱୀ, ସଚ୍ଚରିତ୍ରା, ପତିପରାୟଣା, ଧାର୍ମିକ ସ୍ତ୍ରୀର ଗୁଣ ଗାରିମା ଯେଉଁ ଲୋକ ଥରେ ମାତ୍ର ହୃଦୟରେ ଅନୁଭବ କରୁଅଛି ତାହାର ବିଚ୍ଛେଦ ଯନ୍ତ୍ରଣା ଯେ କି ରୂପ ଅସହ୍ୟ ତାହା ବର୍ଣ୍ଣନା କରିବାକୁ ଭାଷାର ସୃଷ୍ଟି ହୋଇନାହିଁ । ତାହା ସ୍ତ୍ରୀ ବିୟୋଗବିଧୂର ବ୍ୟକ୍ତି କେବଳ ହୃଦୟରେ ଅନୁଭବ କରେ । ନାଗସର୍ପ ଯାହାକୁ ଦଂଶନ କରିଅଛି, ସେ ବ୍ୟକ୍ତି ବିଷର ଯନ୍ତ୍ରଣା ଜାଣେ, କଥାରେ ବୁଝାଇବାର କଥା ନୁହେଁ । ସେହି ବ୍ୟକ୍ତି ଜାଣେ, ଶୋଣିତବାହିନୀ ଶିରା ସମସ୍ତ ଛିନ୍ନଭିନ୍ନ ହୋଇଯାଇ ତାହାର ହୃତ୍‌ପିଣ୍ତ ଶୁଷ୍କଭାବରେ ପଡ଼ିଅଛି, ସେହି ବ୍ୟକ୍ତି ବୋଧକରେ ଜଗତର ସମସ୍ତ ସୁନ୍ଦର ପଦାର୍ଥର ସୌନ୍ଦର୍ଯ୍ୟ, ସମସ୍ତ ମାଧୁର୍ଯ୍ୟର ମଧୁରିମା, ସମସ୍ତ ପୁଷ୍ପର ସୁଗନ୍ଧ, ସମସ୍ତ ସଙ୍ଗୀତର ତାନଲହରୀ, ସମସ୍ତ ପବିତ୍ରତା ଚିତାଗ୍ନିରେ ଦଗ୍‌ଧିଭୂତ ହୋଇ ଯାଇଅଛି । ସଂକ୍ଷେପରେ କହିବାକୁ ଗଲେ, ସେ ଆପଣାକୁ ମୃତଲୋକ ମଧ୍ୟରେ ଜୀବିତ, ଜୀବିତ ମଧ୍ୟରେ ଆପଣାକୁ ମୃତ ବୋଲି ଜ୍ଞାନ କରେ ମଙ୍ଗରାଜଙ୍କ ଜୀବନ କ୍ଷେତ୍ରରେ ଦୁଇଗୋଟି ନଦୀ ପ୍ରବାହିତ ହେଉଥିଲା । ଗୋଟିଏ ଉତ୍ତାଳ ତରଙ୍ଗମୟୀ ସର୍ପ କୁମ୍ଭୀରସଙ୍କୁଳା କୂଳପ୍ଲାବିନୀ ଚର୍ମଣ୍ୱତୀ, ଆଉ ଗୋଟିଏ ଅନ୍ତଃସ୍ରୋତ ପୂତସଲିଳା କୂଳପ୍ଲାବିନୀ ଫଲ୍‌ଗୁ । ହୁଏତ ମଙ୍ଗରାଜେ ବୁଝିଛନ୍ତି ଫଲ୍‌ଗୁ ଚିରକାଳ ନିମନ୍ତେ ବିଦାୟ ଗ୍ରହଣ କଲା । ମଦ୍ୟପର ସମ୍ମୁଖରେ ଗିନାଏ ଜଳ, ଗିନାଏ ମଦିରା ଥୁଆହୋଇଥିଲେ ସେ ସୁରା ଗିନାଟିକୁ ଅଧିକ ଆଦର କରେ ଏବଂ ଯତ୍ନରେ ରଖେ; ମାତ୍ର ଜଳଗିନାଟିର ଏକାବେଳେକେ ଅଭାବ ହେଲେ ସେ ତେତେବେଳେ ବୁଝିପାରେ, ସୁରା ଉନ୍ନାଦକାରିଣୀ ସତ୍ୟ, ମାତ୍ର ଜଳ ତାହାର ଜୀବନ ।

ମଙ୍ଗରାଜଙ୍କ ଅବସ୍ଥା ଦେଖି ଆମ୍ଭେମାନେ ଅନୁମାନ କରୁଅଛୁ, ତାଙ୍କ ମନରେ ଦୁଃଖ ଓ ଅନୁତାପ ଉଭୟ ଉପସ୍ଥିତ ହୋଇଅଛି । ଦୁଃଖରେ ମନୁଷ୍ୟ କାନ୍ଦେ, ଅନୁତାପରେ କାନ୍ଦେନାହିଁ, ଦୁଃଖ ହୃଦୟର ଜ୍ୱଳନ୍ତ ଅଙ୍ଗାର, ଅନୁତାପ ତୁକଷା ନଳ । ନିଜର ଦୃଷ୍କୃତି, ନିଜର ଅଯତ୍ନ ସହିତ ସାଆନ୍ତାଣୀଙ୍କ ମୃତ୍ୟୁର ନିକଟସମ୍ବନ୍ଧ ଥିବାର ଅନୁମାନ କରି ସେ ଅନୁତାପ କରୁଅଛନ୍ତି କି ? ତାଙ୍କଦ୍ୱାରା ସଂଖ୍ୟାତୀତ ଦୁଷ୍କୃତ ଅନୁଷ୍ଠିତ ହୋଇଅଛି । କାହିଁ, କେବେହେଲେ ସେ ତ ଅନୁତାପ କରୁଥିବାର କେହି ଦେଖିନାହିଁ ? କିଏ ବୋଲିପାରେ ? କ୍ଷଣ ପରିବର୍ତ୍ତନଶୀଳ ମନୁଷ୍ୟ ସ୍ୱଭାବ କିଏ ଜାଣେ ? ବିଶ୍ୱବିଧାତା ସମାନ ଉପାଦାନରେ ଜଗତରେ ସମସ୍ତ ନରନାରୀକୁ ସୃଷ୍ଟି କରିଅଛନ୍ତି । ରକ୍ତ, ମାଂସ, ଅସ୍ଥି, ମଳ, ମୂତ୍ରରେ ଯେପରି ଶରୀର ଗଠିତ, ସେହିପରି ଦୟା, ମାୟା, ସ୍ନେହ, ମମତା, ହିଂସା, ଦ୍ୱେଷ, ନିଷ୍ଠୁରତା ପ୍ରଭୃତି ବୃତ୍ତିମାନଙ୍କରେ ମନ ଗଠିତ । ସେହି ସମସ୍ତ ବୃତ୍ତି ଉପଯୁକ୍ତରୂପେ ସମାନ ଭାବରେ କାର୍ଯ୍ୟକାରୀ ହେଲେ ମନୁଷ୍ୟ ହୋଇଥାଏ; ମାତ୍ର ଯେବେ ଗୋଟିଏ ଉପାଦାନ ବଳବତ୍ତର ହୋଇ ସୀମା ଲଙ୍ଘନପୂର୍ବକ ଅନ୍ୟ ବୃତ୍ତି ମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରେ, ତେବେ ସେ ମନୁଷ୍ୟର ମନୁଷ୍ୟତ୍ୱ ଲୁପ୍ତ ହୋଇଯାଏ, ତେତେବେଳେ ହୁଏତ ସେ ଦେବତା, ନଚେତ୍ ରାକ୍ଷାସ ରୂପରେ ପରିଣତ ହୁଏ, ଅର୍ଥାତ୍ ମନୁଷ୍ୟର ମନ ସ୍ୱର୍ଗୀୟ ଓ ନାରକୀୟ ବୃତ୍ତି ରାକ୍ଷାସ କରି ପକାଏ । ଯଦି ତୁମ୍ଭେ ଶୁଣ ଗୋଟିଏ ଲୋକ ଦୟାପରବଶ ହୋଇ ଅନ୍ୟର ଜୀବନ ରକ୍ଷା କରିବାକୁ ଯାଇ ଆପଣା ଜୀବନ ବିସର୍ଜନ କଲା, ସେତେବେଳେ ତାହାକୁ କି ଦେବତା କହିବ ନାହିଁ ? ଯେତେବେଳେ ଶୁଣ, ଜଣେ ଲୋକ କେତେକ ଖଣ୍ତ ସୁନା ଅଳଙ୍କାର ସକାଶେ ଗୋଟିଏ ଶିଶୁହତ୍ୟା କଲା; ମିଳାଇ ଦେଖ, ପୁରାଣବର୍ଣ୍ଣିତ ରାକ୍ଷାସ ସହିତ ତାହାର ମେଳ ହେଉଛି କି ନା ? ମାତ୍ର ଏପରି ଦୃଷ୍ଟାନ୍ତ ବିରଳ ଥିଲେ ମଧ୍ୟ ସଚରାଚର ଦେଖାଯାଏ ନାହିଁ । ମନୁଷ୍ୟ ଚିରକାଳି ମନୁଷ୍ୟ ଏବଂ ମନୁଷ୍ୟ ମନର ମୂଳ ଉପାଦାନ ସମାନ ଥିଲେ ମଧ୍ୟ ବାହ୍ୟ ପ୍ରକୃତି ଆସାମଞ୍ଜସ୍ୟମୟ କୋଟି କୋଟି ମନୁଷ୍ୟ ମଧ୍ୟରେ ଜଣକ ରୂପ ସହିତ ଅନ୍ୟ ଜଣକର ରୂପରେ ମିଳନ ନାହିଁ, ମାନସ ପ୍ରକୃତି ମଧ୍ୟ ସେହିପରି । କାହାରି କାହାରି କୌଣସି ଚିରବୃତ୍ତି ବଳବତୀ, କାହାର କାହାର ଚିରନିଦ୍ରିତା । ସମୟ ବିଶେଷରେ ଘଟନାଚକ୍ର ପରିବର୍ତ୍ତରେ ନିଦ୍ରିତା ବୃତ୍ତି ସମସ୍ତ ଜାଗରିତ ହୋଇ ଉଠିବାର ଦେଖାଯାଏ । ମଦ୍ୟପ ଦୂରାଚର ଜଗାଇ ମାଧାଇ ପରମ ବୈଷ୍ଣବ ହେବେ, କିଏ ଜାଣିଥିଲା ? ଆଉ ଖ୍ରୀଷ୍ଟ ବିଦ୍ୱେଷୀ ଅତ୍ୟାଚାରୀ ପାଉଲ୍ ଆଜି ପୂଜନୀୟ ମହର୍ଷୀ ପଦବାଚ୍ୟ । ଗାଧିନନ୍ଦନ ରାଜର୍ଷି ବିଶ୍ୱାମିତ୍ରଙ୍କର ସହସ୍ର ସହସ୍ର ଯୁଗବ୍ୟାପୀ ତପସ୍ୟା ତତୋକଧିକ ଜ୍ୱଳନ୍ତ ବ୍ରାହ୍ମନିଷ୍ଠା ମେନକାର ନିମେଷ ମାତ୍ର ଅପାଙ୍ଗ ଦୃଷ୍ଟିରେ ଟଳି ଗଲା । ବିଶେଷ ଅନୁଧ୍ୟାନ କରି ଦେଖ, ଏପରି ହଠାତ୍ ପରିବର୍ତ୍ତନର ମୂଳ କାରଣ ଘଟଣା ଏବଂ ସଂସର୍ଗ ଭଗବାନ ଶଙ୍କରାଚାର୍ଯ୍ୟଙ୍କର ମହାବାକ୍ୟ ସମସ୍ତଙ୍କର ସ୍ମରଣ ରଖିବାର ଉଚିତ୍ — <poem> “କ୍ଷଣମିହ ସଜ୍ଜନ ସଂଗତିରେକା ଭବତି ଭବାର୍ଣ୍ଣବତରେଣ ନୌକା ।”

ସନାତନ ବ୍ରହ୍ମଧର୍ମର ଉପଦେଶ ତୁମ୍ଭେ ପାପକୁ ଘୃଣା କର, ପାପୀକୁ ଘୃଣା କର ନାହିଁ । ଯେଉଁ ବୃତ୍ତିର ବଶମ୍ବଦ ହୋଇ ମନୁଷ୍ୟ ଅନୁତାପ କରେ, ମଙ୍ଗରାଜଙ୍କର ସେହି ବୃତ୍ତି ଆଜି ଉତ୍ତେଜିତ ହୋଇ ଉଠିନାହିଁ, ଏକଥା କିଏ କହିପାରେ ? ଆମ୍ଭମାନେ ଅନ୍ତର୍ଯ୍ୟାମୀ ନୋହୁ, ମଙ୍ଗରାଜଙ୍କର ମନର ଭାବ କିପରି ଜାଣିବୁ ? ଜାଣିଲେ ମଧ୍ୟ ଦୁଃଖ ଏବଂ ଅନୁତାପ ଯୁଗପତ୍ କିପରି ତାହାଙ୍କ ମନକୁ ବଶୀଭୂତ କରି କଣ୍ଠରୋଧ ଏବଂ ବାହ୍ୟଜ୍ଞାନଶୂନ୍ୟ କରିପକାଉଛି, ତାହା ବର୍ଣ୍ଣନାକରି ଆପଣଙ୍କୁ ବୁଝାଇଦେବାର ଶକ୍ତି ନାହିଁ ।

ଜଡ଼ା ଯେପରି କଥା କହି ନପାରି ହାତ ଗୋଡ଼ ହଲାଇ ଆପଣା ମନର ଭାବକୁ ପ୍ରକାଶ କରିବାକୁ ଚେଷ୍ଟା କରେ, ଆମ୍ଭେମାନେ ସେହିପରି ଏଣୁ ତେଣୁ ଗୁଡ଼ାଏ କହିପକାଇଲୁଁ ।

ହେ ପାଠକ ଅବଧାନ ! କ୍ଷମା କରନ୍ତୁ, ଏତିକି ହେଉ, ଦେବଦୁନ୍ଦୁଭି ଅହିଅ ନାଗରା ବାଜିଗଲାଣି, ଶୁଭକଉଡ଼ି ଗୋଟାଇନେଇ ମଙ୍ଗଳ ପେଡ଼ିରେ ରଖିବା ସକାଶେ ଗ୍ରାମର ସୁଲକ୍ଷଣୀ ଅହିଅ ସ୍ତ୍ରୀମାନେ ଦାଣ୍ଡକୁ ଚାହିଁ ବସିଛନ୍ତି, ଏତିକି ହେଉ ।

‘ହରି ହରି ବୋଲ ମନ’ ।

Share. Facebook Twitter Pinterest LinkedIn Tumblr Reddit Email
Previous Articleକିପରି ଘର ପୋଡ଼ିଲା :
Next Article ପୁଲିସ ତଦାରଖ :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.