• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ସମ୍ରାଟ ଅଶୋକ
ଗଳ୍ପ

ସମ୍ରାଟ ଅଶୋକ

Liza SBy Liza SMarch 13, 2023No Comments9 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Samrata-Ashoka
Odia-Story-Samrata-Ashoka
Share
Facebook Twitter Pinterest Reddit Email

(ଚାଣକ୍ୟଙ୍କ ସହାୟତାରେ ନନ୍ଦବଂଶଜଙ୍କୁ ପରାଜିତ କରି ଚନ୍ଦ୍ରଗୁପ୍ତ ମଗଧର ଶାସକ ହେଲେ । ପାଟଳୀପୁତ୍ରକୁ ନିଜ ରାଜଧାନୀ କରି ମୌର୍ଯ୍ୟବଂଶର ପ୍ରତିଷ୍ଠା ସେ କଲେ । ତାଙ୍କ ଅନ୍ତେ ପୁତ୍ର ବିନ୍ଦୁସାର ମୌର୍ଯ୍ୟ ସିଂହାସନ ଆରୋହଣ କରି ଦକ୍ଷତାର ସହିତ ନିଜର ଦାୟିତ୍ୱ ତୁଲାଇଲେ । ତିନିରାଣୀଙ୍କ ବ୍ୟତୀତ ସୁଭଦ୍ରାନାମ୍ନୀ ଜଣେ କନ୍ୟାଙ୍କୁ ବି ସେ ବିବାହ କରିଥିଲେ । ତାଙ୍କରି ପୁତ୍ର ହେଉଛନ୍ତି ଅଶୋକ । ବିଦ୍ୟା-ବିବେକ ସମ୍ପନ୍ନ ଅଶୋକଙ୍କୁ ବିନ୍ଦୁସାରଙ୍କ ଜ୍ୟେଷ୍ଠପୁତ୍ର ସୁଶେମ ସଦା ସର୍ବଦା ହୀନଦୃଷ୍ଟିରେ ଦେଖୁଥିଲେ । ଫଳତଃ ଉଭୟଙ୍କ ମଧ୍ୟରେ ବିରୋଧାଭାବ କ୍ରମଶଃ ବଢିଚାଲିଥିଲା – ଏହାପରେ) ମାତାଙ୍କ ଆଦେଶାନୁସାରେ, ଦିନେ ସୂର୍ଯ୍ୟୋଦୟ ବେଳାରେ ଅଶୋକ ଫଳପୁଷ୍ପାଦି ନୈବେଦ୍ୟ ଧାରଣ କରି ନଗର ମଧ୍ୟସ୍ଥ ଦେବାଳୟକୁ ଉପାସନା ପାଇଁ ଯାଇଥିଲେ । ପୂଜା ସମାପ୍ତ କରି ଦେବାଳୟରୁ ବାହାରି ପ୍ରଭାତର ରମଣୀୟ ଦୃଶ୍ୟ ଅବଲୋକନ କରି କରି ସେ ଆସୁଥାନ୍ତି । ବିହଙ୍ଗର କୂଜନ, ଉଦୟଭାନୁ କିରଣରେ ଉଦ୍ଭାସିତ ସ୍ୱର୍ଣ୍ଣାଭ ମେଘଖଣ୍ଡ ତାଙ୍କ ମନକୁ ପ୍ରଭାବିତ କରୁଥାଏ । ଏହି ସମୟରେ ଅକସ୍ମାତ୍ ଏକ ଅଶ୍ୱ ତାଙ୍କ ପଶ୍ଚାତ୍ଭାଗରୁ ତୀବ୍ରବେଗରେ ଆସି ତାଙ୍କୁ ଆଘାତ କରି ଧରାଶୟୀ କରିଦେଲା । ଅଶ୍ୱଚାଳକ ଯୁବରାଜ ସୁଶେମ ଥିଲେ ।

ମାତ୍ର ଅଶୋକ ତଡିତ୍ବେଗରେ ଉଠିପଡି, ଧାବମାନ ଅଶ୍ୱର ଲଗାମ୍କୁ ଲମ୍ପପ୍ରଦାନ କରି ଧରି ପକେଇଲେ ଓ ସୁଶେମ ଅଶ୍ୱରୁ ଅବତରଣ କରିବାକୁ ବାଧ୍ୟ ହେଲେ ।ଅଶୋକ ପ୍ରଶ୍ନ କଲେ “ନୀରବରେ ମୁଁ ଚାଲିଯାଉଥିବା ସମୟରେ, ତୁମେ ମତେ ଏପରି ଆଘାତ ଦେବାର ଅଭିପ୍ରାୟ?”ତୁମକୁ କିଏ ଆଘାତ ଦେଇଛି, ମୁଁ ନା ମୋର ଅଶ୍ୱ?” ସୁଶେମ ତାତ୍ସଲ୍ୟରେ ଏପରି କହି ପୁନଃ ଅଶ୍ୱାରୋହଣ ପାଇଁ ଚେଷ୍ଟା କଲେ ।କିନ୍ତୁ ଅଶୋକ ତାଙ୍କ ହାତକୁ ସଜୋରେ ଧରି ରଖି କହିଲେ, “ଏତେ ବିଶାଳ ରାଜପଥ, ମନୁଷ୍ୟଙ୍କର ଆତଯାତ ଆରମ୍ଭ ହୋଇନାହିଁ । ତେବେ ବି ସିଧା ନିଜ ରାସ୍ତାରେ ଯିବାପାଇଁ ସମର୍ଥ ହେଉନାହଁ? ଏପରି ଅଯୋଗ୍ୟ ବ୍ୟକ୍ତିକୁ ଅଶ୍ୱାରୋହଣ କରିବାର ଅଧିକାର କିଏ କେଜାଣି ପ୍ରଦାନ କରିଛି?” ଅଶୋକ ଅତ୍ୟନ୍ତ କଠୋର ସ୍ୱରରେ ଏହା କହିଲେ ।ସୁଶେମ ଗର୍ଜିଉଠିଲେ “ମୋର ଅଧିକାର ସମ୍ବନ୍ଧରେ ପ୍ରଶ୍ନ ଉଠେଇବା ପାଇଁ ତୁମେ କିଏ? ଜାଣିଛ ତ, ମୁଁ କିଏ ଓ ମୋର କ୍ଷମତା କ’ଣ?”ଅଶୋକ ବ୍ୟଙ୍ଗ କରି କହିଲେ “ଢେର୍ ଜାଣିଛି, ମୁର୍ଖ, ଉଦ୍ଧତ ଅବିବେକୀ । ତୁମେ ମୋର ଅଗ୍ରଜ । ତେଣୁ ମୁଁ ଆଜି ତୁମକୁ ଛାଡି ଦେଉଛି । ନଚେତ୍ ବଂଚିଥିବା ଯାଏଁ ମନେରହିବା ପରି ମୁଁ ତମକୁ ଉଚିତ୍ ଶିକ୍ଷାପ୍ରଦାନ କରିଥାନ୍ତି ।”

ତାଙ୍କ କଥାରେ ସୁଶେମ କ୍ରୋଧରେ କହିଉଠିଲେ “ଭାବୀ ମହାରାଜଙ୍କୁ ତୁମେ ଧମକ ଦେଉଛ ।” ଅଶୋକ କହିଲେ “ଏ ପର୍ଯ୍ୟନ୍ତ ନିର୍ଣ୍ଣୟ ହୋଇନାହିଁ । ଏ ଦେଶର ଭାବୀ ମହାରାଜ କିଏ ହେବେ?” ସୁଶେମ ଅତ୍ୟନ୍ତ ଗର୍ବରେ ଫାଟିପଡି ହସି ହସି କହିଲେ “କିଛି ନଜାଣି କାହିଁକି ଏପରି ମୁର୍ଖଙ୍କ ପରି ବକୁଛ? ମହାରାଜ ଓ ପାରିଷଦବର୍ଗଙ୍କ ନିର୍ଣ୍ଣୟ ସମ୍ବନ୍ଧରେ ମୁଁ ଜ୍ଞାତ । ମୁଁ ହେଉଛି ଭାବୀ-ମହାରାଜ ।”ଅଶୋକ ଗମ୍ଭୀର କଣ୍ଠରେ କହିଲେ “ପ୍ରକୃତରେ ଏହା ଯଦି ସତ୍ୟ, ତେବେ ତୁମକୁ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ପାଇଁ ପଡିବ । ମୁଁ ଅବଶ୍ୟ ସଠିକ୍ ଭାବେ ଜାଣିଛି, ତୁମର ଏହି ପ୍ରଳାପ ମିଥ୍ୟା ଅଟେ । କିନ୍ତୁ ଯଦିବା ଏପରି ନିଷ୍ପତି ନିଆଯାଇ ସାରିଥାଏ, ତେବେ ମୁଁ ଏହାର ଦୃଢ ବିରୋଧ କରିବି ।” “ତୁମେ ମହାରାଜଙ୍କ ନିଷ୍ପତିକୁ ବିରୋଧ କରିବ? ଏତେ ଦୁଃସାହସ! ଏବେ ମୁଁ ତୁମକୁ ଉଚିତ୍ ଶିକ୍ଷା ଦେଉଛି ।” ଏପରି କହି ସୁଶେମ ଅଶୋକଙ୍କୁ ପ୍ରହାର କରିବା ପାଇଁ ଉଦ୍ୟତ ହେଲେ ।

ଅଶୋକ ପୁନଶ୍ଚ ତାଙ୍କ ହସ୍ତ ଧରିପକାଇଲେ । ସୁଶେମ ତାଙ୍କର ହସ୍ତକୁ ମୁକୁଳେଇବା ପାଇଁ ଯେତେ ପ୍ରଯତ୍ନ କଲେ ମଧ୍ୟ ସେଥିରେ ସେ ଯମାରୁ ସଫଳ ହେଲେନାହିଁ । ଦୁହିଁଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ ହେଇଗଲା । ସେମାନଙ୍କର ଚିତ୍କାରରେ ଦେବାଳୟର ଗମ୍ଭୀର ପ୍ରଭାତ ପରିବେଶ ପ୍ରତିଧ୍ୱନିତ ହୋଇ ଉଠିଲା । ଇତଃସ୍ତତ ପଦଚାରଣ କରୁଥିବା ସାଧାରଣ ଲୋକ ଏହିସବୁ ଦୃଶ୍ୟ ଦେଖି ସେଠାରେ ଏକତ୍ରିତ ହୋଇଗଲେ ।ସେ ଦୁଇ ରାଜକୁମାର ଏବେ ଆଉ ଦୁଗ୍ଧପୋଷ୍ୟ ଶିଶୁ ନୁହଁନ୍ତି । କିଛି ବର୍ଷ ପୂର୍ବେ ଚାଣକ୍ୟ ସେମାନଙ୍କର ବୁଦ୍ଧି ପରୀକ୍ଷା କରିଥିଲେ । ଏବେ ସେ ଜୀବିତ ନାହାଁନ୍ତି । ରାଜା ବିନ୍ଦୁସାର ବାର୍ଦ୍ଧକ୍ୟରେ ଉପନୀତ । ସାରା ନଗରୀର ଜନତା ଜାଣିଥିଲେ ଦୁଇ ରାଜକୁମାରଙ୍କ ମଧ୍ୟରେ ଶତ୍ରୁତା ରହିଆସିଛି । କିନ୍ତୁ ଏବେ ଏହି ଶତ୍ରୁତା ଚରମ ସୀମାରେ ପହଁଚି ସାରିଛି । କେହି କଳ୍ପନା ମଧ୍ୟ କରି ନ ଥିଲେ ଯେ, ମୌର୍ଯ୍ୟ ବଂଶ ସ୍ଥାପକ ଚନ୍ଦ୍ରଗୁପ୍ତଙ୍କ ପୌତ୍ର, ଯୋଗ୍ୟ ଉତ୍ତରାଧିକାରୀ ବିଖ୍ୟାତ ବିନ୍ଦୁସାରଙ୍କ ପୁତ୍ର ସୁଶେମ ଓ ଅଶୋକ, ଏପରି ସର୍ବ ସମ୍ମୁଖରେ ପରସ୍ପର ସଂଗ୍ରାମରତ ହେବେ । ସେମାନଙ୍କର ଏଭଳି ଚିତ୍କାରରେ ପ୍ରଜାସମାଗମ ବଢିଚାଲିଥାଏ । କିନ୍ତୁ ସେମାନଙ୍କ ନିକଟକୁ ଯିବା ପାଇଁ କୌଣସି ବ୍ୟକ୍ତି ମୋଟେ ସାହସ କରିପାରୁ ନ ଥାନ୍ତି । ଆଶ୍ଚର୍ଯ୍ୟ ଓ ଭୟରେ ସେମାନେ କେବଳ ଦୂରରେ ଠିଆହୋଇଥାନ୍ତି ।

ଭାଗ୍ୟବଶତଃ ସେହି ସମୟରେ ଭଲ୍ଲାଟକ ଅଶ୍ୱପୃଷ୍ଠରେ ସେହି ମାର୍ଗ ଅତିକ୍ରମ କରୁଥିଲେ । ଚାଣକ୍ୟଙ୍କ ପରେ ସେହିଁ ହେଉଛନ୍ତି ମଗଧ ରାଜ୍ୟର ପ୍ରଧାନମନ୍ତ୍ରୀ । ତାଙ୍କୁ ଦେଖିବା ମାତ୍ରେ ସେ ଦୁଇ ରାଜକୁମାର ଲଢେଇ ବନ୍ଦ କରିଦେଇ ଦୁଇ ପାଶ୍ୱର୍ରେ ଠିଆହୋଇ ପଡିଲେ । ପ୍ରଧାନମନ୍ତ୍ରୀ ବିଚଳିତ ହୋଇ କହିଲେ “ସର୍ବସାଧାରଣ ପଥରେ, ସାଧାରଣ ଜନତାଙ୍କ ସମ୍ମୁଖରେ ଆପଣ ଦୁହେଁ ଏପରି ଶକ୍ତି ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଅଟେ । ଏହି ସମାଚାର ଆପଣଙ୍କ ପିତାଶ୍ରୀଙ୍କ କର୍ଣ୍ଣଗୋଚର ହେଲେ ତାହା ତାଙ୍କ ମନରେ କିପରି କ୍ଷୋଭ ସୃଷ୍ଟି କରିବ, ତାହା କଳ୍ପନା କରିପାରୁଛନ୍ତି ତ?”ଅଶୋକ ମୌନ ରହିଲେ । ସୁଶେମ କହିଉଠିଲେ, “କାହାକୁ ଭୟକରି ପଳାୟନ କରିବା ମୋ ଦ୍ୱାରା ହେବନାହିଁ । ଆପଣ ହିଁ କହିଲେ, ମୁଁ ଭାବୀ ମହାରାଜ କି ନୁହେଁ?” ପ୍ରଧାନମନ୍ତ୍ରୀ ପ୍ରଶ୍ନ କଲେ “ଯୁବରାଜ, ମୋତେ ଏତିକି ଜଣାଅଛି ଯେ, ଏ ପର୍ଯ୍ୟନ୍ତ ଏହା ଉପରେ କୌଣସି ସିଦ୍ଧାନ୍ତ ଗ୍ରହଣ କରାଯାଇ ନାହିଁ । ଆପଣ ମହାରାଜଙ୍କ ଜ୍ୟେଷ୍ଠ ପୁତ୍ର । ସେହି ଦୃଷ୍ଟିରୁ ଉଦାରପୂର୍ଣ୍ଣ ଆଚରଣ କରିବା ଆପଣଙ୍କର ଧର୍ମ ନୁହେଁ କି?” ମାତ୍ର ସୁଶେମ ଓଲଟି ପ୍ରଶ୍ନ କଲେ “ତାକୁ ମୋ ପ୍ରତି ଉଚିତ୍ ବ୍ୟବହାର କରିବା ପାଇଁ ବାଧ୍ୟ କରିବା ପାଇଁ ଏପରି ବଳପ୍ରୟୋଗ କରୁଥିଲି । ଏହା କଣ ଦୋଷାବହ?”

ପ୍ରଧାନମନ୍ତ୍ରୀ ନିଜର ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ କହିଲେ “ଅନ୍ୟପ୍ରତି ବଳପ୍ରୟୋଗ କରିବା, ଅପମାନ କରିବା ଦ୍ୱାରା ଆପଣଙ୍କର ସମ୍ମାନ ବଢିଯିବ ନାହିଁ । ଆପଣ ନିଜର ସଦ୍ବ୍ୟବହାର, ସଦାଚାର ମାଧ୍ୟମରେ ଅନ୍ୟ ଦ୍ୱାରା ଆଦରଣୀୟ ହେବା ପାଇଁ ଚେଷ୍ଟିତ ହେବା ଆବଶ୍ୟକ । ସହନଶକ୍ତି ବୃଦ୍ଧି କରିବା ଆବଶ୍ୟକ । ଛୋଟ ଛୋଟ କଥାରେ ଝଗଡା କରିବା, ସଦ୍ବ୍ୟବହାର ନୁହେଁ । ବରଂ ଏହା ଦୁର୍ବ୍ୟବହାର ଅଟେ ।” ସୁଶେମ ଗର୍ବରେ କହିଲେ “ଭାଗ୍ୟବଶତଃ ସେ ମୋ ହାତରୁ ଆଜି ବର୍ତି ଗଲା । ନଚେତ୍ ମୁଁ ଆଜି ଏହି ଉଦ୍ଧତ ଯୁବକର ଚମଡା ଉତାରି ଦେଇଥାନ୍ତି । ମୋ ଉପରେ ହାତ ଉଠାଇବାର ଦୁଃସାହସର ଉପଯୁକ୍ତ ପ୍ରତିଫଳ ସେ ଆଜି ପାଇଛି ।”
“ଯୁବରାଜ, ନିଜ ଭାଇ ସମ୍ବନ୍ଧରେ ଏପରି ମନ୍ତବ୍ୟ ଦେବା ଅନୁଚିତ୍ ଅଟେ । ସେ ମଧ୍ୟ ଆପଣଙ୍କ ପରି ଜଣେ ଯୁବରାଜ ଓ ଆପଣଙ୍କ ପିତାଙ୍କର ପୁତ୍ର ।” ଏହିପରି ଭାବେ ମନ୍ତ୍ରୀ ତାଙ୍କୁ ବୁଝେଇବା ପାଇଁ ପ୍ରଯତ୍ନ କଲେ ।”ହୋଇପାରେ, ସେ ମୋ ପିତାଙ୍କର ପୁତ୍ର, କିନ୍ତୁ ତାର ମା’ ବିବାହ ପୂର୍ବରୁ ଅନ୍ତଃପୁରରେ ମୋ ମା’ଙ୍କର ସେବାକାରିଣୀ ଥିଲେ । ଅନ୍ୟ ରାଣୀଙ୍କର ମଧ୍ୟ । ତେଣୁ ମୁଁ ତାଙ୍କୁ ଯୁବରାଜ ରୂପେ କେବେବି ସ୍ୱୀକାର କରେ ନାହିଁ ।”ଏହି କଥା ଅଶୋକଙ୍କୁ ଭୟଙ୍କର ଉତ୍ତେଜିତ କଲା । ସେ ପୁନଃ ଆକ୍ରମଣ କରିବାକୁ ଉଦ୍ୟତ ହୁଅନ୍ତେ ମନ୍ତ୍ରୀ ସେଥିରେ ତାଙ୍କୁ ବାଧା ଦେଲେ ।

“କାଳହିଁ ନିର୍ଦ୍ଧାରଣ କରିବ, କିଏ ଯୋଗ୍ୟ ଯୁବରାଜ- ମୁଁ ନା ତୁମେ? ମୋ’ ମାତାଙ୍କର ଆଜି ତୁମେ ଯେଉଁ ଅପମାନ କଲ, ତାହାର ପ୍ରତିଶୋଧ ମୁଁ ଦିନେ ନା ଦିନେ ନିଶ୍ଚୟ ନେବି । ଏହା ମୋର ଅଟଳ ପ୍ରତିଜ୍ଞା । ସ୍ୱୟଂ ପ୍ରଧାନମନ୍ତ୍ରୀ ଓ ଉପସ୍ଥିତ ଜନସାଧାରଣ ହେଉଛନ୍ତି ଏହାର ସାକ୍ଷୀ । ମଗଧ ସିଂହାସନ ଆରୋହଣ କରିବାକୁ ଯାଉଥିବା ବ୍ୟକ୍ତି ତୁମେ ନୁହଁ…. ” ଆଉ କିଛି କହିବାକୁ ନ ଦେଇ ପ୍ରଧାନମନ୍ତ୍ରୀ ଅଶୋକଙ୍କ ପାଟିକୁ ଚାପି ଧରିଲେ ଓ ନିଜର ବକ୍ତବ୍ୟ ଆରମ୍ଭ କରି କହିଲେ, “ମହାରାଜ ବିନ୍ଦୁସାରଙ୍କ ପ୍ରତିନିଧି ଭାବରେ, ମୁଁ ଆପଣ ଦୁହିଁଙ୍କୁ ଏ ସ୍ଥାନ ତ୍ୟାଗ କରିବା ପାଇଁ ଆଦେଶ ପ୍ରଦାନ କରୁଛି । ଏବେ, ଏହି ମୁହୂର୍ତ୍ତରେ ଦୁହେଁ ରାଜଭବନ ଫେରିଯାଆନ୍ତୁ ।” ତା ପରେ ସମବେତ ଜନତାଙ୍କୁ ସେ ସ୍ଥାନ ପରିତ୍ୟାଗ କରିବା ପାଇଁ ସେ ଆଦେଶ ଦେଲେ ।ପ୍ରଧାନମନ୍ତ୍ରୀ ନିଜ ଗୃହ ଅଭିମୁଖେ ଆଗେଇଲେ । ଅଶ୍ୱରୁ ଅବତରଣ କରୁଥିବା ସମୟରେ ବିନ୍ଦୁସାରଙ୍କ ପ୍ରଧାନ ପରାମର୍ଶଦାତା ତାଙ୍କୁ ନମସ୍କାର କରି କହିଲେ, “ମହାରାଜ ଆପଣଙ୍କୁ ସ୍ମରଣ କରୁଛନ୍ତି । “ଆଚ୍ଛା, ତେବେ ଚାଲ ।” ଏପରି କହି ଦୁହେଁ ଆଗପଛ ହୋଇ ରାଜଭବନରେ ଯାଇ ପହଁଚିଲେ । ରାଜା ଏକାନ୍ତ କକ୍ଷରେ ଅବସ୍ଥାନ କରୁଥିଲେ । ସେହି ବିଶାଳ କକ୍ଷରେ ଏକ ଗଦି ଉପରେ ଏକାକୀ ବିନ୍ଦୁସାର ବସିଥାନ୍ତି । ତାଙ୍କ ସମ୍ମୁଖରେ ଜଣେ ରାଜକର୍ମଚାରୀ ଦଣ୍ଡାୟମାନ ଥାଆନ୍ତି । ମନ୍ତ୍ରୀ ପ୍ରଣାମ କରିବାରୁ ରାଜା ତାଙ୍କୁ ଉପବେଶନ କରିବାକୁ ସଙ୍କେତ ଦେଲେ ।

ଏହାପରେ ମହାରାଜା ଆରମ୍ଭ କଲେ “ଭଲ୍ଲାଟକ, ଆଜି ଏକ ମନ୍ଦ ସମାଚାର ମିଳିଛି । ଏହାର ସମ୍ପୂର୍ଣ୍ଣ ବିବରଣୀ, ଏହି ତକ୍ଷଶିଳାର ରାଜ କର୍ମଚାରୀ ଆପଣଙ୍କୁ ପ୍ରଦାନ କରିବେ ।”କର୍ମଚାରୀ ବିବରଣୀ ପ୍ରଦାନ କରିବାକୁ ଯାଇ କହିଲେ “ମନ୍ତ୍ରୀବର, ଆପଣ ତ ଜାଣିଥିବେ ମହାରାଜ ଚନ୍ଦ୍ରଗୁପ୍ତ ତକ୍ଷଶିଳା ପ୍ରାନ୍ତ ଉପରେ ବିଜୟଶ୍ରୀ ପ୍ରାପ୍ତ ହୋଇଥିଲେ । ସେଠାରେ ସେ ନିଜର ପ୍ରତିନିଧିଙ୍କୁ ନିଯୁକ୍ତ କରିଥିଲେ । ସେହିଦିନଠାରୁ ଅଦ୍ୟାବଧି ଶାସନକାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ ହୋଇ ଆସୁଥିଲା । କିନ୍ତୁ ଏବେ ମୌର୍ଯ୍ୟ ଅଧିକାରକୁ ଆହ୍ୱାନ ଦେବାପରି ବିଦ୍ରୋହର ଆଭାସ ତକ୍ଷଶିଳାରେ ପରିଲକ୍ଷିତ ହେଉଛି । ତକ୍ଷଶିଳାର ସାଧାରଣ ନାଗରିକଙ୍କ ପ୍ରତି କୌଣସି ଅବିଚାର ବା ଅନ୍ୟାୟ କରାଯାଇନାହିଁ । ତେଣୁ ଆପଣଙ୍କୁ ଏହା ନିଶ୍ଚୟ ବିଚିତ୍ର ବୋଧ ହେଉଥିବ । କିନ୍ତୁ ଆମେ ରାଜକର୍ମଚାରୀମାନେ ଏହି ବିଦ୍ରୋହର ଆଭାସରେ ଆଦୌ ବିସ୍ମିତ ନୁହେଁ । କାରଣ ଏହା ପଛରେ ଗ୍ରୀକ୍ମାନଙ୍କର ହାତ ଅଛି । ଏବେ ଯାଏଁ ସେମାନେ ଭୁଲିନାହାଁନ୍ତି ମହାରାଜ ଚନ୍ଦ୍ରଗୁପ୍ତଙ୍କ ପ୍ରଚଣ୍ଡ ଆକ୍ରମଣ ଓ ତାର ଫଳାଫଳ । ତେଣୁ ସେମାନେ ମଗଧ ରାଜ୍ୟ ଖଣ୍ଡବିଖଣ୍ଡିତ ହୋଇଯାଉ ଏହାହିଁ କାମନା କରି, ଆକ୍ରମଣର ସ୍ୱପ୍ନ ଦେଖୁଛନ୍ତି ।”

ପ୍ରଧାନମନ୍ତ୍ରୀ ପ୍ରଶ୍ନ କଲେ, “କେଉଁ ପଦ୍ଧତିରେ ବିଦ୍ରୋହ ହେବାର ସମ୍ଭାବନା ରହିଛି?” “ବିଦ୍ରୋହର ନେତା ଆତ୍ମଗୋପନ କରି, ବିଶିଷ୍ଟ ନାଗରିକ ଓ ବ୍ୟବସାୟୀଙ୍କୁ ପ୍ରଭାବିତ କରୁଛନ୍ତି । ମଗଧ ରାଜକର୍ମଚାରୀଙ୍କ ଗୃହ ଲୁଟ୍ କରିବା ତଥା ଅଗ୍ନି ସଂଯୋଗ କରିବା ପରି କାର୍ଯ୍ୟ କରିବା ପାଇଁ ସାଧାରଣ ପ୍ରଜାଙ୍କୁ ଉତ୍ତେଜିତ କରାଉଛନ୍ତି । ଆମର କେତେଜଣ ସୈନିକଙ୍କୁ ପ୍ରଜା ହତ୍ୟା କରି ସାରିଲେଣି । ଦିନକୁ ଦିନ ଏହି ପରିସ୍ଥିତି ବିଷମ ହେବାକୁ ଯାଉଛି ।” ଏହା କହି କର୍ମଚାରୀ ବିଦ୍ରୋହର ଅବସ୍ଥାର ଏକ ଚିତ୍ର ଦେଲେ ।”ହିଂସାତ୍ମକ ମାର୍ଗର ଉପଯୋଗ ଆରମ୍ଭ ହୋଇ ସାରିଛି । ତେଣୁ ଆଉ ବିଳମ୍ବ ହାନିକାରକ ହେବ । ନିଜର ଶକ୍ତି ମାଧ୍ୟମରେ ବିଦ୍ରୋହ ଦମନ କରିବା ଏକମାତ୍ର ସମାଧାନ ଅଟେ ।” ମହାରାଜଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ, “ରାଜନ୍, ସେନାଧିପତିଙ୍କୁ ତକ୍ଷଶିଳା ଠାରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଅବିଳମ୍ବେ ଆଦେଶ ପ୍ରଦାନ କରନ୍ତୁ ।”ବିନ୍ଦୁସାର ଆବେଗରେ କହିଉଠିଲେ “ଅମିତ ବଳ ପରାକ୍ରମ ସାହାଯ୍ୟରେ, ମୋ ପିତା ସ୍ଥାପନ କରିଥିବା ଏହି ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ମୋ ଆଖି ଆଗରେ ଖଣ୍ଡ ବିଖଣ୍ଡିତ ହୋଇଯିବ । ନା, ମୁଁ ତାହା କେବେବି ହେବାକୁ ଦେବିନାହିଁ । ଏହି ବିଦ୍ରୋହୀଙ୍କୁ ଦମନ କରିବାର ଭାର ମୁଁ ନିଜେ ବହନ କରୁଛି । ମୋର ନେତୃତ୍ୱରେ ବିଦ୍ରୋହୀମାନଙ୍କର ମୂଳୋତ୍ପାଟନ କରି ସେମାନଙ୍କର ସର୍ବନାଶ କରିବି ।”

ପ୍ରଧାନମନ୍ତ୍ରୀ ପ୍ରକାଶ କଲେ “ଯେପରି ଆପଣଙ୍କର ଇଚ୍ଛା । କିନ୍ତୁ ମୋର ଏକ ଅନୁରୋଧ ଆପଣ ଆଦେଶ ଦେଲେ, ଆପଣଙ୍କର ଛଅଜଣ ପୁତ୍ରଙ୍କ ମଧ୍ୟରେ ଯେ କେହି ଏହି ବିଦ୍ରୋହ ଦମନ ଅଭିଯାନର ନେତୃତ୍ୱ ନେଇ ପାରିବେ ।””କିପରି ବିଷମ ପରିସ୍ଥିତି ଆସି ପହଁଚିଲା? ସୁଶେମଙ୍କର ରାଜ୍ୟାଭିଷେକ ପାଇଁ ବିଚାର କରୁଥିବା ସମୟରେ ଏହି ବିପଦର ସମ୍ମୁଖୀନ ହେବା ପାଇଁ ପଡିଲା ।” ମହାରାଜ ଏତିକି କହି ନୀରବ ରହିଲେ । ପ୍ରଧାନମନ୍ତ୍ରୀ ପୁନଶ୍ଚକହିଲେ “ପ୍ରଭୁ, ମୋର ଏହି ଛୋଟ ଅନୁରୋଧ ରକ୍ଷା କରନ୍ତୁ । ଆମ୍ଭେ ପ୍ରଥମେ ଯୁବରାଜଙ୍କୁ ନେତୃତ୍ୱ ସମ୍ଭାଳିବା ପାଇଁ କହିବା ନାହିଁ । ମୋର ଉଦ୍ଧେଶ୍ୟ, ଛଅଜଣ ଯୁବରାଜଙ୍କୁ ପ୍ରଥମେ ଏଠାକୁ ଡକାଇ ତକ୍ଷଶିଳାର ବିଦ୍ରୋହ ସମ୍ବନ୍ଧରେ ସେମାନଙ୍କୁ ସୂଚନା ଦେବା । ଏହାଦ୍ୱାରା ସେମାନେ ଉପଲବ୍ଧି କରିପାରିବେ ଯେ, ସେଠାରେ ସୈନ୍ୟବାହିନୀକୁ ନେତୃତ୍ୱ ଦେବା ପାଇଁ, ସେମାନଙ୍କ ମଧ୍ୟରୁ ଜଣଙ୍କର ଆବଶ୍ୟକତା ଅଛି । ଜ୍ୟେଷ୍ଠପୁତ୍ର ଭାବରେ ସୁଶେମ ନିଶ୍ଚୟ ଏଥିପାଇଁ ଆଗଭର ହେବେ । କାହିଁକିନା ମଗଧର ଭାବୀ ଶାସକ ହେବା ପାଇଁ ତାଙ୍କ ମନରେ ଅନେକ ଆଶା ରହିଛି । ତେଣୁ ସେ ଅତି ଆନନ୍ଦରେ ଏହି ଭାର ଗ୍ରହଣ କରିବେ ।

ବିନ୍ଦୁସାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଉଚିତ୍ ବୋଧ ହେଲା । ସେହି ଦିନ ଛଅଜଣ ରାଜକୁମାର ମହାରାଜଙ୍କ ସମ୍ମୁଖରେ ଆସି ଉପସ୍ଥିତ ହେଲେ । ସେମାନଙ୍କୁ ସମ୍ବୋଧିତ କରି ମହାରାଜ କହିଲେ, “ଏବେ ତୁମ୍ଭେମାନେ କିଶୋର ବୟସ ଅତିକ୍ରମ କରି ନବଯୌବନରେ ପାଦ ଦେଇଛ । ଶାସନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଜ୍ଞାତ ହେବା ପରି ସମୟ ତୁମମାନଙ୍କର ଏବେ ଆସିଯାଇଛି । ଶାସନର ସୁପରିଚାଳନା ପାଇଁ କେଉଁ ସବୁ ଦାୟିତ୍ୱ ବହନ କରିବା ପାଇଁ ପଡିବ, ତାହା ତୁମ୍ଭମାନଙ୍କର ଜାଣିବା ନିହାତି ଆବଶ୍ୟକ । ରାଜ୍ୟର ଗତିବିଧି ସହିତ ଭଲଭାବେ ପରିଚିତ ହେବା ତୁମ୍ଭମାନଙ୍କର କର୍ତ୍ତବ୍ୟ ଅଟେ । ସଦ୍ୟ ପ୍ରାପ୍ତ ସମାଚାର ଅନୁଯାୟୀ ତକ୍ଷଶିଳାରେ ବିଦ୍ରୋହର ବାତାବରଣ ସୃଷ୍ଟି ହେଇଛି । ହିଂସା ଓ ଅଶାନ୍ତିର ପ୍ରଭାବରେ ସର୍ବସାଧାରଣ ପ୍ରଜାଗଣ ଶାନ୍ତିରେ ଜୀବନଯାପନ ପାଇଁ ଆଉ ସକ୍ଷମ ହେଉନାହାଁନ୍ତି । ସେମାନେ ନିଜକୁ ଅସହାୟ ମଣୁଛନ୍ତି । ଏହି ବିଦ୍ରୋହ ଦମନ କରିବା ଅତି ଜରୁରୀ । ତୁମମାନଙ୍କ ମଧ୍ୟରୁ କାହାକୁ ସୈନ୍ୟବାହିନୀର ନେତୃତ୍ୱ ନେଇ ବିଦ୍ରୋହ ଦମନ କରି ସେହି ପ୍ରାନ୍ତରେ ପୁନଃ ଶାନ୍ତି ଓ ସୁରକ୍ଷା ସ୍ଥାପନା କରିବାକୁ ପଡିବ । ଏହି କାର୍ଯ୍ୟ କରିବା ପାଇଁ ତୁମମାନଙ୍କ ମଧ୍ୟରୁ କିଏ ଆଗ୍ରହୀ ଓ ପ୍ରସ୍ତୁତ ତାହା ଅବିଳମ୍ବେ ପ୍ରକାଶ କର ।”ବିନ୍ଦୁସାର ଭାବୁଥିଲେ, ସୁଶେମ ତୁରନ୍ତ ଦାୟିତ୍ୱ ନେବାପାଇଁ ଆଗଭର ହୋଇ ବାହାରିବେ । କିନ୍ତୁ ସେ ନୀରବରେ ଦଣ୍ଡାୟମାନ ଥିଲେ । ଅନ୍ୟ ଚାରି ପୁତ୍ର ମଧ୍ୟ ନିରୁତ୍ତର ରହି ମୁଣ୍ଡ ତଳକୁ କରିଦେଲେ । ଶେଷରେ ଅଶୋକ ଆଗେଇ ଆସି ଘୋଷଣା କଲେ, “ପ୍ରଭୁ, ଆପଣଙ୍କର ଆଜ୍ଞା ପାଳନ କରିବା ପାଇଁ ମୁଁ ପ୍ରସ୍ତୁତ । ମତେ ଆଦେଶ ପ୍ରଦାନ କରନ୍ତୁ । ମୋର ବିଶ୍ୱାସ ଏହି ଦାୟିତ୍ୱ ମୁଁ ସୁଚାରୁ ରୂପେ ପାଳନ କରିପାରିବି । ଏପରି କୌଣସି ବିଶୃଙ୍ଖଳାକୁ ସହ୍ୟ କରିବା ଅନୁଚିତ୍ ହେବ । ବିଦ୍ରୋହ ଦମନ କରି, ଶାନ୍ତି ଓ ସୁରକ୍ଷା ସ୍ଥାପନ ପାଇଁ, ଏବେ ଏହି ମୁହୂର୍ତ୍ତରେ ସୈନ୍ୟଙ୍କୁ ନେଇ ଯାତ୍ରା ଆରମ୍ଭ ପାଇଁ ମୋତେ ଅନୁମତି ପ୍ରଦାନ କରନ୍ତୁ ।”

“ପୁତ୍ର, ମୁଁ ଖୁବ୍ ଆନନ୍ଦିତ । ତୁମର ସାହସ ଓ ଆତ୍ମବିଶ୍ୱାସର ମୁଁ ପ୍ରଶଂସା କରୁଛି । ତୁମେ ପ୍ରକୃତରେ ଜଣେ ବୀରପୁରୁଷ । ତୁମ କଥା ଓ କାର୍ଯ୍ୟରେ ବିରତ୍ୱର ଅପୂର୍ବ ସମାହାର ଘଟିପାରିଛି । ଯଥାଶୀଘ୍ର ଏହି ବିଜୟ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଅ ।” ଏପରି କହି ବିନ୍ଦୁସାର ସ୍ନେହରେ ଅଶୋକଙ୍କ ପିଠି ଆଉଁଷି ଦେଲେ । ଅନ୍ୟପୁତ୍ରମାନଙ୍କୁ ଝିଂଘାସି କରି ସେ କହିଲେ, “କାପୁରୁଷ ଗଣ ଆଉ କାହିଁକି ମୋ ସମ୍ମୁଖରେ ଠିଆ ହୋଇଛ । ତୁମ ମାନଙ୍କ ପାଇଁ ମୋର ସମ୍ମାନ ନଷ୍ଟ ହୋଇସାରିଛି । ଏଥର ନିଜ ନିଜ ବାସଗୃହକୁ ଫେରିଯାଇ ଲୁଚକାଳୀ ଖେଳ ଖେଳିବା ଆରମ୍ଭ କରିଦିଅ । ମୋ ଆଗରେ ମୁହଁ ଦେଖାଇବା ଅନୁଚିତ୍ ।”ପାଂଚ ରାଜକୁମାର ବିରସମନରେ ସେ ସ୍ଥାନ ପରିତ୍ୟାଗ କଲେ । ଅଶୋକ ପିତାଙ୍କ ଚରଣ ସ୍ପର୍ଶ କରି ପ୍ରଣାମ କଲେ ଓ ଆର୍ଶୀବାଦ ଘେନି ସେଠାରୁ ଚାଲି ଆସିଲେ ।ମହାରାଜ ଏକାନ୍ତରେ ଭାବିଲେ “ପୂଜ୍ୟ ଗୁରୁଦେବ ଚାଣକ୍ୟଙ୍କ ବାଣୀ ସତ୍ୟ ପ୍ରମାଣିତ ହେଲା । ସେ ସେହି ପରୀକ୍ଷା ଦିନହିଁ ନିର୍ଣ୍ଣୟ କରିସାରିଥିଲେ ଯେ ମୋ ପୁତ୍ରମାନଙ୍କ ମଧ୍ୟରେ କେବଳ ଅଶୋକ ହିଁ ଯୋଗ୍ୟତମ ।”

New odia story Odia New story Odia Story Ashoka Samrata
Share. Facebook Twitter Pinterest LinkedIn Tumblr Reddit Email
Previous Articleତ୍ୟାଗ ଓ ଭୋଗ
Next Article ରୂପଧରଙ୍କ ଯାତ୍ରା
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.