• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ସଦବୁଦ୍ଧିର ଔଷଧ
ଗଳ୍ପ

ସଦବୁଦ୍ଧିର ଔଷଧ

Liza SBy Liza SMarch 7, 2023No Comments9 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Sadbudhira-oushadha
Odia-Story-Sadbudhira-oushadha
Share
Facebook Twitter Pinterest Reddit Email

ଗୋଟିଏ ଗ୍ରାମରେ ତିନିଭାଇ ରହୁଥାନ୍ତି- ଚତୁର ,ବିଦୁର, ପ୍ରବର । ପିତାଙ୍କ ମୃତ୍ୟୁ ଅନ୍ତେ, ସମ୍ପତ୍ତି ଓ ଗୃହକୁ ତିନିଭାଇ ଭାଗ କରିନେଇ ଜୀବନଯାପନ କରୁଥାନ୍ତି । ଯଥାତଥା ଖାଇପିଇ ବଂଚି ଜୀବନ କଟେଇବା ବ୍ୟତୀତ ସେମାନଙ୍କର ଅନ୍ୟ କିଛି ଉଚ୍ଚ ଚିନ୍ତାଧାରା ବା ଅଭିରୁଚି ନ ଥାଏ । ସେମାନଙ୍କର ପତ୍ନୀ, କୌଣସି ଫଳପ୍ରଦ କାର୍ଯ୍ୟରେ ମନୋନିବେଶ କରିବାକୁ ପତିମାନଙ୍କୁ ଯେତେ ପ୍ରକାର ବୁଝାଇଲେ ମଧ୍ୟ, ତାହା ତାଙ୍କ ଉପରେ ପ୍ରଭାବ ପକାଉ ନ ଥାଏ । ତେଣୁ ସେମାନେ ଅନ୍ତରରେ ଖୁବ୍ ବିବଶ ଅନୁଭବ କରୁଥାନ୍ତି ।ଦିନେ ଜଣେ ସନ୍ନ୍ୟାସୀ, ତାଙ୍କ ଗୃହ ସମ୍ମୁଖରେ ଉଚ୍ଚ ସ୍ୱରରେ ‘ଭିକ୍ଷାଂ ଦେହିଂ’ ଧ୍ୱନି କରିଲେ ।ଏହି ସମୟରେ ତିନିଜଣଯାକ ଭାଇ କୌଣସି କାର୍ଯ୍ୟ ବଶତଃ ପାଖ ଗ୍ରାମକୁ ଯାଇଥିଲେ । ତିନି ଯାଆ ଏକାଠି ବସି ଦୁଃଖସୁଖ ହେଉଥିଲେ । ସନ୍ନ୍ୟାସୀଙ୍କର କଣ୍ଠସ୍ୱର ଶୁଣି ସେମାନେ ଭାବିଲେ, ନିଶ୍ଚୟ କେହି ନୂଆ ଭିକାରୀ ଏହି ଗ୍ରାମକୁ ଆସିଛି । ନଚେତ୍ ଆମ ଘର ସମ୍ମୁଖରେ ଠିଆ ହୋଇ ଏତେ ବଡପାଟିରେ ଭିକ୍ଷା ପାଇଁ ଚିତ୍କାର କରନ୍ତା କି?

ଏହି ସମୟରେ ସନ୍ନ୍ୟାସୀ ପୁଣିଥରେ ‘ଭିକ୍ଷାଂ ଦେହିଂ’ ଚିତ୍କାର କଲେ ।ତିନିଜଣ ଯାକ ବାହାରକୁ ଆସି ସନ୍ନ୍ୟାସୀଙ୍କୁ କହିଲେ, “ତୁମକୁ କଣ ଜଣାନାହିଁ ଏ ଘର କାହାର? ଏଠାରେ କାହାକୁ ଭିକ୍ଷା ଦିଆଯାଏ ନାହିଁ ।”ସନ୍ନ୍ୟାସୀ ଏଥିରେ ନିରାଶ ନ ହୋଇ କହିଲେ, “ତୁମମାନଙ୍କୁ ମୋ ପରିଚୟ ଜଣାନାହିଁ । ସେହି କାରଣରୁ ମୋତେ ଭିକ୍ଷାପ୍ରଦାନ କରିବାକୁ ଅସମ୍ମତ ହେଉଛ । ମୁଁ ସମସ୍ତଙ୍କଠାରୁ ଭିକ୍ଷା ସ୍ୱୀକାର କରେନାହିଁ । ଆଜି ତୁମମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ଅଛି । ତେଣୁ ମୁଁ ଏଠାକୁ ଆସିଛି । ମୋତେ ଭିକ୍ଷା ପ୍ରଦାନ କଲେ ତୁମର ଅଶେଷ କଲ୍ୟାଣ ସାଧିତ ହେବ ।”ତିନି ଯାଆ ଅନୁଭବ କଲେ, ୟେ କୌଣସି ସାଧାରଣ ଭିକାରୀ ନୁହଁନ୍ତି । କିନ୍ତୁ ଭୟବଶତଃ କିଛି ପ୍ରକାଶ କଲେ ନାହିଁ । କାଳେ କିଛି ଅଘଟଣ ଘଟିଯିବ ଏହା ଆଶଙ୍କା କରି, ବଡ ଯାଆ କହିଲେ, “ତୁମ ପରି କେତେ ଭିକାରୀ ଆସୁଛନ୍ତି । କିନ୍ତୁ ତୁମେ ଯେଉଁ କଲ୍ୟାଣ କଥା କହୁଛ ତାହା ଆଉ ମିଛ ନୁହେଁ ତ? ସ୍ପଷ୍ଟ କରି କହିଲ ତାହା କ’ଣ?”ସନ୍ନ୍ୟାସୀ କହିଲେ “ଏପରି ଉପାୟ ମୁଁ ତୁମମାନଙ୍କୁ ବତେଇବି, ଯାହାର ଫଳସ୍ୱରୂପ, ତୁମମାନଙ୍କର ଘର ପଛପଟ ବାରିରୁ ଧନରତ୍ନ ପ୍ରାପ୍ତ ହେବ ।”

ଧନରତ୍ନ ନାମ ଶୁଣୁ ଶୁଣୁ, ତିନିଜଣଙ୍କ ମଧ୍ୟରେ ଉତ୍ସାହ ଜାଗି ଉଠିଲା । ସେମାନେ ଭିକ୍ଷା ଦେବା ପାଇଁ ତତ୍ପର ହୋଇ ଉଠିଲେ ।ସନ୍ନ୍ୟାସୀ ଧନପ୍ରାପ୍ତି ସମ୍ବନ୍ଧିତ ସମସ୍ତ ବିବରଣୀ ବିସ୍ତୃତ ଭାବେ ପ୍ରକାଶ ନ କରି କହିଲେ, “ଏହି ଗୃହ ତିନିଭାଇଙ୍କର ଅଟେ । ତେଣୁ ସମସ୍ତଙ୍କର ଅଧିକାର ସମାନ । ଅତଏବ ଜଣଙ୍କ ଘରେ ଅନ୍ନ, ଅନ୍ୟଜଣଙ୍କ ଘରେ ବ୍ୟଞ୍ଜନ ଓ ତୃତୀୟ ଜଣଙ୍କ ଘରେ ଦହି ଇତ୍ୟାଦିର ଆୟୋଜନ କର । ଏପରି ତିନିଜଣଯାକ ମିଶି ମୋତେ ପେଟପୁରା ଭୋଜନ ପ୍ରଦାନ କର । ତା’ପରେ ମୁଁ ଧନପ୍ରାପ୍ତିର ସ୍ଥାନ ଓ ଉପାୟ କହିବି ।”ଏହା ଶୁଣି ବଡ ଆତୁରରେ ସେ ତିନିହେଁ ଏକ ସ୍ୱରରେ କହିଲେ, “ଧନ କାହା ବାରିପଟେ ମିଳିବ?”ସନ୍ନ୍ୟାସୀ କହିଲେ, “ତିନିଜଣଙ୍କୁ ନିଜ ନିଜର ଭାଗ ଧନ ନିଜ ବାରିରେ ମିଳିବ ।” ଏହାପରେ ସେ ତିନିଜଣଯାକ ମିଶି ସନ୍ନ୍ୟାସୀଙ୍କୁ ପେଟପୁରା ଭୋଜନ କରାଇଲେ । ତୃପ୍ତିରେ ହାକୁଡି ମାରି ସନ୍ନ୍ୟାସୀ କହିଲେ, “ମୁଁ ଅତ୍ୟନ୍ତ ପ୍ରସନ୍ନ ହେଲି । ତୁମ୍ଭମାନଙ୍କର ପତି ଲେଉଟି ଆସିଲେ, ସେମାନଙ୍କୁ ସାଧାରଣ ମନୁଷ୍ୟଙ୍କ ପାଇଁ ଉପକାର ହେବାଭଳି କିଛି ସତ୍କାର୍ଯ୍ୟ କରିବା ପାଇଁ କହିବ । ସେମାନେ ସତ୍କାର୍ଯ୍ୟ କରି ପାରିଲେ, ତୁମେ ନିଜ ଇଚ୍ଛାରେ ବାରିର ଯେଉଁ ସ୍ଥାନ ଖୋଦନ କରିବ ଧନ ପାଇ ପାରିବ । ମୁଁ ଏହି ଗ୍ରାମରେ ଆହୁରି ତିନି ଦିନ ଅବସ୍ଥାନ କରୁଛି । ଧନ ନ ମିଳିଲେ ମୋତେ ସାକ୍ଷାତ କରିବ ।”

ତାଙ୍କ କଥାଶୁଣି ଏ ତିନି ଯାଆଙ୍କର ମୁହଁ ହଠାତ୍ ଫିକା ପଡିଗଲା । ସେମାନଙ୍କର ଚିନ୍ତାଗ୍ରସ୍ତ ମୁଖମଣ୍ଡଳ ଦେଖି ସନ୍ନ୍ୟାସୀ ସେମାନଙ୍କୁ ଏହାର କାରଣ ପଚାରିଲେ ।ବଡ ଯାଆ କହିଲେ “ସେ ତିନିଭାଇଙ୍କ ସ୍ୱଭାବ ତ ସମାନ ଅଟେ । ତୁମ କହିବା ଅନୁସାରେ, ସେମାନଙ୍କ ଦ୍ୱାରା କୌଣସି ସତ୍କାର୍ଯ୍ୟ କରେଇବା ଅସମ୍ଭବ ଅଟେ । ପରୋପକାର କରିବା ସେମାନଙ୍କର ଜାତକରେ ମୋଟେ ନାହିଁ । ଆମେ ତୁମକୁ ଖାଇବାକୁ ଦେଇଛୁ । ଏତିକି କଥା ସେମାନଙ୍କ କାନକୁ ଗଲେ ସେମାନେ ଭୀଷଣ ବିରକ୍ତ ହେବେ । ସେମାନଙ୍କ ଅନୁପସ୍ଥିତିରେ ଆମେ ଏହା କରିବାକୁ ସାହସ କରିଛୁ ।”ତା’ପରେ ସେ ସନ୍ନ୍ୟାସୀ ଜଣକ ଅଳ୍ପ ସମୟ ଚିନ୍ତା କରି କହିଲେ, “ମୋ ପାଖରେ ସଦ୍ବୁଦ୍ଧିର ଔଷଧ ଅଛି । ସେଥିରୁ ଗୋଟିଏ ଗୋଟିଏ ଲେଖାଏଁ ବଟିକା ମୁଁ ତୁମ ତିନିଜଣଙ୍କୁ ଦେବି । ରାତ୍ରିରେ ଶୋଇବା ପୂର୍ବରୁ ଏହାକୁ ଜଳରେ ମିଶାଇ ପତିମାନଙ୍କୁ ପାନ କରିବାକୁ ଦେବ । ସକାଳେ ଉଠିବା ବେଳକୁ ସେମାନଙ୍କ ଭିତରେ ସଦ୍ବୁଦ୍ଧି ଉତ୍ପନ୍ନ ହୋଇସାରିଥିବ । ଏହାର ପ୍ରଭାବ ତା ପରଦିନ ସୂର୍ଯ୍ୟାସ୍ତ ଯାଏଁ ରହିବ ।” ଏପରି କହି ସନ୍ନ୍ୟାସୀ ସେ ତିନିଜଣଙ୍କୁ ଔଷଧ ପ୍ରଦାନ କଲେ ।

ତିନିଭାଇ ଘରକୁ ଫେରିବାରୁ, ସେମାନଙ୍କର ପତ୍ନୀ, ସନ୍ନ୍ୟାସୀଙ୍କ କହିବା ଅନୁସାରେ ଜଳରେ ଗୋଳାଇ ସଦ୍ବୁଦ୍ଧି ବଟିକା ନିଜ ନିଜର ପତିଙ୍କୁ ପିଇବା ପାଇଁ ଦେଲେ ।ପରଦିନ ପ୍ରଥମେ ଚତୁରଙ୍କର ନିଦ ଭାଙ୍ଗିଗଲା । ସେ ଘରର କବାଟ ଖୋଲି ବାହାରକୁ ବାହାରିଛନ୍ତି କି ନାହିଁ ଦେଖିଲେ କେତେଜଣ ସିପାହୀ ଓ ରାଘବ ଠିଆ ହୋଇଛନ୍ତି । ରାଘବ ଉଚ୍ଚସ୍ୱରରେ ରୋଦନ କରୁଥିବାର ଦେଖି ସେ ପ୍ରଶ୍ନ କଲେ, “କଥା କଣ? ଏପରି କାହିଁକି କାନ୍ଦୁଛ?”ଜଣେ ସିପାହୀ କହିଲେ, “ବହୁତ ଟଙ୍କା କରଜ କରି ସେ ଜମି ଓ ଘର କିଣିଛି । ଘର ପତ୍ନୀ ନାମରେ ଓ ଜମି ସନ୍ତାନ ମାନଙ୍କ ନାମରେ ରହିଛି । କରଜ ଶୁଝିବା ପାଇଁ ତା ପାଖରେ କିଛି ନାହିଁ । ମହାଜନ ଏହା ନାମରେ ଅଭିଯୋଗ କରିବାରୁ ତାର ବିଚାର ପାଇଁ ତାକୁ କାରାଗାରକୁ ପଠାଯାଇଛି ।”ଚତୁର ସହାନୁଭୂତିଶୀଳ ହୋଇ କହିଲେ “କାରାଗାରରେ ବନ୍ଦୀ ହୋଇ ରହିଲେ ସେ କିପରି କରଜ ଶୁଝିବା ପାଇଁ ସମର୍ଥ ହେବ? ବାହାରେ ରହିଲେ ସିନା, କୌଣସି ଉପାୟ କରି ଚେଷ୍ଟା କରି କରଜ ଶୁଝିବ ।”ଜଣେ ସିପାହୀ ବୁଝାଇ ଦେଲେ “କରଜଦାର ଲୋକଙ୍କୁ ବାହାରେ ରଖିବା ପାଇଁ, ଏକଶହ ମୁଦ୍ରା ଜମାନତ ଦେବାପାଇଁ ପଡିବ । ଏଥିପାଇଁ ତା’ର ପତ୍ନୀ ଓ ପୁତ୍ର ମୋଟେ ରାଜି ହେଉ ନାହାଁନ୍ତି । ଏହା ପାଖରେ ମଧ୍ୟ ଏତିକି ଧନ ନାହିଁ । ତେଣୁ ଅନ୍ୟ କିଛି ଉପାୟ ନ ଥିବାରୁ ତାକୁ କାରାଗାରକୁ ପ୍ରେରଣ କରାଯାଉଛି ।”

ଚତୁର ସଙ୍ଗେ ସଙ୍ଗେ କହିଲେ, “ମାତ୍ର ଏକଶହ ମୁଦ୍ରା ପାଇଁ ଜଣେ ଭଦ୍ରବ୍ୟକ୍ତିଙ୍କୁ କାରାଗାରରେ ନିକ୍ଷେପ କରିବ । ରାଘବକୁ ଛାଡି ଦିଅନ୍ତୁ । ଯାହା ମୁଦ୍ରା ଆବଶ୍ୟକ ମୁଁ ପ୍ରଦାନ କରିବି ।” ଏପରି କହି ସେ ଘର ଭିତରୁ ଏକଶହ ମୁଦ୍ରା ଆଣି ସିପାହୀଙ୍କ ହାତକୁ ବଢେଇ ଦେଇ କହିଲେ, “ମୋର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନାହିଁ । ବଳଦ ଦୁଇଟି କିଣିବା ପାଇଁ ଏତିକି ମାତ୍ର ସଂଚିଥିଲି । କାଲି ହାଟକୁ ମୁଁ ସେହି କାରଣରୁ ଯାଇଥିଲି ମଧ୍ୟ, ମାତ୍ର ମନପସନ୍ଦର ବଳଦ ନ ମିଳିବାରୁ ମୁଦ୍ରା ଫେରସ୍ତ ଧରି ଫେରିଆସିଲି । ଭାଗ୍ୟକୁ ଏହା ରାଘବ କାମରେ ଲାଗିବ ।”ସିପାହୀମାନେ ମୁଦ୍ରା ପାଇବାରୁ ରାଘବକୁ ଛାଡିଦେଲେ । ଏହାପରେ ଚତୁର ରାଘବ, ତାର ପତ୍ନୀ, ପୁତ୍ର ଓ ମହାଜନ ସମସ୍ତଙ୍କୁ ଏକାଠି କରି ଘଟଣାର ସମାଧାନ କରିବାକୁ ଚାହିଁଲେ । ରାଘବଙ୍କ ପରିବାର ସେମାନଙ୍କର ସ୍ୱାର୍ଥପରତା ପାଇଁ ଅନୁତାପ କଲେ । ମହାଜନ ମଧ୍ୟ ଚତୁର ଦେଇଥିବା ଜମାନତ ଟଙ୍କା ତାଙ୍କୁ ଫେରସ୍ତ କରି ଦେଲେ । ରାଘବଙ୍କର ପତ୍ନୀ ଚତୁରଙ୍କୁ କହିଲେ, “ମହାଶୟ, ଆପଣ ଏବଂ ମୋର ପତି ମଧ୍ୟରେ ବହୁଦିନ ହେଲା ଶତ୍ରୁତା ରହିଆସିଛି । ତେବେ ବି ଆପଣ ମୋ ପତିଙ୍କୁ ଏପରି ସାହାଯ୍ୟ କଲେ । ଆପଣ ଜଣେ ଉତ୍ତମ ମନୁଷ୍ୟ । ପତିଙ୍କୁ କାରାଗାର ଯାଉଥିବାର ଦେଖି ମଧ୍ୟ ନିଶ୍ଚିନ୍ତ ରହିବା ପରି ସ୍ତ୍ରୀ ମୁଁ ନୁହେଁ । ସତକଥା ହେଉଛି, ମୋ ପତିଙ୍କର ଜିଦ୍ ଥିଲା ଯେ, ସେ ପଛକେ ଦଣ୍ଡ ପାଇବେ, କିନ୍ତୁ କରଜ ଶୁଝିବେ ନାହିଁ । ତେଣୁ ଆମେ ଏପରି ବ୍ୟବହାର କଲୁ । ମାତ୍ର ଏବେ ଆପଣଙ୍କର ଶତୃ ପ୍ରତି ସଦ୍ବ୍ୟବହାର ପ୍ରଦର୍ଶନ, ତାଙ୍କ ମନରେ ପରିବର୍ତ୍ତନ ଆଣିପାରିଲା । ତେଣୁ ସେ ମହାଜନଙ୍କ ନିକଟରେ କରଜ ଶୁଝିବା ପାଇଁ ସମ୍ମତ ହେଲେ । ଏଣୁ ଆମେ ସମସ୍ତେ ଆପଣଙ୍କ ନିକଟରେ ଚିରଋଣୀ ।”

ରାଘବ ମଧ୍ୟ ଚତୁରଙ୍କୁ ପୂର୍ବର ଭେଦଭାବ ଭୁଲିଯାଇ ବନ୍ଧୁତାର ହାତ ବଢେଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହେଲା । ଚତୁର ସେଠାରୁ ଖୁସିମନରେ ଫେରି ଆସିଲେ ।ସେହିଦିନ ବିଦୁରଙ୍କୁ ମଧ୍ୟ ଏକ ପରୋପକାର କରିବାପାଇଁ ସୁଯୋଗ ମିଳିଲା । ବିଦୁର ତିନିଭାଇଙ୍କ ମଧ୍ୟରେ ଶକ୍ତିଶାଳୀ ଓ ତାଗ୍ଡା । ତାଙ୍କ ଗୃହ ସମ୍ମୁଖରେ ରହୁଥିବା ଜଣେ ଭଦ୍ରବ୍ୟକ୍ତିଙ୍କର ଏକ କୂଅ ଖୋଳା ହେଉଥିଲା । କିନ୍ତୁ ଏକ ବଡ ପଥର ଖଣ୍ଡ ପଡିବାରୁ, ଖୋଳିବା କାମ ସମ୍ପୂର୍ଣ୍ଣ ହୋଇପାରୁ ନଥାଏ । ଲୋକମାନେ କୁହାକୁହି ହେଉଥାନ୍ତି, ଯେଉଁ ଲୋକ ଦେହରେ ପାଂଚଜଣଙ୍କର ଶକ୍ତି ଥିବ, ସେପରି ବଳୁଆ ଲୋକର ହାତୁଡି ପାହାରରେ ଏ ପଥର ଖଣ୍ଡ ଖଣ୍ଡ ହେବ । ବିଦୁରଙ୍କ କାନରେ ଏ କଥା ପଡିଲା । ପାଖ ଗ୍ରାମକୁ ନଡିଆ ନେଇ ଯିବାର ଥାଏ । କାରଣ ଜଣେ ଗ୍ରାହକ ଭଲଦାମ୍ରେ ନଡିଆ କିଣିବା ପାଇଁ ଠିକା ଦେଇଥାନ୍ତି । ଏହି ସୁଯୋଗ ଛାଡିଦେଲେ ତାଙ୍କର ଏକଶହ ମୁଦ୍ରା କ୍ଷତି ହୋଇଯିବ ।କିନ୍ତୁ ପାଖଘରର ଭଦ୍ରଲୋକଙ୍କର ସମସ୍ୟା କହିଲେ ନସରେ । ଚାରିଦିନ ହେଲା, ଚାରିଜଣ ଶ୍ରମିକ କୂଅ ଖୋଳିବା କାମରେ ଲାଗିଛନ୍ତି । ଆଜି ଶେଷଦିନ । ଖୋଳିବା ବନ୍ଦ କରିଦେଲେ, କୂଅଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ । ଘରମାଲିକଙ୍କ ମୁଣ୍ଡକୁ କିଛି ପଶୁ ନ ଥାଏ ।

ବିଦୁର ତାଙ୍କ ନିକଟକୁ ଗଲେ । ତାଙ୍କଠାରୁ ହାତୁଡି ମାଗି କୂଅ ମଧ୍ୟରେ ପ୍ରବେଶ କରି ଚାରି ପାଂଚ ପାହାର ପିଟିଛନ୍ତି ତ, ପଥର ଖଣ୍ଡ ଖଣ୍ଡ ହୋଇଗଲା ଓ ସେ କୂଅରେ ତତକ୍ଷଣାତ୍ ପାଣି ଝରିବାକୁ ଆରମ୍ଭ କଲା । ଏହି କାମ ସାରିବା ପରେ ସେ ନଡିଆ ବ୍ୟବସାୟ ଉଦ୍ଧେଶ୍ୟରେ ବାହାରିଲେ ।ଏହିପରି ଏକ ସୁଯୋଗ ପ୍ରବରଙ୍କ ପାଖକୁ ମଧ୍ୟ ଆସିଲା । ବରୁଣ ନାମକ ଜଣେ ଲୋକଙ୍କୁ ସର୍ପ ଦଂଶନ କଲା । ଗ୍ରାମ ବୈଦ୍ୟ ଔଷଧ ଦେଲେ କିନ୍ତୁ କହିଲେ, “ଏହି ଔଷଧ ତୁମକୁ ମରଣମୁହଁରୁ ରକ୍ଷା କରିଛି । ମାତ୍ର ଗୋଟିଏ ଦିନ ମଧ୍ୟରେ ଗନ୍ଧଲେହୁ ସେବନ ନ କଲେ, ତୁମ ପାଦର ଶକ୍ତି ନଷ୍ଟ ହୋଇଯିବ । ଆଉ ଥରେ ପାଦ ଶକ୍ତିହୀନ ହୋଇଗଲେ ତାହାର ଚିକିତ୍ସା ଅତ୍ୟନ୍ତ ଦୁରୁହ ଅଟେ ।” ବୈଦ୍ୟଙ୍କ ପରାମର୍ଶର ଔଷଧ ସହରରେ ଏକ ନିର୍ଦ୍ଦିଷ୍ଟ ଦୋକାନରେ ମିଳେ । ସହର ଯିବା-ଆସିବା ପାଇଁ ଅତିକମ୍‌ରେ ଦିନଟିଏ ଲାଗିବ । ଏହା ଭିତରେ କଣ ଅଘଟଣ ମଧ୍ୟ ଘଟିପାରେ ।ସେହି ଗ୍ରାମର ଜମିଦାରଙ୍କ ପାଖରେ ଏକ ଉତ୍ତମ ଜାତିର ଘୋଡା ଥିଲା । କିନ୍ତୁ ଘୋଡାସବାର ଅନୁପସ୍ଥିତ ଥିଲା । କୌଣସି କାରଣରୁ ସେ ଗ୍ରାମ ବାହାରକୁ ଯାଇଥାଏ । ତାଙ୍କ ଛଡା ପ୍ରବର ଗ୍ରାମର ଏକମାତ୍ର ବ୍ୟକ୍ତି, ଯିଏ କି ଖୁବ୍ ଜୋର୍ରେ ଘୋଡା ଛୁଟାଇ ପାରେ । ମାତ୍ର ଏକମାସ ତଳେ ପେଟବ୍ୟଥାର ଶୀକାର ହେବାରୁ, ବୈଦ୍ୟ ତାଙ୍କୁ ଘୋଡା ଚଢିବା ପାଇଁ ବାରଣ କରି ଦେଇଥାନ୍ତି ।

କିନ୍ତୁ ବରୁଣର ପ୍ରାଣରକ୍ଷା ପାଇଁ ନିଜ ଜୀବନକୁ ବିପଦାପନ୍ନ କରାଇ ପ୍ରବର ଘୋଡା ନେଇ ସହର ଯିବା ପାଇଁ ବାହାରି ପଡିଲେ । ସାଥିରେ ବରୁଣକୁ ନେଇଯାଇ ସେଠାରେ ଉପଯୁକ୍ତ ଔଷଧଟି ସେବନ କରିବା ପାଇଁ ଦେଲେ । ପ୍ରବରର ପରୋପକାରୀତା ପାଇଁ ସହରର ଔଷଧ ଦୋକାନୀ ତାକୁ ଅଜସ୍ର ପ୍ରଶଂସା କଲେ ଓ ପ୍ରବର ପେଟବ୍ୟଥାର ଉପଶମ ପାଇଁ ଏକ ଆଶୁ ଫଳପ୍ରଦ ଔଷଧ ମଧ୍ୟ ଦେଲେ । ଗ୍ରାମବାସୀମାନେ ପ୍ରବରକୁ ଯଥେଷ୍ଟ ସମ୍ମାନିତ କଲେ ।ନିଜ ନିଜର ପତିମାନଙ୍କର ଏପରି ପରୋପକାର ଦେଖି ତିନି ଯାଆଙ୍କର ଖୁସି କହିଲେ ନ ସରେ । ସନ୍ନ୍ୟାସୀଙ୍କ ବଚନ ଅନୁଯାୟୀ ସେମାନେ ଘରର ବାରି ଖୋଳିବା ପାଇଁ ବାହାରି ପଡିଲେ । ପ୍ରବରଙ୍କୁ ଏକ ତମ୍ବାମୁଦ୍ରା ପୂର୍ଣ୍ଣ ପାତ୍ର, ବିଦୁରଙ୍କୁ ରୌପ୍ୟ ଓ ଚତୁରଙ୍କୁ ଏକ ସ୍ୱର୍ଣ୍ଣମୁଦ୍ରା ପାତ୍ର ମିଳିଲା ।ଚତୁରଙ୍କ ପତ୍ନୀ ସୁନା ମୋହର ଦେଖି ଖୁସୀରେ ପାଗଳ ହୋଇଗଲେ । କିନ୍ତୁ ବିଦୁର ଓ ପ୍ରବରଙ୍କ ପତ୍ନୀଙ୍କର ମୁହଁ ଶୁଖିଗଲା । ସେମାନେ ସନ୍ନ୍ୟାସୀଙ୍କ ସନ୍ଧାନରେ ବାହାରି ପଡିଲେ । ଶେଷରେ ଗ୍ରାମର ଶେଷ ପ୍ରାନ୍ତରେ ଏକ ବୃକ୍ଷମୂଳରେ ତାଙ୍କୁ ସେମାନେ ଭେଟିଲେ ।ପ୍ରବରଙ୍କ ପତ୍ନୀ ସବୁ ଘଟଣା ବର୍ଣ୍ଣନା କରି କାନ୍ଦି କାନ୍ଦି କହିଲେ, “ତିନିଜଣ ସତ୍କାର୍ଯ୍ୟ କଲେ । କିନ୍ତୁ ଭିନ୍ନ ଭିନ୍ନ ଫଳ କାହିଁକି ମିଳିଲା?”

ସନ୍ନ୍ୟାସୀ କହିଲେ “ମୋର ଔଷଧ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସଦ୍ବୁଦ୍ଧି ପ୍ରଦାନ କରେ । କିନ୍ତୁ ଫଳ ନିଜ ନିଜର ବୁଦ୍ଧି ଉପରେ ଆଧାରିତ ହୋଇ ମିଳିଥାଏ ।” ବିଦୁରଙ୍କ ପତ୍ନୀ କହି ଉଠିଲେ, “ତିନିଭାଇଙ୍କର ବୁଦ୍ଧି ଏକାପରି ତ ଅଟେ ।”ସନ୍ନ୍ୟାସୀ ବୁଝାଇଲେ, “ନା! ପ୍ରବର ଭଲ କାମ କରି ଜଣେ ଲୋକର ଜୀବନ ବଂଚାଇଲେ । କିନ୍ତୁ ମୋ ଔଷଧର ପ୍ରଭାବ କମିଆସିବା ମାତ୍ରେ, ସେ ଚିନ୍ତା କଲେ ଏପରି କାମ କରିବା ପାଇଁ ନିଷ୍ପତି ନେବାଟା ଆଦୌ ଠିକ୍ ହେଲା ନାହିଁ । ଭବିଷ୍ୟତରେ ଆଉ କେବେ ବି ଏପରି କରିବି ନାହିଁ । ତେଣୁ ସେ ନିଜ ପରିଶ୍ରମ ଅନୁଯାୟୀ ତମ୍ବାମୁଦ୍ରା ପ୍ରାପ୍ତ ହେଲେ । ବିଦୁର ଭଲକାମଟି କରି ସାରିବା ପରେ ଭାବିଲେ ଏପରି କାମ କରି କାହିଁକି ସମୟ ନଷ୍ଟ କରିବି । ତଥାପି ସ୍ଥିର କଲେ ଭବିଷ୍ୟତରେ କେବେ ଏପରି ସୁଯୋଗ ମିଳିଲେ, ସାହାଯ୍ୟ କଲେ କ୍ଷତି କଣ । ତେଣୁ ତାଙ୍କୁ ପ୍ରବରଙ୍କ ଠାରୁ ଉନ୍ନତ ଫଳ ମିଳିଲା । ଚତୁର ପରୋପକାର କରି ଅନ୍ତରରେ ଆନନ୍ଦିତ ହୋଇଉଠିଲେ ଓ ସ୍ଥିର କଲେ ଭବିଷ୍ୟତରେ ସେ ସର୍ବଦା ଏପରି ଭଲକାମ କରିବେ । ତେଣୁ ତାଙ୍କୁ ସ୍ୱର୍ଣ୍ଣ ମୁଦ୍ରା ମିଳିଲା ।” ସନ୍ନ୍ୟାସୀ ସବୁ କଥା ବୁଝାଇବା ପରେ ମଧ୍ୟ ଦୁଇ ଯାଆଙ୍କ ମନରେ ଅସନ୍ତୋଷ ଭାବ ରହିଲା । ଘରକୁ ଫେରି ଆସି ଦେଖିଲେ, ସେମାନଙ୍କର ପତିମାନେ ବସି ସୁନା ମୋହର ଗଣୁଛନ୍ତି । ବଡଭାଇ କହିଲେ, “ଏହି ଘରେ ଯାହା ଥିଲା ସବୁ ସମାନ ଭାବରେ ଆମ ଭିତରେ ବଂଟାଯାଇଛି । ତେଣୁ ଏହି ସୁନା ମୋହର ଆମେ ସମାନ ଭାବରେ ବାଂଟି ନେବା ।ଏହି କଥାରୁ ପ୍ରମାଣିତ ହୋଇଗଲା ଯେ, ସେ ତିନି ଭାଇଙ୍କ ମଧ୍ୟରେ ଚତୁର ଅଧିକ ସୁଶୀଳ ଓ ସଦ୍ବୁଦ୍ଧି ସମ୍ପନ୍ନ ଉତ୍ତମ ବ୍ୟକ୍ତି ହୋଇପାରିଛନ୍ତି । ବିଦୁର ଓ ପ୍ରବୀରଙ୍କ ପତ୍ନୀଙ୍କୁ ଆଉ ଏହି ସତ୍ୟ ବୁଝିବା ପାଇଁ ବିଳମ୍ବ ହେଲାନାହିଁ, ଯେ, ପ୍ରକୃତ ସଦ୍ବୁଦ୍ଧିଧାରୀ ବ୍ୟକ୍ତି କେବଳ ସଦ୍ବୁଦ୍ଧି ଔଷଧର ପ୍ରଭାବରେ ପରୋପକାର ବା ସତ୍କାର୍ଯ୍ୟ କରିବା ପାଇଁ ଆଗ୍ରହ ଦେଖାଇ ନ ଥାଏ । ନିଜର ଅନ୍ତରରେ ମହନୀୟ ଭାବକୁ ଯଥାର୍ଥ ସ୍ଥାନ ଦେଇ, ତାର ପରିପ୍ରକାଶ ପାଇଁ ଆବଶ୍ୟକୀୟ ସ୍ୱାର୍ଥତ୍ୟାଗ ସହିତ, ନିଜର କର୍ମ ପାଇଁ ସର୍ବଦା ବୀତସ୍ପୃହ ଓ ନିରହଂକାର ରହିବାହିଁ ସତ୍କାର୍ଯ୍ୟ । ତେଣୁ ସନ୍ନ୍ୟାସୀଙ୍କ ବିଚାର ସମ୍ପୂର୍ଣ୍ଣ ନିରପେକ୍ଷ ଅଟେ ।

New odia story Odia New story Odia Story Sadbudhira Oushadaha
Share. Facebook Twitter Pinterest LinkedIn Tumblr Reddit Email
Previous Articleସନ୍ଦେହ ନିବାରଣ
Next Article ଆରୋଗ୍ୟ – ରହସ୍ୟ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.