ସମ୍ରାଟ୍ ଆକବରଙ୍କ ରାଜ୍ୟ । ସେହି ରାଜ୍ୟରେ ଜଣେ ସାଧାରଣ ବର୍ଗର ଲୋକ ବାସ କରୁଥାଆନ୍ତି । ତାଙ୍କର ପରିବାରଟି ଯେପରି ଛୋଟ, ସଂସାର ଚଳଣୀ ମଧ୍ୟମ ଧରଣର ।
ସେହିପରି ସେହି ଗ୍ରାମରେ ତା’ର ମଧ୍ୟ ଜଣେ ସାଙ୍ଗ ବାସ କରୁଥିଲେ । ସାଙ୍ଗଙ୍କର ପରିବାରଠାରୁ ତାଙ୍କର ପରିବାର ଅଧିକ ସାଙ୍ଗ ଦୁଇଜଣଙ୍କର ଖୁବ୍ ନିବିଡତା ଥାଏ ।
ଦିନକର କଥା, ପ୍ରଥମ ସାଙ୍ଗ ଜଣକ ସେହି ରାତ୍ରିରେ ଗୋଟିଏ ସ୍ୱପ୍ନ ଦେଖିଲା ଯେ, ସେ ତା’ର ସାଙ୍ଗକୁ ଶହେ ଟଙ୍କା ଧାର ଦେଇଥିଲା । ବହୁଦିନ ଧରି ସାଙ୍ଗ ଜଣକ ତା’ର ଧାର ଟଙ୍କା ରଖିଲା । ଯେତେ ମଗାମଗି କଲେ ମଧ୍ୟ ସେ ଟଙ୍କା ଦେଉ ନଥିଲା । ଏବେ କିନ୍ତୁ ସେ ସେହି ଟଙ୍କାଟା ସାଙ୍ଗକୁ ଫେରାଇ ଦେବାକୁ ଆସି କହୁଥିଲା, ସାଙ୍ଗ ବହୁତ ଦିନ ହେଲା ତୁମଠାରୁ ମୁଁ ଯେଉଁ ଶହେ ଟଙ୍କା ଧାର ନେଇଥିଲି ସେ ଟଙ୍କାଟା ଏବେ ମୋଠାରୁ ନେଇଯାଅ ଏହାପରେ ସାଙ୍ଗର ନିଦ ଭାଙ୍ଗିଗଲା ।
ରାତି ପାହିବା ପରେ ସେ ଶଯ୍ୟାତ୍ୟାଗ କରି ଉଠିଲା । ମୁହଁ, ହାତ ଧୋଇ ସାରିବା ପରେ ତା’ର ଖାଲି ସେହି ସ୍ୱପ୍ନକଥା ମନେ ପଡିଲା । ତା’ ମନରେ ସବୁବେଳେ ଧାରଣା ହେଲା ଯେ ଏପରି ଟଙ୍କା ସ୍ୱପ୍ନ ମୁଁ ଦେଖିଲି କାହିଁକି? ଟଙ୍କା ଧାର ଉଧାର କାରବାର ସ୍ୱପ୍ନ ଦେଖିବା କ’ଣ ଭଲ? ନା ଖରାପ୍? ଏହି କଥା ସବୁବେଳେ ମନରେ ପାପ ଛୁଇଁଲା, କେତେ ବେଳେ କ’ଣ ହୋଇଯିବ । ଏଥିଲାଗି ସେ ଗ୍ରାମରେ ସକାଳୁ ସକାଳୁ ଯାହାକୁ ଦେଖିଲା ତାକୁ ସେହି କଥା ପଚାରିଲା ।
ସ୍ୱପ୍ନ କଥା ଶୁଣି ବହୁ ଲୋକ ବହୁ ମନ୍ତବ୍ୟ ଦେଲେ । କେହି ଖରାପ୍ ବା କ୍ଷତିକାରକ କହିବା ବେଳେ କେହି ଶୁଭ ବୋଲି ମଧ୍ୟ କହିଲେ ।
ଏହାପରେ ସ୍ୱପ୍ନ କଥା ଭୁଲିବାକୁ ଚେଷ୍ଟା କଲା ହେଲେ ସେ ଭୁଲିପାରିଲା ନାହିଁ । ତା’ ମୁଣ୍ଡରେ ଏଥି ମଧ୍ୟରେ ଏକ ଦୁଷ୍ଟବୁଦ୍ଧି ଆସି ପ୍ରବେଶ କଲା । ସେ ଭାବିଲା ସାଙ୍ଗଠାରୁ ସେହି ଶହେ ଟଙ୍କାଟି ନ ଆଣିବା ଯାଏଁ, ଏ ସ୍ୱପ୍ନ କଥା ଆଦୌ ଭୁଲି ହେବ ନାହିଁ । ତହୁଁ ସେ ସେହି ଦିନ ମିଛର ଆଶ୍ରୟ ନେଇ ତା’ର ସାଙ୍ଗକୁ କହିଲା, ଆରେ ତୁ ଯେଉଁ ଶହେ ଟଙ୍କା ଧାର ନେଇଥିଲୁ ସେ ଟଙ୍କା ଏବେ ତୁ ମୋତେ ଫେରେଇ ଦେ । ମୋର ଟଙ୍କାର ଆବଶ୍ୟକ ହେଲାଣି ।
ସାଙ୍ଗର ଏମିତି ଅବାନ୍ତର କଥାଶୁଣି ଲୋକଟା ହଡବଡେଇ ଗଲା । ଦିନେ ନାହିଁ, କାଳେ ନାହିଁ, ଗହ୍ମା ପୁନେଇ ଦିନ ମାଇଁ । ସେ ଗରିବ ଲୋକ । ପ୍ରତିଦିନ ମଜୁରି ଲାଗିଲେ ତା’ର ଘରେ ଚୁଲି ଜଳିବ, ମଜୁରି ଲାଗିବା ବ୍ୟତୀତ ତା’ର ଆଉ କୌଣସି ରୋଜଗାର ନଥିବାରୁ ସେ ଗ୍ରାମରେ କେହି ତାକୁ ଦଶଟି ଟଙ୍କା ମଧ୍ୟ ଧାର ଦିଅନ୍ତି ନାହିଁ । ଆଜି ଏ ସାଙ୍ଗ କିପରି ଅଭିଲା କଥା କହୁଛି । ସେ ପ୍ରଥମେ ପ୍ରଥମେ ଭାବିଲା ତା’ର ସାଙ୍ଗ ଗେହ୍ଲାରେ କହୁଛି, ହେଲେ ପରେ ଯେତେବେଳେ ସେ ଜାଣିଲା ତା’ର ସାଙ୍ଗ ଜିଗର କରି ଟଙ୍କା ମାଗୁଛି, ସେତେବେଳେ ମୁଣ୍ଡରେ ତା’ର ବଜ୍ର ପଡିଗଲା । ସେ କହିଲା ସାଙ୍ଗ, ତମେ ଏପରି ମିଥ୍ୟା କଥା କହୁଛ କାହିଁକି? ତାହା ତ ମୁଁ କିଛି ବୁଝି ପାରୁନାହିଁ?
ସାଙ୍ଗ କହିଲା, ବାଃ! ତୁ ତ ଗୋଟାଏ ରଙ୍ଗ ବାହାର କଲୁଣି । ତୁ ମୋଠାରୁ ଧାର ନେଇଛୁ, ତୁ ମୋତେ ଧାର ଟଙ୍କା ଶୁଝିବୁ, ନେବା ବେଳେ କଅଁଳ କଥା କହି ଟଙ୍କାନେଲୁ, ମାଗିବା ବେଳକୁ ତ ଫାଙ୍କିଲୁଣି । ଆରେ ତୁ ମୋଠାରୁ ଟଙ୍କା ନେଇଛୁ ବୋଲି ପରା ଗ୍ରାମର ଲୋକେ ସମସ୍ତେ ଜାଣନ୍ତି । ଏଥିରେ ତୁ ମୋତେ ଫାଙ୍କି ଦେବୁ ବୋଲି ଭାବିଛୁ । ଦେଖ ସାଙ୍ଗ ତୁ ମୋତେ ମୋର ଟଙ୍କା ଫେରାଇ ନ ଦେଲେ ମୁଁ ତୋ’ ଉପରେ ନାଲିସ୍ କରି ଟଙ୍କା ଆଦାୟ କରିନେବି ।
ସାଙ୍ଗ କହିଲା – ମୁଁ ତୋଠାରୁ ଟଙ୍କା ଧାର କେବେ ନେଇନାହିଁ । ତୁ ଅଯଥାରେ ଟଙ୍କା ମାଗୁଛୁ । ସଂସାରରେ ତ ପୁଣି ଧର୍ମ ଗୋଟାଏ ଅଛି, ସବୁ ମିଛ କଥାକୁ ସେହି ଧର୍ମ ବିଚାର କରିବ । ତୁ ଯା’ ନାଲିସ୍ କର । ଯଦି ନାଲିସ୍ ବାଲାଙ୍କ ବିଚାରରେ ମୁଁ ତୋଠାରୁ ଶହେ ଟଙ୍କା ଧାର ନେଇଛି ବୋଲି ପ୍ରମାଣ ହୋଇଯିବ, ତାହା ହେଲେ ମୁଁ ତୋତେ ମିଛରେ ମାଗୁଥିଲେ ବି ମୁଁ ଶହେ ଟଙ୍କା ଦେବି ।
ସାଙ୍ଗ ଟଙ୍କା ମାଗି ନ ପାଇବାରୁ ସେ ଆସି ଗ୍ରାମରେ ବସି ସଭା ଡକାଇଲା । ସଭାରେ ସ୍ୱପ୍ନରେ ଟଙ୍କା ଦେବା ଓ ଟଙ୍କା ଧାର ଦେବା କଥା ଉଠିଲା । କିନ୍ତୁ ସତକୁ ସତ ସେ ହାତରେ କେବେ ଦେଇଥିଲା କାହିଁକି ଦେଇଥିଲା, ଦେବା ଦିନର ତାରିଖ ସମୟ ସାଙ୍ଗ କହି ନ ପାରିବାରୁ କଥାର ପ୍ରମାଣ ହୋଇଗଲା ।
ଏହାପରେ ସାଙ୍ଗ ସମ୍ରାଟଙ୍କ ଦରବାରରେ ନେଇ ଏକଥା ପକାଇଲା । ଦରବାରରେ ସମ୍ରାଟ୍ ନିଜେ ଏକଥାର ବିଚାର କଲେ ଯେ ହେଲେ ବିଚାର କିଛି ଦେଇ ପାରିଲେ ନାହିଁ ।
ଶେଷରେ ସମ୍ରାଟ୍ ଚିନ୍ତା କଲେ ଯେ ଏବେ କଥାଟାକୁ ବିରବଲଙ୍କ ନିକଟକୁ ପଠାଇ ଦେଲେ ସେ ନିଶ୍ଚୟ ଏହାର ବିହିତ ବିଚାର କରିପାରିବେ ।
ଏଥର ସମସ୍ତଙ୍କ ପାଖରୁ ଅଭିଯୋଗଟି ଫେରିଯାଇ ବିରବଲଙ୍କ ନିକଟରେ ଯାଇ ପହଁଚିଲା । ବିରବଲ ତହୁଁ ଦୁଇଜଣ ପ୍ରହରୀଙ୍କୁ ଡାକି ଗୋଟିଏ ବଡ ଦର୍ପଣ ସଭା ମଧ୍ୟ ସ୍ଥାନରେ ଥୋଇବାକୁ କହିଲେ ଓ ଗୋଟିଏ ଶହେ ଟଙ୍କା ନୋଟ୍ ସହିତ ଆଉ ଦୁଇ ଚାରିଟା ନୋଟ୍ ଦୂରରେ ଏପରି ଭାବରେ ରଖିଦେଲେ ଯେ ସେହି ଟଙ୍କାର ସ୍ୱରୂପମାନ ଦର୍ପଣ ଉପରେ ପଡିଲା ।
ସେଦିନ ଏହି ବିଚାରକୁ ଦେଖିବା ନିମନ୍ତେ ବହୁ ଲୋକ ଯାଇ ସେଠାରେ ଗଦା ହୋଇଗଲେ । ବିରବଲ କିପରି ଏହାର ବିଚାର କରି କଥାର ସମାଧାନ କରିବେ ତାହା ଦେଖିବେ ।
ସଭାରେ ବହୁ ଲୋକ ଗଦା ହୋଇଯିବା ପରେ ବିରବଲ ସେହି ଶହେ ଟଙ୍କା ଧାର ଦେଇଥିବା ଲୋକଙ୍କୁ ପାଖକୁ ଡାକି ପଚାରିଲେ – ତୁ ସ୍ୱପ୍ନରେ କେତେ ଟଙ୍କା ଧାର ଦେଇଥିଲୁ ବୋଲି କହୁଛୁ ।
ସାଙ୍ଗଟି କହିଲା – ଶହେ ଟଙ୍କା । ତୁ ତାକୁ ତୋର ଟଙ୍କା ଫେରି ପାଇବାକୁ କେତେଦିନ ହେଲା ମାଗୁଛୁ । ଯେଉଁଦିନ ସ୍ୱପ୍ନରେ ଦେଖିଲି ସେ ମୋତେ ଶହେ ଟଙ୍କା ଫେରାଇବାକୁ ଯାଇଛି ।
ଏହିପରି ବିରବଲ ଅନେକ ପ୍ରଶ୍ନ କଲେ ଓ ତା’ଠାରୁ ଉତ୍ତର ସଂଗ୍ରହ କରି ନେଲେ । ତା’ପରେ ଟଙ୍କା ଦେଇଥିବା ସାଙ୍ଗକୁ ଡାକି କହିଲେ, ଆଚ୍ଛା ଦେଖିଲୁ ବାପା, ଏହି ଦର୍ପଣରେ ଏତେ ଗୁଡାଏ ଟଙ୍କା ଅଛି ସେଥିରେ ତୋ’ର ଟଙ୍କାଟା ଅଛି ନା ନାହିଁ ଭଲ କରି ଚିହ୍ନି କହିବୁ ।
ସାଙ୍ଗଟି ବିରବଲଙ୍କ କଥାଶୁଣି ଦର୍ପଣକୁ ଭଲଭାବେ ଚାହିଁଲା । ଦର୍ପଣ ମଧ୍ୟରେ ଅନେକଗୁଡିଏ ନୋଟ୍ ଥିବାର ଦେଖିଲା । ସେହି ନୋଟ୍ ମଧ୍ୟରେ ଦଶ, କୋଡିଏ, ପଚାଶ ଓ ଶହେ ଟଙ୍କିଆ ନୋଟ୍ ଥିଲା । ସେଥି ମଧ୍ୟରେ ଗୋଟିଏ ମାତ୍ର ଶହେ ଟଙ୍କିଆ ନୋଟ୍ ଥିବାର ସେ ଦେଖିଲା ।
ବିରବଲ ପୁନଶ୍ଚ ପଚାରିଲେ ସେଥିରେ ଶହେ ଟଙ୍କିଆ ନୋଟ୍ ତୋର ଅଛି ।
ଲୋକଟି କହିଲା – ହଁ.. ହଁ.., ସେହିପରି ମୋର ଶହେ ଟଙ୍କିଆ ନୋଟ୍ଟି ଥିଲା । ସେହିପରି ଶହେ ଟଙ୍କାର ନୋଟ୍ଟି ସାଙ୍ଗକୁ ଧାର ଦେଇଥିଲି ।
ବିରବଲ ଏଥର କହିଲେ – ତୁମର ସ୍ୱପ୍ନରେ ଦେଇଥିବା ଟଙ୍କା ସତ୍ୟରେ ପ୍ରମାଣିତ ହେଲା । ତୁମେ ଅନ୍ୟ ସମୟରେ ତାଙ୍କୁ ଟଙ୍କା ଦେଇ ନଥିଲ ।
ଲୋକଟି କହିଲା – ହଁ ।
ତା’ପରେ ବିରବଲ କହିଲେ, ତାହା ହେଲେ ତୋ’ର ଶହେ ଟଙ୍କାଟା ସେହି ଦର୍ପଣ ମଧ୍ୟରେ ଅଛି, ତାହା ତୋର ନେଇଯା, ଏହାପରେ ତୋର ସାଙ୍ଗକୁ ଟଙ୍କାଧାର ଦେଇଛୁ ବୋଲି କହିବୁ ନାହିଁ ।
ଏହାପରେ ସାଙ୍ଗ ଜଣକ ଦେଖିଲା ଯେ, ତା’ର ଟଙ୍କା ଦର୍ପଣରେ ଅଛି । ସେଠାରୁ ନେଇଯାଆ ବୋଲି ଯେତେବେଳେ ଶୁଣିଲା, ସେତେବେଳେ ସେ କହିଲା, ଏ କି ଅସମ୍ଭବ କଥା । ଦର୍ପଣରେ ଦେଖାଯାଉଥିବା ଟଙ୍କା ନେବା କ’ଣ ସମ୍ଭବ ହୋଇପାରେ?
ବିରବଲ କହିଲେ – ତୁମର ସ୍ୱପ୍ନରେ ଦେଇଥିବା ଟଙ୍କା କଥା ଯଦି ସତ୍ୟ ହୋଇପାରିବ, ତାହାହେଲେ ଦର୍ପଣ ମଧ୍ୟରେ ଥିବା ଟଙ୍କାକୁ ନେବା କାହିଁକି ସତ୍ୟ ହୋଇ ନ ପାରିବ ।
ବିରବଲଙ୍କ ଏପରି ବିଚାରରେ ସାଙ୍ଗ ଜଣକ ହଡବଡେଇ ଗଲା । ସେ ସଙ୍ଗେ ସଙ୍ଗେ କହି ପକାଇଲା ନାହିଁ ଆଜ୍ଞା, ମୁଁ ମୋର ସାଙ୍ଗକୁ ସତରେ ଟଙ୍କା ଧାର ଦେଇନଥିଲି । ଏହି ସ୍ୱପ୍ନ ଦେଖିବା ପରେ ମୋର ଧାରଣା ହୋଇଥିଲା ଯେ, ମୁଁ ମୋର ସାଙ୍ଗକୁ ସତରେ ବୋଧେ ଶହେ ଟଙ୍କା ଧାର ଦେଇଥିଲି ମୁଁ ସେହି ଟଙ୍କାକୁ ତାଙ୍କୁ ମାଗୁଥିଲି । ଏପରି ଭୁଲ୍ ନିମନ୍ତେ ସାଙ୍ଗଙ୍କୁ ଭୁଲ୍ ମାଗୁଛି ।
ଏଥର ସାଙ୍ଗ ଜଣଙ୍କ ଟଙ୍କା ଦେଇନଥିବା କଥା ପ୍ରମାଣିତ ହୋଇଗଲାରୁ ବିରବଲ ସେହି ବିଚାର ସଭାରେ ଘୋଷଣା କଲେ ଯେ ସାଙ୍ଗକୁ ବିନା କାରଣରୁ ଟଙ୍କା ମାଗି ଅପମାନିତ କରିବା ସହିତ ମାନସିକ ଅଶାନ୍ତିରେ ପକାଇଥିବା ଅପରାଧରେ ଦୋଷୀ ସାଙ୍ଗ ନିର୍ଦୋଷ ସାଙ୍ଗକୁ ଦୁଇଦିନ ମଧ୍ୟରେ ପାଂଚଶହ ଟଙ୍କା ଜୋରିମାନା ସ୍ୱରୂପ ସମ୍ରାଟଙ୍କର କାର୍ଯ୍ୟାଳୟରେ ଦାଖଲ କରିବେ ।
ବିରବଲଙ୍କର ବିଚାରରେ ଦଣ୍ଡିତ ହୋଇ ସାଙ୍ଗଟି କାନ ମୁଣ୍ଡ ଆଉଁସି ହୋଇ ଘରକୁ ଫେରିଗଲେ । ସଙ୍ଗେ ସଙ୍ଗେ ଘରୁ ପାଂଚଶହ ଟଙ୍କା ଆଣି ଦରବାରରେ ଦାଖଲ କଲେ । ସମ୍ରାଟ୍ ବିରବଲଙ୍କର ଏହି ଚତୁର ବୁଦ୍ଧିରେ ଅତ୍ୟନ୍ତ ଖୁସି ହୋଇ ରାଜସଭା ତରଫରୁ ପୁରସ୍କାର ଘୋଷଣା କଲେ ।