ଭାରତ ବର୍ଷର ମୋଗଲମାନଙ୍କ ମଧ୍ୟରେ କେବଳ ଯଶସ୍ୱୀ ସମ୍ରାଟ୍ ଭାବରେ ଆକବରଙ୍କ ଖ୍ୟାତି ଥିଲା । ସମ୍ରାଟ୍ ଆକବରଙ୍କର ପ୍ରକୃତ ନାମ ଥିଲା ଜଲ୍ଲାଲୁଦ୍ଦିନ୍ ମହମ୍ମଦ୍ ଆକବର ।
ସମଗ୍ର ଭାରତ ବର୍ଷ ମଧ୍ୟରେ ଆକବର ଥିଲେ ଜଣେ ସର୍ବସହିଷ୍ଣୁ ତଥା ଧାର୍ମିକ ସମ୍ରାଟ୍ । ସେ ହିନ୍ଦୁ ଓ ମୁସଲମାନଙ୍କ ଶାସକ ଥିଲେ । ତାଙ୍କର ଶାସନ ମଧ୍ୟ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସମାନ ଥିଲା । ଯାହା ଆକବରଙ୍କ ପୂର୍ବରୁ ଓ ଆକବରଙ୍କ ପରେ ଏପରି ଜଣେ ଶୁଦ୍ଧ ଚିତ୍ତର ଶାସକ ଥିଲେ । ଆକବର ଏପରି ଜଣେ ସମ୍ରାଟ୍ ଥିଲେ ଯେ ଭାରତ ବର୍ଷ ମଧ୍ୟରେ ଥିବା ସମସ୍ତ ଧର୍ମକୁ ସମାନ ଭାବରେ ଦେଖିବା ସହିତ ଖୁବ୍ ସମ୍ମାନ ଦେଉଥିଲେ ।
ଭାରତ ବର୍ଷରେ ଏପରି ସମ୍ରାଟ୍ ନଥିଲେ ଯାହାଙ୍କ ରାଜ ସଭାରେ ନ’ଜଣ ପଣ୍ଡିତ ଥିଲେ । କିନ୍ତୁ ସମ୍ରାଟ୍ ଆକବରଙ୍କ ରାଜସଭାରେ ଯେଉଁ ବଛା ବଛା ପଣ୍ଡିତମାନେ ଥିଲେ ସେମାନଙ୍କୁ ନବରତ୍ନ ଭାବରେ ଗଣନା କରାଯାଉଥିଲା ।
ସମଗ୍ର ଭାରତ ବର୍ଷରେ ଆକବରଙ୍କ ଦରବାର ଥିଲା ସର୍ବଶ୍ରେଷ୍ଠ । ସେହି ସର୍ବଶ୍ରେଷ୍ଠ ଦରବାର ଯେତେବେଳେ ଭାରତବର୍ଷରେ ପରିଚିତ ହେଉଥିଲା, ସେତେବେଳେ ଆକବରଙ୍କ ସହିତ ବିରବଲଙ୍କ ନାମ ସଦାସର୍ବଦା ଯୋଡି ହୋଇ ରହୁଥିଲା । ଆକବରଙ୍କୁ ଛାଡି ବିରବଲ ଓ ବିରବଲଙ୍କୁ ଛାଡି ଆକବରଙ୍କ ନାମର କୌଣସି ମୂଲ୍ୟ ନଥିବା ପରି ଭାବିବାକୁ ପଡୁଥିଲା । ଯେତେବେଳେ ଯେଉଁ କାର୍ଯ୍ୟରେ ଆକବରଙ୍କ ନାମ ଆସୁଥିଲା ସେତେବେଳେ ଦରବାର କାହିଁକି ସମଗ୍ର ଦେଶରେ ବିରବଲଙ୍କର ନାମ ମଧ୍ୟ ଯୋଡି ହୋଇ ଆସୁଥିଲା ।
ସମ୍ରାଟ୍ ଆକବରଙ୍କ ଦରବାରରେ ଯେତେବେଳେ ଯେଉଁ କଠୋର ସମସ୍ୟା ଆସି ଉପସ୍ଥିତ ହେଉଥିଲା ସେତେବେଳେ ସେ ସମସ୍ୟାର ସମାଧାନର ବୁଦ୍ଧିମାନ ବ୍ୟକ୍ତି ଥିଲେ ସ୍ୱୟଂ ବିରବଲ । ଏଥିପାଇଁ ସମ୍ରାଟଙ୍କର ଦରବାରରେ ସଦାସର୍ବଦା ନ୍ୟାୟ ବିଚାରରେ ସୁଖ୍ୟାତି ଅର୍ଜନ କରିଥିଲା । ସେଥିଲାଗି ସମ୍ରାଟଙ୍କ ଦରବାରରେ ବିରବଲ ଥିଲେ ଅନ୍ୟ ଆଠଜଣ ପଣ୍ଡିତଙ୍କ ନିକଟରେ ଈର୍ଷାର ପାତ୍ର । ସେମାନେ ସଦାସର୍ବଦା ବିରବଲଙ୍କୁ ଘୃଣିତ ଦୃଷ୍ଟିରେ ଦେଖୁଥିଲେ । ଆଉ ମଧ୍ୟ ଖୁବ୍ ଈର୍ଷା କରୁଥିଲେ ।
ତେବେ ବିରବଲ କେବେହେଲେ ଅନ୍ୟ ପଣ୍ଡିତମାନଙ୍କ ସମାଲୋଚନାକୁ ଭୂକ୍ଷେପ ନ କରି ନିଜର ଦାୟିତ୍ୱକୁ ସୂଚାରୁ ଭାବରେ ସଂପାଦନ କରିଆସୁଥିଲେ । ସମ୍ରାଟଙ୍କ ଦରବାରରେ ସମ୍ରାଟଙ୍କୁ ସେ କେବେହେଲେ ଅନ୍ୟ ବିପକ୍ଷବାଦୀଙ୍କ ନିକଟରେ ପରିଚିତ କରାଇ ଦେଉନଥିଲେ । ତାହାର ଏକ ଚାକ୍ଷୁଷ ପ୍ରମାଣ ନିମ୍ନୋକ୍ତ ପାଠରେ ପ୍ରଦତ୍ତ କରାଯାଇଛି ।
ଏକଦା ସମ୍ରାଟ୍ ଆକବର ସିଂହାସନରେ ବସିଥା’ନ୍ତି । ଦରବାରରେ ରାଜକାର୍ଯ୍ୟ ଆରମ୍ଭ ହୋଇଛି । ପାରିଷଦମାନେ ନିଜ ନିଜର ଆସନରେ ନୀରବତା ରକ୍ଷା ପୂର୍ବକ ବସିଥା’ନ୍ତି । ସମସ୍ତଙ୍କର ଦୃଷ୍ଟି ରହିଥାଏ ସମ୍ରାଟ୍ ଆକବରଙ୍କ ଉପରେ । ବର୍ତ୍ତମାନ ମହାମାନ୍ୟ ସମ୍ରାଟ୍ ଆକବର କେଉଁ କାର୍ଯ୍ୟ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିବେ । କିନ୍ତୁ ବିରବଲ ସମସ୍ତ ଦରବାର ମଧ୍ୟରେ କେଉଁ ସ୍ଥାନରେ ସେ ନିଜର ଆସନ ଅଳଙ୍କୃତ କରିଥିଲେ, ତାହା କାହାରି ଦୃଷ୍ଟି ଗୋଚରରେ ନଥାଏ । ହଠାତ୍ ମହାମାନ୍ୟ ସମ୍ରାଟ୍ ଆକବର ଦରବାରରେ ଉପସ୍ଥିତ ଥିବା ସଭ୍ୟ ଓ ପଣ୍ଡିତମାନଙ୍କର ଉଦ୍ଧେଶ୍ୟରେ ଏକ ପ୍ରଶ୍ନ କରିଥିଲେ ଯେ – ଆଜି ମୋ ଦରବାରରେ ବହୁ ମାନ୍ୟଗଣ୍ୟ ତଥା ପଣ୍ଡିତ ଓ ପଣ୍ଡିତ ସମାନ ବିଜ୍ଞ ବ୍ୟକ୍ତିମାନେ ଉପସ୍ଥିତ ଅଛନ୍ତି । ସେମାନଙ୍କ ମଧ୍ୟରୁ କେହି କହିପାରିବେ କି? ମୋ ରାଜ୍ୟରେ ଏପରି କେଉଁ ନଦୀ ଅଛି ଯାହାର ଜଳ ସବୁ ନଦୀର ଜଳଠାରୁ ଶ୍ରେଷ୍ଠ ବୋଲାଉଛି ।
ସମସ୍ତେ ଏବେ ଚକିତ ଦୃଷ୍ଟିରେ ଅନ୍ୟ ଅନ୍ୟର ମୁଖକୁ ବାରମ୍ବାର ଦୃଷ୍ଟି ପକାଇଲେ । ସମସ୍ତଙ୍କ ମନରେ ସେହି ଗୋଟିଏ ଭାବନା ଥିଲା ଯେ ସମ୍ରାଟଙ୍କ ଏହି ପ୍ରଶ୍ନର ଯଥାର୍ଥ ଉତ୍ତର ଦେବା କାହାଙ୍କ ଦ୍ୱାରା ସମ୍ଭବ ହେବ । କାରଣ ଏହି ପ୍ରଶ୍ନ ଥିଲା ସମଗ୍ର ପାରିଷଦଗଣଙ୍କ ନିମନ୍ତେ କଠିନ ପ୍ରଶ୍ନ । କିଏ ଦେଇପାରେ ଏହାର ନିର୍ଭୁଲ୍ ଓ ଯଥାର୍ଥ ଉତ୍ତର ।
ଏଥୁଅନ୍ତେ ଦରବାରରେ ଉପସ୍ଥିତ ଥିବା ସଦସ୍ୟ ବୃନ୍ଦଙ୍କ ମଧ୍ୟରୁ ଜଣକପରେ ଜଣେ ଉଠି ନିଜ ନିଜର ମତବ୍ୟକ୍ତ କଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ ବିରବଲ ନୀରବତା ଅବଲମ୍ବନ କରିଥା’ନ୍ତି । ଏହା ଜାଣିବାରେ ଯାହାଙ୍କ ଉପରେ ଶେଷଯାଏଁ ସମ୍ରାଟଙ୍କର ଦୃଷ୍ଟିଥିଲା ସମ୍ରାଟ୍ ତାହାଙ୍କୁ ଚାହିଁ ପ୍ରଶ୍ନ କଲେ – ବିରବଲ! ତମେ କ’ଣ ଏହି ପ୍ରଶ୍ନ ଉପରେ କୌଣସି ମତାମତ ପ୍ରଦାନ କରିବ ନାହିଁ । କାରଣ ସମସ୍ତେ ନିଜ ନିଜର ଉତ୍ତର ଏଠାରେ ପ୍ରଦାନ କଲେ । ହେଲେ ମୁଁ ଯେ ତୁମଠାରୁ ଏହାର କିଛି ଉତ୍ତର ଆଶା କରିଥିଲି । ଆପଣ ତ ପୁଣି କହିବେ କେଉଁ ନଦୀର ଜଳ ଶ୍ରେଷ୍ଠ? କାରଣ ସମସ୍ତେ ସେହି ଗୋଟିଏ ଉତ୍ତର ଦେଇଛନ୍ତି ଯେ, ଗଙ୍ଗାର ଜଳ ଶ୍ରେଷ୍ଠ ।
ସମ୍ରାଟଙ୍କ ମୁଖରୁ ଏପରି ବାକ୍ୟ ଶ୍ରବଣ କରନ୍ତେ ବିରବଲ ନିଜର ଆସନ ପରିତ୍ୟାଗ କରି ହସ୍ତ ଯୋଡି ଠିଆ ହୋଇ କହିଲେ – ହେ ସମ୍ରାଟ୍! ମୋ ବିଚାରରେ ସମସ୍ତ ଧର୍ମ ଶାସ୍ତ୍ରରେ ଗଙ୍ଗାର ଜଳ ପବିତ୍ର ତଥା ଶ୍ରେଷ୍ଠ ବୋଲି କୁହାଯାଇଛି । ଏହା କ’ଣ ଆପଣ ଅବଗତ ହୋଇ ନାହାଁନ୍ତି । କିନ୍ତୁ ମୋ ମତରେ ସେହି ଗଙ୍ଗାଜଳ ସମସ୍ତ ନଦୀର ଜଳଠାରୁ ଭିନ୍ନ । କାରଣ ଗଙ୍ଗାର ଜଳ ପବିତ୍ର । ତେଣୁ ମୋର ଯୁକ୍ତି ଏହା ଯେ ଯେଉଁ ନଦୀକୁ ସମସ୍ତ ଧର୍ମ ଶାସ୍ତ୍ର ପୂର୍ବରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିଛନ୍ତି, ମୋ ମତରେ ଗଙ୍ଗାଜଳକୁ ଶ୍ରେଷ୍ଠ ନ କହି ଅମୃତ ଭାବରେ ପରିଗଣିତ କରାଯାଉ । ଗଙ୍ଗାନଦୀକୁ ଏଠାରେ ବିଚାରକୁ ନ ନେଇ କେବଳ ଆମର ଏହି ରାଜ୍ୟ ମଧ୍ୟରେ ଥିବା ସମସ୍ତ ନଦୀମାନଙ୍କ ମଧ୍ୟରୁ ଗୋଟିଏ ନଦୀକୁ ଶ୍ରେଷ୍ଠତାର ସମ୍ମାନ ଦିଆଯାଉ । ଆଉ ଶ୍ରେଷ୍ଠ ନଦୀ ମଧ୍ୟରେ ଯମୁନା ନଦୀର ଜଳକୁ ଶ୍ରେଷ୍ଠ ଜଳ ଭାବରେ ବିବେଚନା କରାଯାଉ । କାରଣ ଯମୁନା ନଦୀ ଆମ ରାଜ୍ୟଦେଇ ପ୍ରବାହିତ ହେଉଛି । ଯମୁନା ନଦୀ ଦ୍ୱାରା ଆମ ରାଜ୍ୟର ଶସ୍ୟକ୍ଷେତ୍ର ସଦା ସର୍ବଦା ଆମକୁ କୃଷି ସାମଗ୍ରୀ ପ୍ରଦାନ କରୁଥିବା ବେଳେ କ୍ଷେତ ଭୂମିକୁ ସବୁକାଳେ ଶସ୍ୟଶ୍ୟାମଳା କରୁଅଛି ।