ସମ୍ରାଟ୍ ଆକବରଙ୍କର ରାଜ୍ୟ ଶାସନକାଳର କଥା । ତାଙ୍କ ରାଜତ୍ୱ କାଳରେ ଗୋଟିଏ ଗ୍ରାମରେ ଜଣେ ଲୋଭୀ ବାସ କରୁଥିଲା । ଲୋଭୀ ବହୁତ ଧନ ରୋଜଗାର କରେ । ତାହାକୁ କେବେହେଲେ ଖର୍ଚ୍ଚକରେ ନାହିଁ । ଅଜା ଅମଳର ଗୋଟିଏ ସିନ୍ଧୁକ ଥିଲା । ସେଥିରେ ସେ ସବୁଧନତକ ସାଇତି ରଖେ ।
ଲୋଭରେ ସେ ସାଇତି ରଖେ ଧନ, ପେଟକୁ ଖାଇବ ନାହିଁ ଅତିଥି କିମ୍ବା ଭିକାରୀ ଗୋଟିଏ ଆସିଲେ ତାଙ୍କୁ ଦାଣ୍ଡରୁ ନାନା କଥା କହି ଫେରାଇ ଦିଏ । ନିଜର ବାବା ମା’ ବେମାରରେ ପଡିଲେ ଯେ ତାଙ୍କ ପାଇଁ ପଇସା ଖର୍ଚ୍ଚ କରି ଚିକିତ୍ସା ମଧ୍ୟ କଲା ନାହିଁ । ଶେଷରେ ଲୋଭୀର ପିତାମାତା ମଲେ । ପିତା-ମାତାଙ୍କର ଶୁଦ୍ଧି କ୍ରିୟାରେ ମଧ୍ୟ ସେ ପଇସା ଖର୍ଚ୍ଚ କଲା ନାହିଁ । ସାହିପଡିଶାରେ ପାଟିତୁଣ୍ଡ କରିବାରୁ ସେ ପିତାମାତାଙ୍କୁ ଶୁଦ୍ଧି ହେଲା । ପଇସା ଖର୍ଚ୍ଚ ହୋଇଯିବ ବୋଲି ସେ ଲୋଭୀ ନିଜେ ବିବାହ ମଧ୍ୟ କଲା ନାହିଁ । ଟଙ୍କା ଖର୍ଚ୍ଚ ହୋଇଯିବ ବୋଲି ସେ ମଇଳା ପୋଷାକ ମଧ୍ୟ ପିନ୍ଧିଲା । ପିନ୍ଧା ପୋଷାକକୁ ସେ କୌଣସି ଦିନ ସଫା ମଧ୍ୟ କଲା ନାହିଁ ।
ଦିନକର ଘଟଣା ତା’ର ଯେଉଁ ଝୁମ୍ପୁଡି ଘର ଖଣ୍ଡିକ ଥିଲା ସେହି ଘରେ ନିଆଁ ଲାଗିଗଲା । ସେ ତା’ର ଘରେ ନିଆଁ ଲାଗି ଜଳି ଯାଉଥିବା ଦେଖିଲା ହେଲେ ସେଥିପ୍ରତି ତା’ର ନଜର ନଥିଲା, ନଜର ତା’ର ଥିଲା ଘର ଭିତରେ ଥିବା କାଠ ସିନ୍ଧୁକ ଉପରେ ।
କାଠ ସିନ୍ଧୁକଟି ତା’ର ବାପା ଗୋସିବାପା ଅମଳର, ସେଥିରେ ଲୋଭୀ ବହୁ ସୁନାରୂପା ଟଙ୍କା ପଇସା ଖୁନ୍ଦି କରି ରଖିଥିଲା । ସେ ଭୋ ଭୋ ହୋଇ କାନ୍ଦି କହୁଥାଏ, ଘରପଛେ ପୋଡିଯାଉ, ମୋତେ କିନ୍ତୁ ମୋର ଧନ ଥିବା ସିନ୍ଧୁକ ଖଣ୍ଡିକ ମିଳିଯାଉ ।
ଏହିପରି ଭାବରେ କୋହ ଫଟାଇ କାନ୍ଦୁଥାଏ ସେ ଲୋଭୀ । ତା’ ଆଖିଆଗରେ ଘର ଖଣ୍ଡିକ ଜଳି ଯାଉଛି । ତା’ରି ସାଥିରେ ଜଳିଯିବ ତା’ର ସିନ୍ଧୁକ ଖଣ୍ଡିକ । ସିନ୍ଧୁକ ଭିତରେ ଜଳିଯିବ ତା’ର ବହୁ ଦିନର ସଂଚିତ ଧନ ।
ଲୋଭୀ ସବୁକଥା ଭାବି କାନ୍ଦୁଥାଏ ହେଲେ କିଛି ଉପାୟ କରି ପାରୁନଥାଏ । ଠିକ୍ ସେତିକିବେଳେ ସେହି ବାଟ ଦେଇ ଜଣେ ବଣିଆ ଆସିଲା । ସେ ଦେଖିଲା ଲୋଭୀର ଝୁମ୍ପୁଡି ଘର ଖଣ୍ଡିକ ଜଳି ଯାଉଛି । ଲୋଭୀ ତ କିଛି କରିପାରୁନାହିଁ । ବରଂ ମୁଣ୍ଡ କଚାଡି କାନ୍ଦି କାନ୍ଦି କହୁଛି, ମୋର ସିନ୍ଧୁକ, ମୋର ସିନ୍ଧୁକ ଜଳି ଯାଉଛି ।
ଲୋଭୀର ଏଭଳି କାନ୍ଦଣା ଦେଖି ବଣିଆ ତାକୁ କହିଲା, ମୁଁ ତୋର ସିନ୍ଧୁକ ଖଣ୍ଡିକ ଉଦ୍ଧାର କରି ଦେବି । ହେଲେ ତୁ ମୋତେ କ’ଣ ଦେବୁ?
ଲୋଭୀ ତ ବିପଦରେ ପଡିଛି, କହୁ କହୁ କହି ପକାଇଲା ତୁ ମୋର ସିନ୍ଧୁକ ଉଦ୍ଧାର କରି ଦେ । ତୁ ଯାହା କହିବୁ ମୁଁ ତୋତେ ତାହା ହିଁ ଦେଇଦେବି ।
ବଣିଆ କହିଲା, ମୁଁ ନିଶ୍ଚୟ ତୋର ସିନ୍ଧୁକ ଉଦ୍ଧାର କରିଦେବି । ତୁ କିନ୍ତୁ ମୋତେ ମୋ ମନ ଇଚ୍ଛାର ଅଳଙ୍କାର ଦେବୁ ତ!
ବିପଦରେ ପଡିଛି ଲୋଭୀ, ବାପ ଗୋସିବାପ କାଳର ସିନ୍ଧୁକ ସେ, ସେଇଟା ଯଦି ପୋଡି ଯାଏ ନା ତାହା ହେଲେ ମୋ ସହିତ ସ୍ୱର୍ଗରେ ଥାଇ ମୋର ପିତାମାତାମାନେ ବି ଦରିଦ୍ର ହୋଇ ଜୀବନ ବିତାଇବେ । ଏହି କଥା ଭାବି ଭାବି ସେ ଆହୁରି ଅଧିକ ଜୋର୍ରେ କାନ୍ଦି କାନ୍ଦି କହିଲା – ହଁ ଭାଇ, ତୁ ଅଳଙ୍କାର ନେବୁ ହେଲେ ମୋର ସିନ୍ଧୁକଟା ଉଦ୍ଧାର କରି ଦେ ।
ତା’ପରେ ବଣିଆ ନିଆଁକୁଖାତିର ନ କରି ଲୋଭୀର ସିନ୍ଧୁକ ପାଖରେ ପହଁଚି ସିନ୍ଧୁକ ଖୋଲି ଦେଖିଲା ଯେ ସେଥିରେ ଲୋଭୀର ଅନେକ ଗହଣା ରହିଛି । ତହୁଁ ବଣିଆ ସିନ୍ଧୁକ ଭିତରୁ ସବୁ ଗହଣା, ସୁନା ରୂପାକୁ ଗାମୁଛାରେ ବାନ୍ଧି ଲୋଭୀର ସିନ୍ଧୁକକୁ ଲୋଭୀକୁ ଦେଇ ସେ ତା’ର ଯିବା ବାଟରେ ବାହାରିଲା ।
ଲୋଭୀ ଜାଣିଲା ଯେ ବଣିଆ ତା’ର ସବୁତକ ଅଳଙ୍କାର ଧରି ପଳାଇ ଯାଉଛି । ସେ ଲୋଭୀ ସମ୍ଭାଳି ନ ପାରି ବଣିଆର ଗୋଡ ତଳେ ପଡି ବହୁତ କାନ୍ଦିଲା । କାକୁତି ମିନତି ହୋଇ କହିଲା ଯେ ଭାଇ – ତୁମେ ମୋ ସୁନା ରୂପା ଅଳଙ୍କାର ଧରି କୁଆଡେ ଯାଉଛ । ସେ ସବୁକୁ ମୁଁ କେତେ କଷ୍ଟ କରି ସାଇତି ରଖିଛି । ହେଲେ ସ୍ୱର୍ଣ୍ଣବ୍ୟବସାୟୀ କାହିଁକି ବା ତା’ କଥାକୁ ମାନିବ । ସେ କହିଲା – ତୁ ମୋତେ ସେ କଥା କହ ନାହିଁ । ତୋ’ ସହିତ ମୋର ଯାହା କଥା ହୋଇଥିଲା ମୁଁ ଯେ ତାହାହିଁ କରିଛି । ତା’ ନହେଲେ ତୋ’ର ପୋଡି ଯାଉଥିବା ସିନ୍ଧୁକକୁ ମୁଁ କାହିଁକିବା ଉଦ୍ଧାର କରିଥାଆନ୍ତି । ତୁ ବା ଆଉ ପାଟି ତୁଣ୍ଡ ନ କରି ତୋ ସିନ୍ଧୁକକୁ ନେ ମୁଁ ମୋର ଜିନିଷ ଧରି ଯାଉଛି ।
ବଣିଆ ବେଶ୍ ମନ ଖୁସିରେ ସେଠାରୁ ଚାଲିଗଲା । ଲୋଭୀର ଲୋଭ ସମ୍ଭଳା ପଡିଲା ନାହିଁ । ସେ ସେହିଠାରେ ମୁଣ୍ଡ ବାଡେଇ କାନ୍ଦିବାକୁ ଲାଗିଲା ।
ସେତିକିବେଳକୁ ସେହି ପଥ ଦେଇ ଆଉଜଣେ ପଥିକ ଯାଉଥିଲା । ସେ ଲୋଭୀର କାନ୍ଦଣା ଦେଖି ତୋ’ର କ’ଣ ହୋଇଛି ପଚାରିବାରୁ ଲୋଭୀ ଆରମ୍ଭରୁ ଶେଷଯାଏଁ ସମସ୍ତ କଥା କହିଗଲା । ପଥିକ ଲୋଭୀର ସବୁ କଥାକୁ ମନ ଦେଇ ଶୁଣୁଥିଲା । ଶେଷରେ କହିଲା – ଏହାର ଉପାୟ ଅଛି । ମୋର ମନ କହୁଛି ତୁ ତୋ’ର ସମସ୍ତ ଧନ ଫେରି ପାଇବୁ । ତୁ ଏବେ ଏହି କଥାକୁ ନେଇ ବାଦ୍ଶାହାଙ୍କ ନିକଟରେ ଫେରାଦ ଦେ । ସେ ନିଶ୍ଚୟ ବିଚାର କରିଦେବେ ।
ଲୋକଟିର କଥାରେ ଲୋଭୀ ବିଶ୍ୱାସ କରି ସମ୍ରାଟଙ୍କ ଦରବାରକୁ ଦୌଡି ଦୌଡି ଯାଇ ପହଁଚିଲା, ସେତେବେଳକୁ ସମ୍ରାଟ୍ ସିଂହାସନରେ ବସିଥାଆନ୍ତି । ଲୋଭୀ ସମସ୍ତଙ୍କୁ ସମ୍ରାଟ୍ କେଉଁଠି ଅଛନ୍ତି ପଚାରିବାରୁ ସଭାରେ ଥିବା ଲୋକମାନେ ସମ୍ରାଟଙ୍କୁ ଦେଖାଇ ଦେବାରୁ ଲୋଭୀ ଯାଇ ସମ୍ରାଟଙ୍କ ପାଦତଳେ ପଡିଯାଇ ଯାହା ଯାହା ଘଟିଥିଲା ସମସ୍ତ ଶୁଣାଇ ଆପତ୍ତି କରିଲା ଯେ, ବହୁଦିନ ଲାଗି ପେଟକୁ ନ ଖାଇ ମୁଁ ସେତକ ସମ୍ପତ୍ତି ସଂଗ୍ରହ କରି ରଖିଥିଲି । ମୋର ଘର ଯେତେବେଳେ ପୋଡିଯାଉଛି ବିକଳ ହୋଇ ବଣିଆର ପ୍ରସ୍ତାବରେ ରାଜି ହୋଇଗଲି । ବଣିଆ ମୋର ସିନ୍ଧୁକ ଉଦ୍ଧାର କରିଦେବ ବୋଲି କହିଥିଲା । ଆଉ ସେଥିରେ ଯେଉଁ ସବୁ ଗହଣା ସୁନା ରୂପା ଅଛି ତାହା ତାହାର ମନକୁ ଆସିଲେ ନେଇଯିବ । ଏଥିରେ ତୁମର ଆପତ୍ତି ରହିବ ନାହିଁ । ମୁଁ ତା’ କଥାରେ ସମ୍ମତି ଜଣାଇଥିଲି ।
ତା’ପରେ ବଣିଆ ମୋର ସିନ୍ଧୁକକୁ ଉଦ୍ଧାର କରିଦେବା ସହିତ ତା’ର ମନଇଚ୍ଛା ଯାହାନେବା କଥା ସବୁ ନେଇ ଚାଲିଗଲା । ମୋତେ ଗରିବ ତଥା ରାସ୍ତାର ଭିକାରୀ କରି ଦେଇ ସବୁ ନେଇଗଲା, ଏବେ ମୁଁ କ’ଣ କରିବି ହଜୁର୍ । ମୋତେ ଏହି ବିପଦରୁ ରକ୍ଷା କରନ୍ତୁ ।
ସମ୍ରାଟ୍ ଲୋକଟିଠାରୁ ସମସ୍ତ କଥା ଆମୂଳଚୂଳ ଶୁଣି ସାରିଲେ । ତା’ପରେ ସେ ଏହାର ବିଚାର କରିବା ଦାୟିତ୍ୱ ବିରବଲଙ୍କ ନିକଟକ ପଠାଇ ଦେଲେ ।
ସେ ଲୋଭୀ ଲୋକଟି ବିରବଲଙ୍କ ନିକଟକୁ ଯାଇ ସମସ୍ତ କଥା କହିଲା । ବିରବଲ ପଚାରିଲେ, ତମେ ଯେଉଁ କଥା ସବୁ ମୋ ପାଖରେ ବଖାଣି ଗଲ ସେ କଥା ସବୁ ସତ୍ୟ ତ? ତୁମେ ମୋତେ ଏଥିରେ କିଛି ମିଥ୍ୟା କହୁନାହଁ ତ!
ଲୋଭୀ କହିଲା – ନାଇଁ ହଜୁର୍ । ମୁଁ ଯାହାସବୁ କହିଲି ସତ୍ୟ କହିଲି । ଏହା ପରେ ବିରବଲ ବଣିଆକୁ ଦୂତ ପଠାଇ ଦରବାରକୁ ଡକାଇ ପଠାଇଲେ । ଦୂତ ଯାଇ ବିରବଲଙ୍କ ଖବର ଦିଅନ୍ତେ ବଣିଆ ଡରି ମରି ଦରବାରକୁ ଦୌଡି ଦୌଡି ପଳାଇ ଆସି ବିରବଲଙ୍କ ପାଦତଳେ ପଡିଗଲା ।
ବିରବଲ ବଣିଆକୁ କହିଲେ – ଉଠ ମୁଁ ତୁମକୁ ଯାହା ଯାହା ପଚାରୁଛି, ତା’ ସବୁ ସତ୍ୟ କରି କହିବ । କଥାରେ ଟିକିଏ ମିଛ ରହିଲେ ତୁମକୁ ଫାଶୀ ଦିଆଯିବ ।
ବିରବଲ ପଚାରିବାରୁ ବଣିଆ ସେଦିନ ଯାହା ଯାହା ଘଟିଥିଲା ସବୁ ସତ୍ୟ ସତ୍ୟ କରି କହିଗଲା । ବିରବଲ ଦେଖିଲେ ଲୋଭୀ ଆଉ ଏ ବଣିଆର ସବୁ କଥା ସମାନ ହେଲା । ଆଉ ମଧ୍ୟ ଦୁହିଁଙ୍କ ମଧ୍ୟରେ ଯାହା ଜବାବ୍ ହୋଇଥିଲା ତାହା ମଧ୍ୟ ଠିକ୍ ହେଲା । ବ୍ୟବସାୟୀ ଯାହା ପସନ୍ଦ ତାହା ନେବ ବୋଲି ଯାହା କଥା ହୋଇଥିଲା ବ୍ୟବସାୟୀ ତାହା ସବୁ ନେଇ ଯାଇଛି ବୋଲି ବିରବଲ ତା’ଠାରୁ ଶୁଣି ପାରିଲେ ।
ଏହାପରେ ବିରବଲ ପଚାରିଲେ, ତୁମେ କ’ଣ ଜଣେ ସୁବର୍ଣ୍ଣ ବ୍ୟବସାୟୀ? ବଣିଆ କହିଲା – ହଜୁର୍!
– ତାହା ତୁମେ କେଉଁଠାରେ ନେଇ ରଖିଲ?
– ହଜୁର୍ ତାହା ଯେପରି ଗାମୁଛାରେ ବାନ୍ଧି ନେଇଥିଲି ସେହି ବନ୍ଧା ଅବସ୍ଥାରେ ନେଇ ମୁଁ ମୋ ଦୋକାନରେ ଥୋଇ ଦେଇଛି । କିନ୍ତୁ ତାହାକୁ ଖୋଲାଖୋଲି କରି ଦୋକାନରେ ସଜାଇବି ବୋଲି ଚିନ୍ତା କରିବା ବେଳକୁ ହଜୁର୍ଙ୍କ ଆଦେଶ ପାଇ ଦୌଡି ଦୌଡି ଚାଲି ଆସିଲି ।
ଏହା ପରେ ବିରବଲ ବଣିଆଠାରୁ ଦୋକାନର ଚାବି ମାଗି ନେଇ ଦରବାରରୁ ଦୂତ ପଠାଇ ଗାମୁଛାରେ ବନ୍ଧା ହୋଇଥିବା ଜିନିଷତକ ଗାମୁଛା ସହ ଦରବାରକୁ ଘେନି ଆସିଲେ ।
ବିରବଲ ଗାମୁଛା ବନ୍ଧାର ଜିନିଷକୁ ଦେଖି ଚମକି ପଡିଲେ । ବ୍ୟବସାୟୀ ସେ ସବୁ ଜିନିଷକୁ ଦେଖିବାମାତ୍ରେ ଲୋଭରେ ଆଖି ବୁଜି ପକାଇଲା ।
ବିରବଲ କହିଲେ – ବ୍ୟବସାୟୀ ତୁମ ଗାମୁଛାରେ ବନ୍ଧା ଥିବା ସମସ୍ତ ଜିନିଷ ତ ଏବେ ତୁମ ଆଗରେ ଖୋଲାଗଲା । ଏଥିର ସେଥି ମଧ୍ୟରୁ ତୁମର ଯାହା ପସନ୍ଦ ହେବ ତାହା ଦେଖି ମୋତେ କୁହ ।
ବଣିଆ କହିଲା, ଆଜ୍ଞା ମୁଁ ହେଉଛି ସୁନା ବ୍ୟବସାୟୀ, ମୋର ପସନ୍ଦ ଆଜ୍ଞା ଦାମୀ ଆଉ ସୁନ୍ଦର ଗହଣାରେ ।
ଏହାପରେ ବାରମ୍ବାର ବଣିଆକୁ ପଚାରି ନେଲେ ତୁମେ ଯାହା କହୁଛ ତାହା ଠିକ୍ ଭାବେ କହୁଛ ତ?
ବ୍ୟବସାୟୀ କହିଲା, ହଁ ଆଜ୍ଞା, ମୁଁ ଠିକ୍ କହୁଛି ।
ବଣିଆଠାରୁ ଏକଥା ଶୁଣିବାପରେ ବିରବଲ ଜଣେ ରାଜକର୍ମଚାରୀଙ୍କୁ କହିଲେ – ଏ ଅଳଙ୍କାର ଲୋଭୀକୁ ଦେଇଦିଅ ।
ବିରବଲଙ୍କର ଏପରି ବିଚାର ଦେଖି ବଣିଆ ଚମକି ପଡି କହିଲା – ଛାମୁଁ ମୁଁ ପରା କହିଥିଲି ମୋର ଯାହା ପସନ୍ଦ ହେବ ତାହାକୁ ଲୋଭୀକୁ ଦେବି ।
ବିରବଲ କହିଲେ – ତୁମର ପସନ୍ଦ ସୁନା ଅଳଙ୍କାର ବୋଲି କହିଲନା, ତେଣୁ ତୁମର ପସନ୍ଦ ସେହି ସୁନା ଅଳଙ୍କାର ସବୁଲୋଭୀକୁ ଦିଆଗଲା । ଏହାପରେ ତମେ ଯଦି ଏଠାରେ ଯୁକ୍ତି କର ତାହାହେଲେ ତୁମର ମୁଣ୍ଡକାଟ ହେବ ।
ବଣିଆ ବିରବଲଙ୍କର ବିଚାର ଶୁଣି ନୈରାଶ୍ୟରେ ମୁଣ୍ଡ, କାନ, ଆଉଁସି ଘରକୁ ପଳାଇଲା ।
ଏହାପରେ ବିରବଲଙ୍କ ମୁହଁକୁ ଚାହିଁ ଲୋଭୀ କହିଲା – ଦେୱାନ୍ ସାହେବ୍? ଏସବୁ ଧନ ମୁଁ ନିଜେ ଅର୍ଜନ କରି ଲୋଭରେ ସଂଚୟ କରି ରଖିଥିଲି । ଆଉ ମଧ୍ୟ ଧନ କ୍ଷଣସ୍ଥାୟୀ ବୋଲି ମୋତେ ଜଣାଥିଲା । ତଥାପି ଅର୍ଜନ କରି ତାହାକୁ ସଂଚୟ କରୁଥିଲି । ବର୍ତ୍ତମାନ ମୋର ଆପଣଙ୍କ ନିକଟରେ ଏହି ନିବେଦନ ଯେ, ଏ ସମସ୍ତ ଧନରେ ଆପଣ ଗୋଟିଏ ମନ୍ଦିର ନିର୍ମାଣ କରି ଦେବତା ବସାନ୍ତୁ । ସଂସାରରେ ମୋର ବୋଲି କେହି ନାହାଁନ୍ତି ଆଜ୍ଞା । ମୁଁ ସେହି ଦେବତାଙ୍କୁ ମରିବା ଯାଏଁ ପୂଜା କରି ସମୟ ଅତିବାହିତ କରିବି ।
ବିରବଲ ଲୋଭୀର ସେହି ପ୍ରସ୍ତାବକୁ ଶୁଣି ଖୁବ୍ ଖୁସି ହୋଇଗଲେ । ଆଉ ମଧ୍ୟ ତା’ର ଇଚ୍ଛା ପୂରଣ ନିମନ୍ତେ ରାଜ୍ୟର ଗୋଟିଏ ପାଶ୍ୱର୍ରେ ଦେବତାଙ୍କ ମନ୍ଦିର ନିମନ୍ତେ ରାଜମିସ୍ତ୍ରୀମାନଙ୍କୁ ଆଦେଶ ଦିଆଗଲା ।