• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଲକ୍ଷ୍ମୀଛଡା ରାଜା କଥା/Laxmichada Raja Katha
ଗଳ୍ପ

ଲକ୍ଷ୍ମୀଛଡା ରାଜା କଥା/Laxmichada Raja Katha

suchitraBy suchitraDecember 30, 2021No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Laxmichada Raja Katha
Laxmichada Raja Katha
Share
Facebook Twitter Pinterest Reddit Email

ଏଥୁ ଅନ୍ତେ ଅବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ପୂର୍ବ ତୀର୍ଥରେ କିଛି ଦିନ ରହିଲେ । ସେଦିନ ପ୍ରାତଃ ହେବା ପରେ ବ୍ୟଙ୍ଗକାର କହିଲେ ଆମେ ଏଠାରେ ଯେଉଁ କେଇ ଦିନ ଅବସ୍ଥାନ କରିବା ସେହି ଭାବରେ ସଉଦା ଆଣିବାକୁ ହେବ । ପଇସା ନିଅ । ଆବଶ୍ୟକ ତେଲ, ଲୁଣ, ଡାଲି, ଆଳୁ, ସାରୁ ନେଇ ଆସ ।

ବୋଲକରା ବ୍ୟାଗ୍ ଖଣ୍ଡିକ ଧରି ସଉଦା ଲାଗି ଗଙ୍ଗା କୂଳେ କୂଳେ ଯାଉ ଥାଏ । ଗଙ୍ଗା କୂଳ ମାନଙ୍କରେ ଥିବା ରମଣୀୟ ଘାଟ ଆଦି ଦେଖି ବୋଲକରାର ମନ ବେଶ୍ ଖୁସ୍ ହୋଇ ଯାଉ ଥାଏ । ସେ ପୁଣି ଆଉ କିଛି ବାଟ ଗଲା । ଯାଉ ଯାଉ ତା’ର ଦୃଷ୍ଟି ଏକ ସୁନ୍ଦର ଚଉପାଢି ଉପରେ ପଡିଲା । ମାର୍ବଲ୍ ବିଛା ଚଉପାଢିର ମଧ୍ୟ ଭାଗରେ ଥିଲା ଏକ ସୁନ୍ଦର ଚଉତରା । ତା’ଉପରେ ମାର୍ବଲ୍ ନିର୍ମିତ ସୁନ୍ଦରୀ ନାରୀର ମୂର୍ତ୍ତି ଠିଆ ହୋଇଛି । ଆଉ ମଧ୍ୟ ସେହି ନାରୀର ଠିଆ ହୋଇଥିବା ମୂର୍ତ୍ତିର ନିମ୍ନାଂଶରେ ଲେଖା ଯାଇଛି ସହଜରେ ନାରୀ ମାନଙ୍କୁ ବିଶ୍ୱାସ କରିବ ନାହିଁ । ଏହା ଦେଖି ଅବୋଲକରା ଭାବିଲା ଏ କେମିତିକା କଥା । ସମସ୍ତେ କହନ୍ତି ନାରୀ ସନ୍ତାନ ମାନଙ୍କର ଜନନୀ । ଆଉ ପୁଣି ସନ୍ତାନ ମାନେ ଏ ଦେଶର ଭବିଷ୍ୟତ । ନାରୀ ମାତୃସ୍ୱରୂପା, ନାରୀ ସର୍ବ ସହଣୀ । ଏତେ ପରେ ଏହି ନାରୀର ମୂର୍ତ୍ତି ତଳେ ଏପରି କାହିଁକି ଲେଖା ଯାଇଛି । ସେହି କଥାର ଅସଲ କାରଣ ଜାଣିବା ନିମନ୍ତେ ଅବୋଲକରା ମନରେ ସଙ୍ଗେ ସଙ୍ଗେ ଉତ୍କଣ୍ଠା ଜାତ ହେଲା । ଆଉ ମଧ୍ୟ ତା’ର ଦ୍ୱିତୀୟ ଆଶ୍ଚର୍ଯ୍ୟ ହେବାର କାରଣ ହେଲା ଯିଏ ଯେତେବେଳେ ଯେଉଁ ଭୋଗ ନେଉଛି ତାହାକୁ ଭୋଗ ନକରି ମୂର୍ତ୍ତି ପାଖରେ ଥୋଇ ଦେଇ ଯାଉଛି ।

ଅବୋଲକରା ଏ ସମସ୍ତ ଦେଖି ସାରି ଆବଶ୍ୟକୀୟ ସଉଦା ପତ୍ର କିଣି ସାରିଲା । ତା’ପରେ ସେ ଫେରିଲା ଧର୍ମଶାଳାକୁ । ସେତେବେଳକୁ କଥାକାର ନିଜର ନିତ୍ୟ କର୍ମ ସମାପନ କରି କୋଥଳି ଭାଗବତ ପାଠ ଶେଷ କରି ନିର୍ମାଲ୍ୟ ପାଉ ଥାଆନ୍ତି । ବୋଲକରାକୁ ଦେଖିବା ମାତ୍ରେ ସେ ପଚାରିଲେ ସବୁ ସଉଦା ଆଣିଲୁନା? ଏବେ ପରିବା ସବୁ କାଟି ଦିଅ । ରୋଷେଇ ବସାଇବା । ବୋଲକରା କହିଲା – ଦେଖ ମହାନୁଭବ, ବର୍ତ୍ତମାନ ମୁଁ ଯେଉଁ ଦୃଶ୍ୟ ଦେଖିଲି ତାହା ଦେଖି ମୁଁ ଖୁବ୍ ଆଶ୍ଚର୍ଯ୍ୟ ହେଲି । ସେଥି ଲାଗି ତରବରରେ ସଉଦା ଧରି ସେଠାରୁ ପଳାଇ ଆସିଲି । ଚତୁର ବ୍ୟଙ୍ଗକାର ପଚାରିଲେ କ’ଣ ଦେଖିଲୁ । ବୋଲକରା କହିଲା –

ଚହଟ ଚିକ୍କଣ ମଣ୍ଡପ ପରେ
ସୁନ୍ଦରୀ ରହିଛି ଠିଆ ଭାବରେ
ଲେଖା ଯାଇ ଅଛି ପାଦ ଦେଶରେ
ବିଶ୍ୱାସ ନକର ଏ ନାରୀ ଠାରେ

ଚିକ୍କଣ ମୁଖରେ ମସୃଣ ଗଣ୍ଡ
ସତେ ଉଦେ ହୁଏ ସେଠାରେ ଚାନ୍ଦ
ପହୁଡ ପଡିନି ପଡିଛି ଖୋଲା
ଭୋଗ ଥୁଆ ଯାଏ ନହୁଏ ପରା

ଏହାର କାରଣ କୁହ ଗୋସାଇଁ
ତାପରେ ହୋଇବ ଆମ ରୋଷେଇ ।

ଏ କଥା ଶୁଣିବା ପରେ ବ୍ୟଙ୍ଗକାର ମନେ ମନେ ହସି ଭାବିଲେ ଶଳା ବାରିକ ଟୋକାଟାକୁ ଆଣି ମୁଁ କି ହରକତ ହେଲି । ପ୍ରତି ଦିନ ଗୋଟିଏ ଗୋଟିଏ ଅଜବ ଘଟଣା ଦେଖି ଆସି ମୋତେ ବଡ ହଇରାଣରେ ପକାଇ ଦେଉଛି । ସେ କହିଲେ ହଉ ହେଲା । ତୁ ଶଳାଟା ସବୁ ବେଳେ ପଂଚମରେ ଥାଉ । ତାହା ହେଲେ ବଟୁଆ ନେ, ଖଣ୍ଡେ ପାନ ଭାଙ୍ଗେ । ମୁଁ ତୋର ସେହି ଘଟଣାର ଅସଲ କାରଣଟା ତୋତେ ଯଥା ଶୀଘ୍ର ବୁଝାଇ ଦେଉଛି ।

ଭାଙ୍ଗିବାକୁ ଟାଣ ହୋଇଲାଟି ଜାଣ
ନାରୀ ମୂର୍ତ୍ତି ଗଢା ସେଠି

ରହିଛି କାରଣ କହୁଅଛି ଧନ
ବୁଜି ଦିଅ ଛତା କାଠି ।

ସେହି ପାଟଳୀପୁତ୍ରର ରାଜା ଥିଲେ ସୌରଭ କୁମାର । ସେଠାରେ ଜଣେ ଖୁବ୍ ଧନୀ ବଣିକ ଥିଲେ । ବଣିକର ନାମ ମହେନ୍ଦ୍ର ଲାଲା । ସେ ବହୁ ରାଜାଙ୍କ ଠାରୁ ଧନ ଶାଳୀ । ଏପରି ପ୍ରତିପତି ଥିବାରୁ ବଣିକ ମହେନ୍ଦ୍ର ଲାଲାଙ୍କ ପାଖକୁ ପଡୋଶୀ ରାଜା ଓ ରାଜ କୁମାର ମାନେ ସେଠାକୁ ଆସି ଥାଆନ୍ତି ।

ସେହି ବଣିକ ମହେନ୍ଦ୍ର ଲାଲାଙ୍କର ଏକ ସୁନ୍ଦରୀ କନ୍ୟା ଥିଲା । ବଣିକର ସେହି ଝିଅ ଆଉ ପୁଅ ମଧ୍ୟ । ଏହା ବ୍ୟତିତ ମହେନ୍ଦ୍ର ଲାଲାଙ୍କ ଭାଗ୍ୟରେ ପୁତ୍ର ନଥିଲା । ବଣିକର ଝିଅ ଅମ୍ରିତା ଅତ୍ୟନ୍ତ ରୂପବତୀ ଥିଲେ । ସେହି ରୂପବତୀ କନ୍ୟାର ରୂପରେ ମୋହିତ ହୋଇ ରାଜା ତାକୁ ବିବାହ କରି ଥିଲେ । ଏହି ପରି ବହୁତ ରାଜା ଓ ରାଜ କୁମାର ଅମ୍ରିତା ରୂପରେ ମୋହିତ ହୋଇ ସେଠାକୁ ଆସି ଥାଆନ୍ତି । ରୂପବତୀକୁ ଦେଖି ସେମାନେ ତାଙ୍କୁ ଖୁବ୍ ଆଦର ସ୍ନେହ କରନ୍ତି । ଏପରିକି ରୂପବତୀ ଅମ୍ରିତା ରାଜା ଓ ରାଜ କୁମାର ମାନଙ୍କ ସାଥିରେ ବନ ବିହାରକୁ ଯାଇ ଆନନ୍ଦ କରେ । ସେମାନଙ୍କ ସହିତ ଖେଳେ ଓ ଘୋଡା ରେସ୍ କରି ଗୃହକୁ ଫେରି ଆସେ ।

ଦିନେ ରାଜା ବନ ବିହାରକୁ ଯାଇ ସେଠାରେ ରୂପବତୀ ଅମ୍ରିତାକୁ ଦେଖି ତାକୁ ବିବାହ କରି ରାଜ ଉଆସକୁ ନେଇ ଯାଇ ଥିଲେ । ଅମ୍ରିତା ଖୁବ୍ ଅୟସରେ ତାଙ୍କ ରାଣୀ ଉଆସରେ ରହୁ ଥାଏ । ସେ ଏତେ ରୂପବତୀ ସୁନ୍ଦରୀ ଯେ ଅମ୍ରିତାକୁ ଉଆସରେ ରହିବା ଦେଖି ତା’ ରୂପରେ ମୋହିତ ହୋଇ ସେହି ରାଜ୍ୟର ମନ୍ତ୍ରୀ ପୁଅ ଓ ସେନାପତି ପୁଅ ତା’ ସହିତ ମିଳା ମିଶା କଲେ । ରାଣୀ ଅମ୍ରିତା ନିଜର ଉଆସରେ ରହି ମନ୍ତ୍ରୀ ପୁଅ ଓ ସେନାପତି ପୁଅଙ୍କ ସହିତ ମିଳା ମିଶା କରିବା ଦ୍ୱାରା ରାଜ୍ୟ ପାଇଁ ତାହା ପାତକ ହେଲା । ରାଣୀ ଅମ୍ରିତାଙ୍କ ଲାଗି ସେ ରାଜ୍ୟରେ ପାପ ବଢିଲା । ରାଜା ଉଆସରେ ପାପ ପୂର୍ଣ୍ଣ ହୋଇ ଯିବାରୁ ମାଆ ସାନ୍ତାଣୀ ଲକ୍ଷ୍ମୀ ସେହି ରାଜ ଉଆସ ତ୍ୟାଗ କରି ପଳାଇ ଗଲେ ।

ରାଜ୍ୟରୁ ଲକ୍ଷ୍ମୀ ଛାଡି ଯିବାରୁ ରାଜ୍ୟରେ ଦୁର୍ଭିକ୍ଷ, ମହାମାରୀ ପରି ସମସ୍ତ ପ୍ରକାର ବିପଦ ମାନ ମାଡି ଆସିଲା । ରାଣୀ ରୂପବତୀ ଅମ୍ରିତାଙ୍କର ପୂର୍ବ ସୁନ୍ଦରୀ ରୂପ ଆଉ ରହିଲା ନାହିଁ । ସେ କୁରୂପରେ ଦେଖା ଗଲେ । ରାଜା ନିଜ ରାଜ୍ୟ ଓ ପଡୋଶୀ ରାଜ୍ୟରୁ ବଛା ବଛା ବୈଦ୍ୟ ତାନ୍ତ୍ରିକ ଗୁଣିଆ ଯେତେ ଯାହା ଆଣିଲେ ମଧ୍ୟ କିଛି ବି କାମ କଲା ନାହିଁ । ରାଜ କୁମାରୀ (ରାଣୀ) ଅମ୍ରିତା ଆଉ କେବେ ଭଲ ହେଲେ ନାହିଁ । ପଡୋଶୀ ଶତ୍ରୁ ମାନେ ତାଙ୍କ ରାଜ୍ୟକୁ ଖଣ୍ଡ ଖଣ୍ଡ କରି ନିଜ ଦଖଲକୁ ନେଇ ଗଲେ । ଶେଷରେ ଏହି ରାଣୀ ଲାଗି ରାଜାଙ୍କର ରାଜ୍ୟ ଗଲା, ସିଂହାସନ ଗଲା, ଶେଷରେ ସେ ପାପିନୀ ରାଣୀର ମଧ୍ୟ ମୃତ୍ୟୁ ହୋଇଗଲା ।

ଏହା ପରେ ଦୁର୍ଭାଗ୍ୟ ଯେ ରାଜା ସୌରଭ କୁମାରଙ୍କର ମାନସିକତା ବଢି ଯିବାରୁ ସେ ପାଗଳ ପ୍ରାୟ ମୃତ ରାଣୀଙ୍କୁ କାନ୍ଧରେ ବୋହି ଚାରି ଆଡେ ଭ୍ରମଣ କରିବାକୁ ଲାଗିଲେ । ଶେଷରେ ରାଣୀଙ୍କ ଶବ ପଚି ଗନ୍ଧ ହେବାରୁ ପଥଚଲା ଲୋକ ରାଜାଙ୍କୁ ଛି’ ଛାକର କରନ୍ତେ ରାଜା ବାଧ୍ୟ ହୋଇ ସେହି ଶବକୁ ନେଇ ଗଙ୍ଗାରେ ପକାଇ ଦେବାକୁ ଗଲା ବେଳେ ମା’ ସାଆନ୍ତାଣୀ ଜଗତ ଜନନୀ ଲକ୍ଷ୍ମୀ ଓ ସଦାଶିବ ସେଠାରେ ଉପସ୍ଥିତ ହୋଇ ସେହି ମୃତ ରାଣୀଙ୍କୁ ବଂଚାଇ ଦେଲେ । ଆଉ କହିଲେ ହେ ରାଜା – ତୁମର କଲା କର୍ମର ଫଳ ଭୋଗ ସରିଲା । ଏବେ ଯାଅ ତୁମେ ତୁମ ରାଣୀଙ୍କୁ ଧରି ସୁଖରେ ରୁହ । ଏହା ପରେ ଅନ୍ନପୂଣ୍ଣା ଓ ସଦାଶିବ ସେଠାରୁ ଅନ୍ତର୍ଦ୍ଧାନ ହୋଇ ଗଲେ । ରାଜା ରାଣୀଙ୍କୁ ନେଇ ନିଜର ରାଜ୍ୟ ନଥିବାରୁ ଗଙ୍ଗା କୂଳ ଠାରେ ଗୋଟିଏ କୁଡିଆ ନିର୍ମାଣ କରି ରହିଲେ । ରାଜ କୁମାରୀ ଅମ୍ରିତା ମଧ୍ୟ ଆଗ ଠାରୁ ଆହୁରି ସୁନ୍ଦରୀ ଦେଖା ଗଲା ।

ଏହି ପରି କିଛି ଦିନ ବିତି ଗଲା । ରାଜା ସୌରଭ କୁମାର ଓ ରାଜ କୁମାରୀ ଅମ୍ରିତା ସେହି କୁଟୀର ମଧ୍ୟରେ ଥିବା ବେଳେ ରାଜା ଥରେ ବାହାରକୁ କୌଣସି କାର୍ଯ୍ୟରେ ବାହାରି ଗଲେ । ଠିକ୍ ଏହି ସମୟରେ ମହାରାଷ୍ଟ୍ରର ରାଜା ଓ ଯୁବରାଜ ବନ ଭ୍ରମଣରେ ଯାଉଥିବା ସମୟରେ ସେମାନେ ରାସ୍ତାରେ ଅଟକି ଗଲେ । ପତ୍ର କୁଡିଆ ମଧ୍ୟରେ ଅମ୍ରିତା କୁମାରୀକୁ ଦେଖି ମହାରାଷ୍ଟ୍ରର ରାଜ କୁମାର ବିସ୍ମିତ ହୋଇ ଗଲା । ଉଭୟଙ୍କର ଦେଖା ସାକ୍ଷାତରେ ଅତୀତର କଥାକୁ ମନେ ପକାଇ ରାଜ କୁମାରୀ ଅମ୍ରିତା କହିଲା – ମୋତେ ଜଣେ ଭୃତ୍ୟ ଆଣି ଏଠାରେ ରଖିଛି । ତୁମର ଯେବେ ମୋ ପ୍ରତି ଲୋଭ ଅଛି ତ ମୋତେ ଏଠାରୁ ନେଇ ପଳାଇ ଚାଲ ।

ମହାରାଷ୍ଟ୍ରର ରାଜ କୁମାର ମଧ୍ୟ ବହୁତ ଦିନ ହେଲା ରାଜ କୁମାରୀ ଅମ୍ରିତାଙ୍କୁ ଖୋଜୁ ଥିଲା । ଭାଗ୍ୟ ଭଲ ଆଜି ସେ ତାକୁ ନିକଟରେ ପାଇଥିବାରୁ ରାଜ କୁମାରୀ ଅମ୍ରିତାକୁ ସଙ୍ଗେ ସଙ୍ଗେ ନିଜ ଅଶ୍ୱରେ ବସାଇ ନେଇ ସେଠାରୁ ପଳାଇ ଗଲା ଓ ନିଜ ରାଜ୍ୟରେ ପହଁଚି ସେହି ରାଜ କୁମାରୀ ଅମ୍ରିତାକୁ ବିବାହ କଲା । ଏହା ପରେ ରାଜ କୁମାରୀ ଅମ୍ରିତା ସେଠାରେ ରାଜ ବନ୍ଧୁ ଭାବରେ ରହିଲା । ଦିନକର କଥା, ରାଜ କୁମାରୀ ଅତୀତରେ ଯେଉଁ ମନ୍ତ୍ରୀ ପୁଅ ସାଥିରେ ମିଳା ମିଶା କରୁ ଥିଲା ହଠାତ୍ ତା’ର ସେହି ମନ୍ତ୍ରୀ ପୁଅ ସାଥିରେ ଭେଟ ହେଲା । ମନ୍ତ୍ରୀ ପୁଅକୁ ଦେଖି ଖୁବ୍ ଆନନ୍ଦ ହେଲା ସେହି ରାଜ କୁମାରୀ ଅମ୍ରିତା । ସେଦିନ ସେ ମନ୍ତ୍ରୀ ପୁଅକୁ ପାଖକୁ ଡାକି ତାକୁ ନିଜ ଅତୀତର ସମସ୍ତ କଥା କହିଲା ଓ ମହାରାଷ୍ଟ୍ରର ରାଜା ପୁଅ ନଥିବା ସମୟରେ ତୁମେ ମୋ ପାଖକୁ ଆସିବ ବୋଲି ତାକୁ ବହୁ ଅନୁାରାଧ ମଧ୍ୟ କଲା ।

ପୂର୍ବ ଠାରୁ ରାଜ କୁମାରୀ ଅମ୍ରିତା ଅତି ସୁନ୍ଦରୀ ଦେଖା ଯାଉ ଥିବାରୁ ମନ୍ତ୍ରୀ ପୁଅ ତା’ ରୂପରେ ମୋହିତ ହୋଇ ସବୁ ଦିନ ଆସି ତା ସହିତ ସାକ୍ଷାତ କଲା । ଏମିତି କିଛି ଦିନ ଯାଆସ କରନ୍ତେ ଅମ୍ରିତା ସୁନ୍ଦରୀ ସାଥିରେ ସେ ମନ୍ତ୍ରୀ ପୁଅ ରତି କ୍ରୀଡା ମଧ୍ୟ କଲା । ମନ୍ତ୍ରୀ ପୁଅ ଓ ଅମ୍ରିତାର ମନ ଏକ ହେବାରୁ ଦୁହିଁଙ୍କ ମନରେ କୁବୁଦ୍ଧି ପ୍ରବେଶ କରନ୍ତେ ସେ ଦୁହେଁ ଏହି ରାଜ୍ୟ ଛାଡିବାକୁ ଇଚ୍ଛା କଲେ । ପରି ଶେଷରେ ସେହି ମନ୍ତ୍ରୀ ପୁଅ ଅମ୍ରିତାକୁ ନିଜ ଘୋଡାରେ ବସାଇ କାଶ୍ମୀର ନାମକ ଏକ ରାଜ୍ୟକୁ ନେଇ ପଳାଇ ଗଲା । ଅମ୍ରିତା ସହିତ ମନ୍ତ୍ରୀ ପୁଅ ସେଠାରେ କିଛି ଦିନ ବସବାସ କଲେ । ଅମ୍ରିତା ଦେଖିଲାଯେ ସେହି ଦେଶର ଯୁବକ ମାନେ ତାଙ୍କ ରାଜ୍ୟର ଯୁବକ ମାନଙ୍କ ଠାରୁ ରୂପରେ ଓ ଗୁଣରେ ଅତି ସୁନ୍ଦର । ସେମାନଙ୍କ ଅମାପ ଧନ ସମ୍ପତି ମଧ୍ୟ ରହିଛି । ପୁଣି ରସିକତା କରିବାରେ ସେମାନେ ଖୁବ୍ ଧୁରନ୍ଧର ମଧ୍ୟ ।

ଚରିତ୍ରା ହୀନା ଅମ୍ରିତା ମନ୍ତ୍ରୀ ପୁଅର ଅଜାଣତରେ କାଶ୍ମୀର୍ର ଯୁବକ ମାନଙ୍କ ସହିତ ଗୋପନରେ ରତି କ୍ରୀଡା କଲା । ଅନେକ ସମୟରେ ମନ୍ତ୍ରୀ ପୁଅ ପାଖରେ ରହୁ ଥିବାରୁ ଅମ୍ରିତା କୌଶଳ କରି ମନ୍ତ୍ରୀ ପୁଅକୁ ମଧ୍ୟ ମାରି ଦେଇ ସେଠାରେ ପୁନଶ୍ଚ ଗଣିକା କାର୍ଯ୍ୟ ଆରମ୍ଭ କରି ଦେଲା । ଏଣେ ରାଜା ବନରୁ ଫେରି ଆସି ଦେଖିଲେ ରାଣୀ ଅମ୍ରିତା ତାଙ୍କ ପତ୍ର କୁଟୀରରେ ନାହିଁ । ପୂର୍ବରୁ ଏହି ଅମ୍ରିତା ଲାଗି ରାଜା ନିଜ ରାଜ୍ୟ, ରାଜ ଉଆସ ତଥା ପ୍ରଜା ସବୁକୁ ହରାଇ ଦରିଦ୍ର ହୋଇ ଯାଇ ଥିଲେ । ଏବେ ପୁଣି ରାଣୀ ଅମ୍ରିତାକୁ ହରାଇବା ପରେ ରାଜା ପାଗଳ ପ୍ରାୟ ହୋଇ ବୁଲିବାକୁ ଆରମ୍ଭ କଲେ ।

ସେତେବେଳେ ଅମ୍ରିତାଙ୍କର ପିତା ବୁଢା ହୋଇ ଗଲେଣି । ସେ ତାଙ୍କ ଜ୍ୱାଇଁଙ୍କର ଏପରି ଦୁଃଖଦ ସମ୍ବାଦ ଶୁଣି ମର୍ମାହତ ହେଲେ । ଏହା ପରେ ଦିନେ ସେହି ରାଜ୍ୟର ବୃଦ୍ଧ ରାଜା ବିଶ୍ୱନାଥ ମନ୍ଦିରରେ ଦିଅଁ ଦର୍ଶନରେ ଯାଇ ଥିବା ବେଳେ ପାଗଳ ପ୍ରାୟ ବୁଲୁଥିବା ଅବସ୍ଥାରେ ତାଙ୍କ ଜୋଇଁଙ୍କୁ ଭେଟିଲେ । ଜୋଇଁଙ୍କୁ ବୁଝାଇ ସୁଝାଇ ନିଜ ଉଆସକୁ ନେଇ ଗଲେ । ଦିନେ ସଦାଶିବ ସେହି ବୃଦ୍ଧ ରାଜାଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କ ଝିଅ ଜୋଇଁଙ୍କର ପୂର୍ବରୁ ଯାହା ଯାହା ସବୁ ଘଟି ଯାଇ ଥିଲା ସେ ସବୁ କଥାକୁ ତାଙ୍କୁ ଜଣାଇ ଦେଲେ । ଏହା ପରେ ସଦାଶିବଙ୍କ କୃପାରୁ ସୌରଭ କୁମାର ଆଉ ଥରେ ରାଜା ହେଲେ । ତାପରେ ବୁଢା ରାଜା ମରି ଗଲେ । ସେହି ବୃଦ୍ଧ ରାଜାଙ୍କର ତ ଗୋଟିଏ କନ୍ୟା ଥିଲା । ଏବେ ସୌରଭ କୁମାର ପୁନଃ ରାଜା ହୋଇଯିବା ପରେ ତାଙ୍କ ସହିତ ସେହି କନ୍ୟାର ବିବାହ ହେଲା । ଶ୍ୱଶୂର ରାଜା ମରିବା ଆଗରୁ ତ ତାଙ୍କ ରାଜ୍ୟର ସମସ୍ତ ଧନ ରତ୍ନ ତାଙ୍କ ଜୋଇଁଙ୍କୁ ଦେଇ ଦେଲେ ।

ଏହା ପରେ ରାଜା ସୌରଭ କୁମାର ତାଙ୍କ ସ୍ୱର୍ଗୀୟ ଶ୍ୱଶୂରଙ୍କ ନାମରେ ଏକ ଧର୍ମଶାଳା ତୋଳାଇଲେ । ଏହାକୁ ଯାତ୍ରୀ ନିବାସ ଭାବରେ ବ୍ୟବହାର କରିବାକୁ ନିୟମ ବାନ୍ଧି ଦେଲେ । ଏହା ପରେ ତାଙ୍କ ରାଜ୍ୟରେ ଥିବା ସମସ୍ତ ଗୁପ୍ତଚରଙ୍କୁ ଅମ୍ରିତା କୁମାରୀର ସଂଧାନ ନେବାକୁ ନିଯୁକ୍ତି କଲେ । ନୂଆ କରି ରାଜା ହୋଇଥିବା ସୌରଭ କୁମାରଙ୍କ ଆଦେଶରେ ଗୁପ୍ତଚର ମାନେ ନିୟତରେ ଗୁପ୍ତଚର କାମ କରିବାରୁ ସେମାନେ ରାଣୀ ଅମ୍ରିତା କାଶ୍ମୀର୍ ଠାରେ ରହୁ ଥିବାର ସମ୍ବାଦ ଆଣି ରାଜା ସୌରଭ କୁମାରଙ୍କ ପାଖରେ ପହଁଚାଇଲେ । ଅମ୍ରିତା ଦୁଇ ଚାରି ଦିନ ଏଠାରେ ରହିବାରୁ ସେ ତା ମନ ମଧ୍ୟରେ ପୁଣି ମାୟା ରଚିଲା । ସେ ତା’ର ପୂର୍ବ ପରିଚୟ ନଦେଇ କହିଲା ମୁଁ ଅମ୍ରିତା ବୋଲି ଯାହା କହୁଛି ମୁଁ ତାହା ନୁହେଁ । ମୁଁ କାଶ୍ମୀର୍ ରାଜ୍ୟର କନ୍ୟା । ସେ ଆଜି ଯାଏଁ ଅବିବାହିତ ରହି ଆନନ୍ଦରେ ରହି ସମୟ ଅତିବାହିତ କରୁଛି ।

ଅମ୍ରିତା କେତେ ଗୁଡାଏ ଡାହା ମିଥ୍ୟା କଥା ମାନ କହୁଛି ଏଥିରେ ରାଜାଙ୍କର ରାଗ ପାଦ ଠାରୁ ଯାଇ ମଥାରେ ରହିଲା । ସେ କ୍ରୋଧିତ ହୋଇ ସଦାଶିବଙ୍କ ଠାରୁ ପ୍ରାପ୍ତ ହୋଇଥିବା ମନ୍ତ୍ରକୁ ପ୍ରୟୋଗ କଲେ । ଏପରି କନ୍ୟା ସଂସାରରେ ରହିଲେ ବହୁ ଲୋକଙ୍କର ବହୁ ବିନାଶର କାରଣ ହେବ । ତେଣୁ ତାକୁ ପାଷାଣ କରି ଦେବା ଦରକାର । ସଦାଶିବଙ୍କ ମନ୍ତ୍ରରେ ଅମ୍ରିତା ପାଷାଣ ହୋଇ ଗଲା । ସେହି ପାଷାଣୀର ମୂର୍ତ୍ତି ଯେଉଁଠାରେ ରହିଲା ରାଜା ସେହି ଗଙ୍ଗା କୂଳରେ ଗୋଟିଏ ଚଉତରା ନିର୍ମାଣ କରି ଲେଖି ଦେଲେ – ସଂସାରରେ ଆଉ ନାରୀ ମାନଙ୍କୁ ବିଶ୍ୱାସ କରିବାକୁ ହେବ ନାହିଁ । କାରଣ ଏହି ଅବିଶ୍ୱାସିନୀ ନାରୀ ପାଇଁ ସେହି ରାଜା ଦିନେ ଲକ୍ଷ୍ମୀ ଛଡା ହୋଇ ଥିଲେ ।

Odia Galpa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleସୁନ୍ଦରୀ ଗଣିକା/Sundari Ganika
Next Article ପାଷାଣ ବୋହୂ/Pashana Bohu
suchitra

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.