• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ରେବତୀ/Rebati
ଗଳ୍ପ

ରେବତୀ/Rebati

suchitraBy suchitraFebruary 2, 2022No Comments18 Mins Read
Facebook Twitter Pinterest Reddit LinkedIn Tumblr Email
Rebati
Rebati
Share
Facebook Twitter Pinterest Reddit Email

‘ଲୋ ରେବତୀ – ଲୋ ରେବି – ଲୋ ନିଆଁ, ଲୋ ଚୁଲି’

କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ତା’ର ପାଟପୁର । ଆଉ ସେ ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର । ଅଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚିରି ଚାଳିଆରେ ଢେଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡିଦୁଆର । ଦାଣ୍ଡଦୁଆର ମେଲାଘରେ ଦାଣ୍ଡଲୋକେ ବସାଉଠା କରନ୍ତି, ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ହିଁ ବସନ୍ତି । ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ସେ ଗ୍ରାମର କରଣ, ମାସକୁ ଦରମା ତାଙ୍କର ଦୁଇଟଙ୍କା ମାତ୍ର, ଦରମା ଛାଡି ପାଉତି ବିଶୋଧନୀ, ବାହାଲହଣା ଇତ୍ୟାଦିରୁ ଦୁଇପଇସା ତାଙ୍କ ହାତପୈଠ ହୁଏ । ସବୁ ମିଶାଇଲେ ମାସକୁ ଚାରିଟଙ୍କାରୁ ମୋଟେ ଊଣା ହେବ ନାହିଁ ତାଙ୍କର, ଏହିପରିଭାବେ ତାଙ୍କ ସଂସାର ଏକରକମ ଚଳେ । ଏକରକମ କିଆଁ? ବୋଇଲେ ବେଶ୍ ଭଲରେ ଚଳେ । ଏଇଟା ହେଲା ନାହିଁ, ସେଇଟା ଘରେ ନାହିଁ, ଏପରି କଥା ସେ ଘରର କାହାରି ମୁହଁରୁ କେବେବି ଶୁଣାଯାଏ ନାହିଁ । ବାଡିରେ ଶାଗମୁଗ ଛାଡି ସଜନା ଦୁଇଗଛ । ଘରେ ଲଗାପଡିଅ ବରଷ ବିଆଣୀ ଗାଈ ଦୁଇଟା ବନ୍ଧା; ତେଣୁ ଦୁଧ ଟିକିଏ, ଚହ୍ଲା ମନ୍ଦାଏ ହାଣ୍ଡିତଳେ ସଦା ସର୍ବଦା ଲାଗିଥାଏ । ବୁଢୀ ଚଷୁ ମିଶାଇ ଘଷି ପାରିଦିଏ, ତେଣୁ ସେମାନଙ୍କୁ କାଠ କିଣା ଆଦୌ ବାଧେ ନାହିଁ । ଜମିଦାର ସାଢେ ତିନିମାଣ ଜମି ତାଙ୍କୁ ଚଷିବାକୁ ଦେଇଛନ୍ତି; ଧାନ ବଳେ ନାହିଁ କି କମେ ନାହିଁ ।

ଶ୍ୟାମବନ୍ଧୁଟି ତ ବଡ ସିଧାସଳଖ ଲୋକ, ତେଣୁ ପ୍ରଜାମାନେ ତାଙ୍କୁ ବେଶ୍ ମାନନ୍ତି, ସୁଖ ବି ପା’ନ୍ତି । ଶ୍ୟାମବନ୍ଧୁ ବାପରେ ଧନରେ କହି ଦୁଆର ଦୁଆର ବୁଲି ଖଜଣା ଅସୁଲ କରେ, କାହାରିଠାରୁ ଅନ୍ୟାୟରେ ପଇସାଟିଏ ବି ସେ ନିଏ ନାହିଁ । ପ୍ରଜାମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ; କାହିଁକିନା ସେ ଶ୍ୟାମବନ୍ଧୁ ଚାରିଆଙ୍ଗୁଳି ଡାଳପତ୍ରରେ ଖଣ୍ଡେ ପାଉତି ଲେଖି ବଳେ ବଳେ ଚାଳରେ ଗୁଞ୍ଜି ଦେଇଯାଏ । ଜମିଦାର ପିଆଦା ଆସିଲେ ଗାଁକୁ ତାକୁ ଛାଡେ ନାହିଁ, ବରଂ ଆପେ ହାତ ଓଠ ଧରି ଧୂଆଁଖିଆ ଦୁଇ ପଇସା ଅଂଟାରେ ଗୁଞ୍ଜି ଦେଇ ତାକୁ ବିଦା କରେ । ଶ୍ୟାମବନ୍ଧୁଙ୍କ ଘରେ ଖାଇବାକୁ କୁଟୁମ୍ବ ଚାରିଜଣ, ଆପେ ଦୁଇ ପରାଣୀ, ମା ବୁଢୀ, ଦଶ ବରଷର ଗୋଟିଏ ଝିଅ । ସେହି ଝିଅଟିର ନାମ ରେବତୀ । ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି ‘କୃପାସିନ୍ଧୁ ବଦନ’ ଗାଏ, ଆଉ ଆଉ ଭଜନ ଗାଏ, କେବେ କେବେ କାଠ ଦୀପରୁଖାଟି ଉପରେ ବଇଠାଟିଏ ଥୋଇ ଭାଗବତ ପଢେ, ସେତେବେଳେ ରେବତୀ ପାଖରେ ବସି ସେସବୁ ଶୁଣୁଥାଏ । ଏହିପରି ଭାବେ ସେ ମୁହେଁ ମୁହେଁ ଢେର୍ ଭଜନ ଶିଖିଗଲାଣି, ତାଛଡା ତା’ ପିଲା ମୁହଁକୁ ଭଜନଗୁଡିକ ବି ଖୁବ୍ ମାନେ । ସଞ୍ଜବେଳେ ବାପା ପାଖରେ ବସି ଭଜନ ଗାଇଲେ ଗାଁର କୌଣସି କୌଣସି ଲୋକ ଆସି ଶୁଣନ୍ତି । ରେବତୀ ତ ତା’ ବାପା ପାଖରୁ ଗୋଟିଏ ଭଜନ ଶିଖିଥିଲା, ସେଇଟି ଗାଇଲେ ଶ୍ୟାମବନ୍ଧୁ ବଡ ଖୁସି ହୁଏ । ତେଣୁ ପ୍ରତିଦିନ ବାପ ତା’ ଝିଅକୁ ଗାଇବାକୁ କହେ, ରେବତୀ ଗାଏ –

“କା’ ଆଗେ କରିବି ଗୁହାରି?

ତୁମେ ନ ଚାହିଁଲେ ନାଥ ଗରିବ ଯିବ ସରି ।

କର ବା ନ କର ତ୍ରାଣ ପଦେ ସମର୍ପିଛି ପ୍ରାଣ

ହୃଦେ ଅଛି ତମ ନାମ ଧରି ।

ତୁମ୍ଭ ବିନା ତ୍ରିଜଗତ ଶୂନ୍ୟ ହେ ହରି ।

ଶୀତଳ କର ଜୀବନ ପ୍ରେମାମୃତ ଦାନ କରି ।”

ଦୁଇ ବରଷ ତଳେ ସ୍କୁଲ୍ ଡେପୁଟି ଇନ୍ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ । ଗ୍ରାମର ମୁଖିଆ ମୁଖିଆ ଚାରିପାଂଚଜଣ ଲୋକ କୁହାପୋଛା କରିବାରୁ ଦିପୋଟିବାବୁ ଓଡିଶା ବିଭାଗର ଇନ୍ସପେକ୍ଟରଙ୍କଠାକୁ ରିପୋର୍ଟ କରି ଗୋଟିଏ ଅପର ପ୍ରାଇମେରୀ ସ୍କୁଲ୍ ସେହି ଗ୍ରାମରେ ବସାଇ ଦେଇଅଛନ୍ତି । ଶିକ୍ଷକ ବେତନ ମାସକୁ ଚାରି ଟଙ୍କା । ଏହି ଚାରି ଟଙ୍କା ସରକାରଙ୍କଠୁ ମିଳେ । ଏହାଛଡା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି । ଶିକ୍ଷକଟି କଟକ ନର୍ମାଲ ସ୍କୁଲର ଅବଧାନ ବିଭାଗର ଉତୀର୍ଣ୍ଣ ଛାତ୍ର, ନାମ ତାଙ୍କର ବାସୁଦେବ । ନାମଟି ଯେପରି ବାସୁଦେବ, ସେ ଲୋକଟା ମଧ୍ୟ ଠିକ୍ ସେହିପରି ବାସୁଦେବ । ସେ ଟୋକାଟାର ଭିତର ବାହାର ସବୁ ସୁନ୍ଦର । ଗାଁ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାରିକୁ ବି ସେ ଆଦୌ ଚାହେଁ ନାହିଁ । ବୟସ ଅନ୍ଦାଜ କୋଡିଏ । ସୁନ୍ଦର ରୂପ, ଯେମନ୍ତ ଗୋଟିଏ ଚାଉଳରେ ଗଢା ସେ । ପିଲାଦିନେ ତାକୁ ପିହୁଳା ରୋଗ ହୋଇଥିଲା ନା କ’ଣ । ତେଣୁ ତା’ ମା ତା ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନ ଦେଇଥିଲା । ସେ ଚିହ୍ନ ଆଜିଯାଏଁ ବି ଅଛି । ବରଂ ସେ ଚିହ୍ନ ତାକୁ ଭାରି ମାନେ । ବାସୁଦେବ ପିଲାକାଳରୁ ମା’ ବାପଛେଉଣ୍ଡ, ତେଣୁ ସେ ତା’ମାମୁଘରେ ରହି ମଣିଷ ହୋଇଛି । ବାସୁଦେବ ଜାତିରେ କରଣ, ଶ୍ୟାମବନ୍ଧୁ ମଧ୍ୟ କରଣ । କେବେ ପୁନେଇଁ ଗୁରୁବାରରେ ଘରେ ପିଠାଟା ପଣାଟା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ କହିଆସେ, “ବାପା ବାସୁ! ସଞ୍ଜବେଳେ ଟିକେ ଆମ ଘରକୁ ଯିବ, ତୁମ ମାଉସୀ ଡାକିଅଛନ୍ତି ।”

ଏହିପରି ଯିବାଆସିବାରେ ସେମାନଙ୍କ ମଧ୍ୟରେ ଗୋଟାଏ ମାୟା ଲାଗିଗଲାଣି । ରେବତୀମା’ ବାସୁକୁ ଦେଖିଲେ କହେ, “ଆହା, ମା ଛେଉଣ୍ଡଟି କ’ଣ ଖାଏ, କିଏ ତା’ ଖାଇବା ଦେଖୁଛି ।”ବାସୁ ପ୍ରତିଦିନ ସଞ୍ଜବେଳେ ଯାଇ ଶ୍ୟାମବନ୍ଧୁ ପାଖରେ ଘଡିଏ ଅଧେ ବସି ଆସେ । ବାସୁକୁ ଦୂରରୁ ଦେଖିଲେ “ବାସୁଭାଇ ଅଇଲେ, ବାସୁଭାଇ ଅଇଲେ”ବୋଲି ରେବତୀ ପାଟି କରି ତା’ ବାପକୁ କହେ । ରେବତୀ ସଞ୍ଜବେଳେ ତା’ ବାପ ପାଖରେ ବସି ପ୍ରତିଦିନ ପଠିତ ପୁରୁଣା ଭଜନଗୁଡିକ ବାସୁକୁ ଶୁଣାଏ । ବାସୁକୁ ସେହି ସବୁ ଗୀତ ନୂଆ ନୂଆ ପରି ଲାଗେ । ଦିନେ ଏକଥା ସେକଥା ପଡୁ ପଡୁ ଶ୍ୟାମବନ୍ଧୁ ଶୁଣିଲେ, କଟକରେ ଗୋଟିଏ ଝିଅ ସ୍କୁଲ୍ ଅଛି, ଯେଉଁଠାରେ କି କେବଳ ଝିଅମାନେ ହିଁ ପଢନ୍ତି, ଲୁଗାସିଆଁ ବି ଶିଖନ୍ତି । ସେହିଦିନଠାରୁ ରେବତୀକୁ ପାଠ ପଢାଇବାକୁ ଶ୍ୟାମବନ୍ଧୁଙ୍କର ମନ ହେଲା ଏବଂ ଆପଣା ମନର କଥା ବାସୁଦେବକୁ ସେ କହିଲେ । ବାସୁ ବି ଶ୍ୟାମବନ୍ଧୁଙ୍କୁ ପିତୃତୁଲ୍ୟ ମାନେ; ତେଣୁ ସେ କହିଲା, “ଆଜ୍ଞା, ମୁଁ ବି ସେହି କଥାଟା କହିବି କହିବି ବୋଲି ହେଉଥିଲି ।”ତା’ପରେ ସେ ଦୁଇଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢାଇବାର ସ୍ଥିର ହେଲା । ରେବତୀ ତ ସେତେବେଳେ ପାଖରେ ବସି ଏସବୁ ଶୁଣୁଥିଲା, ତେଣୁ ସେ ଦୁଇ ଚିଲାରେ ଘର ଭିତରକୁ ଯାଇ ମା’କୁ ଆଉ ଜେଜୀମାକୁ ଖବର ଦେଲା ଯେ, “ମୁଁ ପାଠ ପଢିବି, ମୁଁ ପାଠ ପଢିବି”। ଏକଥା ଶୁଣି ମା’ କହିଲେ, “ହଉ ହଉ ପଢିବୁ ।”କିନ୍ତୁ ଜେଜୀମା କହିଲେ, “ପାଠ କ’ଣ ଲୋ! ମାଇକିନିଆ ଝିଅଟା ପାଠ କ’ଣ? ରନ୍ଧାବଢା ଶିଖ, ପିଠାପଣା କରିବାକୁ ଶିଖ, ଝୋଟିଦିଆ ଶିଖ, ଦହିମୁହାଁ ଶିଖ, ପାଠ କ’ଣ?”

ରାତିରେ ଶ୍ୟାମବନ୍ଧୁ ପିଣ୍ଡାରେ ଖଣ୍ଡେ ଆମ୍ବକାଠ ପିଢା ଉପରେ ବସି ଭାତ ଖାଉଅଛନ୍ତି, ରେବତୀ ମଧ୍ୟ ତାଙ୍କ ସାଙ୍ଗରେ ବସି ଖାଉଅଛି । ବୁଢୀ ଆଗରେ ବସି ଭାତପୁଞ୍ଜାଏ ଆଣ, ଡାଲିପାଣି ଟିକିଏ ପକେଇ ଯା, ଲୁଣ ଟିକିଏ ଦେ’ ଇତ୍ୟାଦି କଥା ବୋହୂ ପ୍ରତି ଆଦେଶ କରୁଛନ୍ତି । କଥାରେ କଥାରେ ବୁଢୀ କହି ବସିଲେ, “ହଁ ରେ ଶ୍ୟାମ! ରେବୀ ପାଠ ପଢିବ – ପାଠ କଣରେ, ତିରିଲାଝିଅର ପାଠପଢା ଗୋଟେ କ’ଣ?”ଏପରି କଥା ଶୁଣି ଶ୍ୟାମବନ୍ଧୁ କହିଲେ, “ହେଉ, କହୁଛି ତ ପଢୁ । ଝଙ୍କଡ ପଟ୍ଟନାୟକ ଘର ଝିଅମାନେ ଯେ ଭାଗବତ ବୋଲିପାରନ୍ତି, ବୈଦେହୀଶ ବିଳାସ ଛାନ୍ଦ ବି ଗାଆନ୍ତି ।”ସବୁ ଶୁଣି ରେବତୀ ଭାରି ଖପା ହୋଇଯାଇ ଜେଜୀମାକୁ ଗାଳି ଦେଇ କହିଲା, “ଯା ଲୋ ବୁଢୀ ଡୁଗୁରୀଟା ।”ତାହା ବାଦ୍ ଅଳି କରି ସେ ରେବତୀ ତା’ ବାପାକୁ କହିଲା, “ନାଁ ବାଁପା, “ନାଁ ବାଁପା, ମୁଁ ପାଁଠଁ ପଁଢିଁବିଁ ।”ଝିଅର କଥା ଶୁଣି ଶ୍ୟାମବନ୍ଧୁ କହିଲେ, “ହଁ – ହଁ – ତୁ ନିଶ୍ଚୟ ପଢିବୁ ।”ସେଦିନ କଥା ଏତିକି ।

ତହିଁ ଆରଦିନ ଉପରଓଳି ବାସୁଦେବ ସୀତାନାଥବାବୁଙ୍କ ପ୍ରଥମପାଠ ଖଣ୍ଡିଏ ନେଇ ରେବତୀକୁ ଦେବାରୁ ସେ ବଡ ଖୁସି ହୋଇ ବାପା ପାଖରେ ବସି କିତାବର ମୂଳ ପୁଡାଠାରୁ ଶେଷପୁଡାଯାଏଁ ଓଲଟାଇ ଓଲଟାଇ ଦେଖିଲା । ସେଥିରେ ହାତୀ, ଘୋଡା, ଗୋରୁ ଇତ୍ୟାଦିର ଛବି ଦେଖି ସେ ଭାରି ଖୁସି ହୋଇଗଲା । ରଜାମାନେ ହାତୀ, ଘୋଡା ବାନ୍ଧି ଖୁସି ହୁଅନ୍ତି, କେହି ହାତୀ, ଘୋଡା ଚଢି ଖୁସି ହୁଏ, ମାତ୍ର ଆମ୍ଭ ରେବୀ କେବଳ ଛବିଟା ଦେଖି ଏତେ ଖୁସି । ରେବୀ ଧାଇଁଯାଇ ମା’କୁ ସେ କିତାବର ଛବି ସବୁ ଦେଖେଇଲା; ତାହା ବାଦ୍ ଜେଜୀମାକୁ ଦେଖେଇଲା । ଜେଜୀମା କିଂଚିତ ବିରକ୍ତ ହୋଇ କହିଲା, “ହଁ ଯା ଯା ।”ତା’ପରେ ରେବୀ ତାହାକୁ ‘ଦୂର ଦୂର’ ଗାଳି ଦେଇ ସେଠାରୁ ଫେରି ଆସିଲା ।

ଆଜି ଦିନଟି ଭଲ – ଶ୍ରୀପଂଚମୀ । ରେବତୀ ସକାଳୁ ବୁଡ ପାରି ଗାଧୋଇ ନୂଆ ଲୁଗା ଖଣ୍ଡିଏ ପିନ୍ଧି ଘର ବାହାର ହେଉଅଛି; ବାସୁଭାଇ ଆସିଲେ କିତାବ ପଢାଇ ଦେବ । ଏଣେ ସେ ବୁଢୀ ଭୟରେ ବିଦ୍ୟାରମ୍ଭର ଆୟୋଜନ କିଛି ବି ହୋଇ ନାହିଁ । ବେଳ ଛ’ ଘଡି ସମୟରେ ବାସୁ ଯାଇ ପଢାଇଦେଲା, ସ୍ୱରେ-ଅ, ସ୍ୱରେ- ଆ, ହ୍ରସ୍ୱ–ଇ, ଦୀର୍ଘ–ଈ, ହ୍ରସ୍ୱ–ଉ, ଦୀର୍ଘ–ଊ; ଇତ୍ୟାଦି । ଏହିପରି ଭାବେ ପ୍ରତିଦିନ ପଢା ଚାଲିଲା, ପ୍ରତିଦିନ ସଞ୍ଜବେଳେ ବାସୁ ଯାଇ ପଢେଇ ଦିଏ । ଦୁଇ ବରଷ ମଧ୍ୟରେ ରେବତୀ ଢେର୍ ପଢିଗଲାଣି । ମଧୁରାଓଙ୍କ ଛାନ୍ଦମାଳା ପଢିଯିବାବେଳେ ତା (ରେବତୀ) ତୁଣ୍ଡରେ ଆଦୌ ବାଟୁଳି ବାଜେ ନାହିଁ ।

ଦିନେ ରାତିରେ ଶ୍ୟାମବନ୍ଧୁ ବସି ଭାତ ଖାଇବା ବେଳେ ମା’ପୁଅ ଦୁଇଜଣ କଥାବାର୍ତ୍ତା ହେଲେ । ପୂର୍ବେ ବୋଧକରୁଁ କିଛି କଥା ହୋଇଥିଲା, ଆଜି ସେହି କଥାର ଉପସଂହାର ମାତ୍ର ।

ଶ୍ୟାମବନ୍ଧୁ – କି ମା, ଭଲ ହେବ ନାହିଁ କି?

ବୁଢୀ – ହଁ, ଭଲ ତ ହେବ; ଜାତି କଥାଟା ବୁଝିଛୁ ନା?

ଶ୍ୟାମବନ୍ଧୁ – ମୁଁ ଆଜିଯାଏଁ ଆଉ କ’ଣ ବୁଝୁଥିଲି? ଭଲ କରଣ, ଗରିବ ପୁଅ, ହେଲେ କ’ଣ ହେବ, ଜାତି ଭଲ ।

ବୁଢୀ – “ଧନ ଦଉଲତ ନାହିଁ ବିଚାର,

ଜାତି କଥାଟା ଆଗେ ପଚାର ।”

ଘରେ ରହିବ ତ?

ଶ୍ୟାମବନ୍ଧୁ – ଘରେ ନ ରହି ଯିବ ଆଉ କୁଆଡେ? ହଜାର ହେଲେ ମାମୁ ମାଈଁ ନା, ଆଉ କ’ଣ?

ସେତେବେଳେ ରେବତୀ ତ ପାଖରେ ବସି ଭାତ ଖାଉଥିଲା, ଏହି କଥାର ମର୍ମ ସେ କ’ଣ ବୁଝିଲା ସେ ଜାଣେ; ମାତ୍ର ସେହିଦିନଠାରୁ ତାହାର ଭାବଭଙ୍ଗୀ ଅନ୍ୟରକମ ଦେଖୁଅଛୁ । ତାକୁ ବାପା ଆଗରେ ବାସୁଭାଇ ପଢାଇଦେଲେ କିପରି ଗୋଟାଏ ଲାଜ ମାଡେ; ଅକାରଣ ସକାରଣ ସବୁବେଳେ ହସ ମାଡେ; ମୁଣ୍ଡ ତଳକୁ ପୋତିଦେଇ ଦୁଇ ଓଠ ବୁଜି ନିଜ ହସ ସେ ଲୁଚାଏ । ଏଣିକି ବାସୁ ପଢାଇଦେଲେ ସେ ରେବତୀ କେତେବେଳେ ତୁନି ତୁନି ପଢେ, ପୁଣି କେତେବେଳେ ଖାଲି ହୁଁ ହୁଁ କରେ; ପଢା ସରିଲେ ପାଟି ବୁଜି ହସି ହସି ଆପଣା ଘରକୁ ପଳାଇଯାଏ । ପ୍ରତିଦିନ ସଞ୍ଜବେଳେ ଦାଣ୍ଡଦୁଆର କବାଟକୁ ଧରି କାହାକୁ ଗୋଟେ ଚାହିଁଥାଏ ସେ ରେବତୀ, ବାସୁ ଆସିଲେ ଘରକୁ ପଳାଏ, ପାଂଚ ଡାକରେ ବି ସେ ଘରୁ ବାହାରେ ନାହିଁ । ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢୀ ଭାରି ଖପା ହୁଏ ।

ଏମିତି ଏମିତି ଦେଖୁ ଦେଖୁ ପଂଚମୀକୁ ପଂଚମୀ ଦୁଇ ବରଷ ହୋଇଗଲାଣି । ବିଧାତାଙ୍କର ବିଧାନ କାହାର ଦିନ ସମାନଭାବରେ ଯିବ ନାହିଁ । ଫଗୁଣମାସିଆ ଦିନ, କାହିଁ କିଛି ନାହିଁ, ଅଚାନକ କାହୁଁ ବାଡି ଆସିଲା, ସକାଳେ ଗ୍ରାମରେ ଶୁଣାଗଲା, ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତିଙ୍କୁ ବାଡି ଧରିଛି । ସେତେବେଳେ ମଫସଲ ଗାଁରେ ବାଡି ପଡିଲେ ତାଟି କବାଟ ତ ପଡିଯାଏ । ବାଡି ବୁଢୀ ସତେ ପରା ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉଅଛି, ଏପରି ସମସ୍ତେ ମଣନ୍ତି । ଦୁଆରକୁ କାହାରି ବି ଆସିବାର ନାହିଁ । ଏବେ ଏ ମାଇକିନିଆ ଦୁଇଟା କ’ଣ ବା କରିବେ? ପିଲାଟା ଡାକ ପାଡି ଘର ବାହାର ହେଉଅଛି । ବାସୁଦେବ ଏକଥା ଶୁଣି ସ୍କୁଲ୍ ଛାଡି ଧାଇଁଲା । ତାର ତ କାହାରିକୁ ବି ଆଦୌ ଡର ନାହିଁ, ଭୟ ନାହିଁ, ଆପଣା ଶରୀର ପ୍ରତି ଭାବନା ବି ନାହିଁ, ଶ୍ୟାମବନ୍ଧୁ ପାଖରେ ବସି ଗୋଡରେ ହାତ ବୁଲାଉଥାଏ, ପାଣି ଟୋପାଏ ଟୋପାଏ ବି ମୁହଁରେ ଦେଉଥାଏ । ବେଳ ତିନି ପ୍ରହର ସମୟରେ ଶ୍ୟାମବନ୍ଧୁ ବାସୁ ମୁହଁକୁ ଚାହିଁ ଖନେଇଁ ଖନେଇଁ କହିଲା, “ବାଁ-ସୁଁ- ଏଁ-ବଁ ଆଁ-ଗିଁ-ଲା ।”ତା’ପରେ ସେ ବାସୁକୁ ଭୋ ଭୋ କରି ଡକା ପଡିଲା । ଏମିତିକି ସେ ଘରେ ଚହଳ ପଡିଗଲା । ଏଣେ ଏ ରେବତୀ ଖାଲି ଭୂଇଁରେ ପଡି ଗଡୁଥାଏ, ଗ୍ରାମର ଲୋକେ ଏସବୁ ଶୁଣି କହିଲେ, ହୋଇଗଲା ପରା । ଦେଖ-ଦେଖ-ଦେଖ, ସଞ୍ଜବେଳକୁ କିଛି ନାହିଁ । କ’ଣ କରିବେ – ଏ ବାସୁଟା ତ କାଲିକା ପିଲା, ଆଉ ଦୁଇଟା ଭୁଆସୁଣୀ । ଗ୍ରାମର ବନା ସେଠୀ ଧୋବା ଜଣେ ଜାଣିବା ଶୁଣିବା ଲୋକ, ତା’ ଦେହକରେ ପଚାଶ କି ଷାଠିଏ ପାର କଲାଣି । କାଲି ହେଲେ ଯିବାକୁ ହେବ, ଆଜି ହେଲେ ବି ତ ଯିବାକୁ ହେବ, ଲୁଗାପଟା ଦି’ଖଣ୍ଡ ମଧ୍ୟ ମିଳିବାର ଭରସା । ଗାମୁଛାଟାଏ ଅଂଟାରେ ଭିଡିଦେଇ କୁରାଢିଟାଏ କାନ୍ଧରେ ପକାଇ ସେ ଯାଇ ହାଜର ହୋଇଗଲା । ଗ୍ରାମରେ କରଣ ସେହି ଘରକ; ଶାଶୁ, ବୋହୂ, ବାସୁଦେବ ତିନି ଜଣ ଧରାଧରି କରି କର୍ମ ଚଳାଇଲେ । ସେ ସମୟର କଥାଗୁଡାକ ଲେଖିବାକୁ ଆମ୍ଭେମାନେ ନିତାନ୍ତ ଅକ୍ଷମ । ଶ୍ମଶାନରୁ ଫେରିଆସିଲା ବେଳକୁ କୁଆଁତାରା ଉଇଁଲାଣି । ଘରେ ପଶିବା ମାତ୍ରକେ ରେବତୀମା’ ପୋଖରୀପାଣି ଗଲା, ଦେଖ–ଦେଖ ଦିନ ଦ୍ୱିପ୍ରହର ବେଳେ ଗ୍ରାମରେ ହାଟ ହେଲା ରେବତୀମା’ ବି ଆଉ ଏ ଦୁନିଆରେ ନାହିଁ ।

ଦିନ ଚାଲିଯାଏ, କାହାରି ଲାଗି ତ ଆଉ ଦିନ ବସି ରହେ ନାହିଁ । କାହାର ପାଲିଙ୍କି ଉପରେ ପାଟଛତା, ତ ଆଉ କାହାରି ବେଡି ଉପରେ କୋରଡା । ଦିନ ଯାଉଛି ସମସ୍ତଙ୍କର, ଯିବ ବି ସମସ୍ତଙ୍କର । ଏଣେ ଦେଖୁଁ ଦେଖୁଁ ତିନିମାସ କାଟିଗଲାଣି । ଶ୍ୟାମବନ୍ଧୁ ଘରେ ଯେଉଁ ଦୁଇଗୋଟି ଗାଈ ଥିଲେ, ତହବିଲ ବାକୀ ଟଙ୍କା ସକାଶେ ଜମିଦାର ଘର ଲୋକେ ଆସି ସେ ଗାଈଦୁଇଟିକୁ ବାନ୍ଧି ଘେନିଗଲେ । ଆମ୍ଭେମାନେ ଜାଣୁ, ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବନିର୍ମାଲ୍ୟ ପରି ଜ୍ଞାନ କରେ, ଟଙ୍କାଟିଏ ଅସୁଲ ହେଲେ ଜମିଦାର କଚେରିରେ ପୈଠ ନ କରିବାଯାଏଁ ତାହାର ଆଖିରେ ନିଦ ଆଦୌ ନ ଥାଏ । ମାତ୍ର ତାହା ଅର୍ଥାତ୍ ସେ ଶ୍ୟାମବନ୍ଧୁ ଉପରେ ଟଙ୍କା ଥାଉ ବା ନ ଥାଉ ତା’ ଗାଈ ଦିଓଟି ବଡ ଦୁଧିଆଳୀ, ଏକଥା ବହୁ ପୂର୍ବରୁ ତ ଜମିଦାରଙ୍କୁ ଜଣାଥିଲା । ଏହା ଛଡା ଜମିଦାର ଚଷିବାକୁ ଯେଉଁ ତିନିମାଣ ଜମି ଶ୍ୟାମବନ୍ଧୁକୁ ଦେଇଥିଲେ ତାହା ବି ସେ ଛଡାଇ ନେଲେଣି । ଏପରି ପରିସ୍ଥିତିରେ ସେ ହଳିଆଟା ବା ଘରେ ଆଉ କିଆଁ ରହିବ? ଦୋଳପୂର୍ଣ୍ଣିମା ଦିନ ସେ ମଧ୍ୟ ଛାଡିଗଲା । ବଳଦ ଦୁଇଟା ସାଢେ ସତର ଟଙ୍କାରେ ବିକାଯାଇଥିଲା, ସେ ଦୁଇଜଣଙ୍କ କ୍ରିୟାରେ ସବୁ ଖରଚ ଯାଇ ଯାହା ବି କିଛି ବଳିଥିଲା, ସଟାବଟା କରି ମାସେ ଚଳିଲା । ଆଜି ଢାଳଟା କାଲି ପିତଳଟା, ସଟାବଟା ବନ୍ଧାଛନ୍ଦାରେ ଆଉ ମାସେ ଗଲା । ବାସୁ ଦୁଇ ଓଳି ଦୁଆରକୁ ଆସେ, ରାତି ଘଡିଏଯାଏଁ ଥାଏ, ଜେଜୀମା ନାତୁଣୀ ଶୋଇବାକୁ ଗଲେ ବାସୁ ବି ତା’ ବସାକୁ ଯାଏ । ବାସୁ କିଛି ଟଙ୍କାପଇସା ଦେଲେ ଜେଜୀମା ବା ନାତୁଣୀ କେହି କିଛି ବି ନିଅନ୍ତି ନାହିଁ । ବଳେଇ ବଳେଇ କିଛି ଦେଲେ ତାହା ଠଣାରେ ପଡିଥାଏ । ବାସୁ ଏସବୁ ଜାଣିପାରି ଆଉ କିଛି ବି ଦିଏ ନାହିଁ । ବୁଢୀ ପାଖରୁ ଗୋଟାଏ ଦୁଇଟା ପଇସା ନେଇ ସଉଦା କିଣିଦିଏ, ସେହି ଦୁଇ ପଇସାର ସଉଦାରେ ଆଠ ଦଶଦିନ ଚଳିଯାଏ । ତେଣେ ସେ ଘରର ଚାଳ ଉଡି ଗଲାଣି, ତେଣୁ ଛାଉଣି ଦରକାର । ବାସୁ ଦୁଇଟଙ୍କାର ନଡା କିଣି ବାଡିରେ ଗଦେଇ ଅଛି, ଶରଣ ହେବାରୁ ଛପରବନ୍ଦି ହୋଇପାରି ନାହିଁ । ବୁଢୀ ଏବେ ଆଉ ଦିନ ରାତି ବସି କାନ୍ଦେ ନାହିଁ । କେବଳ ସଞ୍ଜ ହେଲେ ବସି କାନ୍ଦେ । କାନ୍ଦି କାନ୍ଦି ତଳେ ପଡିଯାଏ, ସେହିଠାରେ ରାତି କାଟେ । ରେବତୀ ଧକେଇ ଧକେଇ ପାଖରେ ପଡିଯାଏ । ବୁଢୀ ଆଖିକି ଏବେ ଆଉ ଭଲ ଭାବେ ଦିଶୁ ନାହିଁ; ବାୟାଣୀ ପରି ସେ ହୋଇଗଲାଣି । ଏବେ କାନ୍ଦିବାର ଊଣା କରି ସେ ଖାଲି ରେବତୀକୁ ଗାଳିଦେବାକୁ ଆରମ୍ଭ କରିଛି । ଏତେ ଯେ ଦୁଃଖ, ଏତେ ଯେ ଦୁର୍ଦ୍ଦଶା ସବୁର ମୂଳ କାରଣ ରେବତୀ, ଏହା ସେ ମନ ମଧ୍ୟରେ ସ୍ଥିରସିଦ୍ଧାନ୍ତ କରିସାରିଲାଣି । ରେବତୀ ପାଠ ପଢିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡିଗଲା, ବଳଦ ବିକାଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା । ରେବତୀ କୁଲକ୍ଷଣୀ, ସେ କୁଢଙ୍ଗୀ, ସେ ଲକ୍ଷ୍ମୀହୁଡୀ । ବୁଢୀ ଆଖିକି ଯେ ଆଉ ମୋଟେ ଦିଶୁ ନାହିଁ, ତାହାର କାରଣ ରେବତୀର ପାଠପଢା । ବୁଢୀ ଏପରି ଗାଳିଦେବା ବେଳେ ରେବତୀ ଆଖିରୁ ଦୁଇଧାରା ବହିଯାଉଥାଏ, ଏମିତିକି ଡରରେ ବୁଢୀ ପାଖରେ ସେ ଆଉ ଛିଡା ହୋଇପାରେ ନାହିଁ । ବାଡିଦୁଆରେ ନୋହିଲେ ଘର କୋଣରେ ମୁହଁ ଘୋଡାଇ କାଠଟି ଧରି ସେ ବସିଥାଏ । ଏଠାରେ ବାସୁ ମଧ୍ୟ ଦୋଷୀ, କାରଣ ରେବତୀ ତ ଏତେଦିନଯାଏଁ ପଢୁ ନ ଥିଲା, ସେହି ଆସି ସିନା ପଢାଇଦେଲା । ମାତ୍ର ଏ ବୁଢୀ ବାସୁକୁ କିଛି ବି କହିପାରେ ନାହିଁ, ବାସୁ ନ ହେଲେ ତାଙ୍କ ଘର ଦଣ୍ଡେ ଅଚଳ, ପୁଣି ଜମିଦାର ଘର ଲଟ ଛିଡି ନାହିଁ । ଜମିଦାର ଘର ଲୋକ ଆସି ଆଜି ଏ ହିସାବଟା, କାଲି ସେ ହିସାବଟା ମାଗେ । ବାସୁ ନ ହେଲେ ପାଞ୍ଜିବିଡାରୁ ପଢି ପତର କାଢିଦେବ କିଏ? ତଥାପି ବାସୁ ନ ଥିଲାବେଳେ ସେ ସହଜ କଥାରେ କେବେ କେବେ ଆପଣା ମନ୍ତବ୍ୟ ପ୍ରକାଶ କରିଥାଏ । ରେବତୀ ଆଉ ଏଣିକି ପିଲା ନୁହେଁ । ତାହା ପାଟି ଆଉ କେହି ବି ଶୁଣି ନାହିଁ । ବାପ ମାଆ ଗଲାଦିନୁ ତାକୁ ସେ ଦାଣ୍ଡଦୁଆରେ ଆଉ କେହି କେବେ ବି ହେଲେ ଦେଖି ନାହିଁ । କେତେଦିନଯାଏଁ ଭୋ-ଭୋ କରି ଡକାପାଡୁଥିଲା, ଏବେ ଆଉ ପାଟି କରି ସେ କାନ୍ଦେ ନାହିଁ, ମାତ୍ର ଦିବାରାତ୍ର ଆଉ ଆଖିରୁ ପାଣି ଶୁଖିବାକୁ ନାହିଁ ତାର । ତାହାର କ୍ଷୁଦ୍ରପ୍ରାଣ – ତହିଁରୁ ଅତିକ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗିଯାଇଅଛି । ତା ପକ୍ଷରେ ବର୍ତ୍ତମାନ ଦିନରାତି ସବୁ ସମାନ । ସୂର୍ଯ୍ୟରେ ଆଲୁଅ ନାହିଁ, କି ରାତିରେ ଅନ୍ଧାର ନାହିଁ । ସମସ୍ତ ଜଗତଟା ଯେପରି ତା’ଲାଗି ଶୂନ୍ୟ । କେବଳ ପିତାମାତାଙ୍କ ମୂର୍ତ୍ତି ତା’ ହୃଦୟ ପୂର୍ଣ୍ଣ କରିଅଛି । ମା ଏହିଠାରେ ବସିଅଛନ୍ତି, ବାପା ଚାଲିଯାଉ ଅଛନ୍ତି, ତାହା ଆଖିରେ କେବଳ ଏହି ଦୁଇଟା ଦିଶୁଅଛି । ବାପମା’ ମରିଯାଇଛନ୍ତି, ଆଉ ସେମାନେ ଯେ କେବେବି ଆସିବେ ନାହିଁ, ଏକଥା ସେ ଆଦୌ ବିଶ୍ୱାସ କରିପାରୁ ନାହିଁ । ସେ ରେବତୀ ପେଟରେ ଭୋକ ନାହିଁ, କି ଆଖିରେ ନିଦ ବି ନାହିଁ । ଦିବାନିଶି ଅନୁକ୍ଷଣ ପିତାମାତା ଧ୍ୟାନ । ଖାଲି ଯାହା ଜେଜୀମା ଡରରେ ସେ ରେବତୀ ଖାଇବାକୁ ବସେ । ଭୂଇଁରୁ ପ୍ରାୟ ଉଠେ ନାହିଁ ସେ । ଦେହରେ ହାଡ ଚମ ମାତ୍ର ଦୁଇଖଣ୍ଡ ଅଛି ତାର । କେବଳ ବାସୁଦେବ ଘରକୁ ଆସିଲେ ହିଁ ସେ ଉଠି ବସେ, ବଡ ବଡ ଆଖି ଦୁଇଟାରେ ଜଳଜଳ କରି ବାସୁକୁ କେବଳ ସେ ଚାହିଁଥାଏ, ବାସୁ ଅନାଇଲେ ସାନ ନିଃଶ୍ୱାସଟାଏ ପକାଇ ସେ ମୁଣ୍ଡ ପୋତିଦିଏ । ବାସୁ ପାଖରେ ଥିବାଯାଏଁ ରେବତୀ କେବଳ ତାକୁ ହିଁ ଚାହିଁ ରହିଥାଏ । ସେତେବେଳେ ତା’ର ଆଉ କିଛି ବି ଜ୍ଞାନ ନ ଥାଏ- ଆଖିରେ ବାସୁଦେବ, ଚିନ୍ତା ବାସୁଦେବ, ଏମିତିକି ତା’ର ସମସ୍ତ ହୃଦୟଟା ବାସୁଦେବମୟ ।

ଶ୍ୟାମବନ୍ଧୁ ମରିବାର ଆଜିକୁ ହାତଗଣତିରେ ପାଂଚମାସ, ଜ୍ୟେଷ୍ଠମାସିଆ ଦିନ, ଠିକ୍ ଦିନ ଦ୍ୱିପ୍ରହର ବେଳେ ବାସୁ ଆସି ଦୁଆରେ ଡାକିଲା । ଏତେବେଳେ ସେ ବାସୁ ତ କାହିଁ କୌଣସି ଦିନ ବି ଆସେ ନାହିଁ । ବାସୁର ଡାକ ଶୁଣି ସେ ବୁଢୀ କୁନ୍ଥେଇ କୁନ୍ଥେଇ ଯାଇ ଦୁଆର ଫିଟାଇ ଦେଲା । ତହୁଁ ସେ ବାସୁ କହିଲା – “ଜେଜୀମା (ବି.ଦ୍ର. – ବାସୁ ବୁଢୀକୁ ଜେଜୀମା ବୋଲି ବରାବର ଡାକେ), ଦିପୋଟି ଇନ୍ସପେକ୍ଟର ହରିହରପୁର ଥାନାରେ ବସି ପାଠଶାଳା ପିଲାମାନଙ୍କୁ ପାଠ ପଚାରିବେ, ସବୁ ସ୍କୁଲର ପିଲାମାନେ ଯିବେ, ମୋ ପାଖକୁ ଚିଠି ଆସିଛି, ମୁଁ ପିଲାମାନଙ୍କୁ ନେଇ କାଲି ସକାଳେ ଯିବି, ଏଥିଲାଗି ପ୍ରାୟ ପାଂଚଦିନ ଲାଗିବ ।”ରେବତୀ ସେତେବେଳେ କବାଟ କଣରେ ଛିଡାହୋଇ ଏସବୁକଥା ଶୁଣୁଥିଲା, ଲଥ୍କରି ସେ ବସିପଡିଲା, ଭାଗ୍ୟେ କବାଟ ଧରିଥିଲା ନଚେତ୍ ବୋଧହୁଏ ପଡିଯାଇଥାନ୍ତା । ତେଣୁ ବାସୁ ପାଂଚଦିନ ସକାଶେ ଚାଉଳ, ଲୁଣ, ତେଲ, ବାଇଗଣ କିଣି ଆଣି ଅଗଣାରେ ଥୋଇଦେଇ ବୁଢୀକୁ ଜୁହାରଟାଏ ହୋଇ ଶନିବାର ମୁହଁସଞ୍ଜ ବେଳେ ବାହାରିଲା । ବୁଢୀ କହିଲା, ବାପା, ଖରାରେ ବେଶି ବୁଲିବୁ ନାହିଁ, ଦେହପାଆକୁ ଟିକେ ଚାହିଁବୁ, ବେଳରେ ଦି’ଟା ମୁହଁରେ ଦେବୁ । ଏହା କହି ଦୀର୍ଘ ନିଶ୍ୱାସଟାଏ ସେ ବୁଢୀ ପକାଇଲା । ରେବତୀ ଏକାଧ୍ୟାନରେ ବାସୁକୁ ଚାହିଁଥାଏ, ଆଜିକା ଚାହାଣି ଅନ୍ୟରକମ । ଆଗେ ବାସୁ ଚାହିଁଲେ ରେବତୀ ତା’ ମୁଣ୍ଡ ତଳକୁ ପୋତି ଦେଉଥିଲା, ମାତ୍ର ଆଜି ଆଉ ସେ ଭାବ ନାହିଁ, ତେଣୁ ରେବତୀ ଏକାଧ୍ୟାନରେ ବାସୁକୁ ଚାହିଁ ରହିଅଛି । ବାସୁର ମଧ୍ୟ ଆଜି ଆଉ ଆଗକା ଚାହାଣି ନୁହେଁ । ଆଗେ ବାସୁର ଯେମନ୍ତ ଖୁବ୍ ଇଚ୍ଛା – ରେବତୀକୁ ଭଲକରି ଦେଖିବ, କିନ୍ତୁ ଅନାଇପାରେ ନାହିଁ । ଆଜି ଚାରିଚକ୍ଷୁର ମିଳନ, ଆଖି ଫେରାଇବାକୁ କାହାରି ବି ଆୟତ ନାହିଁ । ବାସୁ ଚାଲିଗଲାଣି, ଆଉ ଦିନ ନାହିଁ, ଘର ବାହାର ଅନ୍ଧାର ପୂରିଗଲାଣି । ରେବତୀ ଯେପରି ଚାହିଁଥିଲା, ଠିକ୍ ସେହିପରି ଚାହିଁଅଛି । ବୁଢୀ ଡାକିବାରୁ ତାହାର ଚେତନା ହେଲା, ଘର ବାହାର ସମସ୍ତ ଅନ୍ଧକାରମୟ ।

ରେବତୀ ବସି ଦିନ ଗଣୁଛି, ଆଜି ଛ’ଦିନ । ବାପମା’ ଗଲାଦିନୁ ଦାଣ୍ଡଦୁଆର ଦେଖି ନ ଥିଲା, ଆଜି ସକାଳୁ ଦାଣ୍ଡଦୁଆର ଆଗରେ ସେ ଦୁଇଥର ମୁହଁମାରି ଗଲାଣି । ବେଳ ଅନ୍ଦାଜ ଛ’ଘଡି; ହରିହରପୁରରୁ ସ୍କୁଲ୍ ପିଲାମାନେ ଫେରି ଆସିବାମାତ୍ରେ ଲୋକେ ବୋଲାବୋଲି ହେଲେ – ହରିହରପୁରରୁ ଫେରି ଆସିବା ସମୟରେ ଗୋପାଳପୁରର ବରଗଛ ମୂଳରେ ପଣ୍ଡିତଙ୍କୁ ବାଡି ଧଇଲା, ତେଣୁ ତାଙ୍କର ଚାରିଥର ପୋଖରୀପାଣି ହେଲା, ଅଧରାତି ବେଳେ ସେ ଚାଲିଗଲେ । ଏହା ଶୁଣି ସେ ଗ୍ରାମ ଲୋକମାନେ ଖାଲି ହାୟ ହାୟ କଲେ । ପୁଅ ଝିଅ ମା’ ମାଇକିନିଆମାନେ ପାଟିକରି ବହେ କାନ୍ଦି ପକାଇଲେ । କେହି କହିଲା – ଆହା କି ରୂପରେ! ପୁଣି କେହି କହିଲା – କି ଧୀରରେ! ତ କେହି କହିଲା – ଦାଣ୍ଡରେ ଚାଲିଯାଉଥିବ ଯେ ମାଛିଟିକି ମର ବୋଲି ବି ସେ କେବେବି କହିବ ନାହିଁ ।

ରେବତୀ ଏହା ଶୁଣିଲା, ବୁଢୀ ବି ଶୁଣିଲା । ବୁଢୀ କାନ୍ଦି କାନ୍ଦି ତାହା କଣ୍ଠ ରୁନ୍ଧି ହୋଇଗଲା, ଶେଷରେ ସେ ଆଉ କାନ୍ଦିପାରିଲା ନାହିଁ, ପରିଶେଷରେ ଉଠି ସେ ବୁଢୀ କହିଲା – “ଆହା ବାପ, ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରାଇଲୁ ରେ ।”ଅର୍ଥାତ୍ ସେ ଦୁର୍ବୁଦ୍ଧି କରି ରେବତୀକୁ ପାଠ ପଢେଇବାରୁ ମରିଗଲା, ନଚେତ୍ ସେ କେବେବି ମରି ନ ଥାନ୍ତା । ଏପରି କଥା ଶୁଣିଲାବେଳୁ ରେବତୀ ଘରେ ଯାଇ ପଡିଛି – ସୋରଶବ୍ଦ ତା’ର କିଛିବି ନାହିଁ । ସେ ଦିନଟା ଗଲା, ତହିଁଆର ଦିନ ସକାଳେ ବୁଢୀ ରେବତୀକୁ ପାଖରେ ନ ଦେଖି ପାଟିକରି ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି!”ବୁଢୀ ତ ବାୟାଣୀ ପରି ହୋଇଗଲାଣି, କାନ୍ଦବୋବାଳି ନାହିଁ, କେବଳ ଯାହା ରାଗରେ ରେବତୀକୁ ଗାଳି । ପଡିଶା ଲୋକେ, ଦାଣ୍ଡଗଲା ଲୋକେ ଯେତେବେଳେ ଇଚ୍ଛା ସେତେବେଳେ ଶୁଣୁଅଛନ୍ତି, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି ।”ସେ ବୁଢୀ ଆଖିକି ତ ଆଉ କିଛିବି ଦିଶୁ ନାହିଁ, ଅଣ୍ଡାଳି ଅଣ୍ଡାଳି ଯାଇ ରେବତୀକୁ ପାଇଲା, ଡାକିଲା, ଜବାବ୍ ନ ପାଇ ତା’ ଦେହରେ ହାତ ବୁଲାଇ ଦେଖିଲା, ତାକୁ ଭାରି ଜ୍ୱର, ତା’ଦେହରୁ ନିଆଁ ବାହାରୁଅଛି, ତା’ଠେଇଁ ଜ୍ଞାନ ନାହିଁ । ତା’ପରେ ସେ ବୁଢୀ ଢେର୍ ବେଳଯାଏଁ ବସି କ’ଣ ପାଂଚିଲା । କ’ଣ କରିବ ଏବେ ସେ କାହାକୁ ବା ଡାକିବ, ମନ ମଧ୍ୟରେ ଜଗତ୍ ସଂସାର ଖୋଜିଲା, ହେଲେ ପାଖରେ ସେ କାହାକୁ ବି ଦେଖିଲା ନାହିଁ । କିଛି ସ୍ଥିର କରି ନ ପାରି ଖପା ହୋଇ କହିଲା, “ଯାହା ଆପଣାକିଆ, ତହିଁକି ଇଲାଜ କିଆ?”ଅର୍ଥାତ୍ ତୁ ପାଠ ପଢିବାରୁ ହିଁ ତୋତେ ଜ୍ୱର ହେଲା, ଏଥିରେ ମୁଁ କଣ କରିବି?

ଦିନେ ଗଲା, ଦୁଇଦିନ ଗଲା, ତିନିଦିନ ଗଲା, ଚାରିଦିନ ଗଲା, ପାଂଚଦିନ ମଧ୍ୟ ଗଲା, ଏଣେ ସେ ରେବତୀ ମାଟିରେ ଲାଗିଯାଇ ପଡିଅଛି, ଯମା ଆଖି ଫିଟାଉ ନାହିଁ, ତାକୁ ଯେତେ ଡାକିଲେ ବି ଉତ୍ତର ମିଳୁ ନାହିଁ, ଏମିତିକି ଉଁ-ଚୁଁ ହେବାକୁ ମଧ୍ୟ ନାହିଁ । ଆଜି ଛ’ଦିନ ରେବତୀ ସକାଳୁ ଦୁଇ ଚାରି ଥର ପାଟି କଲାଣି । ବୁଢୀ ତା’ ନାତୁଣୀର ପାଟି ଶୁଣି ତା’ପାଖକୁ ଗଲା, ଦେହରେ ହାତ ବୁଲାଇ ଦେଖିଲା, ଗୋଡ ହାତ ଶୀତଳ, ଡାକିଲେ ହୁଁ ହୁଁ ଜବାବ ଦେଲା, କଟମଟ କରି ମୁହଁକୁ ଚାହୁଁଅଛି, କିଛି ନ ପଚାରିଲେ ମଧ୍ୟ କେତେ କଥା ସେ କହିପକାଉଛି । କୌଣସି କବିରାଜ ଦେଖିଲେ ‘ତୃଷ୍ଣା ଦାହଃ ପ୍ରଳାପଶ୍ଚ’ ଇତ୍ୟାଦି ଶ୍ଳୋକ ପଢି କହନ୍ତେ, ‘ସନ୍ନିପାତସ୍ୟ ଲକ୍ଷଣଂ’ । ମାତ୍ର ବୁଢୀ କିଛି ମାତ୍ରାରେ ଖୁସି ହେଲା । ଦେହରେ ତାତି ନାହିଁ, କଥା କହୁ ନ ଥିଲା, ପାଟି ଫିଟାଇଲାଣି, ଚାହୁଁ ନ ଥିଲା, ଆଖି ଫିଟିଲାଣି, ପାଣି ବି ପିଇବାକୁ ମାଗିଲାଣି, ଛ’ଦିନ ହେଲା ଜିଭରେ ପାଣି ଟୋପାଏ ବି ବାଜି ନାହିଁ । ଚାରିଟା ପଥି ପେଟରେ ପଡିଲେ ଝିଅଟା ଉଠି ବସିବ । “ତୁ ଶୋଇଥା, ମୁଁ ଚାରିଟା ପଥି ରାନ୍ଧି ଆଣେ”ଏହା କହି ବୁଢୀ ବାହାରକୁ ବାହାରି ଆସିଲା । ପଥି ରାନ୍ଧିବ କଣ? ଘରେ ପାଛିଆ କୁଣ୍ଢେଇ ହାଣ୍ଡି ଆଟିକା ସବୁ ଖୋଜିଲା; ମୁଠାଏ ଚାଉଳ ନାହିଁ । ନିଃଶ୍ୱାସଟାଏ ପକାଇ ବସିଲା । ବାସୁ ପାଂଚ ଦିନକୁ ଚାଉଳ ଡାଲି କିଣି ଦେଇ ଯାଇଥିଲା, ସେଥିରେ ଦଶଦିନ କିଆଁ ଚଳିଗଲା; ବୁଢୀର ଦୃଷ୍ଟିଶକ୍ତି ଥିଲେ ସେ ଠିକ୍ ବୁଝିପାରିଥାନ୍ତା । କାହିଁକିନା କଥାରେ ଅଛି ବସି ବିଚାର କଲେ ବୁଦ୍ଧି ଦିଶେ । ଘରେ କଂସାବାସନ ଆଉ କିଛି ବି ନାହିଁ; ହାତରେ ଗୋଟାଏ କଣା ଢାଳ ପଡିଲା, ସେଇଟା ଧରି ହରି ସା ଦୋକାନକୁ ବୁଢୀ ବାହାରିଲା । ହରି ସା ଘର ଗ୍ରାମ ମଝିରେ, ତାହାର ରିତିମତ ଦୋକାନ ନାହିଁ; ଚାଉଳ ଡାଲି, ଲୁଣ ତେଲ ରଖିଥାଏ; କୌଣସି ଦିନ ବିଦେଶୀ ଲୋକ ପହଁଚିଗଲେ କିଣନ୍ତି – କେବେ ହେଲେ ଗ୍ରାମଲୋକଙ୍କର କିଛି ଦରକାର ହେଲେ କିଣନ୍ତି । ବୁଢୀ ସେ ଢାଳଟି ଧରି ହରି ସା ଦୁଆରେ ପହଁଚିଲା । ହରି ସା ବୁଢୀ ହାତରେ ଢାଳଟା ଦେଖି ଏହାର ଅର୍ଥଟା ବେଶ୍ ବୁଝିଗଲା । ବୁଢୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟା ହାତରେ ଧରି ତା’ ଚାରିପାଖ ଦେଖି କହିଲା, “ନାହିଁ ନାହିଁ, ମୋ ଘରେ ଚାଉଳ ନାହିଁ, ଆଉ ଏହି କଣା ଢାଳଟା ରଖି କିଏ ବା ଚାଉଳ ଦେବ ।”ସେତେବେଳେ ସେ ହରି ଘରେ ଯେ ଚାଉଳ ନ ଥିଲା ତା ନୁହେଁ, ଦେବାକୁ ମଧ୍ୟ ଇଚ୍ଛା, ତେବେ ଶସ୍ତାରେ ନେବାର କଥା । ଚାଉଳ ନ ଥିବାର ଶୁଣି ବୁଢୀ ମୁଣ୍ଡରେ ତ ବଜ୍ର ପଡିଲା । କଣ କରିବି, ଝିଅଟା ଜରରୁ ଉଠିଛି, ତା ମୁହଁରେ କ’ଣ ଦେବି? ଘଡିଏ ବସିଗଲା; ଏଣେ ବେଳ ବୁଡିଗଲାଣି; ହରିକୁ ଦୁଇଥର ଅନାଇଲା । ଯାଏଁ ଝିଅଟା କ’ଣ କରୁଛି ଦେଖେଁ । ଢାଳଟି ଧରି ଉଠୁଛି, ହରି କହିଲା, “ଦିଅ ଦିଅ, ଢାଳଟା ଦିଅ, ଦେଖେ ଘରେ କ’ଣ ଅଛି ।”ହରି ଢାଳଟା ରଖି ଚାରିମାଣ ଚାଉଳ, ଅଧମାଣ ଜାଇ କିଛି ଲୁଣ ଦେଲା । ବୁଢୀ ଚାରି ଛ’ ଜାଗା ବସି ଉଠି ଶେଷରେ ଯାଇ ଘରେ ପହଁଚିଲା । ଏ ପର୍ଯ୍ୟନ୍ତ ବୁଢୀ ଦାନ୍ତରେ ଦାନ୍ତକାଠି ବାଜି ନାହିଁ, ଦେହ ମନର କଷ୍ଟ କଥା କ’ଣ କହିବୁଁ? ଘରେ ପହଁଚି ରେବତୀକୁ ଡାକିଲା । ତାହାର ବିଶ୍ୱାସ, ରେବତୀ ଭଲ ହୋଇଗଲାଣି, ପାଣି କାଢିଦେବ, ସେ ଭାତ ରାନ୍ଧିବ । ରେବତୀ ଜବାବ୍ ନ ଦେବାରୁ ସେ ଭାରି ଖପା ହୋଇଯାଇ ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି ।”ମାତ୍ର ଜବାବ୍ ମୋଟେ ଆସିଲା ନାହିଁ ।

ଏଣେ ରେବତୀର ସନ୍ନିପାତ ରୋଗ କ୍ରମଶଃ ବଢୁଅଛି, ଭୟାନକ ଯନ୍ତ୍ରଣା: ଦେହ କ୍ରମଶଃ ଶୀତଳ ହେଉଛି, ଜିଭ ଶୁଖିଲାଣି, ଭୟଙ୍କର ପିପାସା, ଜିଭଟା ଯେମନ୍ତ ଭିତରକୁ ଚାଲିଯାଉଅଛି । ଥଣ୍ଡା ଜାଗାକୁ ଯିବାର ଇଚ୍ଛା, ଘରଯାକ ଗଡିଗଡି ବାହାରକୁ ଆସିଲା, ସୁଖ ଲାଗିଲା ନାହିଁ । ବାଡି ଦୁଆରକୁ ଯାଇ ସେ ପିଣ୍ଡାରେ ବସିଲା । ଦିନ ତ ଶେଷ ହୋଇ ଆସିଲାଣି । ଖୁବ୍ ପବନ ବହୁଅଛି, ତେଣୁ ସେ ବୁଢୀ ବାଡକୁ ଆଉଜି ବସିଲା । ତା’ପରେ ସେ ବାଡିଯାକ ଅନାଇଲା । ବାପା ଗଲା ବରଷ ଏହି କଦଳୀଗଛ ଲଗାଇଥିଲେ, ଭଣ୍ଡା ବାହାରିଲାଣି, ଦୁଇ ବରଷ ତଳେ ମା ଗୋଟିଏ ପିଜୁଳି ଗଛ ବାଡିରେ ରୋଇଥିଲେ, ରେବତୀ ଧାଇଁ ଧାଇଁ କୂଅରୁ ଢାଳେ ପାଣି ସେ ଗଛରେ ଦେଇଥିଲା, ସେ ଗଛ କେଡେଟିଏ ହେଲାଣି, ସେଥିରେ ଫୁଲ ବି ଧରିଲାଣି । ସେ ଗଛ ଦେଖି ମା ମନରେ ପଡିଲେ । ବୁଦ୍ଧି ସ୍ଥିର ନାହିଁ, ମନ ଚଂଚଳ, ଲଗାଲଗି କିଛି କଥା ମନରେ ପଡୁ ନାହିଁ, ମାତ୍ର ମାତାର ଆନନ୍ଦମୟୀ ମୂର୍ତ୍ତି ଆଉ ମନକୁ ସେ ଛାଡୁ ନାହିଁ । ସଞ୍ଜ ଗଡିଗଲାଣି, ଗଛ ମୂଳରୁ ଡାଳ ଉଢାଳରୁ ଅନ୍ଧକାରଗୁଡାକ ବାହାରି ବାଡି ପୂରିଗଲାଣି, ଆଉ କିଛି ବି ଦିଶୁ ନାହିଁ । ଆକାଶକୁ ଚାହିଁଲା, ପହରକିଆ ତାରାଟିରୁ ଧକଧକ ହୋଇ କିରଣ ବାହାରୁଅଛି । ଏକ ଧ୍ୟାନରେ ରେବତୀ ସେହି ତାରାକୁ ଚାହିଁଅଛି, ଆଖିରେ ତା’ର ଆଉ ପଲକ ପଡୁ ନାହିଁ । ତାରାର ଆକାର କ୍ରମଶଃ ବଢିଯାଇଛି, ଚକ୍ର ପରି ଆକାର ହୋଇଗଲାଣି, ଆହୁରି ବୃଦ୍ଧି, କ୍ରମଶଃ ବୃଦ୍ଧି, କ୍ରମଶଃ ଉଜ୍ଜ୍ୱଳ । ଆହା! ଏ କି ମୂର୍ତ୍ତି ତାରା ମଧ୍ୟରେ? ଶାନ୍ତିଦାୟିନୀ ପ୍ରେମମୟୀ ଆନନ୍ଦମୟୀ ମାତାଙ୍କର ଅଭୟା ମୂର୍ତ୍ତି ବସି ସ୍ନେହରେ କୋଳକୁ ନେବା ସକାଶେ ତାକୁ ଡାକୁଅଛନ୍ତି । ମା ଦୁଇଗୋଟି କିରଣ ହସ୍ତ ବଢାଇଦେଲେ । ସେହି କିରଣ ଦିଓଟି ଆସି ଦୁଇ ଚକ୍ଷୁ ସ୍ପର୍ଶ କରି ହୃଦୟରେ ପ୍ରବେଶ କଲା । ସେହି ଅନ୍ଧକାର ମଧ୍ୟରେ ଆଉ କୌଣସି ଶବ୍ଦ ନାହିଁ । କେବଳ ନିଃଶ୍ୱାସ ଶବ୍ଦ । ସେ ଶବ୍ଦ କ୍ରମଶଃ ପ୍ରବଳ; ଖୁବ୍ ଦୀର୍ଘଶ୍ୱାସ, ଶେଷରେ ମା-ମା’ ଦୁଇଥର ଅସ୍ପଷ୍ଟ ଶବ୍ଦ ଶୁଭିଲା । ବାଡି ନିସ୍ତବ୍ଧ, ନୀରବ ।

ଏଣେ ବୁଢୀ ଘୁଷୁରି ଘୁଷୁରି ଯାଇ ରେବତୀ ଶୋଇବା ଜାଗା ଦେଖିଲା, ସେଠାରେ କେହି ବି ନାହିଁ । ଘରଯାକ, ବାହାର ଅଗଣା, ଢେଙ୍କିତଳ ଢେଙ୍କିଲାଞ୍ଜି କାହିଁ ନାହିଁ । ମନେକଲା, ଜ୍ୱର ଭଲ ହୋଇଗଲାଣି, ବାଡିରେ ବୁଲୁଥିବ । ସେହି ଡାକ, ‘ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି ।’ ବାଡି ଦୁଆରକୁ ଗଲା, ଅଣ୍ଡାଳି ଅଣ୍ଡାଳି ପିଣ୍ଡାକୁ ଉଠିଲା । ପିଣ୍ଡାଟା ଭୂମିଠାରୁ ଦୁଇହାତ ଉଚ୍ଚ; ହାତେ ଚଉଡା ।

‘ମଲା ତୁ ଏଇଠୁ ବସିଛୁ?’ ଦେହରେ ହାତ ଦେଇ ବୁଢୀ ପ୍ରଥମେ ଚମକି ପଡିଲା, ଆଉ ଥରେ ଭଲକରି ଗୋଡଠାରୁ ମୁଣ୍ଡଯାଏଁ ହାତ ବୁଲାଇଲା; ନାକରେ ହାତ ଦେଇ ଗୋଟାଏ ଉତ୍କଟ ଶବ୍ଦ କଲା, ସଙ୍ଗେ ସଙ୍ଗେ ପିଣ୍ଡା ତଳେ ଦୁଲ୍ଦାଲ ଶବ୍ଦ!

ସେହିଦିନଠାରୁ ଶ୍ୟାମବନ୍ଧୁ ମହାନ୍ତି ଘରର କୌଣସି ପ୍ରାଣୀକୁ ଜଗତ୍ରେ ଆଉ କେହି କେବେବି ଦେଖିନାହାଁନ୍ତି । ପଡୋଶୀମାନେ ରାତି ପହରକ ସମୟରେ ଶେଷ ଶବ୍ଦ ଶୁଣିଥିଲେ –

‘ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି ।’

   ଗାଳ୍ପିକ – ଫକୀରମୋହନ ସେନାପତି
Odia Galpa Odia Short Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଜଳ ପରୀର କାହାଣୀ/Jala Parira Kahani
Next Article ପେଟେଂଟ ମେଡିସିନ୍/Patent medicine
suchitra

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.