• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ରୂପଧରଙ୍କ ଯାତ୍ରା
ଗଳ୍ପ

ରୂପଧରଙ୍କ ଯାତ୍ରା

Liza SBy Liza SJanuary 12, 2023No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Rupadharanka-jatrajpg
Odia-Story-Rupadharanka-jatrajpg
Share
Facebook Twitter Pinterest Reddit Email

(ପଦ୍ମମୁଖୀ ସ୍ଥିର କରିଥିଲେ ଓ ଘୋଷଣା ମଧ୍ୟ କରି ସାରିଥିଲେ ଯେ, ଯେଉଁ ଯୁବକ ତାଙ୍କୁ ବିବାହ କରିବାର ଲାଳସା ପୋଷଣ କରିଛନ୍ତି, ତାଙ୍କୁ, ତାଙ୍କ ପତିଙ୍କର ଧନୁରେ ତୀର ସଂଯୁକ୍ତ କରି, ତାଙ୍କ ପତିଙ୍କ ସଦୃଶ ବାରଟି କୁରାଢିର ଗର୍ତ୍ତ ମଧ୍ୟ ଦେଇ ଲକ୍ଷ୍ୟ ଭେଦ କରିବାକୁ ପଡିବ । ବୃଦ୍ଧ ଭିକାରୀ ରୂପ ଧାରଣ କରିଥିବା ନିଜ ପତିଙ୍କୁ ମଧ୍ୟ ସେ ଏହା ଜଣାଇ ଥିଲେ । କାରଣ ତାଙ୍କୁ, ତାଙ୍କର ଅସଲ ପରିଚୟ ଜଣା ନ ଥିଲା । ପର ଦିନ ଏହି କଥା, ତାଙ୍କ ଗୃହରେ ମଉଜ-ମସ୍ତିରେ ମାତିଥିବା ଦୁଷ୍ଟ ଯୁବକମାନଙ୍କୁ ଜଣାଇଲେ ଏବଂ ରୂପଧରଙ୍କ ଧର୍ନୁବାଣ ସେମାନଙ୍କ ସମ୍ମୁଖରେ ରଖିଲେ । ଏହାପରେ ପଢନ୍ତୁ ।)

ଜଣକ ପରେ ଜଣେ ଆସି ଧନୁରେ ଗୁଣ ଚଢେଇବାର ପ୍ରଚେଷ୍ଟାରେ ବିଫଳ ହୋଇ ଫେରୁଥାନ୍ତି । ଏହା ଦେଖି ଦୁର୍ବୁଦ୍ଧି ଜଣେ ଚାକରକୁ ଡାକି ଆଦେଶ ଦେଲା, ”ଆରେ, ଏ ଧନୁରେ ଚର୍ବି ଲଗେଇ, ନିଆଁରେ ସେକିଲୁ ।” ଯେତେବେଳେ ଏହି ଦୁଷ୍ଟମାନେ ଧନୁଟିକୁ ନେଇ ବ୍ୟସ୍ତ ରହିଥାନ୍ତି, ମେଷ-ରଖୁଆଳ ଓ ପଶୁପାଳକ, ଦୁଇଜଣ ଯାକ ବାହାରକୁ ଆସିଲେ । ରୂପଧର ମଧ୍ୟ ସେମାନଙ୍କ ପଛରେ ଆସିଲେ । ଦୁଇଜଣଙ୍କୁ ନିଜପାଖକୁ ଡାକି, ସେମାନଙ୍କୁ, ସେ ଧୀରସ୍ୱରରେ କହିଲେ, ”ମୁଁ ଯାହା କହିବାକୁ ଯାଉଛି ତାହା ଧ୍ୟାନର ସହିତ ଶୁଣ । ଯଦି ତୁମର ମାଲିକ ରୂପଧର ଏବେ ଆସି ଏଠାରେ ପହଁଚି ଯାଆନ୍ତି, ତେବେ ତୁମେ କ’ଣ କରିବ? ନିଜ ମାଲିକଙ୍କୁ ସମର୍ଥନ କରିବ କି ନାହିଁ? ନିଜ ମନକଥା ସ୍ପଷ୍ଟ ରୂପେ ପ୍ରକାଶ କର ।”

ସେ ଦୁହେଁ, ମାଲିକ ପାଇଁ, ନିଜର ପ୍ରାଣପାତ କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି କହି, ଶପଥ ନେଲେ । ତା’ପରେ ରୂପଧର ସେମାନଙ୍କୁ ନିଜର ପରିଚୟ ପ୍ରଦାନ କରି କହିଲେ, ”ମୁଁ ସ୍ୱୟଂ ରୂପଧର ଅଟେ । ମୋର ଫେରିବା ଖବରରେ ଖୁସିହେବା ଲୋକ ତୁମେ ଦୁଇଜଣ ମାତ୍ର । ଭଗବାନଙ୍କ କୃପାରୁ, ମୁଁ ଏହି ଶତ୍ରୁମାନଙ୍କୁ ବିନାଶ କରିପାରିଲେ, ତୁମ ଦୁଇଜଣଙ୍କୁ ଜମି, ଘର ଓ ଅଜସ୍ର ପୁରସ୍କାର ପ୍ରଦାନ କରିବି । ମୋ ପ୍ରତି ସନ୍ଦେହ ଆସୁଥିଲେ, ଏଇ ମୋ ଗୋଡରେ ଥିବା କ୍ଷତ ଚିହ୍ନକୁ ଦେଖ ।” ଏହା କହି ସେ ତାଙ୍କ ଗୋଡର ଦାଗ ସେମାନଙ୍କୁ ଦେଖାଇଲେ ।

ଦୁଇସେବକ ନିଜ ମାଲିକକୁ ଦେଖି ଅତି ଆନନ୍ଦରେ ବିଭୋର ହୋଇଗଲେ । ”ଏହା ହସ, ଲୁହର ସମୟ ନୁହେଁ । ମୁଁ ପ୍ରଥମେ ଭିତରକୁ ଯାଉଛି, ତୁମେ ଦୁହେଁ ଜଣଙ୍କ ପରେ ଜଣେ ଭିତରକୁ ଆସ । ମୁଁ ଏବେ ଧନୁଟି ମାଗିବି । ସେମାନେ କିନ୍ତୁ ମତେ ତାହା ଦେବେ ନାହିଁ । ମେଷ-ରଖୁଆଳ, ତୁମେ ମତେ ସେ ଧନୁଟି ଆଣିଦେବ । ତା’ପରେ ଘରର ସ୍ତ୍ରୀଲୋକମାନଙ୍କୁ ସତର୍କ କରି କହିବ, ଯେ ଯାହାର ବଖରାକୁ ଚାଲିଯାଇ କବାଟ ବନ୍ଦ କରିଦିଅନ୍ତୁ । ସୁଖପ୍ରାପ୍ତି, ତୁମକୁ ବାହାରକୁ ଯାଇ ସିଂହଦ୍ୱାର ବନ୍ଦ କରିବାପାଇଁ ପଡିବ ।”

ତା’ପରେ ତିନିଜଣ ଯାକ, ଜଣକ ପରେ ଜଣେ ଭିତରକୁ ଯାଇ ନିଜ ନିଜ ଆସନରେ ବସିପଡିଲେ । ସେହି ସମୟରେ ବିପୁଳଯୋଦ୍ଧା ଧନୁଟି ଧରି ନିଜର ବଳ-ପରାକ୍ରମ ପ୍ରକାଶ କରୁଥିଲା । ଧନୁରେ ଗୁଣ ଚଢାଇବା ତ ଦୂରର କଥା, ଏହାକୁ ବଙ୍କେଇବା ପାଇଁ ମଧ୍ୟ ତା’ର କ୍ଷମତା ନଥିଲା । ନିରାଶାରେ ସେ କହି ଉଠିଲା, ”ଆମେ ସବୁ କେଡେ ଅଭାଗା ସତେ! ବିବାହ କଥା କିଏ ପଚାରେ, ବିବାହ ପାଇଁ ଇଥାକାରେ ଢେର କନ୍ୟା ଅଛନ୍ତି । ହେଲେ ଦୁଃଖର କଥା ଏହା ଯେ, ରୂପଧରଙ୍କ ସମକକ୍ଷ ହେବାର ଯୋଗ୍ୟତା ଆମ ଭିତରେ କାହାରିବି ନାହିଁ ।”

ଦୁର୍ବୁଦ୍ଧି ତା’ କଥାକୁ ଟାଳିଦେଇ କହିଲା, ”ଅଧିକ ଭାବପ୍ରବଣ ହୁଅନାହିଁ । ଆଜି ଆମର ଏଇ ଧନୁ ସହିତ କିଛି ସମ୍ପର୍କ ନାହିଁ । ଆଜି ପର୍ବଦିନ । ଏହାକୁ ସ୍ପର୍ଶକରିବା ଠିକ୍ ନୁହେଁ । ଅନ୍ୟ କେଉଁଦିନ ଏହାର ଉପଯୋଗ କରିବା ।”ଏକଥା ସମସ୍ତଙ୍କ ମନକୁ ବେଶ୍ ପାଇଲା । ସମସ୍ତେ ଭୋଜନ କରି ସାରିବା ପରେ ରୂପଧର କହିଲେ, ”ହେ ମହାଶୟଗଣ! ଆଜି ଆପଣମାନଙ୍କର ଏହି ଧନୁ ସହିତ କିଛି ସମ୍ପର୍କ ନାହିଁ, କହୁଛନ୍ତି । ମତେ ଏହା ଦେଇ ପାରିବ କି? ମୁଁ ମଧ୍ୟ ପରଖି ନେବି, ମୁଁ ପ୍ରକୃତରେ କେତେ ବଳଶାଳୀ । ସତ କହିବାକୁ ଗଲେ, ମୋର ବଳ କେବେଠାରୁ କ୍ଷୀଣ ହୋଇ ଗଲାଣି ।”

ରୂପଧରଙ୍କ କଥା ଶୁଣି ସମସ୍ତେ କୋଳାହଳ କରି ଉଠିଲେ । ସେମାନଙ୍କ ମନରେ ଭୟ ସଂଚାର ହେଲା, କାଳେ ଏହି ବୁଢା ଧନୁରେ ଗୁଣ ଚଢେଇ, ଲକ୍ଷ୍ୟଭେଦରେ ସଫଳ ହୋଇଯିବ । ଦୁର୍ବୁଦ୍ଧି, ଅରାଜି ଭାବ ପ୍ରକାଶ କରି ବିରକ୍ତରେ କହିଲା, ”ନୀଚ, ତୋର କ’ଣ ମୁଣ୍ଡ ବିଗିଡି ଗଲାଣି ନା, ମଦନିଶା ଖୁବ୍ ବଢିଯାଇଛି । ଯଦି ବି, ତୁ ପ୍ରକୃତରେ ଏ ଧନୁତୀର ମାରିପାରୁ, ତେବେ କ’ଣ ଆମେ ତତେ ଜୀବନରେ ରଖିବୁ?”ସେମାନଙ୍କର ଏସବୁ କଥା ଶୁଣି ପଦ୍ମମୁଖୀ କ୍ରୋଧଭରା ସ୍ୱରରେ କହିଲେ ”ଦୁର୍ବୁଦ୍ଧି, ଏହି ବୃଦ୍ଧ ମୋ ପୁତ୍ରର ଅତିଥି । ତାଙ୍କୁ ଧନୁ ଦେବାପାଇଁ କାହିଁକି ମନା କରୁଛ? କ’ଣ ଏଥିପାଇଁ ଡରୁଛ ଯେ, ସେ ଲକ୍ଷ୍ୟ ଭେଦକରି ମୋତେ ବିବାହ କରିବେ?”

ବିପୁଳଯୋଦ୍ଧା ପଦ୍ମମୁଖୀଙ୍କୁ ବୁଝାଇଲେ ”ଆମର ଏପରି କିଛି ଭୟ ନାହିଁ, କିନ୍ତୁ ଯେଉଁ ଧନୁକୁ ଆମେ ନୁଆଁଇ ମଧ୍ୟ ପାରିଲୁ ନାହିଁ, ଏହି ବୁଢା ଯଦି ତାହା କରିପାରିବ ତେବେ ତ ତାହା ଆମ ପ୍ରତି ଘୋର ଅପମାନ ହେବ ।”
”ମାତା, ତୁମେ ଏହି ବେକାର କଥାରେ ଆଦୌ ବିଚଳିତ ହୁଅ ନାହିଁ । ଯେବେ ମୁଁ ଏହି ଧନୁ କାହାକୁ ଦାନ କରିବା ପାଇଁ ଚାହିଁବି, ତେବେ ମଧ୍ୟ ମତେ ପ୍ରଶ୍ନକରିବାକୁ ଏ ଦେଶରେ କେଉଁ ପୁରୁଷ ଜନ୍ମ ନେଇ ନାହାଁନ୍ତି । ଏବେ ତୁମେ ଯାଇ ଆରାମରେ ନିଜ କାମ କର ।” ଧୀରମତି ନିର୍ଭୟରେ ଏତକ କହିଲେ ।ଧୀରମତିଙ୍କ ଏପରି କଥାରେ ପଦ୍ମମୁଖୀ ଭାରି ଆଶ୍ଚର୍ଯ୍ୟ ହେଲେ, କିନ୍ତୁ ଆନନ୍ଦିତ ମଧ୍ୟ ହେଲେ । ନିଜ ପୁତ୍ରର ସାମର୍ଥ୍ୟରେ ଖୁସି ହୋଇ ସେ ନିଜ କୋଠରୀକୁ ଚାଲିଗଲେ ।

ଏହି ସମୟରେ, ମେଷ-ରଖୁଆଳ ଧନୁଟି ଆଣି ରୂପଧରଙ୍କ ପାଖକୁ ଆସିଲା । ଏହା ଦେଖି ସମସ୍ତେ ଚିତ୍କାର କରି ଉଠିଲେ । ସେମାନଙ୍କର ଏଭଳି ବିକଟ ଚିତ୍କାରରେ ମେଷ-ରଖୁଆଳ ଅତ୍ୟନ୍ତ ଭୟଭୀତ ହୋଇ ଧନୁଟି ଭୂମି ଉପରେ ଥୋଇଦେଲେ । କିନ୍ତୁ ଧୀରମତି ତାକୁ ଉତ୍ସାହିତ କରି କହିଲେ, ”ସେମାନଙ୍କର କୋଳାହଳ ସହିତ ତୁମର କ’ଣ ସମ୍ପର୍କ? ତୁମେ ନିଜର କାମ ନିର୍ଭୟରେ କରିଚାଲ ।”ଏହାପରେ ସେ ମେଷ-ରଖୁଆଳ ଧନୁଟି ଆଣି ରୂପଧରଙ୍କ ହାତକୁ ଦେଲା । ତାପରେ ସେ ସ୍ତ୍ରୀ ଲୋକମାନଙ୍କ ପାଖକୁ ଯାଇ ବହୁକୀର୍ତ୍ତିଙ୍କୁ କହିଲା, ”ଛୋଟମାଲିକଙ୍କର ଆଦେଶ ଅନୁସାରେ, ସବୁ ମହିଳାମାନେ ନିଜ, ନିଜ କୋଠରୀକୁ ଯାଇ କବାଟ ବନ୍ଦ କରିଦିଅନ୍ତୁ । ଯେତେ କୋଳାହଳ ହେଉପଛେ, କେହି ଯେପରି ବାହାରକୁ ନ ଆସିବେ, ସେହି ଅନୁସାରେ ତାଙ୍କୁ ତାଗିଦ୍ କରିଦିଅ ।” ଏ ମଧ୍ୟରେ ସୁଖପ୍ରାପ୍ତି ସିଂହଦ୍ୱାର ବନ୍ଦ କରି, ପୁଣି ସେଠାକୁ ଫେରି ଆସିଲା ।

ଏହା ଭିତରେ, ରୂପଧର ଉକ୍ତ ଧନୁଟିକୁ ହାତରେ ଧରି ଏପଟ ସେପଟ ବୁଲେଇ ଦେଖୁଥାଆନ୍ତି । ସେତେବେଳେ ତ ସମସ୍ତଙ୍କର ନଜର କେବଳ ତାଙ୍କ ଉପରେହିଁ ଥାଏ । ”ମନେ ହେଉଛି, ଧର୍ନୁବାଣ ବିଷୟରେ ତା’କୁ କିଛି ମାଲୁମ୍ ଅଛି । ଧନୁରେ ଗୁଣ ଚଢେଇ ଦେଇପାରେ, ହେଲେ ସେ କ’ଣ ଲକ୍ଷ୍ୟଭେଦ କରିପାରିବ?” ଏପରି ନାନାପ୍ରକାର ଟିକା-ଟିପ୍ପଣୀ ଲୋକମାନଙ୍କ ମୁହଁରୁ ବାହାରୁଥାଏ ।ରୂପଧର ଅନାୟାସରେ ଧନୁରେ ଗୁଣ ଚଢେଇଲେ । ବାମହାତରେ ଧନୁଟି ଧରି, ଡାହାଣ ହାତରେ ତା’ର ଡୋରିଟିକୁ ଝଂକୃତ କରେଇଲେ । ଫଳରେ ଏହା ଖୁବ୍ ସୁନ୍ଦର ଧ୍ୱନି ସୃଷ୍ଟି କଲା । ଏହା ଦେଖି ସମସ୍ତେ ସ୍ତମ୍ଭିତ ହୋଇଗଲେ । ରୂପଧର ତୁଣୀରରୁ ବାଛିବାଛି ଏକ ଭଲ ତୀରଟିଏ କାଢି ତାକୁ ଧନୁରେ ସଂଯୋଗ କରି ଲକ୍ଷ୍ୟ ଦିଗରେ ନିକ୍ଷେପ କଲେ । ଦେଖୁ ଦେଖୁ, ବାରଟି କୁରାଢିର ଗର୍ତ୍ତମଧ୍ୟ ଦେଇ, ଏହା ଅତି ସହଜରେ ଲକ୍ଷ୍ୟଭେଦ କଲା ।

ତତ୍ପରେ ସେ ଧୀରମତିକୁ କହିଲେ, ”ପୁତ୍ର ଧୀରମତି, ତୁମର ସମ୍ମାନରେ ମୁଁ କୌଣସି ପ୍ରକାର ଆଂଚ ଆଣିବା ପାଇଁ ଏପରି କରିନାହିଁ । ତୁମେ ତ ଏବେ ନିଜେ ଦେଖିଲ, କେଡେ ସହଜରେ ମୁଁ ଏହି କାମ ସମ୍ପନ୍ନ କରିପାରିଲି । ଏହି ତଥାକଥିତ ବଡଲୋକମାନେ, ତାଙ୍କର ଯାହା ଇଚ୍ଛା ତାହା କରନ୍ତୁ । ଏବେ ମୁଁ ସ୍ପଷ୍ଟ ଭାବେ ଜାଣିପାରିଲି ଯେ, ମୋର ଶକ୍ତି ଆଦୌ କ୍ଷୀଣ ହୋଇ ଯାଇନାହିଁ । ଏବେ ଏହି ମହାଶୟମାନଙ୍କ ପାଇଁ ଭୋଜନ ଓ ଆମୋଦ-ପ୍ରମୋଦର ବନ୍ଦୋବସ୍ତ ଯଥାରୀତି ନିଶ୍ଚୟ ହେବ ।” ଏତିକି କହି ରୂପଧର ଆଖିରେ କିଛି ଇଶାରା ଦେଲେ ତୁରନ୍ତ ଧୀରମତି ଗୋଟିଏ ହାତରେ ଖଡ୍ଗ ଓ ଅନ୍ୟ ହାତରେ ଏକ ବର୍ଚ୍ଛା ଧରି, ପିତାଙ୍କ ପାଖରେ ଯାଇ ଠିଆ ହୋଇଗଲେ । ରୂପଧର, ନିଜ ଶରୀରରୁ ଚିରାଫଟା ପୋଷାକ କାଢି ଫିଙ୍ଗିଦେଲେ । ଏକ ଲମ୍ପ ପ୍ରଦାନ କରି ସେ ଦ୍ୱାର ସମ୍ମୁଖରେ ଠିଆହୋଇ ଅନ୍ୟତୀରଗୁଡିକ ନିଜ ପାଦ ନିକଟରେ ବିଛାଡି ଦେଲେ । ”ଏବେ ପ୍ରକୃତ ଖେଳ ଆରମ୍ଭ ହେବାକୁ ଯାଉଛି ।” ଏହା କହି ସେ ଦୁର୍ବୁଦ୍ଧି ଉପରକୁ ତୀର ଚଳାଇଲେ ।

ଦୁର୍ବୁଦ୍ଧି ବା ଅନ୍ୟକେହି କଳ୍ପନା ମଧ୍ୟ କରିନଥିଲେ ଯେ, ଏହି ତୀର ସେମାନଙ୍କ ଉଦ୍ଧେଶ୍ୟରେ ନିକ୍ଷେପ କରାଯାଇଛି । ସେହି ସମୟରେ ଦୁର୍ବୁଦ୍ଧି ଏକ ବିରାଟକାୟ ସୁରେଇକୁ ଦୁଇହାତରେ ଟେକି, ସେଥିରେ ମୁହଁ ଲଗେଇ ମଦ୍ୟପାନ କରୁଥାଏ । ଏହି ତୀର ସିଧାଯାଇ ତା’ର କଣ୍ଠ ଭେଦ କଲା । ତା’ ହାତରୁ ସୁରେଇ ତଳେ ପଡିଗଲା ଓ ଦୁର୍ବୁଦ୍ଧି ଚିତ୍ପଟାଙ୍ଗ ହୋଇ ଭୂମିରେ କଚାଡି ହୋଇ ପଡିଲା ।ଏହା ଦେଖି ହାହାକାର ପଡିଗଲା । ସମସ୍ତେ ନିଜ ନିଜର ଆସନରୁ ଉଠିପଡି, ଅସ୍ତ୍ରପାଇଁ କାନ୍ଥ ଆଡକୁ ଦେଖିଲେ । କିନ୍ତୁ କାନ୍ଥରେ କୌଣସି ଅସ୍ତ୍ରଶସ୍ତ୍ର ଝୁଲା ଯାଇ ନ ଥିଲା । ”ଗୋଟିଏ ମଣିଷକୁ ମାରିପକେଇଲୁ? ଦୁଷ୍ଟ, ଏବେ ତତେ ମଜା ଚଖାଇବୁ । ତତେ ମାରିବା ପରେ ହିଁ ଯାଇ ଆମେ ନିଃଶ୍ୱାସ ନେବୁ ।” ସେମାନେ ଏପରି ଚିତ୍କାର କରିବାରେ ଲାଗିଲେ । ସେତେବେଳ ଯାଏଁ ସେମାନେ ପ୍ରକୃତ ସତ୍ୟ ଜାଣିପାରୁ ନ ଥାନ୍ତି । ସେମାନେ ଭାବୁଥାନ୍ତି ସଂଯୋଗବଶତଃ ଅଜାଣତରେ ଏପରି ଘଟଣା ଘଟିଯାଇଛି ।

ରୂପଧର ଆପଣାର ପରିଚୟ ପ୍ରକାଶ କରି ଦୃପ୍ତ ସ୍ୱରରେ କହିଲେ, ”ଆରେ କୁକୁରମାନେ! ତୁମେମାନେ ଧରିନେଇଥିଲ, ମୁଁ ଆଉ ଟ୍ରୟରୁ କେବେବି ଫେରିବି ନାହିଁ । ଏହି ସାହସରେ, ମୋର ଗୃହକୁ ଘେରି ରହି, ମୋର ସମ୍ପତ୍ତି ବିନଷ୍ଟ କରିବାରେ ଲାଗିଛ । ମୋ ଦାସଦାସୀଙ୍କୁ ଆପଣାର କରିଛ । ମୋ ଜୀବଦ୍ଦଶାରେ ମୋ’ର ପତ୍ନୀଙ୍କୁ ବିବାହ କରିବାର ଲାଳସା ରଖିଛ । ତୁମମାନଙ୍କର କ’ଣ ଭଗବାନଙ୍କୁ ତିଳେ ହେଲେ ମଧ୍ୟ ଭୟ ନାହିଁ?”ଏସବୁ ଘଟଣା ଦେଖି ଭୟଭୀତ ହୋଇ କାହାମୁହଁରୁ ଆଉ କିଛି କଥା ବାହାରୁ ନ ଥାଏ । କେବଳ ବିପୁଳଯୋଦ୍ଧା ସାହସ ସଂଚୟ କରି କହିଲା, ”ଯଦି ତୁମେ ପ୍ରକୃତରେ ରୂପଧର, ତେବେ ତୁମକଥାରେ ସତ୍ୟତା ଅଛି । ଆମେ ବହୁତ ଗର୍ହିତ ଅପରାଧ କରିଛୁ । ଏସବୁ ଅନ୍ୟାୟର ମୂଳକାରଣ ହେଉଛି, ଦୁର୍ବୁଦ୍ଧି । ସେ କେବଳ ତୁମ ପତ୍ନୀଙ୍କୁ ପାଇବା ଆଶାରେ ଏଠାକୁ ଆସି ନ ଥିଲା । ତୁମ ପୁତ୍ର ଧୀରମତିକୁ ହତ୍ୟା କରି, ସମସ୍ତ ସମ୍ପତ୍ତିର ଅଧିକାରୀ ହେବାପାଇଁ ମଧ୍ୟ ସେ ଚାହୁଁଥିଲା । ଆମେ ସମସ୍ତେ ତୁମକୁ ଯଥାରୀତି ଖଜଣା ଦେବୁ । ଯେତେ ମଦ୍ୟପାନ କରିଛୁ, ତା’ର ମୂଲ୍ୟ ଫେରସ୍ତ କରିବୁ । ପ୍ରତ୍ୟେକେ କୋଡିଏଟି ଲେଖାଏଁ ଗାଈ ତୁମକୁ ଦେବୁ ।”

ରୂପଧର ଘୋଷଣା କଲେ ”ଦୁଷ୍ଟଗଣ, ତୁମେମାନେ ଯେପରି ଅତ୍ୟାଚାର କରିଛ, ତା’ର ଏକମାତ୍ର ପ୍ରତିଶୋଧ ହେଉଛି, ତୁମମାନଙ୍କର ପ୍ରାଣନାଶ । ଏଠାରୁ ପଳାୟନ କରିବାର କୌଣସି ସୁଯୋଗ ନାହିଁ । ତୁମ ସମସ୍ତିଙ୍କୁ ମୁଁ ବଧ କରିବି ।”ଏହାଶୁଣି ବିପୁଳଯୋଦ୍ଧା, ନିଜର ଅନୁଚରମାନଙ୍କୁ ଆଦେଶ ଦେଲା, ”ଭାଇମାନେ, ସେ ଆମକୁ ମାରିବା ପାଇଁ ଚାହୁଁଛି । ନିଜ ନିଜର ଅସ୍ତ୍ର କାଢି ଏକାସଙ୍ଗେ ତା’ଉପରେ ଆକ୍ରମଣ କର । ଦେଖାଯାଉ, କିଏ କାହାକୁ ମାରିପାରୁଛି ।” ଏପରି କହି ଚିତ୍କାର କରି ସେ ନିଜର ଖଡ୍ଗ ବାହାର କରୁଥିବା ଅବସ୍ଥାରେ ରୂପଧରଙ୍କର ତୀର ଯାଇ ତା’ର ଛାତିରେ ଗଳିଗଲା ।

ଅନ୍ୟମାନେ ରୂପଧରଙ୍କ ଉପରକୁ ଝାମ୍ପି ପଡିଲେ । ଧୀରମତି, ଏକ ବର୍ଚ୍ଛାରେ ଆକ୍ରମଣ କରି କିଛି ଲୋକଙ୍କୁ ମାରି ପିତାଙ୍କ ନିକଟକୁ ଆସି ପଚାରିଲେ, ”ପିତାଶ୍ରୀ, ଆପଣ, ପଶୁପାଳକ ଓ ମେଷ-ରଖୁଆଳ ପାଇଁ, ଅଧିକ କିଛି ହତିଆର ନେଇ ଆସିବିକି?”ରୂପଧର ପ୍ରତ୍ୟୁତ୍ତର ଦେଲେ ”ଏହି ତୀର ସମାପ୍ତ ହେବାପୂର୍ବରୁ, ତୁମେ ଚଂଚଳ ଘେନି ଆସ ।” ଅସ୍ତ୍ରଶସ୍ତ୍ର ଥିବା କୋଠରୀକୁ ଯାଇ, ସେ ଢାଲ, ଶିରସ୍ତ୍ରାଣ, ବର୍ଚ୍ଛା ପ୍ରଭୃତି ଆଣି ତୁରନ୍ତ ଫେରି ଆସିଲେ ।ଚାରିଜଣଯାକ ଦ୍ୱାରସମ୍ମୁଖରେ ଠିଆହୋଇ ଯୁଦ୍ଧ କରୁଥାନ୍ତି, ଯେପରି କେହିବି ସେଠାରୁ ପଳାୟନ କରିପାରିବ ନାହିଁ । ତୀରଗୁଡିକ ସମାପ୍ତ ହୋଇଯିବା ପରେ, ରୂପଧର ବର୍ଚ୍ଛା ଧାରଣ କଲେ । ଜଣେ ନୌକର, ଦୁଷ୍ଟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ, ପଛପଟେ ଖସିଯାଇ ଅସ୍ତ୍ରଶସ୍ତ୍ର କୋଠରୀରୁ ବର୍ଚ୍ଛା ଓ ଢାଲ ଆଣି ସେମାନଙ୍କୁ ଦେଲା ।

ରୂପଧର ଏହା ଲକ୍ଷ୍ୟ କରି କହିଲେ, ”ଧୀରମତି, ମନେ ହେଉଛି, ଘରର ଦାସୀମାନେ ଏମାନଙ୍କୁ ସାହାଯ୍ୟ କରୁଛନ୍ତି ।””ଭୁଲ୍ ମୋର, ପିତାଶ୍ରୀ, ମୁଁ କୋଠରୀରେ ଚାବି ପକେଇବା ପାଇଁ ଭୁଲିଯାଇଛି ।” ଏହାକହି ସେ ଓ ମେଷରଖୁଆଳ ଅସ୍ତ୍ରଶସ୍ତ୍ର କୋଠରୀରେ ଚାବି ଦେବା ପାଇଁ ଧାଇଁଲେ । ଏହି ସମୟରେ ସେ ନୌକରଟି କୋଠରୀ ଭିତରୁ ବାହାରି ଆସିବା ଅବସ୍ଥାରେ ଧରା ପଡିଗଲା ।ଦୁଇପକ୍ଷ ମଧ୍ୟରେ ବର୍ଚ୍ଛା ଲଢେଇ ଚାଲିଲା । ଭାଗ୍ୟ ବଶତଃ, ରୂପଧର ଓ ଧୀରମତିଙ୍କ ଶରୀରରେ ଶତ୍ରୁପକ୍ଷର ବର୍ଚ୍ଛା ଆଘାତ ଲାଗି ନ ଥିଲା । କିନ୍ତୁ ସେମାନଙ୍କର ବର୍ଚ୍ଛା ଅନେକ ଶତ୍ରୁଙ୍କର ପ୍ରାଣ ନାଶ କରୁଥାଏ । ଶେଷରେ ସମସ୍ତ ଶତ୍ରୁଙ୍କ ବିନାଶ ଘଟିଲା ।ବିରାଟ କକ୍ଷଟିରେ ଶବମାନ ବିଛାଡି ହୋଇ ପଡିଥାଏ । ରୂପଧର, ବୃଦ୍ଧା-ଦାସୀଙ୍କୁ ଡକେଇ ଆଦେଶ ଦେଲେ ”ଦାସୀମାନଙ୍କୁ ଏଠାକୁ ଆସି, କକ୍ଷଟିକୁ ଭଲରୂପେ ଧୋଇ ସଫା କରିବା ପାଇଁ କହ । ନୌକରମାନେ ଶବଗୁଡିକ ବାହାରକୁ ନେଇଯିବାର ବ୍ୟବସ୍ଥା କରନ୍ତୁ ।”

Latest New Story New odia story Odia Story Rupadharanka Jatra
Share. Facebook Twitter Pinterest LinkedIn Tumblr Reddit Email
Previous Articleସମ୍ରାଟ ଅଶୋକ
Next Article ବିଷ୍ଣୁଙ୍କ ମାୟା
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.