“ରୂପଧର ତାଙ୍କ ଲକ୍ଷ୍ୟରେ ସଫଳ ହେଲେ । ତାଙ୍କ ପତ୍ନୀଙ୍କୁ ବିବାହ କରିବା ଉଦ୍ଧେଶ୍ୟରେ ସେଠାରେ ଠୁଳ ହୋଇଥିବା, ଗ୍ରୀକ୍ର ସମସ୍ତ ରାଜକୁମାରଙ୍କୁ ସେ ଓ ତାଙ୍କ ପୁତ୍ର ଧୀରମତି ହତ୍ୟା କଲେ । ଏହି ସଫଳତା କେବଳ ତାଙ୍କର ଶକ୍ତି ସାମର୍ଥ୍ୟ ଉପରେ ଆଧାରିତ ନ ଥିଲା । ସେଦିନ ଦେବା-ଦେବୀ ମଧ୍ୟ ତାଙ୍କ ସପକ୍ଷରେ ଥିଲେ । କିନ୍ତୁ ଏତିକିରେ ତାଙ୍କ ସମସ୍ୟାର ଅନ୍ତ ଘଟି ନ ଥିଲା । ତାପରେ ପଢନ୍ତୁ ଏହି ସବୁ ଘଟଣା ଘଟୁଥିବା ସମୟରେ, ପଦ୍ମମୁଖୀ ତ ଶୋଇଥିଲେ । ବହୁକୀର୍ତ୍ତି ତାଙ୍କ ଶୟନାଗାରକୁ ଯାଇ ତାଙ୍କୁ ଉଠାଇ କହିଲେ, “ଉଠ, ଉଠ, ଶୋଇବାର ସମୟ ଇଏ ନୁହଁ, ତୁମର ପତି ଆସି ସବୁ ଦୁଷ୍ଟଙ୍କୁ ସଂହାର କରିସାରିଲେଣି । ତୁମର ସୁଖର ଦିନ ପୁଣି ଫେରି ଆସିଛି ।” ହଠାତ୍ ପଦ୍ମମୁଖୀ, ଶୁଣୁଥିବା ଏହିଭଳି କଥାକୁ ଆଦୌ ବିଶ୍ୱାସ କରି ପାରିଲେ ନାହିଁ । ସନ୍ଦେହାଛନ୍ନ ହୋଇ ସେ କହିଲେ, “ଭଗବାନଙ୍କର ଲୀଳା, ବଡ ବିଚିତ୍ର । ଚାଲିଲୁ, ଦେଖିବା କିଏ ସେହି ଭଦ୍ରଲୋକ, ଯିଏକି ଦୁଷ୍ଟମାନଙ୍କର ସଂହାର କରିଛନ୍ତି ।” ଏପରି କହି ବୃଦ୍ଧାଦାସୀ ସହିତ ସେ ତଳକୁ ଆସି ଦେଖିଲେ, ରୂପଧର ଏକ ଆସନ ଉପରେ ବସିଛନ୍ତି । ରୂପଧରଙ୍କର ଧାରଣା ଥିଲା, ତାଙ୍କୁ ଦେଖି ପଦ୍ମମୁଖୀ ଖୁସିରେ ଉଚ୍ଛୁଳି ଉଠିବେ । କିନ୍ତୁ ପଦ୍ମମୁଖୀ ନୀରବ ରହିଲେ । ତାଙ୍କର ନୀରବତାରେ ସେ ବିସ୍ମିତ ହେଲେ । ପଦ୍ମମୁଖୀଙ୍କର ଏପରି ବ୍ୟବହାରର ରହସ୍ୟ କେହିବି ବୁଝିପାରୁ ନ ଥିଲେ । ସେ ଭଲ ରୂପେ ଜାଣିଥିଲେ, ପଦ୍ମମୁଖୀ ତାଙ୍କୁ ପ୍ରାଣାଧିକ ଭଲ ପାଆନ୍ତି । ସେହି କାରଣରୁ ସେ ନାନା ପ୍ରକାର ବାହାନା ଦେଖାଇ, ଦୁଷ୍ଟ ରାଜକୁମାରମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । କିନ୍ତୁ ଏବେ କାହିଁକି ତାଙ୍କୁ ସେ ଗ୍ରହଣ କରିପାରୁନାହାଁନ୍ତି?
ଧୀରମତି ଆଉ ସମ୍ଭାଳି ନ ପାରି ପଚାରିଲେ “ମା’ ତୁମେ ମଣିଷ ନା ପଥର? ପିତାଙ୍କ ସହିତ କଥା ନ ହୋଇ ନୀରବରେ ଏମିତି କାହିଁକି ବସିରହିଛ?”ଏକଥା ଶୁଣିବା ମାତ୍ରେ ପଦ୍ମମୁଖୀ ଭଗ୍ନହୃଦୟରେ କହିଲେ “କେଉଁ କଥା କହିବି ପୁତ୍ର? ମୋର ହୃଦୟରେ ଆଉ ସେ ଆବେଗ ନାହିଁ । ଯଦି ଏହି ବ୍ୟକ୍ତି ପ୍ରକୃତରେ ତୋର ପିତା, ତେବେ ମୁଁ ସ୍ୱୀକାର କରୁଛି ଯେ, ମୁଁ ତାଙ୍କୁ ଚିହ୍ନିପାରୁନାହିଁ । ଏଇ ଘରେ ଏପରି ଅନେକ ରହସ୍ୟ ରହିଛି, ଯାହା କେବଳ ତୋ ପିତା ଓ ମତେହିଁ ଜଣା । ତାହା କ’ଣ ସେ ମନେ ପକାଇ ପାରିବେ?”ତା’ପରେ ରୂପଧର ତାଙ୍କ ପୁତ୍ରକୁ କହିଲେ, “ତୁମେ ତୁମ ମାତାଙ୍କ ମନକୁ ଦୁଃଖ ଲାଗିବା ପରି କିଛି କୁହନାହିଁ । ସେ ମୋର ପରୀକ୍ଷା ନିଅନ୍ତୁ । ତା’ପରେ ସେ ମୋତେ ଅନାୟାସରେ ଠିକ୍ ଚିହ୍ନିପାରିବେ । ଏବେ ଆମ ଆଗରେ ବଡ ହେଉଛି ଆମର କର୍ତ୍ତବ୍ୟ । ଆମେ ଇଥାକାର ପ୍ରମୁଖ ଯୁବକମାନଙ୍କୁ ମାରିଦେଇଛୁ । ଏହି କଥା ମନେ ଅଛି ତ? ପ୍ରଥମେ ସ୍ନାନାଦି କାର୍ଯ୍ୟସାରି ଉତ୍ତମ ପୋଷାକ ପରିଧାନ କରିବା । ତା’ପରେ ନୃତ୍ୟ ସଙ୍ଗୀତର ଆସର ହେବ । ବାହାରେ ବାଦ୍ୟ ଶୁଣି ଲୋକମାନେ ଭାବିବେ, ଭିତରେ ବିବାହ ଉତ୍ସବ ଚାଲିଛି । ଆମେ ଯେ ସମସ୍ତଙ୍କୁ ହତ୍ୟା କରିଛୁ, ଏ ସମ୍ବାଦ ଅନ୍ୟକେହି ମଧ୍ୟ ଜାଣିବା ପୂର୍ବରୁ ଆମକୁ ଏ ନଗର ଛାଡି ଅରଣ୍ୟ-ନିବାସକୁ ଚାଲିଯିବା ପାଇଁ ପଡିବ ।” ଏହିପରି ଭାବେ ରୂପଧର ତାଙ୍କ ପୁତ୍ରଙ୍କୁ ନିଜ କୌଶଳ ବିଷୟରେ ଜଣାଇଲେ ।
ରୂପଧରଙ୍କ ଆଦେଶ ଅନୁଯାୟୀ, ସମସ୍ତେ ସ୍ନାନ କରି ଭଲ ପୋଷାକ ପିନ୍ଧିଲେ, ଗହଣାମାନ ପରିଧାନ କରି ନାଚ ଗୀତରେ ମଜ୍ଜିଗଲେ । ବାହାରକୁ ବାଦ୍ୟ ଓ ସଙ୍ଗୀତ ଶୁଭୁଥାଏ । ରାସ୍ତାଘାଟରେ ଯାଉଥିବା ଲୋକମାନେ ମନେକଲେ, ବୋଧହୁଏ ଏତେଦିନ ପରେ, ଏଇ ଘରର ମାଲିକାଣୀ ବିବାହ କରିବା ପାଇଁ ରାଜି ହୋଇଗଲେ । ଯୁଦ୍ଧକୁ ଯାଇଥିବା ପତିଙ୍କୁ ଆଉ ଅଧିକ କାଳ ଅପେକ୍ଷା କରିବାର ଧୈର୍ଯ୍ୟ ତାଙ୍କର ରହିଲା ନାହିଁ ।ରୂପଧର ସୁଚାରୁ ରୂପେ ସ୍ନାନ କରି, ଅଙ୍ଗରେ ତୈଳ ମର୍ଦ୍ଦନ କଲେ । ଏବେ ତାଙ୍କର ଚେହେରା ଫୁଟି ଉଠିଲା । ସେ ତାଙ୍କ ପତ୍ନୀ ପଦ୍ମମୁଖୀଙ୍କୁ କହିଲେ, “ତୁମେ କେଉଁ ଧରଣର ସ୍ତ୍ରୀ? କୋଡିଏ ବର୍ଷ ପରେ ଘରକୁ ଫେରିଥିବା ପତିଙ୍କୁ କ’ଣ ଏପରି ବ୍ୟବହାର କରାଯାଏ? ଅନ୍ୟ କେଉଁ ସ୍ତ୍ରୀ ଲୋକ ହୋଇଥିଲେ ଅତି ଆଦରରେ କେତେ ପ୍ରେମ ପୂର୍ଣ୍ଣ କଥା ବଖାଣି ବସନ୍ତା ।” ମାତ୍ର ପଦ୍ମମୁଖୀଙ୍କ ନିକଟରେ କୌଣସି ଭାବାନ୍ତର ଲକ୍ଷ୍ୟ ନ କରି ସେ ବୃଦ୍ଧ ଦାସୀଙ୍କୁ କହିଲେ, “ଧାଇ-ମା, ମୋର ଶୋଇବା ପାଇଁ ଶଯ୍ୟା ବନ୍ଦବୋସ୍ତ କରିଦିଅ ।”ତୁରନ୍ତ ପଦ୍ମମୁଖୀ ସେ ବୃଦ୍ଧାଙ୍କୁ କହିଲେ, “ଧାଇମା, ତାଙ୍କ ପାଇଁ ପଲଙ୍କ ଏଠିକୁ ନେଇଆସ । ସେଥିରେ କେବଳ କମ୍ବଳ ବିଛାଇଦିଅ ।”
ଏହା ଶୁଣି ରୂପଧର ଉତ୍ତେଜିତ ହୋଇ କହିଲେ, “ମୋ ପଲଙ୍କକୁ କିଏ ସେ ଉଠାଇ କେଉଁଠାରେ ରଖିଛି? ଏହାକୁ ତ ଉଠାଇବା ମୋଟେ ସମ୍ଭବ ନୁହେଁ ।”ପ୍ରକୃତରେ ସେହି ପଲଙ୍କରେ ଏକ ରହସ୍ୟ ଛପି ରହିଥିଲା । ଯେତେବେଳେ ରୂପଧର ଏହି ଭବନ ନିର୍ମାଣ କରୁଥିଲେ, ସେହି ସମୟରେ ଶୟନାଗାର ପାଇଁ ନିର୍ଦ୍ଧାରିତ ସ୍ଥାନରେ ଏକ ବିରାଟ ବୃକ୍ଷ ଥିଲା । ଏହାକୁ ଛେଦନ କରାଯିବା ସମୟରେ, ବୃକ୍ଷର ନିମ୍ନାଂଶଟିକୁ ଭୂମିରୁ ଉତ୍ପାଟନ କରାଯାଇ ନ ଥିଲା । ଏହାକୁ ଏକ ସୁନ୍ଦର ଆକୃତିରେ ଖୋଦେଇ କରାଯାଇ, ସେଥିରେ ଏକ ପଲଙ୍କ ପ୍ରସ୍ତୁତ ହୋଇଥିଲା । ପଦ୍ମମୁଖୀ ଜାଣିବା ପାଇଁ ଚାହୁଁଥିଲେ, ପ୍ରକୃତରେ ଏହି ରହସ୍ୟ ଏହି ବ୍ୟକ୍ତି ଜଣକ ଜାଣିଛନ୍ତି, କି ନାହିଁ? ଏବେ ତାଙ୍କର ସବୁ ସନ୍ଦେହ ଦୂରେଇ ଗଲା । ପତିଙ୍କୁ ଆଲିଙ୍ଗନ କରି ସେ କହିଲେ, “ହେ ପ୍ରିୟ ମୋତେ କ୍ଷମା କର । କାଳେ କେଉଁ ସମୟରେ ମୁଁ ପଥ ଭୁଲିଯିବି, ଠକାମୀରେ ପଡିଯିବି, ଏଇ ଆଶଙ୍କାରେ ମୁଁ ଜୀବନ୍ମୃତ ଅବସ୍ଥାରେ ଥିଲି ।”
ପତ୍ନୀଙ୍କର ଏହି ସତର୍କତା, ରୂପଧରଙ୍କୁ ଆହୁରି ଅଧିକ ଆନନ୍ଦିତ କଲା । ଏବେ ସେ ଠିକ୍ ବୁଝିପାରିଲେ, ପତ୍ନୀଙ୍କର ପୂର୍ବଆଚରଣର ରହସ୍ୟ । ସେଦିନ ରାତିରେ ପଦ୍ମମୁଖୀ ପତିଙ୍କୁ, ନିଜର ଦୀର୍ଘ କୋଡିଏ ବର୍ଷର ଦୁଃଖଦ ଅନୁଭୂତି ଶୁଣାଇଲେ ଓ ପତିଙ୍କର ଅଭିଜ୍ଞତା ମଧ୍ୟ ସେ ଜାଣିବାକୁ ପାଇଲେ । ପ୍ରଭାତ ହେବା ପୂର୍ବରୁ ରୂପଧର କବଚ ପରିଧାନ କରି, ଧୀରମତି ଓ ଅନ୍ୟ ସମସ୍ତଙ୍କୁ ପ୍ରସ୍ତୁତ ହେବା ପାଇଁ କହିଲେ । କେହି ଦେଖିବା ଆଗରୁ, ସେମାନେ ସେ ନଗର ପରିତ୍ୟାଗ କରି ସାରିଥିଲେ ।ସେମାନେ ରୂପଧରଙ୍କ ପିତା ପିପୀଲ୍ଲକଙ୍କ ନିକଟରେ ଯାଇ ପହଁଚିଲେ । ପିପୀଲ୍ଲକ ବହୁ ପୂର୍ବରୁ ଶାସନଦାୟିତ୍ୱ ବହନ କରିଥିଲେ । ଏବେ ସେଠାରେ ବୃକ୍ଷ-ଲତା ଗୁଡିକର ଯତ୍ନ ନେବା ସହିତ ଏହି ଅରଣ୍ୟରେ କୁଟୀର ନିର୍ମାଣ କରି ରହୁଥାନ୍ତି । ବୃଦ୍ଧ ପିପୀଲ୍ଲକ, ଏକ ବୃକ୍ଷ ରୋପଣ କରୁଥିବା ସମୟରେ ରୂପଧର ଓ ଅନ୍ୟମାନେ ଯାଇ ସେଠାରେ ପହଁଚିଲେ । ଆର୍ଥିକ ଅବସ୍ଥା ଶୋଚନୀୟହେତୁ, ତାଙ୍କର ପୋଷାକ ଚିରାଫଟା ଥିଲା ।
ତାଙ୍କୁ ଦେଖୁଦେଖୁ ରୂପଧରଙ୍କ ଆଖିରୁ ଅଶ୍ରୁ ନିଗିଡି ପଡିଲା । ମନ କହୁଥାଏ, ସଙ୍ଗେସଙ୍ଗେ ପିତାଙ୍କୁ ଆଲିଙ୍ଗନ କରି ସବୁ ଘଟଣା କହିଦେବାପାଇଁ । କିନ୍ତୁ ସନ୍ଦେହ ହେଉଥାଏ, ସେ କାଳେ ତାଙ୍କୁ ଚିହ୍ନିପାରିବେ କି ନାହିଁ । ତେଣୁ ପ୍ରଥମେ ପିତାଙ୍କ ସ୍ମୃତି ଶକ୍ତି ପରୀକ୍ଷାର କୌତୁହଳରେ ସେ ତାଙ୍କ ନିକଟକୁ ଯାଇ କହିଲେ, “ମହାଶୟ, ଆପଣ ଏଇ ଗଛଗୁଡିକୁ ଖୁବ୍ ଯତ୍ନର ସହିତ ଦେଖା ରଖା କରୁଛନ୍ତି । କିନ୍ତୁ ମନେ ହେଉଛି, ଆପଣଙ୍କର ଦେଖା ଚାହାଁ କରିବା ପାଇଁ ଏଠାରେ କେହିବି ନାହାଁନ୍ତି । କ’ଣ ତୁମର ମାଲିକ ତୁମ କାମରେ ସନ୍ତୁଷ୍ଟ ନୁହଁନ୍ତି?”ବୃଦ୍ଧ ଉପରକୁ ମୁହଁ ତୋଳି ପଚାରିଲେ “ପୁତ୍ର! ତୁମେ କିଏ? କେଉଁ ଦେଶର ଅଧିବାସୀ?” ତହୁଁ ରୂପଧର କହିଲେ “ମୁଁ ଜଣେ ପରିଭ୍ରମଣକାରୀ । ପାଂଚବର୍ଷତଳେ ରୂପଧର ନାମକ ଜଣେ ବ୍ୟକ୍ତିଙ୍କ ସହ ମୋର ସାକ୍ଷାତ ହୋଇଥିଲା । ଶୁଣିଥିଲି, ସେ କୁଆଡେ ଏହି ଦେଶର ଅଧିବାସୀ ଅଟନ୍ତି । ତାଙ୍କୁ ଭେଟିବା ଆଶାରେ ମୁଁ ଏଠାକୁ ଆସିଛି ।”
ପୁତ୍ର ରୂପଧରଙ୍କ ନାମ ଶୁଣିବାମାତ୍ରେ ବୃଦ୍ଧ ମାଟିବୋଳା ପାପୁଲିରେ ନିଜ ମୁହଁକୁ ଘୋଡେଇ, ରୋଦନ କରି ଉଠିଲେ । ଏସବୁ ଘଟଣା ଦେଖି ସେ ରୂପଧର ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଲେ । ତା’ପରେ ସେ ଅବିଳମ୍ବେ ନିଜ ପିତାଙ୍କୁ କୁଣ୍ଢାଇ ପକାଇ କହିଲେ, “ପିତ୍ରାଶ୍ରୀ, ମୁଁ ନିଜେ ରୂପାଧର । ମୁଁ କୋଡିଏ ବର୍ଷ କାଳ ଦୁଃଖ ଯାତନା ସହ୍ୟ କରି ସ୍ୱଦେଶକୁ ଫେରିଛି । ସବୁ ଶତ୍ରୁଙ୍କୁ ମୁଁ ନିପାତ କରି ଦେଇଛି ।”ପିପୀଲ୍ଲକ ଭୟଭୀତ ହୋଇ କହିଲେ “ତୁମେ ଏପରି କାହିଁକି କଲ, ପୁତ୍ର! ଏଠିକା ଅଧିବାସୀ ମାନେ ତୁମକୁ ଜୀବନରେ ଆଉ ରଖିବେ ନାହିଁ । ପାଖ ପଡୋଶୀ ଶାସକମାନଙ୍କ ସହାୟତାରେ ସେମାନେ ତୁମକୁ ଆକ୍ରମଣ କରି ଶେଷ କରିଦେବେ ।””ଆପଣ ନିଜ ମନରୁ ସେ ଭୟ ତ୍ୟାଗ କରନ୍ତୁ । ମୋ ସହିତ ଚାଲନ୍ତୁ, ଆମେ ଭୋଜନ କରିବା । ଚାକରଙ୍କୁ ମୁଁ ଭୋଜନ ବ୍ୟବସ୍ଥା ପାଇଁ ଅନୁମତି ଦେଇ ଆସିଥିଲି ।” ଏପରି କହି ରୂପଧର ପିତାଙ୍କୁ ସାଙ୍ଗରେ ଆଣିଲେ । ପଶୁପାଳକ ଓ ମେଷ-ରଖୁଆଳ ରୋଷେଇ ସମାପ୍ତ କରିଥାନ୍ତି । ପିପୀଲ୍ଲକ ପରିଷ୍କାର ରୂପେ ଧୁଆଧୋଇ ହୋଇ ଆସିବାରୁ, ରୂପଧର ଲକ୍ଷ୍ୟ କଲେ, ତାଙ୍କ ପିତା ଏବେ ବି ବଳିଷ୍ଠ ଓ ଦୃଢ ଅଛନ୍ତି । ତାଙ୍କର ଶରୀରଗଠନ ରୂପଧରଙ୍କୁ ବିସ୍ମିତ କଲା । ତା’ପରେ ସମସ୍ତେ ଏକତ୍ର ଭୋଜନ କଲେ ।
ଇତ୍ୟବସରରେ ରୂପଧରଙ୍କ ଦ୍ୱାରା ସଂଗଠିତ ହତ୍ୟା ସମାଚାର ସାରା ନଗରରେ ଖେଳିଗଲା । ଲୋକମାନେ କୋଳାହଳ କରି ରୂପଧରଙ୍କ ଘର ଆଡକୁ ଧାଇଁଲେ । ସେତେବେଳେ ସେଠିକାର ଦୃଶ୍ୟ ଅତ୍ୟନ୍ତ ଭୟାବହ ଥିଲା । ଯେଉଁଆଡେ ଚାହିଁଲେ, ସେହିଆଡେ ଖାଲି ଶବ ହିଁ ଶବ ବିଛାଡି ହୋଇ ପଡିଥିଲା । ସେମାନେ କେହି ଜାଣିପାରୁନଥାନ୍ତି, ଏହି ହତ୍ୟାକାଣ୍ଡ କିପରି ଘଟିଛି ଓ କିଏ ଏହାର କର୍ତ୍ତା । ପଦ୍ମମୁଖୀ, ଧୀରମତି ତଥା ଅନ୍ୟାନ୍ୟ ଦାସ-ଦାସୀଙ୍କୁ ସେଠାରେ ନ ଥିବାର ଦେଖି, ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହୁ ନ ଥାଏ । ଯିଏ ଯାହାର ସମ୍ପର୍କୀୟର ଶବ ଚିହ୍ନଟ କରି ନେଇଯାଉଥାନ୍ତି । କିନ୍ତୁ ଦୁର୍ବୁଦ୍ଧିର ପିତା ସନ୍ଦେହ ପ୍ରକଟ କଲେ । ତାଙ୍କ ଭାବନାରେ ଏହି କାଣ୍ଡ କେବଳ ରୂପଧରଙ୍କ ଦ୍ୱାରା ହିଁ ସଂଘଟିତ ହୋଇଛି । ସେଠାରେ ମଧ୍ୟ ଏପରି ଅନ୍ୟ କିଛି ପ୍ରମାଣ ମିଳିଲା, ଯାହାକି ତାଙ୍କର ସନ୍ଦେହକୁ ପ୍ରମାଣିତ କଲା ।ଦୂରଦୂରାନ୍ତରରୁ ଆସିଥିବା ଲୋକମାନେ, ତାଙ୍କ ସମ୍ପର୍କୀୟଙ୍କ ଶବଗୁଡିକୁ ନୌକାରେ, ନିଜ ନିଜ ଦେଶକୁ ପଠାଇଦେଲେ ।
ଏହାପରେ ସେ ନଗରରେ ସଭା ହେଲା । ଦୁର୍ବୁଦ୍ଧିର ପିତା ସମସ୍ତଙ୍କୁ ଉତ୍ତେଜିତ କରାଇବାକୁ ଯାଇ କହିଲେ, “ବନ୍ଧୁଗଣ । କେବଳ ରୂପଧରହିଁ ଏସବୁ ହତ୍ୟାକାଣ୍ଡର କାରଣ, ଏହା ନିଃସନ୍ଦେହ ଅଟେ । ଏହି ନାରକୀୟ ଘଟଣା ଅତ୍ୟନ୍ତ ଦାରୁଣ । ରୂପଧର ନିଜ ସାଥିରେ କେତେ ନୌକା, କେତେ ଯୁବକଙ୍କୁ ନେଇ ଯୁଦ୍ଧଭୂମିକୁ ଯାଇଥିଲା । ସେମାନେ ସମସ୍ତେ ବିଧ୍ୱଂସ ହୋଇ ମୃତ୍ୟୁବରଣ କଲେ । ଏବେ ସେ ଏକାକୀ ଦେଶକୁ ଫେରିଆସି, ଦେଶର ସବୁ ବଳିଷ୍ଠ ଯୁବକମାନଙ୍କୁ ହତ୍ୟା କରିଛି । ସେହି ଦୁଷ୍ଟ ପୈଲାସ କି ଏଲିସ୍କୁ ପଳାୟନ କରିବା ପୂର୍ବରୁ, ଆମେ ତାକୁ ଧରିବା ନିହାତି ଆବଶ୍ୟକ । ଆମର ପ୍ରତିଶୋଧ ଦରକାର । ଆମ ପୁତ୍ରମାନଙ୍କର ହତ୍ୟାକାରୀକୁ ଯଦି ଆମେ ସମୁଚିତ ଶାସ୍ତି ଦେଇ ନ ପାରିବା, ତେବେ ତା’ଠାରୁ ବଳି ଅପମାନ, ଆଉ କ’ଣ ବା ହୋଇପାରେ? ମୁଁ ପଛକେ ପ୍ରାଣ ହାରିଦେବି, କିନ୍ତୁ ଏହି କଳଙ୍କ କେବେବି ବରଦାସ୍ତ କରି ପାରିବି ନାହିଁ । ପ୍ରତିଶୋଧ ପାଇଁ ସମସ୍ତେ ପ୍ରସ୍ତୁତ ହୋଇଯାଅ ।” ତାଙ୍କର ଏହି ଉତ୍ତପ୍ତ ଭାଷଣ ଓ ଆଖିର ଲୁହଧାର ଲୋକମାନଙ୍କ ମନରେ ପ୍ରତିଶୋଧର ନିଆଁ ଜାଳିଦେଲା ।
ଠିକ୍ ଏହି ସମୟରେ ସେଠାରେ ଗୋଟିଏ ଲୋକ ପହଁଚିଲା । ରୂପଧର ପ୍ରାଣ-ଭିକ୍ଷା ଦେଇ ଦୁଣଜଣଙ୍କୁ ନ ମାରି ଛାଡିଦେଇଥିଲେ । କାରଣ ତାଙ୍କ ବିଚାରରେ ସେମାନେ ନିର୍ଦୋଷ ଥିଲେ । ଏହି ବ୍ୟକ୍ତି, ସେମାନଙ୍କ ମଧ୍ୟରୁ ଜଣେ । ସେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଲା, “ହେ ଇଥାକା ନାଗରିକ ବୃନ୍ଦ, ମୋର କଥା ଧ୍ୟାନର ସହିତ ଶୁଣ । ଯେଉଁ ସମୟରେ ଏହି ହତ୍ୟାକାଣ୍ଡ ହୋଇଛି, ମୁଁ ସେତେବେଳେ ସେଠାରେ ଉପସ୍ଥିତ ଥିଲି । ମୁଁ ସ୍ୱଚକ୍ଷୁରେ ଦେଖିଛି ରୂପଧରଙ୍କ ସମୀପରେ ବୁଦ୍ଧିମତୀ ଦେବୀ ମଧ୍ୟ ଦଣ୍ଡାୟମାନ ଥିଲେ । ଏହି ହତ୍ୟାକାଣ୍ଡ ଦୈବ-ନିର୍ଦ୍ଧାରିତ ଅଟେ । ତେଣୁ ରକ୍ତପାତ ଓ ପ୍ରତିଶୋଧର ବିଚାର ତ୍ୟାଗ କରନ୍ତୁ ।”
ଏହି କଥା ଶୁଣି ସମସ୍ତଙ୍କର ମୁଖ ବିବର୍ଣ୍ଣ ହୋଇଗଲା ।ଜଣେ ବୃଦ୍ଧ ଉଠିପଡି କହିଲେ, “ଯାହା ହେବାର ଥିଲା ତାହା ତ ଘଟିଯାଇଛି, ଏବେ ଆଉ କାହିଁକି ଅଯଥା ହତ୍ୟା, ରକ୍ତପାତ? ସତ କହିବାକୁ ଗଲେ, ତୁମ ପୁତ୍ରର ଭୁଲ୍ ରହିଛି । ପ୍ରଥମରୁ ନିଜ ପୁତ୍ରକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ମୁଁ ତୁମକୁ ଅନେକ ଥର ଚେତାବନୀ ଦେଇଛି । ମାତ୍ର ତୁମେ ଶୁଣି ନ ଶୁଣିବା ପରି ରହିଗଲ । ତୁମ ପୁତ୍ର ଭାବୁଥିଲା, ରୂପଧର ଆଉ ଫେରିବ ନାହିଁ । ଏହି ସାହସରେ ସେ ତା ଧନସମ୍ପତ୍ତି ବରବାଦ କରି, ତା ପତ୍ନୀଙ୍କୁ ଅପମାନିତ କରୁ ଥିଲା । ତା’ର ପ୍ରତିଫଳ ସେ ଏବେ ଠିକ୍ ପାଇଛି ।”ବୃଦ୍ଧାଙ୍କ କଥାରେ ପ୍ରାୟ ଅର୍ଦ୍ଧେକ ଲୋକ ପ୍ରଭାବିତ ହୋଇ ସେ ସ୍ଥାନ ପରିତ୍ୟାଗ କରି ଚାଲିଗଲେ । ଅବଶିଷ୍ଟ ଜନତା ପ୍ରତିଶୋଧ ନେବାପାଇଁ ନିଷ୍ପତି ନେଲେ । ଦୁର୍ବୁଦ୍ଧିର ପିତାଙ୍କ ନେତୃତ୍ୱରେ ହତିଆର ଧରି, ସେମାନେ ଅରଣ୍ୟ ନିବାସ ଅଭିମୁଖେ ବାହାରିଲେ । ଆଗରୁ ପ୍ରସ୍ତୁତଥିବା ପିପୀଲ୍ଲକ, ରୂପଧର, ଧୀରମତି ତଥା ଅନ୍ୟମାନେ ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଲେ ।ଧୀରମତି ଉତ୍ସାହିତ ହୋଇ ପିତାଙ୍କୁ କହିଲେ, “ପିତାଶ୍ରୀ, ଆଜି ଏମାନଙ୍କୁ ମୁଁ ମୋର ପରାକ୍ରମ ଦେଖାଇବି ।”ପିପୀଲ୍ଲକ ଆନନ୍ଦିତ ହୋଇ କହିଲେ, “ଆଜି ବଡ ସୌଭାଗ୍ୟର ଦିନ ଅଟେ । ମୋର ପୁତ୍ର, ନାତିଙ୍କର ଏହି ବଳ-ବିକ୍ରମର ପ୍ରଦର୍ଶନ, ମୋ ଜୀବନକାଳରେ ମୁଁ ଦେଖିପାରିବି ।” ଉତ୍ସାହିତ ହୋଇ ସେ ଦୁର୍ବୁଦ୍ଧିର ପିତାଙ୍କୁ ଲକ୍ଷ୍ୟ କରି ବର୍ଚ୍ଛା ନିକ୍ଷେପ କଲେ । ଏଇ ପ୍ରହାରରେ ସେ ଧରାଶାୟୀ ହୋଇଗଲା । ରୂପଧର ଓ ଅନ୍ୟମାନେ, ଅବଶିଷ୍ଟ ଲୋକଙ୍କୁ ଆକ୍ରମଣ କଲେ । କିନ୍ତୁ ଠିକ୍ ଏହି ସମୟରେ ଦେବୀ ବୁଦ୍ଧିମତୀଙ୍କର କଣ୍ଠସ୍ୱର ଭାସି ଆସିଲା ।”ହେ ଇଥାକା ଅଧିବାସୀ ଗଣ । ଏହି ରକ୍ତପାତ ବନ୍ଦ କର ।” ତାଙ୍କ କଣ୍ଠସ୍ୱର ଶୁଣି ସମସ୍ତେ ସ୍ତବ୍ଧ ହୋଇ ଗଲେ । ସେମାନଙ୍କ ହାତରୁ ଅସ୍ତ୍ର ଖସି ପଡିଲା । ନୀରବରେ ନଗରକୁ ଧୀରେ ଧୀରେ ଫେରିଗଲେ ।ଏହାପରେ ରୂପଧରଙ୍କ ଜୀବନରେ ଆଉ ଶତ୍ରୁ ଭୟ ରହିଲା ନାହିଁ । ସେ ପିତା, ପତ୍ନୀ ଓ ପୁତ୍ରଙ୍କ ସହିତ ସୁଖୀ ଓ ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବା ଆରମ୍ଭ କଲେ ।