(ମୋହନ ଟ୍ରୋୟନଗର ରାଜା ବର୍ଦ୍ଧନଙ୍କ ପୁତ୍ର ଥିଲେ । ସେ ଗ୍ରୀକ୍ ରାଜାଙ୍କ ସାନଭାଇ ପ୍ରତାପଙ୍କ ପତ୍ନୀ ଭୂବନସୁନ୍ଦରୀଙ୍କୁ ଅପହରଣ କଲେ । ତାଙ୍କୁ ପୁଣି ଫେରିପାଇବା ପାଇଁ ଗ୍ରୀକ୍ ବୀରମାନେ ଜାହାଜ ଚଢି ଯାଇ ଟ୍ରୋୟରେ ପହଁଚିଲେ ଓ ଦୁର୍ଗକୁ ଘେରି ରହିଲେ । ଛୋଟ ଛୋଟ ଯୁଦ୍ଧ ଦଶବର୍ଷ ଧରି ଚାଲିଲା । ଶେଷକୁ ଗ୍ରୀକ୍ମାନେ ଏକ ବିରାଟ କାଠଘୋଡା ତିଆରି କରି, ସନ୍ଧିର ଛଳନା କରି ଘୋଡାର ପେଟ ଭିତରେ ପଶି ଅଚାନକ ସେମାନଙ୍କୁ ଆକ୍ରମଣ କରି ଧ୍ୱସ୍ତବିଧ୍ୱସ୍ତ କଲେ ଓ ଭୂବନସୁନ୍ଦରୀକୁ ଧରି ଫେରି ଆସିଲେ ।ଟ୍ରୋୟ ନଗରୀ ଆକ୍ରମଣ କରିଥିବା ଗ୍ରୀକ୍ ଯୋଦ୍ଧାମାନଙ୍କ ମଧ୍ୟରୁ ରୂପଧର ମଧ୍ୟ ଅନ୍ୟତମ । ଜ୍ୟୋତିଷ କହିଥିଲେ କି ପ୍ରାୟ କୋଡିଏ ବର୍ଷ ପର୍ଯ୍ୟନ୍ତ ରୂପଧର ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବ ନାହିଁ । ସେଥିରୁ ଦଶବର୍ଷ ତ ଟ୍ରୋୟ ଯୁଦ୍ଧରେ କଟିଲା; ଶେଷ ଦଶବର୍ଷରେ ରୂପଧରଙ୍କ ଜୀବନରେ ଅନେକ ବିଚିତ୍ର ଘଟଣାସବୁ ଘଟିଲା । ଏହି ମାସରୁ ସେହି ଘଟଣା ଗୁଡିକର ବିବରଣୀ ଦିଆଯାଇଛି ।)
ରୂପଧରଙ୍କ ନୌକାଗୁଡିକ ଟ୍ରୋୟ ନଗରୀର ସମୁଦ୍ର ତଟ ଛାଡିବା ପରେ ପରେ ପବନ ବିପରୀତ ଦିଗରୁହିଁ ବହିଲା । ନୌକାମାନଙ୍କୁ ଦକ୍ଷିଣ ଦିଗକୁ ଯିବାର ଥିଲା, କିନ୍ତୁ ତାହା ଚାଲିଲା ଉତ୍ତର ଦିଗରେ ଓ ଶେଷରେ ଇସ୍ମରୋସ ତଟରେ ଯାଇ ଲାଗିଲା । ଏହା ଥିଲା କିକୋଲିଅନ୍ମାନଙ୍କର ବାସଭୂମି । ରୂପଧରଙ୍କ ସୈନ୍ୟମାନେ ନଗର ଆକ୍ରମଣ କରି ତୁରନ୍ତ ତାକୁ ଧ୍ୱଂସ କଲେ; ଲୁଣ୍ଠନ କରି ଯାହା ପାଇଲେ ସବୁ ନିଜ ମଧ୍ୟରେ ବାଂଟିନେଲେ । ରୂପଧର ସେମାନଙ୍କୁ କହିଲେ “ଯେତେ ଶୀଘ୍ର ପାର ଏଠାରୁ ଚାଲିଯିବା ଉଚିତ୍ ।” କିନ୍ତୁ ସୈନ୍ୟମାନେ ତାଙ୍କ କଥା ପ୍ରତି ତିଳେ ହେଲେ ମଧ୍ୟ କର୍ଣ୍ଣପାତ କଲେ ନାହିଁ । କାରଣ ସେଠାରେ ଅତି ସ୍ୱାଦିଷ୍ଟ ପାନୀୟ ମିଳୁଥିଲା । ସୈନ୍ୟମାନେ ଖୁବ୍ ପିଇଲେ । ତା’ପରେ ସମୁଦ୍ରକୂଳକୁ ଆସି ଲୁଣ୍ଠିତ ପାଳିତ ପଶୁ ମାନଙ୍କ ମଧ୍ୟରୁ କେତେକଙ୍କୁ ପୋଡି ଖାଇ ଦେଲେ ।
ଇତି ମଧ୍ୟରେ ଅତ୍ୟାଚାରିତ କିକୋଲିଅନ୍ ମାନେ ଯୋଦ୍ଧାମାନଙ୍କୁ ଧରି ଫେରିଲେ । ସକାଳୁ ଉଠି ସେମାନେ ପ୍ରଥମେ ରୂପଧରଙ୍କ ସୈନ୍ୟମାନଙ୍କ ଉପରେ ଆକ୍ରମଣ କଲେ । ଫଳରେ ଘମାଘୋଟ ଯୁଦ୍ଧ ହେଲା । କିକୋଲିଅନ୍ଙ୍କ ସଂଖ୍ୟା ଯେହେତୁ ଅଧିକ ଥିଲା । କ୍ରମେ ରୂପଧରଙ୍କ ସୈନ୍ୟମାନଙ୍କ ସଂଖ୍ୟା କମିବାରେ ଲାଗିଲା । ବହୁତ ଗ୍ରୀକ୍ ସୈନ୍ୟ ମରିଗଲେ । ତେଣୁ ବାକି ଅଳ୍ପ ସଂଖ୍ୟକ ସୈନ୍ୟ ଧରି ରୂପଧର ପ୍ରାଣପଣେ ଚେଷ୍ଟା କରି ଜାହାଜ ଭିତରକୁ ପଳାଇ ଆସି ଜାହାଜ ସେଠାରୁ ତୁରନ୍ତ ଛାଡିଦେଲେ ।ସମୁଦ୍ରରେ ଅଳ୍ପ ବାଟ ଯିବା ପରେ ହଠାତ୍ ପୂର୍ବଦିଗରୁ ପ୍ରଚଣ୍ଡ ପବନ ହେଲା । ସେହି ପବନର ଜୋର୍ରେ ପାଲ ଛିଣ୍ଡି ଖସିପଡିଲା । ନୌକା କୁଆଡେ ଯେ ଭାସି ଚାଲିଥାଏ, କିଛି ଜାଣି ହେଉ ନଥାଏ । ରୂପଧର କୌଣସି ମତେ ନୌକାକୁ କୂଳକୁ ନେବାକୁ ଆଦେଶ ଦେଲେ । ବଡକଷ୍ଟରେ ନୌକାମାନେ କୂଳକୁ ଆସିଲେ । ଦୁଇଦିନ ପର୍ଯ୍ୟନ୍ତ ଅନ୍ଧାର ଘୋଟି ରହିଥାଏ ଓ ବର୍ଷା ଚାଲିଥାଏ ।
ଦୁଇଦିନ ଯାଏଁ ସେମାନେ ଆଦୌ ସୂର୍ଯ୍ୟଙ୍କୁ ଦେଖି ନଥା’ନ୍ତି । ତୃତୀୟଦିନ ସୂର୍ଯ୍ୟୋଦୟ ଦେଖିବା ପରେ ସେମାନଙ୍କ ଦେହରେ ପ୍ରାଣ ସଂଚାର ହେବା ପରି ଲାଗିଲା । ସେମାନେ ମାସ୍ତୁଲ୍ରେ ପାଲ ପୁଣି ବାନ୍ଧି ନୌକା ମେଲିଦେଲେ । ପବନ ବେଗରେ ନୌକା ବେଶ୍ ଚାଲିଥାଏ । ଚାରିଦିନର ଯାତ୍ରା ପରେ ସେମାନେ ମହିଆରେରେ ପହଁଚିଲେ । ସେହିଠାରୁ ଉତ୍ତରରେ ଯାଇଥିଲେ ନିଜ ଦେଶରେ ପହଁଚି ପାରିଥାନ୍ତେ । କିନ୍ତୁ ସେମାନେ ପୁଣି ଆଗକୁ ଚାଲିଲେ । ଭୟଙ୍କର ପବନ ହେତୁ ନୌକାମାନେ ନଅଦିନ ନଅରାତି କାଳ ଭାସି ଭାସି ଏକ ତଟରେ ଆସି ଲାଗିଲେ । ସୈନ୍ୟମାନେ ସ୍ୱଦେଶକୁ ଫେରିବାପାଇଁ ଚାହୁଁଥିଲେ । କିନ୍ତୁ ବାତାବରଣ ସେମାନଙ୍କର ଅନୁକୂଳ ନଥିଲା । ସେମାନଙ୍କର ଭୟ ହେଲା ବହୁତ ଦିନ ଏପରି ନିରୁଦ୍ଦିଷ୍ଟ ଭାବରେ ଭାସିବାକୁ ହେବ । ଅବଶେଷରେ ନୌକାସବୁ ଯାଇ ଯେଉଁ ତଟରେ ଲାଗିଲେ, ସେଠାକାର ବାସିନ୍ଦାମାନେ ଏକ ପ୍ରକାର ଫଳ ଖାଆନ୍ତି ଯାହାରକି ମାଦକଦ୍ରବ୍ୟ ପରି ପ୍ରଭାବ ଥାଏ । ସେହି ଫଳ ଅତ୍ୟନ୍ତ ମିଠା, ତାହା ମଧ୍ୟରେ ମଞ୍ଜି ବା ଟାକୁଆ ଆଦୌ ନାହିଁ । ଏହାକୁ ଖାଇଲେ ମଣିଷ ପୁରୁଣା କଥା ସବୁ ଭୁଲିଯାଏ । ପୃଥିବୀର କୌଣସି ବିଷୟରେ ତା’ର ଚିନ୍ତା ରହେନାହିଁ । ନିଜର କଳ୍ପନା ଜଗତରେ ସେ ଖାଲି ବିହାର କରୁଥାଏ । ନିଜ ପରିବାରର ଭଲମନ୍ଦ ସେ ମନେରଖି ପାରେ ନାହିଁ । ସେ ଫଳ ରସ ଖାଇ ସବୁ ଭୁଲିଯାଏ ଏବଂ ପୁଣି ଖାଏ । ଅତି ଆନନ୍ଦରେ ସେଠି ସେ ରହିଥାଏ ।
ଏସବୁ କଥା ତ ରୂପଧର ଜାଣି ନଥିଲେ । ତାଙ୍କ ଅନୁଚରମାନେ ଖାଦ୍ୟମାନ ତିଆରି କରୁଥା’ନ୍ତି ଓ ଖାଉଥାନ୍ତି । ଥରେ ରୂପଧର ତିନିଜଣ ସୈନ୍ୟଙ୍କୁ ଡାକି କହିଲେ, “ଯାଇ ଦେଖିଆସ, ଏହି ତଟରେ ଥିବା ଗ୍ରାମରେ ଲୋକମାନେ କି ପ୍ରକାରର ।”ତହୁଁ ସୈନ୍ୟ ତିନିଜଣ ସାହସ କରି ଯାଇ ଜନପଦରେ ପହଁଚିଲେ ଓ ସେଠାକାର ଲୋକମାନଙ୍କ ସହ ମିଶିବାର ଚେଷ୍ଟା କଲେ । ସଫଳ ମଧ୍ୟ ହେଲେ ।ସେଠାକାର ଲୋକମାନେ ଗ୍ରୀକ୍ମାନଙ୍କର କୌଣସି କ୍ଷତି କଲେ ନାହିଁ; ବରଂ ସେମାନଙ୍କୁ ଡାକି ଡାକି ଖାଇବାକୁ ଦେଲେ । ଖାଦ୍ୟ ଭିତରେ ଉପରୋକ୍ତ ଫଳସବୁ ଦେଲେ । ଗ୍ରୀକ୍ମାନେ ତାକୁ ସବୁ ଖାଇ ଆନନ୍ଦରେ ଗଡିଲେ ଏବଂ ଭୁଲିଗଲେ ସେମାନେ କେଉଁଥି ପାଇଁ ଏଠାକୁ ଆସିଛନ୍ତି । ସେମାନେ ଆନନ୍ଦରେ ଫଳ ଖାଇ ଚାଲିଥା’ନ୍ତି ।
ବହୁତ ସମୟ ବିତି ଯିବାପରେ, ଲୋକମାନେ ନ ଫେରିବାରୁ ରୂପଧର କିଛି ସୈନିକଙ୍କୁ ନେଇ ସେମାନଙ୍କୁ ଖୋଜିବାକୁ ବାହାରିଲେ । ସେଠାରେ ପହଁଚି ସେ ସବୁ ବୁଝିଗଲେ । ସେଠାକାର ବାସିନ୍ଦା ରୂପଧରଙ୍କୁ ମଧ୍ୟ ସେହି ଫଳ ଦେଲେ । କିନ୍ତୁ ସେ ତାହା ଖାଇଲେ ନାହିଁ । କାରଣ ସେ ସନ୍ଦେହ କଲେ ଯେ ଏହି ଫଳ ଯୋଗୁଁ ତାଙ୍କ ସୈନ୍ୟମାନଙ୍କର ଆଜି ହୁଏତ ଏଭଳି ଦଶା ହୋଇଛି ସେହି ସୈନ୍ୟମାନଙ୍କୁ ସେମାନେ ବଳପୂର୍ବକ କାନ୍ଧରେ ପକାଇ ନୌକାକୁ ନେଇ ଆସିଲେ । ସେମାନେ ଚିତ୍କାର କରୁଥା’ନ୍ତି, “ଆମେ ତୁମ ସହିତ ରହିବାକୁ ଚାହୁଁ ନାହୁଁ । ଆମେ ଏଇଠାରେ ରହିବାକୁ ଚାହୁଁ । ଏଠାରେ ଆମକୁ ଭଲ ଲାଗୁଛି ।”ରୂପଧର ସେମାନଙ୍କ ହାତ ବାନ୍ଧି ଆଣି ନୌକାରେ ପକାଇ ଦେଲେ । ସେମାନେ ନିଶାଗ୍ରସ୍ତ; ଅଧିକ ସମୟ ସେଠାରେ ରହିଲେ ବିପଦ ବୋଲି ଭାବି ଶୀଘ୍ର ଶୀଘ୍ର ରୂପଧର ନୌକା ଚଳାଇଲେ । ବହୁତ ଦିନ ସମୁଦ୍ରରେ ଭାସି ଭାସି ନୌକା ଦିନେ ରାତ୍ରିରେ ଏକ ଦେଶରେ ଯାଇ ଲାଗିଲା । ସେତେବେଳେ କୁହୁଡି ଯୋଗୁଁ କିଛି ଦେଖା ଯାଉ ନଥିଲା । ସେମାନେ କେଉଁ ଦେଶ କିଛି ନ ଜାଣି କୂଳରେ ଥିବା ବାଲି ଉପରେ ସବୁ ଆରାମ୍ରେ ଶୋଇଲେ ।
ସକାଳେ ଉଠି ସମସ୍ତେ ଚତୁର୍ଦ୍ଦିଗରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କଲେ । ମନେ ହେଉଥିଲା ଏହା ଏକ ଜନମାନବ ଶୁନ୍ୟ ଦ୍ୱୀପ । ତେଣୁ ସେମାନେ ନିର୍ଭୟରେ ଘୁରି ବୁଲିଲେ । ଦ୍ୱୀପଟି ପାଣି ଓ ନାନା ପ୍ରକାର ଫଳରେ ପୂର୍ଣ୍ଣ ଥିଲା । ଅଙ୍ଗୁରଲତା ଚାରିଆଡେ ମାଡିଥାଏ । ସେମାନେ ବୁଲୁବୁଲୁ ବଣୁଆ ଛେଳିମାନଙ୍କୁ ଦେଖିଲେ । ନୌକାକୁ ଯାଇ ଅସ୍ତ୍ର ଶସ୍ତ୍ର ନେଇ ଆସି ଅନେକେ ପଶୁ ମାରିଲେ ଓ ରାନ୍ଧି ଖାଇଲେ । ସେମାନେ ସେଠାରେ ବଡ ଖୁସିରେ ଥା’ନ୍ତି । ଅନେକ ଦୂରରେ ଜନମାନବମାନେ ଥିବାର ଲାଗିଲା । ସଂଧ୍ୟାବେଳକୁ ଦେଖାଗଲା ଯେ ବହୁ ଦୂରରେ ଘରମାନଙ୍କରୁ ଧୁଆଁ ବାହାରୁଛି । ମନେ ହେଲା ଲୋକମାନେ ରନ୍ଧାବଢା କରୁଛନ୍ତି ।ପ୍ରଭାତ ହେବା ପରେ ରୂପଧର ତାଙ୍କ ସୈନ୍ୟମାନଙ୍କୁ କହିଲେ, “ମୁଁ କିଛି ସୈନ୍ୟ ନେଇ ସାରା ଦ୍ୱୀପଟି ବୁଲି ଦେଖିବି । ସଭ୍ୟସମାଜର ଲୋକେ ଏଠାରେ ରହିଛନ୍ତି ନା ପାହାଡି ଆଦିବାସୀ ରହିଛନ୍ତି ତାହା ଦେଖି ମୁଁ ଫେରିବି । ମାତ୍ର ସେ ପର୍ଯ୍ୟନ୍ତ ତୁମେମାନେ ନୌକାକୁ ରକ୍ଷା କରି ଏଠାରେ ରହିଥାଅ ।”
ଦ୍ୱୀପକୁ ଯାଇ ରୂପଧର ବୁଝିପାରିଲେ କି ସେଠାରେ ମଣିଷଠାରୁ ଅଧିକ ବଳବାନ୍ କୌଣସି ପ୍ରାଣୀ ନିଶ୍ଚୟ ରହନ୍ତି । କାରଣ ଅତି ବିଶାଳ ଶିଳା ଖଣ୍ଡମାନ ପାହାଡରୁ ଭାଙ୍ଗି ଆଣି ତଳେ ଜମା କରା ହୋଇଥିଲା । ମହାଦ୍ରୁମ କେତୋଟି କେହି ଉପାଡି ପକାଇ ଖରାରେ ଶୁଖିବା ପାଇଁ ଛାଡିଦେଇଥିଲା । ଏସବୁ ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହେଲେ ।କିଛି ଦୂର ଯିବା ପରେ ରୂପଧର ଦେଖିଲେ ଯେ ବିଚିତ୍ର ଗୁମ୍ଫାଟିଏ ଅଛି, ତା’ ଚାରିପାଖରେ ଲତା ମାଡିଛି । ସେ ସେହିଠାରେ ନୌକା ରଖି ସଙ୍ଗରେ ବାରଜଣ ସାହସୀ ସୈନ୍ୟକୁ ନେଇ ଗଲେ । ସଙ୍ଗରେ କିଛି ପାନୀୟ ମଧ୍ୟ ନେଇଗଲେ । ସେହି ପାନୀୟ ସେ ଜଣେ ମନ୍ଦିର ପୂଜାରୀଙ୍କଠାରୁ ପାଇଥିଲେ । ସେ ନଗର ଆକ୍ରମଣ କରି ଅନେକେ ଲୋକକୁ ମାରି ପକାଇଥିଲେ । କିନ୍ତୁ ପୁଜାରୀକୁ ଛାଡି ଦେବାରୁ ସେ କୃତଜ୍ଞତା ସ୍ୱରୂପ ଏହା ଦେଇଥିଲା । ସେଥିରେ କୋଡିଏ ଗୁଣ ପାଣି ମିଶାଇ ପିଇଲେ ମଧ୍ୟ ତାହାର ସ୍ୱାଦ ଓ ସୁଗନ୍ଧ ନଷ୍ଟ ହୁଏ ନାହିଁ ।ସେମାନେ ଗୁମ୍ଫାରେ ପ୍ରବେଶ କରି ଦେଖିଲେ ସେଠାରେ କେହିବି ମଣିଷ ନାହିଁ । ଗୁଡାଏ ଛେଳି ରହିଛନ୍ତି ଓ ଏକ ବଡ ପାତ୍ରରେ ଦୁଗ୍ଧ ଭର୍ତ୍ତି ହୋଇ ରହିଛି । ସୈନ୍ୟମାନେ କହିଲେ “ଏଠାରେ ତ କାହିଁ କେହି ମଧ୍ୟ ମଣିଷ ନାହାଁନ୍ତି, ଚାଲ ଏ ଦୁଗ୍ଧ ପାତ୍ର ଓ କେତେକ ଛେଳି ଧରି ଆମେ ବରଂ ଏଠାରୁ ପଳାଇବା ।”
କିନ୍ତୁ ରୂପଧର ସେପରି କରିବାକୁ ଦେଲେ ନାହିଁ । ଅନ୍ୟ ପାତ୍ର ମାନଙ୍କରେ ବହୁତ ଲହୁଣୀ ଥିଲା; ସୈନ୍ୟମାନେ ସେସବୁ ଆରାମ୍ରେ ବସି ଖାଇଲେ । ତା’ପରେ ସେମାନେ ଅପେକ୍ଷା କରି ରହିଲେ କେତେବେଳେ ଗୁମ୍ଫାବାସୀ ସବୁ ଆସିବେ । ରୂପଧରଙ୍କର ମନେ ହେଲା, ବୋଧହୁଏ ସେହି ଗୁମ୍ଫା ଭିତରେ ମନୁଷ୍ୟ କେହି ନାହାଁନ୍ତି, ଅନ୍ୟକିଛି ପ୍ରାଣୀଙ୍କର ତାହା ଆବାସସ୍ଥାନ । ସେ ଭାବିଲେ ଗୁମ୍ଫାବାସୀ ଯଦି କୌଣସି ରାକ୍ଷସ ହୋଇଥିବ ତେବେ ଅଚାନକ ଆକ୍ରମଣ କରି ସମସ୍ତିଙ୍କୁ ମାରି ପକାଇବ ।ଯାହାହେଉ, ରୂପଧର ନିର୍ଭୟ ଥିଲେ । ଟ୍ରୋଜନରେ କାଠଘୋଡାର ବୁଦ୍ଧି ତାଙ୍କରି ଥିଲା ଏବଂ ସେଥିଯୋଗୁଁ ଗ୍ରୀକ୍ମାନେ ବିଜୟଲାଭ କଲେ । ସେ ଯାହାବି ହେଉ ଏବେ ସେ ଗୁମ୍ଫାବାସୀଙ୍କ ପାଇଁ ଅପେକ୍ଷା କରି ରହିଲେ ।ଶେଷକୁ ଗୁମ୍ଫାବାସୀ ପ୍ରାଣୀଟି ଆସିଲା । ସେମାନେ ତ ଆଗରୁ ଏଭଳି ପ୍ରାଣୀକୁ କେବେବି ଦେଖି ନଥିଲେ । ଭୟଙ୍କର ଏକ ଶବ୍ଦ ସହ ଗୁମ୍ଫା ଭିତରେ ଆସି କିଛି ପଡିଲା । ଦେଖାଗଲା ତାହା ଶୁଖିଲା କାଠର ଏକ ବଡ ବିଡା । ତା’ପରେ ସେ ପ୍ରାଣୀଟି ଗୁମ୍ଫା ଭିତରକୁ ପଶିଲା । ବିଲେଇକୁ ଦେଖି ମୂଷାମାନେ ଡିଆଁମାରିବା ପରି ଗ୍ରୀକ୍ ସୈନ୍ୟମାନେ ଭୟରେ ଏଠି ସେଠି ଯାଇ ଲୁଚିଲେ । ରୂପଧର ବଡ ନିର୍ଭୀକ ସ୍ୱଭାବର ଥିଲେ । ସେ ପ୍ରାଣୀଟି ବିଷୟରେ ଅଧିକ ଜାଣିବାକୁ ଚାହିଁଲେ ଓ ଲୁଚିରହି ତାକୁ ପର୍ଯ୍ୟବେକ୍ଷଣ କଲେ ।
ସେ ପ୍ରାଣୀଟିର ଉଚ୍ଚତା ତାଳଗଛ ପରି ଥିଲା । ତା’ର କପାଳରେ ଗୋଟିଏ ଆଖି ସର୍ବଦା ଜଳୁଥାଏ । ସେ ଛେଳିମାନଙ୍କୁ ଗୁମ୍ଫା ଭିତରକୁ ଡାକି ଆଣିଲା ଓ ଗୁମ୍ଫା ମୁହଁରେ ପଥର ମାଡି ଦେଲା । ତା’ପରେ ସେ ଛେଳି ମାନଙ୍କଠାରୁ ଦୁଗ୍ଧ ଦୋହନ କରିବାରେ ଲାଗିଲା ।ସେହି ବ୍ୟକ୍ତି ଜଣକ ଏକଲୋଚନ ଜାତିର ଥିଲା । ସେମାନେ ନିଜ ନିଜର ସୁଖଃଦୁଃଖ ନେଇ ଚଳନ୍ତି । କାହାରି କାହା ସହିତ କିଛିବି ସମ୍ପର୍କ ନଥାଏ । ନିଜ ନିଜ ଗୁମ୍ଫାରେ ରହନ୍ତି ଓ ଅନ୍ୟର କ୍ଷତି କରନ୍ତି ନାହିଁ । ସମବେତ ଜୀବନ ପ୍ରାୟ ସେମାନଙ୍କର ନାହିଁ ।ସେଠାକାର ଜମି ବଡ ଉର୍ବର । ତେଣୁ ଚାଷ ନକରି ମଧ୍ୟ ସେମାନେ ଖୁସିରେ ଯଥେଷ୍ଟ ଖାଦ୍ୟ ସଂଗ୍ରହ କରନ୍ତି । ବର୍ଷକରେ ଥରେ ଫସଲ କାଟନ୍ତି । ଫସଲ ଆପେ ଆପେ ବଢିଥାଏ । କିନ୍ତୁ ବର୍ଷସାରା ପଶୁଜନ୍ତୁଙ୍କୁ ନେଇଥାନ୍ତି । ଦୁଧ ଦୁହିଁ ଚଳନ୍ତି । ଏତେ ଦିନ ସମୁଦ୍ର ତଟରେ ବାସ କଲେ ମଧ୍ୟ ନୌକାର ଚଳନ ଜାଣନ୍ତି ନାହିଁ । ସେମାନଙ୍କର ସାମାଜିକ ଜୀବନ ମୋଟେ ନାହିଁ କହିଲେ ଚଳେ ।ସେ ଅଦ୍ଭୁତ ତଥା ଭୟଙ୍କର ପ୍ରାଣୀକୁ ଦେଖି ରୂପଧରଙ୍କ ସୈନ୍ୟମାନେ ଭୟରେ ଶେତା ପଡିଗଲେ । ରୂପଧର ସେମାନଙ୍କୁ ଇଙ୍ଗିତରେ ସାହସ ଦେଉଥାନ୍ତି । ସେମାନେ କାଳେ ଭୟରେ ଚିତ୍କାର କରିବେ, ତାଙ୍କର ସେ ଭୟ ମଧ୍ୟ ଥାଏ ।ପ୍ରାଣୀଟି ଢଳି ଢଳି ଚାଲୁଥାଏ । ମନକୁ ମନ କ’ଣ ସବୁ କହୁଥାଏ । ସେ ମୃଦୁ କଣ୍ଠରେ କହିଲେ ବି ତା’ ଆବାଜ୍ରେ ଗୁମ୍ଫା ଭିତରଯାକ ଥରି ଉଠୁଥାଏ । ପ୍ରାଣୀଟି ଦୁଧ ଦୁହିଁବା ପରେ ଅଧେ ଗୋଟିଏ ପାତ୍ରରେ ଢାଳି ଲହୁଣୀ କାଢିଲା । ଅଧେ ପିଇବା ପାଇଁ ରଖିଲା ଓ ଚୁଲି ଲଗାଇଲା । ଚୁଲିର ନିଆଁରେ ଗ୍ରୀକ୍ ସୈନ୍ୟମାନଙ୍କୁ ସେ ଦେଖି ପାରି ବଡ ଭୟଙ୍କର ଶବ୍ଦ କରି ଚିତ୍କାର କଲା, “ତୁମେ ସବୁ କିଏ? ଏଠାରେ କ’ଣ କରୁଛ?” ତା’ର ଏହି ଚିତ୍କାରରେ ଗୁମ୍ଫା କମ୍ପି ଉଠିଲା ।