• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ରାଣ୍ଡୀପୁଅ ଅନନ୍ତା/Randipua Ananta
ଗଳ୍ପ

ରାଣ୍ଡୀପୁଅ ଅନନ୍ତା/Randipua Ananta

suchitraBy suchitraFebruary 4, 2022No Comments26 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ସୁବଳା ମହାକୁଡ ଓରଫେ ସୁବଳ ସିଂହର ବାପ ଅମଳରୁ ଗୋଟିଏ ମଇଁଷି ପଲ ଥିଲା । ମହାକୁଡ ହରିଶପୁର ବଣ ଭିତରେ ପଲାରେ ସବୁବେଳେ ଥାଏ । ଘରକୁ ସେ କେବେବି ଆସେ ନାହିଁ । ଶୀତ, ବର୍ଷା, ଖରା ସବୁ ତା’ ପକ୍ଷରେ ସମାନ । ହେଲେ ବର୍ଷାଦିନଟା ତା’ଲାଗି ବଡ ଆନନ୍ଦର ଦିନ । କାହିଁକିନା ସେତେବେଳେ ଚରା ଢେର୍ ମିଳେ, ତାଛଡା ମଇଁଷିଗୁଡାକ ବି ବଡ ଦୁଧିଆଳୀ ହୁଅନ୍ତି । ତାଳପତ୍ର ଟୋପରଟିଏ ମୁଣ୍ଡରେ ଦେଇ ଚିତେ ଉଂଚା ବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ ଦିନଯାକ ମଇଁଷିଙ୍କ ପଛେ ପଛେ ସେ ଧାଇଁଥାଏ । କାହିଁ ଆଣ୍ଠୁଏ, କାହିଁ ଅଂଟେ ପାଣି, ଦେହଯାକ ତା’ର କାଦୁଅ ଲଟପଟ, ଏଟା ତା’ର ଭାରି ଆନନ୍ଦ । ମହାକୁଡର ଆଉ ଦିନେ ଘର ଦରକାର ନାହିଁ । ରନ୍ଧାବଢା ଲାଗି ବର୍ଷା ଦିନେ ଗୋଟିଏ ପଲା ଦରକାର । କେତେଟା ଡାଳ ପୋତି ତାହା ଉପରେ ବିଡାକେତେ ବେଣାଘାସ ପକାଇ ଦେଇ ସେ ଗୋଟିଏ ପଲା ତିଆରି କରେ । ପଲାଟା ନିହାତି ନୁଆଁଣ । ବସି ବସି ଭିତରକୁ ଯାଏ । ବସି ବସି ଭାତ ରାନ୍ଧେ । ଠିଆହେଲେ ପଲା ମୁଣ୍ଡରେ ବାଜିବ । ସେ ପଲା ଚାରିପାଖ ବାଡ ନାହିଁ; କାରଣ ରାତିରେ ପଲା ଭିତରେ ଶୋଇଥିଲେ ବାହାରୁ ଯଦି କେନ୍ଦୁଆ ଆସି ମଇଁଷି ବାଛୁରୀ ଘେନିଯାଏ, ତାହା ମୋଟେ ଦିଶିବ ନାହିଁ । ରାତିରେ ପଲା ଭିତରେ ଡେମ୍ଫେ ଉଂଚା କଠୋଉ ଯୋଡାକ ମୁଣ୍ଡତଳେ ଦେଇ ଟୋପରଟାରେ ମୁହଁ ଢାଙ୍କଦିଏ । ଖାଲି ମୁହଁଟାରେ ପାଣି ନ ପଡିଲେ ହେଲା । ତା’ ଚାରିପାଖେ ମଇଁଷି ପିଲାଗୁଡିଙ୍କୁ ଗୋଡରେ ଦଉଡି ଲଗାଇ ଖଟାଇ ପକାଏ । ବର୍ଷାହେଲେ ମଇଁଷିପିଲାର ମଇଳା ଓ ମୂତ ଧୋଇଆସି ସେହି ପଲା ଭିତରେ ଲହଡି ଖେଳୁଥାଏ । ମହାକୁଡ ତାହାରି ଉପରେ ଚେଙ୍ଗ ମାଛ ପରି ଖାଲି ଲଟପଟ ହେଉଥାଏ ।

ମଇଁଷିଗୁଡାକ ବସା ଚାରିପାଖେ ବଣ ଆଡକୁ ମୁହଁ କରି ଶୋଇଥାନ୍ତି । ରାତି ତିନିପହର ସରିକି ମଇଁଷିଗୁଡାକ ଉଠି ବଣକୁ ଚରିଯାନ୍ତି । ସେତେବେଳୁ ମହାକୁଡ ଜାଗ୍ରତ ଥାଏ । ଠେଙ୍ଗାଟି ତା’ ପାଖରେ ପଡିଥାଏ; କାରଣ ଠିକ୍ ସେତିକିବେଳେ ନେକଡିଆ ଆସି ବାଛୁରୀଟା ଘେନି ପଳାଇ ପାରେ । ବଣ ଭିତରେ ମଇଁଷି ଗୋଟାଏ ନାକସିଟକା ଦେଲେ ବାଘ ଆସିଛି ବୋଲି ମହାକୁଡ ଜାଣିପାରେ । ଆରେ ରେ-ରେ କୁହାଟଟା ମାରି ଦେଲେ ଯେଡେ ବାଘ ହେଲେ ବି ସେ ଛାଡି ପଳାନ୍ତି । କାହିଁକିନା ବାଘଗୁଡାକ ମହାକୁଡ ଡାକ ବାରିପାରନ୍ତି । ବଣରେ ଯିମିତି କୁକୁଡାଗୁଡାକ କୁକ୍କୁ-କୁ କରିବେ ମଇଁଷିପଲ ବସାକୁ ନେଉଟି ଆସନ୍ତି । ସେତିକିବେଳେ ମହାକୁଡ ଦୁହାଁଳୀ ମଇଁଷିଗୁଡାଙ୍କୁ ଛନ୍ଦି ଦୁହିଁ ପକାଏ । ଦିନ ଘଡିକ ସରିକି ମହାକୁଡାଣୀ ଦେବକୀ କାଣ୍ଡିଆକୁଣ୍ଡା ମିଶା ସେରେ ଚାଉଳର ଗୋଟିଏ ପୋଡପିଠା, ପାଂଚସେର ଅକାଣ୍ଡିଆ ବରଗଡା ଚାଉଳ ଆଉ ଧୂଆଁପତ୍ର ବିଡେ ଧରି ଗୋଠରେ ଯାଇ ହାଜର । ମହାକୁଡର ସେତିକି ମାତ୍ର ଦୈନିକ ଖାଦ୍ୟ । ସକାଳୁ ପିଠାଟି ଖାଇଦେଇ ସେରେ ନିରୁତା ମଇଁଷି ଦୁଧ ପିଇଦିଏ । ଦିନ ଦୁଇ ପହର ସରିକି ଅଢେଇସେର ଚାଉଳ ଟିକିଏ ଫୁଟାଫୁଟି କରିଦିଅନ୍ତି । ବଣରୁ ଯଦି କିଛି କାଙ୍କଡ, ଡଙ୍କ, ମଟକା, ଫୁଟଗୁଡୀ ମିଳିଥାଏ, ତାକୁ ସେଇ ଚାଉଳରେ ପକାଇ ଦେଇଥାଆନ୍ତି । ତରକାରି ପାଇଁ ଶୋଚନା ନ ଥାଏ । ବଖତରେ ୨ ସେର ଚାଉଳ ଦୁଇସେର ନିରୁତା ମଇଁଷି ଦୁଧ ମୂଳ ଖାଦ୍ୟ । ବୋଇଲା ।

‘ମଇଁଷି ମଣେ ନୁହା ଚଣାଖିଆ,

ଘୁଷୁରି ମଣେ ଧାଈ ।’

ମହାକୁଡାଣୀ ଚାଉଳ ପିଠା ସେତିକ ଦେଇ ଘରର ଦୁଃଖସୁଖ, ଗାଁର ହାଲଚାଲ, ବନ୍ଧୁବାନ୍ଧବ ଖବରାଖବର କହି ନିତି ଦୁଧ କଳସୀଟି ମୁଣ୍ଡରେ ମୁଣ୍ଡେଇ ଘରକୁ ବାହୁଡିଆସେ । ଗ୍ରୀଷ୍ମକାଳରେ ମହାକୁଡକୁ କିଛିଟା ହରବରରେ ପଡିବାକୁ ହୁଏ । ବଣରେ ନାହିଁ ପାଣି, ଏଣେ ମଇଁଷିଗୁଡାକ ଦୁଇପହରଯାଏଁ ଜଳଜନ୍ତୁ ପରି କାଦୁଅ ପାଣିରେ ଡୁବିବେ, ନାକଟି ଖାଲି ସେମାନଙ୍କର ଦିଶୁଥାଏ । କ’ଣ କରିବେ? ବଣରୁ ବାହାରି ପାଟକୂଳରେ ଆସି ପଡନ୍ତି । ସେଠାରେ ତ ପାଣି ଆଉ ଚରାର କୌଣସି ଅଭାବ ନ ଥାଏ । ତେଣୁ ମହାକୁଡେ ବଡ ଗୋଟାଏ ତାଳପତ୍ର ଛତା ସେହି ପାଟକୂଳରେ ପୋତିଦେଇ ତାହାରି ଭିତରେ ରୋଷେଇବାସ କରନ୍ତି ଓ ରାତିରେ କଠଉ ଯୋଡାକ ମୁଣ୍ଡରେ ଦେଇ ତେଲଗୁଣି ପୋକପରି ମୋଡିମାଡି ହୋଇ ଶୁଅନ୍ତି । ଶୋଇବା ପାଖରେ ଦୁଇ ତିନି ଗାଦି ମଇଁଷି ଗୋବର ଘଷିରେ ଧୂଆଁ ଜଳୁଥାଏ । ତେବେ ସୁଦ୍ଧା ପାଟକୂଳରେ କାଳିଆ କାଳିଆ ଡେଙ୍ଗାଗୋଡିଆ ବଡ ବଡଟା ମାନେ – ଏତେ ମଶା ଯେ ସମ୍ଭଳା ପଡେ ନାହିଁ । ମହାକୁଡ କ’ଣ କରିଥାନ୍ତି କି, ପାଟ ଭିତରୁ ହାଣ୍ଡିଏ ପଙ୍କ ଆଣି ଗୋଡ ଆଙ୍ଗୁଠିଠାରୁ ଅଂଟାଯାଏଁ ଲେପିଦେଇ – ‘ଯା ଗିହାଳୁ ଭାଇଏ ମଶା’ କହି ଶୋଇପଡେ । ପିଠି ହାତ ତା’ର ପୋଡି ଉଠିଲେ ଚାପଡା ଚାପଡାକେ ଦୁଇ ତିନି ପୁଞ୍ଜା ମଶା ଦଳି ହୋଇଯାଏ । ଟିକିଏ ନିଦ ଭାଙ୍ଗିଗଲେ, ‘ଆଲୋ ମାଳତୀ! ଆଲୋ ଶୁକ୍ରୀ! ଆଲୋ କାଳୀ!” କୁହାଟି ଦିଅନ୍ତି । ମଇଁଷିଗୁଡାକ ବି ଏ ମହାକୁଡ କଥା ଠିକ୍ ଠିକ୍ ବୁଝନ୍ତି, ଯେତେ ଦୂରରେ ଥିଲେ ବି ସେମାନେ ପାଖକୁ ଆସନ୍ତି । ଓଲିଆ ମଇଁଷି ବେକରେ କାଠଘଂଟି ବନ୍ଧା ଥାଏ, ଫାଶ ଫନ୍ଦା ଡାଳୁଅ ବିଲରେ ପଡିଲେ ଧାଇଁଯାଇ ସେ ବାଡେଇ ଆଣନ୍ତି ।

ବର୍ଷେ କ’ଣ ହେଲା କି ଅଚାନକ କାହୁଁ ଠାକୁରାଣୀ ଆସି ପଲରେ ପଶିଗଲା । ଦିନ ଆଠଟା ଭିତରେ ଅଢେଇ ବୋଡିଆ ପଲଟା ଏକାବେଳକେ ପଟାରୁଟ୍ । ମହାକୁଡଙ୍କର ତ ଅଂଟା ବସିଗଲାଣି । ତେଣୁ ସେ ଖାଲି ଗାଲରେ ହାତ ଦେଇ ବସିଥାଆନ୍ତି । ମହାକୁଡାଣୀ ଆସି ତାଙ୍କୁ କହିଲେ, ‘କିରେ ମହାକୁଡ! ତୁ ଇମିତି ବସି ଭାବୁଚୁ କିଆଁ? ତୋର ପରା ଅଂଟା ବସିଗଲାଣି, ଓହୋ! ଏଥି ଲାଗି ଗୋଟାଏ ଭାବନା? ଯା ହବାର ଥିଲା ହେଲା । ଆରେ ମୋ ଭାଇ ଗୋଠରୁ ବୃନ୍ଦା ବାରିକ ଗୋଠରୁ ଦୁଧ କାଟ ଆଣି ଲଗାଇ ଦେବି ବେପାର । ବର୍ଷ ଦି’ଟା ଭିତରେ ଯେ ପଲକୁ ସେ ପଲ ଗୋଟି ଗୋଟି ଗଣି ନେ ।”

ମହାକୁଡ କ’ଣ କଲେ କି ଠାକୁରାଣୀ ଦାଢବାହୁଡା ପିଲାପିଚିକା ଯେ ଦୁଇ ଚାରିଖଣ୍ଡ ଲାଙ୍ଗୁଡ ଥିଲା, ବିକିବାକି ପକାଇ ଜମିଦାରର ଚାରି ପଲରେ ଶେଠ ହେଲେ । ଏଡେବଡ ଚାକିରି ହେବାରୁ ସେ ମହାକୁଡାଣୀ ତ ବଡ ଖୁସି । ସେହିଦିନଠୁଁ ଗାଁରେ ତାକୁ କେହି ଶେଠାଣୀ ନ କହିଲେ ସେ ଭାରି କଳି କରେ, ମାଇକିନିଆ ହେଉ କି ମିଣିପ ହେଉ ତାକୁ ସେ ବାଡେଇବାକୁ ଧାଏଁ ।

ଶୀତଦିନିଆ । ପୁଲିସ୍ ସାହେବ ମକ୍ରାମପୁର ଫାଣ୍ଡି ତଦାରକ କରିବାକୁ ଯାଇଥିଲେ । କାହିଁକିନା ଫାଣ୍ଡି ପାଖ ତୋଟାରେ ଡେରା ପଡିଥାଏ । ଡେରା ପାଖକୁ ଅଧକ୍ରୋଶ ଦୂରରେ ପାଟ । ସେହି ସ୍ଥାନଟି ସରାଳି, କାଜ, ମାଣିକଯୋଡ, ଜଳଫିମ୍ପି, ପାଣିହଂସ, ଚକୁଆ, ଦା-ବେକିଆ, ବଗ ଚଢେଇରେ ଭର୍ତ୍ତି । ସାହେବଙ୍କ ନଜର ଯିମିତି ସେଠାରେ ପଡିଗଲା, ତତ୍କ୍ଷଣାତ୍ ବନ୍ଧୁକ କାନ୍ଧରେ ପକାଇ ସେ ଶିକାରକୁ ବାହାରିଲେ । ତାଙ୍କ ପଛରେ ଚାରିଜଣ କନେଷ୍ଟବଳ, ଆଠ ଦଶଜଣ ଚୌକିଦାର ମୁଣ୍ଡରେ ଲାଲ୍, କଳା, ହଳଦିଆ ଛିଣ୍ଡା ପାଗ ଖଣ୍ଡେ ଖଣ୍ଡେ ଗୁଡାଇ ଚିତେ ଚିତେ ବାଉଁଶ ଢେଙ୍କ କାନ୍ଧରେ ପକାଇ ଧାଇଁଛନ୍ତି । ସାହେବ ପାଟକୂଳରେ ପହଂଚି ଯିମିତି ବନ୍ଧୁକଟା ଦୁମ୍ କରି ଆୱାଜ୍ କଲେ ହଜାର ହଜାର ଚଢେଇ ତ କେଁକଟର କରି ଆକାଶରେ ଉଡି ଚକର ଦେଇ ଘୂରିଲେ । ବୋଧହୁଏ ସେମାନେ ତଳକୁ ଅନାଇ ବିଚାର କରୁଥିବେ ‘କାଳେ ବେଳେ ଦେଖା ନାହିଁ କି ଶୁଣା ନାହିଁ, ଆଜି ଏଟା କଣ? ଏଟା ତ ଧଳା ମଣିଷ ପରି ଦିଶୁଛି, ଏଟା କ’ଣ? ସେମାନେ ଆପଣା ଆପଣା ଭିତରେ ଯେଉଁ କଥାଭାଷା ହେଉଥିଲେ ସେଇଟାକୁ ଆମେ କହୁଛୁ ‘କେଁ କଟର ।”

ଯୋଡାଏ କାଜ ଦେହରେ ଛିଟା ବାଜି ସେମାନଙ୍କ ଡେଣା ଓ ଗୋଡ ଭାଙ୍ଗିଗଲା । ହେଲେ କ’ଣ ହେଲା ଠା ନ ପଡି ଖଣ୍ଡିଉଡାଦେଇ ଯାଇ ପାଟ ମଝିରେ ପଡିଲା । ସେଠିକି ବା ଆଉ ଯାଉଛି କିଏ, ସାହେବ ତ ସମସ୍ତଙ୍କ ମୁହଁକୁ ଅନାଉଛନ୍ତି । ଜଣାଅଛି ପାଟମଝିଟା ତାଳେ ଗହୀର । ଆହୁରି ପୁଣି ସେଠାରେ ମଣିଷଖିଆ କୁମ୍ଭୀର ଯୋଡାଏ ଥିବାର ବି ଶୁଣାଅଛି । ସେଠାକୁ ଗଲେ କନେଷ୍ଟବଳ ମାନଙ୍କର ତ ଡ୍ରେସ୍ ଭିଜିଯିବ । ଏ ଚଉକିଆଗୁଡାକ ତ ଗାଉଁଲିଆ, ପହଁରି ଜାଣନ୍ତି ନାହିଁ । ଅସଲ କଥା, କାହାରି ମନକୁ ଭରସା ଖଟୁ ନାହିଁ ଯେ ସେଠାକୁ ଯିବ କିଏ । ସାହେବ ନୋହିଲେ ଜରିମାନା କରିବ, ନହେଲେ ଚାକିରି ଛଡାଇ ଦେବ, ଜାଣିଶୁଣି ଗୋମୁହାଁ କୁମ୍ଭୀର ମୁହଁକୁ କି ଯିବା? ସେତିକିବେଳେ କ’ଣ ହେଲା କି ଆମ୍ଭମାନଙ୍କ ଶେଠେ ପଲ ତନଖି କରିବାକୁ ଯାଇ ସେଠି ପାରିଧି ଦେଖୁଥିଲେ । କୁହା ନାହିଁ କି ବୋଲା ନାହିଁ, କ’ଣ ତାଙ୍କ ମନକୁ ଆସିଲା ହୁଡ ହୁଡ କରି ପାଣିରେ ସେ ପଶିଗଲେ । ଦଣ୍ଡକ ଭିତରେ ସେ କାଜ ଦୁଇଟାକୁ ଆଣି ସାଇବ ଆଗରେ ଥୋଇଦେଲେ । ଏଥର ସେ ସାଇବ ତ ମହାଖୁସି । ଗୋଡରୁ ମୁଣ୍ଡଯାଏଁ ସେ ତିନିଥର ଅନାଇଲେ, ପଂଚହତା ମର୍ଦ – ତା ବାହୁ ଯୋଡାକ ଗୋଲ ଗୋଲ, ମୋଟା ମୋଟା ଦୁଇ ହାତର ରେକା ପାଇବ ନାହିଁ, ମୁଠୁଣିଏ ଚଉଡା ଛାତି, ଚକା ମୁହଁ, ଚଉଡା ନାକ, ଜଙ୍ଘଗୁଡାକ ସଳଖ ମୋଟା ଶାଳଗଜା ପରି । ସାଇବ ଭାରି ଖୁସି ହୋଇ ତାକୁ ପଚାରିଲେ, ‘ତୁମ୍ କୋନ ହେୟ?” ‘ମଣିମା, ମୁଁ ଜମିଦାର ପଲର ସୁବଳ ଶେଠ ।” ସାହେବ – ‘ତୁମ୍ କନେଷ୍ଟବଳ ନୌକରି କରେଗା?” ଏହା ଶୁଣି ଶେଠିଏ ଟିକିଏ ଗୁମ୍ମାରି ରହିଲେ । ଦଣ୍ଡକ ବାଦ୍ ସେ କହିଲେ, ‘ମୁଁ ଘରଆଡେ ନ ବୁଝି କହିପାରୁ ନାହିଁ ।” ମାତ୍ର ସେ ସାହେବ ଏଥିରୁ କିଛି ବି ବୁଝିପାରିଲେ ନାହିଁ । କେବଳ ଜମାଦାର ମୁହଁକୁ ସେ ଚାହିଁଲେ, ସେ ଜମାଦାର ଇଂରେଜୀ ପଢୁଆ ବୋଲି ଚୌକିଦାରମାନଙ୍କୁ ତ ଭଲ ଭାବରେ ଜଣା । ଆମ୍ଭେମାନେ ଜାଣୁ ସେ ଫାଷ୍ଟବୁକ୍ ଖଣ୍ଡକ ବିଲ୍କୁଲ୍ ପଢିଥିଲେ, ଆଉ କାଗଜରେ ଇଂରେଜୀରେ ଦସ୍ତଖତ କରନ୍ତି । ତେଣୁ ସେ ମହାକୁଡ କଥା ଇଂରେଜୀରେ ସାହେବକୁ ବୁଝାଇଦେଲେ । ‘Sir, this guala Mahakur said he ask his wife. If he tell, he will constable.” । ଏହା ଶୁଣିବା ପରେ ସେ ସାହେବ ମନ ମଧ୍ୟରେ ଟିକିଏ ହସିଲେ । ଅସଲ କଥାଟା ବୁଝିବାକୁ ତାଙ୍କୁ ଦି’ ମିନିଟ୍ ଡେରି ହେଲା । ତା’ପରେ ତାଙ୍କ ପକେଟରୁ ନୋଟବୁକ୍ ବାହାର କରି ସେ ଲେଖିଲେ, ‘Subal Singh is fit to be a constable. He seems to be a clever man. He is stout and strong and knows how to show respect to the fair sex.” ହୁକୁମ ଦେଲେ, ‘ତୁମ କାଲ୍ ଫଜର୍ ଡେରାକା ପାଶ୍ ହାଜର ହୋ ।’

ସୁବଳ ସିଂହ ସାହେବଙ୍କ ଅର୍ଦ୍ଦଳି । ସାହେବ ତ ଭାରି ଶିକାରପ୍ରିୟ । ଶିକାର ସରଞ୍ଜାମ ତାହା ଜିମା ଥାଏ । ସୁବଳ ସିଂହ ନ ଥିଲେ ସାହେବ ଶିକାରକୁ ଆଦୌ ବାହାରି ପାରନ୍ତି ନାହିଁ । ସୁବଳ ଉପରେ ସାଇବଙ୍କ ଏପ୍ରକାର ଅନୁଗ୍ରହ ଦେଖି ଭଲ ଭଲ ଲୋକମାନେ ତାହାର ଅନୁସରଣ କରିଥାନ୍ତି । ସେଥିରେ ତାହାର ଦର୍ମା ମାସିକ ୯ ଟଙ୍କା ଛଡା ଉପୁରି ଦି’ ଚାରିପଇସା ବେଶ୍ ରୋଜଗାର ହୁଏ । ହେଲେ ସବୁ ଦେବକୀ ହିସାବ କରିନିଏ । କେବେ କାଳେ ସିଂହର ଟଙ୍କେ ମଷେ ବେଜାୟ ଖରଚ ଧରାପଡିଲେ ସେ ଦେବକୀ ଭାରି ଖପା ହୋଇ ସୁବଳଙ୍କୁ ଗାଳିଦିଏ – ‘କାଠଖିଆ, ତୁ ତ ଟଙ୍କା ଏଇରକମ ଉଡେଇବୁ, ପରଘର ଗୋଲାମି କରୁଛ କିଆଁ?” ଆଉ ଗୋଟିଏ କଥା, ମା’କୁଡ ସିଙ୍ଗ ହେଲାରୁ ଦେବକୀ ନାମ ହେଲା ସିଙ୍ଗାଣୀ ସେ ଆପେ ଗାଁଯାକ ଏହି ନାମ କହି ଆସିଲା । ସିଂହଙ୍କର ଦୁଇ ତିନି ବରଷ ଚାକିରି ବାଦେ ଥରେ ପୁଲିସ ସାହେବ, ମେଜେଷ୍ଟର ସାହେବ ମିଶି ଡୋମପଡା ବଣକୁ ଶିକାର କରି ଯାଇଥିଲେ । ମେଜେଷ୍ଟର ସାହେବ ସେଠାରେ ଗୋଟେ କେନ୍ଦୁଆକୁ ଯିମିତି ଗୁଳି କରିଛନ୍ତି, ହେଲା ଅଂଟାଗୁଳି, କେନ୍ଦୁଆଟା ଗୋଟିଏ ଝୁମ୍ପଡିଲଟା ଭିତରେ ପଶି ଗର୍ଜନ କରୁଥାଏ । ସାଇବ ସଙ୍ଗରେ ଶ’କଡା ବେଠିଆ, ଯୋଡାଏ ହାତୀ, ଘାଉଲା କେନ୍ଦୁଆ ପାଖକୁ ଯାଉଛି କିଏ? ଘାଉଲା ବାଘ, ଧଇଲା ଯମ ଏକା କଥା । ପୁଲିସ ସାହେବ ସୁବଳ ସିଂହ ମୁହଁକୁ ଚାହିଁଲେ । ତା’ପରେ ସିଂହେ ଉଁ କି ଚୁଁ ନ କରି ପଶିଲେ ବଣରେ । ସିଂହେ ସେଇ ମଇଁଷିମୁଣା ଠେଙ୍ଗା ଆଜିଯାଏଁ ବି ଛାଡିନାହାଁନ୍ତି । ବାଘ ମୁଣ୍ଡରେ ଚାରିପାହାର କଷି ଦେଇ ତା’ର ଲାଞ୍ଜ ଧରି ତାକୁ ଭିଡି ଭିଡି ଆଣି ମେଜେଷ୍ଟର ସାହେବଙ୍କ ଆଗରେ ଥୋଇଦେଲେ । ସାଙ୍ଗେ ସାଙ୍ଗେ ନଗଦ ୨୦ ଟଙ୍କା ବକ୍ସିସ୍, ଆଉ ୧୫ ଟଙ୍କା ଦର୍ମା ଜମାଦାରୀ । ଏତେ ହେଲା ହଁ, ହେଲେ ସିଂହଙ୍କୁ କାଳ ସହିଲା ନାହିଁ । କାର୍ତ୍ତିକ ମାସିଆ ଛୁଟି ନେଇ ସେ ତାଙ୍କ ଘରକୁ ଆସିଛନ୍ତି, ଠିକ୍ ଏତିକିବେଳେ କାହୁଁ ଗୋଟାଏ କାଳ-ଜର ଆସି ତାଙ୍କୁ ମାଡି ବସିଲା । ଜର ସାଙ୍ଗେ ସାଙ୍ଗେ ସନ୍ନିପାତ । ଏହିପରି ଭାବେ ଦିନ ତିନିଟାରେ ଶେଷ ହୋଇଗଲେ ସେ ।

ଏଣେ ସିଂହାଣୀର ଦେହରେ ଯେମିତିକା ବଳ, ମନରେ ବି ଠିକ୍ ସେହିପରି ସାହସ; ଘୋର ବିପଦରେ ପଡି ହଟିବାର ନୁହଁନ୍ତି ସେ । ସ୍ୱାମୀର ଶୁଦ୍ଧିକାର୍ଯ୍ୟ ସାରି ଆପଣା ବେଉସାରେ ସେ ଲାଗିଗଲେ । ସିଂହେ ସିଂହାଣୀ ରୂପରେ ଗୁଣରେ ସମାନ । ବିଧାତା ଯେମନ୍ତ ଗୋଟିଏ ଚକରେ ଦୁଇଜଣଙ୍କୁ ଗଢିଛନ୍ତି, ତେବେ ସିଂହାଣୀ ଉଚ୍ଚାରେ ଅଧଚୌକେ ବେଶି ହେବେ । ନାହି ତଳକୁ ଲୁଗା ପିନ୍ଧିଥିଲେ ବି ତାଙ୍କ ପେଟଟି ଛ’ ନଉତିଆ ଧାନ ଉଷୁଁଆ କଳାହାଣ୍ଡିପରି ବାହାରି ପଡିଥାଏ । ସିଂହାଣୀ ଅଳଙ୍କାରକୁ ବୋଧହୁଏ ବଡ ଭଲ ପା’ନ୍ତି । ପ୍ରଥମେ ବିଧବା ଦିନ ଦେହରୁ ସବୁ ଅଳଙ୍କାର କାଢି ପକାଇଥିଲେ । ଶୁଦ୍ଧ ବାସିଦିନ ଫେର୍ ହାତଗଣ୍ଠିଠାରୁ କହୁଣିଯାଏଁ ଦଶବିଶାର ପିତଳ ବାହିବଳା ଦୁଇ ହାତରେ ଲଗାଇଦେଲେ । ନାକରେ ତୋଳାଏ ଓଜନର ସୁନାଗୁଣା ଚେପ୍ଟା ବିଶାଳ ନାକକୁ କାମୁଡି ଧରିଥାଏ । ବେକରେ ଦଶ ଦଶ ଗଣ୍ଡା ଗୋଡଲଗା ଟଙ୍କାମାଳ ନାହଯାଏଁ ଲମ୍ବି ପଡିଥାଏ । ଦୁଇ ହାତରେ ଦି’ପୁଞ୍ଜା ଗେଣ୍ଡା ପରି ଛାପ ମୁଦି । ସିଂହାଣୀଙ୍କ ସାହସ ବି କିଛି ଊଣା ନୁହେଁ । ଗାଁ ମୁଣ୍ଡ ନିଛାଟିଆରେ ତାଙ୍କ ଘର, ଛୁଆଟାକୁ ଧରି ଏକୁଟିଆ ସେ ସେଠାରେ ପଡିଥାଏ । ସିଂହାଣୀ ହାତରେ ଢେର୍ ଟଙ୍କା – ଏକଥା ଗାଁ ଲୋକେ ଜାଣନ୍ତି ଚୋରଗୁଡାକ ସନ୍ଧାନ ପାଇ ଦିନେ ଅନ୍ଧାର ରାତିଆ ସିନ୍ଧିକରି ତିନିଜଣ ଚୋର ସେ ଘର ଭିତରେ ପଶିଲେ; ସେତେବେଳେ ତ ସିଂହାଣୀ ଶୋଇଥିଲା, ତାକୁ ଯିମିତି ମାଡି ବସିଛନ୍ତି ସେ ତ ହାଉଳି ଖାଇ ହାତ ଯୋଡାକ ଛିଂଚାଡି ଦେଲା । ଫଳରେ ସେ ଚୋରଗୁଡାକ ଚାରି ଚାରି ହାତ ଦୂରରେ ପଡିଗଲେ । ଯୋଡାଏ ଚୋର ତ ପଳାଇଲେ; ହେଲେ ସେ ସିଂହାଣୀ ଗୋଟାକୁ ମାଡି ବସିଲା, ଗାଈପଘାରେ ତାକୁ ଘର ମଝି ଖମ୍ବରେ ଭିଡି ବାନ୍ଧିଦେଲା । ସକାଳକୁ ଗାଁ ଲୋକେ ଦେଖିବାକୁ ଧାଇଁଲେ, ଏ ଚୋରଟା କିଏ ମ? ମଲା ମଲା । ଏ ତ ଗାଁ ଚଉକିଆ ବାଉରି ଝପଟ ସିଂହ । ସମସ୍ତେ ପରାମର୍ଶ କଲେ ଚୋରକୁ ଚଲାଣ ଦେବେ । ସିଂହାଣୀ କହିଲା, ‘ଆଚ୍ଛା, ତାହେଲେ ମୁଁ ଚଲାଣ ଦେବି ।” ତା’ପରେ ସେ ସିଂହାଣୀ କଷିକି ଲଗାଇଲା ସେ ଚଉକିଆର ଦୁଇ ଗାଲରେ ଦୁଇ ଚାପୁଡା । ଫଳସ୍ୱରୂପ ଉଆଉଫଡା ପରି ଗାଲ ଦିଟା ତା’ର ଫୁଲିଗଲା । ତା’ପରେ ସେ ଚଉକିଆ ପୁଅ ପନ୍ଦର ଦିନ ଘରୁ ଆଉ ବାହାରି ନାହିଁ, ବିଛଣାରେ ପଡିଥିଲା । ସିଂହେଙ୍କ ବିୟୋଗ ବେଳକୁ ତାଙ୍କ ପୁଅ ଅନନ୍ତା ହୋଇଥିଲା ମାତ୍ର ଚାରିବରଷର । ବୟସ ଟଳାବେଳେ ପୁଅଟିଏ ହେବାରୁ କୋଟିନିଧି ପାଇଥିଲେ ସେ । ପୁଅଟିର ଆକାର ବାପ ମା ପରି, ସେହିପରି ତା ଦେହର ବର୍ଣ୍ଣ । ସିଂହାଣୀ ସଞ୍ଜବେଳେ କାମ ପାଇଟି ସାରି ପୁଅଟିକୁ ଘଡିଏ କୋଡରେ ବସାଇ ଗେଲ କରନ୍ତି, ଗେଲ କଲାବେଳେ ସେ ଗୀତ ଗାଉଥାନ୍ତି –

                                            ‘ହାତୀ ଝୁଲୁଥାଏ ଲସର ପସର କିଆକନ୍ଦା ଖାଇବାକୁ,

                                            ଅନନ୍ତୁ ଝୁଲୁଛି ଲସରପସର ମାଆ ଦୁଧ ଖାଇବାକୁ ।

                                            ଆକାଶେ ବୁଲୁଛି ଚନ୍ଦ୍ର ଉଦିଆରେ ସାଙ୍ଗରେ ବହୁତ ତରା,

                                            ଅନନ୍ତୁ ଝୁଲୁଛି ମାଆକୋଳେ ବସି ଦୁଧ ସେ ଖାଇବ ପରା ।

                                            ବାପା ତ ଯାଇଛି ମଇଁଷି ଗୋଠକୁ ମାଆ ତ ଦୁହିଁବ ଗାଈ,

                                            ରାଜାଙ୍କ ଦୁଆରେ ପାଟହାତୀ ବନ୍ଧା ଅନନ୍ତୁ ଚଢିବ ଯାଇ ।'

ଏହିପରି ଗେଲ କରି ପୁଅକୁ ବସି ସେ ଝୁଲାଉଥାନ୍ତି । ହାତୁଣୀ କୋଳରେ ହାତୀ ପିଲାପରି ପିଲାଟି ଝୁଲିଲେ ବଡ ମାନେ । ରୋଜି ବଡି ସକାଳୁ ଉଠି ପୁଅକୁ ତେଲ ହଳଦୀ ଟିକିଏ ମାଖି ଦେଇ କାଠ ପାନିଆରେ ତା’ର ମୁଣ୍ଡ କୁଣ୍ଡାଇ ମୁଣ୍ଡରେ ଗୋଟିଏ ସାନ ଜଟ ବାନ୍ଧିଦିଏ । ଘଡିଏଯାଏଁ ପୁଅ ମୁହଁକୁ ସେ ଚାହେଁ – ତା ବାଦ୍ ଆପେ ଜିଭ କାମୁଡି ପକାଇ ସେ କୁହେ, ‘ମା’ ଡାହାଣୀ । ସୁନ୍ଦର ପୁଅଟିକୁ ମୁଁ ଚାହିଁଛି ।” ତାହା ବାଦେ ତୁଳସୀମୂଳରୁ ଟିକିଏ ମାଟି ଆଣି ମା ତା’ ପୁଅ ମୁଣ୍ଡରେ ଚିତା କରିଦିଏ । ଜଟ ଉପରେ ଟିକିଏ ଗୋବର ଲଗାଇଦିଏ । ତାହା ବାଦେ ପୁଅ ଉପରକୁ ସେ ଟିକିଏ ଛେପ ପକାଇ ଦିଏ । ଗାଁରେ କେତେରକମ ମାଇକିନିଆ ଅଛନ୍ତି, କେଜାଣି କାହା ନଜର କେମିତି । ପୁଅକୁ ମୋର ହାୟରା କରିଦେବେ । ଏହିଲାଗି ପୁଅ ବେକରେ ଖଣ୍ଡିଏ ଘୁଷୁରି ଥୋମଣି, ଗୋଟାଏ ତମ୍ବା ଡେଉଁରିଆ ଭିତରେ ମହାଦେବ ବେଲପତ୍ରୀ, ଦି’କଡା କାଣିକଉଡି, ଚାରିଟା ରୁପାଡେଉଁରିଆ ମୂଳମୂଟିକା ହାର କରି ପୁଅ ବେକରେ ଲଗାଇ ଦେଇଛି! ବାରଲୋକର ନଜର କଟିଯିବ ବୋଲି ଆପଣା ଗୋଡରୁ ଟିକିଏ ଧୂଳି ନେଇ ସେ ତା’ପୁଅ ମୁଣ୍ଡରେ ଲଗାଇ ଦିଏ । ରାତିରେ ସେରେ ଚାଉଳରେ ଗୋଟିଏ ପୋଡପିଠା କରି ରଖିଥାଏ, ସେ’ଟି ପୁଅ ହାତରେ ଦେଇ ସେ ଦହି ମୁହାଁଇ ବସେ । ତାହା ବାଦେ ପସରା ଉପରେ ଦୁଇ ତିନିଟା କଳସାରେ ଚହ୍ଲା ପୂରାଇ ଗାଁକୁ ଦହି ବିକିଯାଏ । ମୁଣ୍ଡ ଉପରେ ପସରାରେ ଦୁଇ ତିନି କଳସା ଦହି, ତାକୁ ନ ଧରି ଦୁଇବାହୁ ଝୁଲାଇ ଗୋହିରି ଦାଣ୍ଡରେ ଚାଲିଯିବାବେଳେ ଲୋକମାନେ ଚାହିଁ ରହନ୍ତି । କୁହନ୍ତି ‘ନନ୍ଦିଘୋଷ ରଥ’! ସିଂହାଣୀର ଢେର୍ଗୁଡିଏ ନାମ – ଏକ – ଦେବକୀ ଗଉଡୁଣୀ, ଦୁଇ – ମହାକୁଡାଣୀ, ତିନି – ତାଡକା ଅସୁରୀ, ଚାରି – ନନ୍ଦିଘୋଷ ରଥ, ହେଲେ ସେ ସିଂହାଣୀର ଅଜଣାରେ ଲୋକମାନେ ଏହିସବୁ ନାମ ଦେଇଛନ୍ତି । ସିଂହାଣୀ ବୋଲି ଡାକିଲେ ସେ ବଡ ଖୁସି ହୋଇଯାଏ । ଗାଁରେ କେତେଗୁଡିଏ ଥଟିଆଲା ମଣିଷ ତୁଚ୍ଛାଟାରେ ‘ଏ ସିଂହାଣୀ! ଦହି ଦେଇ ଯା’ ବୋଲି ଡାକନ୍ତି । ଦହି କିଣିବାବେଳେ ତାକୁ ଦୁଇ ଚାରିଥର ସିଂହାଣୀ ସିଂହାଣୀ ବୋଲି କହିଲେ ସେ ବଡ ଖୁସି ହୋଇ ଦୁଇ ଚାରି ସଢେଇ ଦହି ଲାଭ ବୋଲି ଢାଳିଦିଏ ।

ସୁବଳ ସିଂହ ବିୟୋଗବେଳେ ଅନନ୍ତାର ଚାରିବରଷ ପୂରି ଯାଇଥିଲା । ଦିନ ତ କେବେବି କାହାରିଲାଗି ବସି ରହେ ନାହିଁ । ଅନନ୍ତାର ବୟସ ଚାହୁଁଚାହୁଁ ହେଲାଣି ଦଶବରଷ । ହେଲେ କଣ ହେଲା, ଲୋକେ ତାକୁ କୋଡିଏ ବରଷ ଭେଣ୍ଡିଆ ବୋଲି ଠଉରିବେ । ରୋଜି ସିଂହାଣୀ ଦହି ବିକି ଆସି ମୋଟା ବରଗଡା ଚାଉଳ ପାଂଚସେର ଚୁଲିରେ ବସାଇଦିଏ । ସୁବଳ ସିଂହର ଯେଉଁ ଫରମାସୀ ପିତଳ ବାସନଟା ଥିଲା, ସେଥିରେ ତିନିସେରେ ଅନ୍ଦାଜ ଦରଫୁଟା ପେଜୁଆ ଅନ୍ନ ସେ ପିତଳରେ ଢାଳି ପୁଅ ପାଖରେ ପରଷି ଦିଏ । ଅନନ୍ତାର ତରକାରି ପତ୍ର ଆଦୌ ଲୋଡା ନାହିଁ, ହେଲେ ମା’ ମନ ତ କେତେକେ ମାନେ । ଚୋପାମିଶା ବିରିଡାଲି କଂସାଏ, ନୋହିଲେ ଶାଗ ମାମଡି ସିଜାସିଜି କରି ପୁଅ ପାଖରେ କଂସାଏ ବସାଇ ଦିଏ । ଅନନ୍ତା ଭାତ ଖାଇସାରି ଡାଲି ତକ ପିଇଦିଏ । ସିଂହାଣୀ ତା’ପୁଅ ଲାଗି ଗୋଟିଏ ଗାଈ ବାନ୍ଧିଛି । ଦିନକୁ ସେ ଚାରିସେର ଦୁଧ ଦିଏ । ଅନନ୍ତା ଭାତ ଖାଇସାରି ସେ କଂଚା ଦୁଧତକ ପିଇଦିଏ ।

ଏବେ ସିଂହାଣୀ କିଛି ପୁଅଲାଗି ହରବରରେ ପଡିଲେଣି । ଅସହୁଣୀ ଲୋକଗୁଡା ଅନନ୍ତାକୁ ମୋଟେ ଦେଖିପାରନ୍ତି ନାହିଁ । କିଏ କହିଲା – ‘ମୋ ବାଡିରୁ କାକୁଡି ଖାଇଗଲା’, ତ ପୁଣି ଆଉ କିଏ କହିଲା – ‘ମକା ଭାଙ୍ଗି ନେଲା’, ‘ଆମ୍ବ, କୟାଁ, କୋଳିଗଛରେ ଚଢି ଅନନ୍ତା ଖାଇଗଲା’ ବୋଲି ଗାଁ ଲୋକମାନେ ରୋଜି ସିଂହାଣୀ ପାଖରେ ଗୁହାରି କଲେ । ସିଂହାଣୀ ତା’ମନ ମଧ୍ୟରେ ସେ ଗୁହାରିଆମାନଙ୍କ ଉପରେ ଅତ୍ୟନ୍ତ ରାଗେ, ହେଲେ ସେ ତା’ପୁଅକୁ କିଛି ବି କୁହେ ନାହିଁ । ଆଜିପର୍ଯ୍ୟନ୍ତ ବି ସଞ୍ଜବେଳେ ଘଡିଏ ବସି ସେ ତା’ପୁଅକୁ ଗେଲ କରେ । ଦିନେ ସେ ସିଂହାଣୀ ବଡ ଦିଗ୍ଦାର ହୋଇ ଗାଁରୁ ଆସୁଛି, ବାଟରେ ସେ ଦେଖିଲା ବଉଳ ଗଛ ମୂଳରେ ପିଣ୍ଡିଟି ଉପରେ ବୈଷ୍ଣବ ମହାନ୍ତି ଅବଧାନେ ବେତ ଘେନି ଗାଁ ପିଲାମାନଙ୍କୁ ପାଠ ପଢାଉଛନ୍ତି । ମନରେ କଲା, ଏହି ଚାଟଶାଳୀରେ ଅନ୍ତୁକୁ ବସାଇଦେଲେ ତା’ର ପାଠ ବି ହେବ ଓ ସେ ଆଉ ଗାଁ ବି ବୁଲିପାରିବ ନାହିଁ । ତହିଁଆରଦିନ ଅବଧାନଙ୍କ ପାଖରେ ପୁଅକୁ ଛାଡିଦେଇ ସିଂହାଣୀ କହିଲା, ‘ଅବଧାନେ! ଅନ୍ତୁକୁ ଟିକିଏ ଭଲକରି ପାଠ ପଢାଅ ।” ଅନ୍ତୁ ଭଲ ପିଲାଟି ପରି ଚାଟଶାଳୀରେ ବସିଗଲା । ସେ ପୃଥିବୀରେ ଏକଲା ତା ମା’କୁ ଡରେ, ଆଉ କେବଳ ମା’ କଥା ହିଁ ମାନେ ।

ଅବଧାନେ ଭୂଇଁରେ ଅ, ଆ ଲେଖିଦେଲେ, ତା’ ଉପରେ ଖଡି ମଡାଇବାକୁ ସେ କହିଦେଲେ । ତଳେ ହାତ ଚାଲିଛି, ହେଲେ ଉପରେ ବଉଳଗଛରେ କେଉଁଠି କୋଳି ଅଛି, କେଉଁଠି ପାଚିଛି, ଅନେଇ ଅନ୍ତୁ ଦେଖୁଥାଏ । ନଜର ପଡିଲେ ମାଙ୍କଡ ପରି ହୁପ୍କରି ଚଢିଯାଇ କୋଳି ଆଣି ପାଟିରେ ପକାଇ ଲେଖିବାକୁ ବସିଯାଏ । ତାର ଗଛଚଢାରେ ଭାରି ଅଭ୍ୟାସ । ତା’ ତେନ୍ତୁଳି ଗଛକୁ ମାଙ୍କଡ ଆସିଲେ ଉପରକୁ ଉଠିଯାଇ ମାଙ୍କଡ ଲାଙ୍ଗୁଡ ଧରି ତଳେ କଚାଡି ତାକୁ ମାରିପକାଏ । ଗଛଚଢାରେ ମାଙ୍କଡ ବି ତା’ ସାଙ୍ଗରେ ପାରିବେ ନାହିଁ । ଏଣେ କେତେଟା ଦିନ ଭିତରେ ଅବଧାନେ ଅଥୟ ହୋଇଗଲେଣି । ତା’ ଡରରେ ଚାଟଶାଳୀରୁ ଆଉ ଟିକିଏ ଗୋଡ କାଢି ପାରୁନାହାଁନ୍ତି । ଟିକିଏ ଅବଧାନେ ପଛ କଲେ ସେ ଚାଟଶାଳୀରେ ଭାରି ଗୋଟାଏ ଚହଳ ପଡିଯାଏ । କେ ପିଲାକୁ ପେଲିଦେଲା, କାହାକୁ ଧକ୍କା ମାରେ, କାହା ଗୋଡ ଧରି ଟାଣିଲା, କାହାକୁ କଚାଡି ଦେଲା – ଏହିପରି ଲାଗେ । ଆଉ ପିଲେ ତାହାକୁ ବାଡେଇଲେ ତା’ର ଭାରି ଆନନ୍ଦ, ମାତ୍ର ସେ କାହାରିକୁ ବି ବାଡାଏ ନାହିଁ; ହେଲେ ତାକୁ ଡରରେ ବାଡଉଛି କିଏ? ଅବଧାନେ ପହିଲେ ପହିଲେ ସିଂହାଣୀର ଡର, ଆଉ ସେ ଦହି ବିକିସାରି ବାହୁଡାବେଳେ ଅବଧାନଙ୍କ କଂସାରେ ଯେ ଚାରି ସଢେଇ ଚଲ୍ହା ଢାଳି ଦେଇଯାଏ, ସେଇ ଲୋଭରେ ଅବଧାନେ ସେ ଅନନ୍ତାକୁ କିଛି ବି କହୁନଥିଲେ । ମଣିଷ ଡର ଓ ଲୋଭରେ ଢେର୍ ଢେର୍ କାର୍ଯ୍ୟରୁ ନିବୃତ ହୁଏ, ହେଲେ ସେ ଆଉ ଯମା ସମ୍ଭାଳି ପାରିଲେ ନାହିଁ । ଧରିଲେ ବେତ । ପହିଲେ ଦି’ପାହାର, ଚାରି ପାହାର, ଛ’ପାହାର ପଟାପଟ୍ କରି ପିଟିଲେ । ହେଲେ ଅନ୍ତା ସେଥିକି ଅନାଇବାକୁ ନାହିଁ । ଅବଧାନେ ପିଟିଲାବେଳେ ଅନନ୍ତା ବଉଳକୋଳିକୁ ଅନାଇଥାଏ; କେବେ କେବେ ମାଡ ଜାଗାଟା ଆଉଁଶିଦିଏ । ଆଉ ଚାଟଟୋକାଏ କହନ୍ତି, ‘ମହାଦେବର ବେଲପତ୍ରୀ ଊଣା, ହେଲେ ଅନନ୍ତର ମାଡର କୌଣସି ଊଣା ନାହିଁ ।” ଚାଟଶାଳୀରେ ଏତେ ଯେ ମାଡ ଅନ୍ତା ଖାଏ, ତା’ ମା’ କିଛି ହେଲେ ବି ଜାଣିପାରେ ନାହିଁ । ଅନ୍ତା ସବୁ ଭୁଲିଯାଏ । ଚାଟଶାଳୀରୁ ବାହାରିବାବେଳେ ସେ ମାଡ କଥା ତାର ଆଉ ମନେ ନ ଥାଏ । ଏଇ ରକମ ଚାରିମାସ ଗଲା, ପାଂଚମାସ ବି ଗଲା, ଅନନ୍ତା ଅ ଅକ୍ଷରଟା ଲେଖିସାରି ଆ ମଡାଉଛି । କେତେ ଖଣ୍ଡ ବେତ ଯେ ଛିଡିଗଲାଣି, ଅବଧାନେ ଆଉ ପାରୁନାହାଁନ୍ତି । ହେଲେ ତାକୁ ବାହାର ବି କରିଦେଇ ପାରୁନାହାଁନ୍ତି, ଚଲହା ମନ୍ଦାକ ବନ୍ଦ ହୋଇଯିବ ଯେ! ଦିନେ ଅବଧାନେ ଆଉ ପାରିଲେ ନାହିଁ । ବେତ ଫୋପାଡି ଦେଇ ଦି’ ଚାରିଖଣ୍ଡ ବିଛୁଆତି ଛଡି ଆଣିଲେ – ଅନ୍ତାର ଗୋଡରେ, ହାତରେ, ପିଠିରେ ଦଶ କୋଡିଏ ପାହାର କଷିଦେଲେ । ସେହିଦିନ ଅନନ୍ତକୁ ଟିକିଏ ବାଧିଲା । ହେଲେ ଆଖିରୁ ପାଣି ପଡି ନାହିଁ ତା’ର । ଚାଟଟୋକାଙ୍କ ଆଗରେ ସେ କହିଲା, ‘ଶଳା ମହାନ୍ତିକି ମୁଁ ଦେଖିବି ।” ତହିଁ ଆରଦିନ କ’ଣ ହେଲା କି ଅନ୍ତା ଏକଧ୍ୟାନରେ ବସି ଅକ୍ଷର ମଡାଉଛି, କାହାରିକୁ ବି ସେ ଅନେଇବାକୁ ନାହିଁ, ଭାରି ଭଲ ପିଲାଟିଏ । ଅବଧାନେ ଟେରେଇ ଟେରେଇ ଦୁଇ ଚାରିଥର ତାକୁ ଅନାଇଲେଣି । ଭାରି ଖୁସି । ମନରେ କଲେ, ଏଡେ ସୁନ୍ଦର ଉପାୟ ଥିଲା । ହାୟ! ହାୟ! ଆଗରୁ କିଆଁ ମୁଁ ଏହା ନ କଲି?

ଦିନ ପହରକ ସମୟରେ ଅବଧାନଙ୍କୁ ପଦାଆଡେ ତଲବ ହେଲା । ତେଣୁ ସେ ଡାକିଦେଲେ, ‘ଆରେ! ନିଆଁ ଆଣରେ, ଧୂଆଁପତ୍ର ଆଣରେ, ନୋଟା ଆଣରେ ।” ଏହା ଶୁଣି ପୁଞ୍ଜାଏ କି ଛ’ଟା ଚାଟଟୋକା ଧାଇଁଯାଇ ସବୁ ଠିକ୍ କରିଦେଲେ । ଅବଧାନଙ୍କର ସବୁ କାମ ପିଲାମାନେ କରନ୍ତି । ଅବଧାନଙ୍କର ଗୋଡଘଷା, ପାଲଟା ଲୁଗା କଚା, ସଙ୍କୁଡି ଧୁଆ, ବିଲକୁଲ ସବୁ କାମ ପିଲାମାନେ ହିଁ କରନ୍ତି । ଯେଡେ ବଡଲୋକର ପୁଅ ହେଉ ପଛକେ, ଅବଧାନ ଗୋଡ ଘଷିବ ସେ । ଗୁରୁଙ୍କ ଗୋଡ ଘଷିଲେ ପାଠ ଆସେ । ଅବଧାନ ପିକାଟିଏ ଭଲକରି ମୋଡିଲେ – ନିଆଁଖୁଂଟାରେ ପିକାଟିଏ ଲଗେଇ ଦେଇ ଦି’କଳ ଭିଡିଲେ । ଫୁ କରି ଧୂଆଁ ଛାଡିଦେଇ ସେ କହିଲେ, ‘କିବେ ମୁକୁନ୍ଦା! ଧୂଆଁ ଲାଗୁ ନାହିଁ ଯେ?”

ମୁକୁନ୍ଦା କହିଲା – ମୁଁ କ’ଣ କରିବି ଅବଧାନେ? ବାବା ତ କାଲି ହାଟରୁ ଏଇ ଧୂଆଁ ଆଣିଛି ।

ଅବଧାନେ – ବେ ବିନ୍ଦିଆ! ତୋ ବାପ କଟକରୁ ଯେଉଁ ବାଲେଶ୍ୱରୀ ଧୂଆଁପତ୍ର ଆଣିଥିଲା, ତାକୁ ତୁ ଆଉ ଆଣିଲୁ ନାହିଁ ତ?

ବିନୋଦ – ମୁଁ କ’ଣ କରିବି ଅବଧାନେ, ମା’ ତାକୁ ବିଡା ବାନ୍ଧି ଶିକା ଉପରେ ରଖିଦେଇଛି, ସେଠିକି ମୋ ହାତ ମୋଟେ ପାଇଲା ନାହିଁ ।

ଅବଧାନେ – ଆଚ୍ଛା, ତୁ ଗୋଟାଏ କାମ କରିବୁ । ତୋ ମାଆ ଯେତେବେଳେ ଗାଧୋଇ ଯାଇଥିବ କି ତୁ ଗୋଟାଏ ବଡ ପାଛିଆ ଉଗାଡି ପକାଇବୁ, ତା ଉପରେ ଚଢି ସେ ଶିକାରୁ ଧୂଆଁପତ୍ର କାଢିବୁ । ସେଥିରୁ ଦୁଇ ଚାରି ଖଣ୍ଡ କାଢି ନେଇ ବିଡା ବାନ୍ଧି ପୁଣି ତାକୁ ଶିକାରେ ଥୋଇଦେବୁ । ହେଲେ ଖବରଦାର! ବେଶି ଗୁଡାଏ ଆଣିବୁ ନାହିଁ । କାଲି ସକାଳେ ଯଦି ନ ଆଣିବୁ ତେବେ ଅନାଇଥା ଏ ବେତକୁ ।

ଅବଧାନେ ଫେର୍ ଥରେ ଅନାଇଲେ । ଅନ୍ତୁ ଧୀରେ ବସି ଖୁବ୍ ମନଦେଇ ଅକ୍ଷର ବୁଲାଉଛି । ତେଣୁ ଏ ଅବଧାନଙ୍କର ଭାରି ଦୟା ହେଲା । ତେଣୁ ସେ କଅଁଳେଇ କହିଲେ ‘ରେ ବାପ ଅନ୍ତୁ! ନେ’ ତ – ଏ ଟୁକୁଣାଟା ନେଇ ଟୁକୁଣେ ପାଣି ଆଣ ତ, ବହିର୍ଦ୍ଧେଶ ଯିବୁଁ ।” ଅନ୍ତୁ ଭଲ ପିଲାଟି ପରି ଟୁକୁଣା ଧରି ପୋଖରୀକୁ ଜଳ ଆଣିବାକୁ ଗଲା । ଏଣେ ଏ ଅବଧାନେ ବସି ପିକା ଟାଣୁଥାନ୍ତି । ଏତେ ଗୁଡିଏ ସମୟ ହେଲାଣି ହେଲେ ଏ ଅନ୍ତୁ ଆସେ ନାହିଁ – ବଡ ମଠ କଲା । ଅବଧାନେ ଆଉ ସହି ପାରିଲେ ନାହିଁ । ଦୁଇଥର ତିନିଥର ପୋଖରୀ ତୁଠ ଆଡକୁ ସେ ଅନାଇଲେଣି । ସେଠାରୁ ଉଠି ପିକା ଭିଡିଭିଡି ସେ ତୁଠ ଆଡକୁ ଚାଲିଲେ । ଅନ୍ତୁ ଟୁକୁଣାଟି ଧରି ଆଡି ଉହାଡରେ ଲୁଚିପଡି ଅବଧାନକୁ ଅନାଉଥିଲା, ମାତ୍ର ଆସୁନଥିଲା । ଅବଧାନଙ୍କର ନଜର ଯେମିତି ଏ ଅନ୍ତୁ ଉପରେ ପଡିଛି, ସେ ଧୀରେ ଧୀରେ ପାଖକୁ ଚାଲି ଆସିଲା । ଅବଧାନଙ୍କ ହାତକୁ ଅନ୍ତୁ ଟୁକୁଣାଟି ଏମିତି ବଢାଇ ଦେଲା, ଯେମିତି କି ଟୁକୁଣାର ପାଣିକୁ ଅବଧାନଙ୍କର ନଜର ଆଦୌ ନ ପଡେ । ଅବଧାନେ ଡେବିରି ହାତ ପାଂଚଆଙ୍ଗୁଳିରେ ଟୁକୁଣା ଫନ୍ଦଟି ଧରି ଡାହାଣ ହାତରେ ପିକା ଭିଡି ଭିଡି ଗାଁ ଶେଷମୁଣ୍ଡ ଗହୀର ବିଲକୁ ବହିର୍ଦ୍ଧେଶ ଗଲେ । ଅଧଘଂଟାଏ ହୋଇ ନାହିଁ, ଅବଧାନେ ତ ବିଲରୁ ଚାରି ଚାରି ହାତ ଚିଲାମାରି ରଡି ଛାଡି ଧାଇଁଛନ୍ତି । ତାଙ୍କ ଲୁଟା ଯାଇ କେଉଁଠି ପଡିଲାଣି । ଲୁଗା ଖଣ୍ଡ ବି ପଡିଥାନ୍ତା, ହାତରେ ତାକୁ ଜାବୁଡି ଧରିଛନ୍ତି, ହେଲେ ଅଧା ଲଙ୍ଗଳା, ‘ରେ ଅଳପାଇସିଆରେ! ରେ ସର୍ବନାଶିଆ ଅନ୍ତାରେ! ମାରି ପକାଇଲାରେ ।” ଯେମିତି ଚାଟଶାଳୀରେ ପହଁଚିଗଲେ, ଧରିଲେ ବେତ ଆଉ କହିଲେ – ‘କାହିଁ ଅନ୍ତା?” ଆଉ ଅନ୍ତା! ଅନ୍ତା ଅନ୍ତର୍ଦ୍ଧାନ ।

ଅବଧାନେ ଚାଟଶାଳୀର ଏମୁଣ୍ଡରୁ ସେମୁଣ୍ଡ ଗଡାଗଡି କରୁଛନ୍ତି, ପାଣି ପାଣି ବୋଲି ସେ ଖାଲି ରଡି ଛାଡିଲେ । ଗୋଟିଏ ପିଲା ଧାଇଁଯାଇ ତାଙ୍କ ରୋଷେଇଘର ମାଠିଆରୁ କଂସାଏ ପାଣି ଆଣି ଦେଲା । ସେହି ପାଣିରେ ହାତଧୋଇ ପକାଇ ଯେମିତି ସେ ଅବଧାନେ ଗୋଟାଏ କୁଳକୁଂଚା କରିଛନ୍ତି, କଂସା ଖଣ୍ଡ ପାଂଚହାତ ଦୂରକୁ ଫୋପାଡି ଦେଇ ଅବଧାନେ ‘ବୋପାଲୋ! ମା ଲୋ’ ବୋଲି କହି ଖାଲି ଗଡିଲେ । ଆଉ ରଡି କରିପାରୁ ନାହାଁନ୍ତି ସେ, ଖାଲି ଗଁ ଗଁ ଗର୍ଜୁଛନ୍ତି । ଏହି ଭିତରେ ମୁହଁଟା ଭାରି ଫୁଲିଗଲାଣି ତାଙ୍କର । ଆଖିପତା ବି ଫୁଲିଯାଇ ମାଡିପଡିଲାଣି – ଆଖିକୁ ଆଉ ଦିଶୁ ନାହିଁ । ଗାଁ ଲୋକ ଉଜାଡି ପଡିଲେ । ‘କଣ ହେଲା, କଣ ହେଲା’ କହି ଦି’ଚାରି ଜଣ ଅବଧାନଙ୍କୁ ଧରି ପାଣିରେ ପକାଇଲେ । ଫଳତଃ ସଞ୍ଜବେଳ ସରିକି ସେ ଅବଧାନଙ୍କୁ ବଡ ଶୀତ ଲାଗିଲା । ପାଣିରୁ ଛାଙ୍କି ଆଣି ପାଏ ଖସାତେଲ ଅବଧାନଙ୍କ ଦେହଯାକ ଘଷିଲେ । ସେତେବେଳେ ଯାଇ ସେ ଅବଧାନଙ୍କ ପାଟିରୁ କିଛି କଥା ବାହାରିଲା । ହେଲେ, ତାଙ୍କ ମୁହଁଟା ଆଟିକା ପରି ଫୁଲିଯାଇଛି । ତେଣୁ ସେ ଆଉ ଭଲକରି କଥା କହିପାରୁ ନାହାଁନ୍ତି । ଅବଧାନେ ଜଣାଇଲେ, ‘ତାଙ୍କୁ ଭାରି ଭୋକ ।’ ହେଲେ ସେ ଆଉ ତ କିଛି ବି ଖାଇପାରିବେ ନାହିଁ । ଏଣୁ ଗାଁ ଲୋକେ ଅଧସେରଟାଏ ଗରମ ଦୁଧ ଆଣିଦେଲେ । ଢୋକେ ଢୋକେ କରି ସେତକ ପିଇ ଦେଇ ଅବଧାନେ ଟିକିଏ ସାଷ୍ଟମ ହୋଇ ବସିଲେ । ଥଣ୍ଡା ପଡିଗଲା – ଖସାତେଲରେ ବାଇଡଙ୍କ ବିଷ ହରେ । ଏଥର ଅବଧାନେ ଟିକିଏ ସାଷ୍ଟମ ହେଲେଣି । ସେତେବେଳେ ତ ଗାଁର ସବୁ ଲୋକେ ଯାଇ ସେଠାରେ ଜମା ହୋଇଥିଲେ । ପୁରୁଣା ପୁରୁଣା ପାଂଚଜଣ ଲୋକ ତନଖି କରିବାକୁ ବସିଗଲେ । ‘କଥା କ’ଣ? – କିଆଁ ଅବଧାନେ ଏପରି ହେଲେ?’ ପ୍ରତ୍ୟକ୍ଷ ଏବଂ ପାଶ୍ୱର୍ବର୍ତ୍ତୀ ପ୍ରମାଣ ଏବଂ ଅବଧାନଙ୍କର ପୂର୍ବ ବ୍ୟବହାର ଆଲୋଚନା କରିବାରେ ସାଫ୍ ଜଣାଗଲା, ଏଟା ରାଣ୍ଡୀପୁଅ ଅନନ୍ତାର ହିଁ କାମ । ସାଫ୍ ପ୍ରକାଶ ପାଇଲା କି, ଅବଧାନେ ଯେ ଅନ୍ତାକୁ ବିଛୁଆତି ଛଡିରେ ପିଟିଥିଲେ, ସେହିଦିନୁ ତା ମନରେ ଥିଲା ରାଗ । ତେଣୁ ଆଜି ସକାଳେ ଯିମିତି ଅବଧାନେ ଟୁକୁଣାଏ ପାଣି ଆଣିବାକୁ କହିଲେ ସେ ପୋଖରୀକୁ ଟୁକୁଣା ଘେନିଯାଇ ଅଧଟୁକୁଣେ ଅଠାଳିଆ କାଦ ଭର୍ତ୍ତି କଲା । ଲୋକେ ବି ଦେଖିଛନ୍ତି ପୋଖରୀ ଆଡି ବଣ ଉପରେ ଯେ ବାଇଡଙ୍କ ଲତା ମାଡିଛି ସେଥିରୁ ଦୁଇପୁଞ୍ଜା ଫଳ ଆଣି ଖପରକାତି ଖଣ୍ଡକରେ ଆଁଶୁ ସବୁ ଚାଂଚିଛି । ଟୁକୁଣାରେ ଅଧେ ଆଁଶୁ ମିଶାଇ ଦେଇ ଆଉ ଗୁଡାଏ ପତ୍ର ଖଣ୍ଡରେ ପୋଟଳା କରି ଅଂଟିରେ ଖୋଷିଥିଲା । ଅବଧାନେ ଯେମିତି ପଦାଆଡେ ଯାଇଛନ୍ତି ତାଙ୍କ ରନ୍ଧାଘରେ ଯେଉଁ ପାଣି କୁମ୍ଭେ ଥିଲା ସେଥିରେ ଅନ୍ତା ମିଶାଇ ଦେଇ ପକାଇ ଯାଇଛି । ଅବଧାନଙ୍କ ମନରେ ତ ଥିଲା ରାଗ । ତେଣୁ ସେ ତାଙ୍କବେତ ଧରି ଉଠିପଡିଲେ ଆଉ କହିଲେ, ‘ମୁଁ ଆଜି ସେ ରାଣ୍ଡୀପୁଅ ଅନନ୍ତାକୁ ଦେଖିବି ।” ତା’ପରେ ସେ ବାହାରିଲେ ଅନନ୍ତା ଦୁଆରକୁ । ଏଣେ ଗାଁଲୋକେ ସମସ୍ତେ ତାଙ୍କୁ ମନା କରୁଛନ୍ତି – ରାଗବେଳେ ମଣିଷର କାଣ୍ଡ ଜ୍ଞାନ ଆଦୌ ନ ଥାଏ । ମାତ୍ର ଅବଧାନେ ଖଣ୍ଡେ ବାଟରୁ ଡାକୁଛନ୍ତି, ‘ଲୋ ଦେବକୀ ଗଉଡୁଣୀ! ଲୋ ଦେବକୀ ଗଉଡୁଣୀ! ସେ ରାଣ୍ଡୀପୁଅ ଅନନ୍ତା ଅଳପାଇସିଆ କାହିଁ?” ସିଂହାଣୀ ସେତେବେଳକୁ ସବୁ କଥା ଶୁଣିଲେଣି । ତେଣୁ ସେ ତାଙ୍କ ପୁଅକୁ ଘର ଭିତରେ ଲୁଚାଇ ଦେଇ ଦାଣ୍ଡପିଣ୍ଡାରେ ବସିଥିଲେ । ଅବଧାନ କଥା ଯେମିତି ସେ ଦେବକୀ କାନରେ ପଡିଛି, ସେହିକ୍ଷଣି ସେ ତାଙ୍କ ଘରଭିତରୁ ବାହାର କଲେ ସେଇ ମଇଁଷିମୁଣା ଠେଙ୍ଗା । କୁହାଟଟାଏ ମାରି ସେ ଡାକିଦେଲେ, ‘ଆରେ ଅଳପାଇସିଆ! ମାହାନ୍ତି ଗୋଲାମ୍! ଡାକୁଣୀଖିଆ ନଈସୁଆ । ମୋ ଗିରସ୍ତ ଥିଲା ସାଇବ ଘର ଜମାଦାର – ମୁଁ ସିଂହାଣୀ – ମୋତେ ପୁଣି ତୁ କହିବୁ ଦେବକୀ ଗଉଡୁଣୀ? ଆଉ ମୋ ପୁଅକୁ କହିବୁ ଅଳପାଇସିଆ? କିରେ ତୋତେ କିସ ଲାଗିଲାଣି କି? ରହ ତ ମାହାନ୍ତି ଟୋକାକୁ ଦେଖେଁ ।” ସିଂହାଣୀ ମୁଣ୍ଡରେ ଲୁଗା ନାହିଁ – ଡେମ୍ଫେ ଡେମ୍ଫେ କେତେକେରା କଂଚା ପାକଲା ବାଳ ଫରଫର ହୋଇ ଉଡୁଛି ତା’ର । କାନ୍ଧରେ ଅଛି ତା’ର ପୁଣି ଠେଙ୍ଗା । ସେହି ବିକଟାଳ ରଡି ଶୁଣି ଅବଧାନଙ୍କର ତ ପିଳେହିପାଣି ହେଲାଣି । ସିଂହାଣୀର ଦେହବଳ ସେ ଅବଧାନଙ୍କୁ ଭଲରୂପେ ଜଣା । ଦିନେ କଣ ହେଲା କି, ସକାଳ ଓଳିଆ ସିଂହାଣୀ ଗାଁକୁ ନଈବନ୍ଧ ଉପରବାଟେ ଦହି ବିକି ଯାଉଛି । ଠିକ୍ ସେତିକିବେଳେ ବିନୋଦବିହାରୀ ମନ୍ଦିରର ମାରଣା ଷଣ୍ଢଟା ବିନ୍ଧିବାକୁ ତଡି ଆସିଲା । ସିଂହାଣୀ ଗୁମ୍ କରି ଛିଡାହୋଇଯାଇ ଧଇଲା ସେ ଷଣ୍ଢର ଶିଙ୍ଗ । ତା’ର ମୁଣ୍ଡ ଉପରେ ପସରାରେ ତିନି ମାଠିଆ ଘୋଳ, ତାକୁ ଧରିବାକୁ ନାହିଁ । ଷଣ୍ଢ ଶିଙ୍ଗ ଧରି କଡେଇ କଡେଇ ବନ୍ଧଧାରକୁ ତାକୁ ସେ ଘେନିଗଲା । ଯେମିତି ପେଲିଦେଇ ଶିଙ୍ଗ ଛାଡି ଦେଇଛି, ସେମିତି ସେ ଷଣ୍ଢ ତ ପୁଟୁଳି ପରି ଗଡି ଗଡି ଯାଇ ସିଧା ନଈ ଭିତରେ ପଡିଲା । ସେହି ଦିନକରୁ ସେ ଷଣ୍ଢ ଛୋଟା, ମାରଣାପଣିଆ ବି ତା’ର ଛାଡିଗଲାଣି । ଏଟା ଅବଧାନଙ୍କ ଆଖି ଦେଖିବା କଥା । ତେଣୁ ଭୟରେ ଅବଧାନଙ୍କ ପଳାୟନ । ବାଘୁଣୀ ମୃଗକୁ ଗୋଡାଇଲେ ସେ ଯେମିତି ପଳାଏ, ଅବଧାନେ ବି ଠିକ୍ ସେହିପରି ପଡି ଉଠି ସେଠାରୁ ଧାଇଁଛନ୍ତି । ଏପରିକି ତାଙ୍କର ଆଣ୍ଠୁଗଣ୍ଠି ଛିଡି କ୍ଷତ ସ୍ଥାନରୁ ଝର ଝର ହୋଇ ରକ୍ତ ବହୁଛି । ସିଂହାଣୀ କାନ୍ଧରେ ଠେଙ୍ଗା, ଭାଲୁକୁଣୀ ପରି ଅବଧାନ ପଛରେ ଧପ୍ ଧପ୍ କରି ଧାଉଁଛନ୍ତି । ଧାଇଁବାବେଳେ ସେହି ବିଶାଳ ପେଟଟି ତାଙ୍କର ଖାଲି ଦଲ୍ ଦଲ୍ ଶୁଭୁଛି । ହାତରେ ସେ ପିତଳବାହି ବଳାଗୁଡାକ ପାଏ ବାଟ ଯାଏଁ ଝମ୍ ଝମ୍ ଶୁଭୁଛି । ସିଂହାଣୀର ସେହି ରଡିରେ ଗାଁଟା ସାରା ଖାଲି କମ୍ପିଯାଉଛି । ଅବଧାନେ ଗାଁ ମଝିରେ କେଉଁଠି ଅନ୍ଧାରରେ ମିଶିଗଲେ । ସିଂହାଣୀ ଡାକିଦେଲା, ‘ଆରେ କାଠଖିଆ ମାହାନ୍ତି ଗୋଲାମ! ମୋ ପୁଅକୁ କୁଆଡେ ଲୁଚାଇଛୁ ଆଣି ଦେ । ଜାଣିଥା, କାଲି ସକାଳେ ପିତଳବାହିରେ ତୋ ମୁଣ୍ଡ ମୁଁ ଚୂନା କରିବି ।” ହେଲେ ଅବଧାନଙ୍କୁ ତହିଁ ଆରଦିନ ସକାଳଠାରୁ କେହି କେବେ ସେ ଗାଁରେ ଆଉ ଦେଖି ନାହିଁ ।

ଆହୁରି ବି ପାଂଚ ଛ’ ବରଷ ଗଲାଣି, ଅନନ୍ତା ଲାଗି ସେ ଗାଁର ଅନେକ ଲୋକ ଅସ୍ଥିର । ଏବେ ତାର ତ ଆଉ କିଛି ବି ଅତ୍ୟାଚାର ନାହିଁ । ଖାଲି କାହାରି ବାଡିରେ ମକା, କାକୁଡି, କୋଳି, ଆମ୍ବ, ବେଲ କିଛି ବି ରହିବ ନାହିଁ, ଆଉ ସୁନା ରୁପା ପଡିଥାଉ, ତାକୁ ସେ ଯମା ଅନାଇବ ନାହିଁ । ହେଲେ ସେ ଯେପରି ଉତ୍ପାତିଆ, ଠିକ୍ ସେହିପରି ବି ଭଲଲୋକଟି ମଧ୍ୟ । ତାକୁ ରଗେଇଲେ ଜାଣ ଆଉ ରକ୍ଷା ନାହିଁ । ସେ ଆଗେ ଦୁସ୍ମନ ଘରର ଖମ୍ବ ଆଉ କବାଟ ଭାଙ୍ଗେ । ମା’ ମନା କରିଛି କାହାରି ଦେହରେ ହାତ ଦିଏ ନାହିଁ । ଏଣେ ସାକୁଲା ସୁକୁଲି ଟେକାଟେକି କରି ତାକୁ ଦି’ କଥା କୁହ, ତୁମ ଗୃହ କାଢିବ । କାହାରି ବାଡି ହଣା ଯାଉଛି ଅନନ୍ତା ସେଠି ଦେଖୁଥିଲା – ତାକୁ ଯଦି କହିବ, ‘ବାପ ଅନ୍ତୁ! ତୁ ନ ହେଲେ କାହାରି ଘର କ’ଣ ଚଳିବ?” ଆଉ କିଛି କଥା ନାହିଁ, ତା’ପରେ ସେ ଧଇଲା କୋଡି । ଚାରିଜଣ ମଣିଷେ ଦିନକେ ଯାହା ପାରିବେ ନାହିଁ ପହରକ ଭିତରେ ଫୁଟେ ଗହୀରାରେ ବାଡିଟାକୁ ସେ ଅନ୍ତୁ ଏକଲା ତାଡି ପକାଇବ । ମୂଲିଆ ମିଳୁ ନାହିଁ, କାହା ଘର ଛପରବନ୍ଦି ହୋଇପାରିଲା ନାହିଁ, ସେ ଧଇଲା ଅନ୍ତାକୁ – ସାକୁଲା ସାକୁଲି କରି ତାକୁ କହିଲେ; ଦିନେ ଲାଗୁ କି ଦି’ଦିନ ଲାଗୁ, ସେ ଏକଲା ଗୋଟାଏ ଘର ଛାଇ ପକାଇବ । ରାମା ଭିଣାର ବାପ ମରି ଘରେ ପଡିଛି । ବାଡିରେ ମରିଛି ବୋଲି ତାକୁ କେହି ବି ଉଠାଇବାକୁ ଆଦୌ ଆସିଲେ ନାହିଁ । ଅନ୍ତୁ ରାତି ଛ’ ଘଡି ବେଳେ ଗାଁ ପାଖ ଦେଇ ଯାଉଥିଲା, ତାକୁ ସେ ରାମା ଭିଣା ସବୁ କହିଲା । ଆଉ କିଛି କଥା ନାହିଁ; ଅନ୍ତା ଏକଲା ହେଁସମିଶା କରି ମଡାକୁ କାନ୍ଧେଇଲା । ଅନ୍ଧାର ରାତି । ସେହି ସମୟରେ ବି ଗାଁରେ ବାଡି ପଡିଛି । ଅଧକୋଶେ ଦୂରରେ ମଡାମଶାଣିରେ ମଡାଟାକୁ ଫୋପାଡି ଦେଇ ନଈରେ ବୁଡିପଡି ସେ ବାହାରି ଅଇଲା । ଅନ୍ତା ବାଘ, ଭାଲୁ, ଭୂତ, ପ୍ରେତ, ସାପ, ବେଙ୍ଗ ଏମିତି କାହାକୁ ବି ସେ ମୋଟେ ଡରେ ନାହିଁ । ଅନ୍ତା ଲୋକଙ୍କ ବାଡିରୁ ଫଳକନ୍ଦ ଲୁଟିପାଟି ଖାଇବ; ହେଲେ ତାକୁ କିଛି ଖାଇବାକୁ ଯାଚ, ରାଗି ଘର ଦୁଆର ସେ ଭାଙ୍ଗିବ । ବିନ୍ଦିଆ ଚନ୍ଦ ଜଣେ ତନ୍ତୀ ମହାଜନ । ଆଠ ଦଶ ହଜାର ଗଣିଦେବା ଲୋକ ସେ । ଲୁଗା କାରବାର କରେ ସେ । ଗୋଟିଏ ବଡ ଦୋକାନଘର ତିଆରି କରୁଛି । ଚାରିଆଡେ ଖୁଂଟ ପଡି ଚଉକ ବୁଲିଗଲାଣି । ମଝି ଖମ୍ବ ଯୋଡାକ ଅଠର ହାତି । ଭାରି ମୋଟା ଶାଳଗଅଳ । ଦଶଜଣ ଲୋକ କସ୍ତାକସ୍ତି କରି ମଝି ଖମ୍ବ ଛିଡା କରିପାରୁ ନାହାଁନ୍ତି । ଜଣେ ହସି କହିଲା, ‘ଆମେ ଏତେ ପାରୁ ନାହୁଁ, ରାଣ୍ଡୀପୁଅ ଅନ୍ତା ହେଲେ ଏକଲା ସେ ଖମ୍ବଯୋଡାକ ଉଠାଇ ଛିଡା କରିଦିଅନ୍ତା ।” ଘଟଣା ଦେଖ, ଠିକ୍ ସେତିକିବେଳେ ଅନ୍ତା ଦାଣ୍ଡରେ ଯାଉଥିଲା । ବିନ୍ଦିଆ ତନ୍ତୀ ତାକୁ ଡାକିଦେଲା, ‘ଆରେ ଅନ୍ତା! ଏ ଯୋଡାକ ଖମ୍ବ ଉଠାଇ ଦେ, ତୋତେ ମୁଁ ଦି’ଟଙ୍କା ଖଜାଖିଆ ଦେବି ।” ଅନ୍ତା ଆଉ ଯାଏ କାହିଁ? ତା’ପରେ ସେ ଅନ୍ତା କହିଲା ‘ହଁ ରେ ଶଳା ତନ୍ତୀ! ମୁଁ ତ ତୋର ଗୁଲାମ? ତୋର ମୂଲ ଲାଗିବି?” ଏହି କଥା କହି ଅନ୍ତା ଧାଇଁଲା ସେ ତନ୍ତୀକୁ ମାରିବାକୁ । ତା’ପରେ ସେ ତନ୍ତୀ ତ ଡରରେ କୁଆଡେ ପଳାଇଗଲାଣି । ଦଶଜଣ ଲୋକ କୋଡିଏ ଦିନ କାମ କରି ଯେତେ ଖମ୍ବ ପୋତି ଛିଡା କରାଇଥିଲେ, ସେ ସବୁଗୁଡାକ ଘଂଟାକ ଭିତରେ ଅନ୍ତା ଉପାଡି ପକାଇଲା । ହେଲେ ଜଣାଶୁଣା ଲୋକେ ଅନ୍ତାଠାରୁ ଢେର୍ କାମ କରେଇ ନିଅନ୍ତି । ରୋଜି କାହାରି ହେଲେ କିଛି ପାଇଟି କରିଦେଇ ଆସେ । ବିନ୍ଦିଆ ତନ୍ତୀ ସେ ଗାଁର ଭଲଲୋକ ପାଖରେ ଅନନ୍ତା ନାମରେ ଗୁହାରି କରି ଓଲଟା ଗାଳି ଶୁଣିଲା ।

ବିନୋଦରାୟପୁର ଭାର୍ଗବୀ ନଦୀର ଉତ୍ତର କୂଳରେ । ନଦୀ ଗର୍ଭଠାରୁ ସେ ଗାଁଟା ଅତି ଅଳ୍ପ ଉଂଚା । ବଢିପାଣିରୁ ଗାଁ ରକ୍ଷା ନିମନ୍ତେ ସରକାରବାହାଦୁର ଗୋପାଳପୁର କତିରୁ ରାମନଗର ଯାଏଁ ଅଠର ମାଇଲ ଲମ୍ବା କୋଡିଏ ହାତ ଓସାର ଦଶ ହାତ ଉଂଚା ଗୋଟାଏ କୂଳବନ୍ଧ ପକେଇଛନ୍ତି । ସେ ବନ୍ଧ ଯୋଗୁଁ ନଈକୂଳିଆ ଢେର୍ ଗାଁ ଆଉ ବିଲବାଡି ରକ୍ଷାପାଏ । ବିନୋଦରାୟପୁର ଗୋଟିଏ ବଡ ଧନବନ୍ତ ଗାଁ । ଗାଁ ତଳେ କଳିନ୍ଦ ବିଲ ଢେର୍ । ଗାଁରେ ପ୍ରାୟ ଦୁଇଶ ଘର ବସ୍ତି । ସମସ୍ତେ ଥିଲାଲୋକ । କେହି କାହାକୁ ଆଦୁର୍ଯ୍ୟା ହୁଏ ନାହିଁ । ସରକାରୀ ବଡ ବଡ ଅମଲା, ଇସ୍କୁଲ୍ ମାଷ୍ଟର, କାରବାରିଆ ମହାଜନ, କଲିକତିଆ ଚାକିରିଆ ଢେର୍ ।

ଅଶିଣ ମାସ ଦୁର୍ଗାପୂଜା ସମୟ । ବିଦେଶିଆ ସବୁ ଘରକୁ ଆସିଛନ୍ତି । ନାଚ ତାମସା ଖିଆପିଆ ଦିନ ରାତି ଲାଗିଛି । ତେଣୁ ସେ ଗାଁଟା ଖାଲି ଆନନ୍ଦରେ ଭାସୁଛି । ଫି ବର୍ଷ ଏହି ସମୟରେ ଗାଁଟାରେ ବଡ ଜାରି ହୁଏ । ଷଷ୍ଠୀ ବେଲବରଣ । ସକାଳିଆ ହଠାତ୍ ଉତ୍ତର ଦିଗରୁ ଖଣ୍ଡେ ମେଘ ଦେଖାଗଲା । ସୂର୍ଯ୍ୟ ବି ଉଇଁ ସେହି ମେଘରେ ଡୁବିଗଲେ । ମେଘଟା ଦେଖୁଁ ଦେଖୁଁ ଆକାଶଯାକ ଘୋଟିଗଲା । ସାଙ୍ଗେ ସାଙ୍ଗେ ପବନ । ବୁଢା ଗୋବନ୍ଦ ପଣ୍ଡେ କହିଲେ, ଆରେ ବାପ, ଡାକଋଷି କହିଛନ୍ତି –

‘ହସି ପଶେ – ଉଇଁ ନ ଦିଶେ

ବାପା ବୋଇଲେ ପୁତା, ନିଶ୍ଚେ ବରଷେ ।”

ଆଜି ଜାଗ୍ରତ ଥାଅ, ନିଶ୍ଚେ ବର୍ଷା ହେବ । ପଣ୍ଡାଙ୍କ ମୁହଁ କଥା ମୁହଁରେ ଅଛି – ଟପ୍ ଟପ୍ ଟପର ଟପର କରି ପକାଇଲା ପାଣି; ଯେ ବର୍ଷୁଛି ସେହି ବର୍ଷୁଛି । ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ ସଞ୍ଜ ହେଲା । ପାଣି ଛାଡିବାକୁ ନାହିଁ, ଯେଠିକା ମଣିଷ ସେଇଠି ବସିଛନ୍ତି । ଶଏବର୍ଷର ବୁଢାମାନେ କହୁଛନ୍ତି, ଏପରି ବର୍ଷା ତ ଆଗରୁ କେବେବି ଦେଖା ଯାଇ ନ ଥିଲା । ଏଣେ ସେ ଗାଁରୁ ପା’ ଭାଗ ଘରର କାନ୍ଥ ଧୁପ୍ଧାପ୍ କରି ପଡିଗଲାଣି, ଦିନ ରାତି ପାଣି ପବନ ଖାଉଛନ୍ତି । ଦଶରା ଦିନ ଯେମିତି ରାତିପାହିଛି ‘ଗାଁ ଗଲା, ଗାଁ ଗଲା, ଗାଁ ଗଲା’ ବୋଲି ଚହଳ ପଡିଗଲା । ଆଉ କଣ ଲୋକେ ଘରେ ରହିବେ । ପାଛିଆ, କୁଡେଇ ଘେନି ବନ୍ଧକୁ ସିଧା ଧାଇଁଛନ୍ତି । ବଡ ସାନ ବିଚାର ନାହିଁ । ବ୍ରାହ୍ମଣ ପାଣ ଛୁଆଁଛୁଇଁ ହେଉଛନ୍ତି । ପାଛିଆ, କୋଡି ଧରି ସମସ୍ତେ ବନ୍ଧ ଉପରେ ଯାଇ ହାଜର । ନଈ ଦକ୍ଷିଣ କୂଳକୁ ଅନାଇବା ବେଳେ ଗୋଟାଏ ସମୁଦ୍ର, ଆଉ କିଛି ନାହିଁ । ବଢିପାଣି ବନ୍ଧ କାନେକାନେ ନଈ ଭିତରରୁ ପାଂଚ ହାତ ଉଚ୍ଚ ଗୋଟାଏ ଗୋଟାଏ ଲହଡି ଆସି ଝଲକେ ଝଲକେ ପାଣି ବନ୍ଧ ଟପି ପଡୁଛି । ଯେଉଁଠି ଝଲକେ ପାଣି ଟପି ପଡୁଛି, ସେଠାରେ କେହି କାହାକୁ କିଛିବି କହିବାକୁ ନାହିଁ – ଶହେ ବୋଝ ମାଟି ପଡିଯାଉଛି ।

ବନ୍ଧମୂଳଟା କୋରି ଗୋଟାଏ ଗୋଟାଏ ପୋଖରୀ କରି ପକେଇଲେଣି । ଆଉ ଏଣେ କ’ଣ ହେଲା କି, ଚାରିକୋଶ ତଳେ ରାମପୁର ମୁହାଣ ବାଟେ ପାଣି ବୁଲିଆସି ଗାଁ ମୂଳକୁ ଲାଗିଲାଣି । ଗାଁ ତଳ ଗହୀରଗୁଡାକ ସମୁଦ୍ରପରି ଜଳମୟ । ବନ୍ଧର ପାଣି ନ ଟପିଲେ ବି ତଳ ପାଣି ଆସି ଗାଁକୁ ଭସାଇ ନେବ । ପାଣିଟା ଯେମିତି ହୁ ହୁ କରି ବଢୁଛି – ଗାଁ ଭିତରେ ପାଣି ପଶିଲା ବୋଲି ଘରେ ଆଉ ରନ୍ଧାବଢା କ’ଣ ହେବ? ତିର୍ଲାଗୁଡାକ ଘରୁ ବାହାରିଆସି ଶଙ୍ଖ ହୁଳହୁଳି ପକାଉଛନ୍ତି । ଗୁଡାଏ ତିର୍ଲା କଅଁଳା ଛୁଆଙ୍କୁ କାଖେଇ ରଡି କରୁଛନ୍ତି । ଶଙ୍ଖ, ହୁଳହୁଳି, ହରିବୋଲ, କାନ୍ଦଣାରେ ପୁରା ଗାଁଟା ଉଛୁଳି ପଡୁଛି । ସୂର୍ଯ୍ୟ ଡୁବେ ଡୁବେ । ଗାଧୁଆ ତୁଠବାଟେ ଗାଁକୁ ପଶିଲା ପାଣି । ଦେଖୁ ଦେଖୁ ପାଂଚ ହାତ ଗହୀର ହୋଇଗଲା । ଏଣେ ଚଉଡାଟା ବି ବେଳକୁ ବେଳ ବଢିଯାଉଛି । ପିଚକାରି ମୁହଁରୁ ପାଣି ବାହାରିଲା ପରି ବେଗରେ ପାଣି ଗାଁକୁ ଧାଉଁଛି । ‘ହରିବୋଲ, ହରିବୋଲ – ଗଲା, ଗଲା” ଆଉ କିଛି କଥା ନାହିଁ । ଉଚ୍ଛୁଣି ସମୁଦ୍ରରେ ସମସ୍ତଙ୍କୁ ଜାକିଦେବ । ପାଣିସୁଅ ବନ୍ଦ ପାଇଁ ଶ’ କୁ ଶ’ ବୋଝ ମାଟି ପଡୁଛି; ମାତ୍ର ମୁଠାଏ ବି ରହୁ ନାହିଁ, ସୁଅ ସବୁ ଭସାଇ ନେଉଛି । ଏତେ ଯେ କାଣ୍ଡ – ଅନ୍ତାର ହେଲେ କାହିଁରେ କିଛି ବି ଚିନ୍ତା ନାହିଁ! ସକାଳୁ ଭିଜି ଭିଜି ଗାଁର ଚାରିପିଠି ବୁଲୁଛି । ଲୋକମାନଙ୍କ ବାଡିରୁ ଗଛମିଶା ମକା କାକୁଡି ଭାସିଆସୁଛି, ତାହା ସବୁ କେବଳ ଅଂଟାରେ ପୂରାଉଛି । ଯେତେବେଳେ ଗାଧୁଆତୁଠ କତିରେ ଭାରି ହୁରି ପଡିଲା, ସେତେବେଳେ ହସି ହସି କ’ଣ ହେଉଛି ବୋଲି ତା’ର ମଜା ଦେଖିବାପାଇଁ ସେ ଅନନ୍ତା ଧାଇଁଲା । ଦେଖିଲା ଯେ ଗାଁକୁ ଗୋଟାଏ ଭାରି ପାଣି ସୁଅ ଧାଇଁଛି । ଆଉ ପୁଣି ଶୁଣିଲା ଯେ ସେ ଗାଁ ଭାସିଯିବ । ତେଣୁ ସେ ଭଲକରି ଅନାଇ ଧାଇଁଲା ତା’ ଗାଁ ଭିତରକୁ । ବିନୋଦବିହାରୀ ଠାକୁର ସିଂହଦୁଆର କବାଟଟା ପାଂଚହାତ ଉଂଚା ଚାରିହାତ ଚଉଡା । ତାକୁ କାଢି ପକେଇ ମୁଣ୍ଡାଇ ଧାଇଁଛି । ଦାଣ୍ଡପାଖରେ ପାର୍ବତୀ ମା’ର ମେଲାରେ ଗୋଟାଏ ଢେଙ୍କି ପଡିଛି, ଅନନ୍ତାକୁ ତ ଏସବୁ ବେଶ୍ ଜଣା । ତେଣୁ ସେ ଢେଙ୍କି କାଢି କାଖେଇଲା । ମୁହାଣରେ କବାଟଟାକୁ ଆଡକରି ଠିଆ କରିଦେଇ ଢେଙ୍କିଟା ଠେକାଇ ଦେଲା । ଆଉ ପିଠିଭିଡିଦେଇ କବାଟଟାକୁ ପେଲି ଧଇଲା । ତାହା ବାଦ୍ ସେ ପାଟି କଲା, ‘ପକାଅ ମାଟି, ପକାଅ ମାଟି ।” କେବଳ ଡାକୁଛି, ‘ପକାଅ ମାଟି, ପକାଅ ମାଟି, ପକାଅ ମାଟି” । କବାଟ ଦୁଇ ପାଖରୁ ଶ’ ଶ’ ମାଟି ଝୁପ୍ଝୁପ୍ ପଡୁଛି, ଅନ୍ତାର ଛାତିଯାଏଁ ମାଟି ହେଲାଣି, ଡାକୁଛି, ଅନନ୍ତା ବେକ ପୋତି ଗଲାଣି, ହେଲେ ସେଥିକି ତାର ଆଦୌ ନଜର ନାହିଁ । ଯେତେବେଳେ ତା’ର ଓଠ କତିରେ ମାଟି ପଡିଲା – ସେ ଦୁଇଥର ଡାକିଦେଲା, ‘ହରିବୋଲ ଦିଅ, ମାଟି ପକାଅ । ହରିବୋଲ ଦିଅ, ମାଟି ପକାଅ ।” ତା’ପରେ ଆଉ ସେ ଅନ୍ତା ପାଟି ଶୁଭିଲା ନାହିଁ । ମାଟି ସେହିପରି ପଡୁଛି । ପାଣି ସୁଅଟା ହଠାତ୍ ବନ୍ଦ ହୋଇଗଲା । ତା’ପରେ ଲୋକମାନଙ୍କର ଭରସା ହେଲା, ତେଣୁ ସେମାନେ ଟିକିଏ ଶାନ୍ତିରେ ନିଶ୍ୱାସ ପକାଇଲେ । ସେତେବେଳେ ଯାଇ ସମସ୍ତେ ଖୋଜିଲେ ‘ଅନ୍ତା କାହିଁ?’ ଆଉ ଅନ୍ତା? ତା’ ମୁଣ୍ଡ ଉପରେ ଦି’ ହାତ ମାଟି । ଡାକ ପଡିଲା – ‘ଧନ୍ୟ ଧନ୍ୟ ରାଣ୍ଡୀପୁଅ ଅନ୍ତା!” ପିଲା, ବୁଢା, ମାଇକିନିଆ, ମର୍ଦ ଏମିତିକି ସେ ଗାଁର ହଜାର ହଜାର ଲୋକ ସମସ୍ତେ ହରିବୋଲ ଦେଉଛନ୍ତି, ସମସ୍ତେ କହୁଛନ୍ତି – ‘ଧନ୍ୟ ଧନ୍ୟ ରାଣ୍ଡୀପୁଅ ଅନ୍ତା!” ଦଇବ ଯୋଗେ କ’ଣ ହେଲାକି ବର୍ଷା ବନ୍ଦ! ନଈରୁ ଫୁଟେ ପାଣି ଖସି ପଡିଲାଣି । ଅନ୍ତା ମା’ ପିଣ୍ଡାରେ ବସିଥିଲା । ହୁରି ଆନନ୍ଦ ଶୁଣି ସେ କହିଲା, ‘କଣ ହେଲା ଦେଖେ । ମୋର ପୁଅଟା ବି କାହିଁ ଆସିଲା ନାହିଁ, ତାକୁ ମୁଁ ଯାଇ ଡାକି ଆଣେ ।” ତା’ପରେ ସେ ତା’ ସ୍ୱାମୀର ଠେଙ୍ଗାକୁ କାନ୍ଧରେ ପକାଇଲା । ଘର କୁଆଟଟା କିଳିଦେଇ ବାହାରିଲା । ଯେମିତି ଦାଣ୍ଡରେ ଯାଉଛି – ଶୁଣିଲା ଯେ ସମସ୍ତେ କହୁଛନ୍ତି, ‘ଧନ୍ୟ ଧନ୍ୟ ଅନ୍ତା!” ତା’ପରେ ସମସ୍ତେ ତା (ଅନ୍ତା ମା’) ଗୋଡତଳେ ପଡି କହୁଛନ୍ତି – ‘ଧନ୍ୟ ଧନ୍ୟ ତୋ ପୁଅ!” ସିଂହାଣୀ ସଳଖେ ସଳଖେ ତୁଠ କତିକି ଚାଲିଗଲା । ସବୁ ଶୁଣିଲା, ହେଲେ ସେ କାହାକୁ କିଛି ବି କହିଲା ନାହିଁ । ବନ୍ଧ ଚାରିପାଖ ସେ ବୁଲି ଦେଖିଲା । ବନ୍ଧ ମଝିକୁ ଅନେଇଛି, ଚାରିପାଖ ବୁଲୁଛି । ତୁଠ ମଝିକି ବି ତା’ର ନଜର ଅଛି; ନଈ ଆଡକୁ ପିଠି । ବନ୍ଧ ତଳେ ଯେ ଦଶହାତ ପାଣି ତାକୁ ତ ସେକଥା ଅଜଣା । ଯିମିତି ନଈ ଆଡକୁ ସେ ବୁଲି ଯାଇଛି, ଧପାସ୍ କରି ଗୋଟାଏ ଶବ୍ଦ ହେଲା । ହାଁ କ’ଣ ହେଲା, କହି ଲୋକମାନେ ଦି’ଟା ଚାରିଟା ମଶାଲ ଆଲୁଅ ନଈକୁ ଦେଖାଇଲେ । କୂଳଠାରୁ ପାଂଚହାତ ଦୂରରେ ପାଣି ଭିତରେ ଗୋଟାଏ ଗାତରେ ମେଂଚାଏ ଫେଣ ଭଉଁରୀଟିଏ ବୁଲୁଛି, ଦଶହାତ ତଳକୁ ଖଣ୍ଡିଏ ବାଉଁଶ ବାଡି ଭାସିଯାଉଛି ।

Fakir Mohan Senapati Story Odia Galpa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleପେଟେଂଟ ମେଡିସିନ୍/Patent medicine
Next Article ଅଧର୍ମ ବିତ୍ତ/Adharma Bitta
suchitra

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.