ରହ ରହ କ୍ଷଣେ ବାଷ୍ପୀୟ ଶକଟ
ରହ ରହ କ୍ଷଣେ ବାଷ୍ପୀୟ ଶକଟ
ଦେଖିବି ଚିଲିକା ଚାରୁ ଚିତ୍ରପଟ।
ଚିତ୍ର ମଣେ ଯେଣୁ ନାହିଁ ଅନୁଭବ
ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ!
ନୀଳ ବୀଚିମାଳା ଧୀରେ ଧୀରେ ଯାଏ
ଲାଗଇ ସ୍ବପନେ ଦେଖିଲା ପରାଏ।
ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ
ଓଲଟି ଣ ତଳେ ଦିଶନ୍ତି ଯୁଗଳ।
ଘୋର ନାଦେ ଯହୁଁ ଉଠିଲେ ସେ ନଭେ
ଉଠେ ଶତ ଖଗ ଚିଲିକା ଗରଭେ।
ସତ୍ୟ ବୋଲି ମନେ ନ ହେଉ ପ୍ରତୀତ
ପଲକେ ସେ ଦୃଶ୍ୟ ହୁଏ ତିରୋହିତ।
ଦୁରେ ଘେନି ଯାଏ ନିଦାରୁଣ ଯାନ
ଆସେ ପୁଣି ତରୁ ଶିଳା ବ୍ୟବଧାନ।
ନିମିଷେ ଲୁଚାଏ ନିମିଷେ ଦେଖାଏ
ସ୍ବପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ।
କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ
କାହିଁ ବା ଧୂସର କାହିଁ ବା ଧବଳ
ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘ କାୟା
ପ୍ରକାଶି ଚିଲିକା! କରୁ କେତେ ମାୟା।
ଦେବୀ ବୀଣାପାଣି ଶାଶ୍ୱତ ସେବକ
କବି ରାଧାନାଥ ସୁଷମା ଗ୍ରାହକ।
ଭ୍ରମି ବହୁ ସ୍ଥାନ ବିଶାଳ ଭାରତେ
ନଦ-ନଦୀ-ମରୁ-କାନନେ-ପର୍ବତେ,
ଦେଖିଲେ ପ୍ରକୃତି-ବିବିଧ-ପ୍ରକାଶ
କିନ୍ତୁ ଶୋଭାଲୁବ୍ଧ ଶୁଦ୍ଧ ଅଭିଳାଷ।
ସୁଖ ଶାନ୍ତି ପ୍ରୀତି କାହିଁ ଏକାଧାରେ
ନ ପାଇଲେ ଯଥା ମିଳେ ତୋହଠାରେ।
ଉତ୍କଳର ତୁହି ସୌନ୍ଦର୍ଯ୍ୟର ଖଣି
ସାରସ୍ୱତ ନେତ୍ରେ ବାଛି ତହୁଁ ମଣି।
ସୁଦକ୍ଷ ବିନ୍ଧାଣି ରଚି ଯେଉଁ ହାର
ଅର୍ପିଲେ ଉତ୍କଳ-ଭାରତୀ ଗଳାର,
ଚିରଦିନ ତାହା ରାଜିବ ରୁଚିର,
ତା ଦେଖି ଭାବୁକେ ଲୋଡିବେ ତୋ ତୀର।
ମୁଁ ଅଧମ ମୋର ଭାବୁକତା ନାହିଁ
ତଥାପି ଏ ପ୍ରାଣ କେଜାଣି କିପାଇଁ
ନିରନ୍ତର ଲୋଡ଼େ ସୌନ୍ଦର୍ଯ୍ୟ ବ୍ୟାକୁଳେ,
ତେଣୁ ଭାବିଥିଲି ଆସି ତୋର କୂଳେ
ଦେଖିବି ତୋ ଶୋଭା ଦିନେ ନିକାଞ୍ଚନେ,
କର୍ମବନ୍ଧେ ଥିଲା ମନ କଥା ମନେ।
ଏତେ କାଳ ଅନ୍ତେ ପଡିଥିଲା ଯାଗ
ଆହା ସେ ସୁଯୋଗ ହେଲା ନାହିଁ ଭୋଗ।
ରହିଣ ଜଞ୍ଜାଳ ବିଷମ ଜଗତେ
ସଂସାରୀ ସୋଦର ବାନ୍ଧବ ସଙ୍ଗତେ।
ଇଛାମତେ କାହୁଁ ଚଳିବ ବା ଜନ
ସମାଜେ ନିଜର ନୁହେଁ ନିଜ ମନ।
ବସି କେତେ ଥର ନୀରବ ବିଜନେ
ଦେଖିଛି ତୋ ରୂପ କଳ୍ପନା ନୟନେ
ତୋ ନୀର ତରଙ୍ଗେ ଖେଳେ ନିରନ୍ତର
ଅନୁପମ ଦିବ୍ୟ ହୀରଣ୍ମୟକର।
ଚାରୁ ଶତ୍ରୁଚାପ ତୋର ବକ୍ଷସ୍ଥଳେ
ନାଚେ ଶତ ଶତ ମୋ କଳ୍ପନା ବଳେ।
କଳ୍ପନାଚିତ୍ରିତ ତୋ ସୁନ୍ଦର ତନୁ
କାଳେ କାଳେ ଆଉ ନ ଯିବ ମୋ ମନୁ।
ଆଜି ଲୋ ଚିଲିକା କଳ୍ପନା ପ୍ରଭାବେ
ପୂରଇ ମୋ ମନ ଆହା କେତେ ଭାବେ
ଅତୀତର ସୁଖ-ସ୍ମୃତି-ସମୁଚୟ
ହର୍ଷ-ଖେଦେ କରେ ଆକୁଳ ହୃଦୟ।
ତୋ ମଧୁର ନାମେ ରହିଛି ଜଡିତ
ଗଉରବଯୁତ ଉତ୍କଳ-ଅତୀତ।
କାହିଁ ଉତ୍କଳର ସେ ସୁକୁତରାଶି?
ଯାହାର ପ୍ରଭାବେ ପ୍ରଭୁ ବ୍ରହ୍ମରାଶି
ନିଜେ ନିରଞ୍ଜନ ଜଗତ ଈଶ୍ୱର
ଧରିଣ ସୈନିକ-ନର-କଳେବର
ଉତ୍କଳର ଯଶ ପ୍ରତିଷ୍ଠା-ରକ୍ଷଣେ
ବିଜେ କଲେ ଘୋର ସମର ପ୍ରାଙ୍ଗଣେ।
କାହିଁ ସେ ସୌଭାଗ୍ୟ କାହିଁ ସେ ସୁକୃତି?
ପବିତ୍ର ଉତ୍କଳ ଆହା କି ବିକୃତି।
ଆର୍ଯ୍ୟ ଧର୍ମକ୍ଷେତ୍ର ପୂତ ନୀଳାଚଳ
ହରାଇଛି ସବୁ କର୍ମ ଧର୍ମ ବଳ।
ନାହିଁ ମୁଖେ ତେଣୁ ପୂର୍ବ ପୁଣ୍ୟକାନ୍ତି,
ହୃଦୟେ ସ୍ବର୍ଗୀୟ ଧର୍ମ ଜାତ ଶାନ୍ତି,
ଜୀବନେ ପବିତ୍ର ଉତ୍ସାହ ଶକତି,
ଉତ୍କଳର ଆହା କି ଘୋର ଦୁର୍ଗତି!
କାହିଁ ଗଲା ପୂର୍ବ ଓଡ଼ିଆ ବୋଇତ
କାହିଁ ସେ ନାବିକ-ଉଦ୍ଧାମ-ସଙ୍ଗୀତ!
ଜଳପଥେ କାହିଁ ବିଦେଶ ଗମନ
କାହିଁ ପୂର୍ବ ଖ୍ୟାତ କାହିଁ ପୂର୍ବ ଧନ।
କଥାରେ ରହିଛି ସବୁ ଆଜିଯାଏ;
ସାଧବାଣୀ ବୋହୁ ବୋଇତ ବନ୍ଦାଏ।
କଂକରିତ ତୋର ଦୃଢ ରମ୍ୟତଟ,
ଦୁର୍ଗମ ଶଇଳ ଅଭେଦ୍ୟ ଶଙ୍କଟ;
ଖେଳାଉଥିଲେ ଯେ ଧରି ନିଜ ଦେହେ
ଉତ୍କଳର କେତେ ବୀର-ଶିଶୁ ସ୍ନେହେ।
ଅଛି ସେହି ଗିରି ଅଛି ସେ ବିପିନ,
ଅଛି ତୋର ଶିଳା-ସୁଦୃଢ଼ ପୁଳିନ,
କିନ୍ତୁ କାହିଁ ଆହା ଏବେ ସେ ବୀରତା?
ଓଡ଼ିଆ ଜାତିର ପୂର୍ବ ଜାତୀୟତା??