ଆଗ୍ରା ସହରରେ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ । ସହରରେ ତାଙ୍କୁ ମଧ୍ୟ ସମସ୍ତେ ସମ୍ମାନ ଦେଖାନ୍ତି । ପ୍ରତିଦିନ ବିଭିନ୍ନ ଲୋକ ତାଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିଲେ । ଯାହାର ଯାହା ଅସୁବିଧା ତାଙ୍କ ଆଗରେ ଖୋଲି କହନ୍ତି । ଧନୀ ବ୍ୟକ୍ତି ଜଣକ କିନ୍ତୁ ସମସ୍ତଙ୍କୁ ସାହାଯ୍ୟ କରିବାର ନିର୍ଭର ପ୍ରତିଶୃତି ଦିଅନ୍ତି । କିନ୍ତୁ କାହାକୁ ସାହାଯ୍ୟ କରନ୍ତି ନାହିଁ ।
ସେହି ସହରରେ ‘ରବିଦାସ୍’ ନାମକ ଜଣେ କବି ବାସ କରୁଥିଲେ । ଧନୀ ବ୍ୟକ୍ତିଙ୍କ ସଂପର୍କରେ ଶୁଣିବା ପରେ ଦିନେ ରବିଦାସ୍ ତାଙ୍କୁ ଦେଖା କରିବାକୁ ବାହାରିଲେ । ଧନୀ ବ୍ୟକ୍ତିଙ୍କ ଘରେ ପହଁଚିବା ପରେ ପ୍ରଥମେ ନିଜର ପରିଚୟ ପ୍ରଦାନ କଲେ । କବିଙ୍କର ପରିଚୟ ପାଇବା ପରେ ଧନୀବ୍ୟକ୍ତି ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କଲେ । କବି ମଧ୍ୟ ଧନୀ ବ୍ୟକ୍ତିଙ୍କୁ ଖୁସି କରିବା ପାଇଁ କିଛି ସ୍ୱରଚିତ କବିତା ପାଠ କଲେ । କବିଙ୍କର କବିତା ଧନୀ ବ୍ୟକ୍ତିଙ୍କୁ ଖୁବ୍ ଆନନ୍ଦ ପ୍ରଦାନ କଲା । କବି ଧନୀ ବ୍ୟକ୍ତିଙ୍କୁ ଖୁସି କରିବାକୁ ଯାଇ ତାଙ୍କୁ ଧନର ଦେବତା କୁବେରଙ୍କ ସହିତ ତୁଳନା କଲେ । ଧନୀ ବ୍ୟକ୍ତି ମଧ୍ୟ ମହା ଆନନ୍ଦରେ କବିଙ୍କୁ କିଛି ପୁରସ୍କାର ଦେବା ପାଇଁ ଘୋଷଣା କଲେ ।
ଧନୀବ୍ୟକ୍ତିଙ୍କର ଘୋଷଣା ଶୁଣିବା ପରେ ରବିଦାସ୍ ମନ ଖୁସିରେ ଘରକୁ ଫେରିଲେ । ପରଦିନ ଯେମିତି ରବିଦାସ୍ ଧନୀ ବ୍ୟକ୍ତିଙ୍କ ଘରେ ପହଁଚିଲେ, ଧନୀବ୍ୟକ୍ତି ପୁରସ୍କାର ଦେବା କଥା ଫାଙ୍କି ଦେଲେ । ସିଧା ସିଧା ମନା ନକରି କହିଲେ, “କବି ମହାଶୟ! ଆପଣଙ୍କ କବିତାର ଶୈଳୀ ଅତ୍ୟନ୍ତ ଚମତ୍କାର । ହେଲେ ଆପଣ ମନୁଷ୍ୟର ହୃଦୟକୁ ବୁଝିବାକୁ ଅସମର୍ଥ । ମୁଁ ତୁମକୁ ନିରାଶ କରୁନାହିଁ । ମୁଁ ତୁମ କବିତାରୁ ଯାହା ଅନୁଭବ କଲି ତାହା ତୁମକୁ ଜଣାଇ ଦେଲି ।” ଧନୀବ୍ୟକ୍ତିଙ୍କର କଥାଶୁଣି ରବିଦାସ୍ ମନ ଦୁଃଖରେ ଘରକୁ ଫେରିଲେ ।
ଘରକୁ ଫେରୁଥିବା ସମୟରେ ବାଟରେ ସେ ବିରବଲଙ୍କୁ ଦେଖିଲେ । ବିରବଲ ତାଙ୍କୁ ଦୁଃଖର କାରଣ ପଚାରିବାରୁ ସେ ତାଙ୍କ ନିକଟରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ରବି ଦାସ୍ ଙ୍କ ଠାରୁ ସବୁକଥା ଶୁଣିବା ପରେ ବିରବଲ ତାଙ୍କୁ ଏକ ଉପାୟ ବତାଇ ଦେଲେ । ବିରବଲ ତାଙ୍କୁ ନିଜ ପାଖରେ ଥିବା ପାଂଚଟି ସ୍ୱର୍ଣ୍ଣମୁଦ୍ରା ଦେଲେ, ଏବଂ କହିଲେ ତୁମେ ଏହି ମୁଦ୍ରାକୁ ନିଅ ଏବଂ ଏକ ରାତ୍ରୀ ଭୋଜନର ଆୟୋଜନ କର । ଏହାପରେ ସେହି ଧନୀ ବ୍ୟକ୍ତିଙ୍କୁ ତୁମ ଘରକୁ ନିମନ୍ତ୍ରଣ କରିବ ।”
ବିରବଲଙ୍କ କଥା ଶୁଣିବା ପରେ ରବି ଦାସ୍ ତାଙ୍କର ବାଲ୍ୟକାଳର ବନ୍ଧୁ ମାୟା ଦାସ୍ ଙ୍କ ଘରକୁ ଯାଇ ତାଙ୍କର ଉପାୟ ସଂପର୍କରେ କହିଲେ । ରବି ଦାସ୍ ଙ୍କ କହିବା ଅନୁଯାୟୀ ମାୟା ଦାସ୍ ଖାଦ୍ୟ ପଦାର୍ଥର ପୁରା ବନ୍ଦୋବସ୍ତ କରିଦେଲେ । ଏହାପରେ ରବି ଦାସ୍ ଧନୀବ୍ୟକ୍ତିଙ୍କ ପାଖରେ ଯାଇ ପହଁଚି କହିଲେ, “ମହାଶୟ! ଆପଣ ଏ ସହରର ଜଣେ ମାନ୍ୟ ଗଣ୍ୟ ବ୍ୟକ୍ତି ହୋଇଥିବାରୁ ଆପଣ ମୋ ଘରେ ଥରେ ପଦାର୍ପଣ କରନ୍ତୁ । ମୁଁ ଆଜି ରାତିରେ ଏକ ଭୋଜିର ଆୟୋଜନ କରୁଛି । ମୁଁ ଆପଣଙ୍କୁ ସୁନା ଥାଳୀରେ ଖାଇବାକୁ ଦେବି ଏବଂ ଖାଇବା ପରେ ଆପଣଙ୍କୁ ସେହି ଥାଳୀଟି ଦେଇଦେବି ।”
ରବି ଦାସ୍ ଙ୍କ କଥା ଶୁଣିବା ପରେ ଧନୀ ବ୍ୟକ୍ତିର ମନରେ ଲୋଭ ଜାତ ହେଲା । ଠିକ୍ ରାତି ହେବାରୁ ଧନୀ ବ୍ୟକ୍ତି ରବି ଦାସ୍ ଙ୍କ ଘରକୁ ଯିବାକୁ ବାହାରିଲେ । ରବି ଦାସ୍ ଙ୍କ ଘରେ ପହଁଚିବା ପରେ ଧନୀବ୍ୟକ୍ତିଙ୍କ ସହିତ ରବି ଦାସ୍ ଏବଂ ତାଙ୍କର ବନ୍ଧୁ ବେଶ୍ ଗପସପରେ ମାତିଗଲେ । କିଛି ସମୟ ଅତିକ୍ରାନ୍ତ ହୋଇଗଲା । ଧନୀ ବ୍ୟକ୍ତିଙ୍କୁ ପ୍ରବଳ ଭୋକ ଲାଗିଲାଣି । ରାତି ବେଶୀ ହେବାରୁ ସେ ବାଧ୍ୟ ହୋଇ ରବି ଦାସ୍ ଙ୍କୁ ଖାଇବାକୁ ଯିବା କଥା ପଚାରିଲେ । ଧନୀ ବ୍ୟକ୍ତିଙ୍କ ପ୍ରଶ୍ନ ଶୁଣି ମାୟା ଦାସ୍ ଆଶ୍ଚର୍ଯ୍ୟ ହୋଇ ଓଲ୍ଟା ପ୍ରଶ୍ନ ପଚାରିଲେ, “ଖାଦ୍ୟ, କଣ ଖାଦ୍ୟ?” ଧନୀବ୍ୟକ୍ତି ମଧ୍ୟ ଏପରି କଥା ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଲେ । ସେ କହିଲେ, “ମୋତେ ଆପଣମାନେ କାଲି ମୋ ଘରକୁ ଯାଇ ମୋତେ ଏଠାକୁ ଆସିବା ପାଇଁ କହିଥିଲେ ଏବଂ ସୁବର୍ଣ୍ଣ ଥାଳୀରେ ଖାଦ୍ୟ ଦେଇ ସେ ଥାଳୀ ନେବା ପାଇଁ ମଧ୍ୟ କହିଥିଲେ ।”
ଧନୀବ୍ୟକ୍ତିଙ୍କ କଥା ଶୁଣି ରବି ଦାସ୍ କହିଲେ, “କ’ଣ ପ୍ରମାଣ ଅଛି ଯେ, ଆମେ କାଲି ଆପଣଙ୍କୁ ଏଠାକୁ ଡାକିଥିଲୁ?” ରବି ଦାସଙ୍କର କଥା ଶୁଣି ଧନୀ ବ୍ୟକ୍ତିଙ୍କର ମନ ଦୁଃଖ ହୋଇଗଲା । ଠିକ୍ ଏହି ସମୟରେ ବିରବଲ ଆସି ସେଠାରେ ପହଁଚିଗଲେ । ଧନୀ ବ୍ୟକ୍ତିଙ୍କୁ କହିଲେ, “ମହାଶୟ! ଆପଣ ମନେପକାନ୍ତୁ, ରବି ଦାସ୍ ଙ୍କ କବିତା ଶୁଣି ଆପଣ କ’ଣ କହିଥିଲେ? ତୁମେ ମଧ୍ୟ ତାଙ୍କ ପ୍ରତି ଠିକ୍ ଏହିପରି ବ୍ୟବହାର କରିଥିଲ ।”
ବିରବଲଙ୍କ କଥା ଶୁଣି ଧନୀ ବ୍ୟକ୍ତି ତାଙ୍କର ଭୁଲ ବୁଝି ପାରିଲେ । ଏହାପରେ ସମସ୍ତେ ସାଂଗ ହୋଇ ଭୋଜନ କଲେ । ପରଦିନ ଧନୀବ୍ୟକ୍ତି ରବି ଦାସ୍ କହିଥିବା କଥା ଅନୁଯାୟୀ ପୁରସ୍କାର ପ୍ରଦାନ କଲେ । ରବିଦାସ୍ ବିରବଲଙ୍କର ଚତୁରତାର ପ୍ରଶଂସାରେ ଶତମୁଖ ହୋଇ ପଡୁଥାଆନ୍ତି ।
ଏହିପରି ବିରବଲ ତାଙ୍କର ଚତୁରତା ବଳରେ ସବୁ ସମସ୍ୟାର ସମାଧାନ କରିଦେଇ ପାରୁଥିଲେ