ହାଡି ବାଇଦ କୋଶେ, ତୁଣ୍ଡ ବାଇଦ ସହସ୍ର କୋଶ । ଗୋପାଳଙ୍କର ଥଟ୍ଟା ତାମସା ଓ କରାମତି କଥା ସାରା ଦେଶରେ ବ୍ୟାପି ଯାଇ ଥାଏ । ଗୋପାଳ ଯେଉଁ ଆଡେ ଗଲେ ଲୋକ ମାନେ ତାଙ୍କୁ ଦେଖିବା ପାଇଁ ଘେରି ଯାଉ ଥିଲେ । ଛୁଆ ମାନେ ତାଙ୍କ ପଛେ ପଛେ ଧାଡି ବାନ୍ଧି ଯାଉ ଥିଲେ ।
ଗୋପାଳ ଦୂର ଗାଁରେ ଥିବା କୌଣସି ବନ୍ଧୁ ଘରକୁ ଯାଇ ଥାନ୍ତି । ସେହି ଗାଁ ର ଜମିଦାର ଗୋପାଳଙ୍କ ବିଷୟରେ ବହୁ କଥା ଶୁଣି ଥାନ୍ତି ମାତ୍ର ଦେଖି ନଥାନ୍ତି । ଗୋପାଳ ତାଙ୍କ ଗ୍ରାମକୁ ଆସି ଥିବା କଥା ଶୁଣି ତାଙ୍କୁ ଡକାଇ ପଠାଇଲେ । ଗୋପାଳଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଗୋଟିଏ ସଭାର ମଧ୍ୟ ଆୟୋଜନ କଲେ ।
ଗୋପାଳ ଡାକରା ପାଇ ଜମିଦାରଙ୍କ ପାଖରେ ହାଜିର୍ ହେଲେ ।
ଗୋପାଳ ଦେଖିବାକୁ ସୁନ୍ଦର ନୁହଁନ୍ତି । ଚନ୍ଦା ମୁଣ୍ଡ ପୃଥୁଳ ଶରୀର । ପୁଣି ଜାତିରେ ନାପିତ । ଲୁଗା ପଟା ମଧ୍ୟ ସେମିତି ସମ୍ଭ୍ରାନ୍ତସ୍ତରୀୟ ନୁହେଁ । ଚେହେରା ଦେଖି ଜମିଦାରଙ୍କ ମନୋଭାବ ବଦଳି ଗଲା । ସେ ଭାବିଲେ ଏ ଗୋଟାଏ ମୂର୍ଖ । ପୁଣି ନୀଚ୍ଚ ଜାତି, ଏହାକୁ ଏତେ ଖାତିରି ଦେଖାଇବା କିଆଁ?
ଜମିଦାର ତ ସହଜେ ଗର୍ବୀ । ଆତ୍ମ ଗର୍ବରେ ଫାଟି ପଡି ପଚାରିଲେ – ଆରେ, ତୋ ନାଁ କ’ଣ ଗୋପାଳିଆ?
ଜମିଦାରଙ୍କ ବେଖାତିର୍ ଓ ଥଟ୍ଟାଳିଆ କଥା ଶୁଣି ଉପସ୍ଥିତ ଲୋକ ମାନେ ଫେଁ କରି ହସି ଦେଲେ । ଗୋପାଳଙ୍କର ତ ବହୁତ ଧୈର୍ଯ୍ୟ । ସେ ବିଚଳିତ ହେଲେ ନାହିଁ । ଜମିଦାରଙ୍କ ଠାରୁ ଏପରି ବ୍ୟବହାର ପାଇ ସୁଦ୍ଧା ସେ ହସ ହସ ମୁହଁରେ ଓ ବିନୀତ ଭାବେ କହିଲେ ଆଜ୍ଞା । ଭଦ୍ର ସମାଜରେ ବିଶିଷ୍ଟ ସମ୍ଭ୍ରାନ୍ତ ଲୋକ ମାନେ ମୋତେ ଗୋପାଳ ଚନ୍ଦ୍ର ବୋଲି ଡାକନ୍ତି । ମଧ୍ୟବିତ୍ତ ଗୃହସ୍ଥ ଲୋକ ମାନେ ଅତି ସ୍ନେହ ଶ୍ରଦ୍ଧାରେ ମୋତେ ଗୋପାଳ ବୋଲି ଡାକନ୍ତି । ଆଉ ଯେତେ ଆତ୍ମ ଗର୍ବୀ ନୀଚ୍ଚ ଲୋକ ରହିଲେ ସେମାନେ ମୋତେ ଗୋପାଳିଆ ବୋଲି ଡାକନ୍ତି ।
ଗୋପାଳ ଭାଣ୍ଡଙ୍କର ଏ ପ୍ରକାର ମୁହେଁ ମୁହେଁ ଜବାବ୍ ଶୁଣି ଉପସ୍ଥିତ ଲୋକ ମାନେ ସ୍ତବ୍ଧ ହୋଇ ଗଲେ । କେତେକ ମଧ୍ୟ ଜୋର୍ରେ ହସି ଉଠିଲେ । ଜମିଦାର ଅପମାନ ପାଇ ଲାଜେଇ ଗଲେ । କରିବେ କ’ଣ? ଯାହା ହେଲେତ ଡକାଇ ଛନ୍ତି । ଗୋପାଳଙ୍କୁ କିଛି ପୁରସ୍କାର ଜମିଦାର ଦେଲେ ।
ଗୋପାଳଙ୍କ ଠାରୁ ଉପଦେଶ ପାଇ ଜମିଦାର ତାଙ୍କର ମନ୍ଦ ଅଭ୍ୟାସକୁ ତ୍ୟାଗ କରି ଦେଲେ ।