ଦିନକର କଥା । ସମ୍ରାଟଙ୍କର ସେଦିନ ଖୁବ୍ ଇଚ୍ଛା ହେଲା ଯେ, ଅରଣ୍ୟକୁ ଶିକାର କରିବାକୁ ଯିବେ । ସାଙ୍ଗରେ ବିରବଲଙ୍କୁ ମଧ୍ୟ ନେଇଗଲେ । କାରଣ ବିରବଲଙ୍କୁ ସଙ୍ଗରେ ନ ନେଲେ ସମ୍ରାଟଙ୍କର କୌଣସି କାର୍ଯ୍ୟ ସହଜ ଆଉ ଆନନ୍ଦରେ ହୋଇନଥାଏ । ସେଦିନ ଅରଣ୍ୟରେ ପହଁଚିବା ପରେ କୌଣସି କାରଣରୁ ସମ୍ରାଟ୍ ନିଜର ଅସାବଧାନତା ଯୋଗୁଁ ନିଜର ଖଣ୍ଡା ଧାରରେ ନିଜ ହାତର କାଣି ଆଙ୍ଗୁଠି ଗୋଟିକ କାଟି ପକାଇଲେ ।
ଅଙ୍ଗୁଳିଟି କଟିଯିବାରୁ ସମ୍ରାଟଙ୍କ ଦେହରୁ ପ୍ରବଳ ରକ୍ତର ଧାର ଛୁଟିଲା । ସମ୍ରାଟଙ୍କୁ ସେହି କାଳେ ବହୁତ ଯନ୍ତ୍ରଣା ମଧ୍ୟ ହେଉଥିଲା । ବିରବଲ ଏହାକୁ ଦେଖିବା ପରେ କହିଲେ – ଜାହାଁପନା ଈଶ୍ୱର ଯାହା କରନ୍ତି ତାହା ପ୍ରାଣୀର ମଙ୍ଗଳ ପାଇଁ ।
ବିରବଲଙ୍କର ମୁଖରୁ ଏକଥା ଶୁଣିବା ପରେ ସମ୍ରାଟ୍ ମନେ ମନେ ଭୀଷଣ ରାଗିଗଲେ । ମନେ ମନେ ତାତି କରି ରହିଲେ । କିପରି ଉଆସକୁ ଫେରିଯିବେ ସେହି ଚିନ୍ତା କରି ବିରବଲଙ୍କୁ କହିଲେ – ଆରେ ଆମେ କିଛି ଶିକାର କରିପାରିବା ନାହିଁ । ଏଥର ଆମେ ଉଆସକୁ ଫେରିଯିବା ।
ସେଦିନ ସମ୍ରାଟ୍ ଉଆସକୁ ଫେରିଆସିବା ପରେ ରାଜବୈଦ୍ୟଙ୍କୁ ଡକାଇ କଟା ଅଙ୍ଗୁଳିର ଚିକିତ୍ସା କଲେ । ଏଥିଲାଗି ସମ୍ରାଟ୍ ଦୁଇ ଚାରିଦିନ ରାଜକାର୍ଯ୍ୟ କରିପାରିଲେ ନାହିଁ ।
ଏହା ପରଦିନ ସମ୍ରାଟଙ୍କ ରାଜକାର୍ଯ୍ୟ ଆରମ୍ଭ ହେଲା । ରାଜା ସେଦିନ ଶିକାର କରିବାକୁ ଯାଇ ଅରଣ୍ୟ ମଧ୍ୟରେ ଯାହା ଯାହା ସବୁ ଘଟିଗଲା ତାହା ସଭାରେ ବର୍ଣ୍ଣନା କଲେ ।
ସଭାରେ ଥିବା ଅନ୍ୟ ଚାଟୁକାର ପଣ୍ଡିତମାନେ ବିରବଲଙ୍କର ଏହି କଥା ଉପରେ ନାନା ପ୍ରକାର ଟିପ୍ପଣୀ ଦେଲେ ଯାହାକି ତାହା ପୋଡା ଘା’ରେ ଲୁଣ ପକାଇବା ସଦୃଶ । ଚାଟୁକାରଙ୍କର ଏପରି ମନ୍ତବ୍ୟ ଶୁଣି ବିରବଲଙ୍କ ଉପରେ ଘୋର ରାଗ ହେଲା । ସେ ସଂଗେ ସଂଗେ ଜଣେ ଦୂତକୁ ପାଖକୁ ଡାକି ତା’ ହାତରେ ଗୋଟିଏ ପତ୍ର ଲେଖି ବିରବଲଙ୍କ ପାଖକୁ ପଠାଇ ଦେଲେ ।
ଦୂତଠାରୁ ପତ୍ରଟି ନେଇ ବିରବଲ ଭଲ ଭାବରେ ପଢି ଜାଣିଗଲେ ଯେ, ସମ୍ରାଟ୍ ସେହି ଚିଠିରେ ଲେଖିଛନ୍ତି ଆଜିଠାରୁ ତୁମେ ମୋର ରାଜସଭାକୁ ଆଉ ଆସିବ ନାହିଁ ।
ସମ୍ରାଟଙ୍କଠାରୁ ଏପରି ପତ୍ରଟି ପାଇ ବିରବଲଙ୍କ ମନରେ କୌଣସି ଶୋଚନା ଆସିଲା ନାହିଁ କିମ୍ବା କୌଣସି ପ୍ରତିକ୍ରିୟା ନଥିଲା । ସେ ସଂଗେ ସଂଗେ ସେହି ପତ୍ରର ପୃଷ୍ଠ ଭାଗରେ ଲେଖି ଦେଲେ, ଈଶ୍ୱର ଯାହା କରନ୍ତି ତାହା ପ୍ରାଣୀର ମଙ୍ଗଳ ପାଇଁ ।
ପତ୍ରଟିକୁ ସେହି ଦୂତ ହସ୍ତରେ ବିରବଲ ପଠାଇଦେଲେ । ଦୂତ ନେଇ ପତ୍ରଟି ଯେତେବେଳେ ସମ୍ରାଟଙ୍କୁ ଦେଇ ଦିଅନ୍ତି ସମ୍ରାଟ୍ ଦେଖିଲେ ଯେ ବିରବଲ ପୁଣି ସେହି କଥା ଏହି ପତ୍ରର ପର ପୃଷ୍ଠାରେ ଲେଖିଛନ୍ତି । ସେଦିନ ବିରବଲଙ୍କର ଲେଖାଟି ସମ୍ରାଟଙ୍କୁ ପୋଡା ଘା’ରେ ଲୁଣ ପକାଇବା ସଦୃଶ ହେଲା । ଏଥିରେ ସମ୍ରାଟ୍ ଗତଦିନଠାରୁ ଅଧିକ ରାଗିକରି ରହିଲେ । ଏହାପରେ ସେ ବିରବଲଙ୍କୁ ମୃତ ସମାନ ବିଚାର କରି ନୀରବରେ ରହିଲେ ।
ଏମିତି ଏମିତି ଗୋଟିଏ ମାସ ବିତିଗଲା । ବିରବଲ ସମ୍ରାଟଙ୍କ ଦରବାରକୁ ତ ଗଲେ ନାହିଁ, ସେହିଦିନଠାରୁ ସେ ବାହାରକୁ ମଧ୍ୟ ବାହାରିଲେ ନାହିଁ । ବେଳେବେଳେ ସଭାରେ କୌଣସି ଜଟିଳ ବିଚାର ବିମର୍ଶ ପଡିଲେ ସେତେବେଳେ ସମ୍ରାଟ୍ ବିରବଲଙ୍କର କଥା ମନେ ପକାନ୍ତି, କିନ୍ତୁ ତାଙ୍କର କଟା ଅଙ୍ଗୁଳି ଉପରେ ନିଜର ଦୃଷ୍ଟି ପଡିଗଲେ ପୁଣି ବିରବଲଙ୍କ ଉପରେ ଭୀଷଣ ରାଗିଉଠନ୍ତି ।
ଆଉ ଦିନକର କଥା । ସମ୍ରାଟଙ୍କର ପୁନଶ୍ଚ ଇଚ୍ଛା ହେଲା ଯେ, ସେ ସେଦିନ ଶିକାର କରିବାକୁ ଯିବେ । ସେଥିଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଗଲା । ସୈନ୍ୟ ସମାନ୍ତଙ୍କୁ ଧରି ସମ୍ରାଟ୍ ଶିକାର କରିବା ନିମନ୍ତେ ଅରଣ୍ୟ ମଧ୍ୟରେ ପ୍ରବେଶ କଲେ । ଶିକାର କରିବା ଆରମ୍ଭ କରିଦେଲେ । ପାଖରେ ଯାଉଥିବା ସୈନ୍ୟ ସାମନ୍ତମାନେ ସମ୍ରାଟଙ୍କଠାରୁ ଅଳ୍ପ ଅଳ୍ପ ଦୂରରେ ରହିଗଲେ । ସମ୍ରାଟ୍ କିନ୍ତୁ ଅଶ୍ୱ ଝପଟାଇ ଅରଣ୍ୟ ମଧ୍ୟରେ ଯାଉ ଯାଉ ବାଟବଣା ହୋଇଗଲେ । ଅଶ୍ୱ ତାଙ୍କୁ କେଉଁ ଦିଗ ଆଡେ ନେଇଗଲା ତାହା ସେ ଜାଣିପାରିଲେ ନାହିଁ । ସମ୍ରାଟଙ୍କ ପାଖରେ କେବଳ ଅଶ୍ୱ ଓ ତରବାରୀ ବ୍ୟତୀତ କୌଣସି ସହାୟତା ନାହିଁ ।
ଅରଣ୍ୟ ମଧ୍ୟରେ କହିବାକୁଗଲେ ବାଦ୍ଶାହା ହଜିଯାଇଛନ୍ତି । ଦିଗଭାଗ ତାଙ୍କୁ ଜଣାପଡୁନି । କେବଳ ଅଶ୍ୱ ତା’ର ଇଚ୍ଛାନୁସାରେ ଯେଉଁ ଦିଗକୁ ଯାଉଛି ରାଜା ସେହି ଦିଗକୁ ଯାଉଛନ୍ତି । ସେତେବେଳେ ସମ୍ରାଟଙ୍କର ଖୁବ୍ ମନେ ପଡୁଛି ଯେ ବିରବଲ ଯଦି ତାଙ୍କ ପାଖରେ ଥାଆନ୍ତା, ଏହିକ୍ଷଣି ତାଙ୍କ ପାଶ୍ୱର୍ରେ ଯାଆନ୍ତା ଏବଂ ପାଖେ ପାଖେ ରହି ସମସ୍ତ ପ୍ରକାର ବିଚାର କରୁଥା’ନ୍ତା ନା ସେ ସଙ୍ଗେ ସଙ୍ଗେ ବୁଦ୍ଧି ଖର୍ଚ୍ଚ କରି ମୋତେ ଏ ବିପଦରୁ ଉଦ୍ଧାର କରି ସାରନ୍ତାଣି ।
ସମ୍ରାଟ୍ ବିପଦରେ ପଡି ଯାଇଛନ୍ତି । ତାଙ୍କୁ ଆଉ କୌଣସି ବୁଦ୍ଧି ବାଟ ଦେଖା ଯାଉ ନାହିଁ । କ’ଣ କରିବେ କେଉଁ ଦିଗକୁ ଯିବେ ସେ ଉଆସକୁ ଫେରିବାର ରାସ୍ତା ପାଇଯିବେ । ଏହିଭଳି ବିଚାର କରି ସମ୍ରାଟ୍ ଚାରିଆଡେ ଚାହୁଁଥାନ୍ତି ।
ହଠାତ୍ ତାଙ୍କର କାନରେ ତାଙ୍କର ସମ୍ମୁଖ ଦିଗରୁ ଲୋକମାନଙ୍କର କୋଳାହଳ ଶୁଭିଲା । ରାଜାଙ୍କ ମନ ମଧ୍ୟରେ ଆଉ ଏକ ନୂଆ ଆଶା ସଂଚାର ହେଲା । ସମ୍ରାଟ୍ ଭାବିଲେ ଯେ ଯାହାହେଉ, ଏହି ଲୋକମାନଙ୍କର ସାହାଯ୍ୟ ପାଇ ଅରଣ୍ୟ ମଧ୍ୟରୁ ବାହାରି ସେ ଜାଣିବା ରାସ୍ତାରେ ଯିବେ । ତା’ପରେ ନିଜ ଉଆସ ଆଡକୁ ଅଶ୍ୱ ଛୁଟାଇବେ ।
କିନ୍ତୁ ସମ୍ରାଟଙ୍କର ଚିନ୍ତାଧାରା ସଂପୂର୍ଣ୍ଣ ଓଲଟା ହୋଇଗଲା । ସେମାନେ ଥିଲେ ସେହି ଅରଣ୍ୟରେ ବାସ କରୁଥିବା ଅଧିବାସୀମାନେ । ସେମାନେ ଅରଣ୍ୟ ମଧ୍ୟରେ ତାଙ୍କ ପାଇଁ କୌଣସି ଶତ୍ରୁ ଆସିଥିବାର ଜାଣି ସମ୍ରାଟ୍ ଆକବରଙ୍କ ନିକଟରେ ପହଁଚିଗଲେ ।
ଏହି ଅଧିବାସୀମାନେ ଯେ ଏତେ ଅଧିକ ପରିମାଣରେ ଥିଲେ ତାହା ସମ୍ରାଟଙ୍କ ଲାଗି ବିପଦର କାରଣ ହୋଇଥିଲା । କେବଳ ପାଖରେ ଥିଲା ଏକମାତ୍ର ତାଙ୍କର ଖଣ୍ଡିଏ ତରବାରୀ । ସମ୍ରାଟଙ୍କ ତରବାରୀ ଆଉ ତାଙ୍କ ଲାଗି କୌଣସି କାମ ଦେଲା ନାହିଁ । ସମ୍ରାଟ୍ ସେଦିନ ଅକାଳରେ ପଡି ଆଦିବାସୀମାନଙ୍କ ଦ୍ୱାରା ବନ୍ଧା ହେଲେ ।
କଥା କିନ୍ତୁ ସେତିକିରେ ସରିଲା ନାହିଁ । ଆଦିବାସୀମାନଙ୍କର ସେତେବେଳେ ଅରଣ୍ୟ ମଧ୍ୟରେ ତାଙ୍କର ଆରାଧ୍ୟ ଦେବୀଙ୍କ ପୂଜା ଚାଲିଥାଏ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦେବୀଙ୍କ ପୂଜା ଶେଷରେ ସେଠାରେ ଗୋଟିଏ ଛାଗବଳି ଓ ଗୋଟାଏ ନରବଳିର ମାନସିକ ଥାଏ । ଆଦିବାସୀମାନେ ଦୁଇଦିନ ଆଗରୁ କାହାର ଏକ ଛାଗକୁ ବାନ୍ଧି ଆଣି ନିଜ ପାଖରେ ରଖି ସାରି ଏବେ ସେ ଜଣେ ମନୁଷ୍ୟ ଖୋଜୁଥିଲେ ।
ଏବେ ଆଦିବାସୀମାନେ ଖୁବ୍ ଆନନ୍ଦ । ଆଉ ତାଙ୍କୁ ନରବଳି ନିମନ୍ତେ କୌଣସି ମନୁଷ୍ୟକୁ ଖୋଜିବାର ଆବଶ୍ୟକତା ନାହିଁ । ଏବେ ସେମାନେ ସିଦ୍ଧାନ୍ତ କଲେ ଯେ, ଦେବୀଙ୍କ ପାଖରେ ଏହି ଲୋକଟା ହିଁ ଉପଯୁକ୍ତ ।
ଏହାପରେ ଦେବୀଙ୍କ ନିକଟରେ ବଳି ଦେବାର ସମୟ ଆସିଗଲା । ଆଦିବାସୀମାନେ ତାଙ୍କର ନିୟମାନୁସାରେ ସମ୍ରାଟଙ୍କୁ ଦେବୀଙ୍କ ପାଖକୁ ନେଇ ସ୍ନାନ କାର୍ଯ୍ୟ କରାଇ ସମ୍ରାଟଙ୍କୁ ନବ ବସ୍ତ୍ର ପରିଧାନ କରାଇଲେ । ଗଳାରେ ପୁଷ୍ପମାଲ୍ୟ ଲମ୍ବାଇଲେ । ମଥାରେ ସିନ୍ଦୂର ତିଳକ ଲଗାଇ ସାରି ରାଜାଙ୍କୁ ନେଇ ବଳି ଖମ୍ବରେ ଲଟକାଇ ଦେଲେ ।
ସମ୍ରାଟ୍ ଆଜି କି ବିପଦରେ ପଡିଛନ୍ତି । ଆଦିବାସୀମାନଙ୍କୁ ଯେତେ ବୁଝାଶୁଝାକଲେ ମଧ୍ୟ ସେମାନେ କିଛି ବୁଝୁ ନାହାଁନ୍ତି ।
ଏଥର ବଳି ପଡିବାର ସମୟ ହୋଇଗଲା । ସମ୍ରାଟଙ୍କୁ ଆଦିବାସୀମାନେ ଫୁଲ, ଚନ୍ଦନ, ସିନ୍ଦୂର ପିନ୍ଧାଇ ଦେବୀଙ୍କ ଅର୍ଗଳିରେ ବଳି ଦେବାକୁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କର କଟିଯାଇଥିବା ଅଙ୍ଗୁଳି ଉପରେ ଆଦିବାସୀଙ୍କ ନଜର ପଡିଯିବାରୁ ସେ ସଂଗେ ସଂଗେ ପାଟି କରି ଉଠିଲେ, ଦେଖ ଦେଖ ଏହାର ହସ୍ତର ଆଙ୍ଗୁଳି ଗୋଟିଏ ନାହିଁ । ତାହାକୁ ପୁଣି ବଳି ଦିଆଯିବାର ଉଚିତ୍ ନୁହେଁ ।
ଆଦିବାସୀଟିର କଥାଟା ସମସ୍ତଙ୍କ କାନରେ ବାଜିବାକ୍ଷଣି ସମସ୍ତଙ୍କ ନଜର ସେହି ଆଙ୍ଗୁଳି ଉପରେ ପଡିଯିବାରୁ ଆଦିବାସୀମାନେ ଏକଥା ଯାଇ ତାଙ୍କର ରାଜାଙ୍କ ନିକଟରେ ପ୍ରକାଶ କଲେ । ଜଙ୍ଗଲର ରାଜା ଏକଥା ଶୁଣିବା ମାତ୍ରେ ଆଦେଶ ଦେଲେ ଏପରି ଜଣେ ଶରୀରରେ ଖୁଣ ଥିବା ବ୍ୟକ୍ତିଙ୍କୁ ବଳି ଦେଲେ ଦେବୀ ଅଶାନ୍ତ ହୋଇ ଆମ୍ଭମାନଙ୍କର ଅମଙ୍ଗଳ ଘଟାଇବେ । ତୁମ୍ଭେମାନେ ତୁରନ୍ତ ସେହି ବ୍ୟକ୍ତିର ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେବୀଙ୍କର ପୂଜାସ୍ଥାନରୁ ନେଇ ବହୁତ ଦୂରରେ ଛାଡି ଦେଇ ଆସ ।
ଜଙ୍ଗଲ ରାଜାଙ୍କର ଏ ଆଦେଶ ପାଇବା ମାତ୍ରେ ଆଦିବାସୀମାନେ ତତ୍କ୍ଷଣାତ୍ ସମ୍ରାଟଙ୍କୁ ନେଇ ଅରଣ୍ୟର ବାହାରେ ଛାଡି ଦେଇ ଆସିଲେ ।
ଏହା ପରେ ସମ୍ରାଟ୍ ଆକବର ଆଲ୍ଲାଙ୍କର ନାମ ସ୍ମରଣ କରି କରି ନିଜ ରାଜ୍ୟରେ ପହଁଚିଗଲେ ।
ସମ୍ରାଟ୍ ଯେତେବେଳେ ତାଙ୍କର ଉଆସରେ ପହଁଚିଲେ ସେତିକିବେଳେ ତାଙ୍କର ବିରବଲଙ୍କର କଥା ବାରମ୍ବାର ମନେ ପଡିଲା । ତାଙ୍କର ସେଠାରେ ହୃଦ୍ବୋଧ ହେଲା ଯେ ସେଦିନ ଅଙ୍ଗୁଳି କଟିଯିବା ପରେ ବିରବଲ ଯାହା କହିଥିଲେ ତାହା ଅକ୍ଷରେ ଅକ୍ଷରେ ସତ ହେଲା ।
ଈଶ୍ୱର ଯାହା କରନ୍ତି ତାହା ପ୍ରାଣୀର ମଙ୍ଗଳ ପାଇଁ – ସେ କଥାକୁ ସମ୍ରାଟ୍ ଆକବର ପ୍ରତ୍ୟକ୍ଷ ଭାବରେ ଅନୁଭବ କରି ବିରବଲଙ୍କୁ ମନ ମଧ୍ୟରେ ପ୍ରଶଂସା କରୁଥିଲେ । ପ୍ରକୃତରେ ସେଦିନ ଯଦି ସମ୍ରାଟଙ୍କର ଅଙ୍ଗୁଳିଟି କଟି ନ ଥାଆନ୍ତା ତାହାହେଲେ ଆଜିର ଏହି ମୃତ୍ୟୁର ଅର୍ଗଳିରୁ ତାଙ୍କୁ କିଏବା ଅଟକାଇ ଥାଆନ୍ତା ।
ଏହାପରେ ସମ୍ରାଟ୍ ଆକବର ବିରବଲଙ୍କର ଗୃହ ଅଭିମୁଖେ ଯାତ୍ରା କରି ବିରବଲଙ୍କୁ ସାକ୍ଷାତ କରନ୍ତେ ବିରବଲ ସମ୍ରାଟଙ୍କୁ ତାଙ୍କ ନିଜ ଘରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ସଂଗେ ସଂଗେ ସମ୍ରାଟଙ୍କ ଅଭ୍ୟର୍ଥନା କଲେ ।
ତା’ପରେ ବିରବଲଙ୍କୁ କୁଣ୍ଢାଇ ପକାଇ ସମ୍ରାଟ୍ ଅରଣ୍ୟରେ ଘଟିଯାଇଥିବା ସମସ୍ତ କଥା କହିଲେ । ଆଉ ମଧ୍ୟ କହିଲେ ଦେଖ ବିରବଲ, ମୁଁ ସେଦିନ ତୁମ ଉପରେ ରୋଷ ପୂର୍ବକ ଯାହା ଯାହା ସବୁ କହିଗଲି ତାହା ନିଶ୍ଚିତ ଭାବରେ ମୋର ଭୁଲ୍ ହୋଇଛି ।
ବିରବଲ କାକୁସ୍ଥ ପ୍ରାୟ ହୋଇ କହିଲେ, ନା..ନା.. ଜାହାଁପନା, ଏସବୁ ଈଶ୍ୱରଙ୍କର ଆମ ଲାଗି କୃପା ଥିଲା । ଆପଣ ଆପଣଙ୍କଠାରୁ ମୋତେ ବିଦାୟ ଦେଇ ଥିବାରୁ ମୁଁ ଆପଣଙ୍କ ସହିତ ଅରଣ୍ୟକୁ ଯାଇନାହିଁ । ମୁଁ ଯଦି ଅରଣ୍ୟକୁ ଯାଇଥାଆନ୍ତି, ସେହି ଅରଣ୍ୟର ଆଦିବାସୀମାନେ ଆମ ଦୁଇଜଣଙ୍କୁ ହିଁ ବନ୍ଦୀ କରି ନେଇ ଥାଆନ୍ତେ, ଆପଣଙ୍କୁ ବଳି ଦେବା ବେଳେ ଆପଣଙ୍କ ଖୁଣ ଦେଖି ସେ ଆପଣଙ୍କୁ ଛାଡି ଦେଇ ଥାଆନ୍ତେ ସିନା, ହେଲେ ଆପଣଙ୍କ ପରିବର୍ତେ ମୋତେ ତ ସେମାନେ ବଳିରେ ଚଢାଇ ଥାଆନ୍ତେ । ତେଣୁ, ଈଶ୍ୱର ଯାହା କରନ୍ତି ତାହା ନିଶ୍ଚୟ ପ୍ରାଣୀର ମଙ୍ଗଳ ପାଇଁ କରନ୍ତି ।
ବିରବଲଙ୍କ କଥା ଶୁଣି ସମ୍ରାଟ୍ ଏଥର ନିଶ୍ଚିନ୍ତ ହୋଇଗଲେ ଯେ ଆମ୍ଭେମାନେ ନିମିତ ମାତ୍ର, ଈଶ୍ୱର ଯେତେବେଳେ ଯାହା କରୁଥାଆନ୍ତି ତାହା ପ୍ରାଣୀର ମଙ୍ଗଳ ପାଇଁ ହିଁ କରିଥାଆନ୍ତି । ଏଥିରେ ଆନନ୍ଦ ହୋଇ ସମ୍ରାଟ୍ ବିରବଲଙ୍କ ସ୍କନ୍ଧରେ ନିଜର ଉତରୀୟକୁ ଲମ୍ବାଇ ଦେବା ସହ ଯଥାଶୀଘ୍ର ଦରବାରରେ ପହଁଚିବା ନିମନ୍ତେ ଆମନ୍ତ୍ରିତ କରିଗଲେ ।