• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଯାଦୁ ସିଢି
ଗଳ୍ପ

ଯାଦୁ ସିଢି

Liza SBy Liza SFebruary 10, 2023No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Jadu-Shidhipsd
Odia-Story-Jadu-Shidhipsd
Share
Facebook Twitter Pinterest Reddit Email

ମହୀପାଳ ସେତେବେଳେ ମଳୟଗିରି ରାଜ୍ୟ ଉପରେ ଶାସନ କରୁଥିଲେ । ଦିନେ ସେ ତାଙ୍କ ଦରବାରରେ ବସିଛନ୍ତି, ଜଣେ କୁବ୍ଜା ବୁଢା ଗୋଟାଏ ସିଢି ଧରି ତାଙ୍କ ଆଗରେ ପହଁଚିଲା ଓ କହିଲା, “ମହାରାଜ! ଏ ସିଢିର ବିଶେଷ ଗୁଣ ଅଛି । ଡାକୁ ମାନସିଂହ ଏହାକୁ ମୋଠୁଁ ଛଡାଇ ନେବାକୁ ବସିଛି । ଆପଣ ଏହାକୁ ରକ୍ଷା କରନ୍ତୁ ।”ଅବଶ୍ୟ ଡାକୁ ମାନସିଂହ ବିରୁଦ୍ଧରେ ସେତେବେଳକୁ ନାନା ଅଭିଯୋଗ ଆସି ରାଜାଙ୍କ ପାଖରେ ପହଁଚିଥାଏ । କିନ୍ତୁ ଡାକୁ ଗୋଟାଏ ସିଢି ପାଇବା ନିମନ୍ତେ ଲାଳାୟିତ ହେବ, ଏ କଥାରେ ରାଜାଙ୍କର ବିଶ୍ୱାସ ନହେବା ସ୍ୱାଭାବିକ । ବୁଢାକୁ ଧମକ ଦେବା ଭଳି କଣ୍ଠରେ ପଚାରିଲେ, “ତମର ଏ ସିଢି କ’ଣ ଏଡେ ମୂଲ୍ୟବାନ୍? କ’ଣ ଏହାର ଗୁଣ?”ଏକଥା ଶୁଣି ବୁଢା ଏଣେ ତେଣେ ଅନାଇ କହିଲା, “ମହାରାଜ! ଏହାର ଗୁଣ ଅଛି ବୋଲି ଜାଣି ଡାକୁ ମାନସିଂହ ମୋତେ ହଇରାଣ କରୁଛି । ପୁଣି ଏତେ ଲୋକଙ୍କ ଆଗରେ ଏହାର ଗୁଣ ବଖାଣିବି? ଆପଣଙ୍କୁ ଗୋପନରେ ପାଇଲେ ସିନା କହନ୍ତି?”

ସଭାସଦ୍ମାନେ ବୁଢା ଆଡେ ଅନାଇ ହସିଲେ । କେହି ତା’ କଥାରେ ଗୁରୁତ୍ୱ ଦେଲେ ନାହିଁ ।ରାଜା ପ୍ରଥମେ ଭାବିଲେ ଏ ବୁଢାଟି ପାଗଳ । ଯାହାହେଉ, ପରେ ସେକଥା ବୁଝିବେ ବୋଲି ମନସ୍ଥ କରି ସେ ସିଢିକୁ ପ୍ରାସାଦର ଗୋଟାଏ କୋଣ ଘରେ ରଖିବାର ବ୍ୟବସ୍ଥା କରିଦେଲେ । ବୁଢା ମଧ୍ୟ ପ୍ରାସାଦରେ ରହିଲା ।ରାଜା ତା’ପରେ ସେକଥା ଭୁଲିଗଲେ । କିନ୍ତୁ ସେଦିନ ରାତିରେ ମାନସିଂହ ପ୍ରାସାଦରେ ପ୍ରବେଶ କରି ସିଢି ଚୋରି କରି ନେବାର ଚେଷ୍ଟା କଲା । ଅବଶ୍ୟ ସେଥିରେ ସେ ସଫଳ ହେଲା ନାହିଁ, କିନ୍ତୁ ତା’ର ଏଭଳି ଦୁଃସାହସ ଯୋଗୁଁ ରାଜା ବହୁତ ରାଗିଗଲେ ଓ ସ୍ୱୟଂ ତାକୁ ଧରିବା ସକାଶେ ପ୍ରଯତ୍ନ ଆରମ୍ଭ କଲେ । ଡାକୁ ମାନସିଂହ କେଉଁ ବଣରେ ରହେ, ସେକଥା ସେ ଚରମାନଙ୍କଠାରୁ ବୁଝି ନେଲେ । ସେ ନିଜେ ଘୋଡା ଚଢି ସେ ବଣ ଆଡେ ଚାଲିଲେ ।

ବଣ ପାଖରେ କାଠୁରିଆ ଭଳି ଦିଶୁଥିବା ଜଣେ ଲୋକ ସହ ତାଙ୍କର ଭେଟ ହେଲା । କାଠୁରିଆ କହିଲା, “ଆପଣ ମହାରାଜାଟି? ଆପଣଙ୍କୁ ଗୋଟାଏ ଗୁପ୍ତଧନର ସନ୍ଧାନ କିପରି ଦେବି ସେକଥା ଭାବୁଥିଲି । ଅଳ୍ପ ଦୂରରେ ଏ ଯେଉଁ ଗୁମ୍ଫା ଦେଖୁଛନ୍ତି, ତାହାରି ଭିତରେ ବିପୁଳ ସୁନା ରହିଛି ।”ରାଜା କୌତୁହଳୀ ହୋଇ ସେ କାଠୁରିଆ ସହ ଗୁମ୍ଫା ପାଖକୁ ଗଲେ । ସେ ଯେମିତି ସେ ଗୁମ୍ଫାରେ ପଶିଛନ୍ତି, ସେ ଲୋକ ସେମିତି କୌଶଳରେ ଖଞ୍ଜା ହୋଇଥିବା ଖଣ୍ଡିଏ ପଥର ତଳକୁ ପକାଇ ଦେଇ ଗୁମ୍ଫା ମୁହଁ ବନ୍ଦ କରିଦେଲା ।ସେ ଲୋକ ଆଉ କେହି ନୁହେଁ, ଖୋଦ୍ ଡାକୁ ମାନସିଂହ । ରାଜାଙ୍କ ଘୋଡା ଚଢି ସେ ଆସି ପ୍ରାସାଦରେ ପହଁଚି ରାଜାଙ୍କ ସାନ ଭାଇ ରୁଦ୍ରପାଳଙ୍କୁ କିଛି ଗୋପନ କଥା କହିବା ନିମନ୍ତେ ପ୍ରାସାଦ ବାହାରେ ଥିବା ଉଦ୍ୟାନ ଭିତରକୁ ନେଇଗଲା ଓ କହିଲା କି ରାଜା ବଣ ଭିତରେ ଭୀଷଣ ବିପଦରେ ପଡିଥିଲେ ଓ ସେ ତାଙ୍କୁ ରକ୍ଷା କରିଛି । ରାଜାଙ୍କ ଘୋଡା ନେଇ ସେ ତାଙ୍କୁ ସାଙ୍ଗରେ ନେଇଯିବାକୁ ଆସିଛି । ରୁଦ୍ରପାଳ ଖୁସି ହୋଇ ନିଜ ହାରଟି ବାହାର କରି ତାକୁ ଦେଇଦେଲେ ଓ ନିଜ ଘୋଡା ବାହାର କରିବାକୁ ଗଲେ । ଡାକୁ ତତ୍କ୍ଷଣାତ୍ ଘୋଡା ଚଢି ସେଠାରୁ ପଳାଇଗଲା ।

ଡାକୁ ସିଧା ଆସି ସେ ଗୁମ୍ଫା ପାଖରେ ପହଁଚିଲା । ପଥର ଘୁଂଚାଇ ସେ ରାଜାଙ୍କୁ ବାହାର କରି କହିଲା, “ମୁଁ ଆପଣଙ୍କ ସାନଭାଇଙ୍କୁ ଯାଇ ଜଣାଇଲି କି ଆପଣଙ୍କ ମୃତ୍ୟୁ ହୋଇଛି ଏବଂ ଏଣିକି ସେ ରାଜା ହେବେ । ଏହି ଆନନ୍ଦରେ ସେ ତାଙ୍କ ହାରଟି ମୋତେ ଉପହାର ଦେଲେ ।”ରାଜା ଏହା ଶୁଣି ଏତେ ପ୍ରଚଣ୍ଡ ଖପା ହେଲେ ଯେ ସେ ଡାକୁର ଅପରାଧ ଭୁଲିଯାଇ ସାନଭାଇକୁ ଦଣ୍ଡ ଦେବା ନିମନ୍ତେ ଘୋଡା ଛୁଟାଇ ପ୍ରାସାଦରେ ଆସି ପହଁଚିଲେ । ଦୈବକୁ ପ୍ରାସାଦ ଆଗରେହିଁ ସେ ସିଢିବାଲା ବୁଢା ତାଙ୍କୁ ଦେଖି କହିଲା, “ମହାରାଜ, ବର୍ତ୍ତମାନଠୁଁ ସୂର୍ଯ୍ୟାସ୍ତ ଭିତରେ ସିଢିର ବିଶେଷ ଗୁଣ ପ୍ରକଟ ହେବ । ମାସକରେ ଥରେ ଏପରି ହୁଏ । ବର୍ତ୍ତମାନ ପାଇଁ ଯାହା ଆପଣଙ୍କର ପ୍ରକୃତରେ ହିତକର, ସିଢି ତାହାହିଁ ଆପଣଙ୍କୁ ଦେଖାଇ ଦେବ ।”

ଏହାପରେ ରାଜା ସେ ବୁଢା ସହ ପ୍ରାସାଦ ଭିତରେ ସିଢି ଥିବା ଘର ଭିତରକୁ ଗଲେ । ବୁଢାର ନିର୍ଦ୍ଧେଶ ମୁତାବକ ସେ ସିଢି ଚଢିଲେ । ତା’ର ଶେଷ ପାହାଚକୁ ଯିବା ମାତ୍ରେ ତାଙ୍କ ଆଖିରେ ଏକ ଅଦ୍ଭୁତ ଦୃଶ୍ୟ ଝଟକି ଉଠିଲା । ତାହା ତାଙ୍କ ପିତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଘଟିଥିଲା । ପିତା ତାଙ୍କୁ କହୁଥିଲେ, “ଜୀବନରେ କେବେହେଲେ ନ ବୁଝି ନ ଚିନ୍ତି କିଛି କାମ କରିବୁ ନାହିଁ । ବିଶେଷତଃ ତୁ ତୋ ସାନଭାଇକୁ ସବୁବେଳେ ସ୍ନେହପୂର୍ଣ୍ଣ ଆଖିରେ ଦେଖୁଥିବୁ ।”ରାଜା ସିଢିରୁ ଅବତରଣ କରି ସାନଭାଇକୁ ଭେଟି ତାହାଠୁଁ ସବୁ ଶୁଣିଲେ । ସେ ଅଜ୍ଞାନବଶତଃ ତାକୁ ଦଣ୍ଡ ଦେବାକୁ ଯାଉଥିଲେ ଏହା ଜାଣି ସେ ତାଙ୍କ ମନେ ମନେ ବହୁତ ଗ୍ଳାନି ଅନୁଭବ କଲେ ।କିନ୍ତୁ ପରେ ପରେ ସେ ଗୋଟିଏ ଅପ୍ରତ୍ୟାଶିତ କାମ କଲେ । ବୁଢା ଆଡେ ବୁଲିପଡି ସେ କହିଲେ, “ତମେ ତମ ସିଢି ଧରି ଏହିକ୍ଷଣି ଏଠାରୁ ବାହାରି ଯାଅ ।”ବୁଢା ଆଶ୍ଚର୍ଯ୍ୟ ହୋଇ ପଚାରିଲା “ମହାରାଜ! ଇଏ ଆପଣ କ’ଣ କହୁଛନ୍ତି? ଏହି ସିଢିର ଅଲୌକିକ ଗୁଣ କ’ଣ ଆପଣଙ୍କୁ ଆଦୌ ବିସ୍ମିତ କରୁନାହିଁ?”

ରାଜା ଧମକ ଦେଇ କହିଲେ “ବର୍ତ୍ତମାନ ଯାଉଛ ନା ମରିବ?”ରାଜାଙ୍କ କଡା ହୁକମ୍ରେ ବୁଢା ସିଢି ଧରି ପ୍ରାସାଦରୁ ବାହାରିଗଲା । ରାଜା ସଙ୍ଗେ ସଙ୍ଗେ ତାଙ୍କ ସେନାପତିଙ୍କୁ ଡାକି ଗୋପନରେ କ’ଣ ସବୁ ନିର୍ଦ୍ଧେଶ ଦେଲେ । ସେନାପତି ତରବରରେ ଯାଇ କେତେଜଣ ସୈନିକଙ୍କ ସହ ଭିନ୍ନ ରାସ୍ତାରେ ଘୋଡା ଛୁଟାଇ ଚାଲିଗଲେ ।ବୁଢା ସିଢି ସହ ଯେମିତି ଯାଇ ଗୋଟିଏ ନିର୍ଜନ ସ୍ଥାନରେ ପହଁଚିଛି, ସେମିତି ଡାକୁ ମାନସିଂହ ଆସି ସିଢି ତାହାଠୁଁ ଛଡାଇ ନେଲା । ସେ ଜାଣିଥିଲା କି ସୂର୍ଯ୍ୟାସ୍ତ ପୂର୍ବରୁ ସିଢି ତାକୁ କିଛି ନା କିଛି ହିତକର ଜ୍ଞାନ ଅବଶ୍ୟ ଦେବ । ସେ ସିଢିଟି ନିକଟବର୍ତ୍ତୀ ଗୋଟିଏ ଗଛରେ ଆଉଜାଇ ଶେଷ ପାହାଚକୁ ଉଠିଯିବା ମାତ୍ରେ ଦେଖିଲା, ଚାରିଆଡୁ ଧନୁତୀର ଉଦ୍ୟତ କରି ଚାରିଜଣ ସୈନିକ ତା’ଆଡକୁ ମାଡି ଆସୁଛନ୍ତି । ସେ ସତରେ ଅନାଇ ଦେଖିବା ବେଳକୁ ସେନାପତିଙ୍କ ସହ ସୈନିକମାନେ ତାକୁ ଧରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ।

ସେ ପଳାଇବାକୁ ବାଟ ନ ପାଇ ଗଛ ତଳକୁ ଆସି ବୁଢା ଗୋଡତଳେ ପଡି ତାକୁ ରକ୍ଷା କରିବାକୁ ବିନତି କଲା । ସେନାପତି ଓ ସୈନିକମାନେ ଆସି ତାକୁ ଧରିନେଲେ । ତାକୁ ସଙ୍ଗେ ସଙ୍ଗେ ଫାସିରେ ଲଟକାଇବା ନିମନ୍ତେ ରାଜାଙ୍କ ନିର୍ଦ୍ଧେଶ ଥିଲା । କିନ୍ତୁ ବୁଢା କଥାରେ ସେମାନେ ତାକୁ ରାଜାଙ୍କ ପାଖକୁ ନେଇଗଲେ । ମାନସିଂହ ଦସ୍ୟୁବୃତି ଛାଡି ରାଜାଙ୍କ ପାଖରେ ଚାକିରୀ କଲା । ରାଜା ବୁଢାକୁ ବହୁତ ପୁରସ୍କାର ଦେଲେ ଓ ହସି ହସି କହିଲେ, “ତମକୁ କାହିଁକି ତଡିଥିଲି ଏଥର ସେକଥା ବୁଝିଲ ତ?”ବୁଢା ତା’ମନେ ମନେ ସେ ରାଜାଙ୍କର ଅନେକ ପ୍ରଶଂସା କଲା । ସିଢି ସହ ତାକୁ ଏକୁଟିଆ ଦେଖିଲେ ମାନସିଂହ ନିଶ୍ଚୟ ଆସି ପହଁଚିବ, ରାଜା ଏହା ଜାଣି ମାନସିଂହକୁ ଧରିବା ନିମନ୍ତେ ତାକୁ ସେଠାରୁ ତଡି ଦେଇଥିଲେ । ମାନସିଂହ ଯେ ଖାଲି ଦସ୍ୟୁ ହିସାବରେ ଭୀଷଣ ଥିଲା, ତାହା ନୁହେଁ, ବରଂ ସେ ତା’ର ମାରାତ୍ମକ ବୁଦ୍ଧି ଯୋଗୁଁ ରାଜା ଓ ତାଙ୍କ ଭାଇଙ୍କ ଭିତରେ ମନାନ୍ତର ସୃଷ୍ଟି କରିବାକୁ ବସିଥିଲା ।

New Odia Story jadu Sidhi Odia Jadu Sidhi Odia Story Jadu sidhi
Share. Facebook Twitter Pinterest LinkedIn Tumblr Reddit Email
Previous Articleସଚ୍ଚା ବିଦୂଷକ
Next Article ଭବିଷ୍ୟତ ବାଣୀ
Liza S

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.