ରଙ୍ଗପୁରର ମାଧବ ଜଣେ ଉଦୀୟମାନ ଯୁବକ; ପିଲାବେଳଠୁଁ ନାନା ଶାସ୍ତ୍ର ପଢି ସେ ଅନେକ ଜ୍ଞାନ ଅର୍ଜନ କରିଥାଏ । ଏଣୁ ସେ ଗ୍ରାମସାରା ତା’ର ଖାଲି ପ୍ରଶଂସା । ଯିଏ ଯାହା ପ୍ରଶ୍ନ କରୁ ପଛେ, ସେ ତତ୍କ୍ଷଣାତ୍ ତା’ର ଉତ୍ତର ଦିଏ; ସେଥିପାଇଁ ସେ ବଡ ଲୋକପ୍ରିୟ ହୋଇଥାଏ । ଏତେ ପ୍ରଶଂସା ପାଇବା ଯୋଗୁଁ ତା’ ମନ ମଧ୍ୟରେ କ୍ରମେ ଗର୍ବ ଓ ଅହଂକାର ସୃଷ୍ଟି ହେଲା ।
ଥରେ ସେହି ଗ୍ରାମକୁ ଜଣେ ତେଜସ୍ୱୀ ସାଧୁ ଆସିଥିଲେ । ତାଙ୍କୁ ଗ୍ରାମବାସୀମାନେ ଖୁବ୍ ଆଦର ସମ୍ମାନ ଦେଖାଇ ସ୍ୱାଗତ କଲେ । ବହୁଲୋକ ଆସି ତାଙ୍କର ଉପଦେଶସବୁ ଶୁଣିଲେ । ସନ୍ନ୍ୟାସୀଙ୍କର ଏଭଳି ଗୁଡାଏ ପ୍ରଶଂସା ଶୁଣି ଶୁଣି ମାଧବ ଏଣେ ତା’ ମନଭିତରେ ଖାଲି ଈର୍ଷାରେ ଜଳିଲାଣି । ସେ ଭାବିଲା, “ସନ୍ନ୍ୟାସୀ କ’ଣ ଏମିତି ମହାନ୍ ଉପଦେଶ ଦେଉଛି ଯେ ସେଠାରେ ଏତେ ଲୋକ ଭିଡ କରୁଛନ୍ତି? ମୂର୍ଖ ଜନତା ମୋର ପ୍ରଶଂସା ନକରି ତା’ର କାହିଁକି ପ୍ରଶଂସା କରୁଛନ୍ତି?”
ଦିନେ ମାଧବ ଯାଇ ସେ ସନ୍ନ୍ୟାସୀଙ୍କ ସହିତ ଦେଖା କରି, ତାଙ୍କୁ ପଚାରିଲା, “ମହାଶୟ, ଆପଣ କେତେ ପର୍ଯ୍ୟନ୍ତ ବିଦ୍ୟାଶିକ୍ଷା କରିଛନ୍ତି?”
ସନ୍ନ୍ୟାସୀ କହିଲେ “ମୁଁ ଯେତେବେଳେ ପୂର୍ବାଶ୍ରମରେ ଥିଲି ମୋର ପିତାମାତା ମୋର ବିଦ୍ୟାଶିକ୍ଷା ପାଇଁ ବହୁତ ଯତ୍ନ କରିଛନ୍ତି । କିନ୍ତୁ ମୁଁ କିଛି ହେଲେବି ପଢିପାରି ନଥିଲି” ।
ମାଧବ ପଚାରିଲା “ତେବେ ଆପଣ ଏତେ ଉପଦେଶ କିପରି ଦେଉଛନ୍ତି?”
ସନ୍ନ୍ୟାସୀ ଶାନ୍ତ ଭାବରେ କହିଲେ, “ବତ୍ସ, ସବୁକିଛି ତ ଆଉ ବହିରୁ ଶିଖି ହୁଏ ନାହିଁ; ଅନେକ କିଛି ମଣିଷ ନିଜ ଅନୁଭୂତିରୁ ବି ଶିଖେ । ମୁଁ ମୋ ନିଜ ଅନୁଭୂତିରୁ ଯେଉଁ ବିଦ୍ୟା ଶିକ୍ଷା କରେ ସେହିସବୁକୁହିଁ ଲୋକମାନଙ୍କୁ ବାଂଟି ଥାଏ ।”
ମାଧବ ପଚାରିଲା “କେହି କେହି ବିଦ୍ୱାନ ବ୍ୟକ୍ତି, ନିଜର ଅନୁଭବକୁ ଲିପିବଦ୍ଧ କରିଛନ୍ତି । ଆପଣ ଯେଉଁ ସବୁ ବିଷୟ କହୁଛନ୍ତି ସେସବୁ ତ ପୁସ୍ତକ ମଧ୍ୟରେ ବି ଅଛି । ତେଣୁ ସେସବୁ ପଢିଲେ ନା ଆପଣଙ୍କ କଥା ଶୁଣିଲେ ଅଧିକ ଲାଭ ହେବ?”
ସନ୍ନ୍ୟାସୀ କହିଲେ, “ସେସବୁ ପଢିଲେ ତ ନିଶ୍ଚୟ ଅଧିକ ଲାଭ ହେବ ।”
ମାଧବ ତା’ ନିଜକୁ ପ୍ରଶଂସା କରି କହିଲା “ମୁଁ ତ ସେସବୁ କେବେଠାରୁ ପଢି ଚିନ୍ତା କରିଛି ଓ ଭଲ ଭାବରେ ହୃଦୟଙ୍ଗମ ବି କରିଛି ।”
ସନ୍ନ୍ୟାସୀ କହିଲେ “ତେବେ ତୁମେ ତ ଖୁବ୍ ଭାଗ୍ୟବାନ୍ ।”
ମାଧବ କହିଲା “ଭାଗ୍ୟବାନ୍ ତ ଆପଣ, ମୁଁ ଆପଣଙ୍କ ଅପେକ୍ଷା ଅଧିକ ଜ୍ଞାନୀ, କିନ୍ତୁ ଲୋକମାନେ ଆପଣଙ୍କୁ ଯେତେ ଆଦର ସମ୍ମାନ କରୁଛନ୍ତି ମୋତେ ତ ସେଥିରୁ କାହିଁ କାଣିଚାଏ ହେଲେବି ମିଳୁନାହିଁ ।”
ସନ୍ନ୍ୟାସୀ କହିଲେ “ମୁଁ ତ କାହାରିକୁ ମଧ୍ୟ ଏହା କହିନାହିଁ କି ମୋ ଉପଦେଶ ଶୁଣ ବୋଲି, ବା ମୋତେ ଆଦର ସମ୍ମାନ କର ବୋଲି । ସେସବୁ ତ ମୋର କେବେବି ଲୋଡାହିଁ ନ ଥିଲା । ମନେରଖ ଯେ ଶିକ୍ଷିତ ହେବା ମଣିଷର ଭାଗ୍ୟ ।”
ସନ୍ନ୍ୟାସୀଙ୍କ ଏଭଳି କଥା ଶୁଣି ମାଧବ ଭୀଷଣ ଚିଡିଯାଇ କହିଲା, “ଆପଣ ତ ମୋ ଅପେକ୍ଷା କମ୍ ପଢିଛନ୍ତି; ତେଣୁ ମୋତେ ଉପଦେଶ ଦେବାର ଆପଣଙ୍କର କୌଣସି ଅଧିକାର ମଧ୍ୟ ନାହିଁ । ଆପଣ ଚାହାଁନ୍ତି ତ ଆମେ ଦୁଇଜଣ ନାନା ବିଦ୍ୟା ଉପରେ ଆଲୋଚନା କରିବା, ତର୍କ କରିବା । ମୋର ପୁରା ବିଶ୍ୱାସ ହେଉଛି ଯେ ମୁଁ ଆପଣଙ୍କୁ ହରାଇ ଦେଇ ପାରିବି । ତେବେ ଯାଇ ଜନତା ମୋର ଆଦର ସମ୍ମାନ କରିବେ ।”
ସନ୍ନ୍ୟାସୀ ହସି ହସି କହିଲେ, “ମୁଁ ସେମିତି କିଛି ପଢାପଢି କରିନାହିଁ । ତୁମ ସମ୍ପର୍କରେ ମୁଁ ଯାହା ବୁଝିଛି, ତାହା ହେଉଛି ଏହି ଯେ ତୁମେ ଅନେକ ଶାସ୍ତ୍ର ପଢିଛ; କିନ୍ତୁ ସେଗୁଡିକୁ ତମେ ଏଯାଏଁ ହଜମ କରି ପାରି ନାହଁ । ଯେତେବଡ ବୁଦ୍ଧିମାନ ବ୍ୟକ୍ତି ହେଉନା କାହିଁକି, ତା’ର ଜଣେ ଗୁରୁ ଅବଶ୍ୟ ଦରକାର । ତେଣୁ ତୁମେ ମଧ୍ୟ କୌଣସି ଗୁରୁଙ୍କ ନିକଟରେ ଶିକ୍ଷା ପ୍ରାପ୍ତ କର । ସେହିଁ ତୁମକୁ ମାର୍ଗଦର୍ଶନ କରାଇବେ । ତୁମ ମଧ୍ୟରେ ଥିବା ବିକୃତ ଭାବନା ସବୁ ଦୂରେଇ ଯିବ, ଆଉ ତୁମେ ଶାନ୍ତ ହୋଇ ରହିବ ।”
ଏକଥା ଶୁଣି ମାଧବର ବିପରୀତ ପ୍ରତିକ୍ରିୟା ହେଲା । ତା’ର ମନେ ହେଲା ଗ୍ରାମବାସୀଙ୍କ ସାମ୍ନାରେ ସେ ଏତେ କଥା କହି ତାକୁ ଅପମାନ କରିଛନ୍ତି । ଯେତେବେଳେ ସେମାନଙ୍କର କଥାବାର୍ତ୍ତା ଚାଲୁଥିଲା, ସେତେବେଳେ କେତେକ ଗ୍ରାମବାସୀ ସେଠାରେ ଆସି ଉପସ୍ଥିତ ଥିଲେ । ସନ୍ନ୍ୟାସୀ ତାକୁ ବୁଝାଇବା ବେଳେ ସେମାନେ ହସି ପକାଇଥିଲେ ।
ମାଧବ କହିଲା, “ଆପଣ ତ ଅନେକ ସ୍ଥାନ ବୁଲି ବୁଲି ଆସିଛନ୍ତି । ଦୟା କରି କହିବେ କି ଏପରି କେହି ଗୁରୁ ଅଛନ୍ତି ଯିଏ କି ମୋ ଭଳି ବ୍ୟକ୍ତିକୁ ଶିଷ୍ୟ କରି ପାରିବେ?”
ସନ୍ନ୍ୟାସୀ କହିଲେ “ହଁ ଅଛନ୍ତି । ମେଘନାଥ ନାମକ ଜଣେ ପଣ୍ଡିତ ଅଛନ୍ତି, ସେ ମଧ୍ୟ ଜଣେ ବଡ କବି । ସେ ନିଜ କବିତାକୁ ଗ୍ରାମମାନଙ୍କରେ ବୁଲି ଅନ୍ୟମାନଙ୍କୁ ଶୁଣାନ୍ତି, କାରଣ ସେ ଏହା ଜାଣିବାକୁ ଚାହାଁନ୍ତି କି ଅନ୍ୟମାନେ ତାଙ୍କ କବିତା ଶୁଣିବା ଦ୍ୱାରା ସେଥିରେ ଯଦି କିଛି ତ୍ରୁଟି ଥାଏ, ତେବେ ତାଙ୍କୁ ସେମାନେ ତାହା କହିବେ । ଏହି ଗ୍ରାମକୁ ମଧ୍ୟ ସେ ଆସି ପାରନ୍ତି ।” ସେହିଦିନଠାରୁ ମାଧବ ମେଘନାଥଙ୍କୁ ଅପେକ୍ଷା କରିଥାଏ ।
ଦିନେ ମେଘନାଥ, ତାଙ୍କର ପତ୍ନୀ ଓ ପିଲାଙ୍କ ସହିତ ସେହି ଗ୍ରାମକୁ ଆସିଲେ । ଗ୍ରାମର ମୁଖିଆ ତାଙ୍କ ନିଜ ଘରେ ସେମାନଙ୍କୁ ରହିବା ଲାଗି ସ୍ଥାନ ଦେଲେ । ଗ୍ରାମର ଶେଷ ଭାଗରେ ମନ୍ଦିର ପାଖ ଚଉତରା ଉପରେ ତାଙ୍କର କବିତା ପଠନ ପାଇଁ ସଭାର ଆୟୋଜନ ହେଲା; ମେଘନାଥ ସ୍ୱରଚିତ କାବ୍ୟସବୁ ପଢି ଶୁଣାଇଲେ । ସେ ମଧ୍ୟେ ମଧ୍ୟେ ସୁନ୍ଦର ଭାବରେ ବୁଝାଇ ଦେଉଥିଲେ । ସେ ଯେଉଁ କାବ୍ୟ ଶୁଣାଉଥିଲେ, ତା’ର କଥାବସ୍ତୁ ଜଣେ ସନ୍ନ୍ୟାସୀର ଜୀବନୀ ଉପରେ ଆଧାରିତ ଥିଲା । ରାମ ବୋଲି ଜଣେ ବ୍ୟକ୍ତିର ପଢାପଢି ପ୍ରତି ସେମିତି କୌଣସି ଇଚ୍ଛା ନଥାଏ । ତେଣୁ ସେ ଯାଇ ସନ୍ନ୍ୟାସୀମାନଙ୍କ ସହ ଦେଖାକଲା । ସେମାନଙ୍କ ସହିତ କିଛିଦିନ ରହିବା ପରେ ସେ ନିଜେ ମଧ୍ୟ ଜଣେ ସନ୍ନ୍ୟାସୀ ହୋଇଗଲା । ଜ୍ଞାନୀ ଓ ପଣ୍ଡିତ ବି ହୋଇଗଲା ।
ମେଘନାଥ ବଡ ସୁନ୍ଦର ଭାବରେ ସେହି କାବ୍ୟଟି ରଚନା କରିଥିଲେ । କାବ୍ୟଟିର ପଂକ୍ତିଗୁଡିକ ବଡ ଅର୍ଥପୂର୍ଣ୍ଣ; ତା’ର ଭାଷା ଅତି ଚମତ୍କାର । ସଭାସ୍ଥ ଲୋକମାନେ ମେଘନାଥଙ୍କର ବହୁତ ପ୍ରଶଂସା କଲେ । ସେତେବେଳେ ମାଧବ ଉଠିପଡି କହିଲା, “ଆପଣଙ୍କ କାବ୍ୟରେ ଏକ ଭୁଲ୍ ରହିଛି । କୌଣସି ବିଦ୍ୟାଶିକ୍ଷା ନ କରି ଜଣେ କ’ଣ କେବେବି ସନ୍ନ୍ୟାସୀ ହୋଇ ଯାଇ ପାରେ କି? ସେପରି ହେଲେ ତ ସମସ୍ତେ ସନ୍ନ୍ୟାସ ନେବାକୁ ଚାହିଁବେ, ତେବେ ତ ଲୋକମାନଙ୍କର ଖାଦ୍ୟ ଓ ବାସସ୍ଥାନରେ ଆଉ କୌଣସି ସମସ୍ୟାହିଁ ରହିବ ନାହିଁ ।”
ଏକଥା ଶୁଣି ମେଘନାଥ ହସି ହସି କହିଲେ, “ମଣିଷ ମଧ୍ୟ ଏକ ଜନ୍ତୁ । ଅନ୍ୟ ଜନ୍ତୁମାନେ କ’ଣ ଘର ଦ୍ୱାର କରିବା ବା ଲୁଗାପିନ୍ଧିବା ବା ଫସଲ ଇତ୍ୟାଦି କରୁଛନ୍ତି ।”
ମାଧବ ପଚାରିଲା “ଆପଣ ତାହାହେଲେ କହୁଛନ୍ତି କି ମନୁଷ୍ୟ ଜନ୍ତୁ ପରି ଜୀବନଧାରଣ କରିବ?”
ମେଘନାଥ କହିଲେ, “ମଣିଷ ଏକ ସାମାଜିକ ଜୀବ । ସେ ଚାହିଁଲେ ମଧ୍ୟ ଜନ୍ତୁ ପରି କେବେବି ହୋଇ ପାରିବ ନାହିଁ । ଠିକ୍ ସେହିପରି ସେ ସନ୍ନ୍ୟାସୀ ମଧ୍ୟ ଏତେ ସହଜରେ ହୋଇ ପାରିବ ନାହିଁ । ତେଣୁ ଖାଦ୍ୟ, ବସ୍ତ୍ର ପ୍ରଭୃତି ତା’ ପାଇଁ ଏମିତି ଏକ ବଡ ସମସ୍ୟା ନୁହେଁ ।”
ଲୋକମାନେ ମେଘନାଥଙ୍କୁ ପ୍ରଶଂସା କଲେ । ମାଧବ କହିଲା, “ଆପଣ କହିବାକୁ ଚାହାଁନ୍ତି କି ଆପଣ ସନ୍ନ୍ୟାସୀ ହେବାଯୋଗୁଁ ଆପଣଙ୍କ ଲେଖାର ମୂଲ୍ୟ ବହୁତ ଅଧିକ ବଢିଗଲା?”
ମେଘନାଥ କହିଲେ “ଏ ବିଷୟରେ ମୁଁ ବହୁତ ଚିନ୍ତା କରିଛି । ସନ୍ନ୍ୟାସୀ ଅର୍ଥ ଏପରି ନୁହେଁ ଯେ ମୁଁ ମୋର ପିଲାକୁ ଛାଡି ଦେବି । ସେମାନଙ୍କୁ କଷ୍ଟ ଦେଇ କୌଣସି ଗଛ ମୂଳରେ ବସିଯାଇ ତପସ୍ୟା କରିବି । ସେଥିପାଇଁ ମୋର କୌଣସି ଆକର୍ଷଣ ନାହିଁ । ଆମର ପ୍ରଥମ ଆବଶ୍ୟକତା ହେଲା ଅହଂକାର ଓ ସ୍ୱାର୍ଥକୁ ତ୍ୟାଗ କରିବା ।”
ମାଧବ ତାଙ୍କୁ ଉତ୍ତର ଦେବାକୁ ଯାଇ କହିଲା, “ତେବେ ଆପଣ କାହିଁକି ନୂଆ ନୂଆ କାବ୍ୟରଚନା କରୁଛନ୍ତି? କାବ୍ୟର ରଚୟିତା ଭାବରେ ଆପଣଙ୍କର ପ୍ରଶଂସା ଓ ଗୁଣଗାନ ତ ଆପଣ ଚାହାଁନ୍ତି ନା? ଏହା ସ୍ୱାର୍ଥ ପାଇଁ ଯଥେଷ୍ଟ ପ୍ରଣାମ ନୁହେଁ କି? କିନ୍ତୁ ଆପଣ ଗ୍ରାମ ଗ୍ରାମ ବୁଲି କାହିଁକି ନିଜ କାବ୍ୟର ପ୍ରଚର କରୁଛନ୍ତି? ଯଶ ଖ୍ୟାତି ସକାଶେ ତ?”
ମେଘନାଥ କହିଲେ, “ଯେଉଁ କାବ୍ୟ ମୁଁ ରଚନା କରିଛି, ତାହାର ଅନ୍ୟନାମ ଏକ ଅସତ୍ୟ । ଶ୍ରୀରାମଚନ୍ଦ୍ର ଯଦି ଅନ୍ୟ କାହା ନାମରେ ଶାସନ ଚଳାଉଥାନ୍ତେ, ଅଥବା କାଳିଦାସ ନିଜ କାବ୍ୟ ଉପରେ ଅନ୍ୟନାମ ଲେଖିଥା’ନ୍ତେ ତେବେ ଅସତ୍ୟ ହୁଅନ୍ତା । ଇତିହାସ ସତ୍ୟ କଥା ଲେଖିବ, ତେଣୁ ଆମେ ଆମର କର୍ତ୍ତବ୍ୟ କରିଚାଲିଛୁ । ତେଣୁ ମୋର ନାମ ମୋର ରଚନା ଉପରେହିଁ ରହିଛି । ଏବେ ରହିଲା ପ୍ରଚାରର କଥା ମୁଁ ଯଦି ମୋର କାବ୍ୟକୁ କୌଣସି ରାଜାଙ୍କୁ ଦେଇଥାନ୍ତି, ତେବେ ଲକ୍ଷ ଲକ୍ଷ ମୁଦ୍ରା ମିଳିବା ସଙ୍ଗେ ମୋର ନାମ ମଧ୍ୟ ଆପେ ଆପେ ଇତିହାସରେ ରହିଥା’ନ୍ତା । ଗ୍ରାମ ଗ୍ରାମ ବୁଲି ବୁଝାଇବା ଦ୍ୱାରା ସେମାନଙ୍କର ବୁଦ୍ଧି ଓ ବିବେକକୁ ଜାଗ୍ରତ କରାଉଛି । କେବଳ ଯଶଲାଭ ପାଇଁ ଜଣେ ସପରିବାର ବୁଲିବା ଅତ୍ୟନ୍ତ କଷ୍ଟଦାୟକ କାର୍ଯ୍ୟ । ଧନ ମଧ୍ୟ ପରିଶ୍ରମ ଅନୁସାରେ ଲାଭ ହୁଏ ନାହିଁ । ଏବେ ତୁମେ ପଚାରିବ ଯେ ନୂଆ କାବ୍ୟ ଲେଖିବାର ଆବଶ୍ୟକତା କ’ଣ? ସୃଷ୍ଟିର ପ୍ରାରମ୍ଭରେ ମଣିଷ ଲଙ୍ଗଳା ହୋଇ ବୁଲୁଥିଲା । ବେଳେ ବେଳେ ପତ୍ରରେ ଦେହ ଢାଙ୍କୁଥିଲା । ଏବେ ତ ଆମେ ରେଶମୀ ବସ୍ତ୍ର ପିନ୍ଧୁଥାଉ । କାରଣ ସମାଜ, ଦୃଷ୍ଟିକୋଣ, ରୁଚି ସଦାବେଳେ ପରିବର୍ତ୍ତନ ହୋଇଥାଏ । ସେହି ଅନୁସାରେ ନୂଆ ନୂଆ କାବ୍ୟ କବିତା ମଧ୍ୟ ରଚନା କରାଯାଏ । ତୁମେ ଏସବୁ ଯଦି ବୁଝି ନ ପାରୁଛ, ନିଜେ କବି ହୋଇ କାବ୍ୟ ଲେଖିଲେ ଅତି ସହଜରେ ବୁଝିଯିବ । ଯଦି ନିଜେ ଲେଖି ନ ପାରିବ, ତେବେ ଆମମାନଙ୍କ ଲେଖା ପଢିବ ।”
ମେଘନାଥଙ୍କ ଏପ୍ରକାର ଉତ୍ତର ଶୁଣି ମାଧବ ପ୍ରଥମେ ଅବାକ୍ ହେଲା; କିନ୍ତୁ ପରେ ସେ ସନ୍ତୁଷ୍ଟ ହେଲା । ଆଜି ପର୍ଯ୍ୟନ୍ତ ଏପରି ବିଶ୍ଳେଷଣାତ୍ମକ କଥା ସେ କେବେବି କାହାଠୁ ଶୁଣି ନଥିଲା । ସେ ମନେ ମନେ ହାରିଗଲା । କିନ୍ତୁ ବାହାରେ ନିଜ ବୁଦ୍ଧିବତା ଦେଖାଇବା ପାଇଁ ସେ ଚାହିଁଲା ।
ମେଘନାଥ ଯେତେ ଯେତେ କଥା କହୁଥିଲେ, ସେତେବେଳେ ସେ ‘ମୁଁ’ବା ‘ମୋର’ ନକହି ବାରମ୍ବାର ‘ଆମେ’ ବା ‘ଆମର’ ଶବ୍ଦ ବ୍ୟବହାର କରୁଥିଲେ । ମାଧବ ମେଘନାଥଙ୍କୁ କହିଲା, “ଏକଥା ସତ୍ୟ ଯେ ଆପଣ ସାଧାରଣ ବ୍ୟକ୍ତି ନୁହଁନ୍ତି । କିନ୍ତୁ କାବ୍ୟ ବିଷୟରେ କିଛି କହିଲେ ଆପଣ କାହିଁକି ‘ମୁଁ’ ନକହି ‘ଆମେ’ ବୋଲି କହୁଛନ୍ତି; ଏଭଳି କରିବା ଦ୍ୱାରା ନିଜକୁ ସମ୍ମାନ ଦେଉଛନ୍ତି ନା କ’ଣ? ଆପଣ ବୋଧେ ଏକବଚନକୁ ବହୁବଚନରେ କହିବାରେ ନିଜର ମହତ୍ୱ ପ୍ରତିପାଦନ କରୁଛନ୍ତି ।”
ମେଘନାଥ କହିଲେ, “ଠିକ୍ କହିଛ, ମୋର ସ୍ତ୍ରୀ ମେଘାବତୀ ସରସ୍ୱତୀଙ୍କର ଆଶୀର୍ବାଦ ପାଇଛନ୍ତି । ମୋର ମୂଳନାମ ରଙ୍ଗନାଥ । ମୁଁ ମୋ ସ୍ତ୍ରୀଙ୍କୁ ସୌଭାଗ୍ୟବଶରୁ ପାଇଛି । କାରଣ ସମସ୍ତ କାବ୍ୟକବିତା ଆମେ ଦୁଇଜଣ ମିଶି ଲେଖିଛୁ ଏବଂ ସେଥିପାଇଁ ଦୁଇଜଣଙ୍କ ନାମ ଯୋଡି ମୁଁ ମୋ ନିଜ ନାମ ମେଘନାଥ ହିଁ ରଖିଛି । ତେଣୁ ସଦାବେଳେ ମୁଁ ‘ମୁଁ’ କହି ‘ଆମେ’ ବୋଲି କହେ । ତାହାହିଁ ନିରାଟ ସତ୍ୟ ।”
ମାଧବ ଏଥିରେ ଆହୁରି ଆଶ୍ଚର୍ଯ୍ୟ ହେଲା ଓ ହାତଯୋଡି କହିଲା, “ମୋତେ କ୍ଷମା କରନ୍ତୁ ।”
ମେଘନାଥ ଅଳ୍ପ ହସି କହିଲେ, “ଏପରି କିଛି କାର୍ଯ୍ୟ କେବେ ମଧ୍ୟ କରିବ ନାହିଁ, ଯେଉଁଥିପାଇଁ ତୁମକୁ ଅନ୍ୟ କାହା ପାଖରୁ କ୍ଷମା ମାଗିବାକୁ ପଡିବ । ଈର୍ଷା ଓ ଅଜ୍ଞାନତା ଯୋଗୁଁ ମୋତେ ତୁମେ ହୀନ ଚକ୍ଷୁରେ ଦେଖିଲ । ତେଣୁ ତଦ୍ୱାରା ତମେ ତଳକୁ ଗଲ ଓ ମୋର ସମ୍ମାନ ଆପେ ଆପେ ବଜାୟ ହୋଇ ରହିଲା । ଯିଏ ଅକାରଣରେ ଅନ୍ୟକୁ ଅପମାନ ଦେବାକୁ ବା କଷ୍ଟ ଦେବାକୁ ଇଚ୍ଛା କରେ, ସେ ନିଜେ ତଳକୁ ଯାଏ, ଅନ୍ୟଟି ଆପେ ଆପେ ଉପରକୁ ଉଠେ ।”
ମାଧବ ଏବେ ବୁଝିଲେ ସାଧୁ କାହିଁକି ତାଙ୍କୁ ମେଘନାଥଙ୍କୁ ଗୁରୁ କରିବାକୁ କହିଥିଲେ । ମାଧବର ଅହଂକାର ଦୂର ହେଲା ଓ ସେ ମେଘନାଥଙ୍କୁ ନିଜ ଗୁରୁ ବୋଲି ମାନିଲା ।