ଭ୍ରମରପୁର ରାଜ୍ୟର ରାଜା ବିଚିତ୍ରସେନ ପ୍ରାସାଦ ବାରାନ୍ଦାରେ ଠିଆ ହୋଇ ପଶ୍ଚିମ ଦିଗ୍ବଳୟ ଆଡେ ଅନାଇଥିଲେ । ସୂର୍ଯ୍ୟ ଅସ୍ତ ଯାଉଥିଲେ । ମେଘ ସବୁ ସୁନାର ପାହାଡ ଭଳି ଦିଶୁଥିଲେ ।ରାଜା ମୁଗ୍ଧ ହେଲେ । ସେହି ସୁନ୍ଦର ସୂର୍ଯ୍ୟାସ୍ତର ଦୃଶ୍ୟ ଅଳ୍ପ ସମୟ ପରେ ଲିଭିଯିବ, ଏହା ଭାବି ତାଙ୍କ ମନରେ ଭୀଷଣ ମାତ୍ରାରେ ଦୁଃଖ ହେଲା । ସେ ନିଜର ପ୍ରଧାନ ପରିଚାରକଙ୍କୁ ଡକାଇ ଆବଶ୍ୟକୀୟ ରଙ୍ଗ, ତୁଳୀ ଓ କନା ଯୋଗାଡ କରିବାକୁ ବରାଦ ଦେଲେ । ସେ ସେହି ସୂର୍ଯ୍ୟାସ୍ତକୁ ଚିତ୍ରପଟରେ ଚିରଦିନ ନିମନ୍ତେ ଧରି ରଖିବାକୁ ସିଦ୍ଧାନ୍ତ ନେଇଥିଲେ ।
ଘଂଟାଏ ଭିତରେ ଜିନିଷପତ୍ର ସବୁ ଆସିଗଲା । ରାଜା ଚିତ୍ରାଙ୍କନ ଆରମ୍ଭ କଲେ । ଏକାଗ୍ର ଭାବରେ ସେ ଆଙ୍କି ଚାଲିଥାନ୍ତି । ନିଜେ ନିଜେ କହୁଥାନ୍ତି, “ବାଃ, ବାଃ” ।”ବାହା ବାଃ, ବାହା ବାଃ” ବୋଲି ପଛରୁ ଶୁଭିଲା । ରାଜା ବୁଲିପଡି ଅନାଇଲେ । ଦେଖିବା ବେଳକୁ ରାଜାଙ୍କ ଦରବାରର ଜଣେ ଅମାତ୍ୟ ସୁଜନଚନ୍ଦ୍ର ଠିଆ ହୋଇ ତାଳି ମାରୁଛନ୍ତି । ସୁଜନଚନ୍ଦ୍ର ରାଜାଙ୍କର ଅତି ପ୍ରିୟପାତ୍ର ଥିଲେ । କାରଣ ସୁଜନଚନ୍ଦ୍ରଙ୍କ ମୁହଁରୁ ସବୁବେଳେ ମଧୁର କଥା ବାହାରେ ।
ସୁଜନଚନ୍ଦ୍ର କହିଲେ “ମଣିମା! ଆପଣ ଜଣେ ଏଡେ ମହାନ୍ କୁଶଳୀ କଳାକାର, ସେକଥା ତ କାହିଁ ମୁଁ ଜାଣି ନଥିଲି!”ଏହାଶୁଣି ମହାରାଜା ହସିଲେ ଓ ପଚାରିଲେ, “ଏ ଚିତ୍ର କିପରି ଲାଗୁଛି?”
ସୁଜନଚନ୍ଦ୍ର କହିଲେ “ମଣିମା! ଏ ଚିତ୍ରର ତ କୌଣସି ତୁଳନା ହିଁ ନାହିଁ । ଆପଣ ଯେପରି ଅସାଧାରଣ ସୁଶାସକ, ଠିକ୍ ସେହିପରି ଅସାଧାରଣ କଳାକାର ମଧ୍ୟ । ଜଣେ ସାଧାରଣ କଳାକାର ଲାଲ୍ ରଙ୍ଗରେ ସୂର୍ଯ୍ୟର ଚିତ୍ର ଆଙ୍କିଥାନ୍ତା, ଆପଣ ସୂର୍ଯ୍ୟକୁ ହଳଦିଆ ରଙ୍ଗରେ ଆଙ୍କିଛନ୍ତି । ଆପଣ ପୁଣି ମେଘମାଳାକୁ ସବୁଜ ରଙ୍ଗରେ ଆଙ୍କିଛନ୍ତି । ଆପଣଙ୍କ ସୂର୍ଯ୍ୟ ଲଡୁ ଭଳି ଦିଶୁଛନ୍ତି । ମେଘମାନେ ପିଠା ଭଳି ଦିଶୁଛନ୍ତି । ଏହାକୁ ଯଦି କଳା-ପ୍ରତିଭା ନ କହିବା, ତେବେ କାହାକୁ କହିବା? ଜନସାଧାରଣ ଯେ ଆପଣଙ୍କ ପ୍ରତିଭା ଚିହ୍ନିବାର ସୁଯୋଗ ପାଉ ନାହାଁନ୍ତି, ଏହା ଦେଶର ଦୁର୍ଭାଗ୍ୟ ଛଡା ଆଉ କ’ଣ ବା ହୋଇପାରେ?”
“ହୁଁ!” ରାଜା ଗମ୍ଭୀର ଦେଖାଗଲେ । ସେ ପଚାରିଲେ “ଆଚ୍ଛା, ଜନସାଧାରଣ ମୋ କଳା ଉପଭୋଗ କରିବାର ସୁଯୋଗ ପାଇଲେ ଭଲ ହେବ ଭାବୁଛ?”ସୁଜନଚନ୍ଦ୍ର କହିଲେ “ଏଥିରେ କ’ଣ ଆଉ କିଛି ସନ୍ଦେହ ଅଛି, ମଣମା? ଆପଣ ସ୍ୱୟଂ ଚିତ୍ର ଆଙ୍କିଛନ୍ତି, ଏହାହିଁ ଲୋକଙ୍କୁ ଆପଣଙ୍କ ଚିତ୍ର ପ୍ରତି ଆକୃଷ୍ଟ କରିବ । ଥରେ ଆପଣଙ୍କ ଚିତ୍ର ପ୍ରତି ଆକୃଷ୍ଟ ହେଲେ ସେମାନଙ୍କ ଭିତରେ କଳା ଜ୍ଞାନର ଉଦ୍ରେକ ହେବ । ସେମାନେ ତେଣିକି ସାଧାରଣ କଳାକାରମାନଙ୍କ ଚିତ୍ର ପ୍ରତି ମଧ୍ୟ ଆକୃଷ୍ଟ ହେବେ ।”
ରାଜାଙ୍କୁ ଏ ପ୍ରସ୍ତାବ ବେଶ୍ ଭଲ ଲାଗିଲା । ସେ ସୁଜନଚନ୍ଦ୍ରଙ୍କ ସହ ଏ ପ୍ରସ୍ତାବ ବିଶେଷ ଭାବରେ ଆଲୋଚନା କଲେ । ପରଦିନହିଁ ଦଶ ବାରଜଣ ଯୁବକ କଳାକାରଙ୍କୁ ନିଯୁକ୍ତି ଦିଆଗଲା । ସେମାନଙ୍କ କାମ ହେଲା, ରାଜାଙ୍କ ଚିତ୍ରକଳା ସବୁ ସେମାନେ ଅନ୍ୟ କନାକୁ ଉତାରିବେ । ସେସବୁ ନକଲ ଚିତ୍ର ସୁନ୍ଦର କାଠପଟାଟିମାନ ଉପରେ ମଡା ହେବ ଓ ବନ୍ଧା ହେବ । ଅଳ୍ପ ମୂଲ୍ୟରେ ସେସବୁ ବିକ୍ରୟ ହେବ । ତା’ହେଲେ ଯାଇ ରାଜ୍ୟର ଗରୀବମାନେ ମଧ୍ୟ ତାହା କିଣି ପାରିବେ ।ସେହି ଅନୁସାରେ କାମ ହେଲା । ରାଜଧାନୀର ବଡ ବଡ ତିନି ଚାରିଗୋଟି ଦୋକାନରେ ସେସବୁ ଚିତ୍ର ବିକ୍ରି ହେବାର ବ୍ୟବସ୍ଥା ହେଲା ।
ରାଜା ଦିନ ରାତି ଚିତ୍ର ଅଙ୍କାରେ ବ୍ୟସ୍ତ ରହିଲେ । ପ୍ରାକୃତିକ ଦୃଶ୍ୟ, ରାଜପରିବାରର ଲୋକମାନଙ୍କ ଚେହେରା ଓ ରାଜାଙ୍କ ପ୍ରିୟ ପାତ୍ରମିତ୍ରଙ୍କ ମୁହଁ ସବୁ ଗୋଟାଏ ପରେ ଗୋଟାଏ ଅଙ୍କା ହେଲା । ପଶୁପକ୍ଷୀ ବି ସେଥିରୁ ବାଦ୍ ଗଲେ ନାହିଁ । ନିଯୁକ୍ତି ପାଇଥିବା ଯୁବକ କଳାକାରମାନେ ସେସବୁର ଅବିକଳ ନକଲ ପ୍ରସ୍ତୁତ କରି ଚାଲିଥାନ୍ତି । ଅମାତ୍ୟ ସୁଜନଚନ୍ଦ୍ର କାଠପଟା, ରଙ୍ଗ ଓ କନା ସବୁ ଯୋଗାଇବାର ଦାୟିତ୍ୱ ନେଇଥାନ୍ତି । ଏଣୁ ସେ ରାଜକୋଷରୁ ପ୍ରଚୁର ଟଙ୍କା ନେଉଥାନ୍ତି ।
ବର୍ଷକ ପରେ ରାଜା ଦିନେ ତାଙ୍କ ମନ୍ତ୍ରୀଙ୍କୁ ପଚାରିଲେ, “ମନ୍ତ୍ରୀବର! ଆମର ନୂଆ ଯୋଜନା କିପରି ଚାଲିଛି?” ମନ୍ତ୍ରୀ ଟିକିଏ ଇତସ୍ତତଃ କରି କହିଲେ, “ମହାରାଜ! ଭଲ ଚାଲିଥିବ ପରା! ସୁଜନଚନ୍ଦ୍ର ଲକ୍ଷ ଲକ୍ଷ ଟଙ୍କା ରାଜକୋଷରୁ ନେଇ ବିଭାଗଟି ଚଳାଇଛନ୍ତି । ବହୁତ ଶସ୍ତାରେ ଆପଣଙ୍କ ଚିତ୍ର ସବୁର ନକଲମାନ ବିକ୍ରି ହେଉଛି । ୟାଭିତରେ ସୁଜନଚନ୍ଦ୍ର ନିଜ ପାଇଁ ଗୋଟାଏ କୋଠା ବନାଇ ସାରିଲେଣି । ତେଣୁ ସବୁ ଭଲ ଚାଲିଛି ବୋଲିବାକୁ ହେବ ।”
ରାଜା ପଚାରିଲେ “ଲୋକଙ୍କ ଭିତରେ ଏହା କଳାଜ୍ଞାନର ଉଦ୍ରେକ କରିଛି କି?”ମନ୍ତ୍ରୀ ଇତସ୍ତତଃ କଲେ । ରାଜା ପ୍ରଶ୍ନଟିର ପୁରୋବୃତି କରି ଅପେକ୍ଷା କଲେ ।”ମଣିମା! ସେକଥା ଜାଣିବାକୁ ହେଲେ ଆମକୁ ଛଦ୍ମବେଶରେ ଯାଇ ରାଜଧାନୀ ବୁଲିବାକୁ ହେବ ।”
ରାଜା ଏଥିରେ ସମ୍ମତ ହେଲେ । ଦୁହେଁ ଛଦ୍ମବେଶରେ ବାହାରି ପଡିଲେ । ସେମାନେ ଯାଇ ସହରର ପ୍ରଧାନ ଦୋକାନରେ ପହଁଚିଲେ । ସେଠାରେ ଗୋଟିଏ କୋଠରୀରେ ରାଜାଙ୍କ ଚିତ୍ରର ନକଲମାନ ସବୁ ମିଳୁଥାଏ । ରାଜା ଓ ମନ୍ତ୍ରୀ ଶୁଣିଲେ, ଜଣେ ବାଳକ ତା’ ବଡ ଭାଇକୁ ପଚାରୁଛି, “ଭାଇ, ଚିତ୍ରରେ ସେ ଜୀବଟି କ’ଣ, ଘୋଡା ନା ମଇଁଷୀ?”ବଡ ଭାଇ କହିଲା “ଘୋଡା ନୁହେଁ କି ମଇଁଷୀ ନୁହେଁ, ବୋଧହୁଏ ଏଇଟା ଗୋଟେ ବରାହ । ଏହା ରାଜାଙ୍କ ମୂଳ ଚିତ୍ରର ଅବିକଳ ନକଲ, ଏକଥା ମନେ ରଖି ଜୀବଟି କିଏ ତାହା ବୁଝିବାକୁ ଚେଷ୍ଟା କରିବୁ ।” ଏହାପରେ ସେ ଦୁଇଭାଇ ହସିଲେ ।
“ଏ ଦୁଇ ପିଲା କେଡେ ଅରସିକ!” ଏହା କହି ରାଜା ମନ୍ତ୍ରୀଙ୍କୁ ଧରି ଅନ୍ୟ ଗୋଟାଏ ଦୋକାନକୁ ଗଲେ । ସେତିକିବେଳେ ଜଣେ ଜଣାଶୁଣା କଳା ଶିକ୍ଷକ ପଶି ଆସି ଦୋକାନୀକୁ କହିଲେ, “ମୋତେ ଜଲ୍ଦି ରାଜାଙ୍କ ଛବିରୁ ବାରଟି ଦେଲ!”ଦୋକାନୀ ପଚାରିଲା “ଏକାବେଳେ ବାର?”କଳା ଶିକ୍ଷକ କହିଲେ “ଆରେ ଭାଇ, ମୋ ନୂଆ କଳା-ଛାତ୍ରମାନେ କିଛିବି ଶିଖି ନାହାଁନ୍ତି । ଏଇସବୁ କଂଚା ଚିତ୍ରକୁ କିପରି ଉନ୍ନତ କରାଯାଇ ପାରେ, ସେମାନଙ୍କୁ ସେଇ ଅଭ୍ୟାସ କରାଇବି । ଏଗୁଡିକ ଶସ୍ତା ବୋଲି ମୋ ପକ୍ଷରେ କିଣିବା ଭାରି ସହଜ ।”
ଏକଥା ଶୁଣିବା ମାତ୍ରେ ରାଜାଙ୍କ ମୁହଁ ଫିକା ପଡିଗଲା । ସେ ତରତରରେ ବାହାରିଗଲେ । ତା’ପରେ ସେ ଓ ମନ୍ତ୍ରୀ ତୃତୀୟ ଦୋକାନରେ ଯାଇ ପହଁଚିଲେ । ଗୋଟିଏ ଗରୀବ ବୁଢୀ ରାଜାଙ୍କ ଚିତ୍ରର ଯୋଡିଏ ନକଲ୍ କିଣୁଥିବାର ସେମାନେ ଦେଖିଲେ । ରାଜାଙ୍କ ମୁହଁରେ ହସ ଫୁଟିଲା । ସେ ଯାଇ ବୁଢୀକୁ ପଚାରିଲେ, “ତମକୁ ଏ କଳା ଖୁବ୍ ଭଲଲାଗେ ପରା!”
ବୁଢୀ ଉତ୍ତର ଦେଲା “ଆରେ ପୁଅ, ଏ କାଠପଟାରୁ ମୁଁ ଏ ଚିତ୍ର ଉଠାଇ ଦେଇ ସେଠି ଶିବ ଦୂର୍ଗାଙ୍କ ଚିତ୍ର ରଖିବି । ମୁଁ ଯଦି ଖାଲି କାଠପଟା କିଣିବି, ତେବେ ବେଶି ପଇସା ପଡିବ ।”ରାଜାଙ୍କ ମୁହଁ ଏଥର କଳା ପଡିଗଲା । ସେ ନଅରକୁ ଫେରି ଆସି ମନ୍ତ୍ରୀଙ୍କୁ କହିଲେ, “ମନ୍ତ୍ରୀ, ସେ ବିଭାଗ ବନ୍ଦ କରିଦିଅ ।”
ମନ୍ତ୍ରୀ ପ୍ରସ୍ତାବ ଦେଲେ “ମହାରାଜ! ବିଭାଗ ବନ୍ଦ କରିବା ନାହିଁ । ଯେଉଁ ଯୁବକ ଶିଳ୍ପୀମାନେ ନିଯୁକ୍ତି ପାଇଛନ୍ତି, ଏଣିକି ସେମାନଙ୍କୁ ମଧ୍ୟ ଚିତ୍ର ଆଙ୍କିବାର ସୁଯୋଗ ଦିଆଯାଉ । ପ୍ରତି ଦୁଇ ବର୍ଷରେ ଆମେ ନୂଆ ଶିଳ୍ପୀମାନଙ୍କୁ ଗ୍ରହଣ କରିବୁ ଓ ପୁରୁଣାମାନେ ବିଦାୟ ନେବେ । ଫଳରେ ଅନେକ ଶିଳ୍ପୀ ଉତ୍ସାହ ପାଇବେ ।”ରାଜା କହିଲେ “ତାହାହିଁ ହେଉ, ମନ୍ତ୍ରୀବର!”