• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମହାଭାରତ
ଗଳ୍ପ

ମହାଭାରତ

Liza SBy Liza SMay 27, 2022No Comments10 Mins Read
Facebook Twitter Pinterest Reddit LinkedIn Tumblr Email
Mahabharata
Mahabharata
Share
Facebook Twitter Pinterest Reddit Email

ନହୁଷ ତ ପ୍ରଥମେ ଜଣେ ସଦାଚାରୀ ବ୍ୟକ୍ତି ଥିଲେ । କିନ୍ତୁ ଇନ୍ଦ୍ରପଦ ପାଇବା ପରେ ସେ ଭୋଗବିଳାସରେ ମଗ୍ନ ରହିଲେ । ଦିନେ ଅପ୍ସରାମାନଙ୍କ ଗହଣରେ ବିହାର କରୁଥିବା ସମୟରେ, ସେ ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀଙ୍କୁ ଦେଖିଲେ । ତାଙ୍କ ରୂପ ସୌନ୍ଦର୍ଯ୍ୟ ନହୁଷଙ୍କୁ ବିମୁଗ୍ଧ କଲା । ସେ ଶଚୀଙ୍କ ନିକଟକୁ ଏକ ସନ୍ଦେଶ ପଠାଇଲେ ଯେ, ଯେହେତୁ ସେ ଏବେ ଇନ୍ଦ୍ର, ଶଚୀ ତାଙ୍କର ପତ୍ନୀ ହେବାପାଇଁ ବାଧ୍ୟ । ଶଚୀଦେବୀ ତାଙ୍କ ପ୍ରସ୍ତାବରେ ଭୟଭୀତ ହୋଇ, ମହର୍ଷି ବୃହସ୍ପତିଙ୍କ ନିକଟରେ ଯାଇ ଶରଣ ପଶିଲେ ।

ଏହା ଜାଣିପାରି ନହୁଷ ବୃହସ୍ପତିଙ୍କ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇ ଉଠିଲେ । ସେ ଋଷି, ମୁନିମାନଙ୍କୁ ନାନାଦି ଭତ୍ସର୍ନା କଲେ । କାରଣ ସେମାନେ ନହୁଷଙ୍କୁ ପର ନାରୀ ପ୍ରତି କୁଦୃଷ୍ଟି ପକାଇବା ମହାପାପ ଅଟେ କହି ଉପଦେଶ ଦେଲେ ।

ନହୁଷ ଓଲଟି ସେମାନଙ୍କୁ ପ୍ରଶ୍ନ କଲେ “ଇନ୍ଦ୍ର ତ ଏପରି କର୍ମ ଅନେକବାର କରିଛନ୍ତି । ଆପଣମାନେ ସେତେବେଳେ କାହିଁକି ତାଙ୍କୁ ଏ ଉପଦେଶ ଦେଉ ନ ଥିଲେ?”ସମସ୍ତ ଦେବଗଣ ବୃହସ୍ପତିଙ୍କ ନିକଟକୁ ଯାଇ କହିଲେ, “ମହାତ୍ମା, ନହୁଷ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଶଚୀଦେବୀଙ୍କୁ ପତ୍ନୀ ରୂପେ ନ ପାଇଲେ ଘୋର ଅନର୍ଥ ଘଟିବାର ଯଥେଷ୍ଟ ସମ୍ଭାବନା ଅଛି । ତିନିଲୋକ ବିପଦରେ ପଡିପାରେ ।”

ଶଚୀଦେବୀ ପ୍ରକାଶ କଲେ, “ମୁଁ ଯେ କୌଣସି କଷ୍ଟ ସହିବା ପାଇଁ ପ୍ରସ୍ତୁତ । କିନ୍ତୁ କୌଣସି ପରିସ୍ଥିତିରେ ମଧ୍ୟ ନହୁଷଙ୍କର ପତ୍ନୀ ହେବାପାଇଁ ମୁଁ କଦାପି ବି ଚାହିଁବି ନାହିଁ ।”ଏହା ଶୁଣି ବୃହସ୍ପତି କହିଲେ, “ଯେଉଁ ସ୍ତ୍ରୀ ମୋର ଶରଣକୁ ଆସିଛନ୍ତି, ତାଙ୍କର ରକ୍ଷା କରିବା ମୋର ପରମ ଧର୍ମ । ମୁଁ ମୋର ଧର୍ମ ନିଶ୍ଚୟ ରକ୍ଷା କରିବି ।”

ଏହି ସଙ୍କଟଜନକ ପରିସ୍ଥିତିରେ ସେମାନେ ଏକ ଉପାୟ ଚିନ୍ତା କରିବାରେ ଲାଗିଲେ, ଯାହା ଦ୍ୱାରା କି ଶଚୀଦେବୀଙ୍କର କିଛିବି କ୍ଷତି ହେଉ ନଥିବ ଓ ନହୁଷଙ୍କର କ୍ରୋଧ ମଧ୍ୟ ଶାନ୍ତ ହୋଇ ପାରିବ ।

ବୃହସ୍ପତି ଦେବତାଗଣଙ୍କୁ ପରାମର୍ଶ ଦେବାକୁ ଯାଇ କହିଲେ “ନହୁଷ ଅତ୍ୟନ୍ତ ଗର୍ବୀ ଆଚରଣ କରି ପତନଗହ୍ୱରରେ ନିଃପତିତ ହେବାକୁ ଯାଉଛନ୍ତି । ଏପରି ସ୍ଥିତିରେ ଶଚୀଦେବୀ ନହୁଷଙ୍କ ନିକଟକୁ ଯାଇ, କିଛି ସମୟ ଅପେକ୍ଷା କରିବା ପାଇଁ ଅନୁରୋଧ କଲେ ଭଲ ହେବ । ସେହି ସମୟରେ ଆମକୁ ଅନ୍ୟ କିଛି ଉପାୟ ଚିନ୍ତା କରିବା ପାଇଁ ସୁଯୋଗ ବି ମିଳନ୍ତା ।”

ବୃହସ୍ପତିଙ୍କ ଅନୁରୋଧ ରକ୍ଷା କରି ଶଚୀଦେବୀ ନହୁଷଙ୍କ ନିକଟକୁ ଗଲେ । ତାଙ୍କୁ ସେ କହିଲେ, “ମୋର ପତିଦେବ ଇନ୍ଦ୍ରଙ୍କ ସମ୍ବନ୍ଧରେ ଏ ଯାବତ୍ ମୁଁ କିଛି ହେଲେବି ସମାଚାର ପାଇ ନାହିଁ । ସଠିକ୍ ସମାଚାର ଜାଣିବା ପରେ ମୁଁ ତୁମର ପତ୍ନୀ ହେବାପାଇଁ ରାଜି ।”ଇତି ମଧ୍ୟରେ ମୁନିଗଣ ଇନ୍ଦ୍ରଙ୍କୁ ଖୋଜି ବାହାର କଲେ ଓ ତାଙ୍କର ପାପକ୍ଷୟ ନିମନ୍ତେ ଅଶ୍ୱମେଧ କରାଇଲେ । ଇନ୍ଦ୍ର ସ୍ୱର୍ଗ ଫେରି ଆସିଲେ ସତ, କିନ୍ତୁ ନହୁଷଙ୍କର ତେଜସ୍ୱୀ ରୂପ ଦେଖି ସେ ଖୁବ୍ ଭୟଭୀତ ହୋଇ ପଡିଲେ ଓ ପୁନଶ୍ଚ ସେ ଯାଇ କେଉଁଠାରେ ଆତ୍ମଗୋପନ କଲେ । ଶଚୀଦେବୀ ତାଙ୍କର ଅନୁଧାବନ କରି ସେଠାରେ ପହଁଚି ତାଙ୍କୁ କହିଲେ, “ନହୁଶଙ୍କର ବିନାଶ କରି, ତୁମେ ନିଜର ଇନ୍ଦ୍ରତ୍ୱ ଫେରାଇ ଆଣ ।”

ଇନ୍ଦ୍ର ଶଚୀଦେବୀଙ୍କୁ କହିଲେ “ଏବେ ନହୁଷଙ୍କର ବିନାଶ ସମ୍ଭବପର ନୁହେଁ । କାରଣ ସେ ମୋ ଠାରୁ ଯଥେଷ୍ଟ ଶକ୍ତିଶାଳୀ ଅଟନ୍ତି । ତାଙ୍କୁ ମାରିବା ପାଇଁ ଗୋଟିଏ ଉପାୟ ଅଛି । ଏହା କେବଳ ତୁମଦ୍ୱାରାହିଁ ସାଧିତ ହୋଇ ପାରିବ । ନହୁଷ ତୁମ ପ୍ରତି ଅତ୍ୟନ୍ତ ଆକୃଷ୍ଟ ହୋଇ ପଡିଛନ୍ତି । ତେଣୁ ତୁମେ ତାଙ୍କୁ କହିବ ଯେ ସେ ଏକ ପାଲିଙ୍କିରେ ବସି ତୁମ ନିକଟକୁ ଆସିବେ । ଯାହାକି ମୁନିଋଷିଙ୍କ ଦ୍ୱାରା ବାହିତ ହେବ । ଏପରି ଅପକର୍ମ କରାଇଲେ ନହୁଷଙ୍କର ଆପେ ଆପେ ପତନ ଘଟିବ ।”

ଶଚୀଦେବୀ ଏହା ନହୁଷଙ୍କୁ ଜଣାଇବାରୁ ସେ ଖୁବ୍ ଆନନ୍ଦିତ ହୋଇ ଉଠିଲେ । ତାଙ୍କର ଆଜ୍ଞା ଅନୁସାରେ ଋଷିଗଣ ସେହି ପାଲିଙ୍କିକୁ କାନ୍ଧେଇ ଶଚୀଙ୍କ ନିକଟକୁ ବାହାରିଲେ । ପଥ ମଧ୍ୟରେ ମୁନି, ଋଷିମାନେ ଏକ ନୈତିକ ବିଷୟ ସମ୍ବନ୍ଧରେ ଆଲୋଚନା କଲେ । କିନ୍ତୁ କେହି ଏକମତ ହୋଇ ପାରୁ ନଥିଲେ । ନହୁଷ ସେମାନଙ୍କର ଏପରି ଆଚରଣରେ ଭୀଷଣ ମାତ୍ରାରେ କ୍ରୋଧିତ ହୋଇ ଉଠିଲେ ଓ ଅଗସ୍ତ୍ୟ ଋଷିଙ୍କ ଶିରରେ ପଦାଘାତ କଲେ । ତତ୍କ୍ଷଣାତ୍ ଅଗସ୍ତ୍ୟ ତାଙ୍କୁ ଏକ ସର୍ପ ହୋଇଯିବା ପାଇଁ ଅଭିଶାପ ଦେଲେ । ଏହିପରି ଭାବେ ନହୁଷ ସ୍ୱର୍ଗଭ୍ରଷ୍ଟ ହେଲେ । ଇନ୍ଦ୍ର ତାଙ୍କର ପଦ ପୁନଃପ୍ରାପ୍ତ ହୋଇ କୃତକୃତ୍ୟ ହେଲେ ଓ ଶଚୀଦେବୀଙ୍କ ସହିତ ଅତି ଆନନ୍ଦରେ କାଳାତିପାତ କଲେ ।

ଶଲ୍ୟ ଏହି କଥା ଧର୍ମରାଜଙ୍କୁ ଶୁଣାଇବା ପରେ ସେ ଦୁର୍ଯ୍ୟୋଧନଙ୍କୁ ଭେଟିବା ପାଇଁ ଗଲେ ।

ଦ୍ରୁପଦଙ୍କ ପୁରୋହିତ ପାଣ୍ଡବଙ୍କ ଦୂତ ରୂପେ ହସ୍ତିନାପୁରଠାରେ ଯାଇ ପହଁଚିଲେ । ଏହା ପୂର୍ବରୁ ପାଣ୍ଡବକୌରବଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ଅନେକ ରାଜା ଓ ସେମାନଙ୍କର ସେନାନୀ ନିଜ ପକ୍ଷର ଶିବିରରେ ପହଁଚି ସାରିଥିଲେ ।

ପାଣ୍ଡବଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ସାତ ଅକ୍ଷୌହିଣୀ ସେନା ଉପପ୍ଲାବ୍ୟ ଠାରେ ଆସି ପହଁଚିଥିଲେ । ମହାରଥୀ ଯୁଯୁଧାନ ଓ ଚେଦିର ରାଜା ଧୃଷ୍ଟକେତ ନିଜ ସହିତ ଏକ ଅକ୍ଷୌହିଣୀ ଲେଖାଏଁ ସୈନ୍ୟ ଆଣିଥିଲେ । ପାଣ୍ଡ୍ୟ ଦେଶର ରାଜା ପାର୍ବତ୍ୟ ଯୋଦ୍ଧାଙ୍କ ସହିତ ଧର୍ମରାଜଙ୍କ ସହାୟତା କରିବା ପାଇଁ ଆସି ପହଁଚି ଥିଲେ । ଦ୍ରୁପଦଙ୍କ ସହିତ ତାଙ୍କର ପୁତ୍ର ଓ ଅନେକ ରଥୀ ମହାରଥୀ ଆସି ପହଁଚିଲେ । ମତ୍ସ୍ୟଦେଶର ରାଜା ବିରାଟ ଗିରିଜନ ସୈନିକଙ୍କ ସହିତ ଆସିଲେ ।ଏହା ବ୍ୟତୀତ ଅନେକ ଦେଶର ରାଜା ସେମାନଙ୍କର ଧ୍ୱଜ ସହିତ କୌରବ ପକ୍ଷରେ ଯୋଗ ଦେବା ପାଇଁ ମଧ୍ୟ ଆସିଲେ । ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ଏଗାର ଅକ୍ଷୌହିଣୀ ସୈନ୍ୟ ଏକତ୍ରିତ ହୋଇଥିଲେ । ନରକାସୁରର ପୁତ୍ର ଭଗଦତ କିରାତମାନଙ୍କୁ ନେଇ ଗଠିତ ଏକ ଅକ୍ଷୌହିଣୀ ସେନା ସହିତ ଦୁର୍ଯ୍ୟୋଧନଙ୍କ ନିକଟକୁ ଆସିଲେ । ଭୁରିଶ୍ରବ୍ଧ, ଶଲ୍ୟଙ୍କର ମଧ୍ୟ ଏକ-ଏକ ଅକ୍ଷୌହିଣୀ ସୈନ୍ୟ ଥିଲେ । ପତ୍ର, ପୁଷ୍ପ ଆଦିର ମାଳା ପରିଧାନ କରିଥିବା ବଳିଷ୍ଠ ଯୋଦ୍ଧାଙ୍କ ସହିତ କୃତବର୍ମା ଆସି ସେଠାରେ ପହଁଚିଲେ । ସିଂଧୁ, ସାବୀର ପ୍ରଦେଶରୁ ଜୟଦ୍ରଥ ଆଦି ଅନେକ ରାଜା ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୋଗ ଦେଲେ । ଦାକ୍ଷିଣାତ୍ୟର ମାହୀସ୍ମତୀପୁରରୁ ଭୟଙ୍କର ଆୟୁଧଯୁକ୍ତ ବଳଶାଳୀ ଯୋଦ୍ଧାମାନେ ଓ ଅବନ୍ତୀ ଦେଶର ରାଜାଙ୍କ ସହିତ ଦୁଇ ଅକ୍ଷୌହିଣୀ ସୈନ୍ୟ ମଧ୍ୟ ଆସିଲେ । ଏତଦ୍ବ୍ୟତୀତ ଅନ୍ୟାନ୍ୟ କ୍ଷୁଦ୍ର ରାଜ୍ୟମାନଙ୍କରୁ ଆସିଥିବା ସୈନିକଙ୍କର ସଂଖ୍ୟା ତିନି ଅକ୍ଷୌହିଣୀ ହେବ ।

ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ଅନ୍ୟ ଦେଶରୁ ଆସିଥିବା ରାଜା ଓ ସୈନ୍ୟଙ୍କର ରହଣୀ ନିମନ୍ତେ ହସ୍ତିନାପୁର ଯଥେଷ୍ଟ ନ ଥିଲା । ଏତେ ବିରାଟ ସେନାବାହିନୀକୁ ସୁବ୍ୟବସ୍ଥିତ କରିବା ନିମନ୍ତେ କୌରବମାନେ ପଂଚନଦ, ଗୁରୁଜାଙ୍ଗଲ, ରୋହିତାକାରଣ୍ୟ ମରୁଭୂମି, ଅହିଦୂତ୍ର, କାଳକୁଟ, ଗଙ୍ଗାକୂଟ, ବାରଣ, ନାଧୋନମ୍ ଓ ବିସ୍ତୀର୍ଣ୍ଣ ଯମୁନା ତଟ ଆଦି ଅଂଚଳରେ ବ୍ୟବସ୍ଥା କରାଇଲେ ।

ବିଭିନ୍ନ ପ୍ରଦେଶରୁ ଆସି ଏକତ୍ରିତ ହୋଇଥିବା ସେନାନୀଙ୍କୁ ଦେଖି ଦେଖି ଦ୍ରୁପଦଙ୍କ ପୁରୋହିତ ହସ୍ତିନାପୁରଠାରେ ଆସି ପହଁଚିଲେ । ଧୃତରାଷ୍ଟ୍ରଙ୍କ ରାଜ ସଭାରେ ପ୍ରବେଶ କରିବା ମାତ୍ରେ ବିଦୁର, ଭୀଷ୍ମ, ଧୃତରାଷ୍ଟ୍ର ଆଦି ସେହି ବୃଦ୍ଧ ବ୍ରାହ୍ମଣଙ୍କୁ ସ୍ୱାଗତ-ସତ୍କାର କଲେ ଓ ପାଣ୍ଡବମାନଙ୍କର କୁଶଳ – ମଙ୍ଗଳ ପ୍ରଶ୍ନ କଲେ । ସେହି ବ୍ରାହ୍ମଣ କୌରବମାନଙ୍କର କୁଶଳ କାମନା କରିବା ପରେ ରାଜସଭାକୁ ସମ୍ବୋଧିତ କରି କହିଲେ, “ହେ ସଭାସଦ୍ଗଣ, ଧୃତରାଷ୍ଟ୍ର ଓ ପାଣ୍ଡୁରାଜା ଏକ ଦମ୍ପତ୍ତିଙ୍କର ସନ୍ତାନ ଅଟନ୍ତି । ପିତାମହ ପିତାଙ୍କର ସମ୍ପତ୍ତିରେ ଉଭୟଙ୍କର ସମାନ ଅଧିକାର ରହିଛି, ତେଣୁ କେବଳ ଧୃତରାଷ୍ଟ୍ରଙ୍କ ପୁତ୍ରଗଣ ପୈତୃକ – ସମ୍ପତ୍ତି ଉପଭୋଗ କରିବାର ଅଧିକାର କାହିଁକି ପାଇଛନ୍ତି? ପାଣ୍ଡବମାନେ ଏପରି ଅଧିକାର ପ୍ରାପ୍ତି ନିମନ୍ତେ ଯୋଗ୍ୟ ନୁହଁନ୍ତି କି? ଆପଣମାନଙ୍କ ମଧ୍ୟରୁ କେହି ଏହାର ଯଥାଯଥ କାରଣ ବତାଇ ପାରିବେ କି? ଆପଣମାନେ ସମସ୍ତେ ଦୁର୍ଯ୍ୟୋଧନର ପାଣ୍ଡବଙ୍କ ପ୍ରତି ଏଭଳି ଅତ୍ୟାଚାର ସମ୍ବନ୍ଧରେ ଜାଣିଛନ୍ତି । ସେମାନେ ନିଜର ପୂଣ୍ୟବଳରେ ଏପରି କଷ୍ଟରୁ ରକ୍ଷା ପାଇ ପାରିଛନ୍ତି । ନଚେତ୍ କେବେଠାରୁ ସେମାନଙ୍କର ବିଲୋପ ଘଟିସାରନ୍ତାଣି । ଖାଲି ଏତିକି ନୁହେଁ ପାଣ୍ଡବମାନେ ନିଜ ଶକ୍ତିରେ ଯେଉଁ ରାଜ୍ୟ ଜୟ କରିଥିଲେ, ତାହା ମଧ୍ୟ ଦୁର୍ଯ୍ୟୋଧନ କପଟ ପଶା ଖେଳରେ ହରାଇ ସେମାନଙ୍କଠାରୁ ଛଡାଇ ନେଇଛି । ଶକୁନିର କୁମନ୍ତ୍ରଣା, ଅଗ୍ନିରେ ଘୃତ ସଦୃଶ ଦୁର୍ଯ୍ୟୋଧନର ପାପକର୍ମକୁ ପ୍ରୋତ୍ସାହିତ କରୁଛି । ତେରବର୍ଷକାଳ ପାଣ୍ଡବଗଣ ପତ୍ନୀ ସମେତ ବନବାସରେ ବିତାଇଲେ । ସେହି ସମୟର କ୍ଳେଶ ଅବର୍ଣ୍ଣନୀୟ । ବିରାଟନଗରୀରେ ବିତାଇଥିବା ଅଜ୍ଞାତବାସ କାଳ ସମ୍ବନ୍ଧରେ କହିବାକୁ ମୋର ଆଉ ଧୈର୍ଯ୍ୟ ନାହିଁ । ଶୁଣିବା ପାଇଁ ଆପଣମାନଙ୍କର ମଧ୍ୟ ଧୈର୍ଯ୍ୟ ରହିବ ନାହିଁ । କିନ୍ତୁ ଏତେ ସବୁ ଘଟିଯିବା ପରେ, ପାଣ୍ଡବମାନେ କୌରବଙ୍କ ସହିତ ଶାନ୍ତିପୂର୍ଣ୍ଣ ସମ୍ବନ୍ଧ ସ୍ଥାପନ କରିବା ନିମନ୍ତେ ଆଗ୍ରହୀ ଅଟନ୍ତି । କୌରବଙ୍କ ସହିତ ଯୁଦ୍ଧ ହେଲେ, ଅକାରଣରେ ଅନେକ ନିରୀହ ଜୀବନ ବଳି ପଡିବେ । ଭୀଷଣ ହତ୍ୟାକାଣ୍ଡ ସଂଘଟିତ ହେବ । କାହାର କିଛି କ୍ଷତି ହେବା ପୂର୍ବରୁ ପାଣ୍ଡବମାନେ ସେମାନଙ୍କର ରାଜ୍ୟ ଫେରି ପାଇବା ପାଇଁ ଅନୁରୋଧ କରିଛନ୍ତି । ଦୁର୍ଯ୍ୟୋଧନ ନିଜର ଶକ୍ତି ଉପରେ ଗଭୀର ବିଶ୍ୱାସ ରଖିଛନ୍ତି । ତାଙ୍କ ପକ୍ଷରେ ଅଗଣିତ ସୈନିକ ଏକଜୁଟ୍ ହୋଇଛନ୍ତି । ତେଣୁ ସେ ବିଜୟର ବରମାଲ୍ୟ ପିନ୍ଧିବା ବିଷୟରେ ନିଃସନ୍ଦେହ ହୋଇ ଯାଇଛି । କିନ୍ତୁ ମୋ ବିଚାରରେ ଏହା କେବଳ ତା’ର ଏକ ଭ୍ରମ ମାତ୍ର । ଦୁର୍ଯ୍ୟୋଧନ ପକ୍ଷରେ ଅସଂଖ୍ୟ ଯୋଦ୍ଧା ରହିଥିଲେ ମଧ୍ୟ କ’ଣ ଲାଭ ମିଳିବ? ପାଣ୍ଡବଙ୍କର ସେନା ମଧ୍ୟରେ ସାତ୍ୟକୀ, ଭୀମ, ନକୁଳ, ସହଦେବ ଏକାକୀ ଏକ ଅକ୍ଷୌହିଣୀ ସୈନ୍ୟ ସହିତ ସମାନ ଅଟନ୍ତି । ଏକମାତ୍ର ଅର୍ଜୁନଙ୍କୁ ଏହି ସମଗ୍ର ସେନାମଣ୍ଡଳୀ ପର୍ଯ୍ୟାପ୍ତ ନୁହେଁ, ଆହୁରି ପୁଣି କୃଷ୍ଣଙ୍କ ପରି ବିଚକ୍ଷଣ ଶୂରବୀର ସେମାନଙ୍କ ପକ୍ଷରେ ଅଛନ୍ତି । ଏପରି ଅମିତ ବଳଶାଳୀ ପାଣ୍ଡବମାନଙ୍କ ସହିତ ଯୁଦ୍ଧ କରିବା ଏକ ମୂର୍ଖତା ବ୍ୟତୀତ ଅନ୍ୟ କିଛିବି ନୁହେଁ । ବୁଦ୍ଧିମାନ ଲୋକଙ୍କ ନିମନ୍ତେ ପାଣ୍ଡବମାନଙ୍କ ସହିତ ବନ୍ଧୁତା ସ୍ଥାପନ ପାଇଁ ଏହା ଏକ ସୁବର୍ଣ୍ଣ ଅବସର । ଏପରି ଅବସର ସମ୍ବନ୍ଧରେ ବିଚାର ଆଲୋଚନା କରନ୍ତୁ ।”

ଦ୍ରୁପଦଙ୍କ ପୁରୋହିତ ତାଙ୍କର ବକ୍ତବ୍ୟ ଶେଷ କରିବା ପରେ ଭୀଷ୍ମ କହିଲେ, “ହେ ବ୍ରାହ୍ମଣ ଶ୍ରେଷ୍ଠ, ତୁମର କଥା ନିଷ୍ଠୁର ହେଲେ ମଧ୍ୟ ନିରାଟ ସତ୍ୟ ଅଟେ । ପାଣ୍ଡବମାନେ ଏ ଯୁଦ୍ଧପାଇଁ ପ୍ରସ୍ତୁତ ହେଉଛନ୍ତି ସତ କିନ୍ତୁ ତା ସହିତ ସେମାନେ ଶାନ୍ତି ପାଇଁ ମଧ୍ୟ ଆଶା ରଖିଛନ୍ତି । ପାଣ୍ଡବମାନଙ୍କର ସହନଶକ୍ତି ଅତୀବ ପ୍ରଶଂସନୀୟ ଅଟେ । ଅର୍ଜୁନ ଅନେକ ପ୍ରକାର ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ଅଟେ । ସେହି ମହାଯୋଦ୍ଧାର ସମକକ୍ଷ ବୀର ଏଠାରେ ଆଉ କେହି ମଧ୍ୟ ନାହାଁନ୍ତି । ଏପରିକି ବଜ୍ରାୟୁଧଧାରୀ ଇନ୍ଦ୍ର ମଧ୍ୟ ତା ସମ୍ମୁଖରେ ଆଦୌ ତିଷ୍ଠି ପାରିବେ ନାହିଁ ।”

ଭୀଷ୍ମଙ୍କ କଥା ସରିବା ମାତ୍ରେ କର୍ଣ୍ଣ ନିଜ ଆସନରୁ ଉଠିପଡି କହିଲେ, “ହେ ବିପ୍ରବର, ଆପଣ ଏଠାରେ ଯାହା କିଛିବି କହିଲେ, ତାହାତ ସମସ୍ତେ ଜାଣନ୍ତି । ଧର୍ମରାଜ ବଚନ ରକ୍ଷା ନିମନ୍ତେ ଭାଇ ଓ ପତ୍ନୀଙ୍କ ସହିତ ବନବାସ ଯାଇଥିଲେ । ଏହି ବିଷୟରେ କୌରବମାନଙ୍କର କିଛି ଦୋଷ ନାହିଁ । କାରଣ ପଶା ଖେଳର ସର୍ତ୍ତ ତାହାହିଁ ଥିଲା । ଏବେ ରାଜ୍ୟ ମାଗିବା ମୂର୍ଖତା ନୁହେଁ ତ ଆଉ କ’ଣ? ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କର ବଳ ଦେଖି ଭୟଭୀତ ହେବା ପରି କାପୁରୁଷ ନୁହେଁ । ଅଙ୍ଗୁଳି ପରିମିତ ଭୂମି ମଧ୍ୟ ସେ ପାଣ୍ଡବମାନଙ୍କୁ ଦେବ ନାହିଁ । ପୁନଶ୍ଚ ରାଜ୍ୟ ଫେରିବାର ଆଶା କଲେ, ଆଉ ଥରେ ବନବାସ ଭୋଗିବା ହିଁ ସାର ହେବ ।”

କର୍ଣ୍ଣଙ୍କର ଏପରି ଅର୍ଥହୀନ ଯୁକ୍ତି ଶୁଣି ଭୀଷ୍ମ ଉତ୍ତେଜିତ ହୋଇ ପଡିଲେ । ସେ ଚଢା ଗଳାରେ କହିଲେ, “କର୍ଣ୍ଣ, ଏହି ବ୍ୟର୍ଥ ପ୍ରଳାପରେ କିଛିବି ଲାଭ ନାହିଁ । ଯଦି ଯୁଦ୍ଧ ସଂଘଟିତ ହୁଏ ତେବେ ଅଗ୍ନିରେ ପତଙ୍ଗର ଅବସ୍ଥା ଯାହା ହୁଏ, ତାହା ହିଁ ଆମ ଭାଗ୍ୟରେ ଘଟିବ ।”

ଏହି ସମୟରେ ଧୃତରାଷ୍ଟ୍ର ହସ୍ତକ୍ଷେପ କରି କର୍ଣ୍ଣଙ୍କୁ ଆଉ ଅଧିକ କିଛି କହିବାରୁ ନିବୃତ କରାଇଲେ ଓ ତାଙ୍କୁ ସାବଧାନ କଲେ ଯେ ଭୀଷ୍ମଙ୍କର କଥାରେ ସତ୍ୟତା ରହିଛି, ଯେ ଆମର ଶୁଭକାମନା କରି ଏପରି କହୁଛନ୍ତି । ତା’ପରେ ଦ୍ରୁପଦଙ୍କ ପୁରୋହିତଙ୍କୁ ଧୃତରାଷ୍ଟ୍ର କହିଲେ, “ମହାଶୟ, ମୁଁ ଏହି ବିଷୟରେ ଗୁରୁତ୍ୱର ସହ ଚିନ୍ତା କରିବି । ତା’ପରେ ସଞ୍ଜୟଙ୍କ ଦ୍ୱାରା ପାଣ୍ଡବମାନଙ୍କ ନିକଟକୁ ମୁଁ ମୋ ଉତ୍ତର ପଠାଇବି । ଆପଣ ଏଥର ନିଶ୍ଚିନ୍ତ ମନରେ ପ୍ରତ୍ୟାବର୍ତ୍ତନ କରନ୍ତୁ ।”

ଧୃତରାଷ୍ଟ୍ର ପୁରୋହିତଙ୍କୁ ସାଦରେ ବିଦା କରିବା ପରେ ସଞ୍ଜୟଙ୍କୁ ଡକାଇ ସେ କହିଲେ, “ସଞ୍ଜୟ, ତୁମେ ଯଥା ଶୀଘ୍ର ଉପପ୍ଲାବ୍ୟ ଅଭିମୁଖେ ଯାତ୍ରା କର । ଧର୍ମରାଜଙ୍କୁ ଭେଟି ତାଙ୍କ କୁଶଳ–ମଙ୍ଗଳ ସମ୍ଭାଷଣ କରିବ ଓ ବନବାସ ଅଜ୍ଞାତବାସ ନିର୍ବିଘ୍ନରେ ସମାପ୍ତ ହୋଇ ଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବ । ଶ୍ରୀକୃଷ୍ଣ ତଥା ଯୁଦ୍ଧରେ ସହାୟତା ଦେବା ପାଇଁ ଆସିଥିବା ଅନ୍ୟ ନରପତିମାନଙ୍କୁ ସବିନୟ ପ୍ରଣାମ କରିବ । ଆମମାନଙ୍କ ପାଇଁ ପାଣ୍ଡବଙ୍କୁ ଅନେକ କଷ୍ଟ ସହିବାକୁ ପଡିଲା । ସେମାନେ କେବେ ଆମକୁ କଷ୍ଟ ଦେବା ପରି କିଛି କାମ କରିଥିବାର ମୋର ତ କାହିଁ ମନେ ପଡୁ ନାହିଁ । ଧର୍ମରାଜ କ୍ରୋଧିତ ହୋଇ ଆମ ବିପକ୍ଷରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା କଳ୍ପନା କରିବା ମାତ୍ରେ ମୁଁ ଭୟରେ କମ୍ପି ଉଠୁଛି । ଭୀମ-ଅର୍ଜ୍ଜୁନ ମହାବୀର ଅଟନ୍ତି । ଯୁଦ୍ଧ କଳାରେ ତାଙ୍କର ସମକକ୍ଷ ଆଉ କେହିବି ହୋଇ ପାରିବେ ନାହିଁ । ତୁମେ ତାଙ୍କୁ କ’ଣ କହିବ, ସ୍ୱୟଂ ନିର୍ଣ୍ଣୟ କର । କେବଳ ମୋର ଏତିକି କାମନା ଯେ, ଏ ଯୁଦ୍ଧ ନ ହେଉ । ସେମାନଙ୍କୁ ତାହା ବୁଝାଇବା ତୁମର ଦାୟିତ୍ୱ ଅଟେ ।”
ସଞ୍ଜୟ ରଥରେ ବସି ଉପପ୍ଲାବ୍ୟଠାରେ ଯାଇ ପହଁଚିଲେ । ଧର୍ମରାଜଙ୍କୁ ସାକ୍ଷାତ କରି କୁଶଳଜିଜ୍ଞାସା ବିନିମୟ ପରେ ସମସ୍ତଙ୍କ ଉପସ୍ଥିତିରେ ସଞ୍ଜୟ ଏପରି କହିଲେ ।

“ଧୃତରାଷ୍ଟ୍ର ଶାନ୍ତି କାମନା କରୁଛନ୍ତି, ଏହି ସନ୍ଦେଶ ଆପଣମାନଙ୍କୁ ଦେବା ପାଇଁ ସେ ମୋତେ ଏଠାକୁ ପଠାଇଛନ୍ତି । ଯୁଦ୍ଧରେ କିଏ ବିଜୟୀ ହେବ, କିଏ ପରାଜିତ ହେବ, ତାହା ତ କେହିବି କହି ପାରିବେ ନାହିଁ । କିନ୍ତୁ ଏହା ସତ୍ୟ ଯେ, ଯୁଦ୍ଧ ଉଭୟ ପକ୍ଷ ନିମନ୍ତେ ହାନିକାରକ ଅଟେ । ପାଣ୍ଡବଙ୍କୁ ବଧ କରି ଅଥବା କୌରବଙ୍କୁ ବଧ କରି କେହି ରାଜ୍ୟପ୍ରାପ୍ତି ଏକ ଅନୁଚିତ କାର୍ଯ୍ୟ । ନିଜର ଆତ୍ମୀୟଙ୍କୁ ହତ୍ୟା କରିବା ଅପେକ୍ଷା ମରଣ ହିଁ ଶ୍ରେୟସ୍କର ଅଟେ । ମୋର ବିଶ୍ୱାସ ଏହି ଯେ ଉଭୟଙ୍କର ସଂଘର୍ଷ ଫଳରେ, ଯେଉଁ ପକ୍ଷ ମଧ୍ୟ ବିଜୟ ହାସଲ କରିବେ, ତାଙ୍କ ପାଇଁ ବିଜୟ ନିଷ୍ପ୍ରୟୋଜନ ମନେ ହେବ । ଏପରି ବିଜୟ କାହାରି ମନରେ ସୁଖ ଆଣିଦେବ ନାହିଁ । ପାଣ୍ଡବମାନେ ଧର୍ମପରାୟଣ କର୍ତ୍ତବ୍ୟନିଷ୍ଠ ଅଟନ୍ତି । ତେଣୁ ସେମାନେ ଧର୍ମ ପଥରୁ ହଟିଯାଇ ଏପରି ହୀନ ମାର୍ଗରେ କେବେବି ଯାତ୍ରା କରିବେ ନାହିଁ ବୋଲି ମୋର ବିଶ୍ୱାସ ହେଉଛି । ମୁଁ ଯୋଡହସ୍ତରେ ସମସ୍ତଙ୍କୁ ବିନୀତ ପ୍ରାର୍ଥନା କରୁଛି ଯେ, ଶାନ୍ତି ସ୍ଥାପନା ନିମନ୍ତେ ଆପଣମାନେ ସମସ୍ତେ ଅଙ୍ଗୀକାରବଦ୍ଧ ହୁଅନ୍ତୁ ।”

ସଞ୍ଜୟଙ୍କ କଥାର ପ୍ରତ୍ୟୁତ୍ତରରେ ଧର୍ମରାଜ ନିଜର ଅଭିପ୍ରାୟ ବ୍ୟକ୍ତ କରିବାକୁ ଯାଇ କହିଲେ, “ସଂଜୟ, ଯୁଦ୍ଧ ଯେ ଅନିର୍ବାଯ୍ୟ, ଏହା ଆମେ କଦାପି କହି ନାହୁଁ । ଶାନ୍ତି ସ୍ଥାପନାର ଆଳରେ ଯୁଦ୍ଧ କରିବା ପାଇଁ ବାହାନା ମଧ୍ୟ ମୁଁ ଲୋଡୁ ନାହିଁ । ଜଣେ ବୁଦ୍ଧିମାନ, ଅପବିତ୍ର ଆତ୍ମାଧାରୀ ମନୁଷ୍ୟ ନିଜ ସୁଖ ବିଷୟ ଚିନ୍ତା କରିବା ସମୟରେ ଅନ୍ୟମାନଙ୍କର ସୁଖ ସମ୍ବନ୍ଧରେ ଚିନ୍ତା କରିବା ବି ଉଚିତ୍ । ଅରଣ୍ୟରେ ଅଗ୍ନି ପ୍ରଜ୍ଜ୍ୱଳିତ କଲେ ନିଜକୁ ସେହି ବିପଦରୁ ଆଦୌ ତ୍ରାହି ମିଳିବ ନାହିଁ । ଦୁଷ୍ଟ ଦୁର୍ଯ୍ୟୋଧନକୁ ସମର୍ଥନ କରିବାକୁ ପଡୁଥିବା ସମୟରେ ଧୃତରାଷ୍ଟ୍ର କିପରି ବା ସୁଖୀ ରହୁଥିବେ? କପଟ ପଶା ଖେଳ ହେବା ଦିନଠାରୁ କୌରବଙ୍କର ବିନାଶ ଆରମ୍ଭ ହୋଇ ଯାଇଛି । କିନ୍ତୁ କୌରବଙ୍କର ସମସ୍ତ ଛଳନା କପଟତା ଭୁଲିଯାଇ ବନ୍ଧୁତାର ହାତ ବଢେଇବା ପାଇଁ ଆମେ ଏବେ ବି ପ୍ରସ୍ତୁତ । କିନ୍ତୁ ମୋତେ କେବଳ ଇନ୍ଦ୍ରପ୍ରସ୍ଥ ମିଳିବା ଦରକାର ।”ସଞ୍ଜୟ କହିଲେ, “ଧର୍ମରାଜ ଆପଣ ତ ସଦା ସର୍ବଦା ଧର୍ମପଥର ଅନୁଗାମୀ ହୋଇ ଆସିଛନ୍ତି । ତୁଚ୍ଛ ରାଜଭୋଗ ନିମନ୍ତେ ନିଜର ଏହି ପ୍ରସିଦ୍ଧିକୁ କାହିଁକି କଳଙ୍କିତ କରାଇବେ? ଏ ଯୁଦ୍ଧ ବିଚାର ନିଜ ମନରୁ ପରିତ୍ୟାଗ କରନ୍ତୁ । କାହିଁକିନା କୌରବଙ୍କଠାରୁ ରାଜ୍ୟ ଆଶା କରିବାହିଁ ବୃଥା । କିନ୍ତୁ ରାଜ୍ୟ-ପ୍ରାପ୍ତି ନିମନ୍ତେ ଯୁଦ୍ଧ ଅପେକ୍ଷା ଭିକ୍ଷା-ବୃତ୍ତି ଅଧିକ ଶ୍ରେୟସ୍କର ।”

ସଞ୍ଜୟଙ୍କର ଏପରି ବ୍ୟାଖ୍ୟାକୁ ଧର୍ମରାଜ ମୋଟେ ଗ୍ରହଣ କଲେ ନାହିଁ । ସେ ତାଙ୍କୁ ସ୍ପଷ୍ଟ ଭାବରେ ଜଣାଇ ଦେଲେ, “ବିପଦରୁ ମୁକ୍ତି ପାଇବା ନିମନ୍ତେ ଅଧର୍ମକୁ ମଧ୍ୟ ଧର୍ମର ସ୍ୱୀକୃତି ମିଳିଥାଏ । ତେଣିକି ଶ୍ରୀକୃଷ୍ଣ ଯାହା ଚାହିଁବେ, ତାହାହିଁ ମୋର ଧର୍ମ ।”

ଶ୍ରୀକୃଷ୍ଣ ସଞ୍ଜୟଙ୍କୁ କହିଲେ, “ସଞ୍ଜୟ, ତୁମେ ଶାନ୍ତି, ଶାନ୍ତି କହି ଏତେ ଭାଷଣ ଦେଉଛ । କ’ଣ ତୁମ ବିଚାରରେ ଯୁଦ୍ଧ କରିବା ଏକ ରାଜଧର୍ମ ନୁହେଁ? ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ବିପଥଗାମୀ ହୋଇ ଅଧର୍ମ ଆଚରଣ କରୁଛନ୍ତି । ପାଣ୍ଡବଙ୍କ ସମ୍ପତ୍ତି, ରାଜ୍ୟ ଅପହରଣ କରିବାରେ ଧର୍ମର, ନୀତିର ସ୍ଥାନ କେଉଁଠି? ଜଣେ ଚୋର ଓ ଦୁର୍ଯ୍ୟୋଧନ ଭିତରେ କିଛି ପ୍ରଭେଦ ଅଛି କି? କୌରବମାନଙ୍କଠାରୁ ରାଜ୍ୟ ଆଶା କରିବା ବୃଥା – କାହିଁକି? ପର ଧନ ପ୍ରତି ମୋହ, ହୀନ ପ୍ରବୃତ୍ତିର ପରିଚାୟକ ନୁହେଁ କି? ନିଜର ରାଜ୍ୟ ହାସଲ କରିବା ପାଇଁ ଯୁଦ୍ଧ କରି ମୃତ୍ୟୁ ବରଣ କଲେ ବି ତାହା ପାଣ୍ଡବଙ୍କ ପାଇଁ ଅଧିକ ଶାନ୍ତିପ୍ରଦ ହେବ । କୌରବମାନଙ୍କୁ ଏହି କଥା ସ୍ପଷ୍ଟ ଭାବେ ଜଣାଇ ଦେବ ।”

ସଞ୍ଜୟ ନିଜର ଦୋଷାଦୋଷ ନିମନ୍ତେ କ୍ଷମା ପ୍ରାର୍ଥନା କରି, ସମସ୍ତଙ୍କ ଠାରୁ ବିଦାୟ ମାଗିଲେ । ସେ ସ୍ଥାନ ପରିତ୍ୟାଗ କରୁଥିବା ସମୟରେ ଧର୍ମରାଜ କହିଲେ, “ସଞ୍ଜୟ, ଆମେ ମଧ୍ୟ ପ୍ରକୃତରେ ଶାନ୍ତି କାମନା କରୁଛୁ । ଯଦି ଧୃତରାଷ୍ଟ୍ର ଆମ ପରି ଶାନ୍ତି କାମନା କରୁଥାନ୍ତି, ତେବେ ତାଙ୍କୁ କହିବ ଯେ, ରାଜ୍ୟରୁ ଏକ ଅଂଶ ହେଉ ପଛକେ, ଆମକୁ ତାହା ଦେବେ । ଆମ ପାଞ୍ଚଜଣଙ୍କର ପାଂଚୋଟି ଗ୍ରାମ ହେଲେ ମଧ୍ୟ ଚଳିବ । କୁଶସ୍ଥଳ, ବୃକସ୍ଥଳ, ମାଳନ୍ଦୀ, ବାରୁଣାବତ ଓ ଅନ୍ୟ କେଉଁ ଏକ ଗ୍ରାମ ଆମକୁ ପ୍ରଦାନ କଲେ, ଆମେ ସଭିଏଁ ସୁଖରେ ରହି ପାରିବୁ । ମୁଁ ଯୁଦ୍ଧ ପାଇଁ ଯେତିକି ନୁହେଁ, ଶାନ୍ତି ପାଇଁ ତା’ଠାରୁ ଅଧିକ ବ୍ୟାକୁଳ ।”

ଏହି ସନ୍ଦେଶ ବହନ କରି ସଞ୍ଜୟ ଉପପ୍ଲାବ୍ୟ ପରିତ୍ୟାଗ କରି ହସ୍ତିନାପୁରୀ ଅଭିମୁଖେ ଯାତ୍ରା କଲେ ।

New odia story Odia Story odiagapa
Share. Facebook Twitter Pinterest LinkedIn Tumblr Reddit Email
Previous Articleଡାକୁ ଭୈରବ
Next Article Duradrushti
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.