ହନୁମାନ କଦଳୀବନରେ ଭୀମଙ୍କର ପଥ ଅବରୋଧ କରିବା ପାଇଁ ସ୍ଥିର କଲେ । ରକ୍ତବର୍ଣ୍ଣର ମୁଖମଣ୍ଡଳ, ଉଜ୍ଜ୍ୱଳ ଆଖି, ତପ୍ତ କଂଚନ ବର୍ଣ୍ଣର ଶରୀର, ବିଶାଳ ଭୂଜାଧାରୀ ବୀର ହନୁମାନ ପଥର ଏଧାରରୁ ସେ ଧାର ଯାଏଁ ବ୍ୟାପୀ ହୋଇ ଶୋଇ ରହିଥାନ୍ତି । ଭୀମ ତାଙ୍କୁ ଦେଖି ପାଖକୁ ଆସି, ପୁଣିଥରେ ସିଂହନାଦ କଲେ । ଭୀମଙ୍କର ନିଜ ବଳ ଓ ଶକ୍ତି ଉପରେ ପୂର୍ଣ୍ଣ ଭରସା ଥିବାରୁ, ସେ ହନୁମାନଙ୍କୁ ଦେଖି ଆଦୌ ଭୟଭୀତ ହେଲେ ନାହିଁ । ହନୁମାନ ଚକ୍ଷୁ ଉନ୍ମୀଳନ କରି ଅଳ୍ପ ହସି କହିଲେ, “ପୁତ୍ର, ମୁଁ ବୃଦ୍ଧ, ପୁଣି ଅସୁସ୍ଥ । କ୍ଳାନ୍ତି ବଶତଃ ଏଠାରେ ବିଶ୍ରାମ ନେଉଥିଲି । ତୁମେ ମୋର ନିଦ୍ରା କାହିଁକି ଭାଙ୍ଗିଲ ସେକଥା ମୁଁ ଜାଣି ପାରେ କି? ମୋ ପ୍ରତି ତ ତୁମର ଦୟା ଆସିବା ଉଚିତ୍ । ତୁମେ ମୋର ନିଦ୍ରା-ଭଗ୍ନ କରି କିଛିବି ଭଲ କାମ କଲ ନାହିଁ । ଏହି ବନରେ ଏକାକୀ ତୁମେ କେଉଁଆଡେ ଯାଉଛ? ଏହାର ଆଗକୁ ଥିବା ପ୍ରଦେଶ ଦେବତାଙ୍କ ନିବାସ ସ୍ଥଳୀ ଅଟେ । ସେଠାରେ ମନୁଷ୍ୟଙ୍କ ପ୍ରବେଶ ନିଷେଧ । ମୋର କଥା ମାନି, ଏଇଠାରୁ ଫେରିଯାଅ ।”ଭୀମସେନ ନିର୍ଭୟରେ କହିଲେ – “ମୁଁ କୁରୁବଂଶଜ କ୍ଷତ୍ରିୟ ଅଟେ । ମୋର ନାମ ଭୀମସେନ । ଏବେ ମୁଁ ଆପଣଙ୍କର ପରିଚୟଟା ଜାଣିପାରେ କି? ଏଠାରେ କାହିଁକି ଏପରି ଶୋଇ ରହିଛନ୍ତି? କାହିଁକି ଆପଣ ଏପରି ମର୍କଟରୂପ ଧାରଣ କରିଛନ୍ତି? ମୋର ପଥ ଏପରି ଅବରୋଧ କରନ୍ତୁ ନାହିଁ” ହନୁମାନ କହିଲେ “ମୁଁ ଏକ ମର୍କଟ । ତୁମେ ମତେ ପଥରୁ ହଟିବା ପାଇଁ ବାଧ୍ୟ ନ କରି ନୀରବରେ ଏ ସ୍ଥାନରୁ ଫେରିଯାଅ ।”
ଭୀମ ଏଥିରେ ନିଜର ବିରକ୍ତି ପ୍ରକାଶ କରି କହିଲେ “ତୁମେ ପଥରୁ ହଟି ନ ଗଲେ ମୁଁ ଆଉ ସ୍ଥିର ହୋଇ ରହିପାରିବି ନାହିଁ । ଆପଣଙ୍କୁ ବଳପୂର୍ବକ ଏଠାରୁ ହଟାଇଦେବି । ମୁଁ ମୋର ଲକ୍ଷ୍ୟ ହାସଲ ନ କରିବା ଯାଏଁ, ଏଠାରୁ ଫେରିଯିବାର କୌଣସି ପ୍ରଶ୍ନହିଁ ଉଠୁନାହିଁ । ଆପଣ ମତେ ଏପରି ବାଧା ଦିଅନ୍ତୁ ନାହିଁ, ମୁଁ ଚେତାବନୀ ଦେଉଛି ।”ହନୁମାନ ପ୍ରକାଶ କଲେ “ପୁତ୍ର ମୁଁ ବୃଦ୍ଧ । ମୋର ସ୍ୱାସ୍ଥ୍ୟର ଅବସ୍ଥା ଭଲ ନାହିଁ । ତେଣୁ ମୁଁ ଚଳତ୍ ଶକ୍ତି ହୀନ ହୋଇ ପଡିଛି । ଯଦି ପ୍ରକୃତରେ ତୁମର କେଉଁ ସ୍ଥାନକୁ ଯିବା ଜରୁରୀ ମନେ କରୁଛ, ତେବେ ମୋତେ ଡେଇଁ ଚାଲିଯାଅ ।”“ମୁଁ ଜାଣେ, କାହାକୁ ଡେଇଁ, ଆଗକୁ ଯିବା ଏକ ଭୁଲ୍ କାମ ଅଟେ । ନହେଲେ ବୀର ହନୁମାନଙ୍କ ସମୁଦ୍ର ଲଙ୍ଘିବା ପରି, ମୁଁ କ’ଣ ତୁମକୁ ଡେଇଁ ଯାଇ ନ ଥାଆନ୍ତି? ସେ କାର୍ଯ୍ୟ ପ୍ରଥମରୁ ମୁଁ କରିସାରିଥାନ୍ତି ।” ଭୀମ ଏପରି କହିଲେ ।ଭୀମଙ୍କ କଥାଶୁଣି ହନୁମାନ ଟିକେ ହସିଦେଇ ପଚାରିଲେ, “ଏଇ ହନୁମାନ ଜଣକ କିଏ? କାହିଁକି ତାଙ୍କୁ ସମୁଦ୍ର ଲଙ୍ଘନର ଆବଶ୍ୟକତା ପଡିଲା?”“ମୋ ପରି, ହନୁମାନ ମଧ୍ୟ ବାୟୁଦେବଙ୍କ ପୁତ୍ର ଅଟନ୍ତି । ତେଣୁ ସେ ମୋର ଜ୍ୟେଷ୍ଠଭ୍ରାତା । ତାଙ୍କ ପ୍ରତି ମୋର ଗଭୀର ଭକ୍ତି ଓ ଶ୍ରଦ୍ଧା ରହିଛି । ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ସମୟରେ ମୁଁ ପ୍ରଥମେ ତାଙ୍କୁ ହିଁ ସ୍ମରଣ କରିଥାଏ । ଏହା ଅଫୁରନ୍ତ ଶକ୍ତିର ସଂଚାର କରେ । ପ୍ରଭୁ ଶ୍ରୀରାମଙ୍କ ପତ୍ନୀ ସୀତାଦେବୀଙ୍କୁ ଲଙ୍କାର ରାଜା ରାବଣ ଅପହରଣ କରି ନେଇଥିଲା । ସେହି ଦେବୀଙ୍କୁ ଠାବ କରିବା ପାଇଁ ମହାବଳୀ ହନୁମାନ ସମୁଦ୍ର ଲଙ୍ଘନ କରି ଲଙ୍କା ଯାଇଥିଲେ । ମୁଁ ମଧ୍ୟ ଠିକ୍ ତାଙ୍କପରି ପରାକ୍ରମୀ, ବଳଶାଳୀ ଓ ଶକ୍ତିବାନ ଅଟେ । ଆଉ ବେଶୀ ଯୁକ୍ତିତର୍କ ନ କରି ଧୀରେ ପଥରୁ ହଟିଯାଅ, ନଚେତ୍ ମୋର ଶକ୍ତିର ନମୁନା ଦେଖିବାକୁ ପାଇବ ।”
ଭୀମଙ୍କର ଏହି ଦର୍ପଭରା ବାଣୀରେ ହନୁମାନ ନ ହସି ଆଉ ରହିପାରିଲେ ନାହିଁ । ମାତ୍ର ନିଜକୁ ସମ୍ଭାଳି ନେଇ ଛଳନାରେ ସେ କହିଲେ, “ପୁତ୍ର, ମୋତେ ଏ ବୟସରେ ତୁମେ କାହିଁକି କଷ୍ଟ ଦେବ? ମୋର ଲାଙ୍ଗୁଡକୁ ଏଇ ଦିଗରୁ ଟିକେ ପାଖେଇ ନେଇ, ତା’ପରେ ତୁମ କାର୍ଯ୍ୟରେ ତୁମେ ଚାଲିଯାଅ ।”ଭୀମ ବେଖାତିର ଭାବରେ ନିଜର ବାମହାତରେ ହନୁମାନଙ୍କ ଲାଙ୍ଗୁଡକୁ ପଥରୁ ହଟେଇବା ପାଇଁ ଚେଷ୍ଟା କଲେ । କିନ୍ତୁ ସେ ବିଫଳ ହେଲେ । ବିସ୍ମିତ ହୋଇ ସେ ଦୁଇହାତରେ ଲାଙ୍ଗୁଡ ଟେକିବା ପାଇଁ ସେ ଉଦ୍ୟମ କଲେ । ମାତ୍ର ହନୁମାନଙ୍କ ଲାଙ୍ଗୁଡକୁ ଟିକେ ହଲେଇବାକୁ ମଧ୍ୟ ସେ ସକ୍ଷମ ହେଲେ ନାହିଁ ।ଏହି କାରଣରୁ ଭୀମ ସେତେବେଳେ ଖୁବ୍ ଲଜ୍ଜା ଅନୁଭବ କଲେ । ତେଣୁ ସେ ହାତଯୋଡି ହନୁମାନଙ୍କୁ କହିଲେ, “ମୋତେ କ୍ଷମା କରନ୍ତୁ, ମୁଁ ଆପଣଙ୍କୁ ଯେଉଁ ଗର୍ବ-ଅହଙ୍କାରପୂର୍ଣ୍ଣ କଥା କହିଛି, ତାହା ମନରୁ ପାଶୋରି ଦିଅନ୍ତୁ । ଆପଣ ନିଶ୍ଚୟ କେଉଁ ସିଦ୍ଧ ପୁରୁଷ ଅବା ଗନ୍ଧର୍ବ ଅଟନ୍ତି । ସାଧାରଣ ବାନର ତ ମୋଟେ ନୁହଁନ୍ତି । ମୁଁ ଆପଣଙ୍କୁ ମୋର ଗୁରୁଭାବେ ସ୍ୱୀକାର କରୁଛି । ଆପଣଙ୍କର କୌଣସି ଆପତ୍ତି ନ ଥିଲେ, ମତେ ଆପଣଙ୍କର ପ୍ରକୃତ ପରିଚୟ ପ୍ରଦାନ କରନ୍ତୁ ।”ଏହାପରେ ହନୁମାନ ନିଜର ପରିଚୟ ପ୍ରଦାନ କରି କହିଲେ, “ପୁତ୍ର, ମୁଁ ସ୍ୱୟଂ ନିଜେ ହନୁମାନ ଅଟେ । ବାଳୀ ଓ ସୁଗ୍ରୀବଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହେବାରୁ, ସୁଗ୍ରୀବ ମୋର ସହାୟତା ଲୋଡିଥିଲେ । ତାଙ୍କର ମିତ୍ର ଭାବେ ପ୍ରଭୁ ଶ୍ରୀରାମଙ୍କ ସେବା କରିବାର ସୁଯୋଗ ମୁଁ ପାଇଲି ।” ଏହିପରି ସେ ରାମାୟଣ ସମୟର ସମସ୍ତ ଘଟଣା ଓ ନିଜର ଅନୁଭୂତି ବର୍ଣ୍ଣନା କଲେ । ଶେଷରେ ସେ କହିଲେ, “ମୁଁ ଏବେ ଏଠାରେ ଅବସ୍ଥାନ କରୁଛି । ଏହି ସ୍ଥାନର ନିବାସୀ ଗନ୍ଧର୍ବ ଓ ବିଦ୍ୟାଧର ମାନେ ମୋତେ ରାମକଥା ଶୁଣାଉଛନ୍ତି । ତାହାହିଁ ମୋର ଅପାର ଆନନ୍ଦର ଆଧାର । ଏହି ପ୍ରଦେଶରେ ତ ମନୁଷ୍ୟ ପ୍ରବେଶ ନିଶିଦ୍ଧ । ତୁମେ ଏଠାକୁ କାହିଁକି ଆସିଛ, ଏବେ ପ୍ରକାଶ କର?”
ସଙ୍ଗେ ସଙ୍ଗେ ଭୀମ ସାଷ୍ଟାଙ୍ଗ ପ୍ରଣିପାତ କରି କହିଲେ, “ମହାତ୍ମା, ଆପଣଙ୍କର ଦର୍ଶନ ପାଇ ମୋର ଜୀବନ ସାର୍ଥକ ହୋଇଗଲା । ଆପଣଙ୍କର ସମୁଦ୍ର ଲଙ୍ଘିବା ସମୟର ରୂପ ଦେଖିବା ପାଇଁ, ମୋର ଇଚ୍ଛା ବହୁଦିନରୁ ରହିଛି । ମୋତେ ସେହି ରୂପ ଦେଖାଇ ଧନ୍ୟ କରନ୍ତୁ ।”ହନୁମାନ ଭୀମଙ୍କ କଥାକୁ ଟାଳିବାକୁ ଯାଇ କହିଲେ “ସେହି ସମୟର ରୂପ ଏବେ କ’ଣ ଆଉ ପ୍ରକାଶ କରିବା ସମ୍ଭବ ।”ଭୀମ କିନ୍ତୁ ନିଜ ଜିଦ୍ରେ ଅଟଳ ରହି, ହନୁମାନଙ୍କୁ ବାରମ୍ବାର ପ୍ରାର୍ଥନା କଲେ । ହନୁମାନ ତାଙ୍କର କଥାରଖି ନିଜର ଶରୀରକୁ ବିସ୍ତାର କଲେ । ତାହା ସମଗ୍ର ବନପ୍ରଦେଶରେ ବ୍ୟାପ୍ତ ହୋଇ ଆକାଶକୁ ଛୁଇଁବା ପରି ମନେହେଲା । ତାଙ୍କ ମୁଖମଣ୍ଡଳରୁ ସୂର୍ଯ୍ୟଙ୍କ ସଦୃଶ ଉଜ୍ଜ୍ୱଳତା ଓ ଚକ୍ଷୁରୁ ଅଗ୍ନିସ୍ଫୁଲିଙ୍ଗ ନିର୍ଗତ ହେବାପରି ମନେ ହେଉଥାଏ ଓ ଲମ୍ବାକୃତି ପୁଚ୍ଛ ଭୂମିକୁ ସ୍ପର୍ଶ କରିଥାଏ ।ହନୁମାନ ଭୀମଙ୍କୁ କହିଲେ, “ମୋର ରୂପ ତୁମେ ଦେଖି ପାରୁଛ ତ? ଆବଶ୍ୟକ ପଡିଲେ, ମୁଁ ମୋର ଶରୀରକୁ ଆହୁରି ମଧ୍ୟ ବିସ୍ତୃତ କରିପାରିବି । ମୋର ଏହି ବିରାଟକାୟ ରୂପକୁ ଦେଖୁଦେଖୁ ଶତ୍ରୁ ପଛଘୁଂଚା ଦେଇଥାଏ । ମୁଁ ଅଧିକ କାୟା ବିସ୍ତାରିତ କଲେ, ତାହା ତୁମେ ଧୈର୍ଯ୍ୟର ସହ ଆଦୌ ଦେଖିପାରିବ ନାହିଁ ।”ଭୀମ କହିଲେ, “ମୁଁ ତ ଏହି ଜ୍ୟୋତିର୍ମୟ ରୂପକୁ ମଧ୍ୟ ସ୍ପଷ୍ଟଭାବେ ନିରୀକ୍ଷଣ କରିପାରୁ ନାହିଁ । ଚକ୍ଷୁ ଅନ୍ଧାର ହୋଇ ଯାଉଛି । କୃପାକରି ଆପଣ ନିଜ ପୂର୍ବ ରୂପକୁ ଫେରି ଆସନ୍ତୁ ।”ଏହାପରେ ହନୁମାନ ନିଜର ପୂର୍ବ ସ୍ୱରୂପକୁ ଫେରି ଆସିଲେ । ସେ ଭୀମଙ୍କୁ କୋଳାଗ୍ରତ କରି କହିଲେ, “ଏହି ପଥରେ ଗଲେ ତୁମେ ସୁଗନ୍ଧିକା ପୁଷ୍ପ ଲାଭ କରିବ । ନିଜର ସାହସ ଓ ପରାକ୍ରମ ଦେଖାଇ ପୁଷ୍ପ ଆଣିବାକୁ ଚେଷ୍ଟା କଲେ ଦେବଗଣ କ୍ରୋଧିତ ହୋଇ ପାରନ୍ତି । ସେମାନଙ୍କ ସହିତ ଶତ୍ରୁତା କରିବା ତୁମ ପାଇଁ ଆଦୌ ଠିକ୍ ହେବ ନାହିଁ । ଆଚ୍ଛା ତୁମେ ଏବେ ଏଠୁ ଯାଅ । ମୁଁ ତୁମକୁ କଲ୍ୟାଣ କରୁଛି । କିଛି ବିଘ୍ନ ଘଟିଲେ ମୋତେ ନିଶ୍ଚୟ ସ୍ମରଣ କରିବ ।”
ହନୁମାନଙ୍କର ଆଶୀର୍ବାଦ ଲାଭ କରି ଭୀମଙ୍କର ଉତ୍ସାହ ଦ୍ୱିଗୁଣିତ ହେଲା । ପର୍ବତମାଳା ମଧ୍ୟରେ ଥିବା ଏକ ସରୋବରରେ ସେ ସୁଗନ୍ଧିକା ପୁଷ୍ପ – ସମୂହ ଦେଖିଲେ । ବୈଦୁର୍ଯ୍ୟଠାରୁ ଶତଗୁଣ ଆଭାରେ ପ୍ରକାଶିତ ସୁଗନ୍ଧିକା ପୁଷ୍ପ, ତା’ର ଅପୂର୍ବ ସୁଗନ୍ଧରେ ବନଭୂମି ମହକିତ କରୁଥାଏ । ଦ୍ରୌପଦୀଙ୍କ ଇଚ୍ଛା ପୂରଣ ପାଇଁ ଭୀମ ଏହି ପୁଷ୍ପରୁ ଗୋଟିଏ ତୋଳିବାକୁ ଯାଆନ୍ତି ତ, ଏକ ଭୟଙ୍କର ଆକୃତିର ରାକ୍ଷସ ପ୍ରହରୀ ଭୀମକୁ ତାଙ୍କ କାର୍ଯ୍ୟରେ ବାଧାଦେଇ କହିଲା, “ମହାଶୟ, ଆପଣ କିଏ? ଅସ୍ତ୍ରଶସ୍ତ୍ର ଧରି ଏଠାରେ କ’ଣ କରୁଛନ୍ତି?”“ମୁଁ କୁରୁବଂଶଜ, ରାଜାପାଣ୍ଡୁଙ୍କ ପୁତ୍ର, ଦ୍ୱିତୀୟ ପାଣ୍ଡବ ଭୀମସେନ । ଧର୍ମରାଜ ମୋର ଜ୍ୟେଷ୍ଠଭ୍ରାତା । ଏହି ପୁଷ୍ପ ନେବା ଉଦ୍ଧେଶ୍ୟରେ ମୁଁ ଏଠାକୁ ଆସିଛି ।”ରାକ୍ଷସ ଉତ୍ତର ଦେଲା “ଏହି ବନ କୁବେରଙ୍କର । ଏହି ସ୍ଥାନରେ ମାନବଙ୍କର ପ୍ରବେଶ ନିଷେଧ । କୁବେରଙ୍କଠାରୁ ଅନୁମତି ଆଣି, ଆପଣଙ୍କ ଇଚ୍ଛା ମୁତାବକ ପୁଷ୍ପ ନେଇପାରନ୍ତି ।”“କୁବେର କେଉଁଠାରେ ଅଛନ୍ତି, ତାଙ୍କୁ ଖୋଜିବାକୁ ମୋର ସମୟ ନାହିଁ । କେତୋଟି ପୁଷ୍ପ ନେବାପାଇଁ ତାଙ୍କର ଅନୁମତି ଭିକ୍ଷା କରିବି? ଏହା ମୋ ଦ୍ୱାରା ହୋଇପାରିବ ନାହିଁ । ମୁଁ କ୍ଷତ୍ରୀୟ ହୋଇଥିବାରୁ, ନିଜର ଶକ୍ତିର ପରାକାଷ୍ଠା ଦେଖାଇବା ମୋର ଧର୍ମ । ଏହା ଭଗବାନଙ୍କର ଏକ ଅପୂର୍ବ ସୃଷ୍ଟି ଅଟେ, କୁବେରଙ୍କର ନୁହେଁ ।” ଏତିକି କହି ଭୀମ ସେ ରାକ୍ଷସର କୌଣସି ବାରଣ ନମାନି ସରୋବରରେ ପ୍ରବେଶ କଲେ ।
ରାକ୍ଷସ ଭୀମଙ୍କୁ ଆକ୍ରମଣ କଲା । ଅନ୍ୟ ରାକ୍ଷସ ମଧ୍ୟ ତା’ ସହିତ ଯୋଗ ଦେଇ ଭୀମଙ୍କୁ ପ୍ରତିରୋଧ କଲେ । ଭୀମ ପ୍ରତି ଆକ୍ରମଣ କରି ଗଳା ପ୍ରହାର କଲେ । କିଛି ରାକ୍ଷସ ଧାଇଁ ଯାଇ କୁବେରଙ୍କୁ ଏ ସମ୍ବାଦ ଶୁଣେଇଲେ “ଭୀମଙ୍କୁ ପୁଷ୍ପ ନେବାରେ କୌଣସି ବାଧା ଦିଅନାହିଁ । ଏଥିରେ ମୋର କୌଣସି ଆପତ୍ତି ନାହିଁ ।” କୁବେର ରାକ୍ଷସମାନଙ୍କୁ ଏପରି ଆଦେଶ ଦେଲେ । ଭୀମ ଅନେକଗୁଡିଏ ପୁଷ୍ପ ସଂଗ୍ରହ କରି ସେଠାରୁ ଫେରିଲେ ।ଧର୍ମରାଜ, ଭୀମଙ୍କୁ ନିକଟରେ ଦେଖିବାକୁ ନପାଇ ଦ୍ରୌପଦୀଙ୍କୁ ଭୀମଙ୍କର ଅନୁପସ୍ଥିତିର କାରଣ ପଚାରିଲେ । ଦ୍ରୌପଦୀ ଭୀମଙ୍କୁ ସୁଗନ୍ଧିକା ପୁଷ୍ପ ସଂଗ୍ରହ ପାଇଁ ପଠାଇଥିବା ବିଷୟ ଧର୍ମରାଜଙ୍କୁ କହିଲେ ।ଏହି ସମୟରେ ଘଟୋତ୍କଚ ସେଠାରେ ପହଁଚିବାରୁ, ସେ ଦ୍ରୌପଦୀ ଓ ଅନ୍ୟ ପାଣ୍ଡବଙ୍କୁ ଭୀମଙ୍କ ପାଖକୁ ଘେନିଗଲେ । ଭୀମ ଦ୍ରୌପଦୀଙ୍କୁ ସୁଗନ୍ଧିକା ପୁଷ୍ପ ପ୍ରଦାନ କଲେ । ପାଣ୍ଡବଗଣ ଅର୍ଜୁନଙ୍କ ଫେରିବା ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଧନ ପର୍ବତ ଅଂଚଳରେ ଅବସ୍ଥାନ କରିବାର ଅନୁମତି କୁବେରଙ୍କ ଠାରୁ ଆଣିଲେ । ଘଟୋତ୍କଚ ସମସ୍ତଙ୍କୁ ନରନାରାୟଣଙ୍କ ଆଶ୍ରମ ପର୍ଯ୍ୟନ୍ତ ଘେନିଗଲେ ଓ ସେଠାରୁ ଅନୁମତି ଭିକ୍ଷା କରି ଫେରିଗଲେ ।ଇତି ମଧ୍ୟରେ ଜଟାସୁର ନାମକ ଏକ ରାକ୍ଷସ ବ୍ରାହ୍ମଣର ଛଦ୍ମରୂପ ଧାରଣ କରି ଧର୍ମରାଜଙ୍କ ନିକଟକୁ ଆସିଲା । ତା’ର ଉଦ୍ଧେଶ୍ୟ – ଦ୍ରୌପଦୀଙ୍କୁ ହରଣ କରିବା । ସେ ନିଜକୁ ପର୍ଶୁରାମଙ୍କ ଶିଷ୍ୟ ରୂପେ ପରିଚୟ ଦେଇ, ନିଜେ ସବୁ ଶାସ୍ତ୍ରରେ ନିପୁଣ ଓ ଅସ୍ତ୍ର ବିଦ୍ୟାରେ ପାରଙ୍ଗମ ବୋଲି ବର୍ଣ୍ଣନା କଲା । ଧର୍ମରାଜ ତା’ର କଥା ବିଶ୍ୱାସ କରି, ସେମାନଙ୍କ ସହିତ ରହିବାପାଇଁ ତାକୁ ଅନୁମତି ଦେଲେ ।ଦିନେ ଭୀମ ଶିକାର ଉଦ୍ଧେଶ୍ୟରେ ଯାଇଥାନ୍ତି । ରୋମେଶ, ଧୌମ୍ୟ ଓ ଅନ୍ୟ ମୁନିଗଣ, ନିଜର ଦୈନନ୍ଦିନ ଆବଶ୍ୟକତାର ଯୋଗାଡରେ ଅରଣ୍ୟକୁ ଯାଇଥାନ୍ତି । ଏହି ଅବସରରେ ଜଟାସୁର ପାଣ୍ଡବଙ୍କର ଅସ୍ତ୍ରଶସ୍ତ୍ରକୁ ଲୁଚାଇ ଦେଲା । ତିନିପାଣ୍ଡବ ଓ ଦ୍ରୌପଦୀଙ୍କୁ ସାଙ୍ଗରେ ଧରି ପଳାୟନ କରିବାକୁ ସେ ଚେଷ୍ଟାକଲା । ସହଦେବ, କୌଣସି ପ୍ରକାରରେ ସେ ରାକ୍ଷସ ହାତରୁ ଖସି ଆସି, ଲୁଚାଇ ରଖା ଯାଇଥିବା ଅସ୍ତ୍ର ମଧ୍ୟରୁ ଖଣ୍ଡିଏ ତରବାରୀ ପାଇବାରେ ସମର୍ଥ ହେଲେ । ବଡପାଟିରେ ସେ ଭୀମଙ୍କ ନାମ ଧରି ଚିତ୍କାର କରି ରାକ୍ଷସ ପଛେ ପଛେ ଧାଇଁଲେ ।
ଧର୍ମରାଜ ସେହି ରାକ୍ଷସକୁ କହିଲେ, “ଆରେ ମୂର୍ଖ, ତୁ ଏପରି ଅଧର୍ମ କାଣ୍ଡ କାହିଁକି କରୁଛୁ? ନିଜକୁ ବଳବାନ ଭାବୁଥିଲେ ଆମକୁ ଆମର ଅସ୍ତ୍ରଶସ୍ତ୍ର ଫେରାଇଦେଇ ଆମ ସହିତ ସମ୍ମୁଖ ଯୁଦ୍ଧ କର । ଆମ୍ଭେ ତ ତୋର ଏପରି କିଛିବି କ୍ଷତି କରିନାହୁଁ, ଯାହାର ପ୍ରତିବଦଳରେ ତୁ ଏତେବଡ ଅନ୍ୟାୟ କରୁଛୁ । ଆମେ ତତେ ଅତିଥିର ସମ୍ମାନ ଦେଇ ଆଶ୍ରୟ ଦେଇଥିଲୁ ।”ସହଦେବ କହିଲେ, “ତାକୁ କୌଣସି କଥା ବୁଝାଇବା ନିରର୍ଥକ । ଆମେ ତାହାକୁ ମାରିବା, କିମ୍ବା ତା’ ହାତରେ ମରିବା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନାହିଁ ।” ଏପରି କହି ସହଦେବ ରାକ୍ଷସକୁ ଆକ୍ରମଣ କରିବା ସମୟରେ, ଭୀମ ଆସି ସେଠାରେ ପହଁଚିଗଲେ । ଜଟାସୁର, ଧର୍ମରାଜ, ନକୁଳ ଓ ଦ୍ରୌପଦୀଙ୍କୁ କାନ୍ଧରୁ ଓହ୍ଲାଇଦେଇ ଭୀମଙ୍କ ସହିତ ଲଢେଇ କରିବାକୁ ଆରମ୍ଭ କଲା । ଅସୁର ବଳହୀନ ହେବା ପର୍ଯ୍ୟନ୍ତ ଭୀମ ତା’ ସହିତ ମଲ୍ଲଯୁଦ୍ଧ କଲେ ।ଶେଷରେ ତା’କୁ ଭୀମ ଉପରକୁ ଉଠାଇ, ଚତୁର୍ଦ୍ଦିଗରେ ଘୁରାଇ ଭୂମିରେ କଚାଡି ଦେଲେ । ଏପରି ଭାବେ ସେ ରାକ୍ଷସର ମୃତ୍ୟୁ ହେଲା । ତା’ପରେ ଭୀମ ଧର୍ମରାଜଙ୍କୁ କହିଲେ, “ଆପଣ ସମସ୍ତଙ୍କୁ ସହଜରେ ବିଶ୍ୱାସ କରୁଛନ୍ତି । ଆପଣଙ୍କର ଏହି ସରଳତାର ସୁଯୋଗରେ ରାକ୍ଷସ ଏପରି କାଣ୍ଡ କରୁଥିଲା । ମୁଁ ଆଜି ଏଠି ଠିକ୍ ସମୟରେ ପହଁଚି ନ ଥିଲେ, ଆପଣମାନଙ୍କର ଅବସ୍ଥା ଯେ କ’ଣ ହୋଇଥାଆନ୍ତ? ମୁଁ ଅର୍ଜୁନକୁ କଣ ଉତ୍ତର ଦେଇଥାଆନ୍ତି?” ଧର୍ମରାଜ ତାଙ୍କୁ ଅଧୀର ନ ହେବା ପାଇଁ ଉପଦେଶ ଦେଲେ ।ଏହାପରେ ସମସ୍ତେ ଆଶ୍ରମକୁ ଫେରି ଆସିଲେ । ଅର୍ଜୁନଙ୍କ ପ୍ରତୀକ୍ଷାରେ ସେମାନେ ଥାଆନ୍ତି । ବନରାଜି ଓ ପର୍ବତମାନଙ୍କର ରମଣୀୟ ପ୍ରାକୃତିକ ଶୋଭା, ସେମାନଙ୍କର ଚିତବିନୋଦନ କରୁଥାଏ ।
ଏହିପରି ଦିନେ ସେ ଚାରିପାଣ୍ଡବ ଏକତ୍ର ବସି ପରସ୍ପର ଆଲୋଚନା କରୁଥାନ୍ତି, ଦେଖିଲେ ଆକାଶରେ ଏକ ସୁନ୍ଦର ବାୟୁଯାନ ପ୍ରକାଶିତ ହୋଇ, କ୍ଷଣକ ମଧ୍ୟରେ ନିକଟସ୍ଥ ପାହାଡ ଉପରେ ତାହା ଅବତରଣ କଲା । ଏହି ବାୟୁଯାନରୁ ଦେବପୁରୁଷ ସଦୃଶ ଅର୍ଜୁନ ବାହାରି ଆସିଲେ ।ଅର୍ଜୁନ ଭାଇମାନଙ୍କୁ ଓ ସେମାନେ ଅର୍ଜୁନଙ୍କୁ ଯଥାବିଧି ନମସ୍କାର ଓ ଆଲିଙ୍ଗନ କଲେ । ଅର୍ଜୁନ ସେମାନଙ୍କ ଗହଣରେ ବସିଲେ ।ପାଣ୍ଡବମାନେ ଇନ୍ଦ୍ରଙ୍କ ରଥର ଶୋଭା ନିରୀକ୍ଷଣ କରୁଥାନ୍ତି । ସେମାନେ ରଥର ସାରଥୀ ମାତଳିଙ୍କୁ ସ୍ୱାଗତ କରି ତାଙ୍କର ଉପଯୁକ୍ତ ସତ୍କାର କଲେ । ସ୍ୱର୍ଗର କୁଶଳ ସମାଚାର ତାଙ୍କଠାରୁ ସେମାନେ ଜାଣିଲେ । ମାତଳି ସେମାନଙ୍କ ସହିତ କିଛି ସମୟ ବିତେଇ ରଥ ସହିତ ପୁଣି ସ୍ୱର୍ଗକୁ ଫେରିଗଲେ ।ଅର୍ଜୁନ ଇନ୍ଦ୍ରଙ୍କଠାରେ ଅନେକ ଦିବ୍ୟାସ୍ତ୍ର ଲାଭ କରିଥିଲେ । ଅର୍ଜୁନ ତାହା ଦ୍ରୌପଦୀଙ୍କୁ ଅର୍ପଣ କଲେ ଓ ଧର୍ମରାଜଙ୍କୁ ନିଜର ସ୍ୱର୍ଗାନୁଭୂତି ବର୍ଣ୍ଣନା କଲେ ।ଅର୍ଜୁନ ଆରମ୍ଭ କଲେ, “ଦିତଙ୍କର ଦୁଇଟି ପୁତ୍ର ଥିଲେ । ସେମାନଙ୍କର ନାମ – ପୁଲୋମା, କାଳକା । ସେ ଦୁହେଁ ଘୋର ତପସ୍ୟା କରି ବ୍ରହ୍ମାଙ୍କୁ ପ୍ରସନ୍ନ କରାଇଲେ । ବ୍ରହ୍ମା ସେମାନଙ୍କୁ ଦୁଇଟି ବର ପ୍ରଦାନ କଲେ । ପ୍ରଥମ – ସେମାନଙ୍କର ସନ୍ତାନଙ୍କୁ ଦେବ ବା ଦାନବ କେହିବି ମାରିପାରିବେ ନାହିଁ । ଦ୍ୱିତୀୟ – ହିରଣ୍ୟ ନାମକ ଏକ ବିରାଟ ନଗରୀ ତାଙ୍କୁ ବସବାସ କରିବା ପାଇଁ ମିଳିବ । ବ୍ରହ୍ମା ବର ଦୁଇଟି ପ୍ରଦାନ କଲେ । ସେହି କାରଣରୁ ସେମାନଙ୍କର ପୁତ୍ର ପୌଲମୀ ଓ କାଳକେୟ ସେହି ନଗରୀରେ ରହୁଥିଲେ । ସେମାନେ ଦେବତାଙ୍କୁ ନାନା ପ୍ରକାର ଦୁର୍ବ୍ୟବହାର କରୁଥାଆନ୍ତି । ସେହି ରାକ୍ଷସମାନଙ୍କୁ ବଧ କରିସାରିବା ପରେ ମୁଁ ସେହି ନଗରୀରେ ପ୍ରବେଶ କଲି । ପଥ ମଧ୍ୟରେ ଶବମାନ ଏପରି ବିଛାଡି ହୋଇ ପଡିଥାଏ ଯେ, ରଥ ଚଳାଇବା ମଧ୍ୟ ଦୁଷ୍କର ହୋଇପଡୁଥାଏ । ନଗରୀରେ କେବଳ ବିଧବା ରାକ୍ଷସ ରମଣୀଙ୍କର ଆର୍ତ ଚିତ୍କାର ଶୁଭୁଥାଏ । ସେମାନେ ମଧ୍ୟ ରଥ ଶବ୍ଦ ଶୁଣି ଭୟରେ ଆତ୍ମଗୋପନ କଲେ । ଏହି ନଗରୀରେ ପୂର୍ବରୁ ଦେବତାମାନେ ରହୁଥିଲେ । ସ୍ୱୟଂ ଇନ୍ଦ୍ର ମଧ୍ୟ ଏଠାରେ ରହିଥିଲେ । ବ୍ରହ୍ମାଙ୍କର ବର ପାଇବା ପରେ ରାକ୍ଷସମାନେ ଦେବତାଙ୍କୁ ସେଠାରୁ ବିତାଡିତ କରି, ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ଏହି ବିଷୟ ମୁଁ ମାତଳୀଙ୍କଠାରୁ ଜାଣିବାକୁ ପାଇଥିଲି । ଯେତେବେଳେ ଇନ୍ଦ୍ର ବ୍ରହ୍ମାଙ୍କୁ ପଚାରିଲେ, ପୌଲମୀ ଓ କାଳକେୟ ରାକ୍ଷସଙ୍କର ମୃତ୍ୟୁ କିପରି ହେବ, ସେ କହିଲେ ଯେ, ଦେବ ବା ଦାନବଙ୍କ ଦ୍ୱାରା ଏହା ସମ୍ଭବ ନୁହେଁ, ତା’ପରେ ଇନ୍ଦ୍ର ମତେ ଏହି କାର୍ଯ୍ୟ ସମର୍ପଣ କଲେ । କାଳକେୟକୁ ବଧ କରିବା ପାଇଁ ସେ ମତେ ଏହି ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ । ଏହି ଅସ୍ତ୍ରର ସହାୟତାରେ ମୁଁ କାଳକେୟକୁ ହତ୍ୟା କରି ନଗରରେ ପ୍ରବେଶ କରି ପାରିଲି ।”
ପରଦିନ ପ୍ରଭାତ କାଳରେ ଧର୍ମରାଜ ଅର୍ଜୁନଙ୍କୁ ପାଖକୁ ଡାକି, ସେ ହାସଲ କରିଥିବା ଦିବ୍ୟାସ୍ତ୍ର ଦେଖାଇବା ପାଇଁ କହିଲେ । ଅର୍ଜୁନ ଦେବଦତ ନାମକ ଏକ ଶଙ୍ଖଠାରୁ ଆରମ୍ଭକରି ସମସ୍ତ ଦିବ୍ୟାସ୍ତ୍ର ଧର୍ମରାଜଙ୍କୁ ଦେଖାଇଲେ ।ଠିକ୍ ଏହି ସମୟରେ ମହର୍ଷି ନାରଦ ସେଠାରେ ଉପଗତ ହୋଇ ଅର୍ଜୁନଙ୍କୁ କହିଲେ, “ଅର୍ଜୁନ, କୌଣସି ଦୃଢ କାରଣ ନ ଥାଇ, ତୁମେ ଏହି ଦିବ୍ୟାସ୍ତ୍ରଗୁଡିକର ପ୍ରୟୋଗ କରିବ ନାହିଁ । କାରଣ ଏପରି କଲେ, ଅନର୍ଥ ଘଟିବାର ଆଶଙ୍କା ରହିଛି ।” ଏପରି କହି ନାରଦ ମୁନି ସେଠାରୁ ବିଦାୟ ନେଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ମହାଭାରତର ଅର୍ଥ କଣ? ଭାରତ କଣ ଏକ ଯାଗାର ନାମ ନା ଜଣେ ମଣିଷର ନାମ? ଯଦି ଏହା ଏକ ଯାଗାର ନାମ ତେବେ “ମହା ଜାଗା” ର ଅର୍ଥ କଣ? ଯଦି ଏହା ଜଣେ ମଣିଷର ନାମ ତେବେ “ମହା ମଣିଷର” ଅର୍ଥ କଣ? କିଛି ବିଦ୍ୱାନ କୁହନ୍ତି ମହାଭାରତ ହେଉଛି ମହାନ୍ ଭାରତ । ଅର୍ଥାତ ଆମଦେଶର ପୁରାତନ ଇତିହାସ ନାମ ଭାରତ ଥିଲା ଏବଂ ପଣ୍ଡୁ/ପାଣ୍ଡୁ ଏବଂ କୌରବଙ୍କର ଆଦିଜନକ “ଭାରତ” ବା ଶକୁନ୍ତଳା ଏବଂ ଦୁଷ୍ୟନ୍ତଙ୍କ ପୁତ୍ରଥିଲେ । କୁରୁ କିମ୍ବା ପାଣ୍ଡୁ ବଂଶ ଏବେକାର ଇଣ୍ଡିଆକୁ ଯେ ଦିନେ ସାଶନ କରୁଥିଲେ ବା ତାଙ୍କର କୌଣସି ଅଖଣ୍ଡ ରାଜ୍ୟ ଏତେ ବିଶାଳ ଥିଲା କୌଣସି ପ୍ରମାଣ ନାହିଁ । ଏହାସବୁ ମନ ଗଢା ଏବଂ କଳ୍ପନା ମାତ୍ର । ଏମିତି କିଏ ଉଡନ୍ତା କ୍ୟାମେରା ନେଇ ପ୍ରତି ମହାଭାରତର “ଚରିତ୍ର” ସାଥିରେ ବୁଲୁଥିଲାଯେ କୋଉ ଚରିତ୍ର କେତେବେଳେ କଣ କରୁଥିଲା ସେମାନଙ୍କର ପ୍ରତି ମୁହୂର୍ତ୍ତର ଖବର ମହାଭାରତର ରଚନାକାରୀଙ୍କୁ (ବ୍ୟାସ) ମିଳିଯାଉଥିଲା ଆଉ ସେ ତାଙ୍କ ଲେଖାରେ ଲେଖି ପକାଉଥିଲେ । ମହାଭାରତରେ “ଭାରତ” କଣ ତାହା ମଧ୍ୟ ଉଲ୍ଲେଖ ନାହିଁ । ମହାଭାରତ ହେଉଛି ନିଜ ପରିବାର ଭିତରେ, ମାନେ ଭାଇ ଭାଇଙ୍କ ଭିତରେ ସମ୍ପତ୍ତି ପାଇଁ ଲଢେଇ ଯାହା ଜୁଆ ଖେଳ, ନାରୀ ନିର୍ଯ୍ୟାତନା, ସୁରା ପାନ ଇତ୍ୟାଦି ମନ୍ଦ ଅଭ୍ୟାଷରୁ ପ୍ରାରମ୍ଭ । ମହାଭାରତ ଯଦି ମହା ଯୁଧ୍ୟ ହୁଏ ତେବେ ଭାରତ ମାନେ ହେଉଛି ଯୁଧ୍ୟ । ମହାଭାରତ ସଂସ୍କୃତରେ ଲିଖିତ ଏବଂ ଅନ୍ୟ ଭାଷାମାନଙ୍କୁ ଅନୁବାଦିତ; ଅର୍ଥାତ ମହାଭାରତ ସହ ସଂସ୍କୃତ ଭାଷା ବ୍ୟବହାରୀକାରୀଙ୍କ ଛଡା ଅନ୍ୟଭାଷୀ ଲୋକମାନଙ୍କର କୌଣସ ସମ୍ପର୍କ ନାହିଁ । ତେବେ ଏହାକୁ ଆମର ନୈତିକତା ଜ୍ଞାନର ଉତ୍ସ ରୂପେ କାହିଁକି ଥୋପାଯାଉଛି ଏହା ତର୍କର ବାହାରେ । ଇତିହାସରେ ଏମିତି କୌଣସି ପ୍ରମାଣ ନାହିଁ ଏବେକାର ଇଣ୍ଡିଆ ଦିନେ ଭାରତ ନାମ ଧାରୀ ରାଜା ରାଜୁତି କରୁଥିଲେ ବା ତାଙ୍କ ରାଜ୍ୟର ନାମ ଭାରତ ଥିଲା । ଭ୍ରମ ସୃଷ୍ଟିକାରୀ ବୈଦିକ ପ୍ରଚାରକଙ୍କ ମିଥ୍ୟା ପ୍ରଚାର ଇତିହାସଠାରୁ ନିଜକୁ ଦୁରେଇ ରଖନ୍ତୁ । କଛି ଧୂର୍ତ୍ତ, “ମାନସିକ ବିକୃତିକୁ” ଆମର ସଂସ୍କୃତି ରୂପେ ଆମଉପରେ ଥୋପେଇ ଆମ ମନକୁ ତାଙ୍କ ମନ ମୁତାବକ ନିୟନ୍ତ୍ରଣ କରିବାକୁ ଚାହାନ୍ତି । ସେପରି ଧୂର୍ତ୍ତମାନଙ୍କୁ ଚିହ୍ନନ୍ତୁ ଏବଂ ସେମାନଙ୍କୁ ବିରୋଧ କରନ୍ତୁ, ତାହା ସହିତ ସେମାନଙ୍କ ବିକୃତ ମାନସିକତା ଠାରୁ ଦୁରେଇ ରୁହନ୍ତୁ ।