• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମହାଭାରତ
ଗଳ୍ପ

ମହାଭାରତ

Liza SBy Liza SMarch 3, 2023No Comments10 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Mahabharata-1
Odia-Story-Mahabharata-1
Share
Facebook Twitter Pinterest Reddit Email

ଦୁର୍ଯ୍ୟୋଧନ ମରଣମୁହଁରୁ ବର୍ତି ଆସିଲେ । ତାଙ୍କ ପାଇଁ ଏହି ଅପମାନ ଦୁଃସହ ଥିଲା । ନିଜର ଲୋକମାନଙ୍କୁ ସଙ୍ଗରେ ନେଇ ସେ ହସ୍ତିନାପୁର ଫେରି ଆସିବା ପଥରେ ଏକ ସରୋବର ପାଶ୍ୱର୍ରେ ବିଶ୍ରାମ ନେବା ପାଇଁ ସେଠାରେ ରହିଲେ ।ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଥିବା କର୍ଣ୍ଣ ସେଠାରେ ଆସି ପହଁଚିଲେ । ଯୁଦ୍ଧକ୍ଷେତ୍ର ଛାଡି ଚାଲିଯିବା ପରେ, ସେଠାରେ ଘଟିଥିବା ଘଟଣା ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ତେଣୁ ସେ ଦୁର୍ଯ୍ୟୋଧନଙ୍କୁ ପ୍ରଶଂସା କରି କହିଲେ, “ତୁମର ପରାକ୍ରମ ଅତୁଳନୀୟ । ସେହି ଉଦ୍ଧତ ଗନ୍ଧର୍ବମାନଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରି ତୁମେ ହସ୍ତିନାପୁରକୁ ଫେରୁଛ । ମୁଁ ସେମାନଙ୍କର ସମ୍ମୁଖୀନ ହୋଇ ନ ପାରିବାରୁ, ବି କର୍ଣ୍ଣ ରଥରେ ବସି ସେ ସ୍ଥାନ ପରିତ୍ୟାଗ କରି ଏଠାକୁ ଚାଲିଆସିଲି । ପ୍ରକୃତରେ ତୁମପରି ବୀର ଏ ସଂସାରରେ ଆଉ କେହିବି ନାହାଁନ୍ତି ।”କର୍ଣ୍ଣଙ୍କର ଏଭଳି ପ୍ରଶଂସାପୂର୍ଣ୍ଣ ବାଣୀ ଦୁର୍ଯ୍ୟୋଧନଙ୍କ ମନରେ ଅଧିକରୁ ଅଧିକ ଆଘାତ ଦେଲା । କୋହ ଭରା ସ୍ୱରରେ ସମସ୍ତ ବିଷୟ ଜଣାଇ ସେ କହିଲେ, “ଯଦି ମୁଁ ଯୁଦ୍ଧରେ ଜୟଲାଭ କରିଥାନ୍ତି, ତେବେ ତ ନିଶ୍ଚୟ ଗୌରବର ଅଧିକାରୀ ହୋଇଥାନ୍ତି । ମୃତ୍ୟୁବରଣ କରିଥିଲେ ବୀରଲୋକ ପ୍ରାପ୍ତ ହୋଇଥାନ୍ତି । କିନ୍ତୁ, ମୋ ଭାଗ୍ୟରେ ଏହା ଜୁଟିଲା ନାହିଁ । ଅପମାନର ବୋଝ ମୁଣ୍ଡେଇ ମୁଁ ହସ୍ତିନାପୁରୀ ଆଉ ଯାଇପାରିବି ନାହିଁ । ପିତାଶ୍ରୀ, ଦ୍ରୋଣ, କୃପାଚାର୍ଯ୍ୟ ଅଶ୍ୱତ୍ଥାମା ଆଦିଙ୍କୁ ମୁଁ ଆଉ ମୋ ମୁହଁ ଦେଖାଇ ପାରିବି ନାହିଁ । ଏଠାରେ ଘଟିଥିବା ଘଟଣା ମଧ୍ୟ ପ୍ରକାଶ କରିପାରିବି ନାହିଁ । ମୋର ଏହି ଜୀବନ ପ୍ରତି ଆଉ କୌଣସି ପ୍ରକାର ମୋହ ନାହିଁ । ମୃତ୍ୟୁର ଆଶ୍ରୟକୁ ଚାଲିଯିବି । ତୁମ୍ଭେମାନେ ଏଇଠୁ ହସ୍ତିନାପୁର ଫେରିଯାଅ । ଦୁଃଶାସନକୁ ରାଜମୁକୁଟ ପିନ୍ଧାଇ, ରାଜ୍ୟଭାର ସମ୍ଭାଳିବାରେ ତାକୁ ସାହାଯ୍ୟ କରିବ । ମୁଁ ଅନ୍ନଜଳ ତ୍ୟାଗ କରି, ପ୍ରାୟୋପବେଶ ମାଧ୍ୟମରେ ପ୍ରାଣ ହାରିଦେବି ।” ଏପରି କହି ଦୁର୍ଯ୍ୟୋଧନ ଓ ଦୁଃଶାସନ ପରସ୍ପର କୋଳାକୋଳି ହୋଇ କାନ୍ଦିବାରେ ଲାଗିଲେ ।

ସେମାନଙ୍କର ଏପରି କ୍ରନ୍ଦନ ଦେଖି କର୍ଣ୍ଣ ବିରକ୍ତି ପ୍ରକାଶ କଲେ । “ତୁମେ ଦୁଇ ଭାଇ ଏପରି ଶୋକ କରିବା ଦ୍ୱାରା କଣ ମନକୁ ଶାନ୍ତି ମିଳୁଛି । ପାଣ୍ଡବଗଣ ତୁମକୁ ସାହାଯ୍ୟ କରିଛନ୍ତି । ଏହା କରିବା ସେମାନଙ୍କର କର୍ତ୍ତବ୍ୟ, ଯେହେତୁ ସେମାନେ ତୁମର ନାଗରିକ । ତେଣୁ ଏଠାରେ ଅପମାନର ତ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ତୁମର ଏହି ଶୋକ, ଆତ୍ମହତ୍ୟାର ପ୍ରୟାସ, ଅନ୍ୟ ସାମନ୍ତଗଣଙ୍କ ସମ୍ମୁଖରେ ତୁମର କାପୁରୁଷତା, ଭୀରୁତା ପ୍ରତିପାଦିତ କରିବ । ପାଣ୍ଡବମାନେ ସର୍ବହରା ହୋଇ ଅରଣ୍ୟବାସ କରୁଛନ୍ତି । ତେବେ ବି ସେମାନେ ଉପବାସ ଅନଶନ ପରି ନିଷ୍ଫଳ ବିଚାର ମନକୁ ଆଣୁଛନ୍ତି କି?”ତାଙ୍କପରେ ଶକୁନି ସାନ୍ତ୍ୱନା ଦେଇ କହିଲେ, “ତୁମେ ଏ କଣ କରିବା ପାଇଁ ଯାଉଛ? ପଶାଖେଳର ଫାଶ ବିଛାଇ ମୁଁ ପାଣ୍ଡବମାନଙ୍କୁ ସର୍ବସ୍ୱାନ୍ତ କରି, ସକଳ ସମ୍ପଦ ତୁମକୁ ଆଣିଦେଲି । ମୋର ସମସ୍ତ ଉଦ୍ୟମ ତୁମେ କ’ଣ ବିଫଳ କରାଇବାକୁ ଚାହୁଁଛ? ଏପରି ନିରର୍ଥକ ବିଚାର ତ୍ୟାଗ କରି, ଆନନ୍ଦରେ ସମୟ ବିତାଅ ।”ଦୁର୍ଯ୍ୟୋଧନର ବିରସ ମନକୁ କାହାରି କଥା ଛୁଇଁ ନ ଥାଏ । ଓଲଟି ତାହା ତାଙ୍କୁ ଅଧିକ ପୀଡା ଦେଉଥାଏ । ତେଣୁ ସେ ବଳ୍କଳ ପରିଧାନ କରି, କୁଶାସନ ଉପରେ ବସି ଉପବାସ ବ୍ରତ ଆରମ୍ଭ କଲେ ।

ସେହି ସମୟରେ ଦେବତାଙ୍କ ଡରରେ ଦାନବଗଣ ପାତାଳ ପୁରୀରେ ଯାଇ ଆତ୍ମଗୋପନ କରିଥାନ୍ତି । ସେମାନେ ଜାଣିଗଲେ ଯେ, ଦୁର୍ଯ୍ୟୋଧନ ଉପବାସ ବ୍ରତ ଆରମ୍ଭ କରିଛନ୍ତି । ସେମାନେ ଇଚ୍ଛାକଲେ, ଦୁର୍ଯ୍ୟୋଧନଙ୍କୁ ନିଜ ପାଖକୁ ଡାକିନେବେ ଓ ଉପଯୁକ୍ତ ପରାମର୍ଶ ଦେବେ । ଏହି ଉଦ୍ଧେଶ୍ୟରେ ସେମାନେ ଏକ ଅଗ୍ନିକୁଣ୍ଡ ସ୍ଥାପନ କରି, ଅଥର୍ବବେଦ ପାଠ କଲେ ଓ ଦୁଗ୍ଧ ଆହୁତି ଦେଇ ହୋମ ଆରମ୍ଭ କଲେ । ସେହି ଅଗ୍ନିରୁ ‘କୃତ୍ୟା’ ନାମକ ଏକ ରାକ୍ଷସ ଉତ୍ପନ୍ନ ହେଲା ଓ ଦାନବଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ କହିଲା, “ତୁମମାନଙ୍କୁ ମୁଁ କିପରି ସାହାଯ୍ୟ କରିପାରିବି, ତାହା ପ୍ରକାଶ କର । “ଭୂଲୋକରେ ଦୁର୍ଯ୍ୟୋଧନ ଉପବାସ ବ୍ରତ ଆରମ୍ଭ କରିଛି । ତାକୁ ଏହି ପାତାଳଲୋକକୁ ସ୍ୱଶରୀରରେ ଘେନି ଆସ ।” ଦାନବଙ୍କର ଏପରି ଆଦେଶ ପାଇ କୃତ୍ୟା ତତ୍କ୍ଷଣାତ୍ ତାହା ପାଳନ କରି ଦୁର୍ଯ୍ୟୋଧନଙ୍କୁ ପାତାଳଲୋକକୁ ନେଇ ଆସିଲା ।

ସାରାରାତି ଦୁର୍ଯ୍ୟୋଧନଙ୍କୁ ସେ ଦାନବମାନେ ନିଜ ପାଶ୍ୱର୍ରେ ବସାଇ, ତାଙ୍କର ସମସ୍ତ ପ୍ରକାର ମନୋରଞ୍ଜନ ବ୍ୟବସ୍ଥା କଲେ ଓ କହିଲେ, “ତୁମେ ତ ଜଣେ ଉତ୍ତମ କ୍ଷତ୍ରିୟ । ହେଲେ କ୍ଷତ୍ରିୟ ଧର୍ମକୁ ପରିତ୍ୟାଗ କରି ଏହି ଉପବାସ ଦୀକ୍ଷା ତୁମେ କାହିଁକି ଗ୍ରହଣ କରୁଛ? ଏହା ଫଳରେ ତୁମକୁ ଆତ୍ମହତ୍ୟା ପାପ ଗ୍ରାସ କରିବ । ସାର ହେବ, କିଛି ସୁଖ ବା ଗୌରବର ପ୍ରଶ୍ନ ଉଠୁନାହିଁ । ଶତ୍ରୁଙ୍କୁ ଆନନ୍ଦିତ କରିବା ପରି ଏହି କାର୍ଯ୍ୟ ବନ୍ଦ କର । ତୁମର ଏହି ବଜ୍ର କଠୋର ଶରୀର ଈଶ୍ୱରଙ୍କର ଏକ ବରଦାନ ଅଟେ । ତୁମ ଶରୀରର ନିମ୍ନଭାଗ ଆମେ ସୃଷ୍ଟି କରିଛୁ । ତୁମେ କୌଣସି ସାଧାରଣ ମାନବ ନୁହଁ । ଯୁଦ୍ଧ ସମୟରେ ଯେଉଁମାନେ ସବୁ ତୁମ ପକ୍ଷରେ ରହି ଲଢିବେ, ସେମାନେ ସମସ୍ତେ ଆମମାନଙ୍କର ଅଂଶ ଅଟନ୍ତି । ତୁମର ସଖା କର୍ଣ୍ଣ ନରକାସୁରର ଏକ ଅଂଶ ଅଟେ । ତେଣୁ ତୁମେ ଏହି ବୃଥା ଭାବନା ତ୍ୟାଗ କରି, ନିର୍ଭୟରେ ରାଜ୍ୟ କାର୍ଯ୍ୟ ପରିଚାଳନା କର । ଯେଉଁଦିନ ପାଣ୍ଡବମାନଙ୍କର ବିଲୋପ ଘଟିବ, ଖାଲି ସେହିଦିନକୁ ପ୍ରତୀକ୍ଷା କର ।” ଏପରି ବାଣୀ ଦୁର୍ଯ୍ୟୋଧନଙ୍କ ଅଶାନ୍ତ ତଥା ଉତ୍ତପ୍ତ ମନକୁ ଅନେକାଂଶରେ ଶୀତଳ କଲା । ତା’ ମନରେ ଉତ୍ସାହ ସଂଚରି ଉଠିଲା । କୃତ୍ୟା ପୂର୍ବପରି ତାଙ୍କୁ ଆଣି ଭୂଲୋକର ସେହି କୁଶାସନ ଉପରେ ବସାଇ ଦେଇ ଚାଲିଗଲା ।

ପ୍ରଭାତ ସମୟକୁ ଦୁର୍ଯ୍ୟୋଧନଙ୍କୁ ମନେହେଲା, ସତେ ଯେପରି ସେ ଏକ ସ୍ୱପ୍ନ ଦେଖୁଥିଲେ । ସେ ଏହି ବିଷୟ କାହା ଆଗରେ କିଛି ପ୍ରକାଶ କଲେ ନାହିଁ ।ଦୁର୍ଯ୍ୟୋଧନଙ୍କ ମାନସିକ ପରିବର୍ତ୍ତନ କର୍ଣ୍ଣ ତଥା ଅନ୍ୟମାନଙ୍କ ମନରେ ପ୍ରସନ୍ନତା ଆଣିଦେଲା । ପରିବାରବର୍ଗଙ୍କୁ ସଙ୍ଗରେ ଧରି ଦୁର୍ଯ୍ୟୋଧନ ମହା ଆଡମ୍ବରରେ ହସ୍ତିନାପୁର ପ୍ରତ୍ୟାବର୍ତ୍ତନ କଲେ ।କୁରୁସଭାରେ ସମସ୍ତଙ୍କ ଉପସ୍ଥିତିରେ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ ଭତ୍ସର୍ନା କରି କହିଲେ, “ଆମ୍ଭମାନଙ୍କର ବାରଣ ନ ମାନି, ଘୋଷଯାତ୍ରାର ଆଡମ୍ବର ଦେଖାଇବାକୁ ଯାଇ, ଅପମାନିତ ଓ ପରାଜିତ ହେଲ । ଧର୍ମରାଜ ତୁମର ସମ୍ମାନ ରକ୍ଷା କରି ଉଦାର ବ୍ୟବହାର ପୋଷଣ କଲେ । କର୍ଣ୍ଣ ପାଇଁ ତୁମେ ଏହି ମହାନ୍ ବ୍ୟକ୍ତିଙ୍କ ସହିତ ଶତ୍ରୁତା ଆଚରଣ କରିଛ । କିନ୍ତୁ ତୁମର ସେହି ପ୍ରିୟସଖା କର୍ଣ୍ଣ, ତୁମକୁ ଗନ୍ଧର୍ବଙ୍କ ହାତରେ ଛାଡିଦେଇ, ସ୍ୱୟଂ ଯୁଦ୍ଧକ୍ଷେତ୍ରରୁ ପଳାୟନ କଲେ । ଏବେ ବି ସମୟ ଅଛି, ପାଣ୍ଡବଙ୍କ ସହିତ ସ୍ନେହସମ୍ପର୍କ ସ୍ଥାପନ କରି ନିଜର କୁଳ ରକ୍ଷା କର ।”ତାଙ୍କ କଥାକୁ ଦୁର୍ଯ୍ୟୋଧନ ହସରେ ଉଡାଇ ଦେଲେ ଓ କର୍ଣ୍ଣ, ଶକୁନି ଦୁଃଶାସନ ଆଦିଙ୍କୁ ନିଜ ସଙ୍ଗରେ ଧରି ସେ ସଭାସ୍ଥଳ ପରିତ୍ୟାଗ କଲେ । କିନ୍ତୁ ଭୀଷ୍ମଙ୍କ କଥାରେ କର୍ଣ୍ଣ ଲଜ୍ଜିତ ଅନୁଭବ କରି, ମୁଣ୍ଡ ତଳକୁ କରିଦେଲେ । ସେ ଧରିନେଲେ ଯେ, ତାଙ୍କୁ ଅପମାନିତ କରିବା ଭୀଷ୍ମଙ୍କର ଉଦ୍ଧେଶ୍ୟ ଥିଲା । ସେ ଦୁର୍ଯ୍ୟୋଧନଙ୍କୁ କହିଲେ, “ରାଜନ୍ ମୋତେ ସୈନ୍ୟବଳ ପ୍ରଦାନ କରନ୍ତୁ । ଭୀମ, ଅର୍ଜୁନ, ନକୁଳ, ସହଦେବ ଏ ଚାରିଜଣ ମିଶି ଯେତେ ରାଜ୍ୟ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି, ମୁଁ ଏକାକୀ ଏହାଠାରୁ ଅଧିକ ରାଜ୍ୟ ଦଖଲ କରି ତୁମକୁ ସମର୍ପଣ କରିବି । ତେବେ ଯାଇ, ସେହି ବୃଦ୍ଧ ଭୀଷ୍ମ ମୋ ସମ୍ବନ୍ଧରେ ଏପରି ଭୀରୁତାପୂର୍ଣ୍ଣ ବାକ୍ୟ ଆଉ କେବେବି ମଧ୍ୟ ଉଚ୍ଚାରଣ କରିପାରିବ ନାହିଁ । ଏହା ମୋର ସମ୍ମାନ ଫେରେଇ ଆଣିବା ସହିତ, ମୋର ଯୋଗ୍ୟତା ପ୍ରମାଣିତ କରିବା ପାଇଁ ସୁଯୋଗ ପ୍ରଦାନ କରିବ ।” ଦୁର୍ଯ୍ୟୋଧନ ଏଥିରେ ସମ୍ମତ ହେଲେ ।

ସେନାବାହିନୀଙ୍କୁ ସଙ୍ଗରେ ନେଇ କର୍ଣ୍ଣ ପ୍ରଥମେ ଦ୍ରୁପଦ ରାଜ୍ୟକୁ ପରାସ୍ତ କରି ସେଠାରୁ କର ଆଦାୟ କଲେ । ଏହାପରେ ଉତ୍ତରଦିଗରେ ଯାତ୍ରା କରି ସେ ଅଙ୍ଗ, ବଙ୍ଗ, କଳିଙ୍ଗ, ମଗଧ, ମତ୍ସ୍ୟ, କୋଶଳ ଆଦି ଦେଶର ଶାସକଙ୍କୁ ପରାଜିତ କରି ସେମାନଙ୍କଠାରୁ କର ଆଦାୟ କଲେ । ତତ୍ପରେ ଦକ୍ଷିଣ ଦିଗରେ ଜୟଯାତ୍ରା କରି, ସେ ଆହୁରି ଅନେକ ରାଜାଙ୍କୁ ପରାସ୍ତ କଲେ । କୁଣ୍ଡିନ ନଗରୀର ରାଜା ରୁକ୍ମୀ ବିନାଯୁଦ୍ଧରେ କର୍ଣ୍ଣଙ୍କ ସହିତ ସନ୍ଧିସ୍ଥାପନ କଲେ । ଏହିପରି ସଫଳ ଦିଗ୍ବିଜୟ ଯାତ୍ରା ସମାପ୍ତ କରି ହସ୍ତିନାକୁ ସେ ଫେରିଆସିଲେ ।ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ଅଭିନନ୍ଦନ ଜଣାଇ କହିଲେ, “ଭୀଷ୍ମ, ଦ୍ରୋଣ, ବାହ୍ଲିକ ଆଦି କେତେ ବୀର ମୋ ପକ୍ଷରେ ଥାଇ ମଧ୍ୟ, ତୁମେ ଯାହା କାର୍ଯ୍ୟରେ କରି ଦେଖାଇଲ ସେପରି ଆଉ କେହିବି କରିନାହାଁନ୍ତି । ତୁମେ ହିଁ ମୋର ପ୍ରକୃତ ମିତ୍ର ।”କର୍ଣ୍ଣଙ୍କ ଦିଗ୍ବିଜୟ ପରେ, ଦୁର୍ଯ୍ୟୋଧନଙ୍କ ମୁଣ୍ଡରେ ପୁଣି ଏକ ଦୁର୍ବୁଦ୍ଧି ଜାତ ହେଲା ଯେ, ସେ ଏକ ରାଜସୂୟ ଯଜ୍ଞ କରିବେ । ଏଥିପାଇଁ ଆବଶ୍ୟକ ବନ୍ଦୋବସ୍ତ କରି ସେ ରତ୍ୱିକ ମାନଙ୍କୁ ଯଜ୍ଞାନୁଷ୍ଠାନ ପାଇଁ ଡକାଇଲେ ।

କିନ୍ତୁ ରତ୍ୱିକ ଗଣ ଆପତ୍ତି କରି କହିଲେ, “ପାଣ୍ଡବମାନଙ୍କ ଉପରେ ବିଜୟ ହାସଲ କରିବା ପରେ ଯାଇ ତୁମେ ରାଜସୂୟ ଯଜ୍ଞ କରିବା ପାଇଁ ସମର୍ଥ ହେବ । ଏହା ବ୍ୟତୀତ ତୁମର ପିତା ଏବେସୁଦ୍ଧା ଜୀବିତ ଅଛନ୍ତି । ତେଣୁ ତାଙ୍କ ଜୀବନକାଳ ମଧ୍ୟରେ ତୁମକୁ ଚକ୍ରବର୍ତ୍ତୀ ବୋଲାଇବାର ଅଧିକାର ମିଳିବ ନାହିଁ । ଯଜ୍ଞ କରିବାକୁ ଚାହୁଁଥିଲେ, ରାଜସୂୟ ସମାନ ଅନ୍ୟ ଏକ ଯଜ୍ଞ ‘ବୈଷ୍ଣବ ଯଜ୍ଞ’ ତୁମେ କରିପାର ।”ଦୁର୍ଯ୍ୟୋଧନ ରତ୍ୱିକଗଣଙ୍କର ଏହି ପରାମର୍ଶ ନିଜର ଭାତୃବୃନ୍ଦ, କର୍ଣ୍ଣ ଓ ଶକୁନିକୁ ଜଣାଇଲେ । ସେମାନଙ୍କର ସହମତିରେ ବୈଷ୍ଣବଯଜ୍ଞର ଆୟୋଜନ କରାଗଲା । ନଗରର ବାହାରେ ସେମାନେ ଏକ ଯଜ୍ଞଶାଳା ନିର୍ମାଣ କଲେ । ସେହି ସମୟରେ ପାଣ୍ଡବଗଣ ଦ୍ୱୈତବନରେ ରହୁଥିଲେ । ଜଣେ ଦୂତଙ୍କୁ ପ୍ରେରଣ କରି ଦୁର୍ଯ୍ୟୋଧନ ଏହି ସମାଚାର ଯୁଧିଷ୍ଠିରଙ୍କୁ ଜଣାଇଲେ । ଧର୍ମରାଜ ସେହି ଦୂତକୁ କହିଲେ, “ଆମ୍ଭର ଭ୍ରାତା ଦୁର୍ଯ୍ୟୋଧନଙ୍କର ଯଜ୍ଞାନୁଷ୍ଠାନର ସମାଚାର ଶୁଣି ଆମେ ଅତି ଆନନ୍ଦିତ । କିନ୍ତୁ ପ୍ରବଳ ଇଚ୍ଛା ଥିଲେ ମଧ୍ୟ ଆମେ ସେହି ଯଜ୍ଞରେ ଭାଗ ନେବାପାଇଁ ହସ୍ତିନାପୁର ଯାଇ ପାରିବୁ ନାହିଁ । ଏହାଦ୍ୱାରା ଆମର ବନବାସ ଦୀକ୍ଷା ଭଗ୍ନ ହେବ ।”

ବୈଷ୍ଣବ ଯଜ୍ଞ ବିନା ବାଧାବିଘ୍ନରେ ସମ୍ପନ୍ନ ହୋଇଗଲା । ଏହି ଅବସରରେ ଦୁର୍ଯ୍ୟୋଧନଙ୍କୁ ଅଭିନନ୍ଦନ ଜଣାଇ କର୍ଣ୍ଣ କହିଲେ, “ଆଗାମୀ ଯୁଦ୍ଧରେ ମୁଁ ପାଣ୍ଡବଗଣଙ୍କୁ ମୃତ୍ୟୁଲୋକରେ ପହଁଚାଇବି ଓ ତୁମଦ୍ୱାରା ରାଜସୂୟ ଯଜ୍ଞ ବି କରାଇବି ।”ପାଣ୍ଡବ ଦ୍ୱୈତବନରେ ଦୀର୍ଘକାଳ ଅବସ୍ଥାପନ କଲେ । ସେମାନଙ୍କର ଶିକାର କାରଣରୁ ଅରଣ୍ୟରୁ ପଶୁସଂଖ୍ୟା ଦିନକୁ ଦିନ ହ୍ରାସ ପାଇଲା । ଏହା ଲକ୍ଷ୍ୟ କରି ଧର୍ମରାଜ ତାଙ୍କ ଭାଇମାନଙ୍କ ସହିତ କାମ୍ୟକବନ ଚାଲିଆସିଲେ ଓ ଫଳାହାର କରି ଜୀବନନିର୍ବାହ କରିବା ପାଇଁ ନିଷ୍ପତି ନେଲେ ।ଏପରି ବନବାସର ଏକାଦଶ ବର୍ଷ ସମାପ୍ତ ହେଲା । ସମୟେ ସମୟେ ଧର୍ମରାଜ ନିଜର କୃତକର୍ମ ପାଇଁ ଅନେକ ମନସ୍ତାପ କରୁଥାନ୍ତି ଯେ, ସେ ଯେବେ ପଶା ଖେଳି ନ ଥାନ୍ତେ, ତେବେ ତାଙ୍କର ଭ୍ରାତା ଓ ଦ୍ରୌପଦୀଙ୍କୁ ଆଜି ଏପରି ଦୁଃସହ କଷ୍ଟ ଭୋଗିବାକୁ କେବେବି ପଡି ନ ଥାନ୍ତା । ଭବିଷ୍ୟତ କଥା ଭାବିଲେ, ତାଙ୍କ ସ୍ମରଣକୁ କର୍ଣ୍ଣଙ୍କର ପାଣ୍ଡବଙ୍କୁ ବଧ କରିବାର ଅଟଳ ପ୍ରତିଜ୍ଞା ଆସୁଥାଏ । ଏହି ସବୁ ଦୁଃଶ୍ଚିନ୍ତାରେ ତାଙ୍କୁ ରାତ୍ରିରେ ନିଦ୍ରା ଆଉ ମଧ୍ୟ ଆସୁ ନ ଥାଏ ।

ଥରେ ବ୍ୟାସଦେବ ସେମାନଙ୍କୁ ଭେଟିବା ପାଇଁ କାମ୍ୟକବନରେ ଯାଇ ପହଁଚିଲେ । ଦେଖିଲେ, ପାଣ୍ଡବମାନେ ହତୋତ୍ସାହିତ ଓ ବଳହୀନ ହୋଇ ପଡିଛନ୍ତି । ସେ ସେମାନଙ୍କୁ ଧୈର୍ଯ୍ୟ ପ୍ରଦାନ କରି ଭବିଷ୍ୟବାଣୀ କରି କହିଲେ, ତେରବର୍ଷର ଏହି ବନବାସ ଯୋଗ ସଫଳତାର ସହିତ କଟିଯିବା ପରେ, ତୁମ୍ଭମାନଙ୍କୁ ନିଶ୍ଚୟ ରାଜ୍ୟ ପ୍ରାପ୍ତ ହେବ ।ଅରଣ୍ୟରେ ନାନାଦି ଦୁଃଖ ଯାତନାରେ ପାଣ୍ଡବ ମାନଙ୍କର ସମୟ ବିତୁଥିବା ବେଳେ, ଦୁର୍ଯ୍ୟୋଧନ, ଶକୁନି, କର୍ଣ୍ଣ ଆଦି ବିଭିନ୍ନ ଯୋଜନାରେ ଲାଗି ପଡିଥାନ୍ତି ଯେ କିପରି ସେମାନଙ୍କର ବନବାସ ଦୀକ୍ଷା ଭଗ୍ନ ହେବ ଓ ସେମାନଙ୍କୁ ଅଧିକରୁ ଅଧିକ କଷ୍ଟ ଦିଆଯାଇପାରିବ ।ଏହି ସମୟରେ, ଦୁର୍ବାସା ମହାମୁନି ତାଙ୍କର ଦଶହଜାର ଶିଷ୍ୟଙ୍କୁ ସାଥିରେ ଆଣି ହସ୍ତିନାପୁର ଠାରେ ଆସି ପହଁଚିଲେ । ମହାମୁନି ଦୁର୍ବାସା ତ ତାଙ୍କର କ୍ରୋଧୀ ସ୍ୱଭାବ ପାଇଁ ପ୍ରସିଦ୍ଧ । ତାଙ୍କର ଆତିଥ୍ୟରେ ସାମାନ୍ୟତମ ତ୍ରୁଟି ପରିଲକ୍ଷିତ ହେଲେ ସେ ଅଭିଶାପ ଦେବେ । ତେଣୁ ଦୁର୍ଯ୍ୟୋଧନ ଓ ତାଙ୍କର ଭାଇମାନେ ଅତି ସାବଧାନତାର ସହିତ ତାଙ୍କର ସେବା କରୁଥାନ୍ତି ।ଦୁର୍ବାସା ଦୁର୍ଯ୍ୟୋଧନଙ୍କର ଅନେକ ପରୀକ୍ଷା ନେଉଥାନ୍ତି । ତତକ୍ଷଣାତ୍ ଭୋଜନ ବ୍ୟବସ୍ଥା କରିବା ପାଇଁ କହି, ବହୁତ ଡେରିରେ ସେ ଆସି କହନ୍ତି ଯେ, ତାଙ୍କର ଖାଇବା ପାଇଁ ଇଚ୍ଛାନାହିଁ । ଅଧରାତିରେ ଉଠି ଭୋଜନ ପ୍ରବନ୍ଧ କରିବା ପାଇଁ ସେ ଆଦେଶ କରନ୍ତି । ସମୟ ସମୟରେ ଭୋଜନକୁ ସ୍ୱାଦହୀନ କହି ପ୍ରତ୍ୟାଖ୍ୟାନ ବି ସେ କରନ୍ତି ।

ଏହିପରି ଦୁର୍ବାସା ଦୁର୍ଯ୍ୟୋଧନଙ୍କୁ ଅନେକ ହଇରାଣ କଲେ ମଧ୍ୟ, ବଡ ସହିଷ୍ଣୁତାର ସହିତ ସେ ତାଙ୍କର ସେବା କଲେ । ଆନନ୍ଦିତ ହୋଇ ଦୁର୍ବାସା ତାଙ୍କ ମନଲାଖି ବରଟିଏ ମାଗିବା ପାଇଁ ଅନୁମତି ଦେଲେ ।ଦୁର୍ଯ୍ୟୋଧନ ବହୁତ ଆନନ୍ଦିତ ହେଲେ ଯେ, ଦୁର୍ବାସାଙ୍କ ପରି ଋଷି ତାଙ୍କୁ ଶାପ ପରିବର୍ତ୍ତେ ବର ଯାଚଜ୍ଞା କରୁଛନ୍ତି । ସେ ଶକୁନି, କର୍ଣ୍ଣ, ଦୁଃଶାସନଙ୍କ ସହ ପରାମର୍ଶ କରି ଦୁର୍ବାସାଙ୍କୁ କହିଲେ, “ପ୍ରଭୁ, ଧର୍ମରାଜ ଏବେ ତାଙ୍କର ଭାଇ, ପତ୍ନୀ ଓ ଅନେକ ବ୍ରାହ୍ମଣଙ୍କ ସହିତ ଅରଣ୍ୟବାସ କରୁଛନ୍ତି । ଯେଉଁସମୟରେ ଦ୍ରୌପଦୀ ସେମାନଙ୍କୁ ଭୋଜନ ପ୍ରଦାନ ପରେ ନିଜେ ଖାଦ୍ୟ ଗ୍ରହଣ କରି ବିଶ୍ରାମ ନେଇଥିବେ, ଠିକ୍ ସେହି ସମୟରେ ଆପଣ ଓ ଏହି ଶିଷ୍ୟଗଣ ସେମାନଙ୍କ ନିକଟକୁ ଯାଇ ଆତିଥ୍ୟ ଲୋଡିବେ । ଏହି ବର ମୁଁ ଆପଣଙ୍କ ଠାରୁ ଚାହୁଁଛି ।”ଦୁର୍ବାସା ତାଙ୍କର କଥା ମାନିନେଇ ଶିଷ୍ୟଗଣଙ୍କ ସହିତ କାମ୍ୟକବନ ଅଭିମୁଖେ ଯାତ୍ରାକଲେ । ଏଣେ ଦୁର୍ଯ୍ୟୋଧନଙ୍କ ଖୁସି କହିଲେ ନ ସରେ । ପାଣ୍ଡବଗଣ ଦୁର୍ବାସାଙ୍କ ଦ୍ୱାରା ନିଶ୍ଚୟ ଶାପଗ୍ରସ୍ତ ହେବେ । ସେମାନଙ୍କର ସର୍ବନାଶ ଘଟିବ ।

ଦିନେ କାମ୍ୟକବନ ଠାରେ ଦ୍ରୌପଦୀ ସମସ୍ତଙ୍କୁ ଖାଇବାକୁ ଦେବା ପରେ ନିଜେ ଭୋଜନ ସମାପ୍ତ କରି ବିଶ୍ରାମ ନେଉଥାଆନ୍ତି । ଠିକ୍ ଏହି ସମୟରେ ଦୁର୍ବାସା ତାଙ୍କର ଦଶହଜାର ଶିଷ୍ୟଙ୍କୁ ସଙ୍ଗରେ ନେଇ ସେଠାରେ ଆସି ପହଁଚିଲେ । ଧର୍ମରାଜ ଓ ତାଙ୍କର ଭ୍ରାତାଗଣ ସେମାନଙ୍କର ପଦପୂଜା କରି କହିଲେ, “ମହାତ୍ମା, ଶିଷ୍ୟଗଣଙ୍କ ସମେତ ଆପଣ ଆମର ଆତିଥ୍ୟ ସ୍ୱୀକାର କରନ୍ତୁ ।”ଦୁର୍ବାସା, ଏହି ଅନୁରୋଧରେ ଦ୍ୱନ୍ଦ୍ୱରେ ପଡିଗଲେ ଯେ, ଏହି ମହାରଣ୍ୟରେ ପାଣ୍ଡବ କିପରି ତାଙ୍କର ଓ ତାଙ୍କ ଶିଷ୍ୟଗଣଙ୍କ ପରିଚର୍ଯ୍ୟା କରିବେ । ସେ ଅନୁରୋଧ ରକ୍ଷା କରି ଶିଷ୍ୟମାନଙ୍କ ସହିତ ଗଂଗା ସ୍ନାନ କରିବା ପାଇଁ ଚାଲିଗଲେ ।ଦ୍ରୌପଦୀ, ଏତେ ଲୋକଙ୍କ ନିମନ୍ତେ ଭୋଜନ ବ୍ୟବସ୍ଥା ପାଇଁ ଅନ୍ୟ କୌଣସି ଉପାୟ ନ ପାଇ ପରିଶେଷରେ ଦ୍ୱାରିକାନାଥ ଶ୍ରୀକୃଷ୍ଣଙ୍କୁହିଁ ସ୍ମରଣ କଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ମହାଭାରତର ଅର୍ଥ କଣ? ଭାରତ କଣ ଏକ ଯାଗାର ନାମ ନା ଜଣେ ମଣିଷର ନାମ? ଯଦି ଏହା ଏକ ଯାଗାର ନାମ ତେବେ “ମହା ଜାଗା” ର ଅର୍ଥ କଣ? ଯଦି ଏହା ଜଣେ ମଣିଷର ନାମ ତେବେ “ମହା ମଣିଷର” ଅର୍ଥ କଣ? କିଛି ବିଦ୍ୱାନ କୁହନ୍ତି ମହାଭାରତ ହେଉଛି ମହାନ୍ ଭାରତ । ଅର୍ଥାତ ଆମଦେଶର ପୁରାତନ ଇତିହାସ ନାମ ଭାରତ ଥିଲା ଏବଂ ପଣ୍ଡୁ/ପାଣ୍ଡୁ ଏବଂ କୌରବଙ୍କର ଆଦିଜନକ “ଭାରତ” ବା ଶକୁନ୍ତଳା ଏବଂ ଦୁଷ୍ୟନ୍ତଙ୍କ ପୁତ୍ରଥିଲେ । କୁରୁ କିମ୍ବା ପାଣ୍ଡୁ ବଂଶ ଏବେକାର ଇଣ୍ଡିଆକୁ ଯେ ଦିନେ ସାଶନ କରୁଥିଲେ ବା ତାଙ୍କର କୌଣସି ଅଖଣ୍ଡ ରାଜ୍ୟ ଏତେ ବିଶାଳ ଥିଲା କୌଣସି ପ୍ରମାଣ ନାହିଁ । ଏହାସବୁ ମନ ଗଢା ଏବଂ କଳ୍ପନା ମାତ୍ର । ଏମିତି କିଏ ଉଡନ୍ତା କ୍ୟାମେରା ନେଇ ପ୍ରତି ମହାଭାରତର “ଚରିତ୍ର” ସାଥିରେ ବୁଲୁଥିଲାଯେ କୋଉ ଚରିତ୍ର କେତେବେଳେ କଣ କରୁଥିଲା ସେମାନଙ୍କର ପ୍ରତି ମୁହୂର୍ତ୍ତର ଖବର ମହାଭାରତର ରଚନାକାରୀଙ୍କୁ (ବ୍ୟାସ) ମିଳିଯାଉଥିଲା ଆଉ ସେ ତାଙ୍କ ଲେଖାରେ ଲେଖି ପକାଉଥିଲେ । ମହାଭାରତରେ “ଭାରତ” କଣ ତାହା ମଧ୍ୟ ଉଲ୍ଲେଖ ନାହିଁ । ମହାଭାରତ ହେଉଛି ନିଜ ପରିବାର ଭିତରେ, ମାନେ ଭାଇ ଭାଇଙ୍କ ଭିତରେ ସମ୍ପତ୍ତି ପାଇଁ ଲଢେଇ ଯାହା ଜୁଆ ଖେଳ, ନାରୀ ନିର୍ଯ୍ୟାତନା, ସୁରା ପାନ ଇତ୍ୟାଦି ମନ୍ଦ ଅଭ୍ୟାଷରୁ ପ୍ରାରମ୍ଭ । ମହାଭାରତ ଯଦି ମହା ଯୁଧ୍ୟ ହୁଏ ତେବେ ଭାରତ ମାନେ ହେଉଛି ଯୁଧ୍ୟ । ମହାଭାରତ ସଂସ୍କୃତରେ ଲିଖିତ ଏବଂ ଅନ୍ୟ ଭାଷାମାନଙ୍କୁ ଅନୁବାଦିତ; ଅର୍ଥାତ ମହାଭାରତ ସହ ସଂସ୍କୃତ ଭାଷା ବ୍ୟବହାରୀକାରୀଙ୍କ ଛଡା ଅନ୍ୟଭାଷୀ ଲୋକମାନଙ୍କର କୌଣସ ସମ୍ପର୍କ ନାହିଁ । ତେବେ ଏହାକୁ ଆମର ନୈତିକତା ଜ୍ଞାନର ଉତ୍ସ ରୂପେ କାହିଁକି ଥୋପାଯାଉଛି ଏହା ତର୍କର ବାହାରେ । ଇତିହାସରେ ଏମିତି କୌଣସି ପ୍ରମାଣ ନାହିଁ ଏବେକାର ଇଣ୍ଡିଆ ଦିନେ ଭାରତ ନାମ ଧାରୀ ରାଜା ରାଜୁତି କରୁଥିଲେ ବା ତାଙ୍କ ରାଜ୍ୟର ନାମ ଭାରତ ଥିଲା । ଭ୍ରମ ସୃଷ୍ଟିକାରୀ ବୈଦିକ ପ୍ରଚାରକଙ୍କ ମିଥ୍ୟା ପ୍ରଚାର ଇତିହାସଠାରୁ ନିଜକୁ ଦୁରେଇ ରଖନ୍ତୁ । କଛି ଧୂର୍ତ୍ତ, “ମାନସିକ ବିକୃତିକୁ” ଆମର ସଂସ୍କୃତି ରୂପେ ଆମଉପରେ ଥୋପେଇ ଆମ ମନକୁ ତାଙ୍କ ମନ ମୁତାବକ ନିୟନ୍ତ୍ରଣ କରିବାକୁ ଚାହାନ୍ତି । ସେପରି ଧୂର୍ତ୍ତମାନଙ୍କୁ ଚିହ୍ନନ୍ତୁ ଏବଂ ସେମାନଙ୍କୁ ବିରୋଧ କରନ୍ତୁ, ତାହା ସହିତ ସେମାନଙ୍କ ବିକୃତ ମାନସିକତା ଠାରୁ ଦୁରେଇ ରୁହନ୍ତୁ ।

Latest New Odia Story New odia story Odia story Mahahbharata
Share. Facebook Twitter Pinterest LinkedIn Tumblr Reddit Email
Previous Articleକ୍ଷତିରୁ ଲାଭ
Next Article ପୁରସ୍କାର – ପ୍ରୋତ୍ସାହନ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.