ଦୁଃଶାସନ ଦ୍ୱାରା ପ୍ରେରିତ ହୋଇ ଦୁର୍ଯ୍ୟୋଧନ ତାଙ୍କ ପିତାଙ୍କ ନିକଟକୁ ଯାଇ କହିଲେ, “ଜୁଆ ଖେଳରେ ଯାହାସବୁ ତ ଆମେ ଜିତିଲୁ ତାହାକୁ ସବୁ ମଧ୍ୟ ଆପଣ ଫେରାଇ ଦେଲେ । ଯୁଦ୍ଧ ହେଲେ ପାଣ୍ଡବମାନେ ତ ଅବଶ୍ୟ ଆମର ସର୍ବନାଶ କରିବେ । ତେଣୁ ପୁନର୍ବାର ପଶାଖେଳିବା ପାଇଁ ଆପଣ ତାଙ୍କୁ ଡାକନ୍ତୁ । ଏଥର ଆମେ ଯାହା ଜିତିବା ତାହା ଆମର ହୋଇ ରହିବ ।”ପୁନର୍ବାର ପଶା ଖେଳହେଲା । ଦରବାରର ସଭ୍ୟମାନେ ପୁନଶ୍ଚ ପଶା ଖେଳର ସପକ୍ଷରେ କେହିବି ନ ଥିଲେ । କିନ୍ତୁ ଦୁର୍ଯ୍ୟୋଧନ ଭୟରେ କେହି କିଛି ମଧ୍ୟ କହି ପାରିଲେ ନାହିଁ । ସେମାନେ କେବଳ କହୁଥା’ନ୍ତି “ଧୃତରାଷ୍ଟ୍ର ବୁଦ୍ଧିବିବେକ୍ହୀନ ହୋଇଗଲେ । ଜାଣୁଛନ୍ତି ପୁଅ ଦୁଷ୍ଟ ପ୍ରକୃତିର ବ୍ୟକ୍ତି । ତଥାପିବି ତାହାରି କଥାରେ ସେ ବାରମ୍ବାର ନିଜକୁ ସମର୍ପଣ କରୁଛନ୍ତି । ବାରମ୍ବାର ହାସ୍ୟାସ୍ପଦ କଥା ହେଉଛି । ଭୀଷ୍ମ ଓ ଦ୍ରୋଣ ମନ୍ତ୍ରର ପ୍ରଭାବରେ ରହିବା ପରି ନିର୍ବାକ୍ ହୋଇ ବସିଥା’ନ୍ତି ।”
ପ୍ରକୃତ କଥା ହେଉଛି ଏକ ପୁରୁଣା ଘଟଣାର ପ୍ରତିଶୋଧ ନେବା ପାଇଁ ଏସବୁ କାର୍ଯ୍ୟ ଶକୁନି କରାଉଥା’ନ୍ତି । ଗାନ୍ଧାରୀଙ୍କର ମଧ୍ୟ ଶହେ ଭାଇ ଥିଲେ । ଦୁର୍ଯ୍ୟୋଧନ ଥରେ ଶୁଣିଲେ ତାଙ୍କ ମାତା ଉଆଁସୀ କନ୍ୟା ଥିବାରୁ ତାଙ୍କୁ ପ୍ରଥମେ ଏକ ସାହାଡା ଗଛକୁ ବିବାହ ଦେଇଥିଲେ, ସେଇଟି ମରିଯିବା ପରେ ଗାନ୍ଧାରୀ ଧୃତରାଷ୍ଟ୍ରଙ୍କୁ ବାହା ହେଲେ । ତେବେ ରିଷ୍ଟ କଟିଯାଇ ଥିବାରୁ ଧୃତରାଷ୍ଟ୍ରଙ୍କର ଆଉ କିଛି ହେଲେବି କ୍ଷତି ହେଲା ନାହିଁ । ଥରେ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ପଣ୍ଡୁଙ୍କ ପୁତ୍ର ନୁହଁନ୍ତି ଓ ଜାରଜ କହି ଅପମାନ କରିଥିଲେ । ଭୀମଙ୍କୁ ଶ୍ରୀକୃଷ୍ଣ ଶିଖାଇ ଦେଇଥିବାରୁ ସେ ମଧ୍ୟ ତାଙ୍କୁ ସାହାଡା ପୁତ୍ର କହି ଅପମାନ ଦେଲେ । ତେଣୁ ଦୁର୍ଯ୍ୟୋଧନ ଏଥିରେ ଅତ୍ୟନ୍ତ ରାଗିଯାଇ ତୁରନ୍ତ ମାମୁଁ ଘରକୁ ଯାଇ ସବୁ ପଚାରି ବୁଝିଲେ ଓ ଶହେ ମାମୁଙ୍କୁ ଡାକି ଆଣି କାରାଗାରରେ ରଖିଲେ । ସିଧା ମାରିଦେଲେ ପାପ ହେବା ଭୟରେ ଦିନକୁ ଜଣକର ଖାଦ୍ୟ ସେ ଶହେ ଜଣକୁ ଦିଆ ଯାଉଥିଲା । ସବୁଭାଇମାନେ ନଖାଇ କନିଷ୍ଠ ଶକୁନି ଉପରେ ଦୁର୍ଯ୍ୟୋଧନର ବଂଶ ନାଶ କରିବାକୁ ଦାୟିତ୍ୱ ଦେଲେ, ଶକୁନି ସେତକ ଖାଇ ବଂଚିଥା’ନ୍ତି । ବଡଭାଇଙ୍କର ହାଡରେ ପଶାକାଠି ତିଆରି ହେଲା ଓ ସେ କହିଲେ, “ମୁଁ ସେଥିରେ ରହିଥିବି, ତୁ ଯାହା ଡାକିବୁ ତାହା ପଡିବ ।” ଶକୁନି ବଡ ବୁଦ୍ଧିମାନ୍ । ସେ ଦୁର୍ଯ୍ୟୋଧନର ସପକ୍ଷରେ ଥିଲେ ସିନା, କିନ୍ତୁ ତାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା ପାଣ୍ଡବମାନଙ୍କୁ ରଗାଇଲେ ସେମାନେ ନିଶ୍ଚୟ ଏମାନଙ୍କୁ ସମୂଳେ ବିନାଶ କରିବେ । ତେଣୁ ଏହି ପଶାଖେଳ ପଛରେ ଶକୁନିଙ୍କର ପ୍ରତିଶୋଧର କାହାଣୀ ଥିଲା ଯାହାକୁକି ଦୁର୍ଯ୍ୟୋଧନ ଆଦୌ ବୁଝିପାରି ନଥିଲେ ।
ଦ୍ୱିତୀୟ ଥର ପଶା ଆରମ୍ଭ କାଳରୁ ସର୍ତ୍ତ ଏହା ଥିଲା ଯେ, ଯିଏ ହାରିବ, ସେ ବାରବର୍ଷ ବନବାସ ଯିବ ଓ ବର୍ଷେ ଅଜ୍ଞାତବାସ ଯିବ । ଏହାପରେ ଖେଳ ହେଲା ଓ ପାଣ୍ଡବମାନେ ପୁଣି ହାରିଲେ । ତା’ପରେ ପଂଚୁପାଣ୍ଡବ ଓ ଦ୍ରୌପଦୀ ସେ ରାଜ୍ୟ ଛାଡି ବନବାସ ଗଲେ ।ସେମାନଙ୍କୁ ଦେଖି ଦୁଃଶାସନ କହିଲା, “ଆହା, କେତେଦିନ ପରେ ମୁଁ ଗୋଟାଏ ସୁନ୍ଦର ଦୃଶ୍ୟ ଦେଖିଲି, ଆଉ ଏବେ ପୁଣି ଦୀର୍ଘ ସମୟ ପର୍ଯ୍ୟନ୍ତ ଏମାନଙ୍କର କଷ୍ଟ ଜୀବନ ବିତିବ ଏକଥା ଭାବି ମୋର ମନ ଆନନ୍ଦରେ କୁରୁଳି ହୋଇ ଉଠୁଛି, ମନେ ହେଉଛି ମୋର ଜନ୍ମ ସାର୍ଥକ ହେଲା । ଏବେ ଆମପରି ଐଶ୍ୱର୍ଯ୍ୟ ଆଉ କାହାର ବି ନାହିଁ । ଏମାନେ ବନର ଜନ୍ତୁ ପରି ଜୀବନ ବିତାଇବେ ।” ତା’ପରେ ସେ ଦ୍ରୌପଦୀଙ୍କୁ ଚାହିଁ କହିଲେ, “ଦେଖ, ତୁମ ସ୍ୱାମୀମାନେ ତ ଏବେଠାରୁ ଭିକାରୀ ପରି ବୁଲିବେ, ରାଜ୍ୟ, ହରାଇ ଦରିଦ୍ର ଜୀବନ ବିତାଇବେ, ହେଲେ ତୁମେ କାହିଁକି ଏସବୁ କଷ୍ଟ ସହିବ? ଆମ ଭାଇମାନଙ୍କ ମଧ୍ୟରୁ ତମର ଯାହାକୁ ଇଚ୍ଛା ତାକୁ ବରଣ କର, ତା’ପରେ ସିନା ତମେ ସୁଖରେ ରାଣୀ ହୋଇ ଐଶ୍ୱର୍ଯ୍ୟ ମଧ୍ୟରେ ଜୀବନଯାପନ କରିବ ।”ଏକଥା ଶୁଣି ଭୀମ ସିଂହନାଦ ପୂର୍ବକ ଗର୍ଜନ କରି କହିଲେ, “ଆରେ, ନୀଚ୍ଚ, ପାପୀ, ଦୁଷ୍ଟ, ବର୍ବର ଦୁଃଶାସନ, ଶକୁନିର କପଟ ଛଳନାର ପଶାରେ ଜିତି ଏତେ ବଡପଣିଆ ଦେଖାଉଛୁ? ମୋର ଶପଥ ଯେ ଯୁଦ୍ଧରେ ମୁଁ ତୋତେ ମାରି ତୋ ଦେହର ମାଂସକୁ ଶୃଗାଳ ଓ ଶାଗୁଣାମାନଙ୍କୁ ଖାଦ୍ୟ ରୂପେ ବାଂଟିବି । କେବଳ ତୁ ନୁହେଁ ତୋର ଅନେଶ୍ୱତ ଭାଇଙ୍କର ମଧ୍ୟ ସେହି ଏକା ଅବସ୍ଥା ହେବ ।”
ଦୁର୍ଯ୍ୟୋଧନଙ୍କୁ ଚାହିଁ ଭୀମ କହିଲେ, “ଆରେ ମୂର୍ଖ । ଏବେ ଏମିତି କ’ଣ ହୋଇଛି ଯେ ତା’ତୁ ଦେଖୁଛୁ? ଦେଖ୍ ଆଗକୁ କ’ଣ ହେବ । ଯେଉଁଦିନ ମୁଁ ତୋତେ ବଧ କରିବି, ଠିକ୍ ସେଇଦିନହିଁ ତୁ ତୋର ସମସ୍ତ କୁକର୍ମର ଫଳ ପାଇବୁ ।” ଏହାପରେ ଭୀମ ସଭାସ୍ଥଳୀକୁ ଚାହିଁ ସମସ୍ତିଙ୍କୁ କହିଲେ, “ମହାଶୟମାନେ, ମୋ କଥା ସ୍ମରଣ ରଖନ୍ତୁ, ଯୁଦ୍ଧରେ ଏହି ଦୁର୍ଯ୍ୟୋଧନକୁ ମୁଁ ବଡ ଭୟଙ୍କର ଭାବରେ ସଂହାର କରିବି, ଏହି ଦୁରଭିମାନୀ କର୍ଣ୍ଣକୁ ଅର୍ଜୁନ, ଓ କୁଟୀଳ ଶକୁନିଙ୍କୁ ସହଦେବ ମାରିବେ, ଏହାହିଁ ସେମାନଙ୍କ ଭାଗ୍ୟରେ ଲେଖା ହୋଇ ରହିଛି । ତାକୁ କେହିବି ଅନ୍ୟଥା କରିପାରିବେ ନାହିଁ ।”ଅର୍ଜୁନ ଭୀମଙ୍କୁ କହିଲେ, “ଏସବୁ ଏବେ ସେମାନଙ୍କୁ କହି କ’ଣ ବା ଲାଭ? ତେର ବର୍ଷର ବନବାସ ପରେ ଯାହା ହେବ ସେକଥା ଏବେ କହିବାର କୌଣସି ବି ଆବଶ୍ୟକତା ନାହିଁ । ସମୟ ବିତିଯିବା ପରେ ଯଦି ସେମାନେ ଆମର ରାଜ୍ୟ ଆମକୁ ନ ଫେରାନ୍ତି, ତେବେ ଯାଇ ତୁମ କଥା ସତ୍ୟ ହେବ, ଏବେ ତ ଶାନ୍ତ ହୋଇଯାଅ ।”ସହଦେବ ଶକୁନିକୁ କହିଲେ, “ଆରେ ନୀଚ୍ଚ, କପଟରେ ପଶାଖେଳରେ ଜିତିଗଲେ କ’ଣ ହେବ? ସେହି ଯୁଦ୍ଧକ୍ଷେତ୍ରରେ ନିଜର ବୀରତ୍ୱ ଦେଖାଇବ । ଭୀମଙ୍କର କଥା ଅନୁସାରେହିଁ ମୋ ହାତରେ ତୁମର ମୃତ୍ୟୁ ଲେଖା ହୋଇଛି ।” ଏବେ ଜୀବନର ସମସ୍ତ ଆନନ୍ଦ ଉପଭୋଗ କରି ନିଅ । ତା’ପରେ ମୃତ୍ୟୁର ପ୍ରତୀକ୍ଷା କର ।”
ନକୁଳ ରୁଦ୍ରମୂର୍ତ୍ତି ଧାରଣ କରି କହିଲେ, “ଯେଉଁମାନେସବୁ ଏହି ସଭାରେ ଦ୍ରୌପଦୀଙ୍କର ଅପମାନ କରିଛନ୍ତି, ସେମାନଙ୍କୁ କୀଟ ଭଳି ଦଳି ଦଳି ମାରିଦିଆଯିବ ।”ଏଥୁଅନ୍ତେ ପାଣ୍ଡବମାନେ ସଭାରେ ଉପସ୍ଥିତ ସମସ୍ତ ଗୁରୁଜନମାନଙ୍କ ଠାରୁ ବିଦାୟ ନେଲେ । କୌରବଙ୍କ ଦ୍ୱାରା ଭୟଭୀତ ହୋଇ ଲୋକେ କିଛି ବି କହିଲେ ନାହିଁ । କେବଳ ବିଦୁର ଧର୍ମରାଜଙ୍କୁ କହିଲେ, “ଛଳ କପଟ ଦ୍ୱାରା ସେମାନେ ତୁମକୁ ହରାଇଛନ୍ତି; ସେଥିପାଇଁ ଚିନ୍ତିତ ହେବାର କୌଣସି ପ୍ରୟୋଜନ ନାହିଁ । ତୁମର ଭାଇମାନେ ତୁମର ଅନୁଗତ । ସେମାନେ ଗୋଟିଏ ଗୋଟିଏ ରତ୍ନ । ଦ୍ରୌପଦୀଙ୍କର ତ ଅଶେଷଗୁଣ ପୁରି ରହିଛି । ତୁମ ମାଙ୍କର ବୟସ ହୋଇଛି ଏହି କାରଣରୁ ସେ ଆଉ ବନଗମନ କରିବାର କଷ୍ଟ ସହି ପାରିବେ ନାହିଁ । ତେଣୁ ସେ ଏଇଠାରେ ହିଁ ରହିଥା’ନ୍ତୁ । ମୁଁ ଏଠାରେ ତାଙ୍କର ଦାୟିତ୍ୱ ନେଲି, ମୁଁ ତାଙ୍କର ସେବାଯତ୍ନ କରିବି । ତୁମେମାନେ ଶୁଭରେ ଯାଇ ଶୁଭରେ ପୁଣି ଫେରିଆସ ।”
ଯୁଧିଷ୍ଠିର ବିଦୁରଙ୍କୁ କହିଲେ, “କାକା, ଆପଣ ତ ମୋ ପାଇଁ ଉଭୟ ପିତା ଓ ଗୁରୁ ସମାନ । ଆମର ଶୁଭେଚ୍ଛୁ ମାନଙ୍କ ମଧ୍ୟରୁ ଆପଣହିଁ ଶ୍ରେଷ୍ଠ । ତେଶୁ ଆପଣଙ୍କ ବାକ୍ୟ ମୋର ଶିରୋଧାର୍ଯ୍ୟ ।”ଅନ୍ତଃପୁରରେ ଦ୍ରୌପଦୀ, ଗୁରୁଜନମାନଙ୍କୁ ପ୍ରଣାମ କଲେ । କୁନ୍ତୀ କହିଲେ, “ଝିଅ, ତୁମେ ତ ସବୁ ଦେଖୁଛ, ଜାଣୁଛ, ମୁଁ ବା ଆଉ ଅଧିକା କ’ଣ କହିବି? ପତିମାନଙ୍କ ସହିତ ପତ୍ନୀ ରହିବାଟାତ ସ୍ୱାଭାବିକ୍, ତମେ ଆଉ କାନ୍ଦ ନାହିଁ । ଭାଗ୍ୟରେ ଯାହା ଥାଏ ତା’ତ ଅବଶ୍ୟ ଭୋଗିବାକୁହିଁ ହୁଏ । ତୁମର ଅଶ୍ରୁ ଯଦି ରୁଦ୍ରଭାବ ସହ କୌରବମାନଙ୍କ ଉପରେ ପଡେ, ତେବେ ସେମାନେ ତ ଭସ୍ମ ହୋଇଯିବେ । ତୁମକୁ ମୋର ଆଉ ଏକ ଅନୁରୋଧ ସହଦେବର ଟିକେ ଅଧିକ ଯତ୍ନ ନେବ । ପିଲାବେଳରୁ ସେ ଅତି ସୁକୁମାର । ସର୍ବଦା ଭଗବାନଙ୍କୁ ଡାକୁଥିବ । ସତ୍ୟର ବିଜୟ ସୁନିଶ୍ଚିତ ।”
ଏହାପରେ ଦ୍ରୌପଦୀ ଖୋଲାକେଶ ସହିତ କାନ୍ଦି କାନ୍ଦି ସେ ଅନ୍ତଃପୁରରୁ ବାହାରିଲେ । କୁନ୍ତୀ ତାଙ୍କ ସହିତ ପୁଅମାନଙ୍କ ପାଖକୁ ଆସିଲେ । ସେମାନେ ତପସ୍ୱୀ ବେଶ ଧାରଣ କରି ବାହାରିଲେ । ସେମାନଙ୍କୁ ଦେଖି କୁନ୍ତୀଦେବୀ କାନ୍ଦି କାନ୍ଦି କହିଲେ, ତୁମେମାନେ ଧର୍ମ ମାର୍ଗରେ ଚାଲିଛ । ଗୋଟିଏ କଥା ସଦା ସର୍ବଦା ମନେ ରଖିବ ଭଗବାନ୍ ତୁମ ଭାଗ୍ୟରେ କ’ଣ ଲେଖିଛନ୍ତି, ମୁଁ ଜାଣିପାରୁ ନାହିଁ । ବାରମ୍ବାର ତୁମେ ଦୁଃଖ କଷ୍ଟ ପାଉଛ, ମୋର ମଧ୍ୟ କପାଳ ମନ୍ଦ । ତୁମମାନଙ୍କର ଏପରି ଦଶା ଦେଖିବାକୁ ତୁମ ପିତା ଓ ମାଦ୍ରୀ ନାହାଁନ୍ତି । ସେମାନେ ସବୁ ବଡ ଭାଗ୍ୟବାନ । ମୁହିଁ ଏହି ସବୁ ଦେଖି ଦେଖି ପଥର ହୋଇ ରହିଛି ଏଠାରେ ସିନା ରହିଥିବି, କିନ୍ତୁ ମୋର ମନଟା ସବୁବେଳେ ତୁମ ଉପରେହିଁ ଲାଖି ରହିଥିବ, ଏଇଥିରୁ ତୁମେମାନେ ଅନୁମାନ କରିପାରୁଥିବ ଯେ, ମୁଁ ଏଠାରେ କେତେ ଦୁଃଖରେ ଚଳିବି । ଶ୍ରୀକୃଷ୍ଣ ବି ତ କାହିଁ ଏକ୍ଷେତ୍ରରେ ଆମକୁ କିଛି ସାହାଯ୍ୟ କଲେ ନାହିଁ ।”
ବିଦୁର ତାଙ୍କୁ ବୁଝାଇ ଘରକୁ ଫେରାଇନେଲେ । ଦ୍ରୌପଦୀ ଓ ପାଣ୍ଡବମାନେ ମା’ଙ୍କର ପାଦସ୍ପର୍ଶ କରି ପ୍ରଣାମ କଲେ ଓ ବନବାସ ପାଇଁ ବାହାରିଗଲେ । ଯୁଧିଷ୍ଠିର ନିଜ ମୁହଁକୁ ଲୁଗାରେ ଢାଙ୍କି ଦେଇ ଚାଲିଥା’ନ୍ତି । ଅର୍ଜୁନ ହାତରେ ବାଲି ମୁଠାଏ ଧରି ବିଂଚି ବିଂଚି ଚାଲିଥା’ନ୍ତି । ନକୁଳ ନିଜ ଦେହ ଉପରେ ପାଉଁଶ ବୋଳି ହୋଇଥିଲେ । ସହଦେବ ତାଙ୍କ ଶରୀର ଉପରେ ଧୂଳି ବୋଳି ହୋଇଥିଲେ । ରାଜପୁରୋହିତ ଧୌମ୍ୟ ସେମାନଙ୍କ ସହିତ ସାମବେଦ ଗାନ କରି କରି ସମ୍ମୁଖରେ ଚାଲିଥା’ନ୍ତି ।ସେଠାରୁ ସେମାନେ ଚାଲିଯିବାପରେ ଧୃତରାଷ୍ଟ୍ର, ବିଦୁରଙ୍କୁ ପଚାରିଲେ, “ପାଣ୍ଡବମାନେ ବନବାସ ଯିବାବେଳର କଥା ବର୍ଣ୍ଣନା କର ।” ବିଦୁର ବର୍ଣ୍ଣନା କରି କହିଲେ କିଏ କି ଭାବରେ ଯାଉଥିଲେ ।ଧୃତରାଷ୍ଟ୍ର ପ୍ରଶ୍ନ କଲେ, “ଏପରି କାହିଁକି?”
ତହୁଁ ବିଦୁର କହିଲେ “ମୁଁ ବୁଝାଇ ଦେଉଛି ଶୁଣନ୍ତୁ । ଯୁଧିଷ୍ଠିର ବନଗମନ ସମୟରେ ମୁହଁ ଢାଙ୍କିଥିଲେ କାରଣ ଆପଣଙ୍କ ପୁତ୍ରମାନେ ତାଙ୍କ ପ୍ରତି ଯେଉଁ ଅନ୍ୟାୟ ଅବିଚାର କଲେ, ତାହାର ପ୍ରତିବାଦ ସ୍ୱରୂପ ତାଙ୍କ ଚକ୍ଷୁରୁ ଯଦି ରୁଦ୍ରଭାବର ଦୃଷ୍ଟି ପଡେ ତେବେ ଆପଣଙ୍କର ପୁତ୍ରମାନଙ୍କ ସହିତ ହୁଏତ ହସ୍ତୀନାପୁର ମଧ୍ୟ ଧ୍ୱଂସ ହୋଇଯିବ । ଭୀମ ତାଙ୍କର ଭୁଜବଳ ପ୍ରଦର୍ଶିତ କରି ଯାଉଥିଲେ । କାରଣ ସେ ଏକାହିଁ ତାଙ୍କର ଭୁଜବଳ ଯୋଗୁଁ ସମସ୍ତିଙ୍କୁ ବିନାଶ କରିପାରିବେ । ଅର୍ଜୁନ ଧୂଳି ବିଂଚିବା ଅର୍ଥ ସେ ଯେତେବେଳେ ଯୁଦ୍ଧ କରିବେ ଧୂଳିର ସଂଖ୍ୟା ଭଳି ଏକାବେଳେକେ ସେତିକି ସଂଖ୍ୟକ ତୀର ବର୍ଷଣ ସେ କରିପାରିବେ । ନକୁଳ ତ ଦେଖିବାକୁ ସୁନ୍ଦର । ପ୍ରଜାମାନେ ତାଙ୍କର ସୁନ୍ଦର ଚେହେରା ଦେଖି ତାଙ୍କୁ ବନକୁ ପଠାଇଥିବା ଲୋକଙ୍କ ପ୍ରତି କୋଧିତ ନହୁଅନ୍ତୁ ବୋଲି ସେ ତାଙ୍କ ଶରୀରରେ ପାଉଁଶ ବୋଳି ହୋଇଥିଲେ । ସହଦେବ ନିଜ ଦୁଃଖକୁ ଗୋପନ ରଖିବାକୁ ଆପଣା ଶରୀରରେ ମାଟି ବୋଳି ହୋଇଥିଲେ । ଦ୍ରୌପଦୀ ଧଳା ଶାଢୀ ପିନ୍ଧି ଯାଉଥିଲେ । ଏହାର କାରଣ ସେ ଦେଖାଉଥିଲେ ଯେ ଆସନ୍ତା ଚଉଦବର୍ଷ ପରେ କୌରବସ୍ତ୍ରୀମାନଙ୍କର ମଧ୍ୟ ଏହି ଦଶା ହେବ । ପୁରୋହିତ ଧୌମ୍ୟଙ୍କର ହାତରେ କୁଶ ଥିଲା । ତାହାର ଅର୍ଥ ଭବିଷ୍ୟତ ଯୁଦ୍ଧରେ ମୃତ ଲୋକଙ୍କର ଅନ୍ତ୍ୟେଷ୍ଟି କ୍ରିୟା କେବଳ ସେହିଁ ସମ୍ପନ୍ନ କରିବେ । ଏହାକୁ ବୁଝାଇବାକୁ ଯାଇ ସେ ରୌଦ୍ର ସାମବେଦ ପଠନ କରୁଥିଲେ । ରାଜନ୍ ଖାଲି ଆପଣଙ୍କର ପୁତ୍ରପ୍ରେମ ଯୋଗୁଁ ସମଗ୍ର ବଂଶ ପୃଥିବୀ ପୃଷ୍ଠରୁ ଲୋପ ପାଇବେ ।”
ପାଣ୍ଡବମାନେ ଚାଲିଯିବା ପରେ, ଦୁର୍ଯ୍ୟୋଧନ, ଦୁଃଶାସନ, କର୍ଣ୍ଣ, ଶକୁନି ଇତ୍ୟାଦି ମିଳି ଦ୍ରୋଣଙ୍କ ନିକଟକୁ ଯାଇ କହିଲେ, “ପାଣ୍ଡବମାନେ ଛାଡିଯାଇଥିବା ରାଜ୍ୟର ଶାସନ କ୍ଷମତା ଏବେ ଆପଣ ନିଜ ହାତକୁ ନିଅନ୍ତୁ । ଆପଣଙ୍କର ତ ରାଜ୍ୟଶାସନ କରିବାର ଦକ୍ଷତା ବି ଅଛି ।”ଦ୍ରୋଣ କହିଲେ, “ପାଣ୍ଡବମାନଙ୍କୁ ଜିତିବା ତ ଦୁଃସାଧ୍ୟ । କିନ୍ତୁ ମୁଁ ଦୁର୍ଯ୍ୟୋଧନଙ୍କ ପକ୍ଷ ନେବି । କାରଣ ସେମାନଙ୍କର ମୋ ପ୍ରତି ଯଥେଷ୍ଟ ଭକ୍ତିଭାବ ଅଛି । ପାଣ୍ଡବମାନେ ଅବଶ୍ୟ ନିୟମ ପାଳନ କରିହିଁ ଯୁଦ୍ଧ କରିବାକୁ ଆସିବେ । ଦ୍ରୁପଦ ମୋ ପାଖରେ ହାରିଗଲେ ମଧ୍ୟ ମୋତେ ମାରିବାକୁ ସେ ଯଜ୍ଞରୁ ପୁତ୍ର ଉତ୍ପନ୍ନ କରିଛନ୍ତି, ପୁଣି ଯାଜ୍ଞସେନୀଙ୍କୁ ସେ ଅର୍ଜୁନଙ୍କୁ ବିବାହ ଦେଇଛନ୍ତି । ଏଭଳି ପରିସ୍ଥିତିରେ ମୁଁ କିପରି ପାଣ୍ଡବଙ୍କ ତରଫରେ ରହିପାରିବି? ଏକଥା ନିଶ୍ଚିତ ଓ ନିଃସନ୍ଦେହ ଯେ ଅର୍ଜୁନ ପରି ବୀର ଏ ତିନି ଲୋକରେ ଆଉ କେହିବି ନାହିଁ । ଏକଥା ତ ସମସ୍ତେ ଜାଣନ୍ତି ଯେ ମୋର ମୃତ୍ୟୁ କେବଳ ଧୃଷ୍ଟଦ୍ୟୁମ୍ନ ଦ୍ୱାରାହିଁ ହେବ । ସମସ୍ତ କିଛି ଆଲୋଚନା କରାଗଲେ ମଧ୍ୟ ଆମ ପକ୍ଷ ତାଙ୍କ ପକ୍ଷ ଅଳ୍ପ କିଛି କମ୍ ବେଶି ହେବ । କିନ୍ତୁ ତୁମେମାନେ ଏକଥା ଭୁଲିଯାଉଛ କି ଭଗବାନ ଶ୍ରୀକୃଷ୍ଣଙ୍କର ଶକ୍ତି ତାଙ୍କୁ ସଦା ସର୍ବଦା ରକ୍ଷା କରିବ । ତାଙ୍କ ସହିତ ସମାନ ଆମ ପକ୍ଷରେ କିଏ ଅଛି କୁହ? ସେହିଠାରେହିଁ ଆମପଟ ତଳକୁ ଗଲା । ଏଣିକି ତୁମେମାନେ ଧର୍ମକାର୍ଯ୍ୟ କର, ପରୋପକାର କର, ତେବେ ଧର୍ମମାର୍ଗରେ ଚାଲିବା ଦ୍ୱାରା ଧର୍ମର ଶକ୍ତି ପାଇପାରିବ । ନଚେତ ସେମାନେ ବନବାସ କରିବା ସମୟରେ ତୁମେମାନେ ଆରାମ୍ କର, ରାଜ୍ୟସୁଖ ଉପଭୋଗ କର, କାରଣ ତା’ପରେ ଯୁଦ୍ଧରେ ଆମପଟ ସମୂଳେ ଧ୍ୱଂସ ହେବ ।”
ଧୃତରାଷ୍ଟ୍ର ଏପରି କଥା ଶୁଣି ବ୍ୟତିବ୍ୟସ୍ତ ହୋଇପଡିଲେ । ସେ ବିଦୁରଙ୍କୁ କହିଲେ, “ବିଦୁର, ଦ୍ରୋଣାଚାର୍ଯ୍ୟ ଯାହା କହିଲେ ତାହା ନିରାଟ ସତ୍ୟ । ତୁମେ ଏବେ ବନକୁ ଯାଇ ସେମାନଙ୍କୁ ଫେରାଇ ଆଣ । ସେମାନେ ରାଜି ନହେଲେ ସେମାନଙ୍କୁ ବୁଝାଇ ନେଇ ଆସ ।”ସେତେବେଳେ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହିଲେ “ମହାରାଜ, ପାଣ୍ଡୁ କେତେ କେତେ ରାଜ୍ୟ ଜିତି ଆପଣଙ୍କୁ ଦେଲେ । ଅଥଚ ଆପଣ ତାଙ୍କ ପ୍ରତି କୃତଜ୍ଞତା ଭାବ ନ ଦେଖାଇ ତାଙ୍କ ପିଲାଙ୍କୁ ଓଲଟି କଷ୍ଟ ଦେଲେ? ଆପଣଙ୍କ ପୁତ୍ରମାନଙ୍କର ଦୁଷ୍ଟବୁଦ୍ଧିରେ ପଡି ପାଣ୍ଡବମାନଙ୍କୁ ଦଣ୍ଡ ଦେଲେ? ପୁଣି ତେରବର୍ଷ ପାଇଁ ବନବାସ । ସେମାନେ ଏମିତି କି ଜଘନ୍ୟ ଅପରାଧ କରିଥିଲେ? ସେମାନେ ତ ସଦା ସର୍ବଦା ଧର୍ମମାର୍ଗରେହିଁ ଥା’ନ୍ତି । ସେପରି ଲୋକଙ୍କୁ ପୁଣି ଏପରି ଦଣ୍ଡ? ଧର୍ମ ଏକଥା କ’ଣ କେବେବି ସହି ପାରିବେ? ତଥାପି ମଧ୍ୟ ସେମାନେ କୌଣସି ପ୍ରକାର ଆପତ୍ତି ଅଭିଯୋଗ ନକରି ଛଳନାପୂର୍ଣ୍ଣ, ମିଥ୍ୟାଚାରରେ ଦୂଷିତ ସର୍ତ୍ତ ସବୁ ମାନିନେଲେ ଓ ନୀରବରେ ବନକୁ ଚାଲିଗଲେ । ଆପଣଙ୍କର ବିବେକ ନିଜକୁ ଟିକେ ଦଂଶନ କରୁନାହିଁ? ଇଏ କି ପ୍ରକାର ରାଜ୍ୟ ଶାସନ ଏବେ ଭୟରେ ବ୍ୟସ୍ତ ହେବାରେ ପ୍ରୟୋଜନ କ’ଣ?”
ଧୃତରାଷ୍ଟ୍ର କହିଲେ “ବ୍ୟସ୍ତ ନ ହୋଇ ମୁଁ ଆଉ କ’ଣ କରିବି? ପାଣ୍ଡବମାନେ ଯେ ଯୁଦ୍ଧବିଦ୍ୟାରେ ସିଦ୍ଧହସ୍ତ । ସେମାନେ ଅଜେୟ । ସେପରି ମହାବୀରଙ୍କର ମୁଁ ଶତୃ ହୋଇ ଚିନ୍ତା କରିବି ନାହିଁ?”ସଞ୍ଜୟ କହିଲେ “ଏହି ଶତୃତା ତ ଆପଣ ନିଜେ ଜାଣି ଶୁଣି ନିଜ ଉପରକୁ ଆଣିଛନ୍ତି । ପିତାମହ ଭୀଷ୍ମ, ଗୁରୁଦ୍ରୋଣ ଓ ବିଦୁର ଆପଣଙ୍କୁ କେତେଥର ଏ ବିଷୟରେ ସାବଧାନ କରି ଦେଇଛନ୍ତି, ହେଲେ କ’ଣ ହେବ ଆପଣ ତ କାହିଁ କାହାର କିଛି କଥା ମୋଟେ ଶୁଣିଲେ ନାହିଁ । ଆପଣଙ୍କ ପୁତ୍ରମାନେ ତ ଅଜ୍ଞାନୀ, ଉଦ୍ଧତ, ବର୍ବର ଓ ଦୁଷ୍ଟବୁଦ୍ଧି ସମ୍ପନ୍ନ । ସେମାନଙ୍କର ନା ଅଛି ବୁଦ୍ଧି ନା ଲଜ୍ଜା । ଆହୁରି ପୁଣି ଦୂରଦୃଷ୍ଟି ତ ଟିକିଏ ବୋଲି ନାହିଁ । ଦ୍ରୌପଦୀଙ୍କ ପ୍ରତି ଯେଉଁ ବ୍ୟବହାର କରାଗଲା ତାହା ଜଣେ ସାଧାରଣ ପ୍ରଜା ମଧ୍ୟ କେବେବି କଳ୍ପନା ସୁଧା କରିପାରିବ ନାହିଁ । ଏହାର ପରିଣାମ କିଛି ଭଲ ହେବ ନାହିଁ । ବିନାଶକାଳେ ବିପରୀତ ବୁଦ୍ଧି ।”ଧୃତରାଷ୍ଟ୍ର କହିଲେ “ତମେ ଯାହା କହୁଛ ତାହା ଯେ ଅକ୍ଷରେ ଅକ୍ଷରେ ସତ୍ୟ ତାହା ମୁଁ ଏବେ ଉପଲବ୍ଧି କରୁଛି । ମୁଁ ପୁତ୍ରମୋହ ଯୋଗୁଁ ସମସ୍ତ ଉତ୍ତମ ପରାମର୍ଶକୁ ଶୁଣି ନାହିଁ । ଏବେ ଆଉ ପୁଣି କ’ଣ ବା କରାଯାଇ ପାରେ? କିପରି ଏହି ଭୟଙ୍କର ଯୁଦ୍ଧ ଓ ସର୍ବନାଶକୁ ବନ୍ଦ କରାଯିବ, ତୁମେ ଏ ବିଷୟରେ ଟିକିଏ ଭାବିଚିନ୍ତି କୁହ ।”
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ମହାଭାରତର ଅର୍ଥ କଣ? ଭାରତ କଣ ଏକ ଯାଗାର ନାମ ନା ଜଣେ ମଣିଷର ନାମ? ଯଦି ଏହା ଏକ ଯାଗାର ନାମ ତେବେ “ମହା ଜାଗା” ର ଅର୍ଥ କଣ? ଯଦି ଏହା ଜଣେ ମଣିଷର ନାମ ତେବେ “ମହା ମଣିଷର” ଅର୍ଥ କଣ? କିଛି ବିଦ୍ୱାନ କୁହନ୍ତି ମହାଭାରତ ହେଉଛି ମହାନ୍ ଭାରତ । ଅର୍ଥାତ ଆମଦେଶର ପୁରାତନ ଇତିହାସ ନାମ ଭାରତ ଥିଲା ଏବଂ ପଣ୍ଡୁ/ପାଣ୍ଡୁ ଏବଂ କୌରବଙ୍କର ଆଦିଜନକ “ଭାରତ” ବା ଶକୁନ୍ତଳା ଏବଂ ଦୁଷ୍ୟନ୍ତଙ୍କ ପୁତ୍ରଥିଲେ । କୁରୁ କିମ୍ବା ପାଣ୍ଡୁ ବଂଶ ଏବେକାର ଇଣ୍ଡିଆକୁ ଯେ ଦିନେ ସାଶନ କରୁଥିଲେ ବା ତାଙ୍କର କୌଣସି ଅଖଣ୍ଡ ରାଜ୍ୟ ଏତେ ବିଶାଳ ଥିଲା କୌଣସି ପ୍ରମାଣ ନାହିଁ । ଏହାସବୁ ମନ ଗଢା ଏବଂ କଳ୍ପନା ମାତ୍ର । ଏମିତି କିଏ ଉଡନ୍ତା କ୍ୟାମେରା ନେଇ ପ୍ରତି ମହାଭାରତର “ଚରିତ୍ର” ସାଥିରେ ବୁଲୁଥିଲାଯେ କୋଉ ଚରିତ୍ର କେତେବେଳେ କଣ କରୁଥିଲା ସେମାନଙ୍କର ପ୍ରତି ମୁହୂର୍ତ୍ତର ଖବର ମହାଭାରତର ରଚନାକାରୀଙ୍କୁ (ବ୍ୟାସ) ମିଳିଯାଉଥିଲା ଆଉ ସେ ତାଙ୍କ ଲେଖାରେ ଲେଖି ପକାଉଥିଲେ । ମହାଭାରତରେ “ଭାରତ” କଣ ତାହା ମଧ୍ୟ ଉଲ୍ଲେଖ ନାହିଁ । ମହାଭାରତ ହେଉଛି ନିଜ ପରିବାର ଭିତରେ, ମାନେ ଭାଇ ଭାଇଙ୍କ ଭିତରେ ସମ୍ପତ୍ତି ପାଇଁ ଲଢେଇ ଯାହା ଜୁଆ ଖେଳ, ନାରୀ ନିର୍ଯ୍ୟାତନା, ସୁରା ପାନ ଇତ୍ୟାଦି ମନ୍ଦ ଅଭ୍ୟାଷରୁ ପ୍ରାରମ୍ଭ । ମହାଭାରତ ଯଦି ମହା ଯୁଧ୍ୟ ହୁଏ ତେବେ ଭାରତ ମାନେ ହେଉଛି ଯୁଧ୍ୟ । ମହାଭାରତ ସଂସ୍କୃତରେ ଲିଖିତ ଏବଂ ଅନ୍ୟ ଭାଷାମାନଙ୍କୁ ଅନୁବାଦିତ; ଅର୍ଥାତ ମହାଭାରତ ସହ ସଂସ୍କୃତ ଭାଷା ବ୍ୟବହାରୀକାରୀଙ୍କ ଛଡା ଅନ୍ୟଭାଷୀ ଲୋକମାନଙ୍କର କୌଣସ ସମ୍ପର୍କ ନାହିଁ । ତେବେ ଏହାକୁ ଆମର ନୈତିକତା ଜ୍ଞାନର ଉତ୍ସ ରୂପେ କାହିଁକି ଥୋପାଯାଉଛି ଏହା ତର୍କର ବାହାରେ । ଇତିହାସରେ ଏମିତି କୌଣସି ପ୍ରମାଣ ନାହିଁ ଏବେକାର ଇଣ୍ଡିଆ ଦିନେ ଭାରତ ନାମ ଧାରୀ ରାଜା ରାଜୁତି କରୁଥିଲେ ବା ତାଙ୍କ ରାଜ୍ୟର ନାମ ଭାରତ ଥିଲା । ଭ୍ରମ ସୃଷ୍ଟିକାରୀ ବୈଦିକ ପ୍ରଚାରକଙ୍କ ମିଥ୍ୟା ପ୍ରଚାର ଇତିହାସଠାରୁ ନିଜକୁ ଦୁରେଇ ରଖନ୍ତୁ । କଛି ଧୂର୍ତ୍ତ, “ମାନସିକ ବିକୃତିକୁ” ଆମର ସଂସ୍କୃତି ରୂପେ ଆମଉପରେ ଥୋପେଇ ଆମ ମନକୁ ତାଙ୍କ ମନ ମୁତାବକ ନିୟନ୍ତ୍ରଣ କରିବାକୁ ଚାହାନ୍ତି । ସେପରି ଧୂର୍ତ୍ତମାନଙ୍କୁ ଚିହ୍ନନ୍ତୁ ଏବଂ ସେମାନଙ୍କୁ ବିରୋଧ କରନ୍ତୁ, ତାହା ସହିତ ସେମାନଙ୍କ ବିକୃତ ମାନସିକତା ଠାରୁ ଦୁରେଇ ରୁହନ୍ତୁ ।