• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମହାଭାରତ
ଗଳ୍ପ

ମହାଭାରତ

Liza SBy Liza SFebruary 24, 2023No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia latest Story Mahabharata
Odia latest Story Mahabharata
Share
Facebook Twitter Pinterest Reddit Email

ଦ୍ରୌପଦୀଙ୍କ ସ୍ୱୟମ୍ବର ପାଇଁ ବିଭିନ୍ନ ରାଜ୍ୟରୁ ଅନେକ ରାଜା ଆସିଲେ । ସେମାନଙ୍କର ରହିବା ପାଇଁ ନୂତନ ଗୃହ ସବୁ ନିର୍ମାଣ କରାଗଲା । ଜଣେ କୁମ୍ଭାର ଘରେ ପାଣ୍ଡବମାନେ ମାତା କୁନ୍ତୀଙ୍କ ସହ ରହିଲେ । ସେଠାରେ ସେମାନେ ଭିକ୍ଷା କରି ପେଟ ପୋଷୁଥା’ନ୍ତି । ଦ୍ରୁପଦଙ୍କର ବୀର ଅର୍ଜୁନଙ୍କୁ ଜାମାତା ରୂପରେ ପାଇବାକୁ ଭାରି ଇଚ୍ଛା ଥିଲା । କିନ୍ତୁ ସେ ସେମାନଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ନିରାଶ ହୋଇ ନିଜ ମନ କଥା ମନରେ ରଖିଲେ । ସ୍ୱୟମ୍ବର ସକାଶେ ସେ ଏକ ସର୍ତ୍ତ ରଖିଥା’ନ୍ତି । ଏକ ସ୍ତମ୍ଭ ଉପରେ ଚକ୍ରଟି ଅହରହ ବୁଲୁଥାଏ । ଚକ୍ର ଉପରେ ଧାତୁରେ ମତ୍ସ୍ୟଟିଏ ଥାଏ । ସେ ସ୍ତମ୍ଭର ତଳେ ଜଳ । ଜଳକୁ ଚାହିଁ ଯିଏ ତୀର ବିନ୍ଧି ମତ୍ସ୍ୟର ଚକ୍ଷୁବିଦ୍ଧ କରିବ କେବଳ ସେହିଁ ଦ୍ରୌପଦୀଙ୍କୁ ବିବାହ କରିବ ।ଏହି ସ୍ୱୟମ୍ବରରେ ଭାଗ ନେବାକୁ କର୍ଣ୍ଣ ଓ କୌରବମାନେ ମଧ୍ୟ ଆସିଥିଲେ । ସେମାନଙ୍କ ବ୍ୟତୀତ ଅନେକ ରାଜା, ଋଷିମୁନି, ବ୍ରାହ୍ମଣମାନେ ମଧ୍ୟ ସେଠାକୁ ଆସିଥିଲେ । ସମସ୍ତେ ଏହି ଉତ୍ସବ ଦେଖିବାକୁ ବଡ ଉତ୍ସାହର ସହିତ ଆସିଥାନ୍ତି । ଦ୍ରୁପଦ ସେ ସମସ୍ତିଙ୍କର ସ୍ୱାଗତ ସତ୍କାର କରୁଥା’ନ୍ତି ।

ନଗରୀର ପୂର୍ବଦିଗରେ ସ୍ୱୟମ୍ବର ମଣ୍ଡପ ସଜା ହୋଇଥିଲା । ବହୁ ଧନ ବ୍ୟୟ କରି ସେଠାରେ ନାନାପ୍ରକାର ସାଜସଜ୍ଜା ହୋଇଥିଲା । ମନୋରଞ୍ଜନ ପାଇଁ ମଧ୍ୟ ସେଠାରେ ନୃତ୍ୟଗୀତାଦିର ବ୍ୟବସ୍ଥା ହୋଇଥିଲା ।ନିର୍ଦ୍ଧାରିତ ସମୟରେ ଦ୍ରୌପଦୀ ମଙ୍ଗଳ ସ୍ନାନ କରି ମାଲ୍ୟଅଳଙ୍କାର ଭୂଷିତା ହୋଇ ମଣ୍ଡପକୁ ବିଜେ କଲେ । ସେଠାରେ ପୁରୋହିତମାନେ ଯଜ୍ଞ କରୁଥିଲେ । ନାନା ପ୍ରକାର ମଙ୍ଗଳ ବାଦ୍ୟ ମଧ୍ୟ ସେଠାରେ ବାଜୁଥାଏ । ତା’ପରେ ଧୃଷ୍ଟଦ୍ୟୁମ୍ନ ତାଙ୍କ ଭଗ୍ନୀ ଦ୍ରୌପଦୀଙ୍କୁ ଧରି ସ୍ୱୟମ୍ବର ସଭା ମଧ୍ୟକୁ ଆସିଲେ । ସେଠାରେ ଥିବା ମାଛ ଓ ପାଣିକୁଣ୍ଡ ସହିତ ପାଂଚଟି ବାଣ ଓ ଧନୁ ରଖା ଯାଇଥିଲା । ସେ କହିଲେ, “ଯିଏ ଏହି ମତ୍ସ୍ୟଯନ୍ତ୍ରର ଆଖିକୁ ପାଂଚଶର ନେଇ ମାରି ପାରିବ କେବଳ ସେ ହିଁ ମୋ ଭଉଣୀକୁ ବିବାହ କରିବ । ଏବେ ଆପଣମାନେ ଜଣ ଜଣ କରି ଯାଇ ଚେଷ୍ଟା କରନ୍ତୁ ।”ତା’ପରେ ସେ ଦ୍ରୌପଦୀଙ୍କୁ କହିଲେ, “ମୁଁ ଏବେ ସମସ୍ତ ରାଜାଙ୍କର ପରିଚୟ ଦେଉଛି ।” ସେଠାରେ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ଶଲ୍ୟ, ବିରାଟ, ଶକୁନି, ଅଶ୍ୱତ୍ଥାମା, ଅକ୍ରୁର, ଶାମ୍ବ, ପ୍ରଦ୍ୟୁମ୍ନ, କୃଷ୍ଣ ବଳରାମ, କୃତବର୍ମା, ଅନିରୁଦ୍ଧ, ସୁଶର୍ମା, ଶିଶୁପାଳ, ଚିତ୍ରାଙ୍ଗଦ, ଭଗବତ, ପୌଣ୍ଡୁକ, ଦୁର୍ଯ୍ୟୋଧନ ଆଦି ଏକ ଶତ କୌରବ ଥିଲେ । ଶ୍ରୀକୃଷ୍ଣ ଦେଖିଲେ ବ୍ରାହ୍ମଣମାନଙ୍କ ମଧ୍ୟରେ ପଂଚୁ ପାଣ୍ଡବ ବସିଛନ୍ତି । ଏକଥା ସିଏ ଅତି ନିମ୍ନସ୍ୱରରେ ବଳରାମଙ୍କୁ କହିଦେଲେ ।

ଏହାପରେ ନିଜ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ସମସ୍ତ ରାଜକୁମାରମାନଙ୍କୁ ମତ୍ସ୍ୟଯନ୍ତ୍ର ମଣ୍ଡପକୁ ଡକା ହେଲା । ତତ୍ପଶ୍ଚାତ୍ ସେଠାକୁ ଜଣ ଜଣ କରି ଯାଉଥାନ୍ତି ଓ ଅସଫଳ ହୋଇ ଫେରୁଥାନ୍ତି । ବହୁସମୟ ପରେ କର୍ଣ୍ଣ ସେଠାକୁ ଗଲେ । ତାଙ୍କୁ ଦେଖି କୃଷ୍ଣ ଦ୍ରୌପଦୀଙ୍କୁ କିଛି ଠାରି ଦେବାରୁ ସେ କହିଲେ, “ମୁଁ ଏକ ସୂତପୁତ୍ରକୁ କଦାପି ମଧ୍ୟ ବିବାହ କରି ପାରିବି ନାହିଁ ।” ଏଥିରେ କର୍ଣ୍ଣ ଅପମାନିତବୋଧ କରି ଫେରିଯାଇ ନିଜ ସ୍ଥାନରେ ବସିଲେ । ତା’ପରେ ଜଣେ ଦୁଇଜଣ ରାଜା ଚେଷ୍ଟା କରି ମଧ୍ୟ ବିଫଳ ହେଲେ ।ସେତେବେଳେ ଧୃଷ୍ଟଦ୍ୟୁମ୍ନ ସେ ସଭାରେ ଛିଡା ହୋଇ ବ୍ୟଙ୍ଗସ୍ୱରରେ କହିଲେ, “ହେ ରାଜା ଓ ରାଜକୁମାରଗଣ, ଆଜିର ଏହି ଘଟଣାବଳୀ ଦେଖି ମୋର କାହିଁ ମନେହେଉଛି ଆମ ଦେଶ ବୀରହୀନ ହୋଇପଡିଛି । ଯୋଉଥିପାଇଁ କେହି ଜଣେ ହେଲେ ବି ମତ୍ସ୍ୟଯନ୍ତ୍ରଙ୍କୁ ଆଜି ଜିତି ପାରିଲେ ନାହିଁ । ଏବେ ମୁଁ ଘୋଷଣା କରୁଛି ଯେ କ୍ଷତ୍ରିୟଙ୍କ ବ୍ୟତୀତ ଅନ୍ୟ କେହି ଯଦି ଏହାକୁ ଜୟ କରିପାରିବ, ତେବେ ମୁଁ ମୋର ଭଗ୍ନୀକୁ ତାହାରି ହାତରେ ସମର୍ପଣ କରିବି ।”

ଏକଥା ଶୁଣିବା ମାତ୍ରେ ସେ ବ୍ରାହ୍ମଣମାନଙ୍କ ମଧ୍ୟରୁ ବ୍ରାହ୍ମଣରୂପୀ ଅର୍ଜୁନ ବାହାରିଲେ । ଏହା ଦେଖି ବ୍ରାହ୍ମଣମାନେ କହିଲେ, “ଯେଉଁଠି ବଡ ବଡ ଯୋଦ୍ଧାମାନେ ହାରିଯାଉଛନ୍ତି, ସେଠାରେ ଏ ଭିକ୍ଷୁ ବ୍ରାହ୍ମଣ କିପରି ଜିତିବ ବୋଲି ଭାବି ସେଠାକୁ ଯାଉଛି । ଏହାର ଫଳସ୍ୱରୂପ କେବଳ ବ୍ରାହ୍ମଣମାନଙ୍କର ଅପମାନହିଁ ହେବ ।” ରାଜାମାନେ ମଧ୍ୟ ବ୍ରାହ୍ମଣର ଏହି ଔଧତ୍ୟ ଦେଖି ହସି ଉଡାଇଲେ ।ଅର୍ଜୁନ ଅଳ୍ପ ହସି ମତ୍ସ୍ୟଯନ୍ତ୍ର ପାଖକୁ ଗଲେ । ସେଠାରେ ସଭାକୁ ସେ ପ୍ରଣାମ କରି ଗୁରୁଙ୍କୁ ସ୍ମରଣ କରି ପ୍ରଣାମ କଲେ ତା’ପରେ ଅନାୟାସରେ ପାଂଚଟି ବାଣ ବିନ୍ଧି ସେ ପଣ ଜିତିଲେ । ପ୍ରଥମେ ତ କେହି କିଛି ହେଲେବି କହିଲେ ନାହିଁ, ସାରା ସଭା ଯେମିତି ନିସ୍ତବ୍ଧ ହୋଇଗଲା । ଏହି ଘଟଣା ଦେଖି ସମସ୍ତେ ପ୍ରାୟ ଆଶ୍ଚର୍ଯ୍ୟ ହୋଇଗଲେ । ତା’ପରେ ଦ୍ରୁପଦ ଓ ତାଙ୍କ ପରିବାରର ଅନ୍ୟମାନେ ହର୍ଷଧ୍ୱନି କଲେ । ତେଣେ ମଙ୍ଗଳବାଦ୍ୟ ବାଜି ଉଠିଲା । ସମସ୍ତେ ହର୍ଷୋତ୍ଫୁଲ୍ଲ ଦେଖାଗଲେ । ଦ୍ରୁପଦ ଅତି ସ୍ନେହରେ ଅର୍ଜୁନଙ୍କୁ କେବଳ ଦେଖୁଥା’ନ୍ତି ।

ରାଜାମାନେ ଏହି ଘଟଣାକୁ ନିଜ ପାଇଁ ଅପମାନବୋଧ କଲେ । ସେମାନେ କହିଲେ, “ରାଜା ଦ୍ରୁପଦ ଏପରି କ’ଣ କଲେ । ଅନ୍ତତଃ କର୍ଣ୍ଣ ତ ଜିତି ପାରିଥାନ୍ତେ । ତାଙ୍କୁ ଦ୍ରୌପଦୀ ବାରଣ କଲେ । ପୁଣି ଇଏ କି ପ୍ରକାରର ନାଟକ । ଆମେ ଏତେ କ୍ଷତ୍ରିୟ ରାଜା, ରାଜକୁମାର ଥାଉ ଥାଉ ଏକ ବ୍ରାହ୍ମଣ ଯୁବକ କିପରି ତାଙ୍କୁ ବାହା ହୋଇ ନେଇଯିବ ଆଉ ଆମେ ଚୁପ୍ ହୋଇ ବସିବା? ଆମ କଥାରେ ଦ୍ରୁପଦ ରାଜି ନହେଲେ ଶେଷକୁ ଦ୍ରୌପଦୀଙ୍କୁ ନେଇ ସେହି ଯଜ୍ଞ କୁଣ୍ଡରେ ପକାଇବା । କାରଣ ଯେଉଁଠୁ ଯାଜ୍ଞସେନୀଙ୍କର ଜନ୍ମ ବରଂ ସେହିଠାକୁହିଁ ସେ ଫେରିଯା’ନ୍ତୁ । ନହେଲେ ଆମ ମଧ୍ୟରୁ ସେ କାହାକୁ ଜଣକୁ ହେଲେ ବାଛନ୍ତୁ । ଯୁବକ ତ ବ୍ରାହ୍ମଣ; ତାକୁ ଅଗ୍ନିରେ ଜଳାଇ ମାରିଲେ ପାପ ହେବ ।”ତା’ପରେ ସେମାନେ ବାଣବର୍ଷଣ କରିବାରେ ଲାଗିଲେ ବିଶେଷତଃ ଦୁର୍ଯ୍ୟୋଧନ ବଂଶ । ଏକା ଅର୍ଜୁନହିଁ ସେସବୁକୁ ନିଜ ବାଣ ଦ୍ୱାରା ପ୍ରତିହତ କରୁଥା’ନ୍ତି । ଭୀମ ମଧ୍ୟ ଅର୍ଜୁନକୁ ଏଥିରେ ସାହାଯ୍ୟ କଲେ । ଶେଷକୁ ଭୀମ ଦ୍ରୁମଟିଏ ଉପାଡି ଆଣି ସେମାନଙ୍କ ଉପରକୁ ଫିଙ୍ଗିଲେ, ବ୍ରାହ୍ମଣମାନେ ରାଜାମାନଙ୍କ ଉପରକୁ ଟେକାପଥର ଫିଙ୍ଗିଲେ । ଇତିମଧ୍ୟରେ କର୍ଣ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ଲାଗିଗଲା । କର୍ଣ୍ଣ ଯେତେ ଚେଷ୍ଟା କରି ମଧ୍ୟ ଅର୍ଜୁନଙ୍କୁ ଜିତିପାରିଲେ ନାହିଁ । ଶେଷକୁ ସେ କର୍ଣ୍ଣ କହିଲେ, “ହେ ବ୍ରାହ୍ମଣ, ତୁମର ଏଭଳି ଯୁଦ୍ଧକୌଶଳ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଉଛି । ଏହି ପୃଥିବୀ ଉପରେ ମୋର ସମାସ୍କନ୍ଧ ବୀର ହେଉଛି କେବଳ ଜଣେ । ସେ ହେଲା ଅର୍ଜୁନ । କିନ୍ତୁ ତୁମେ କିଏ?” ଏହା ଶୁଣି ଅର୍ଜୁନ ନୀରବ ରହିଲେ । କର୍ଣ୍ଣ ଆଉ ଅଯଥାରେ ବାଣ ନଷ୍ଟ କରିବାକୁ ଚାହିଁଲେ ନାହିଁ । ଏତିକିରେ ସେ ତାଙ୍କ ଯୁଦ୍ଧ ବନ୍ଦ କରିଦେଲେ । ତେଣେ ଭୀମ ଓ ଶଲ୍ୟ ଭୟଙ୍କର ଦ୍ୱନ୍ଦ୍ୱ ଯୁଦ୍ଧରେ ଲାଗି ରହିଥିଲେ । ଶେଷକୁ ଭୀମ ଶଲ୍ୟଙ୍କୁ ଧରି ଟେକି କଚାଡି ଦେଲେ । ତାଙ୍କର ଏପରି ଅବସ୍ଥା ଦେଖି ବ୍ରାହ୍ମଣମାନେ ଖାଲି ହାସ୍ୟରୋଳ କଲେ । ତା’ପରେ ସେ ବ୍ରାହ୍ମଣମାନଙ୍କ ସହିତ ଲଢିବାକୁ ଆଉ କେହିବି ସାହସ କଲେ ନାହିଁ । କାରଣ ସେମାନେ ଜାଣିଗଲେ ଯେ ଏମାନେ କୋଉ ସାମାନ୍ୟ ବ୍ରାହ୍ମଣ ନୁହଁନ୍ତି ।

ତା’ପରେ ଶ୍ରୀକୃଷ୍ଣ ସେ ରାଜାମାନଙ୍କୁ କହିଲେ “ଏହି ବ୍ରାହ୍ମଣମାନେ ତ ନ୍ୟାୟପୂର୍ବକ ଦ୍ରୌପଦୀଙ୍କୁ ଜିତିଛନ୍ତି । ତାଛଡା ରାଜାମାନଙ୍କ ସହିତ ଯୁଦ୍ଧ କରି ସେ ସେମାନଙ୍କୁ ହରାଇଛନ୍ତି । ତେଣୁ ସେମାନଙ୍କଠାରୁ ଦୂରେଇ ରହିବା ଉତ୍ତମ । ଏଠାରେ ଅଧିକ ଗୋଳମାଳ କରି ଆଉ କିଛିବି ଲାଭ ନାହିଁ ।”ଏହାପରେ ଯୁଦ୍ଧ କରିବାରୁ ସମସ୍ତେ କ୍ଷାନ୍ତ ହେଲେ । ଏଣେ କୁନ୍ତୀ କୁମ୍ଭାର ଘରେ ରନ୍ଧାବଢା କରି ତାଙ୍କ ପୁତ୍ରମାନଙ୍କ ବାଟ ଚାହିଁ ବସିଥାନ୍ତି । ସେ ବଡ ଉତ୍କଣ୍ଠିତ ହୋଇ ଭାବିଲେ, ହୁଏତ କୌରବମାନେ ଏମାନଙ୍କୁ ଚିହ୍ନିପକାଇ ଆଉ କିଛି ଉପଦ୍ରବ ବା ଅତ୍ୟାଚାର କରି ନାହାଁନ୍ତି ତ । କିଛି ସମୟ ପରେ ଭୀମ ଓ ଅର୍ଜୁନ ସେଠାକୁ ଆସିଲେ, ସଙ୍ଗରେ ଦ୍ରୌପଦୀ ଘରର ବାହାରେ ଠିଆ ହୋଇ ସେମାନେ କହିଲେ, “ମା’ ଆମେ ଭିକ୍ଷା ନେଇ ଆସିଛୁ ।” କୁନ୍ତୀ ବାହାରକୁ ଉଠି ଆସୁ ଆସୁ କହିଲେ, “ପାଂଚଭାଇ ବାଂଟି ନିଅ ।” ତା’ପରେ ବାହାରେ ଅପୂର୍ବ ରୂପସମ୍ପନ୍ନା ଦ୍ରୌପଦୀଙ୍କୁ ଦେଖି ସେ ସ୍ତମ୍ଭିତ ହୋଇଗଲେ । କିଛି ସମୟ ପରେ ଯୁଧିଷ୍ଠିର, ନକୁଳ ଓ ସହଦେବ ବି ଆସିଲେ । କୁନ୍ତୀ ସମସ୍ତ ବିଷୟ ଯୁଧିଷ୍ଠିରଙ୍କୁ କହିଲେ । ତା’ପରେ ସେ କହିଲେ, “ପୁତ୍ର, ମୁଁ ତ କେବେବି ଅସତ୍ୟ କୁହେ ନାହିଁ । ଏ କ୍ଷେତ୍ରରେ ମୋ କଥା ତୁମେମାନେ ଯଦି ସ୍ୱୀକାର କରିବ ତ ତେବେ ଏହା ବଡ ଅଧର୍ମ ହେବ । ନ କରିଲେ ମୋ କଥା ଅସତ୍ୟ ପ୍ରମାଣିତ ହେବ । ଏବେ ଧର୍ମ ଅଧର୍ମ ବୁଝି ତୁମେମାନେ କାର୍ଯ୍ୟ କର ।” ଯୁଧିଷ୍ଠିର କହିଲେ, “ଅର୍ଜୁନହିଁ ଦ୍ରୌପଦୀଙ୍କୁ ପଣ ଜିଣି ନେଇ ଆଣିଛନ୍ତି, ଏଣୁ କେବଳ ସେହିଁ ତାଙ୍କୁ ବିବାହ କରିବେ ।”

ଅର୍ଜୁନ କହିଲେ “ମୋ ଉପରେ ଦୁଇଜଣ ଜ୍ୟେଷ୍ଠଭ୍ରାତା ଥାଉ ଥାଉ ମୁଁ କିପରି ବିବାହ କରିବି? ଏହା ତ ବଡ ଅସୁନ୍ଦର କଥା ହେବ ।”ଏହିପରି କଥା ହେଉ ହେଉ ଶ୍ରୀକୃଷ୍ଣ ସେଠାରେ ଆସି ପହଁଚିଲେ । ତାଙ୍କୁ ଦେଖି ସମସ୍ତେ ହର୍ଷିତ ଓ ଆନନ୍ଦିତ ହେଲେ । ଯୁଧିଷ୍ଠିର କହିଲେ, “ଆମେ ତ ବ୍ରାହ୍ମଣ ବେଶରେ ଥିଲୁ, ହେଲେ ଆମକୁ ଆପଣ କିପରି ଚିହ୍ନିପାରିଲେ?”ଶ୍ରୀକୃଷ୍ଣ କହିଲେ “ଅଗ୍ନି କ’ଣ କେବେବି କେଉଁଠି ଲୁଚି ରହିପାରେ? ତୁମମାନଙ୍କୁ ତ ଦେଖିବାକ୍ଷଣିହିଁ ମୁଁ ଚିହ୍ନି ପକାଇଛି । ଆଚ୍ଛା, ଏବେ କୁହ ଏତେ ଆନନ୍ଦ ମଧ୍ୟରେ ସମସ୍ତିଙ୍କ ମନରେ ବିଷାଦର ଛାୟା କାହିଁକି ଲାଗି ରହିଛି?”ତା’ପରେ କୁନ୍ତୀ ସମସ୍ତକଥା ତାଙ୍କୁ କହିଲେ । ସବୁକଥା ଶୁଣି ଶ୍ରୀକୃଷ୍ଣ କହିଲେ, “ତାହେଲେ ତ ମୁଁ ଠିକ୍ ସମୟରେ ଏଠାରେ ଆସି ପହଁଚିଛି । ତେବେ ଶୁଣ । ଦ୍ରୌପଦୀ ତାଙ୍କର ପୂର୍ବଜନ୍ମରେ ସବୁଠାରୁ ସୁନ୍ଦର, ବୀର ଧାର୍ମିକ, ବଳଶାଳୀ, ଶାନ୍ତ ବ୍ୟକ୍ତିକୁ ସ୍ୱାମୀ ରୂପରେ ପାଇବାକୁ ଶିବଙ୍କୁ ତପସ୍ୟା କରି ପ୍ରାର୍ଥନା କରିଥିଲେ; ପୁଣି ଏହି ପାଂଚଜଣ ପାଣ୍ଡବଙ୍କ ମଧ୍ୟରେ ସେହି ସବୁଗୁଣ ରହିଛି । ଶିବଙ୍କ ବର କିପରି ବା ଅନ୍ୟଥା ହେବ? ସେଥିପାଇଁ ଆଜିଠାରୁ ସେ ଏହି ପାଂଚଜଣଙ୍କର ପତ୍ନୀ ହୋଇ ରହିବେ । ସେ ଯାଜ୍ଞସେନୀ । ତାଙ୍କ ମଧ୍ୟରେ ତଦ୍ୱାରା କୌଣସି ଅପବିତ୍ରତା ଆସିବ ନାହିଁ । ଜଣେ ପତି ସହିତ ସେ ପତ୍ନୀ ଭାବରେ ରହିବା ପରେ ଅଗ୍ନସ୍ନାନ କରି ନିଜକୁ ପବିତ୍ର କରି ପୁଣି ଅନ୍ୟ ଏକ ପତି ବରଣ କରିବେ । ଏହିପରି ଭାବେ ତାଙ୍କୁ ରହିବାକୁ ହେବ ।”

ଶ୍ରୀକୃଷ୍ଣଙ୍କର ଏହିକଥା ସମସ୍ତିଙ୍କ ମନକୁ ବେଶ୍ ପାଇଲା, ତା’ପରେ ଶ୍ରୀକୃଷ୍ଣ ସେଠାରୁ ବିଦାୟ ନେଇ ବଳରାମଙ୍କ ସହ ପ୍ରତ୍ୟାବର୍ତ୍ତନ କରିବା ବାଟରେ ବଳରାମ ପ୍ରଶ୍ନ କଲେ ଯେ ଅର୍ଜୁନ ବ୍ୟତୀତ ତ ଏହି ପଣ ଆଉ କେହିବି ଜିତି ପାରିବ ନାହିଁ । ଆଶ୍ଚର୍ଯ୍ୟର କଥା ଏହି ଯେ ଜଣେ ବ୍ରାହ୍ମଣ ଏପରି କାର୍ଯ୍ୟ କରିପାରିଲା ।ଇତି ମଧ୍ୟରେ ଧୃଷ୍ଟଦ୍ୟୁମ୍ନ ମହାସମସ୍ୟାରେ ପଡିଲେ । ସେ ଭାବିଲେ, “ଏହି ତେଜସ୍ୱୀ ବ୍ରାହ୍ମଣ ଜଣକ କିଏ, ଏମାନଙ୍କ ପରିଚୟ କ’ଣ, ଦ୍ରୌପଦୀଙ୍କୁ ନେଇ ଏମାନେ କୁଆଡେ ବା ଗଲେ?” ଏସବୁ ଭାବି ଭାବି ସେ ତାଙ୍କ ଯିବାପଥ ଅନୁସରଣ କରି ତାଙ୍କ ଘର ପାଖରେ ଯାଇ ପହଁଚିଲେ ଓ ଲୁଚିରହି ସେମାନଙ୍କ କଥାବାର୍ତ୍ତା ସବୁ ଶୁଣିଲେ । ସେ ସେମାନଙ୍କ ବିଷୟରେ ଯେତେ ଯେତେ ଶୁଣୁଥା’ନ୍ତି ସେତେ ସେତେ ଉତ୍ଫୁଲ୍ଲିତ ହେଉଥା’ନ୍ତି । କିନ୍ତୁ ଜଣେ ଝିଅକୁ ପାଂଚଜଣ ବିବାହ କରିବାଟା ତାଙ୍କ ମନକୁ ଟିକିଏ ଅସୁବିଧା ଲାଗିଲା ।ଯାହା ଭିକ୍ଷା କରି ଭାଇମାନେ ଆଣିଥିଲେ କୁନ୍ତୀ ସେସବୁ ରାନ୍ଧିବା ପରେ ଦ୍ରୌପଦୀଙ୍କୁ କହିଲେ ସେଥିରୁ ଏକ ତୃତୀୟାଂଶ ଅତିଥି ଅଭ୍ୟାଗତଙ୍କ ପାଇଁ ରଖିବେ; ତା’ପରେ ଅଧେ ଭୀମଙ୍କୁ ଦେବେ ଓ ଅନ୍ୟ ଅଧକ ସମସ୍ତେ ବାଂଟି ଖାଇବେ । ଦ୍ରୌପଦୀ ସେହିପରି ଖାଦ୍ୟ ପରଷିଲେ । ରାତିରେ ହରିଣ ଛାଲ ବିଛାଇ ସେ ପାଂଚଭାଇ ଯାକ ଶୋଇଲେ । ଦ୍ରୌପଦୀ ତାଙ୍କ ପାଦ ପାଖକୁ ଶୋଇଲେ, କୁନ୍ତୀ ମୁଣ୍ଡପାଖକୁ ଶୋଇଲେ ।ଶୋଇବା ପୂର୍ବରୁ ପାଣ୍ଡବମାନେ ଯୁଦ୍ଧ ବିଷୟରେ ଓ ସେଦିନ ଘଟିଥିବା ଘଟଣା ସବୁ ବିଷୟରେ କଥାବାର୍ତ୍ତା ହେଲେ । ଧୃଷ୍ଟଦ୍ୟୁମ୍ନ ସେମାନଙ୍କ ସବୁକଥା ଶୁଣିବା ପରେ ଯାଇ ତାଙ୍କ ପିତା ଦ୍ରୁପଦଙ୍କୁ ସବୁକିଛି କହିଲେ । ତା’ପରେ ସେ କହିଲେ, “ସେମାନଙ୍କ କଥାବାର୍ତ୍ତାରୁ ମନେହୁଏ ସେମାନେ ପଂଚୁପାଣ୍ଡବ, ମାତା କୁନ୍ତୀଙ୍କ ସହ ଛଦ୍ମବେଶରେ ସେମାନେ ଅବସ୍ଥାନ କରୁଛନ୍ତି । ଏକଥା ଶୁଣି ଦ୍ରୁପଦଙ୍କର ଅପାର ଆନନ୍ଦ ହେଲା । ତାଙ୍କର ବହୁଦିନର ଇଚ୍ଛା ପୂର୍ଣ୍ଣ ହୋଇଛି ଜାଣି ସେ ମଧ୍ୟ ଖୁସୀରେ ଅଧୀର ହେଲେ ।

Latest New Story New Odia short story Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleମତ ପରିବର୍ତ୍ତନ
Next Article ତ୍ୟାଗର ଫଳ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.