• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମହାଭାରତ
ଗଳ୍ପ

ମହାଭାରତ

Liza SBy Liza SJanuary 26, 2023No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story Mahabharata
Odia-Story Mahabharata
Share
Facebook Twitter Pinterest Reddit Email

ରାତି ଅଧବେଳକୁ ଜରାସନ୍ଧ ଅତିଥିମାନଙ୍କ କଥା ମନେ ପକାଇଲେ । ସେ ଯଜ୍ଞଶାଳାକୁ ଆସି ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କୁ କହିଲେ, ”ମହୋଦୟ, ଆପଣ ନିଜକୁ ଯେଉଁ କୁଳର ବ୍ରାହ୍ମଣ ବୋଲି ପରିଚୟ ଦେଉଛନ୍ତି, ସେମାନେ ତ କାହିଁ ଫୁଲହାର ପକାନ୍ତି ନାହିଁ ବା ଚନ୍ଦନ ଚିତା ଘେନନ୍ତି ନାହିଁ । ଆପଣମାନଙ୍କ ବାହୁରେ ଅସ୍ତ୍ରାଘାତର ଚିହ୍ନ ଅଛି । ପୁଣି ଆପଣମାନେ ମୁଖ୍ୟ ଦ୍ୱାରରେ ନଆସି କୌଣସି ଗୁପ୍ତ ପଥରେ ଏଠାକୁ ଆସିଛନ୍ତି । ଏବେ କୁହନ୍ତୁ ଆପଣଙ୍କର ଉଦ୍ଧେଶ୍ୟ କ’ଣ?”ଶ୍ରୀକୃଷ୍ଣ କହିଲେ, ”ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ଗୁରୁକୁଳକୁ ଯାଇ ବିଦ୍ୟାଶିକ୍ଷା କରିପାରନ୍ତି । ଏଥର ଶୁଣନ୍ତୁ, ଆମେମାନେ ହେଉଛୁ କ୍ଷତ୍ରିୟ । ଆପଣଙ୍କ ବଚନ ଆପଣ ଠିକ୍ ରକ୍ଷା କରିଛନ୍ତି । ଅତି ଆନନ୍ଦର କଥା । ଆମେ ତିନିଜଣ ନିଜର ଶୌର୍ଯ୍ୟ ଓ ପରାକ୍ରମ ଦେଖାଇବାକୁ ଏଠାକୁ ଆସିଛୁ ।”ଜରାସନ୍ଧ କୃଷ୍ଣୁଙ୍କୁ କହିଲେ, ”ଯେତେ କଥା ଶୁଣିଲେ ମଧ୍ୟ, ଭାବିଲେ ମଧ୍ୟ, ଆପଣମାନଙ୍କ ପ୍ରତି ମୋର ବୈରଭାବ ଆଦୌ ଆସୁନାହିଁ । କିନ୍ତୁ ଆପଣମାନେ କୁହନ୍ତୁ ମୁଁ କିପରି ଆପଣମାନଙ୍କର ଶତୃ ହେଲି?”

ଶ୍ରୀକୃଷ୍ଣ କହିଲେ, ”ଜଣେ ମହାନ୍ ବ୍ୟକ୍ତି; ତାଙ୍କର କୁଳଧର୍ମ ରକ୍ଷା କରିବା ପାଇଁ ଯଜ୍ଞ କରୁଛନ୍ତି; ସେଥିପାଇଁ ସେହିଁ ଆମ ତିନିଜଣଙ୍କୁ ଏଠାକୁ ପଠାଇଛନ୍ତି । ଏତେଗୁଡିଏ ନିରପରାଧୀ ରାଜାଙ୍କୁ ବନ୍ଦୀ ବନାଇ ରଖିଛ ଓ କାଳୀ ମନ୍ଦିରରେ ଜଣ ଜଣ କରି ବଳୀ ଦେଉଛ; ଏହାଠାରୁ ବଳି ନିଷ୍ଠୁର କାର୍ଯ୍ୟ ଆଉ କ’ଣ ବା ଅଛି? ସେହି ରାଜାମାନଙ୍କୁ ତୁମ ହାତରୁ ଉଦ୍ଧାର କରିବାକୁ ଆମେ ଏଠାକୁ ଆସିଛୁ । ବିନା ସର୍ତ୍ତରେ ସେମାନଙ୍କୁ ଛାଡି ଦିଅ ନହେଲେ ତୁମେ ଆମ ସହିତ ଯୁଦ୍ଧ କର । ଏହି ଦୁଇଜଣ ହେଉଛନ୍ତି ଭୀମ ଓ ଅର୍ଜୁନ । ଆଉ ମୁଁ ହେଉଛି ତୁମର ଚିରଶତୃ କୃଷ୍ଣ ।”ସେମାନଙ୍କ କଥା ଶୁଣି ଜରାସନ୍ଧ ରାଗିଗଲେ । ସେ କହିଲେ, ”ମୋ ନିଜ ବଳପରାକ୍ରମ ଯୋଗୁଁ ଜିତିଥିବା ରାଜାମାନଙ୍କୁ ତୁମ କଥାରେ ଏତେ ସହଜରେ ଛାଡିଦେବି? ମୋ ସହିତ ଯୁଦ୍ଧ କରିବାକୁ ଇଚ୍ଛା ତ ସୈନ୍ୟସାମନ୍ତ ନେଇ ଆସ, ଭଲ କରି ଯୁଦ୍ଧ ହେବ । ନଚେତ୍ ତୁମ ତିନିଜଣଙ୍କ ସହିତ ଲଢିବା ପାଇଁ ମୋର ଯଥେଷ୍ଟ ସାହସ ଅଛି ।” ଏତିକି କହି ସେ ତାଙ୍କ ରାଜ୍ୟର ଅନ୍ୟାନ୍ୟ ବ୍ୟବସ୍ଥା କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ।ଶ୍ରୀକୃଷ୍ଣ କହିଲେ, ”ଏବେ ତୁମେ ଆମମାନଙ୍କ ମଧ୍ୟରୁ ଜଣକୁ କାହାକୁ ବାଛିବ ଓ ତାହା ସହିତ ଯୁଦ୍ଧ କରିବ ।”ନିଜ ବଳ ଯୋଗୁଁ ଜରାସନ୍ଧଙ୍କର ତ ବହୁତ ଗର୍ବ ଥିଲା । ତେଣୁ ସେ କହିଲେ, ”ତୁମେ ତ ମୋ ଭୟରେ ଦ୍ୱାରକାରେ ଯାଇ ରହିଛ, ତେଣୁ ତୁମ ସହିତ ମୁଁ ଆଉ କ’ଣ ବା ଯୁଦ୍ଧ କରିବି? ଆଉ ଏହି ଦୁଇଜଣଙ୍କ ମଧ୍ୟରୁ ପତଳା ଅର୍ଜୁନକୁ ହରାଇବାକୁ ମୋତେ ମୁହୂର୍ତ୍ତେ ମାତ୍ର ଲାଗିବ । ତେଣୁ ଏକମାତ୍ର ଭୀମ ସହିତହିଁ ମୁଁ ଲଢିବି ।”

ଏହାପରେ ସେ ଦୁଇଜଣଙ୍କର ଲଢିବା ପାଇଁ ସ୍ଥାନ ପ୍ରସ୍ତୁତ କରାଗଲା । ରାଜ୍ୟର ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ । ପାଂଚ ଛଅଦିନ ଧରି ମଲ୍ଲଯୁଦ୍ଧ ଚାଲିଲା । ଶେଷକୁ କୃଷ୍ଣ ଭୀମଙ୍କୁ ସଙ୍କେତ ଦେଲେ ଯେ ଜରାସନ୍ଧଙ୍କର ଦେହ ଯୋଡା ହୋଇଥିଲା, ସେହିଭଳି ଭାବରେ ଚିରି ଦେଇ ମାରିବାକୁ; ସେ ଗୋଟିଏ କୁଟା ନେଇ ଚିରି ଦେଲେ । ଭୀମ ସଙ୍କେତଟି ବୁଝିପାରି ଜରାସନ୍ଧଙ୍କୁ ସେହିଭଳି ଭାବରେ ବଧ କଲେ । ତା’ପରେ ଶ୍ରୀକୃଷ୍ଣ, ଭୀମ ଓ ଅର୍ଜୁନ କାରାଗାରକୁ ଯାଇ ବନ୍ଦୀ ରାଜାମାନଙ୍କୁ ମୁକ୍ତ କଲେ । ରାଜାମାନଙ୍କୁ ଯୁଧିଷ୍ଠିରଙ୍କର ରାଜସ୍ୱୟ ଯଜ୍ଞ କଥା କହିଲେ । ସେମାନେ ସମସ୍ତେ ଭୀମଙ୍କ ପାଇଁ ପ୍ରାଣ ପାଇଛନ୍ତି, ତେଣୁ ସେମାନେ ସମସ୍ତେ ଅତି ଆନନ୍ଦରେ ଶ୍ରୀକୃଷ୍ଣଙ୍କର, ଯୁଧିଷ୍ଠିର ଓ ଭୀମଙ୍କର ଜୟଧ୍ୱନି କଲେ ।ଇତିମଧ୍ୟରେ ଜରାସନ୍ଧପୁତ୍ର ସହଦେବ ଆସି ଶ୍ରୀକୃଷ୍ଣଙ୍କ ପାଦରେ ପ୍ରଣାମ କରି କହିଲେ, ”ପ୍ରଭୂ, ଆମକୁ କେବଳ କିଛି ସମୟ ଦିଅନ୍ତୁ, ମୁଁ ମୋର ମାତା ଓ କୁଟୁମ୍ବଙ୍କୁ ଧରି ଅନ୍ୟତ୍ର ଚାଲିଯିବି, ମୋ ପିତାଙ୍କ ଅପରାଧ ଯୋଗୁଁ ମୋତେ କ୍ଷମା କରନ୍ତୁ ।”

ଶ୍ରୀକୃଷ୍ଣ କହିଲେ, ”ସହଦେବ, ତୁମେ ଏକଥା କାହିଁକି କହିଲ? ମୋର ମାମୁଁ କଂସର ତୁମେ ହେଉଛ ଶ୍ୟାଳକ । ତା’ଛଡା ତୁମେ ବି ତ ଆମର ସମ୍ପର୍କୀୟ । ପୁଣି ତୁମେ କିପରି ଭାବୁଛ କି ଆମେ ତୁମକୁ ଏ ରାଜ୍ୟରୁ ବାହାର କରିଦେବୁ? କଂସ ଓ ଜରାସନ୍ଧ ରାକ୍ଷସ ପ୍ରକୃତିର ଥିଲେ । ଅନେକ ଲୋକ ସେମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲେ । ତେଣୁ ବଧ କରି ସେମାନଙ୍କୁ ମୁକ୍ତି ଦିଆଗଲା । ତୁମେ ଏହି ରାଜ୍ୟର ରାଜା ହୋଇ ଆନନ୍ଦରେ ନିଜ ପରିବାର ଧରି ରହିଥାଅ । ଅଧର୍ମ ମାର୍ଗ ନନେଇ ପ୍ରଜାଙ୍କୁ ନିଜ ସନ୍ତାନ ଭଳି ପାଳନ କର । ରାଜଧର୍ମ ପାଳନ କରି ପୁଣ୍ୟ ଅର୍ଜନ କର । ସୁଖରେ ଥାଅ ।”ଶ୍ରୀକୃଷ୍ଣଙ୍କ କଥା ଶୁଣି ସହଦେବ ଭକ୍ତି ଓ କୃତଜ୍ଞତାରେ ଗଦ୍ ଗଦ୍ ହୋଇଗଲେ ।ସମସ୍ତ ରାଜା ଓ ରାଜାମାନଙ୍କ ସମ୍ମୁଖରେ ଶ୍ରୀକୃଷ୍ଣ ନିଜେ ସହଦେବଙ୍କ ମଥାରେ ମୁକୁଟ ପିନ୍ଧାଇ ଦେଇ ତାଙ୍କୁ ରାଜପଦରେ ଅଭିଷିକ୍ତ କଲେ । ସେହି ଦିନଠାରୁ ସେ ମଗଧର ରାଜା ହେଲେ ।

ଜରାସନ୍ଧଙ୍କର ମୃତ୍ୟୁ ପରେ ଶ୍ରୀକୃଷ୍ଣ, ଭୀମ ଓ ଅର୍ଜୁନଙ୍କୁ ନିଜ ସାଙ୍ଗରେ ଆଣି ଇନ୍ଦ୍ରପ୍ରସ୍ଥ ଆସିଲେ । କାରାଗାରରୁ ମୁକ୍ତ ରାଜାମାନେ ମଧ୍ୟ ଇନ୍ଦ୍ରପ୍ରସ୍ଥ ଆସିଲେ । ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ, ”ଯୁଧିଷ୍ଠିର, ତୁମର ଦୁଇଭାଇ ସକୁଶଳ ଲେଉଟି ଆସିଛନ୍ତି । ଜରାସନ୍ଧ, ଭୀମଙ୍କ ସହିତ ମଲ୍ଲଯୁଦ୍ଧ କରି ନିହତ ହୋଇଛନ୍ତି । କାରାଗାରରୁ ମୁକ୍ତ ହୋଇ ରାଜାମାନେ ଆପଣଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏଠାକୁ ଆସିଛନ୍ତି ।ଧର୍ମରାଜ ଏହି ଘଟଣାରେ ଅତ୍ୟନ୍ତ ଆନନ୍ଦିତ ହେଲେ । ସେ ରାଜାମାନଙ୍କର ସତ୍କାର କରିବା ପରେ ନିଜ ନିଜ ଦେଶକୁ ସେମାନଙ୍କୁ ପଠାଇ ଦେଲେ । ତା’ପରେ କୃଷ୍ଣ ମଧ୍ୟ ଦ୍ୱାରକା ଫେରିଗଲେ ।କିଛି ଦିନ ପରେ ଅର୍ଜୁନ ଯୁଧିଷ୍ଠିରଙ୍କୁ କହିଲେ, ”ମହାରାଜ, ମୋ ପାଖରେ ସମସ୍ତ ପ୍ରକାରର ଅସ୍ତ୍ରଶସ୍ତ୍ର ରହିଛି । ମୁଁ ଏବେ ଦିଗ୍ବିଜୟରେ ଯିବି । ବିଭିନ୍ନ ଛୋଟ ରାଜ୍ୟମାନଙ୍କରୁ ଧନ ସଂଗ୍ରହ କରିବି ଓ ଆପଣଙ୍କ ଯଜ୍ଞ ବିଷୟରେ ଘୋଷଣା କରିବି ।”

ଯୁଧିଷ୍ଠିର ଏକଥା ଶୁଣି ଆନନ୍ଦରେ ସମ୍ମତି ଦେଲେ ଓ ତାଙ୍କୁ ଉତ୍ତରପଟକୁ ପଠାଇଲେ । ଭୀମ ପୂର୍ବ ଦିଗକୁ ଗଲେ, ସହଦେବ ଦକ୍ଷିଣକୁ ଓ ନକୁଳ ପଶ୍ଚିମକୁ ଗଲେ । ଆଉ ଏଣେ ଯୁଧିଷ୍ଠିର ରାଜ୍ୟ ଶାସନ କରି ଇନ୍ଦ୍ରପ୍ରସ୍ଥରେହିଁ ରହିଲେ ।ଅର୍ଜୁନ ଉତ୍ତର ଦିଗକୁ ଯାଇ ଅନେକ ରାଜ୍ୟ ଅନାୟାସରେ ଜୟ କଲେ । ପୁଲିନ୍ଦ, ଅନର୍ତ, କାଳକୁଟ, ବୁଲିଳ, ସୁମଣ୍ଡଳ, ଇତ୍ୟାଦି ରାଜ୍ୟମାନ ତାଙ୍କର ହସ୍ତଗତ ହେଲା । ଶାକଲ ଦ୍ୱୀପର ରାଜା ମହାପରାକ୍ରମୀ ପ୍ରତିବିନ୍ଧ୍ୟଙ୍କୁ ମଧ୍ୟ ଅର୍ଜୁନ ହରାଇଲେ । ପ୍ରାଗଜ୍ୟୋତିଷପୁରର ରାଜା ଭଗଦତଙ୍କୁ ମଧ୍ୟ ଆଠଦିନ ଯୁଦ୍ଧ କରିବା ପରେ ଅର୍ଜୁନ ହରାଇଲେ ।

ଅର୍ଜୁନ ଭଗଦତଙ୍କୁ କହିଲେ, ”ଆମର ଅଗ୍ରଜ ଧର୍ମରାଜ ଯୁଧିଷ୍ଠିର ରାଜସ୍ୱୟ ଯଜ୍ଞ କରୁଛନ୍ତି । ତେଣୁ ବିପୁଳ ଧନର ପ୍ରୟୋଜନ ହେଉଛି । ଆମେ ଅନ୍ୟ ଭାଇମାନେ ସେଥିପାଇଁ ଚାରିଦିଗକୁ ଦିଗ୍ବିଜୟ କରିବାକୁ ବାହାରିଚୁ । ଆପଣଙ୍କ ରାଜ୍ୟର ଆମେ ଆଦୌ କିଛିବି କ୍ଷତି କରିବୁ ନାହିଁ ।”ଏକଥା ଶୁଣି ଭଗଦତ ତାଙ୍କୁ ବିପୁଳ ଧନ ଦେଲେ । ତା’ପରେ ସେ ଅନ୍ୟଆଡେ ଯାଇ ଧନ ସଂଗ୍ରହ କଲେ । ଗନ୍ଧର୍ବମାନଙ୍କ ଦେଶରେ ସେମାନଙ୍କୁ ହରାଇ ଉତ୍ତର କୁରୁ ଦେଶକୁ ସେ ଗଲେ । ସେଠାରେ ହରିବର୍ଷ ବୋଲି ରାଜ୍ୟଟିଏ ଥିଲା । ସେ ରାଜଧାନୀରେ ପ୍ରବେଶ କରିବା ପୂର୍ବରୁ ଦ୍ୱାରପାଳ କହିଲା, ”ଏହି ଦେଶକୁ କେହି ମଧ୍ୟ ଜିତି ପାରିବେ ନାହିଁ । ବରଂ ଆପଣ ଏହିଠାରୁ ଫେରିଯା’ନ୍ତୁ ।”

ସେ ଦ୍ୱାରପାଳର ଚେହେରା ଦେଖିବାକୁ ମଣିଷଙ୍କ ପରି ଥିଲା କିନ୍ତୁ ସେ ବହୁତ ଉଚ୍ଚ ଓ ବୀରପୁରୁଷ ପରି, ସେ କହିଲା, ”ଏହି ରାଜ୍ୟରେ ପ୍ରବେଶ କରିବେ ସିନା, କିନ୍ତୁ ତା’ପରେ ଚକ୍ଷୁ ଅନ୍ଧପ୍ରାୟ ହୋଇଯିବ, କିଛି ଦେଖିପାରିବେ ନାହିଁ । ମାନବଶରୀର ନେଇ ଏହା ଭିତରେ ପ୍ରବେଣ କରିବା ଅସମ୍ଭବ । ତେଣୁ ଆପଣଙ୍କର ଯାହା ଆବଶ୍ୟକ କୁହନ୍ତୁ, ବରଂ ଆମେ ଆପଣଙ୍କର ସେହି ଇଚ୍ଛା ପୂରଣ କରିବୁ ।”ଅର୍ଜୁନ ଦ୍ୱାରପାଳଙ୍କ କଥା ଶୁଣି କହିଲେ, ”ମୋର ଜ୍ୟେଷ୍ଠଭ୍ରାତା ଧର୍ମରାଜ ଯୁଧିଷ୍ଠିର ଏକ ରାଜସ୍ୱୟ ଯଜ୍ଞ କରାଉଛନ୍ତି । ସେଥିପାଇଁ ତାଙ୍କର ଧନର ଆବଶ୍ୟକ । ମୁଁ ସେହି କାରଣରୁ ଧନ ସଂଗ୍ରହ କରୁଛି ।”ଏକଥା ଶୁଣି ଦ୍ୱାରପାଳ ଭିତରକୁ ଯାଇ ଅନେକ ଧନ, ରତ୍ନ, ଅନେକ ସମ୍ପତ୍ତି ଆଣି ଅର୍ଜୁନଙ୍କୁ ଦେଲେ । ଅର୍ଜୁନଙ୍କର ଉତ୍ତର ଦିଗ୍ବିଜୟ ସଫଳ ହେଲା । ସମସ୍ତ ଧନ ସମ୍ପଦ ସେ ଆଣି ଆପଣା ରାଜ୍ୟକୁ ଲେଉଟି ଆସିଲେ ।

ସୈନ୍ୟସାମନ୍ତ ସମଭିବ୍ୟହାରରେ ଭୀମସେନ ପୂର୍ବଦିଗକୁ ଦିଗ୍ବିଜୟ କରି ଗଲେ । ସେ ପାଂଚାଳ ରାଜାଙ୍କ ସାହାଯ୍ୟ ପାଇ ଅନେକ ରାଜାଙ୍କୁ ହରାଇ ଧନ ସଂଗ୍ରହ କଲେ । ପୁଲିଳ, ସୁକୁମାର, ସୁମିତ୍ର ଆଦି ରାଜାମାନଙ୍କୁ ହରାଇ ଅନେକ ଧନରତ୍ନ ସଂଗ୍ରହ କରି ଭୀମ ଯାଇ ଚେଦି ରାଜ୍ୟରେ ପହଁଚିଲେ । ସେଠାରେ ତାଙ୍କର ମାଉସୀପୁଅ ଭାଇ ଶିଶୁପାଳ ରାଜୁତି କରୁଥିଲେ ।ଶିଶୁପାଳ ଯେତେବେଳେ ଶୁଣିଲେ କି ଭ୍ରାତା ଯୁଧିଷ୍ଠିର ଏକ ବଡ ଯଜ୍ଞ କରାଇବାକୁ ଚାହାଁନ୍ତି ସେ ବଡ ଖୁସି ହେଲେ । ଭୀମକୁ ସେଠାରେ କିଛି ଦିନ ରଖାଇ ଆଦର ସତ୍କାର କରି ଯିବାବେଳେ ଅନେକ ଧନରତ୍ନ ଇତ୍ୟାଦି ସେ ତାଙ୍କୁ ଉପହାର ସ୍ୱରୂପ ଦେଲେ । ଭୀମସେନ ସେହି ସମସ୍ତ ଧନରତ୍ନ ଧରି ଇନ୍ଦ୍ରପ୍ରସ୍ଥକୁ ଫେରିଲେ ।

ସହଦେବ ତ ଦକ୍ଷିଣକୁ ଯାଇଥିଲେ । ସେ ମଧ୍ୟ କଷ୍ଟ କରି ଅନେକ ରାଜ୍ୟ ଜୟ କଲେ ଓ ଅନେକ ଧନ ସଂଗ୍ରହ କଲେ । ଆଉ ଯେତେସବୁ ବନ୍ଧୁବାନ୍ଧବ ଥିଲେ, ସେମାନେ ମଧ୍ୟ ଉପହାର ସ୍ୱରୂପ ଅନେକ ଧନରତ୍ନ ଦେଲେ ।ମାହେଷ୍ମତୀପୁରରେ ସହଦେବଙ୍କୁ ବଡ କଷ୍ଟ ହୋଇଥିଲା । ରାଜ୍ୟରେ ପ୍ରବେଶ କରିବା ପୂର୍ବରୁ ଅଗ୍ନି ଜଳିଉଠିଲା ଓ ତଦ୍ୱାରା କେତେକ ସୈନ୍ୟ ମରିଗଲେ । ଏହି ଘଟଣାରେ ସହଦେବଙ୍କ ମନ ବଡ କଷ୍ଟ ହେଲା । ଏପରି ବିଭୂତି କିପରି ସମ୍ଭବ ବୋଲି ସେ ପଚାରି ବୁଝିଲେ । ସେ ଘଟଣାଟି ଏହିପରି ଥିଲା । ସେଠାକାର ରାଜା ନୀଳଧ୍ୱଜଙ୍କ କନ୍ୟା ସ୍ୱାହା ଅତି ସୁନ୍ଦରୀ ଥିଲେ । ତାଙ୍କୁ ଦେଖି ଅଗ୍ନିଦେବ ମୁଗ୍ଧ ହୋଇ ଦିନେ ବ୍ରାହ୍ମଣରୂପ ଧରି ସେଠାକୁ ଆସିଲେ । ତାଙ୍କୁ ରାଜା, ସାଧାରଣ ବ୍ରାହ୍ମଣ ଭାବି ତାଙ୍କ କଥାବାର୍ତ୍ତାରେ ବିରକ୍ତ ହୋଇ ତାଙ୍କୁ ଦଣ୍ଡ ଦେବାକୁ ଯାଉଥିଲେ, ମାତ୍ର ଠିକ୍ ସେତେବେଳେ ଅଗ୍ନିଦେବ ନିଜ ରୂପ ଧାରଣ କଲେ ଓ ନୀଳଧ୍ୱଜଙ୍କ କନ୍ୟାଙ୍କର ପାଣିଗ୍ରହଣ କରିବାକୁ ଚାହିଁଲେ । ନୀଳଧ୍ୱଜ ସେଥିରେ ସମ୍ମତ ହୋଇ ଅଗ୍ନିଦେବଙ୍କୁ କନ୍ୟାଦାନ କଲେ । ସେହିଦିନଠାରୁ ଅଗ୍ନିଦେବ ତାଙ୍କ ରାଜ୍ୟର ସୁରକ୍ଷାର ଭାର ନେଲେ । ସେଥିପାଇଁ ବାହାରୁ କେହି ଆକ୍ରମଣ କଲେ ଅଗ୍ନି ପ୍ରଜ୍ୱଳିତ ହୋଇ ଶତୃସୈନ୍ୟଙ୍କୁ ଧ୍ୱଂସ କରେ ।

ଏକଥା ଶୁଣିବା ପରେ ସହଦେବ ସେଠାରେ ଅଗ୍ନି ଉପାସନା କଲେ । ଅଗ୍ନିଦେବ ପ୍ରତ୍ୟକ୍ଷ ହୋଇ ସହଦେବଙ୍କୁ ବର ଦେଲେ ଓ ନୀଳଧ୍ୱଜ ରାଜାଙ୍କୁ ସମସ୍ତ କଥା କହିଲେ । ନୀଳଧ୍ୱଜ ଖୁସି ହୋଇ ତାଙ୍କୁ ଅନେକ ଧନରତ୍ନ ଦେଲେ ।ତା’ପରେ ସହଦେବ ଅଙ୍ଗ, ବଙ୍ଗ, କଳିଙ୍ଗକୁ ଯାଇ ବିପୁଳ ଧନ ଆଣିଲେ । ସମସ୍ତ ରାଜ୍ୟର ରାଜାଙ୍କୁ ମଧ୍ୟ ସେ ଯଜ୍ଞପାଇଁ ନିମନ୍ତ୍ରଣ କଲେ । ତା’ପରେ ସେ ସିଂହଳ ଯାଇ ବିଭୀଷଣଙ୍କ ସହିତ ଦେଖାକଲେ ଓ ତାଙ୍କୁ ନିମନ୍ତ୍ରଣ କଲେ । ସେ ମଧ୍ୟ ବିପୁଳ ପରିମାଣରେ ଧନ ଦେଲେ ।ଇନ୍ଦ୍ରପ୍ରସ୍ଥର ପଶ୍ଚିମ ଦିଗକୁ ନକୁଳ ଯାଇଥିଲେ । ସେ ରୋହିତକ ଦେଶର ରାଜା ମୟୁରଙ୍କ ରାଜ୍ୟକୁ ନିଜ ଅଧିନକୁ ଆଣିଲେ । ସେଠାରୁ ଯାଇ ସେ, ଶୌରୀସକ, ମହେତ୍ୱଧ, ଦଶାର୍ଣ୍ଣ ତ୍ରିଗର୍ତ୍ତ, ଅମ୍ବଷ୍ଠ, ମାଳବ ପ୍ରଭୃତି ରାଜ୍ୟମାନଙ୍କୁ ନିଜ କର୍ତ୍ତୃତ୍ୱର ଅଧିନ କରି ରଖିଲେ । ଏହି ଭଳି ଭାବରେ ସେ ଅନେକ ଦେଶ ଜୟ କରି ବିପୁଳ ପରିମାଣରେ ଧନ ଆଣି ଆସିଲେ । ଶ୍ରୀକୃଷ୍ଣଙ୍କୁ ସର୍ବଦା ସେ ଏସବୁ ଖବର ପଠାଉଥାନ୍ତି ।ତା’ପରେ ସେ ତାଙ୍କର ମାମୁଁ ଶଲ୍ୟଙ୍କ ରାଜ୍ୟ ମଦ୍ରଦେଶରେ ଯାଇ ପ୍ରବେଶ କଲେ ଓ ମାମୁଁଙ୍କୁ ଯଜ୍ଞ ବିଷୟରେ କହିଲେ । ଶଲ୍ୟ ବହୁତ ଖୁସି ହୋଇ ବିପୁଳ ଧନ ଦେଇ ତାଙ୍କୁ ସେଠାରୁ ବିଦାୟ ଦେଲେ । ତା’ପରେ ଅନ୍ୟାନ୍ୟ ଅନେକ ଛୋଟ ଛୋଟ ରାଜ୍ୟ ଜିତିବା ପରେ ଇନ୍ଦ୍ରପ୍ରସ୍ଥକୁ ସେ ଲେଉଟି ଆସିଲେ ।ଚାରିଭାଇ ଆଣିଥିବା ଧନ ଏକତ୍ରିତ ହେବାରୁ, ମନେ ହେଲା, ବରୁଣ ଓ କୁବେରଙ୍କଠାରୁ ମଧ୍ୟ ତାହା ଅଧିକ ହୋଇଥିଲା । ତା’ପରେ ରାଜସ୍ୱୟ ଯଜ୍ଞ ପାଇଁ ପ୍ରସ୍ତୁତି ଚାଲିଲା; ସମସ୍ତେ ସେଥିପାଇଁ ମନପ୍ରାଣ ଦେଇ ଲାଗି ପଡିଲେ ।  

New odia story Odia Story Odia story Mahabharata
Share. Facebook Twitter Pinterest LinkedIn Tumblr Reddit Email
Previous Articleପାର୍ଥକ୍ୟ
Next Article ମହାବୀର
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.