ପୁରସ୍ତମପୁର ନାମରେ ଗାଆଁଟିଏ । ଆଉ ସେ ପୁରସ୍ତମପୁର ଗାଆଁରେ କୁବେର ନାୟକ ନାମରେ ଜଣେ ଯୁବକ, ନିହାତି ଗରିବ, ବିଧବା ମାଆଙ୍କର ଏକମାତ୍ର ସନ୍ତାନ । ତା’ ବାପ ମରିଯିବା ପରେ ମାଆ ପର ଘରେ ଦୁଃଖ କରି ଖୁବ୍ ଆଦର ଯତ୍ନରେ କୁବେରକୁ ପାଳି ପୋଷି ବଡ କରିଥିଲେ । ନିଜେ ପରିଶ୍ରମ କରି କୁବେରକୁ ଯଥାସମ୍ଭବ ସୁଖି ରଖିବାପାଇଁ ଚେଷ୍ଟା କରନ୍ତି ମାଆ । ତେଣୁ ମାଆ ଅତି ଗେହ୍ଲା କରିଥା’ନ୍ତି ପୁଅକୁ, କଥାରେ କହନ୍ତି – ଅତି ଗେହ୍ଲା ପୁଅ ମନମୋଟିଆ ଆଉ ଅତି ଗେହ୍ଲା ଝିଅ ଦାଣ୍ଡରେ ଠିଆ । ପୁଅ ଝିଅଙ୍କ ପ୍ରତି ଅନ୍ତରରେ ସ୍ନେହ ଶ୍ରଦ୍ଧା କରିବା ଭଲ । କାରଣ ସମସ୍ତ ସ୍ନେହ ଆଦର ସେମାନଙ୍କ ଗୋଚରରେ ହେଲେ ସ୍ୱାଭାବିକ ସେମାନେ ମନମୋଟିଆ ହୋଇଯାଆନ୍ତି । ସେତେବେଳେ ତ ସେ କୁବେର ଉପରେ କୌଣସି ଦାୟିତ୍ୱ ନଥାଏ । ତେଣୁ କୁବେର ଖାଲି ଏଣେ ତେଣେ ବୁଲାବୁଲି କରିବା, ସାଙ୍ଗମାନଙ୍କ ସହିତ ଗପସପ ଖେଳ କସରତରେ ହିଁ ସବୁ ସମୟ ନଷ୍ଟ କରେ ।
କ୍ରମେ ସେ କୁବେର ମାଆର ବୟସ ଅଧିକ ହେବାରୁ ସେ ଆଉ ପୂର୍ବଭଳି କାମ କିମ୍ବା ଶ୍ରମ କରିପାରିଲେ ନାହିଁ । ଶେଷରେ ସେ ମାଆ ତାଙ୍କ ପୁଅ କୁବେରକୁ ବୁଝାଇଲେ କର୍ମମୟ ଦୁନିଆରେ କର୍ମ ନକଲେ ଖାଇବାକୁ ଆଦୌ ମିଳିବ ନାହିଁ । ତା’ପରେ ତୁ ତୋର ସାଙ୍ଗମାନଙ୍କୁ ଦେଖେ ସେମାନେ କୌଣସି ନା କୌଣସି କାମ ଧନ୍ଦା କରୁଛନ୍ତି । କୁବେର ତା’ ମାଆର କଥାକୁ ମନ ଦେଇ ଶୁଣିଲା । ଚିନ୍ତା କଲା ମାଆ ତା’ର ଯାହା ବି କହୁଛନ୍ତି, ସବୁ ଠିକ୍ କହୁଛନ୍ତି । ତା’ପରେ କୁବେର ଦେଖିଲା ତା’ବୟସର ଯୁବକମାନେ କିଛି ନା କିଛି କାମ ଅବଶ୍ୟ କରୁଛନ୍ତି, କିଏ ବ୍ୟବସାୟ କରୁଛି ତ କିଏ ବିଲ ବାଡିରେ ତା’ ବାପାଙ୍କୁ ସାହାଯ୍ୟ କରୁଛି । କିଏ ପୁଣି ଜମିଦାର ଘରେ ଚାକିରି କରିଛି । କିଏ ପୁଣି ଖଣି ଖାଦାନରେ କାମ କରୁଛି । ତେଣୁ କୁବେର ସ୍ଥିର କଲା ସେ ମଧ୍ୟ କୌଣସି କାମ ଧନ୍ଦା କରିବ । ଧନ ଉପାର୍ଜନ ବି କରିବ । ଶେଷରେ ସେ କୁବେର ତା’ ମାଆଙ୍କୁ ବୁଝାଇ ଏକ ଶୁଭଦିନ ନିର୍ଘଂଟ କରି ଗାଆଁ ଛାଡି ବାହାରକୁ କାମଧନ୍ଦା କରିବାକୁ ଚାଲିଗଲା । କାଳେ ମାଆ ମନ ଦୁଃଖ କରିବ, ଯେଉଁଦିନ ଗଲା ସେଦିନ ମାଆକୁ କିଛି ବି କହିଲା ନାହିଁ ସେ କୁବେର ।
ସାଙ୍ଗରେ ଚୁଡା ଗୁଡ ନେଇ କୁବେର ଚାକିରି ଖୋଜି ବାହାରିଲା । ଯାଉ ଯାଉ କିଛଦିନ ପରେ ସେ କୁବେର ଏକ ଗ୍ରାମରେ ପହଁଚିଲା । ଆଉ ସେହି ଗ୍ରାମରେ ଗୌରହରି ସାମନ୍ତରାୟ ନାମରେ ଜଣେ ଜମିଦାର ଥିଲେ । ତାଙ୍କର ତ କାହିଁରେ କ’ଣ ସମ୍ପତ୍ତି । ବାଡି ବଗିଚା ଜମି ସବୁ କାହିଁରେ କ’ଣ? ଗୋ ସମ୍ପଦଠାରୁ ଆରମ୍ଭ କରି ଭୂ-ସମ୍ପତ୍ତି ପର୍ଯ୍ୟନ୍ତ ସୁନା ରୁପା ଆଦି ସମ୍ପତ୍ତିର କୌଣସି ଅଭାବ ନାହିଁ । କୁବେର ସେହି ଗ୍ରାମରେ ପହଁଚି ଜମିଦାର ଗୌରହରି ସାମନ୍ତରାୟଙ୍କ ନିକଟରେ ନିଜର ଦୁଃଖ କହିଲା । ସେ ଜମିଦାର ଜଣକ ଅତ୍ୟନ୍ତ ହୃଦୟବାନ ବ୍ୟକ୍ତି ହୋଇଥିବାରୁ କୁବେରକୁ ଚାକିରିଟିଏ ଦେଲେ । ହେଲେ ଚାକିରିରେ ଜମିଦାର ମାସକୁ ମାସ ଦରମା ଦିଅନ୍ତି ନାହିଁ । ବର୍ଷକରେ ବାରମାସର ଦରମା ଏକାବେଳେ ଦିଅନ୍ତି ଏବଂ କିଛିଦିନ ମଧ୍ୟ ଛୁଟି ଦିଅନ୍ତି । ଯଦିଓ କୌଣସି କର୍ମଚାରୀଙ୍କର ପଇସାର ଅତ୍ୟନ୍ତ ଆବଶ୍ୟକ ହୁଏ ତେବେ ଜମିଦାରକୁ କହିଲେ ଜମିଦାର ତାକୁ ଦିଅନ୍ତି । ଗୋଟିଏ ବର୍ଷ କୁବେର ମନ ପ୍ରାଣ ଦେଇ ନିଷ୍ଠାର ସହିତ ସେ ଜମିଦାରଙ୍କ କାମ କଲେ । ଗୋଟିଏ ବର୍ଷ ପରେ ମାଆଙ୍କ କଥା ମନେ ପଡିଲା, କୁବେର ଘରକୁ ଯିବାକୁ ବ୍ୟସ୍ତ ହୋଇ ପଡିଲେ । ବର୍ଷଟିଏ ପୂରିଯିବା ପରେ କୁବେର ସେ ଜମିଦାରଙ୍କୁ କହିଲା ଯେ, ସେ ଘରକୁ ଯିବ । ଘରେ ମାଆ ଖବର ବୁଝିବ, ମାଆକୁ ଦେଖି ବୁଲାବୁଲି କରି କିଛି ଦିନ ପରେ ପୁଣି ଫେରି ଆସିବ । ଏକଥା ଶୁଣି ଜମିଦାର ଗୌରହରି ସାମନ୍ତରାୟ କୁବେରକୁ ଦଶଟି ରୁପା ମୁଦ୍ରା ଦେଲେ । ଆଉ ସାବଧାନତାର ସହିତ ଘରକୁ ଯିବାପାଇଁ ମଧ୍ୟ ପରାମର୍ଶ ଦେଲେ । କୁବେରର ବର୍ଷକର ରୋଜଗାର, ଏକାବେଳେ ଦଶଟି ରୁପା ମୁଦ୍ରା । ଏଣେ ସେ କୁବେରର ଆନନ୍ଦ କହିଲେ ନସରେ ।
ରୁପା ମୁଦ୍ରା ଦଶଟିକୁ କୁବେର ନିଜ ଗାମୁଛାରେ ଭଲ ଭାବରେ ବାନ୍ଧି ତାକୁ କାନ୍ଧରେ ପକାଇ ନିଜ ଗ୍ରାମକୁ ଆନନ୍ଦରେ ଫେରୁଥାଏ । ରୁପା ମୁଦ୍ରାଗୁଡିକର ଓଜନ ହେତୁ ସେ କୁବେରର କାନ୍ଧ ଭାରି ଲାଗୁଥାଏ, ତେଣୁ ସହଳ ସହଳ ପାଦ ପକାଇ ସେ କୁବେର ଆଦୌ ଚାଲି ପାରୁ ନଥାଏ । ତେଣେ ମନରେ ତା’ର ଅନେକ ଭାବନା, ଅନେକ ଦୃଢଭାବନା । ଚାଲି ଚାଲି କିଛିବାଟ ଆସିବା ପରେ ସେ କୁବେର ଦେଖିଲା ଜଣେ ଅଶ୍ୱାରୋହୀ ତାରି ଆଡକୁ ହିଁ ଆସୁଛନ୍ତି । କୁବେର ମନେ ମନେ ଭାବିଲା ମୋର ଏମିତି ଘୋଡା ଥାଆନ୍ତା କି ଘୋଡା ଚଢି ମୁଁ ଖୁବ୍ ଶୀଘ୍ର ମୋ ମାଆଙ୍କ ନିକଟରେ ପହଁଚି ଥାଆନ୍ତି । କିଛି ସମୟ ପରେ ସେ ଅଶ୍ୱାରୋହୀ ବ୍ୟକ୍ତି ଜଣକ କୁବେର ନିକଟରେ ଆସି ପହଁଚି ଗଲେ । ତହୁଁ କୁବେର ସେ ଘୋଡା ସବାରକୁ ଡାକି କହିଲା ହେ ଭାଇ ଟିକେ ଶୁଣିବେ କି? ଅଶ୍ୱାରୋହୀ ବ୍ୟକ୍ତି ଜଣକ ଘୋଡା ଅଟକାଇ କହିଲେ କ’ଣ କହୁଛ? କୁବେର କହିଲା ଭାଇ ଏ ଘୋଡାର ଦାମ୍ କେତେ? ଏ କଥା ଶୁଣି ସେ ଅଶ୍ୱାରୋହୀ କହିଲା, ଦାମ୍ କେତେ କହିବି? ଘୋଡା କିଣିବାପାଇଁ ତୁମ ପାଖରେ ଅଛି ବା କ’ଣ? ତାଛଡା ତୁମେତ ନିହାତି ଗରିବ ଭଳି ଜଣା ପଡୁଛ । ତୁମ ଭଳି ଲୋକ ଘୋଡା ଚଢିବ, ଏ ବିଶ୍ୱାସ ମୋର ତ କେବେ ନାହିଁ । ତୁମ ପାଖରେ କ’ଣ ଅଛି? ଘୋଡା ସବାର ଏକଥା ଥଟ୍ଟାରେ କହିଲା ।
କୁବେର କହିଲା, ହଁ ବାବୁ ମୋ ପାଖରେ ଦଶଟି ରୁପା ମୁଦ୍ରା ଅଛି । ଏ ଘୋଡାର ଦାମ୍ କ’ଣ ଦଶଟି ରୁପା ମୁଦ୍ରାଠାରୁ ବି ଅଧିକ ହେବ? ଯଦି ଅଧିକ ହେବ ତେବେ ମୋର ଘୋଡା କିଣିବାର ହିଁ ନାହିଁ । ପ୍ରକୃତରେ ଘୋଡାର ଦାମ୍ ମାତ୍ର ଦୁଇଟି ରୁପା ମୁଦ୍ରାରୁ ମୋଟେ ଅଧିକ ହେବ ନାହିଁ । କିନ୍ତୁ ଘୋଡା ସବାର ଏକାବେଳକେ ଦଶଟି ରୁପା ମୁଦ୍ରା କଥା ଶୁଣି ଅତ୍ୟନ୍ତ ଖୁସି ହୋଇଗଲା । ସେ ଘୋଡା ସବାର କରିଥିବା ଲୋକଟି କୁବେରକୁ ବୋକା ମନେକଲା । ଏକାବେଳେ ଘୋଡାର ପ୍ରକୃତ ଦାମ୍ର ପାଂଚଗୁଣା । ତାପରେ ସେ ଘୋଡ ସବାର କହିଲା, ହଁ ଦଶଟି ରୁପା ମୁଦ୍ରାରେ ଏ ଘୋଡାଟି ତୁମେ କିଣି ନେଇ ପାରିବ । ତୁମର ଯେତେବେଳେ ଘୋଡା ଚଢିବାକୁ ମନ ହୋଇଛି ତେବେ ମୁଁ ସେହି ଦଶଟି ରୁପା ମୁଦ୍ରାରେ ତୁମକୁ ଏହି ଘୋଡାଟି ଦେଇଦେବି । ଦିଅ, ଦଶଟି ରୁପା ମୁଦ୍ରା । କୁବେର ସାଙ୍ଗେ ସାଙ୍ଗେ ଗାମୁଛା ଖୋଲି ଘୋଡା ସବାରକୁ ଦଶଟି ରୁପା ମୁଦ୍ରା ଦେଇଦେଲା । ଘୋଡା ସବାର ବି ଦଶଟି ରୁପା ମୁଦ୍ରା ବିନିମୟରେ ଘୋଡାଟିକୁ କୁବେରକୁ ବିକି ଦେଲା । କୁବେର ଘୋଡାଉପରେ ବସିଲା । କୁବେର ଘୋଡା ଉପରେ ବସୁ ବସୁ ସେ ଘୋଡା ଖାଲି ବିଜୁଳି ବେଗରେ ଦୌଡିବାକୁ ଲାଗିଲା । ସେ ଘୋଡାଟି କୁବେର ନିୟନ୍ତ୍ରଣରେ ନ ଥିବାରୁ କୁବେର ଯିବାକୁ ଚାହୁଁଥିବା ବାଟରେ ନଯାଇ ସେ ଘୋଡାଟି ତା’ ଇଚ୍ଛାରେ ଯାଉଥାଏ, ବାଟ ଅବାଟ କିଛି ବି ମାନୁନଥାଏ । ସେ ଘୋଡାଟି ତ ଖାଲି ଦ୍ରୁତ ଗତିରେ ଦୌଡୁଥାଏ । କୁବେରକୁ ବସାଇ ଘୋଡା ଏପରି ଦ୍ରୁତ ଗତିରେ ଦୌଡୁଥିବାର ଦେଖି ଜଣେ ରାଜାଘର ସିପାହି ଭାବିଲା ଏହି ଘୋଡାର ଚାଳକ ବୋଧହୁଏ ଘୋଡାକୁ ମୋଟେ ଅଟକାଇ ପାରୁନାହିଁ । ତେଣୁ ସେ ସିପାହି ତା ଖଣ୍ଡାଧରି ଘୋଡା ଆଗରେ ଠିଆ ହୋଇପଡି ଘୋଡାକୁ ଅଟକାଇ ଦେଲେ । ସିପାହି ଆଗରେ ଘୋଡା ତା’ ପଛ ଦୁଇ ଗୋଡରେ ଠିଆ ହୋଇ ଆରଗୋଡ ଟେକି ଦେଲା । ଯା ଫଳରେ କୁବେର ସେ ଘୋଡା ପିଠିରୁ ଖସିପଡି ବଡ କଚଡାଟାଏ ଖାଇଲା ।
ସେ ସିପାହି ଜଣକ କୁବେରକୁ ତଳୁ ଉଠାଇ କହିଲା, ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ଦେବାର ଫଳ କ’ଣ ପାଇଲ ତ? ସତ କୁହ, ଏ ଘୋଡା ତୁମର ନା ଆଉ କାହାର? ଏ ଘୋଡାକୁ କେଉଁଠୁ ଚୋରାଇ କରି ଆଣିଛ । ମୁଁ ରାଜାଙ୍କ ସିପାହି, ସତକଥା ମାନିଯାଅ, ନଚେତ୍ ତୁମକୁ ଦଣ୍ଡଭୋଗ କରିବାକୁ ପଡିବ । ସବୁ ସତ ସତ ମାନିଯାଅ । ତାପରେ କୁବେର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଘଟଣା ସେ ରାଜାଙ୍କ ସିପାହିଙ୍କ ଆଗରେ ସତ ସତ କହିଦେଲା । ସିପାହି ସବୁ ଜାଣିଲେ ଓ କହିଲେ ତୁମେ ବଡ ଭୁଲ୍ କଲ, ତୁମ ମାଆ କ’ଣ ଏ ଘୋଡାଟିକୁ ଦେଖି ଖୁସି ହେବେ? ତାଛଡା ଏଥିରେ ଖୁସି ହେବାର ବା କ’ଣ ଅଛି? ତେଣୁ ତୁମେ ଗୋଟିଏ କାମ କର, ମୋ ସାଙ୍ଗରେ ଚାଲ ମୋ ଘରକୁ । ମୋର ଗୋଟିଏ ଭଲ ଗାଈ ଅଛି । ସେହି ଗାଈଟିଏ ନେଇ ଘରକୁ ଯିବ, ଦେଖିବ ତୁମ ମାଆ ବହୁତ ଖୁସି ହେବେ । ଆଉ ତାବଦଳରେ ମୋତେ ଏ ଘୋଡାଟି ଦେଇ ଦିଅ । କାହିଁକିନା ଆମେ ହେଲୁ ରାଜାଘର ସିପାହି, ଆମର ଏ ଘୋଡା ଚଢିବାର ଅଭ୍ୟାସ ଅଛି । କୁବେରକୁ ଘୋଡାରେ ବସାଇ ସିପାହି ତାଙ୍କ ନିଜ ଘରକୁ ଆସିଲେ । ସିପାହି କୁବେରକୁ ଖାଇବାକୁ ପିଇବାକୁ ଦେଇ ଗାଈଟିଏ ଦେଇ ବିଦା କଲେ ଓ ସେ ଘୋଡାଟିକୁ ରଖିଲେ । ଏଣେ ସେ କୁବେର ତା’ ମନେ ମନେ ଭାବିଲା ଗାଈ ତ ବାଛୁରୀ ଦେବ । ଏହିପରି ଭାବେ ତା’ଘର ପୂରିଯିବ । ସରଳବିଶ୍ୱାସୀ କୁବେର ସେ ସିପାହିକୁ ଘୋଡାଟି ଦେଇ ଗାଈଟି ଧରି ଘରକୁ ଫେରିଲା । ଗାଈଟିର ଶରୀର ଦୁର୍ବଳ । ସହଜେ ତ ସେ ଗାଈଟି ବୁଢୀ ଗାଈ । ସେ ସିପାହୀ ଜଣକ ବୁଢୀ ଗାଈଟି ଦେଇ କୁବେରକୁ ଠକି ଦେଇଛନ୍ତି । ଗାଈଟିକୁ ଟାଣି ଟାଣି କୁବେର ତା’ ଗାଆଁ ଆଡକୁ ଚାଲିଥାଏ । ସକାଳୁ ଆସି ଦିନ ଦ୍ୱିପ୍ରହର ହେଲାଣି । ଏଣେ ଭୋକରେ ସେ କୁବେରର ପେଟ ଖାଲି ଜଳୁଥାଏ । ମନେ ମନେ ଭାବୁଥାଏ ଘରେ ପହଁଚିଲେ ଗାଈଠାରୁ କ୍ଷୀର ଦୁହିଁ ପିଇବ ଆଉ ସେ ନିଜର ଭୋକ ମେଂଟିବ । କ୍ରମେ ଦିନ ବି ସରି ସରି ଆସୁଥାଏ । ସୂର୍ଯ୍ୟାସ୍ତ ବେଳକୁ କୁବେର ଏକ ଛେଳି ଗୋଠ ପାଖରେ ଅଟକି ଗଲା । ଛେଳି ଜଗୁଆଳିଠାରୁ ଲୋଟାଟିଏ ମାଗି ଆଣିଲା । ସେ ଗାଈଠାରୁ କ୍ଷୀର ଦୁହିଁବାକୁ ଚେଷ୍ଟା କଲା । ବିନା ବାଛୁରୀରେ ଗାଈ ତ କ୍ଷୀର ଦିଏ ନାହିଁ । ଏ ସାଧାରଣ ଜ୍ଞାନ ବି ସେ କୁବେରର ନଥିଲା । ତା’ପରେ ସହଜେତ ସେଇଟା ବୁଢୀ ଗାଈ । ଗାଈ କ୍ଷୀର ତ ଦେଲା ନାହିଁ, ଓଲଟି ସେ ଗାଈ ଭଲ କରି ନାତଟିଏ ମାରିଲା କୁବେରକୁ । ଏହା ଦେଖି ସେ ଛେଳି ଜଗୁଆଳି କହିଲା ଏ ବୁଢୀ ଗାଈ କ’ଣ କେବେ କ୍ଷୀର ଦେବ? କହିଲ ଦେଖି, ଏ ଗାଈଟି କେଉଁଠୁ ପାଇଲ?
ତାପରେ ସେ କୁବେର ଘଟି ଯାଇଥିବା ସମସ୍ତ କାହାଣୀ ଶୁଣେଇଲା । ସବୁ ଶୁଣି ସେ ଛେଳି ଜଗୁଆଳି କହିଲା, ତୁମେ ତ ଏକଦମ୍ ସରଳ, ଛନ୍ଦ କପଟ ବୁଝି ନପାରି ତୁମେ ଖାଲି ହଇରାଣ ହେଉଛ । ସେ ରାଜାଘର ସିପାହି ତୁମକୁ ସରଳ ଆଉ ବୋକା ମନେକରି ଠକି ଦେଇଛି । ତୁମେ ଏ ଗାଈଟିକୁ ମୋ ଜିମା ଦେଇଦିଅ । ତା’ ବଦଳରେ ମୋ ନିକଟରୁ କ୍ଷୀର ଦେଉଥିବା ଛେଳିଟିଏ ବରଂ ନେଇଯାଅ । ଦେଖିବ ଖୁବ୍ ଅଳ୍ପ ଦିନ ମଧ୍ୟରେ ତୁମ ଘରେ ଅନେକ ଛେଳି ହୋଇଯିବେ । ଛେଳି ଜଗୁଆଳି କୁବେରକୁ ଯେଉଁ ଛେଳିଟିକୁ ଦେବାକୁ କହିଲା, ସେ ଛେଳିଠାରୁ କ୍ଷୀର ବାହାରକରି କୁବେରକୁ ତାହା ପିଇବାକୁ ଦେଲା । ଏଥର କୁବେର ଖୁସି ହୋଇ ଗାଈଟିକୁ ଦେଇ ଦେଲା । ସେଦିନ ସେ ଛେଳି ଜଗୁଆଳି କୁବେରକୁ ତା’ ଘରେ ଖାଇବାକୁ ପିଇବାକୁ ଦେଇ ରଖିଲା । ଛେଳି ଜଗୁଆଳି କୁବେରକୁ ଛେଳିଟିକୁ ଦେଇ କିଛି ବାଟ ବାଟେଇ ଦେଇ ଘରକୁ ଫେରିଲା । କିଛିବାଟ ଗଲାପରେ ସେ ଛେଳିଟି କୁବେର ସହିତ ଯିବାପାଇଁ ଅମଙ୍ଗ ହେଲା । ଖାଲି ପଛକୁ ଟାଣି ହେଉଥାଏ । କୁବେର ସେ ଛେଳିଟିକୁ ଯେତେ ଜୋର୍ରେ ଭିଡିବାକୁ ଚେଷ୍ଟା କଲା ଛେଳିଟି ବି ସେତେ ଜୋର୍ରେ ମେଁ ମେଁ ହୋଇ ରଡି କଲା । ଠିକ୍ ସେହି ସମୟରେ ସେଠାରେ ଲୋକଟିଏ ପହଁଚିଲା । ସେତେବେଳେ ସେ ତା’ ହାତରେ କୁକୁଡାଟିଏ ଧରିଥାଏ । କୁବେରର ଏପରି ଅବସ୍ଥା ଦେଖି ଲୋକଟି କହିଲା, କାହିଁକି ସେ ଛେଳିଟାକୁ ଟଣା ଓଟରା କରୁଛ? ଛେଳିଟା ତ ତୁମ ସହିତ ଯିବାକୁ ଅମଙ୍ଗ ହେଉଛି । ଏ ଛେଳିଟା କ’ଣ ତୁମର ନୁହେଁ । ଛେଳିକୁ କେଉଁଠିକୁ ନେଉଛ । କୁବେର ସେ ଲୋକଟିକୁ ସବୁ କାହାଣୀ ଶୁଣାଇଲା । ଲୋକଟି ସ୍ୱଭାବରେ ତ କପଟି । ଲୋକଟି କପଟ କରି କହିଲା, ତୁମ ଗାଆଁ ପୁରସ୍ତମପୁର ତ ଏଠାରୁ ଆହୁରି ପାଂଚକୋଶ ବାଟ, ଏମିତି ଟାଣି ଓଟାରି ଏତେ ବାଟ ଛେଳିକୁ ତୁମ ଗାଆଁକୁ ନେବା ତୁମ ପକ୍ଷରେ ଆଦୌ ସମ୍ଭବ ନୁହେଁ । ବରଂ ମୋ କଥା ମାନ, ତୁମେ ମୋତେ ତୁମ ଛେଳିଟିକୁ ଦେଇ ଏ କୁକୁଡାକୁ ନିଅ । ଏହା ଦିନକୁ ପ୍ରାୟ ଦଶଟି ଅଣ୍ଡା ଦିଏ । ଦେଖୁ ଦେଖୁ ତୁମ ଘର କୁକୁଡା, କୁକୁଡା ଛୁଆରେ ପୂର୍ଣ୍ଣ ହୋଇଯିବ । ତୁମ ମାଆ ଏହା ଦେଖି ଖୁବ୍ ଖୁସି ହେବେ ।
କୁବେରକୁ ସେ ଲୋକଟିର ପରାମର୍ଶ ବି ଭାରି ଭଲ ଲାଗିଲା । ହେଲେ ସେ କୁବେରକୁ ଜଣା ନାହିଁ ଯେ, ସେହି କୁକୁଡା ଏକ ଅଣ୍ଡିରା, ଯାହା କେବେବି ଅଣ୍ଡା ଦେବା ଆଦୌ ସମ୍ଭବ ନୁହେଁ । ଛେଳିକୁ ଟଣାଓଟରା କରି ସେ କୁବେର ଏକବାର କ୍ଳାନ୍ତ ଓ ହାଲିଆ ହୋଇ ପଡିଥିଲା । ତେଣୁ କୁବେର ଛେଳିଟି ବଦଳରେ କୁକୁଡାଟି ଆଣି ଖୁବ୍ ଖୁସି ହୋଇଗଲା । ଅଳ୍ପବାଟ ଆସିବା ପରେ, ସେ କୁବେର ଦେଖିଲା ଏକ କମାରଶାଳ । ଆଉ ସେ କମାରଶାଳ ନିକଟରେ କମାରଟି ତା’ ଆଗରେ କେତେଗୁଡିଏ ଛୁରୀ ରଖିଛି । ଗୋଟିକ ପରେ ଗୋଟିଏ ଛୁରୀ ଧାର କରୁଛି ସେ କମାର । କୁବେର ତାଙ୍କୁ ପଚାରିଲା ଭାଇ କ’ଣ କରୁଛ? ତାପରେ ସେ କମାର କହିଲା ଛୁରୀଗୁଡିକରେ ଶାଣ ଦେଉଛି । କାହିଁକିନା ଶାଣ ଦେଲେ ହିଁ ଧାର ହେବ । ଚକ୍ ଚକ୍ ବି ଦିଶିବ । ଫଳରେ ଗୋଟିଏ ଛୁରୀ ପାଇଁ ମୋତେ ଟଙ୍କାଟିଏ ମିଳିବ । ଏକଥା ଶୁଣି ସେ କୁବେର ଭାବିଲା, ମୋ ପାଖରେ ଏମିତି ଶାଣ ଦେବା ପଥରଟିଏ ଥାଆନ୍ତା କି ତାହେଲେ କେତେ ଭଲ ହୁଅନ୍ତା । ମୁଁ ମଧ୍ୟ ଛୁରୀ ମାନଙ୍କରେ ଶାଣ ଦେଇ ଧାର କରନ୍ତି । ଏପରିକି ସବୁ ଲୋକଙ୍କୁ ଆଶ୍ଚର୍ଯ୍ୟ ବି କରିଦିଅନ୍ତି । ମନେ ମନେ ଏପରି ଭାବି କୁବେର କହିଲା ଭାଇ, ତୁମ ପାଖରେ ଆଉ ଶାଣ ଦେବା ପଥର ଅଛି କି? ତହୁଁ ସେ କମାର କହିଲା ହଁ ମୋ ପାଖରେ ଗୋଟିଏ ଶାଣ ଦେବା ପଥର ଅଧିକା ଅଛି । ଚାହୁଁଛତ ମୋ ଠାରୁ କିଣିନିଅ । ସେତେବେଳେ ସେ କୁବେର ପାଖରେ ତ ଟଙ୍କା ପଇସା କିଛି ବି ନଥିଲା । ତେଣୁ ସେ କୁବେର ନିଜର କୁକୁଡାଟି ବିନିମୟରେ କମାର ଠାରୁ ଶାଣ ଦେବା ପଥରଟି ଆଣି, ଗାଆଁ ଅଭିମୁଖେ ଚାଲିଲା । ତା’ପରେ ସେ କୁବେର ଯାଇ ତା’ମାଆଙ୍କ ନିକଟରେ ପହଁଚିଲା । ହଠାତ୍ ସେ କୁବେରକୁ ଦେଖି କୁବେରର ମାଆଙ୍କ ଆନନ୍ଦ କହିଲେ ଆଉ ନସରେ । କୁବେରଙ୍କ ମାଆ କୁବେରକୁ ମନେ ମନେ ଅନେକ ଖୋଜିଛନ୍ତି । ଖାଲି କରମ ଆଦରି ରହିଛନ୍ତି । ହଠାତ୍ ପୁଅକୁ ଦେଖି ଖାଇବାକୁ ଦେଇ ଭଲ ମନ୍ଦ ଖବର ପଚାରି ବୁଝିଲେ । କୁବେର ଜମିଦାର ଘରେ ଚାକିରି କରି ଦଶଟି ରୁପା ମୁଦ୍ରା ପାଇଥିଲା । ସେହି ଦଶଟି ରୁପା ମୁଦ୍ରା ଦେଶ ନେଶ ହୋଇ ଶେଷରେ କିପରି ଶାଣ ଦେବା ପଥରରେ ପରିଣତ ହୋଇଯାଇଛି ସବୁ ଟିକି ନିଖି କରି ବର୍ଣ୍ଣନା କଲା ।
କୁବେରଙ୍କ ମାଆ କୁବେରଠାରୁ ସମସ୍ତ କଥା ଶୁଣି ଆଦୌ ବ୍ୟସ୍ତ ହେଲେ ନାହିଁ କି କୁବେରକୁ ଗାଳି ଗୁଲଜ ବି କଲେ ନାହିଁ । କୁବେରକୁ ଆଶ୍ୱାସନା, ସାନ୍ତ୍ୱନା ଦେଲେ ଓ କହିଲେ ଆରେ ପାଗଳା, ଦଶଟି ରୁପା ମୁଦ୍ରା ବଦଳରେ ତୁ ଶେଷରେ ଏ ଅକର୍ମା ପଥର ଖଣ୍ଡେ ଧରି ଘରକୁ ଆସିଲୁ । ଏ ଶାଣ ଦେବା ପଥର ତ କେବଳ କମାରମାନଙ୍କର ହିଁ ଆବଶ୍ୟକ । ଆମର ଏ ପଥର କେଉଁ କାମରେ ବା ଲାଗିବ? ଦୁଃଖ କେବଳ ଏତିକି ଯେ, ଦଶଟି ରୂପା ମୁଦ୍ରା ହରେଇଲୁ । ତଥାପି ବି ମୋର ସେଥିରେ ଦୁଃଖ ମୋଟେ ନାହିଁ । ଏତେ ଅସୁବିଧା ଏତେ ଅଘଟଣ ଘଟିବା ପରେ ବି ତୁ ଭଲରେ ଭଲରେ ମୋ ପାଖରେ ଆସି ପହଁଚିଛୁ – ତାହାହିଁ ମୋ ମମତାର ମୂଲ । ମୋ ମମତାତ ତୋ ନିକଟରୁ କେବଳ ଏହି ମୂଲ ମାଗିବାକୁ ହିଁ ଅପେକ୍ଷା କରିଛି । ଏହାପରେ ପୁଅର ମନ କଥା ଜାଣି କୁବେରଙ୍କ ମାଆ କୁବେରକୁ ତାଙ୍କ ବାଡିରେ ପନିପରିବା ଚାଷ କରିବାକୁ ପ୍ରବର୍ତ୍ତାଇଲେ । ସେ କୁବେର ତ ଅତ୍ୟନ୍ତି ପରିଶ୍ରମୀ ସ୍ୱଭାବର ହୋଇଥିବାରୁ ବାଡିରେ ପନିପରିବା ଚାଷ କଲା । ଆଉ ସେହି ପନିପରିବାତକ ହାଟ ବଜାରରେ ବିକ୍ରି କରି ଭଲ ପଇସା ରୋଜଗାର କଲା । ନିଜର ସରଳତା ପାଇଁ ଅନ୍ୟମାନଙ୍କ ନିକଟରେ ପ୍ରତାରିତ ହୋଇଥିବାରୁ କୁବେରକୁ ସତର୍କ ରହିବାକୁ କୁବେରଙ୍କ ମାଆ ଉପଦେଶ ଦେଲେ । ବିଭିନ୍ନ ସଂସାରିକ ସମସ୍ୟା ଓ ଦାୟିତ୍ୱ କ୍ଷେତ୍ରରେ ମାଆଙ୍କଠାରୁ ଉପଯୁକ୍ତ ପରାମର୍ଶ ପାଇ କୁବେର ଏକ ଚତୁର, କର୍ମଠ ବ୍ୟକ୍ତିରେ ପରିଣତ ହେଲା । କୁବେରକୁ ସେହିଦିନୁ କେହି ଆଉ ଠକି ନାହଁନ୍ତି । ପରିଶ୍ରମ କରି କୁବେର ତା’ମାଆଙ୍କୁ ଅନେକ ସୁଖ ଦେଇ ନିଜେ ବି ସୁଖରେ ରହିଲା ।