• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମନ୍ତ୍ର – ସିଂହାସନ
ଗଳ୍ପ

ମନ୍ତ୍ର – ସିଂହାସନ

Liza SBy Liza SMay 12, 2022No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Mantra singhasana
Share
Facebook Twitter Pinterest Reddit Email

ନିଶା ଗରଜୁଥାଏ । ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

ତଥାପି ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । କିନ୍ତୁ ତା’ପରେ ସେ ଶବଟିକୁ କାନ୍ଧରେ ପକାଇ ଭୟାବହ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ କାହା ପାଇଁ ଏ କାଠିକର କାମ ହାତକୁ ନେଇଛ? ସେ କାର୍ଯ୍ୟସିଦ୍ଧି ପରେ ତମ ଅଭିଲକ୍ଷ ପୂରଣ କରିବ ତ? ଥରେ ଥରେ ଦେଖାଯାଏ କ୍ଷମତା ଥିବା ଲୋକେ ଅନ୍ୟର ହିତ କରିବାର ସୁଯୋଗ ପାଇ ମଧ୍ୟ ସେ ଦିଗରେ ସେମାନେ କିଛିବି କରନ୍ତି ନାହିଁ; ପୁଣି ଥରେ ଥରେ ବିନା ଦ୍ୱିଧାରେ କାହାରି କାହାରି ମାଗୁଣି ପୂରଣ କରି ଦିଅନ୍ତି । ତମକୁ ଗୋଟାଏ ଉଦାହରଣ ଦେଉଛି । ମନଦେଇ ତାହା ଶୁଣ । ଫଳରେ ତମ ଶ୍ରମଭାର ଲାଘବ ମନେ ହେବ ।”

ବେତାଳ ଗପିଲା: ବୈଶାଳୀର ଗୋଟିଏ ପ୍ରାଚୀନ ମନ୍ଦିର ଥରେ ଭୁଷୁଡି ପଡିଲା । ରାଜା ସେସବୁ ପଥର ଘୁଂଚାଇ ସେଠାରେ ନୂଆ ମନ୍ଦିରଟିଏ ନିର୍ମାଣ କରିବାକୁ ସ୍ଥିର କଲେ ।

ସେ ସ୍ଥାନ ପରିସ୍କାର କଲାବେଳେ ଗୋଟିଏ ସୁଡଙ୍ଗ ଆବିଷ୍କୃତ ହେଲା । ସେ ସୁଡଙ୍ଗ ଭିତରେ ଗୋଟିଏ ଅଦ୍ଭୁତ ସିଂହାସନ ଥିବାର ଦେଖାଗଲା । ସେ ସିଂହାସନ ବିଷୟରେ କିମ୍ବଦନ୍ତି ଜରିଆରେ ଲୋକେ ବହୁତ କଥା ଶୁଣିଥିଲେ । ଶହେ ବର୍ଷ ତଳେ ଜଣେ ତାନ୍ତ୍ରିକ ସେ ସିଂହାସନଟି ନିର୍ମାଣ କରିଥିଲେ । ସେ ସିଂହାସନର ଅଦ୍ଭୁତ ଗୁଣ ଥିଲା । କୌଣସି ବ୍ରତ ଉପବାସ କରି ଓ କିଛି ମନ୍ତ୍ର ପଢି ଯିଏ ସେ ସିଂହାସନରେ ଥରେ ବସି ପଡିବ, ସିଏ ଗୋଟାଏ ମହାଶକ୍ତିଶାଳୀ ବନିଯିବ ।

ରାଜା ସେହି ସିଂହାସନଟିକୁ ଆଣି ତାକୁ ନଅର ଭିତରେ ଗୋଟିଏ କକ୍ଷରେ ରଖିଲେ । ପ୍ରଥମେ ପ୍ରଥମେ ଶହ ଶହ ଲୋକ ତାକୁ ଦେଖିବାକୁ ଆସିଲେ । ରାଜା ସେଥିରେ କିଛି ଆପତ୍ତି କଲେ ନାହିଁ । କିନ୍ତୁ କେହି କେହି ଦର୍ଶକ ସେ ସିଂହାସନରେ ଗୋଟିଏ ବାୟବୀୟ ମୂର୍ତ୍ତି ବସିଥିବାର ଦେଖିଲେ । ସେ ମୂର୍ତ୍ତି ବିରକ୍ତ ଦିଶୁଥିଲା । ଦୁଇ ଚାରିଜଣ ଦର୍ଶକ ମଧ୍ୟ ମୂର୍ଚ୍ଛା ଗଲେ ।

ରାଜା ହୁକୁମ୍ ଦେଲେ କି ତେଣିକି ସେ କକ୍ଷକୁ ଆଉ କେହିବି ଯିବେ ନାହିଁ । କକ୍ଷ ଆଗରେ ଜଣେ ଜଗୁଆଳ ମଧ୍ୟ ରହିଲା ।

ଶ୍ରୀଦେବ ନାମକ ଜଣେ ବ୍ରାହ୍ମଣ ରାଜାଙ୍କ ପାଖରେ ସବୁଦିନେ ପୁରାଣ ପାଠ କରୁଥାଏ । ଶ୍ରୀଦେବର ଘର ଗୋଟିଏ ଦୂରବର୍ତ୍ତୀ ଗ୍ରାମରେ । ତେବେ ସେ ରାଜଧାନୀରେ ଆସି ପ୍ରାୟ ତିରିଶବର୍ଷ କାଳ ରହିଥିଲା ।

ଦିନେ ଶ୍ରୀଦେବର ଜଣେ ବାଲ୍ୟବନ୍ଧୁ ନବଘନ ଗାଁରୁ ଆସି ଶ୍ରୀଦେବକୁ ଦେଖା କଲେ । ଅନେକ ବର୍ଷ ପରେ ବାଲ୍ୟବନ୍ଧୁକୁ ଦେଖି ଶ୍ରୀଦେବ ଖୁସି ହେଲା । କିନ୍ତୁ ସେ ଯେତେବେଳେ ବନ୍ଧୁଟି ଆସିବାର କାରଣ ବୁଝିଲା, ସେତେବେଳେ ତାର ଭ୍ରୁକୁଂଚନ ହେଲା । ନବଘନ କହିଲା କି ସେ ମନ୍ତ୍ରସିଂହାସନଟି ଦେଖିବାକୁ ଆସିଛନ୍ତି ।
“ଆରେ ଭାଇ, ସେ ସିଂହାସନ ତ ଆଉ କାହାକୁ ଦେଖିବାକୁ ଦିଆଯାଉ ନାହିଁ!”

ନବଘନ କହିଲେ “ଭାଇ ଶ୍ରୀଦେବ! କାହାକୁ ନ ମିଳିବା ଓ ମୋତେ ନ ମିଳିବା କ’ଣ ଏକା କଥା? ମୁଁ ପରା ତମର ବନ୍ଧୁ!”

“ମୋର ବନ୍ଧୁ ହେଲେ କ’ଣ ହେଲା? ରାଜାଙ୍କ ସ୍ୱତନ୍ତ୍ର ଅନୁମତି ବିନା ସେ ସିଂହାସନ ଦେଖିବା ସମ୍ଭବପର ନୁହେଁ ।”

“ତମେ କ’ଣ ରାଜାଙ୍କଠୁଁ ମୋ ପାଇଁ ଅନୁମତି ଅଣାଇଦେଇ ପାରିବ ନାହିଁ?”

“ନା ଭାଇ, ମୁଁ ରାଜାଙ୍କୁ ପୁରାଣ ଶୁଣାଇ ପେଟ ପାଳିଥାଏ । ରାଜାଙ୍କ ଉପରେ ମୋର ସେଭଳି ପ୍ରଭାବ ନାହିଁ ।”

ନବଘନ ହତାଶ ହୋଇ ସେଠାରୁ ଯାଇ ଗୋଟିଏ ଧର୍ମଶାଳାରେ ରହିଲେ ଓ ପରଦିନ ନଅରକୁ ଯାଇ କେତେ ଲୋକଙ୍କୁ ସେ ସିଂହାସନ କଥା ପଚାରିଲେ । ଯିଏ ଶୁଣିଲା ଯେ ସିଏ ଶ୍ରୀଦେବଙ୍କ ବନ୍ଧୁ, ସିଏ କହିଲା, “ବାବୁ! ତମର ଚିନ୍ତା କ’ଣ? ଶ୍ରୀଦେବ ରାଜାଙ୍କୁ ଯାହା କହିବେ, ରାଜା ତାହା କରିବେ ।”

ନବଘନ ସନ୍ଧ୍ୟାବେଳେ ଯାଇ ଶ୍ରୀଦେବକୁ ଲୋକେ ଯାହା କହୁଛନ୍ତି, ସେକଥା କହିବାରୁ ଶ୍ରୀଦେବ କହିଲା, “ଭାଇ, ଲୋକେ ଭୁଲ୍ କହୁଛନ୍ତି । ତା’ଛଡା ଆଜି ମୁଁ ବଡ ବ୍ୟସ୍ତ । ଜଣକୁ ଭୂତ ଲାଗିଛି । ଜଣେ ଭଲ ଗୁଣିଆ ପାଉ ନାହିଁ । ସେହି କଥାକୁ ନେଇ ମୁଁ ବଡ ଚିନ୍ତାରେ ଅଛି ।”

ନବଘନ ଫେରିଗଲେ । ପରଦିନ ସେ ଯାଇ ନଅରର ମୁଖ୍ୟ ଦ୍ୱାରପାଳ ସହ ବନ୍ଧୁତା କଲେ ଓ ମନ୍ତ୍ର-ସିଂହାସନ ଦେଖିବାର ଇଚ୍ଛା ବ୍ୟକ୍ତ କଲେ । ମୁଖ୍ୟ, ଦ୍ୱାରପାଳ କହିଲେ, “ଆଚ୍ଛା ହେଉ, ତମେ କାଲିକି ଆସ । ମନ୍ତ୍ର-ସିଂହାସନ ଥିବା କକ୍ଷର ଜଗୁଆଳିକୁ କହିଦେବି । ସେ ତୁମକୁ ତାହା ଦେଖାଇ ଦେବ । କିନ୍ତୁ ନଅର ଭିତରେ ପଶିବା ପାଇଁ ତମର ଖଣ୍ଡିଏ ଅନୁମତି ପତ୍ର ଲୋଡା । ସେ ପତ୍ର କେବଳ ରାଜାଙ୍କ ପାଖଲୋକଙ୍କ ଭିତରୁ କେହି ଦେଇ ପାରିବେ ।”

ନବଘନ ପଚାରିଲେ “ଶ୍ରୀଦେବ ଦେଇ ପାରିବେ?”

“ନିଶ୍ଚୟ! ଶ୍ରୀଦେବଙ୍କୁ ରାଜା ବହୁତ ସମ୍ମାନ କରନ୍ତି ।”

ନବଘନ ସନ୍ଧ୍ୟାବେଳେ ଶ୍ରୀଦେବକୁ ଭେଟିଲେ ଓ ସେକଥା କହିଲେ । ଶ୍ରୀଦେବଙ୍କ ମୁହଁ ଗମ୍ଭୀର ଦେଖାଗଲା । ତେବେ ସେ ଅନୁମତିପତ୍ର ଦେଇଦେଲା ଓ କହିଲା, “ରାତି ସାରା ମୁଁ ଶୋଇନାହିଁ । ମୋର ଜଣେ ବନ୍ଧୁକୁ ସାପ କାମୁଡିଛି । ସେ ପ୍ରାୟ ଅଚେତ ହୋଇ ରହିଛନ୍ତି ।”

ନବଘନ ଅନୁମତି-ପତ୍ର ନେଇ ଚାଲିଯିବା ପରେ ପରେ ଶ୍ରୀଦେବ ଯାଇ ରାଜାଙ୍କୁ ଭେଟିଲା ଓ କହିଲା, “ଛାମୁ! ମନ୍ତ୍ର-ସିଂହାସନ ସତର୍କ ପ୍ରହରୀମାନଙ୍କ ଅଧିନରେ ରହିବା ଉଚିତ୍ । ବର୍ତ୍ତମାନର ଦ୍ୱାରପାଳ ଓ ଜଗୁଆଳି ସେମାନଙ୍କ ପ୍ରିୟ ପରିଜନଙ୍କୁ ତାହା ଦେଖାଉଛନ୍ତି ।”

ରାଜା ସଙ୍ଗେ ସଙ୍ଗେ ଦ୍ୱାରପାଳ ଓ ମନ୍ତ୍ର-ସିଂହାସନର ଜଗୁଆଳିକୁ ଅନ୍ୟ ବିଭାଗକୁ ବଦଳି କରି ଉଭୟ ସ୍ଥାନରେ ଦୁଇଜଣ ବିଶ୍ୱସ୍ତ ପ୍ରହରୀଙ୍କୁ ନିଯୁକ୍ତି ଦେଲେ ।

ପରଦିନ ନବଘନ ଅନୁମତି-ପତ୍ର ଧରି ନଅରକୁ ଯାଇ ତାଙ୍କ ପରିଚିତ ଦ୍ୱାରପାଳକୁ ଭେଟିଲେ । କିନ୍ତୁ ଦ୍ୱାରପାଳ ଦୁଃଖ କରି କହିଲା, “ବାବୁ! ମୋର ବନ୍ଧୁ ମନ୍ତ୍ର-ସିଂହାସନର ଜଗୁଆଳି ଥିଲା । କିନ୍ତୁ ଆଜି ତା’ର ବଦଳି ହୋଇ ଯାଇଛି । ମୋର ମଧ୍ୟ । ମୁଁ ଆଉ କିଛି କରି ପାରୁ ନାହିଁ । ଯଦି ଶ୍ରୀଦେବ ଆପଣଙ୍କୁ ସାହାଯ୍ୟ କରିପାରିବେ ନାହିଁ ବୋଲି କହୁଛନ୍ତି, ତେବେ ଆପଣ ମନ୍ତ୍ରୀଙ୍କ ପାଖକୁ ଯାଆନ୍ତୁ ।”

ନବଘନ ସିଧା ମନ୍ତ୍ରୀଙ୍କ ଘରକୁ ଗଲେ । ମନ୍ତ୍ରୀ ପଦାକୁ ବାହାରିବା ବେଳକୁ ସେ ଲମ୍ବ ହୋଇ ତଳେ ପଡିଗଲେ ଓ ତାଙ୍କୁ ପ୍ରଣାମ କଲେ । ମନ୍ତ୍ରୀ ଆଶ୍ଚର୍ଯ୍ୟ ଓ ଆନନ୍ଦିତ ହୋଇ ପଚାରିଲେ, “ତମେ କିଏ କିହୋ? କ’ଣ ମାଗୁଣି ଅଛି? ଚାକିରୀ, ନା ଟଙ୍କା?”

ନବଘନ ନମ୍ର ଭାବରେ କହିଲେ “ମହାଭାଗ! ମୋର ସେ ଦୁଇଟିରୁ କିଛିବି ଲୋଡା ନାହିଁ । ମୋତେ ଥରେ ମନ୍ତ୍ର-ସିଂହାସନ ଦେଖାଇ ଦିଅନ୍ତୁ । ବହୁ ଦୂରରୁ ସେତକ ଦେଖିବା ପାଇଁ ଆସିଛି ।”

“ହେଉ, ହେଉ । ଦେଖାଇ ଦେବା । କାଲି ଆସ । ମୁଁ ଖଣ୍ଡେ ଚିଠି ଲେଖିଦେବି । ନଅରର ତତ୍ୱାବଧାରଙ୍କୁ ତାହା ଦେବ ।”

ନବଘନ ଖୁସି ହୋଇ ଚାଲିଗଲେ । ରାତିରେ ଶ୍ରୀଦେବଙ୍କୁ ଭେଟି ମନ୍ତ୍ରୀଙ୍କ ସହାନୁଭୂତିପୂର୍ଣ୍ଣ ବ୍ୟବହାର ବିଷୟ କହିବାରୁ ଶ୍ରୀଦେବ କହିଲେ, “ବେଶ୍, ଭଲ କଥା । ତମ ସହ ପରେ କଥା ହେବି । ମୋର ଜଣେ ପ୍ରବଳ ଶତ୍ରୁକୁ କିପରି ବଶ କରିବି ବା ଦମନ କରିବି, ସେହି ସମସ୍ୟାରେ ମୁଁ ବର୍ତ୍ତମାନ ଚିନ୍ତିତ ରହିଛି ।”

ନବଘନ ଚାଲିଯିବା ମାତ୍ରେ ଶ୍ରୀଦେବ ମନ୍ତ୍ରୀଙ୍କ ପାଖକୁ ଯାଇ କହିଲେ, “ମନ୍ତ୍ରୀବର! ଆପଣ ଆଜି ଜଣେ ଲୋକକୁ ମନ୍ତ୍ର-ସିଂହାସନ ଦେଖାଇବା ବିଷୟରେ କଥା ଦେଇଛନ୍ତି । ଭଲ କଥା । କିନ୍ତୁ ପରିଣତି ପାଇଁ ଆପଣ ଦାୟୀ ରହିବେ ।”

ମନ୍ତ୍ରୀ କହିଲେ “ପରିଣତି କଥା ତ ମୁଁ ଭାବି ନାହିଁ! ଭଲ କଲେ ମୋତେ ଚେତାଇ ଦେଲେ! ମୋର ଏବେ ସେଥିରେ ପଶିବା କ’ଣ ଦରକାର!”

ପରଦିନ ନବଘନ ଯାଇ ମନ୍ତ୍ରୀଙ୍କୁ ଭେଟିବା ମାତ୍ରେ ମନ୍ତ୍ରୀ କହିଲେ, “ତମେ ଏଠୁ ଚାଲ! ମୁଁ ତମ ଇଚ୍ଛା ପୂରଣ କରି ପାରିବି ନାହିଁ!”

ନବଘନ ଚାଲି ଯାଉ ଯାଉ ମନ୍ତ୍ରୀ ତାଙ୍କ ସହିତ ଥିବା ଜଣେ ଅମାତ୍ୟଙ୍କୁ କହିବାର ଶୁଣିଲେ, “ଶ୍ରୀଦେବ ଏଥିରେ ଖୁସି ନୁହଁନ୍ତି; ନିଶ୍ଚୟ କିଛି କାରଣ ଥିବ!”

ନବଘନ ସିଧା ଶ୍ରୀଦେବ ପାଖକୁ ଯାଇ କହିଲେ, “ଶ୍ରୀଦେବ! ମୁଁ ଗାଁକୁ ଫେରି ଯାଉଛି ।”

“ହଉ ଭାଇ! ମୋର ପ୍ରଭାବ ଥିଲେ ମୁଁ ତମକୁ ମନ୍ତ୍ର-ସିଂହାସନ ଦେଖାଇ ଦେଇଥାନ୍ତି!”

“ତମ ପ୍ରଭାବ ଅଛି ବୋଲି ତାହା ଦେଖିବାରୁ ମୁଁ ବଞ୍ଚିତ ହେଲି!” ନବଘନ ରୁକ୍ଷ ଭାବରେ ଏହା କହିଲେ ଓ ଚାଲିଗଲେ ।

ଶ୍ରୀଦେବ ସ୍ତବ୍ଧ ହୋଇ ରହି ନବଘନଙ୍କୁ ପଛରୁ ଡାକିଲେ ଓ ସେ ତାଙ୍କୁ କୁଣ୍ଢାଇ ପକାଇ କହିଲେ, “ଭାଇ! ଆଉ ରାଗ ନାହିଁ । ତମେ ଆଜି ମୋ ଘରେ ଅତିଥି ହୋଇ ରୁହ । ଆଗାମୀ କାଲି ତମକୁ ସିଂହାସନ ଦେଖାଇ ଦେବି । ତା’ପରେ ତମେ ଯିବ ।”

ନବଘନ ରହିଗଲେ । ସେଦିନ ଓ ପରଦିନ ସକାଳେ ଶ୍ରୀଦେବ ନବଘନଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରି ନଅର ଭିତରକୁ ନେଇଗଲା ଓ ସିଂହାସନ ଦେଖାଇଲା । ନବଘନ ଆନନ୍ଦିତ ହୋଇ ଗାଁକୁ ଗଲେ ।

ବେତାଳ ଟିକିଏ ଚୁପ୍ ରହି ହଠାତ୍ ରାଜାଙ୍କୁ ଧମକ ଦେଲାଭଳି କଣ୍ଠରେ ପ୍ରଶ୍ନ କଲା: “ରାଜା! ନବଘନ ଯେପରି ମନ୍ତ୍ର-ସିଂହାସନ ଦେଖିପାରିବେ ନାହିଁ, ସେଥିପାଇଁ ଶ୍ରୀଦେବ ଏତେ ଚେଷ୍ଟା କଲେ । ପୁଣି ହଠାତ୍ ସେ ତାଙ୍କ ମନ ପରିବର୍ତ୍ତନ କରି ତାଙ୍କୁ କାହିଁକି ସିଂହାସନ ଦେଖାଇଲେ? ଏଠାରେ ତାଙ୍କ ବ୍ୟବହାର ବିଚିତ୍ର ମନେ ହେଉନାହିଁ କି? ଏହାର ପ୍ରକୃତ ରହସ୍ୟ କ’ଣ? ପାରିଲେ ମୋର ଏସବୁ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତି ଥାଇ ମଧ୍ୟ ତମେ ଯଦି ନୀରବ ରହିବ, ତେବେ ତମ ଶିର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି କହିଲେ, “ନବଘନଙ୍କ ସହ ଶ୍ରୀଦେବଙ୍କର ଦୀର୍ଘ ଦିନ ଯାଏଁ କୌଣସି ସମ୍ପର୍କ ନ ଥିଲା । ମନ୍ତ୍ର-ସିଂହାସନ ଦେଖିବାକୁ ନବଘନଙ୍କ ଆଗ୍ରହ ବିଷୟରେ ତାଙ୍କର ସନ୍ଦେହ ହେବାଟା ତ ସ୍ୱାଭାବିକ । କିଛି ବ୍ରତ ଉପବାସ କରି କୌଣସି ମନ୍ତ୍ର ପଢି କେହି ଯଦି ସେ ସିଂହାସନରେ ବସି ପଡେ, ତେବେ ସେ ମହାଶକ୍ତିର ଅଧିକାରୀ ହେବ । ନବଘନ ଏବେ ସେଭଳି ମନ୍ତ୍ରତନ୍ତ୍ର ଜାଣନ୍ତି କି? ଏହାହିଁ ହେଲା ଶ୍ରୀଦେବଙ୍କ ମନରେ ପ୍ରଶ୍ନ । କାରଣ ଶକ୍ତିର ଅଧିକାରୀ ହେବା ପରେ ଜଣେ ସେ ଶକ୍ତିର ଦୁରୁପଯୋଗ କରିପାରେ! ଶ୍ରୀଦେବ ବିଚକ୍ଷଣ ବ୍ୟକ୍ତି । ସେ ବାରମ୍ବାର ପରୀକ୍ଷା କରି ଦେଖିଲା ନବଘନଙ୍କର ମନ୍ତ୍ରତନ୍ତ୍ରରେ କୌଣସି ପ୍ରକାର ଜ୍ଞାନ ନାହିଁ । ଜ୍ଞାନ ଥିଲେ ଜଣକୁ ଭୂତ ମାଡିବସିଥିବାର ଶୁଣି, ଆଉ ଜଣକୁ ସାପ କାମୁଡିବସିଥିବାର ଶୁଣି, ପୁଣି ତାଙ୍କ ବନ୍ଧୁ ଶ୍ରୀଦେବ ଜଣେ ଶତ୍ରୁକୁ ବଶ ବା ଦମନ କରିବାକୁ ଅଧୀର ବୋଲି ଶୁଣି ନବଘନ ନୀରବ ରହି ନଥାନ୍ତେ । ସେ ଶ୍ରୀଦେବକୁ ଖୁସି ରହିବା ନିମନ୍ତେ ଆଗ୍ରହରେ ନିଜ ମନ୍ତ୍ରଜ୍ଞାନ ଦ୍ୱାରା ତାକୁ ସାହାଯ୍ୟ କରିବାକୁ ବାହାରି ପଡିଥାନ୍ତେ ।

ଶ୍ରୀଦେବ ଆହୁରି ବି ସତର୍କତା ଅବଲମ୍ବନ କଲା । ସେ ନବଘନଙ୍କୁ ନିଜ ଘରେ ରଖି ଭୁରି ଭୋଜନ ଦେଲେ । ଯଦି ନବଘନ ବ୍ରତ ଉପାସ କରିଥାନ୍ତେ, ତାହା ଆଉ ସମ୍ଭବ ହେଲା ନାହିଁ ।

ଶ୍ରୀଦେବ ତ ମୂଳରୁ ଏ ଧନ୍ଦା ଏଡାଇ ଯିବାକୁ ଚାହୁଁଥିଲା । କିନ୍ତୁ ଯେତେବେଳେ ସେ ବୁଝିଲା ଯେ ନବଘନଙ୍କ ମନରେ ତୁଚ୍ଛା କୌତୁହଳ ଛଡା ଆଉ କିଛି ହେଲେବି ନାହିଁ, ସେ ଭାବିଲା, ବାସ୍ତବିକ ସେ କୌତୁହଳ ଚରିତାର୍ଥ କରିବା ଦିଗରେ ସେ କାହିଁକି ଅନ୍ତରାୟ ହେବ? ନବଘନ ତ ବାସ୍ତବିକ ଦ୍ୱାରପାଳ ବା ମନ୍ତ୍ରୀଙ୍କ ସାହାଯ୍ୟରେ ସିଂହାସନ ଦେଖି ପାରିଥାନ୍ତେ । ତାର ବନ୍ଧୁ ହୋଇଥିବାରୁ ନବଘନ କାହିଁକି ସିଂହାସନ ଦେଖିବାର ସୁଯୋଗ ହରାଇବ? ତେଣୁ ସେ ଶେଷରେ ନବଘନ ସିଂହାସନଟି ଦେଖିବାର ବ୍ୟବସ୍ଥା କରିଦେଲା ।”

ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଧୂସର ଦୁର୍ଗ
Next Article ଆରୋଗ୍ୟ ରହସ୍ୟ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.